spot_img
Home Blog Page 1268

ଦୁନିଆରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ

ନନ୍ଦିଘୋଷ ବ୍ୟୁରୋ : ଦୁନିଆରେ ଅଧିକ ସଂଖ୍ୟାରେ ପୁରୁଷ ଆତ୍ମହତ୍ୟା କରୁଛନ୍ତି । WHOର ସୂଚନା ଅନୁସାରେ , ଦୁନିଆରେ ଲକ୍ଷେ ପୁରୁଷଙ୍କ ମଧ୍ୟରେ ଆତ୍ମହତ୍ୟା କରୁଥିବା ପୁରୁଷଙ୍କ ହାର ୧୨.୬ ରହିଥିବା ବେଳେ ଲକ୍ଷେ ମହିଳାଙ୍କ ମଧ୍ୟରେ ହାର  ୫.୪ ରହିଛି । NCRBର ୨୦୨୨ ମସିହାର ରିପୋର୍ଟ ଅନୁଯାୟୀ,  ଅତ୍ମହତ୍ୟା କରୁଥିବା ଲୋକଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ରହିଛି । ଏହା ପରେ ୧୮ରୁ ୩୦ ଓ ୪୫ରୁ ୬୦ ବର୍ଷର ଲୋକ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି ।

ବେଙ୍ଗାଲୁରୁର ଏକ କମ୍ପାନୀରେ ଏଆଇ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିବା ଅତୁଲ ସୁଭାଷ ମୋଦୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ପ୍ରାୟ୧ ଘଣ୍ଟା ୨୦ ମିନିଟର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ୨୪ ପୃଷ୍ଠାର ଏକ ଆତ୍ମହତ୍ୟା ନୋଟ୍ ମଧ୍ୟ ଲେଖାଯାଇଛି । ଏଥିରେ ସେ ତାଙ୍କ ପତ୍ନୀ ନିକିତା ସିଙ୍ଗାନିଆ ଏବଂ ତାଙ୍କ ପରିବାରକୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି ।

ଆତ୍ମହତ୍ୟା ନୋଟରେ ଅତୁଲ କହିଛନ୍ତି ଯେ ନିକିତା ଏବଂ ତାଙ୍କ ପରିବାର ସଦସ୍ୟ ତାଙ୍କ ବିରୋଧରେ ଘରୋଇ ହିଂସା, ହତ୍ୟା ଉଦ୍ୟମ, ଯୌତୁକ ନିର୍ଯାତନା ଭଳି ୯ଟି ମାମଲା ଦାୟର କରିଛନ୍ତି । ୨୦୧୯ରେ ଅତୁଲ ଏବଂ ନିକିତା ବିବାହ କରିଥିଲେ। ଅତୁଲ କହିଛନ୍ତି ଯେ ବିବାହ ପରଠାରୁ ନିକିତା ଏବଂ ତାଙ୍କ ପରିବାର କିଛି ବାହାନା କରି ତାଙ୍କଠାରୁ ଟଙ୍କା ମାଗୁଥିଲେ । ଭିଡିଓରେ ଅତୁଲ କହୁଛନ୍ତି, ମୁଁ ଆତ୍ମହତ୍ୟା କରିବା ଉଚିତ କାରଣ ମୁଁ ଯେଉଁ ଟଙ୍କା ରୋଜଗାର କରୁଛି ତାହା ମୋର ଶତ୍ରୁମାନଙ୍କୁ ଅଧିକ ଶକ୍ତିଶାଳୀ କରୁଛି । ମୋ ଟ୍ୟାକ୍ସରୁ ମିଳିଥିବା ଟଙ୍କା ସହିତ କୋର୍ଟ ଏବଂ ପୋଲିସ ବ୍ୟବସ୍ଥା ମୋତେ, ମୋ ପରିବାର ଏବଂ ଭଲ ଲୋକଙ୍କୁ ହଇରାଣ କରିବ । ତେଣୁ ପଇସା ପଠାଇବା ଏଠାରୁ ବନ୍ଦ ହେବା ଉଚିତ ।ଏହି ଘଟଣାର ବିଷୟରେ କହିବାକୁ ଗଲେ, ତାଙ୍କ ପତ୍ନୀ ଏବଂ ସମ୍ପର୍କୀୟଙ୍କ ଦ୍ବାରା ଅତୁଲଙ୍କ ବିରୋଧରେ ମିଥ୍ୟା ମାମଲା ଦାୟର କରାଯାଇଥିଲା । ଏହା ତାଙ୍କୁ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ କଲା । ଆତ୍ମହତ୍ୟା ଭଳି ଠୋସ୍ ପଦକ୍ଷେପ ନେବାରେ ଅତୁଲ ସୁଭାଷ ଏକା ନୁହଁନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ସାରା ବିଶ୍ୱରେ ପ୍ରତିବର୍ଷ ୭ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରନ୍ତି  । ସାରା ବିଶ୍ୱରେ ଆତ୍ମହତ୍ୟା ହେଉଛି ତୃତୀୟ ପ୍ରମୁଖ କାରଣ  । କେବଳ ଭାରତରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଛି ।

ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ଆତ୍ମହତ୍ୟା କରୁଛନ୍ତି

ଯଦି ଆମେ NCRB ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ, ଆତ୍ମହତ୍ୟା କରୁଥିବା ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ ଅଧିକ । ଦୁଇ ଦଶନ୍ଧିର ପରିସଂଖ୍ୟାନକୁ ଦେଖିଲେ, ଭାରତରେ ପ୍ରତି ୧୦ଟି ଆତ୍ମହତ୍ୟା ମଧ୍ୟରୁ ୬କିମ୍ବା୭ ଜଣ ପୁରୁଷ ଅଟନ୍ତି । ୨୦୦୧ ରୁ ୨୦୨୨ ମଧ୍ୟରେ, ପ୍ରତିବର୍ଷ ଆତ୍ମହତ୍ୟା କରୁଥିବା ମହିଳାଙ୍କ ସଂଖ୍ୟା ୪୦ ରୁ ୪୮ ହଜାର ମଧ୍ୟରେ ରହିଥିଲା। ଯେତେବେଳେ କି, ଆତ୍ମହତ୍ୟା କରୁଥିବା ପୁରୁଷଙ୍କ ସଂଖ୍ୟା ୬୬ ହଜାରରୁ ଏକ ଲକ୍ଷକୁ ବୃଦ୍ଧି ପାଇଛି । ୨୦୨୨ ମସିହାରେ ୧.୭୦ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରିଥିଲେ, ଯେଉଁଥିରୁ ୧.୨୨ ଲକ୍ଷରୁ ଅଧିକ ପୁରୁଷ ଥିଲେ । ଏହାର ଅର୍ଥ ହେଉଛି ପ୍ରତିଦିନ ହାରାହାରି ୩୩୬ ପୁରୁଷ ଆତ୍ମହତ୍ୟା କରନ୍ତି । ଏହି ରିପୋର୍ଟ ଅନୁଯାୟୀ, ସାଢେ ୪ ମିନିଟରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି ।

କେବଳ ଭାରତରେ ନୁହେଁ, ସାରା ବିଶ୍ୱରେପୁରୁଷମାନେ ଅଧିକ ଆତ୍ମହତ୍ୟା କରନ୍ତି । WHO ଅନୁଯାୟୀ, ବିଶ୍ବର ପ୍ରତି ଏକ ଲକ୍ଷ ପୁରୁଷଙ୍କ ମଧ୍ୟରୁ ୧୨.୬ ଜଣ ଆତ୍ମହତ୍ୟା କରନ୍ତି । ପ୍ରତ୍ୟେକ ଲକ୍ଷ ମହିଳାଙ୍କ ମଧ୍ୟରେ ୫.୪ ଅଟେ ।

NCRB ର ୨୦୨୨ ରିପୋର୍ଟରେ ଦର୍ଶାଯାଇଛି ଯେ, ୩୦ ରୁ ୪୫ ବର୍ଷ ବୟସର ଲୋକମାନେ ଆତ୍ମହତ୍ୟା କରିବାର ସମ୍ଭାବନା ଅଧିକ  । ଏହା ପରେ, ୧୮ ରୁ ୩୦ ବର୍ଷ ବୟସ ମଧ୍ୟରେ ଏବଂ ୪୫ ରୁ ୬୦ ବର୍ଷ ମଧ୍ୟରେ ଅଧିକ ବ୍ୟକ୍ତି ଆତ୍ମହତ୍ୟା କରନ୍ତି ।

ଗତ ବର୍ଷ ୩୦ ରୁ ୪୫ ବର୍ଷ ବୟସର ୫୪ ହଜାର ୩୫୧ ଲୋକ ଆତ୍ମହତ୍ୟା କରିଥିଲେ । ସେଥିମଧ୍ୟରୁ ପ୍ରାୟ ୭୭ ପ୍ରତିଶତ ପୁରୁଷ ଥିଲେ। ସେହିଭଳି ୧୮ ରୁ ୩୦ ବର୍ଷ ବୟସର ୫୯ ହଜାର ୧୦୯ ଲୋକ ଆତ୍ମହତ୍ୟା କରିଛନ୍ତି । ଯେଉଁଥିରୁ ୬୫ ପ୍ରତିଶତ ପୁରୁଷ। ଏଥି ସହିତ, ୪୫ ରୁ୬୦ ବର୍ଷ ବୟସର ୩୧ ହଜାର ୯୨୧ ଜଣଙ୍କ ମଧ୍ୟରୁ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮୨ ପ୍ରତିଶତରୁ ଅଧିକ ପୁରୁଷ ଥିଲେ । ସମାନ ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଆତ୍ମହତ୍ୟା କରୁଥିବା ଅଧିକାଂଶ ଲୋକ ବିବାହିତ। ଗତ ବର୍ଷ ୧ ଲକ୍ଷ ୧୪ ହଜାର ୪୮୫ ବିବାହିତ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ୭୪ ପ୍ରତିଶତ ପୁରୁଷ ଥିଲେ।

ଆତ୍ମହତ୍ୟାର କାରଣ କ’ଣ?

ଆତ୍ମହତ୍ୟା କରିବାର ପ୍ରତ୍ୟେକ ବ୍ୟକ୍ତିଙ୍କର ଭିନ୍ନ କାରଣ ରହିଛି  । ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ଉଦାସୀନତା ଏବଂ ଚାପ ଯୋଗୁଁ ଆତ୍ମହତ୍ୟା ବଢୁଛି । ବେଳେବେଳେ ଏକ ମେଡିକାଲ କାରଣ ମଧ୍ୟ ଥାଏ । ଏହା ବ୍ୟତୀତ, ଯେତେବେଳେ ଜଣେ ବ୍ୟକ୍ତି ତାଙ୍କ ସମସ୍ୟାରୁ ମୁକ୍ତି ପାଇବ ନାହିଁ, ସେତେବେଳେ ସେ ମଧ୍ୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ ।

NCRB ନିଜ ରିପୋର୍ଟରେ ଆତ୍ମହତ୍ୟାର କାରଣ ବିଷୟରେ ମଧ୍ୟ କହିଛି । ଏହି ରିପୋର୍ଟ ଅନୁଯାୟୀ,  କରିବାରିକ ସମସ୍ୟା, ରୋଗ(ଏଡସ୍, କର୍କଟ ଇତ୍ୟାଦି) କାରଣରୁ ଲୋକମାନେ ପ୍ରାୟତଃ ଆତ୍ମହତ୍ୟା କରନ୍ତି । ଗତବର୍ଷ ପାରିବାରିକ ସମସ୍ୟା କରଣରୁ ୩୨ ପ୍ରତିଶତ  ଏବଂ ଅସୁସ୍ଥତା କାରଣରୁ ୧୯ ପ୍ରତିଶତ ଆତ୍ମହତ୍ୟା କରିଥିଲେ । ୨୦୨୨ ମସିହାରେ ବିବାହ ସମ୍ବନ୍ଦୀୟ ସମସ୍ୟା କରଣରୁ ୮ ହଜାର ୧୬୪ ଲୋକ ଆତ୍ମହତ୍ୟା କରିଥିଲେ । ସେଥିମଧ୍ୟରୁ ୫୨ ପ୍ରତିଶତ ପୁରୁଷ ଥିଲେ ।

୨୦୨୧ ମସିହାରେ ଏକ ଅଧ୍ୟୟନ କରାଯାଇଥିଲା । ଯେଉଁଥିରେ ମହିଳାଙ୍କ ତୁଳନାରେ ଅଧିକ ପୁରୁଷମାନେ ଅତ୍ମହତ୍ୟା କରନ୍ତି ତାହା ଜାଣିବାକୁ ଚେଷ୍ଟା କରାଯାଇଥିଲା । ଏହି ଅଧ୍ୟୟନରୁ ଜଣାପଡିଲା ଯେ, ପୁରୁଷମାନଙ୍କୁ ପ୍ରାୟତଃ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ । ଏହି କାରଣରୁ ସେମାନେ ନିଜର ସମ୍ବେଦନଶୀଳ ଭାବନାକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିବାକୁ ସକ୍ଷମ ନୁହଁନ୍ତି । ତେଣୁ ଶେଷରେ ସେମାନେ କ୍ଲାନ୍ତ ହୋଇ ଆତ୍ମହତ୍ୟା କରନ୍ତି ।

୨୦୨୩ ପୁରୁଷମାନଙ୍କ ମଧ୍ୟରେ ଆତ୍ମହତ୍ୟାକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନରୁ ଜଣାପଡିଛି ଯେ, ବେକାରୀ କାରଣରୁ ପୁରୁଷମାନଙ୍କ ଆତ୍ମହତ୍ୟା ଆଶଙ୍କା ବଢିଥାଏ । କାରଣ ସେମାନେ ଅନୁଭବ କରନ୍ତି ଯେ, ସମାଜ ଏବଂ ପରିବାର ସେମାନଙ୍କଠାରୁ ଯାହା ଆଶା କରନ୍ତି ତାହା ପୂରଣ କରିବାରେ ସେମାନେ ସକ୍ଷମ ନୁହଁନ୍ତି। ଏସବୁ ବ୍ୟତୀତ ମଦ୍ୟପାନ ଏବଂ ନିଶା ସେବନ ମଧ୍ୟ ପୁରୁଷମାନଙ୍କଠାରେ ଆତ୍ମହତ୍ୟା କରିବାର କାରଣ ବୋଲି ବିବେଚନା କରାଯାଏ, କାରଣ ମଦ୍ୟପାନ ଆତ୍ମହତ୍ୟା ବଢାଇଥାଏ ।

 ଆତ୍ମହତ୍ୟା ଉଦ୍ୟମ ଏକ ଅପରାଧ କି?

ଆତ୍ମହତ୍ୟା ଉଦ୍ୟମ ଅପରାଧ କି ନୁହେଁ ସେ ବିଷୟରେ ଅନେକ ସମୟରେ ବିତର୍କ ଚାଲିଥାଏ? ତେଣୁ ଉତ୍ତର ହେଉଛି- ଏହା ପୂର୍ବରୁ ହଁ ଥିଲା କିନ୍ତୁ ବର୍ତ୍ତମାନ ନା । ଆତ୍ମହତ୍ୟା ଉଦ୍ୟମ ଆଇପିସିରେ ଏକ ଅପରାଧ ଥିଲା । କିନ୍ତୁ ଭାରତୀୟ ନ୍ୟାୟ ସଂହିତାରେ ସେପରି କୌଣସି ବ୍ୟବସ୍ଥା ନାହିଁ । ତଥାପି, ଏଥିରେ ଧାରା ୨୨୪ ଅଛି, ଯେଉଁଥିରେ କୁହାଯାଇଛି ଯେ, ଯେକେହି ଜଣେ ସରକାରୀ କର୍ମଚାରୀଙ୍କୁ କାମ କରିବାକୁ ବାରଣ କରିବା କିମ୍ବା ରୋକିବା ଉଦ୍ଦେଶ୍ୟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରନ୍ତି, ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ଜୋରିମାନା କରାଯାଇପାରେ ।

ତଥାପି, ଆତ୍ମହତ୍ୟା ଏକ ଗମ୍ଭୀର ମାନସିକ ଏବଂ ସାମାଜିକ ସମସ୍ୟା  ।ଯଦି ଆପଣଙ୍କର ମଧ୍ୟ କିଛି ଅସୁବିଧା ଅଛି ତେବେ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସହ କଥା ହୁଅନ୍ତୁ କିମ୍ବା ଡାକ୍ତରୀ ପରାମର୍ଶ ନିଅନ୍ତୁ  । ଯଦି ସଠିକ୍ ସମୟରେ ଉପଯୁକ୍ତ ପରାମର୍ଶ ନିଆଯାଏ, ତେବେ ଏହାକୁ ବହୁ ପରିମାଣରେ ରୋକାଯାଇପାରିବ ।

୬ ମାସ ପରେ ଗାଡ଼କଣ ଅଳିଆ ଗଦାରେ ପଡ଼ିଲା ନଗର ଉନ୍ନୟନ ମନ୍ତ୍ରୀଙ୍କ ପାଦ

ଭୁବନେଶ୍ବର : ଗାଡକଣ ସୈନିକ ସ୍କୁଲ ପରିସରରେ ଅଳିଆ ଗଦା ପାଇଁ ଗତବର୍ଷ ଡିସେମ୍ବର ମାସରେ ମାସେ କାଳ ସତ୍ୟାଗ୍ରହରେ ବସିଲେ । ପୂର୍ବ ସରକାର ଉପରେ ବର୍ଷିଲେ । ୨୪ ଘଣ୍ଟା ମଧ୍ୟରେ ଅଳିଆ ଗଦା ବନ୍ଦ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଲେ । କିନ୍ତୁ ସରକାର ଆସିବା ପରେ ପୁରା ଭୁଲିଗଲେ । ୨୪ ଘଣ୍ଟା ବଦଳରେ ୬ ମାସ ହେଲାଣି, କିନ୍ତୁ ସରକାର ଅଳିଆ ଗଦା ବନ୍ଦ କରିବା ବଦଳରେ ଏହାର ପରିସରକୁ ବଢ଼ାଇ ଚାଲିଛନ୍ତି । ଏପରିକି ସରକାର ହେବାର ୬ ମାସ ପରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଏଠାରେ ପାଦ ପଡିଛି । ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀ, ବିଏମସି ମେୟର ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ଲୋକେ ଏପରିକି ବିଜେପି ନେତା ମଧ୍ୟ ମନ୍ତ୍ରୀଙ୍କୁ ନିଜ ପ୍ରତିଶ୍ରୁତି ପାଳନ କଥା ମନେ ପକାଇ ଦେଇଛନ୍ତି ।

ଅଳିଆ ଗଦା ଦ୍ୱାରା ସୈନିକ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ବହୁ ଅଞ୍ଚଳର ଲୋକେ ଦୂର୍ଗନ୍ଧରେ ରହିପାରୁ ନାହାନ୍ତି । ମନ୍ତ୍ରୀଙ୍କ ଆଗରେ ଲୋକେ ଅଭିଯୋଗ କରିବା ପରେ ମନ୍ତ୍ରୀ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ମାସେ ମଧ୍ୟରେ ଗଛିତ ଅଳିଆର ପ୍ରିସେସିଂ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ କରି ସମାଧାନ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱର କଟକରେ ଏସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ ହେବ ବୋଲି କହିବା ସହ ଇଣ୍ଡିଆନ ଅଏଲ ସହ ଏଗ୍ରିମେଣ୍ଟ ହୋଇଛି । ୱେଷ୍ଟରୁ ଏନର୍ଜୀ ବାହାର କରିବା ସହ ସ୍ଥାୟୀ ସମାଧାନ ବ୍ୟବସ୍ଥା ହେବ । ପୁନେ, ଦିଲ୍ଲୀରେ ଯେଉଁଭଳି ହୋଇଛି ସେଠିକି ଯାଇ ଅନୁଧ୍ୟାନ କରି ସେଭଳି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ପର୍ବପର୍ବାଣୀକୁ ନେଇ ସବୁ ପଞ୍ଜିକା ଓ କ୍ୟାଲେଣ୍ଡରରେ ମିଳିବ ସମାନ ତଥ୍ୟ

ପୁରୀ : ପର୍ବପର୍ବାଣୀକୁ ନେଇ ସବୁ ପାଞ୍ଜିରେ ରହିବ ସମାନ ତଥ୍ୟ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଞ୍ଜିକା ସମନ୍ବୟ ବୈଠକ । ପଞ୍ଜିକାର, ପୂଜାପଣ୍ଡା ଓ ମୁକ୍ତି ମଣ୍ଡପ ପଣ୍ଡିତଙ୍କୁ ନେଇ ଆଲୋଚନା । ବିଗତ କିଛି ବର୍ଷ ମଧ୍ୟରେ ପଞ୍ଜିକା ଓ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବାରୁ ଦେଖାଦେଇଛି ଅସନ୍ତୋଷ । ସମନ୍ୱୟ ଅଭାବରୁ ଏପରି ସମସ୍ୟା ଉପୁଜୁଥିବା କୁହାଯାଇଥିବାବେଳେ ସୁଧାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅକ୍ଟୋବର ୨୦ ତାରିଖ ସୁଦ୍ଧା ୮ ଟି ପଞ୍ଜିକାରଙ୍କୁ ସେମାନଙ୍କ ପାଣ୍ଡୁଲିପି ଦାଖଲ ପାଇଁ ନିବେଦନ କରାଯାଇଥିଲା । ପରବର୍ତୀ ସମୟରେ ନଭେମ୍ବର ୧୪ ତାରିଖରୁ ଧାର୍ଯ୍ଯ କରାଯାଇଥିଲା । ଇତି ମଧ୍ୟରେ ୫ ଟି ସଂସ୍ଥା ସେମାନଙ୍କ ପାଣ୍ଡୁଲିପି ଦାଖଲ କରିଛନ୍ତି । ସେଗୁଡିକୁ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଦ୍ୱାରା ସଂଶୋଦିତ କରାଯାଇଛି। ତେବେ ବାକି ପାଣ୍ଡୁଲିପି ଗୁଡିକର ସଂଶୋଧନ ପାଇଁ ଜାନୁଆରୀ ପ୍ରଥମ ସପ୍ତାହରେ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତ୍ରୁଟି ଶୂନ୍ୟ ପଞ୍ଜିକା ପ୍ରସ୍ତୁତ ନେଇ ନିଆଯାଇଥିବା  ଏଭଳି ପଦକ୍ଷେପକୁ ସେବାୟତ ଓ ପଞ୍ଜିକାର ମାନେ ସ୍ବାଗତ କରିଛନ୍ତି । ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ମତ ସାଧାରଣ ଲୋକଙ୍କ ମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବାରୁ ଏଭଳି ସମନ୍ୱୟ ବୈଠକର ଆବଶ୍ୟକତା ରହିଥିଲା । ଯେଉଁ ପଞ୍ଜିକାର ମାନେ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମୋଦନରେ ପଞ୍ଜିକା ବା କ୍ୟାଲେଣ୍ଡର ପ୍ରସ୍ତୁତ ନକରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟଅନୁଷ୍ଠାନ ନେବା ନେଇ ପୂଜାପଣ୍ଡା ନିଯୋଗ ମତ ଦେଇଛି । ସମନ୍ୱୟ ଭିତ୍ତିରେ ପଞ୍ଜିକା ଓ କ୍ୟାଲେଣ୍ଡର ପ୍ରସ୍ତୁତ ହେଲେ ପର୍ବପର୍ବାଣୀ ଓ ଯାନିଯାତ୍ରାରେ ମତଭେଦ ଦୂର କରିବେ ବୋଲି ଆଶା କରାଯାଉଛି ।

ପୁଅ ଆଗରେ ବାପାଙ୍କୁ ହତ୍ୟା, ଜଣକୁ ଗିରଫ କରି ତଦନ୍ତ କରୁଛି ପୋଲିସ

କଟକ : ପୁଅ ଆଗରେ ବାପାଙ୍କୁ ନିର୍ମମ ହତ୍ଯା । ଇଟା ପଥରେ ମୁଣ୍ଡକୁ ଛେଚି ହତ୍ଯା କଲେ ଦୁର୍ବୃତ୍ତ । ସଂଘବଦ୍ଧ ଆକ୍ରମଣରେ ଶ୍ରମିକଙ୍କ ମୃତ୍ୟୁ । ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ । ମୃତକ ହେଲେ କେନ୍ଦ୍ରାପଡ଼ାର ତୋଫାନ ସାମଲ । ତୋଫାନ ଓଲଡିଂ କାରିଗର ଭାବେ କାମ କରଥିବାବଳେ ପରିବାର ସହ ୧୨ ବର୍ଷ ହେଲା କଟକ ବାରଙ୍ଗ ତ୍ରିଶୁଳିଆ ନିକଟରେ ଏକ ଆଜବେଷ୍ଟସ ଘରେ ଭଡ଼ାରେ ରହୁଥିଲେ । ତେବେ ନିକଟରେ ନିମ୍ନ ମଧ୍ୟବିତ୍ତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଆପାର୍ଟମେଣ୍ଟରେ ରହୁଥିବା କିଛି ଲୋକଙ୍କ ସହ ତାଙ୍କର ପୂର୍ବ ଶତୃତା ଥିଲା । ତୋଫାନଙ୍କ ଘର ଉପରକୁ ବିଭିନ୍ନ ସମୟରେ ଇଟା, ଅଳିଆ ଫିଙ୍ଗିବା ସହ ପାଟିତୁଣ୍ଡ ବି କରୁଥିଲେ । ମଙ୍ଗଳବାର ରାତିରେ  ତୋଫାନ ପ୍ରତିବାଦ କରିବାରୁ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ୧୫ ରୁ ୨୦ ପୁରୁଷ ଓ ମହିଳା ତାଙ୍କ ଘରକୁ ଆସି ଇଟାପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୧୫ ବର୍ଷର ପୁଅ ପ୍ରତିବାଦ କରିବାକୁ ତାକୁ ମଧ୍ଯ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତୋଫାନଙ୍କୁ ଏସସିବି ଅଣାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ପୁଅ ଆଗରେ ପିଟିପିଟି ବାପାଙ୍କୁ ହତ୍ଯା କରିଥିଲେ ଦୁର୍ବୃତ୍ତ । ଏନେଇ ବାରଙ୍ଗ ଥାନାରେ ଏତଲା ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି । ମାମଲାରେ ଜଣକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଆକ୍ରମଣକାରୀ ଫେରାଇ ହୋଇ ଯାଇଛନ୍ତି । ପୋଲିସ କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚୁରା କରି ଓ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ।ପୂର୍ବ ଶତୃତା ହେଉ ବା ବଚସା, ପରିବାର ସମ୍ମୁଖରେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିବା ଘଟଣା ଏବେ ତ୍ରିଶୂଳିଆ ଅଂଚଳରେ ଏବେ ଆଇନଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

ସମ୍ବଲପୁର : ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଗୋଟିଏ ପରୀକ୍ଷାକୁ ଦୁଇ ଦୁଇଥର କରିବା ପରେ ପୁଣି ପରୀକ୍ଷା ପାଇଁ ନିଷ୍ପତ୍ତି । ପ୍ରତିବାଦରେ ଗେଟରେ ତାଲା ପଗାଇଲେ ଛାତ୍ରଛାତ୍ରୀ । ପ୍ରଶାସନର ଭୁଲ ନିଷ୍ପତ୍ତି ବିରୋଧରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଦେଖିବାକୁ ମିଳିଛି ଛାତ୍ର ଅଶାନ୍ତି । ଇଂରାଜୀ ପେପର ଲିକ୍ ପ୍ରତିବାଦରେ ଶହ ଶହ ଛାତ୍ର ଛାତ୍ରୀ ଗେଟରେ ତାଲା ପକାଇ ଦେଲେ ଧାରଣା । ଗତ ୩ ତାରିଖରେ ବିବିଏ ଇଂରାଜୀ ପେପରରେ ଯେଉଁ ପ୍ରଶ୍ନ ପତ୍ର ଆସିଥିଲା ତାହା ପୁଣି ୪ ତାରିଖରେ ଯୁକ୍ତ ତିନି ବିଜ୍ଞାନ ଓ କଳା ପାଇଁ ସମାନ ପ୍ରଶ୍ନ ପତ୍ର ଆସିଥିଲା । ଯାହାକୁ ସେହି ସମୟରେ ବିରୋଧ କରିଥିଲେ ଛାତ୍ରଛାତ୍ରୀ ।  କିନ୍ତୁ ଏବେ ସେହି ପରୀକ୍ଷାକୁ ପୁଣିଥରେ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବାବେଳେ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ।

ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଘଟଣାକୁ ନେଇ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ଦେଇ ସାରିବା ପରେ ବାରମ୍ବାର ପରୀକ୍ଷା ଦେବେ ନାହିଁ ବୋଲି ଦାବି କରିଛନ୍ତି । ବିଶ୍ଵବିଦ୍ୟାଳୟର ଭୁଲ ଯୋଗୁ ତାଙ୍କର ସମୟ ନଷ୍ଟ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏପରି ଘଟିଥିବା ଛାତ୍ରଛାତ୍ରୀ କହିଛନ୍ତି । ସେପଟେ  ଏନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ମଧ୍ଯ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ରାଜଧାନୀ ଏୟାରଫିଲ୍ଡ ଥାନା ବୀରବନ୍ଧ ଗାଁରେ ହତ୍ୟାକାଣ୍ଡ, ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ

ଭୁବନେଶ୍ବର : ସମଲିଙ୍ଗୀ ସମ୍ପର୍କ ହେଲା କାଳ ! ଅପ୍ରାକୃତିକ ଯୌନ ସମ୍ପର୍କ ନେଲା ଜୀବନ ! କ୍ରାଇମ ସ୍ପଟରୁ ମିଳିଲା ଆପତ୍ତିଜନକ ସାମଗ୍ରୀ । ଖସିଯିବା ବେଳେ ଅଭିଯୁକ୍ତକୁ କାବୁ କଲା ଏୟାରଫିଲଡ଼ ପୋଲିସ । ଇଏ ହେଉଛି ରାଜଧାନୀ ଉପକଣ୍ଠ ଏୟାରଫିଲଡ଼ ଥାନା ଅନ୍ତର୍ଗତ ବିରବନ୍ଧ ଗାଁ । ପୁରା ଗାଁ ଶୂନଶାନ । କାରଣ ପୂର୍ବତନ ସରପଞ୍ଚ ବାଉରୀବନ୍ଧୁ ବେହେରାଙ୍କ ମୃତ୍ୟୁ ଘଟିଛି । ବାଉରୀବନ୍ଧୁଙ୍କ ନାତିର ଥିଲା ଜନ୍ମଦିନ । ସେଥିପାଇଁ କାଲିଠାରୁ ଘରେ ଖୁସିର ମାହୋଲ ଥିବା ବେଳେ ଭୋରରୁ ଖେଳିଯାଇଥିଲା ଶୋକର ଛାୟା । ସୂର୍ଯ୍ୟ ଉଦୟ ବେଳକୁ ଘର ମୁରବୀଙ୍କ ମୃତଦେହ ଗାଁ ଦାଣ୍ଡରେ ଦେଖି ସମସ୍ତେ ହୋଇଯାଇଥିଲେ ହତବାକ । ମୃତକଙ୍କ ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ । ଖବର ପାଇ ଏୟାରଫିଲଡ଼ ଥାନା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

ବାଉରୀଙ୍କ ହତ୍ୟା ପଛର କାରଣ ଖୋଜିବାକୁ ଘଟଣାସ୍ଥଳରେ ସାଇଣ୍ଟିଫିକ ସହ ପହଞ୍ଚିଥିଲେ ସ୍ଥାନୀୟ ଏସିପି । ଜଣଙ୍କୁ କାବୁ କରିବା ସହ କ୍ରାଇମ ସ୍ପଟ ଭେରିଫିକେସନ ବେଳେ ପୋଲିସ ପାଇଛି କିଛି ଆପତ୍ତିଜନକ ସାମଗ୍ରୀ । ସମଲିଙ୍ଗୀ ଯୌନ ସଂପର୍କ ନେଇ ମିଳିଛି ପ୍ରମାଣ । ମୃତକ ଓ ଅଭିଯୁକ୍ତର ଦ୍ବୟ ବାରଣ ସତ୍ତ୍ୱେ ମଧ୍ୟ ଲୁଚିଛପି ଏକାଠି ହେଉଥିବା କଥା ପୋଲିସ ଆଗରେ ବୟାନ ଦେଇଛନ୍ତି ଗ୍ରାମବାସୀ । ତେବେ ଏକଥାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ପରିବାର ଲୋକେ । ଅଭିଯୁକ୍ତ ଜଣଙ୍କ ଅତ୍ୟଧିକ ମଦ୍ୟପାନ କରି ପୂର୍ବ ଶତ୍ରୁତାରୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବୋହୂ । ଘଟଣା ଘଟିବା ମାତ୍ରେ ଅଭିଯୁକ୍ତଙ୍କୁ ତୁରନ୍ତ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ ଡିସିପି । ଯଦି ଆଉ କୌଣସି ଲୋକର ଏଥିରେ ସମ୍ପୃକ୍ତି ଥିବ ତେବେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଡିସିପି ।

ସଠିକ ସମୟରେ ମିଳିଲାନି ସରକାରୀ ସହାୟତା, ଚିକିତ୍ସା ଅଭାବରୁ ଚାଲିଗଲା ଜୀବନ

ସୋର : କେତେବେଳେ ଯେ କାହା ସୁଖର ସଂସାର ଉପରେ କଳା ପାହାଡ ମାଡି ଆସିବ ତାହା କେହି କହିପାରିବେ ନାହିଁ । ଯେମିତି ଏକ ଦୁଃଖର ପାହାଡ ଏବେ ଛିଣ୍ଡି ପଡିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡି ଗାଁର ଗଣେଶ ଦାସଙ୍କ ପରିବାର ଉପରେ । ଗଣେଷଙ୍କ ବଡ ପୁଅ ମିଥୁନଙ୍କ ଉପରେ ପୂରା ପରିବାର ନିର୍ଭର କରୁଥିଲା । ମିଥୁନ ୧୬ ମାସ ହେବ ମମତାକୁ ବିବାହ କରିଥିଲେ l ବିବାହର କିଛି ଦିନ ପରେ ମିଥୁନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ମିଥୁନଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଜମିବାଡି ସମେତ ସୁନା ଅଳଙ୍କାର ବିକ୍ରି କରି ସର୍ବଶାନ୍ତ ହେଲାପରେ ବି ମିଥୁନ ଭଲ ହୋଇନଥିଲେ । ଅଧିକ ଚିକିତ୍ସା ପାଇଁ ମୋହନ ସରକାରଙ୍କ ପାଖରେ ଆର୍ଥିକ ସହାୟତା ଲୋଡିଥିଲେ ପରିବାର ଲୋକେ । ଯୁବ ସାମାଜିକ କର୍ମୀଙ୍କ ସାହାର୍ଯ୍ଯରେ ୨ ନଭେମ୍ବର ୨୦୨୪ରେ ଜିଲ୍ଲାପାଳ, ସିମୁଳିଆ ବିଡ଼ିଓ ଓ ତହସିଲଦାରଙ୍କୁ ପତ୍ର ଓ ଟୁଇଟ ମାଧ୍ୟମରେ ଜଣାଇଥିଲେ l ହେଲେ ଦୁଃଖର ବିଷୟ ମୁଖ୍ଯମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଚଳିତ ଡିସେମ୍ବର ମାସ ୫ ତାରିଖରେ ମିଥୁନଙ୍କ ବ୍ୟାଙ୍କ ଖାତାକୁ ୫ହଜାର ଟଙ୍କା ଆସିଥିଲା  l ସେତେବେଳେକୁ ଚିକିତ୍ସା ଅଭାବରୁ ଗତମାସ ୩୦ ତାରିଖରେ ମିଥୁନଙ୍କ ମୃତ୍ଯୁ ହୋଇସାରିଥିଲା ।

ଚିକିତ୍ସା ପାଇଁ ସରକାର ଦେଇଥିବା ଅର୍ଥ ମିଥୁନଙ୍କ ଚିକିତ୍ସା ବଦଳରେ ତାଙ୍କ ଶୁଦ୍ଧିକ୍ରିୟାରେ ଲାଗିଲା । ସରକାରଙ୍କର ଯେଉଁ ରିଲିଫ ଫଣ୍ଡ ଅଛି ଯଦି ଠିକ ସମୟରେ ତଦନ୍ତ କରି ସହାୟତା ପ୍ରଦାନ କରନ୍ତି ତାହାଲେ ସାଧାରଣ ଲୋକମାନେ ଉପକୃତ ହୋଇପାରନ୍ତେ ବୋଲି ସ୍ଵେଚ୍ଛାସେବୀ କହିଛନ୍ତି ।

ଗାଁର କୌଣସି ଘରେ ନାହିଁ କବାଟ, କୁକୁରଙ୍କ ପାଇଁ ଲାଗିଛି ତାଟି

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଶିଆଳିଆ ଗାଁ । ଗାଁର କୌଣସି ଘରେ ନାହିଁ କବାଟ । ଆଉ ଏହି କବାଟ ନଥିବା ପରମ୍ପରା ଏବେକାର ନୁହେଁ କାହିଁ କେଉଁ କାଳରୁ ଏହି ଗାଁରେ ପ୍ରଚଳିତ । ଏହାର କାରଣ, ବିଶ୍ଵାସ ରହିଛି ଗାଁର ସୁରକ୍ଷା ଗ୍ରାମଦେବତୀ ମା ଖରାଖାଇ କରିଥାନ୍ତି  l କିମ୍ବଦନ୍ତୀ କହେ ଗାଁର ଗ୍ରାମଦେବତୀ କବାଟକୁ ଡେରି ହୋଇ ଏକ ଶବ ଉପରେ ଦଣ୍ଡାୟମାନ କରିଥିବା ଆଉ ସେହି ଶବକୁ ଗୋଟେ ପଟୁ କୁକୁର ଆଉ ଅନ୍ୟପଟୁ ଶିଆଳ ଟାଣୁଥିବାର ଦୃଶ୍ୟ ଲାଗି ଏହି ଗାଁକୁ ଶବାଳୟ , ଶିବାଳୟା ଆଉ ପରେ ଅପଭ୍ରଂଶ କରି ଶିଆଳିଆ ନାଁ ଦିଆଯାଇଛି  l ଯୁଗ ସହ ତାଳ ଦେଇ ଗାଁର ଚାଳଛପର ଘର ସବୁ କୋଠାଘରରେ ପରିଣତ ହୋଇଛି ସତ କିନ୍ତୁ ଗାଁର କବାଟ ନଥିବା ପରମ୍ପରା ଏବେବି ଜାରି ରହିଛି । କେବଳ କୁକୁର ଆଉ ଶିଆଳ ଘରକୁ ନ ପଶିବା ଲାଗି ଘର ଆଗରେ ବାଉଁଶ ତାଟି କିମ୍ବା ଗ୍ରିଲ୍ ଲାଗିଛି ।  କିନ୍ତୁ ଗାଁର ଏବେବି କୌଣସି ଘରେ କବାଟ ଲାଗୁନାହିଁ କି କୌଣସି ଚୋରି ମାମଲା ଥାନାକୁ ଯାଇନାହିଁ l

ଶିଆଳିଆ ଗାଁ ପାଖରେ କନିକା ରାଜପ୍ରସାଦ, ଗିରିୟା ମଠ, ସୁଦାମ ବାଇ ପୀଠ ଭଳି ଏନେକ ପର୍ଯ୍ଯଟନସ୍ଥଳୀ ରହିଛି । ଶିଆଳିଆ ଗାଁର ଏହି ଅଦ୍ଭୁତ ପରମ୍ପରା ଦେଖିବା ପାଇଁ ଅନେକ ପର୍ଯ୍ଯଟକ ଏଠାକୁ ଆସିଥାନ୍ତି । ତେଣୁ ଏହି ଗାଁକୁ ରାଜ୍ଯ ସରକାର ପର୍ଯ୍ଯଟନସ୍ଥଳୀ ମାନ୍ଯତା ପ୍ରଦାନ କରିବାକୁ ଦାବି ଜୋର ଧରିଛି । କବାଟ ନ ଥିବା ଗାଁ ଶିଆଳିଆକୁ କେବେ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିବ ତାହା ଦେଖିବାକୁ ବାକି ରହିଲା ।

ଅଭିଯୋଗର ୫ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ, ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ମଣ୍ଡଳ ଗାଁର ଅନନ୍ତ ପେଡ଼ି ପ୍ରୋସେସିଂ ମିଲରେ ୫ ଶହରୁ ଅଧିକ କୁଇଣ୍ଟାଲ ଧାନ ଗଚ୍ଛିତ ଥିବା ନେଇ ଅଭିଯୋଗ ହୋଇଥିଲା । ଗତ ୬ ତାରିଖରେ ଭାରତୀୟ କିଷାନ ୟୁନିଅନ ପକ୍ଷରୁ ଭିଡିଓ ଜାରି କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରାଯାଇଥିଲା  । ହେଲେ ଜିଲ୍ଲା ପ୍ରଶାସନ ୫ ଦିନ ପରେ କୌଣସି ପଦକ୍ଷେପ ଗ୍ରହଣ କରିନି । ଚାଷୀଙ୍କୁ ମିଲରେ ଚଢାଉ ହେବ ବୋଲି ପ୍ରତିଶୃତି ଦେଉଥିଲେ ବି କୌଣସି ପଦକ୍ଷେପ ନେଉନାହାଁନ୍ତି । ଅଭିଯୋଗ ପରେ ମିଲର୍ସ ଗୋଦାମରୁ ବେଆଇନ୍ ଧାନ ଅନ୍ୟତ୍ର  ସ୍ଥାନାନ୍ତରିତ କରିଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଆକ୍ସନ ନେବା ବଦଳରେ ନୀରବ ରହୁଛନ୍ତି । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ଧାନ କିଣା ଅବ୍ୟବସ୍ଥା ଓ ପ୍ରଶାସନିକ ଅବହେଳା ପ୍ରତିବାଦରେ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା ।

ବଲାଙ୍ଗୀରରେ ଚଳିତ ବର୍ଷ ବିଳମ୍ବରେ ଅର୍ଥାତ୍ ଗତ ଡିସେମ୍ବର ୨ ତାରିଖରେ ମଣ୍ଡି ଖୋଲିବାରୁ ଅଧିକାଂଶ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ଦଲାଲଙ୍କୁ ଧାନ ଟେକି ଦେଲେଣି । ଯାହା ଫଳରେ ହଜାର ହଜାର କ୍ବିଣ୍ଟାଲ ବେଆଇନ ଧାନ ଏବେ ମିଲର୍ସଙ୍କ ଗୋଦାମରେ  । ଟୋକନ ଟେନସନର ଫାଇଦା ଉଠାଇଛନ୍ତି ଅସାଧୁ ଧାନ ବ୍ୟବସାୟୀ ଓ ମିଲର୍ସ । ଧାନ ବିକ୍ରି ପାଇଁ ଜିଲ୍ଲାର ୯୫ ହଜାର, ୮୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି   । ୧୭୬ ଟି ମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ୩୪ ଲକ୍ଷ,୯ ହଜାର,୭୩ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଛି । କିନ୍ତୁ ତା ପୂର୍ବରୁ କେମିତି ମିଲକୁ ବେଆଇନ ଧାନ ଗଲା ବୋଲି ଚାଷୀ ସଂଗଠନ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛି  । ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଧରାକୋଟ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ଠପ, ଠିକା କାମକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ଆସିକା : ଧରାକୋଟ ବ୍ଲକ୍ ସମେତ ସମସ୍ତ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍ । ନୂଆ ସରକାର ଆସିବାର ୬ମାସ ହେଲାଣି, ହେଲେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇନି । ଏପରିକି ବିଜେଡି ସରକାର ସମୟରେ ଆରମ୍ଭ କରାଯାଇଥିବା କାର୍ଯ୍ୟ ଅଧାରୁ ବନ୍ଦ କରିଦେଇଛନ୍ତି ସରକାର । ସେପଟେ ବିଜେପି-କଂଗ୍ରେସ ଠିକା କାମ ହାତେଇବାକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ମଧ୍ୟରେ ଏବେ ସୃଷ୍ଟି ମୁହାଁମୁହିଁ ପରିସ୍ଥିତି । ବିଜେପି ବିଡିଓଙ୍କୁ ଧମକ ଦେଇ କାର୍ଯ୍ୟ ହାତେଇବାକୁ ଉଦ୍ୟମ ଭିଡିଓ ଭାଇରାଲ ହେବା ପରେ ତାତିଛି କଂଗ୍ରେସ ।

ଘଟଣା ପରେ ଧରାକୋଟ ବ୍ଲକରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଭାଇରାଲ ଭି଼ଡିଓ ସଂପର୍କରେ ସଫେଇ ଦେଇଛନ୍ତି ସାନଖେମୁଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ  ।  ସେ କହିଛନ୍ତି ଯେ ଧରାକୋଟ ବିଡ଼ିଓଙ୍କ ସହ ସେ କଥା ହୋଇଥିଲେ । କିନ୍ତୁ କଂଗ୍ରେସ ଯେଉଁ ଅଭିଯୋଗ ଆଣୁଛି ତାହା ଭିତ୍ତିହୀନ  । ଏପରିକି ଏହି ବ୍ଲକରେ ସମସ୍ତ ନିର୍ବାଚିତ ପ୍ରତିନିଧି କଂଗ୍ରେସ ଦଳର  । ବିଜେପି କୌଣସି କର୍ମୀ ଏହି ବ୍ଲକର କେଉଁଠି ଠିକାଦାର ବି କାମ କରୁନାହିଁ  । କେବଳ କଂଗ୍ରେସ ଦଳ ବ୍ଲକ ରେ ହେଉଥିବା କାମକୁ ଜୋର ଦେଖାଇ ବନ୍ଦ କରୁଛି  । ଏହାର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା  । ବିଜେପି ଶାସନକୁ ଆସିବାର ୬ମାସ ବିତିଲାଣି ହେଲେ ଉନ୍ନୟନମୂଳକ କାର୍ଯ୍ୟ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ସେପଟେ ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲାପରିଷଦ ପର୍ଯ୍ୟନ୍ତ ବିଜେପି କେବଳ ଠିକାଦାରୀ କରି ଲୁଟ୍ ଉଦ୍ୟମକୁ କଂଗ୍ରେସ ନିନ୍ଦା କରିଛି