ନନ୍ଦିଘୋଷ ବ୍ୟୁରୋ: ପୁଣି ବିଗିଡିଲା ଭାରତ- ବାଂଲାଦେଶ ସମ୍ପର୍କ। ଦୁଇ ଦେଶ ମଧ୍ଯରେ ହୋଇଥିବା ବ୍ଯାଣ୍ଡୱିଡଥ ଟ୍ରାଞ୍ଜିଟ ଚୁକ୍ତିକୁ ରଦ୍ଦ କରିଛି ବାଂଲାଦେଶ। ଫଳରେ ଦେଶର ଉତ୍ତରପୂର୍ବାଞ୍ଚଳ ରାଜ୍ଯରେ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗାଣ ଯେଉଁ ଆଶା ରହିଥିଲା ତାହା ଧୂଳିସାତ୍ ହୋଇଛି। ଭାରତ ସହ ହୋଇଥିବା ଏହି ରାଜିନାମାକୁ ରଦ୍ଦ କରିଛି ବାଂଲାଦେଶର ଟେଲିକମ୍ଯୁନିକେସନ ରେଗୁଲେଟୋରୀ କମିଶନ ବା ବିଟିଆରସି। ଉତ୍ତର ପୂର୍ବାଞ୍ଚଳ ରାଜ୍ଯରେ ଟେଲିକମ ସେବା ଲାଗି ବାଂଲାଦେଶର ସମିଟ କମ୍ୟୁନିକେସନ୍ସ ଓ ଫାଇବର ଆଟ ହୋମ ସଂସ୍ଥା ସହ ଭାରତର ପ୍ରମୁଖ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ବାଂଲାଦେଶର ଏହି ପଦକ୍ଷେପ ଯୋଗୁ ଉତ୍ତର ପୂର୍ବାଞ୍ଚଳରେ ଡିଜିଟାଲ କନେକ୍ଟିଭିଟି ବୃଦ୍ଧି ନେଇ ଭାରତ ଯେଉଁ ଆଶା କରିଥିଲା ତାହା ସ୍ବପ୍ନରେ ହିଁ ରହିଯାଇଛି। ଭାରତର ଭୌଗଳିକ ସମସ୍ଯା ମଧ୍ଯରେ ଉବୁଟୁବୁ ଉତ୍ତର ପୂର୍ବାଞ୍ଚଳ ରାଜ୍ଯରେ ବର୍ତ୍ତମାନ ସୁଦ୍ଧା ଉଚ୍ଚମାନର ଟେଲିକମ ସେବା ଉପଲବ୍ଧ ହୋଇପାରିନାହିଁ। ଏହାକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ଯରେ ହୋଇଥିଲା ବ୍ଯାଣ୍ଡୱିଡଥ୍ ଟ୍ରାଞ୍ଜିଟ ରାଜିନାମା। ସେପଟେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣର ପ୍ରତିବାଦରେ କୋଲକାତାରେ ତୃଣମୂଳ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଛି ବଡ ଧରଣର ରାଲି। ସେଠାରେ ହିନ୍ଦୁଙ୍କ ସୁରକ୍ଷା ଦାବି କରିଛନ୍ତି ନେତା।
ଭାରସ୍ୟମ ହରାଇ ଓଲଟିଲା ସ୍କୁଲ ବସ୍, ୩ ଛାତ୍ର ମୃତ
ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ପାଲି ଅଞ୍ଚଳରେ ସଡକ ଦୁର୍ଘଟଣା । ଏକ ସ୍କୁଲ ବସ୍ ଓଲଟି ତିନିଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଭାରସ୍ୟମ ହରାଇ ସ୍କୁଲ ବସଟି ଓଲଟି ପଡିଥିଲା। ସ୍କୁଲ ବସରେ ଛାତ୍ରଛାତ୍ରୀମାନେ ପିକନିକ୍ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ବସଟି ଓଲଟି ପଡିବାରୁ ଛାତ୍ରଛାତ୍ରୀମାନେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବସ ଭିତରୁ ବାହାର କରିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ। ଆହାତ ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଜନତା
ବଲାଙ୍ଗୀର: ବଲାଙ୍ଗୀର ତୁଷୁରା ଥାନାରେ ଅଭାବନୀୟ ଘଟଣା । ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଜନତା । ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଘଟଣାକୁ କେନ୍ଦ୍ରକରି ପୋଲିସ ଜନତା ଭିତରେ ଖଣ୍ଡଯୁଦ୍ଧ ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ପୁଣି ଗଣ୍ଡଗୋଳ ହୋଇଥିଲା । ଏହାକୁ କେନ୍ଦ୍ରକରି ଜନତା ଉତ୍ୟକ୍ତ ହୋଇ ପୋଲିସ ଗାଡିକୁ ଆକ୍ରମଣ କରିଛନ୍ତି । ପରିସ୍ଥିତି ଅଣାୟତ୍ତ ହେବାରୁ ଲୋକଙ୍କୁ ଗୋଡାଇ ପିଟିଛି ପୋଲିସ। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି ।
ସୂଚନା ଅନୁଯାୟୀ, ଗୋଦାମପଡା-ପତିତପାବନ ପଡା ମଧ୍ୟରେ ପୂର୍ବରୁ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ପତିତପାବନପଡାବାସୀ ତୁଷୁରା ଥାନାରେ ମାମଲା ଦାୟର କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ପତିତପାବନପଡାର ଲୋକମାନେ ତୁଷୁରାଥାନାକୁ ଯାଇ ପଚରାଉଚରା କରିଥିଲେ । ଏହି ସମୟରେ ପୋଲିସ ସହ ଯୁକ୍ତିତର୍କ ପରେ, ପୋଲିସ ପ୍ରଥମେ ଲୋକଙ୍କୁ ଆକ୍ରମଣ କରିଥିଲା। ପରେ ଲୋକମାନେ ମଧ୍ୟ ପୋଲିସକୁ ନିସ୍ତୁକ ଛେଚିଥିଲେ । ଉଭୟ ପକ୍ଷରୁ ଥାନା ସମ୍ମୁଖରେ ଗଣ୍ଡଗୋଳ ଉଗ୍ରରୁପ ଧାରଣ କରିଥିଲା । ପୋଲିସ ଲୋକଙ୍କୁ ଓ ଲୋକେ ପୋଲିସଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । କିଛି ସମୟ ପାଇଁ ଥାନା ସମ୍ମୁଖ ପାଲଟିଯାଇଥିଲା ରଣକ୍ଷେତ୍ର । ଖବର ପାଇ ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।
ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ଲାଲ ହିଂସା, ସ୍ବାମୀ ସାମ୍ନାରେ ସ୍ତ୍ରୀଙ୍କୁ ନିର୍ମମ ହତ୍ୟା
ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ସୂଚନା ଅନୁଯାୟୀ, ତେଲେଙ୍ଗାନା ପୋଲିସ ଇନଫର୍ମର ସନ୍ଦେହରେ ଗତ କାଲି ମଦେଡ ଥାନା ଅନ୍ତର୍ଗତ ଲୋଦେଡ ଗ୍ରାମର ଦମ୍ପତି ରାମାୟା ୟାଲମ ଓ ସୁକରା ୟାଲମଙ୍କୁ ମାଓବାଦୀ ମାନେ ଘରୁ ଅପହରଣ କରି ତିନି କିଲୋମିଟର ଦୂର ଜଙ୍ଗଲକୁ ନେଇଥିଲେ। ହେଲେ ଆଜି ସକାଳେ ସ୍ୱାମୀ ରାମାୟା ୟାଲମଙ୍କୁ ନକ୍ସଲ ମାନେ ବାଡିରେ ନିସ୍ତୁକ ଭାବେ ପିଟିଥିବା ବେଳେ ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀ ସୁକରା ୟାଲମଙ୍କୁ ନକ୍ସଲ ମାନେ ଗଳା କାଟି ହତ୍ୟା କରିଛନ୍ତି ।
ମାଓବାଦୀଙ୍କ ହତ୍ୟା କାଣ୍ଡ ସଂପର୍କରେ ସୂଚନା ପାଇ ବିଜାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ କୁମିଂ ଅପରେସନ ଆରମ୍ଭ କରିଛି । ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।
ପାରଳାଖେମୁଣ୍ଡି ଜଙ୍ଗମ ସାହିରେ ହତ୍ୟାକାଣ୍ଡ; ସ୍ବାମୀକୁ ହତ୍ୟା କଲା ପତ୍ନୀ !
ଗଜପତି: ଗଜପତି ପାରଳାଖେମୁଣ୍ଡି ଜଙ୍ଗମ ସାହିରେ ହତ୍ୟାକାଣ୍ଡ। ସ୍ବାମୀକୁ ପତ୍ନୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ଏହି ଗାଁର ଡିଲେଶ୍ବରଙ୍କ ପୁଅ ବିଜୟ କୁମାରଙ୍କ ମୃତ୍ୟୁ ହୋଇଥିଲା। ଶବକୁ ପୋଡିବା ସମୟରେ ଘରଲୋକ ବିଜୟଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଗତକାଲି ରାତିରେ ବିଜୟ କୁମାର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ସ୍ତ୍ରୀ ଧାରୁଆ ଅସ୍ତ୍ରରେ ସ୍ବାମୀକୁ ଆକ୍ରମଣ କରି ତଣ୍ଟି ଚିପି ମାରିଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ଘଟଣାରେ ପତ୍ନୀ ସାରଦାକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ପରବର୍ତ୍ତୀ ସମୟରେ ଶବ ବ୍ୟବଚ୍ଛେଦ ପରେ ହତ୍ୟାର ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ପାରଳାଖେମୁଣ୍ଡି ଥାନା ଅଧିକାରୀ କହିଛନ୍ତି ।
ପରସ୍ପରକୁ ଗୁଳି କଲେ ଦୁଇ ପୋଲିସ କର୍ମଚାରୀ, ଭ୍ୟାନ୍ ଭିତରୁ ମିଳିଲା ମୃତଦେହ
ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ କଶ୍ମୀରର ଉଧମପୁରରୁ ଦୁଇ ପୋଲିସଙ୍କ ମୃତଦେହ ଉଦ୍ଧାର। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭ୍ୟାନ୍ ଭିତରୁ ମିଳିଲା ଦୁଇ ପୋଲିସ କର୍ମୀଙ୍କ ମୃତଦେହ । ଉଭୟଙ୍କ ଦେହରେ ଗୁଳି ବାଜିଥିବା ସୂଚନା ମିଳିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଛି ।
ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଉଧମପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ କାଳି ମାତା ମନ୍ଦିର ବାହାରେ ପୁଲିସ ଭ୍ୟାନ୍ ଭିତରୁ ଦୁଇଜଣ ପୋଲିସ କର୍ମଚାରୀଙ୍କ ମୃତଦେହ ମିଳିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦୁଇ ପୋଲିସ କର୍ମଚାରୀ ପରସ୍ପର ଉପରକୁ ଗୁଳିମାଡ କ କରିବା ପରେ ସେମାନଙ୍କ ମୃତ୍ୟୁ ହୋଇଛି।

