spot_img
Home Blog Page 1267

୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଥିବା କମ୍ପାନୀ ଓ କର୍ମଚାରୀ ବିବାଦ, ରୋଗୀ ସେବା ଠପ୍

ଭୁବନେଶ୍ବର : ରାଜ୍ୟ ସାରା ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିନବ ପ୍ରତିବାଦ। ଜିପିଏସ୍ ବନ୍ଦ କରି ସେବା ଯୋଗାଇବା ପାଇଁ କର୍ମଚାରୀ ଆଗେଇ ଆସିଥିବା ବେଳେ ପ୍ରୋଟୋକଲ ଅନୁସାରେ କାମ କରିବାକୁ ଜିଦ୍ ଧରିଛି ସେବାସଂସ୍ଥା। ବିବାଦ ଯୋଗୁଁ ହନ୍ତସନ୍ତ ହୋଇଛନ୍ତି ସାଧାରଣ ରୋଗୀ। ରାଜ୍ୟର ବିଭିନ୍ନ ସ୍ଥାନରୁ ରୋଗୀ ସେବା ବିପର୍ଯ୍ୟସ୍ତର ଖବର ଆସିଛି। ମୋହନାରେ ଦୁର୍ଘଟଣାରେ ଆହତଙ୍କୁ ଆମ୍ବୁଲାନ୍ସ ନ ମିଳିବାରୁ ଜୀବନ ଯାଇଛି । ପୂର୍ବରୁ କାର୍ଯ୍ୟ କରୁଥିବା ୯୬ ଜଣ ଇଏମଟିଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ୧୨ ଘଣ୍ଟା ପରିଶ୍ରମ କରୁଥିବା EMTଙ୍କୁ ୧୨ଘଣ୍ଟାର ପ୍ରାପ୍ୟ ପ୍ରଦାନ, ୧୦୮ ଆମ୍ବୁଲାନ୍ସ ରହୁଥିବା ସ୍ଥାନରେ ଆମ୍ବୁଲାନ୍ସ ଧୋଇବା/ ସାନିଟାଇଜ୍ କରିବା ସହ ବିଶ୍ରାମ ଓ ଖାଇବା ପାଇଁ ସୁବିଧାର ବ୍ୟବସ୍ଥା , କର୍ମଚାରୀ ମାନଙ୍କ ପାଇଁ ବିଶ୍ରାମ ଗୃହ, ୧୦୮ ଆମ୍ବୁଲାନ୍ସ କର୍ମୀଙ୍କ ମୃତ୍ୟୁ ହେଲେ ଉଚିତ ଅନୁକମ୍ପା ରାଶି ସହ ଅକର୍ମଣ୍ୟ ହେଲେ ଆର୍ଥିକ ସହାୟତା ପ୍ରଦାନ ଭଳି ଦାବି ରଖିଛି କର୍ମଚାରୀ ସଂଘ।

ନବୀନ ସରକାର ସମୟରେ ଆମ୍ବୁଲାନ୍ସ କର୍ମଚାରୀ ପାଉଥିଲେ ସମସ୍ତ ସୁବିଧା । ବିଜେପି ସରକାରକୁ ଆସିବା ପରେ ୧୦୮ ସେବା ଜିବିକେ ଏମ୍ରିଗ୍ରିନକୁ ହସ୍ତାନ୍ତର କରାଯାଇଛି। କମ୍ପାନୀର ମନମାନିକୁ ବିରୋଧ କରି ଜିପିଏସ୍ ବନ୍ଦକରି ଆଜି ୭ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୩୦ ଜିଲ୍ଲାର ୧୦୮ କର୍ମଚାରୀ । କର୍ମଚାରୀଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି । କର୍ମଚାରୀଙ୍କ ଦାବି ଯଥାର୍ଥ ନୁହେଁ ବୋଲି କହିଛନ୍ତି ପରିଚାଳନା କରୁଥିବା କମ୍ପାନୀ । ପୂର୍ବ ସରକାର ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଓ ଟେକ୍ନିସିଆନଙ୍କୁ ଦରମା ବ୍ୟତୀତ ମାସିକ ୫ ହଜାର ଟଙ୍କା ସ୍ପେଶାଲ ଆଲାଉନ୍ସ  ଓ ଆସିଷ୍ଟାଣ୍ଟଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରୁଥିଲେ। ଗତ ୨ ମାସ ଧରି ଏହି ଭତ୍ତାକୁ ବନ୍ଦ କରିଦିଆଯାଇଛି ପ୍ରତି ମାସରେ ନିର୍ଦ୍ଧାରିତ ତାରିଖରେ ଦରମା ପ୍ରଦାନ କରାଯାଉନାହିଁ । ୮ ଘଣ୍ଟାର ଦରମା ଦେଇ ୧୨ ଘଣ୍ଟା, ୨୪ ଘଣ୍ଟା, ୪୮ ଘଣ୍ଟା ପର୍ଯ୍ୟନ୍ତ ଡ୍ୟୁଟି କରାଉଛନ୍ତି । ଏଥିସହିତ କୌଣସି କାରଣ ନଥାଇ ୧୦୦ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି ।ସରକାର ବଦଳିଲା । ତା’ ସାଙ୍ଗରେ ବଦଳିଗଲା ସରକାରୀ ନିୟମ । ଆମ୍ବୁଲାନ୍ସ ପାଇଁ ନିୟୋଜିତ ନୂଆ ସଂସ୍ଥାର ଦାଦାଗିରି ବଢ଼ିଚାଲିଥିବା ବେଳେ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନୀରବ ଅଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ।

ସାତଟି ବର୍ଗରେ ଓଡ଼ିଶାକୁ ଜାତୀୟ ପଞ୍ଚାୟତ ପୁରସ୍କାର

ଭୁବନେଶ୍ବର : ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ପଞ୍ଚାୟତ ସଶକ୍ତିକରଣ କାର୍ଯ୍ୟକ୍ରମର ସୁଫଳ ଏବେ ଦେଖିବାକୁ ମିଳିଛି । ସାତଟି ବର୍ଗରେ ଓଡ଼ିଶାକୁ ଜାତୀୟ ପଞ୍ଚାୟତ ପୁରସ୍କାର ମିଳିଛି । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ୧୪ଟି ବର୍ଗରେ ମନୋନୀତ ୪୨ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କେଲୁଆପଲ୍ଲୀ ସୁସ୍ଥ ଗ୍ରାମପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଛି । ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ସାହାପୁର ପଞ୍ଚାୟତ ସାରା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ବ୍ଲକ୍ କେନ୍ଦ୍ରକିଲୋ ପଞ୍ଚାୟତକୁ କାର୍ବନ ନ୍ୟୁଟ୍ରାଲ ବିଶେଷ ପଞ୍ଚାୟତ ବର୍ଗରେ ଦ୍ୱିତୀୟ ପୁରସ୍କାର ମିଳିଛି । ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିବା ଏହି ପଞ୍ଚାତକୁ ପୁରସ୍କାର ରାଶି ରୂପେ ୭୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ୍ ଅନ୍ତର୍ଗତ କଶିରା ଗ୍ରାମପଞ୍ଚାୟତ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରି ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ପାଇଛି । ଏହି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ସେହିଭଳି ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧିନସ୍ଥ ସର୍ବୋଚ୍ଚ ପ୍ରଶିକ୍ଷଣ ପ୍ରଦାନକାରୀ ପ୍ରତିଷ୍ଠାନ ରୂପେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ପ୍ରତିଷ୍ଠାନ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଛତ୍ରପୁର ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ଶେଷ୍ଠ ବ୍ଲକ ପଞ୍ଚାୟତ ରୂପେ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ରୂପେ ୨ କୋଟି ଟଙ୍କାର ପୁରସ୍କାର ହାସଲ କରିଛି । ସେହିପରି ଜାତୀୟ ସ୍ତରରେ କୋରାପୁଟ ଦ୍ୱିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ରୂପେ ୩ କୋଟି ଟଙ୍କାର ପୁରସ୍କାର ପାଇଛି ।

ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ

ଭୁବନେଶ୍ବର : ନବୀନ ଡାକିଲେ ବିଧାୟକମାନଙ୍କ ବୈଠକ । ବିଧାନସଭା ଅନିର୍ଦ୍ଦିଷ୍ଟକାଳ ଲାଗି ମୁଲତବୀ ଘୋଷଣା ପରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଖାପାଖି ୪୦ ମିନିଟ ଧରି ବିଧାୟକ ମାନଙ୍କ ସହିତ ଆଲୋଚନା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ଉପସଭାପତି ଦେବୀ ମିଶ୍ର , ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।  ବିଧାନସଭା ଶେଷ ହେବାପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କିପରି ଆଗକୁ ଚାଲୁ ରହିବ ଏନେଇ ବୈଠକରେ ମନ୍ତ୍ର ଦେଇଛନ୍ତି ନବୀନ।  ମୁଖ୍ୟତଃ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ଥିବା ସଦସ୍ୟ ସଂଗ୍ରହ ଅଭିଯାନକୁ ଆଗକୁ ବଢାଇବା ସହିତ ଯେଉଁଠି କମ ସଦସ୍ୟତା ଏପର୍ଯ୍ୟନ୍ତ ହୋଇଛି ତାକୁ ଅଧିକ ସଦସ୍ୟ ଯୋଡିବା ପାଇଁ ସୁପ୍ରିମୋ କହିଛନ୍ତି । ସେହିପରି ତୃଣମୂଳ ସ୍ତରରେ ସଂଗଠନର କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଛି । ଦଳର ଆସନ୍ତା ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ ସହିତ ପ୍ରତିଷ୍ଠା ଦିବସ ପାଳନ ଉପରେ ଆଲୋଚନା ହୋଇଥିବା କହିଛନ୍ତି ବିଧାୟକ।  ବହୁତ ପ୍ରସଙ୍ଗ ଥିଲେ ମଧ୍ୟ ବିଧାନସଭାରେ ପ୍ରସଙ୍ଗ ଉଠାଇ ହେଲା ନାହିଁ ବୋଲି କହିଛନ୍ତି ଡାବୁଗାଁ ବିଜେଡି ବିଧାୟକ ମନୋହର  ରନ୍ଧାରୀ।  ଉତ୍ତର ଦେଇ ନ ପାରିବା ହେତୁ ବିଧାନସଭାର ଶୀତ ଅଧିବେଶନକୁ ଆଗୁଆ ବନ୍ଦ କରିଦେଲେ ବୋଲି କହିଛନ୍ତି ରନ୍ଧାରି। ଏହି ବୈଠକ ସାଙ୍ଗଠନିକ ବୃଦ୍ଧି ଓ ଦଳର ସଦସ୍ୟତା ଉପରେ ଗୁରୁତ୍ୱ ଦେଇଥିବା କହିଛନ୍ତି ବିଜେଡି ଉପ ସଭାପତି ଦେବୀ ମିଶ୍ର ।

ନୂଆ ସରକାରରେ ପୋଲିସ ନିଯୁକ୍ତିରେ ବଡ଼ ଅନିୟମିତତା, ୫୦ କୋଟି ଟଙ୍କାର ହେରଫେର: ବିଜେଡି

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ । ରାଜ୍ୟରେ ନୂତନ ସରକାର ଶାସନ କରିବାକୁ ୬ ମାସ ବିତିଲାଣି । ଏହା ଭିତରେ ପୋଲିସ ନିଯୁକ୍ତିରେ ବଡ଼ ଅନିୟମିତତା ହୋଇଛି । ଫାୟାର ସର୍ଭିସେସ୍ ଚାକିରି କ୍ଷତ୍ରରେ ୫୦ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ କରିଛି ବିଜେଡି । ପୋଲିସ ରିକ୍ୱାରମେଣ୍ଟ ତରଫରୁ ନିଯୁକ୍ତି ପାଇଁ ଟେଣ୍ଡର ହୋଇଥିଲା । ଟେଣ୍ଡରରେ ଆଇଟିଆଇ, ପିଏସୟୁ କମ୍ପାନୀ ଆସିଥିଲା । କାମ କରିବାକୁ ସୁଯୋଗ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ପରିବର୍ତ୍ତନ କରାଯାଇ ଏକ ଗୁଜୁରାଟ କମ୍ପାନୀକୁ ନିଯୁକ୍ତି କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଥିଲା । ୯୪୧ ଫାୟାର ମ୍ୟାନ ଏବଂ ୪୯୫ ଏସଆଇ ପଦ ପାଇଁ ପରୀକ୍ଷା ପତ୍ରକୁ ଲିକ୍ କରାଯାଇ କୋଟି କୋଟି ଟଙ୍କା ହେରଫେର କରାଗଲା । ତେଣୁ ମୁଖ୍ୟମନ୍ତ୍ରୀ କିମ୍ବା ଗୃହ ବିଭାଗ ନୁଯୁକ୍ତି କ୍ଷତ୍ରରେ ହୋଇଥିବା ଅନିୟମିତତାର ତୁରନ୍ତ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।  ଅନ୍ୟପଟେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ ଭୁଶୁଡି ପଡିଛି । ଲୋକଙ୍କର ଆଇନ ପ୍ରତି ଯେଉଁ ଭୟ ଥିଲା ତାହା କମୁଛି । ପୋଲିସ ବିଭାଗ ଝାଡ଼ଖଣ୍ଡ ସିନ୍ଧି ଚୋରକୁ ଧରିଲେ ଆମେ ସ୍ୱାଗତ କରୁଛୁ । କିନ୍ତୁ ରାଜ୍ୟପାଳଙ୍କ ପୁଅ ଯେଉଁଭଳି ଓଡ଼ିଆ ଅସ୍ମିତାକୁ କୁଠାଘାତ ଦେଇଥିଲେ । ତାଙ୍କ ଉପରେ କାହିଁକି କାଯ୍ୟନୁଷ୍ଠାନ ହେଉନାହିଁ ପୋଲିସ ପ୍ରଶ୍ନ କରିଛି ବିଜେଡି । ସେପଟେ ରାଜ୍ୟ ସରକାରଙ୍କ ଗୁଜୁରାଟ ପ୍ରେମ ମଧ୍ୟ ବଢିଚାଲିଛି । ବ୍ଲକ ଲିଷ୍ଟ ହୋଇଥିବା କମ୍ପାନୀକୁ ସରକାର କାହିଁକି ଅହେତୁକୁ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି । ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ଯେଉଁ କମ୍ପାନୀକୁ ବ୍ଲାକ ଲିଷ୍ଟ ବୋଲି କହିଥିଲେ ସେହି କମ୍ପାନୀକୁ କେଉଁଭଳି କାର୍ଯ୍ୟକରିବାକୁ ସୁଯୋଗ ଦେଉଛନ୍ତି ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଛି ବିଜେଡି ।

ପୋଲାଭରମ ପ୍ରସଙ୍ଗରେ ଅନ୍ଧାରରେ ଓଡ଼ିଶା

ଭୁବନେଶ୍ବର : ସଂସଦରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀଙ୍କ ତଥ୍ୟକୁ ନେଇ ରାଜ୍ୟରେ ଝଡ଼। ଆନ୍ଧ୍ରପ୍ରଦେଶ ସରକାରଙ୍କ ସର୍ବେକ୍ଷଣ ଅନୁଯାୟୀ ଓଡ଼ିଶାରେ ୬୪୮.୦୫ ହେକ୍ଟର ଭୂମି ଜଳମଗ୍ନ ହେବ। ପ୍ରକଳ୍ପ ଯୋଗୁ ପଛୁଆ ଜଳ ଆସି ରାଜ୍ୟର ୧୦୨.୧୬ ହେକ୍ଟର ସଂରକ୍ଷିତ ଜଙ୍ଗଲ କ୍ଷତିଗ୍ରସ୍ତ ହେବ। ଗୋଟିଏ ପରେ ଗୋଟିଏ ନିୟମ ଉଲ୍ଲଂଘନ କରିଚାଲିଛି ଆନ୍ଧ୍ର। ସେପଟେ ହଜାର ହଜାର କୋଟି ଟଙ୍କା ଯୋଗାଇଦେଉଛନ୍ତି କେନ୍ଦ୍ର ସକାର। ହେଲେ ଓଡ଼ିଶାର କ୍ଷତିକୁ ନେଇ ସତ ତଥ୍ୟ ଦିଆଯାଉନାହିଁ। ଏହି ତଥ୍ୟ ସତ୍ୟ ଉପରେ ଆଧାରିତ ନୁହେଁ ବୋଲି କହିଛି ବିଜେଡି। ଆଜିଯାଏ କ୍ଷୟକ୍ଷତି ନେଇ ଫିଜିକାଲ ଭେରିଫିକେସନ ହୋଇନାହିଁ। ପଛୁଆ ବନ୍ୟାଜଳରେ ଆଠଟି ଗାଁ ବୁଡ଼ିବ ବୋଲି କହୁଛନ୍ତି। କିନ୍ତୁ ଏବେ ଅଦିନିଆ ବର୍ଷରେ ୨୦ ରୁ ୨୫ ଟି ଗାଁକୁ ପାଣି ଆସୁଛି। କେନ୍ଦ୍ର ନିକଟରେ ବିଜେଡି ଏ ପ୍ରସଙ୍ଗରେ ଜୋରଦାର ଦାବି ଉଠାଇଛି। କେନ୍ଦ୍ରର କୌଣସି ମନ୍ତ୍ରଣାଳୟ ପୋଲାଭରମ ନେଇ ସନ୍ତୋଷଜନକ ତଥ୍ୟ ଦେଇପାରିଲେ ନାହିଁ। କେନ୍ଦ୍ର ସରକାର ଆମକୁ ଅନ୍ଧକାରରେ ରଖନ୍ତୁ ନାହିଁ ବୋଲି ଦାବି କରିଛି ବିଜେଡି। ସେପଟେ ବିଜେପି ସରକାର କେନ୍ଦ୍ରୀୟ ଚାପରେ ନିରବ। ଆନ୍ଧ୍ରର ଟିଡିପି ସରକାରକୁ ନାରାଜ କରିବାକୁ ବିଜେପି ଚାହୁଁନି ବୋଲି ଅଭିଯୋଗ ହୋଇଛି। ତୁରନ୍ତ ସଠିକ ତଥ୍ୟ ସହ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କାମ କରିବାକୁ ଦାବି ରଖିଛି ବିଜେଡି। ସେପଟେ କଂଗ୍ରେସ ଓ ସିପିଏମ ମଧ୍ୟ ବିଜେପି ସରକାରଙ୍କ ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି।

ସେପଟେ ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ କରୁଥିବା ଜନ ସଂଗଠନ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ସଂସଦରେ କେନ୍ଦ୍ରମନ୍ତ୍ରୀ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରିଛି ଆମ ଜନତା ଅଧିକାର। ଆନ୍ଧ୍ର ସରକାରଙ୍କ ଆକଳନକୁ କେନ୍ଦ୍ର ସରକାର ଉପସ୍ଥାପନ କରିଥିବାବେଳେ ଓଡିଶା ଓ କେନ୍ଦ୍ର ସରକାର କାହିଁକି ସର୍ଭେ କରୁନାହାନ୍ତି ବୋଲି ଉଠିଛି ପ୍ରଶ୍ନ। କ୍ଷତି ପ୍ରସଙ୍ଗରେ ଓଡିଶା ସରକାର ହାଇଦ୍ରୋଲୋଜିକାଲ ଓ ଜିଓଲୋଜିକାଲ ସର୍ଭେ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କରିଛି ସଂଗଠନ। କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଓଡିଶା ପାଇଁ ଥିବା ବିକଳ୍ପର କଥା କହିଛନ୍ତି। ପ୍ରଭାବିତ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ବ୍ୟାପକ ବ୍ୟବସ୍ଥା, ନଦୀବନ୍ଧ ନିର୍ମାଣ କିମ୍ବା କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଥଇଥାନ ଓ ପୁନର୍ବାସ କ୍ଷୟକ୍ଷତି ଦାବି ବିକଳ୍ପ ରହିଛି ବୋଲି କୁହାଯାଇଛି। ପୋଲାଭରମ ପ୍ରସଙ୍ଗରେ ଅନ୍ଧକାରକୁ ଠେଲି ହୋଇୟାଇଛି ରାଜ୍ଯବାସୀଙ୍କ ଭାଗ୍ୟ।

ବିଧାନସଭାରେ ୱାଲଟିଅର ଡିଭିଜନକୁ ନେଇ ଆରୋପ ପ୍ରତ୍ୟାରୋପ ଓ କଥା କଟାକଟି

ଭୁବନେଶ୍ବର : ବିଧାନସଭାରେ ୱାଲଟିୟର ଝଡ଼ । ପୂର୍ବତଟ ରେଳପଥକୁ ସଙ୍କୁଚିତ ପାଇଁ ବିଜେପିର ଷଡ଼ଯନ୍ତ୍ର । ବିଜେଡି କହିଲା, ୨୦ ହଜାର କୋଟି ଟଙ୍କା ରାଜସ୍ବ ହରାଇବ ଓଡିଶା । ରେଳମନ୍ତ୍ରୀ ଉପରେ ବର୍ଷିଲା କଂଗ୍ରେସ । ରାଜ୍ୟ ସ୍ବାର୍ଥ ଭୁଲି ଓକିଲାତି କଲା ବିଜେପି । ୱାଲଟିୟର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛି ବିଜେଡି । ଶୂନ୍ୟକାଳରେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ପ୍ରସଙ୍ଗ ଉଠାଇ ଡବଲ ଇଞ୍ଜିନ ସରକାର ଓଡ଼ିଶା ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି । ରଣେନ୍ଦ୍ରଙ୍କ ଟାର୍ଗେଟରେ କେନ୍ଦ୍ର ରେଳମନ୍ତ୍ରୀ । ସେ ସିଧାସିଧା ଅଭିଯୋଗ କରିଛନ୍ତି ଯେ ରେଳମନ୍ତ୍ରୀ ଓଡିଶା ପ୍ରତି ବେଇମାନି କରୁଛନ୍ତି । ଲଜ୍ଜା ଲାଗୁଛି ଆମେ ତାଙ୍କୁ ଭୋଟ ଦେଇ ଦିଲ୍ଲୀ ପଠାଇଛୁ । ୱାଲଟିଅର ଡିଭିଜନ ଯଦି ସାଉଥ ସେଣ୍ଟ୍ରାଲ ରେଲୱେ, ବିଶାଖାପାଟଣା ସହିତ ମିଶାଇ ଦିଆଯାଏ ତେବେ ୨୦ ହଜାର କୋଟି ଟଙ୍କା ଓଡିଶାର ରାଜସ୍ବ ହାନି ହେବ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ପୂର୍ବତଟ ରେଳପଥ ହୋଇଥିଲା । ତେଣୁ ତୁରନ୍ତ କେନ୍ଦ୍ର ସରକାର ଏହି ନିଷ୍ପତ୍ତିରୁ ଓହରିଯିବାକୁ ଗୃହରେ ଦାବି କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ  ।

ବିଜେଡି ସହ ଶୂନ୍ୟକାଳରେ ସ୍ଵର ମିଳାଇଥିଲା କଂଗ୍ରେସ୍  । ଆନ୍ଧ୍ର ପାଇଁ ୱାଲଟିୟର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ଦଳ କହିଛି  । ତୁରନ୍ତ ଏ ନିଷ୍ପତ୍ତିରୁ ସରକାର ଓହରିଯାଆନ୍ତୁ l ରେଳମନ୍ତ୍ରୀ ଓଡିଶାର ହୋଇ କିପରି ଓଡ଼ିଶା ସ୍ବାର୍ଥ ବିରୋଧୀ କାମ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ  । ୱାଲଟିୟର ଡିଭିଜନ ଯଦି ଆନ୍ଧ୍ରକୁ ଯାଏ ତାହା ଚିନ୍ତାଜନକ । ଏଥିରେ ଓଡିଶା ତାହାର ହକ ହରାଇବ l ଓଡିଶାର ଖଣି, ପାଣି ଲୁଟ କରିବାକୁ ବିଜେପି ସରକାର ଚେଷ୍ଟା ଚଳାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି l ସେପଟେ ପୂର୍ବତଟ ରେଳବାଇ ପ୍ରସଂଗରେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛି ଶାସକ ଦଳ  । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଛନ୍ତି ଯେ ଓଡିଶାର ଗୋଟେ ଇଞ୍ଚ ମଧ୍ୟ ଅଲଗା ରାଜ୍ୟକୁ ଯିବ ନାହିଁ | ଇଷ୍ଟ କୋଷ୍ଟ ତିନୋଟି ଡିଭିଜନକୁ ନେଇ ଚାଲିବ  ।
ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନକୁ ବିଚ୍ଛିନ୍ନ କରିବା ଏବଂ ଏହାକୁ ଦକ୍ଷିଣ କେନ୍ଦ୍ରୀୟ ରେଳଜୋନ ସହିତ ମିଶ୍ରଣ କରିବାର ନିଷ୍ପତ୍ତିକୁ ନେଇ ପୂରା ଓଡ଼ିଶାରେ ଉଦବେଗ ପ୍ରକାଶ ପାଇଛି l ହେଲେ ଡବଲ ଇଞ୍ଜିନ ସରକାର ଏହାକୁ ଅଣଦେଖା କରି ନିଷ୍ପତ୍ତି ଉପରେ ଓକିଲାତି କରିଛି l ଯାହାକୁ ନେଇ ବିଜେପିକୁ ନିଶାଣ କରିଛନ୍ତି ଦୁଇ ବିରୋଧୀ l ୧୯୯୬ରେ ପ୍ରତିଷ୍ଠା ପରଠାରୁ, ପୂର୍ବତଟ କ୍ରମାଗତ ଭାବରେ ଭାରତୀୟ ରେଳବାଇରେ ସର୍ବାଧିକ ରାଜସ୍ୱ ଯୋଗଦାନକାରୀଙ୍କ ମଧ୍ୟରେ ସ୍ଥାନୀତ ହୋଇଛି । ୱାଲ୍ଟିୟର ଡିଭିଜନର ଅପସାରଣ ପୂର୍ବତଟ ରେଳବାଇକୁ ଯଥେଷ୍ଟ ଦୁର୍ବଳ କରିବ । ଏହାର କାର୍ଯ୍ୟକଳାପ ଏବଂ ଓଡିଶାର ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିପଦରେ ପକାଇବ ବୋଲି ନେତା ଯୁକ୍ତି ବାଢ଼ିଛନ୍ତି  ।

ଚିଟିଙ୍ଗ ଘାଟିରେ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଚିଟିଙ୍ଗ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ଯୁ ସଂଖ୍ଯା ପହଞ୍ଚିଲା ୪ରେ।  ପିକଅପ୍ ଭ୍ୟାନ ଓଲଟି ପୂର୍ବରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ  । ମୃତ ମହିଳାଙ୍କ ନାମ ଥିଲା ବାସନ୍ତୀ ଭୂୟାଁ।  ସମସ୍ତ ଆହତଙ୍କୁ ଉଦ୍ଧାର କରି ଚଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି  । ଏକ ପିକଅପ୍ ଭ୍ୟାନରେ ୩୦ରୁ ଅଧିକ ଲୋକ ରାମଗିରି କେକେସିଂ ଗାଁରୁ ମୋହନା ଘାଇବାଲି ଗାଁକୁ ଯାଉଥିଲେ  । ଏକ ଶୁଦ୍ଧିକ୍ରିୟା ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ଚନ୍ଦ୍ରଗିରି ନିକଟରେ ଓଲଟିପଡିଥିଲା ଭ୍ୟାନ । ଚନ୍ଦ୍ରଗିରି ମେଡିକାଲରେ ଆହତ ମାନଙ୍କ ଚିକିତ୍ସା ଚାଲିଥିଲା।

ସରକାର ପାତର ଅନ୍ତର କରୁଥିବା କହିଲା ବିଜୁ ଶ୍ରମିକ ସାମୁଖ୍ୟ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ବର :  ଖୋଲା ଅକାଶ, ଶୀତୁଆ ରାତି । ଚାରିଆଡେ ଅନ୍ଧାର । ହେଲେ ସବୁ ସମସ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ମାଆ । ପେଟପାଟଣା ପାଇଁ ନର୍ଭୀକ ପାଲଟିଛନ୍ତି ମିଶନ ଶକ୍ତି ମହିଳା । ମହାତ୍ମାଗାନ୍ଧୀ ମାର୍ଗରେ ବିତିଲାଣି ୩ ଦିନ ଦୁଇ ରାତି । ହେଲେ ନିଘୋଡ ନିଦରେ ଲୋକଙ୍କ ସରକାର। ବାସଭବନରେ ନିଶ୍ଚିନ୍ତରେ ମୁଖ୍ଯମନ୍ତ୍ରୀ। ଧାରଣାସ୍ଥଳରେ କାଲି ଗୁରବାର ମାଣବସା ପୂଜା କରିବେ ମାଆ । ଦୁଇ ରାତିର ଶୀତ ସାଙ୍ଗକୁ ବର୍ଷା କୋହଲା ପାଗରେ ଧାରଣା ଜାରି ରଖିଛନ୍ତି ମାଆ । ରଘୁପତି ରାଘବ ରାଜାରାମ ଗୀତ ଗାଇ ଆରମ୍ଭ କରିଥିଲେ ହକର ଲଢେଇ। ଦିନ ତମାମ ହୁଳହୁଳି, ନାରାବାଜିରେ କମ୍ପୁଛି ଧାରଣାସ୍ଥଳ। ମହିଳା ଉପ-ମୁଖ୍ଯମନ୍ତ୍ରୀ ଜଣେ ମାଆ ହୋଇ ମାଆମାନଙ୍କ ଦୁଃଖ ବୁଝିନାହାନ୍ତି । ବିଧାନସଭାରେ ପ୍ରତିକ୍ରିୟା ଦେଇ ରାସ୍ତାରେ ଗଡିବା କଥା କହି ତାତ୍ସଲ୍ଯ କରୁଛନ୍ତି। ମିଶନ ଶକ୍ତି ମାଆମାନେ ଦଳ ଦେଖୁ ନାହାନ୍ତି, ଏ ରାଜ୍ଯ ସରକାର ଦଳ ଦେଖୁଛି । ପୂର୍ବ ସରକାର ନିୟମିତ ଦରମା ଦେଉଥିଲେ, ଏ ସରକାର କାହିଁକି ୯ ମାସ ହେଲାଣି ଦରମା ଦେଉ ନାହାନ୍ତି । ଆମ ସମସ୍ଯା ସମାଧାନ କରିବା ସହିତ ସରକାର ସତ କୁହନ୍ତୁ ବୋଲି ମିଶନଶକ୍ତି ମାଆ ମାନେ ଦାବି କରିଛନ୍ତି।
ସେପେଟେ ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ । ମିଶନଶକ୍ତି ମାଆ ମାନଙ୍କ ପ୍ରାପ୍ଯ ଫେରାଇବା ନ୍ଯାୟ ସଙ୍ଗତ ବୋଲି କହି ମୋହନ ସରକାର ଓ ଉପ-ମୁଖ୍ଯମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ସେହିଭଳି ଏ ସରକାର ପାତର ଅନ୍ତର କରି ମହିଳାଙ୍କ ଦାବି ଶୁଣୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜୁ ଶ୍ରମିକ ସାମୁଖ୍ଯ ଅଧ୍ଯକ୍ଷ ସୁବାସ ସିଂହ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ ଚେତାବନୀ ଦେଇଛନ୍ତି।

ମିଶନ ଶକ୍ତି ମହିଳାଙ୍କ ଦରମା ବୃଦ୍ଧି ନେଇ ବିଧାନସଭାରେ ତୁମ୍ବିତୋଫାନ

ଭୁବନେଶ୍ବର :  ମିଶନ ଶକ୍ତି ମହିଳାଙ୍କ ଦରମା ବୃଦ୍ଧି ନେଇ ବିଧାନସଭାରେ ତୁମ୍ବିତୋଫାନ । ଦରମା ଦେବା ଦାବିରେ ଗୃହରେ ବିଜେଡିର ଗର୍ଜନ  । .ରଣେନ୍ଦ୍ର କହିଲେ ମିଶନ ଶକ୍ତିକୁ ବନ୍ଦ ପାଇଁ  ହୋଇଛି ଷଡଯନ୍ତ୍ର । ଅରୁଣ କହିଲେ ଉପ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପ୍ରତି ଅପଶବ୍ଦ ନକୁହନ୍ତୁ  । ବର୍ଷିଲା କଂଗ୍ରେସ୍, ଜବାବ ଦେଲେ ମନ୍ତ୍ରୀ  । ବିଜେପି ସରକାର ମିଶନ ଶକ୍ତିର ସିଆରପି,ଏମବିକେ, ବ୍ୟାଙ୍କ ମିତ୍ର, ପାଣି ମିତ୍ରଙ୍କ ୯ ମାସ ଦରମା ବନ୍ଦ କରିବାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଛି l ଏନେଇ ବିଜେଡି ମୁଲତବୀ ପ୍ରସ୍ତାବ ଦେଇ  ସରକାରଙ୍କୁ ସିଧା ନିଶାନା କରିଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ସେ କହିଛନ୍ତି ଯେ ସରକାର ଆସିବ ଯିବ କିନ୍ତୁ ସମସ୍ୟା ସମାଧାନ କରିବା ସରକାରଙ୍କ ଦାୟିତ୍ଵ। ଏମଏସପି ଆଉ ସୁଭଦ୍ରା ବିଜେପି ବର୍ତ୍ତମାନ ଦୁଇଟି ଗୋଡ଼ରେ ଠିଆ ହୋଇଛି। ଏମଏସପି ଭୁଶୁଡି ଗଲାଣି । ଆଉ ସୁଭଦ୍ରାରେ ସରକାର ଏକ୍ସପୋଜ ହୋଇ ସାରିଛନ୍ତି। ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଗତବର୍ଷ ମିଶନ ଶକ୍ତି ପାଇଁ ୩ ହଜାର ୪ କୋଟି ବଜେଟ ହୋଇଥିବା ବେଳେ ଏଥର ୨ ହଜାର ୭୦୦ କୋଟି ଟଙ୍କା ବଜେଟ ହୋଇଛି। ଡବଲ ଇଞ୍ଜିନ ସରକାର ଡବଲ ଷ୍ଟାଣ୍ଡାର୍ଡ। ମହାରାଷ୍ଟ୍ର, ହରିଆନା, ଛତିଶଗଡ଼ରେ ମହିଳାଙ୍କ ପାଇଁ ଅଧିକ ସୁବିଧା ଥିବା ବେଳେ ଓଡ଼ିଶାରେ ମାଆମାନଙ୍କୁ ଅବହେଳା କରାଯାଇଛି। ମାଆ ମାନେ ରାସ୍ତାରେ ବସିଛନ୍ତି। ତୁରନ୍ତ ସେମାନଙ୍କ ଦାବି ଉପରେ ଧ୍ୟାନ ଦିଆଯାଉ। ବିଜେଡି ବିଧାୟକ ଅରୁଣ ସାହୁଙ୍କ କହିଥିଲେ ଯେ ସବୁ ଦୋଷ ପୂର୍ବ ସରକାର କହିବା ଟ୍ୟାଗ୍ ଲାଇନ୍ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର । ଶୀତ କାକରରେ ହଜାର ହଜାର ମାଆ ମାନେ ରାଜରାସ୍ତାରେ ଅଛନ୍ତି । ସେଠାରେ ରାତ୍ରି ବି ଯାପନ କରୁଛନ୍ତି କିନ୍ତୁ ସରକାର ନୀରବ ଦ୍ରଷ୍ଟା ।

ସେପଟେ ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ ଓ ୩ଦିନ ଧରି ମହିଳାମାନେ ହକ ପାଇଁ ବିଧାନସଭା ଆଗରେ ଅହରାତ୍ରୀ ଧାରଣ ଦେବାକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସ ମଧ୍ୟ ବର୍ଷିଛି l ମୁଲତବୀ ଆଲୋଚନାରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୌସ ଅଭିଯୋଗ କରିଛନ୍ତି ଯେ ମିଶନ ଶକ୍ତି ମହିଳାଙ୍କୁ ନେଇ ପରସ୍ପରକୁ କେବଳ ଦୋଷାରୋପ କରାଯାଉଛି । ମିଶନ ଶକ୍ତି ମହିଳାମାନେ ସଶକ୍ତ ହେବାର ସ୍ଵପ୍ନ ଦେଖିଛନ୍ତି । ସ୍କୁଟି ଋଣ ନେଇଛନ୍ତି । ଏବେ ସ୍କୁଟି ଋଣ କେମିତି ସୁଝିବେ ଚିନ୍ତାରେ ପଡ଼ିଛନ୍ତି । ସେମାନେ ତିନି ଦିନ ହେଲା ବସିଲେଣି, ହେଲେ ପାଣି ଟୋପେ ବି ଦେଇ ନାହାନ୍ତି ରାଜ୍ୟ ସରକାର। ବୁଝା ପଡୁନାହିଁ, ସେମାନଙ୍କ ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ଅଟକାଉଛି । ଏପରିକି ମିଶନ ଶକ୍ତିର ହେଲ୍ପ ଲାଇନ ନମ୍ବର ବି କାମ କରୁନି ।  ସେପଟେ ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି l ସରକାର ମୁକ ହୋଇ ବସିବା ପୁରା ମିଛ କଥା । ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି, ସେମାନେ ମିଶନ ଶକ୍ତିର କମ୍ୟୁନିଟି ଷ୍ଟାଫ । ଯେଉଁ ମାନଙ୍କର ପାଂଚ ବର୍ଷ ଅବଧି ପୁରିଯାଇଛି । ସେମାନେ ଦରମା ପାଇ ସାରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି l

ଅଧାରୁ ବନ୍ଦ ହେଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ବର : ଅଧାରୁ ବନ୍ଦ ହୋଇଗଲା ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ରେ ସରିବାକୁ ଥିବା ବେଳେ ୧୬ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବି କରିଦିଆଗଲା । ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇଥିଲା ଶୀତ ଅଧିବେଶନ । ବିଧାନସଭାରେ ରାଜ୍ୟର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାକୁ ବାକି ଥିଲା । ରାଜରାସ୍ତାରେ ମିଶନ ଶକ୍ତି ମହିଳାମାନେ ଆନ୍ଦୋଳନ କରୁଛନ୍ତି । ସେମାନଙ୍କ ଦାବି ପୂରଣ ନେଇ ସରକାର କୌଣସି ବ୍ୟବସ୍ଥା କରିନାହାଁନ୍ତି । ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି । ହେଲେ ସରକାର ସେମାନଙ୍କୁ ହତାସ କରିଛନ୍ତି । ସେହିଭଳି ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧି ନେଇ ନେଇ ମଧ୍ୟ ଜନପ୍ରତିନିଧିମାନେ ଅନେକ ବସିଥିଲେ । ବିଧାୟକଙ୍କୁ ସରକାର ହତାସ କରିଛନ୍ତି । ଏମିତି ରାଜ୍ୟ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଇ ସରକାରୀ ଦଳ ବିଧାନସଭାକୁ ବନ୍ଦ କରିବାକୁ ପ୍ରସ୍ତାବ ଆଣିଥିଲା । ସରକାରୀ ଦଳ ଆଲୋଚନାକୁ ଭୟ କରି ବିଧାନସଭା ବନ୍ଦ କରିଦେଇଥିବା ବିଜେଡି ଅଭିଯୋଗ କରିଛି । ସୁଭଦ୍ରା ଯୋଜନା ହେଉ କି ଧାନ କିଣା ଅବ୍ୟବସ୍ଥା ସବୁଠି ବ୍ୟାକଫୁଟରେ ଥିଲେ ସରକାର । ସେଥିପାଇଁ ସରକାର ବିଧାନସଭାକୁ ଅଧାରୁ ବନ୍ଦ କରିଦେଇଥିବା ଅଭିଯୋଗ କରିଛି ବିଜେଡି । ସେପଟେ ବିଜେପି ବିଧାୟକ କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇଛି ଓ ସବୁ ଆଲୋଚନାର ସରକାର ଉତ୍ତର ରଖିଛନ୍ତି । ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନଥିବାରୁ ସରକାରଙ୍କ ଉପରେ ଦୋଷାରୋପ କରୁଥିବା ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ।