ନନ୍ଦିଘୋଷ ବ୍ୟୁରୋ: ପୁରୀରୁ ନୌବୀରଙ୍କ ପରାକ୍ରମ ଦେଖିଲା ବିଶ୍ବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ନୌସେନା ଦିବସରେ ପୁରୀ ବ୍ଲୁଫ୍ଲାଗ ବିଚରେ ହୋଇଥିଲା ସ୍ବତନ୍ତ୍ର ଆୟୋଜନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ତମାମ ବିଧାୟକ ଓ ମନ୍ତ୍ରୀ ମଧ୍ୟ ନୌସେନାର ପରକ୍ରମକୁ ଉପଭୋଗ କରିଥିଲେ । ନୌସେନା ଦିବସରେ ଶ୍ରୀକ୍ଷେତ୍ରରେ ନିଜ ପରାକ୍ରମ ଦେଖାଇଥିଲା ମାର୍କୋସ କମାଣ୍ଡୋ । ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକପ୍ଟର, ୫ଟି ଯୁଦ୍ଧ ବିମାନ, ୫ଟି ଜେଟ୍ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଲେଜର ସୋ ଓ ଡ୍ରୋନ ସୋ ଅନ୍ୟତମ ଆକର୍ଷଣ ପାଲଟିଥିଲା । ଏହି ଅବସରରେ ଚେତକ ଓ ସି-କିଙ୍ଗ ହେଲିକପ୍ଟର ଦେଖାଇଥିଲେ ରଣ କୌଶଳ । ଯୁଦ୍ଧ ଜାହାଜରେ ହେଲିକପ୍ଟର ଅବତରଣର ଦୃଶ୍ୟ ସହ ହେଲିକପ୍ଟରରେ ସନ୍ଧାନ ଓ ଉଦ୍ଧାର ଦୃଶ୍ୟ ମଧ୍ୟ ନିଆରା ରହିଥିଲା । ପୁରୀ ସମୁଦ୍ର ବାଲିରେ ଗର୍ଜନ କରି ଗଡ଼ିଥିଲା ବିଏମପି ଟ୍ୟାଙ୍କ । ଏହିସବୁ ଟ୍ୟାଙ୍କର ବେଗ ଥିଲା ଘଣ୍ଟାପ୍ରତି ୬୫ କିଲୋମିଟର । ଥରକେ ୪୫୦ କିଲୋମିଟର ଯିବାର କ୍ଷମତା ସମ୍ପନ୍ନ ଏହି ଟ୍ୟାଙ୍କର ପ୍ରଦର୍ଶନ ଦର୍ଶକକୁ ବେଶ ଆକର୍ଷିତ କରିଥିଲା । ୪ କିଲୋମିଟର ମଧ୍ୟରେ ଶତ୍ରୁକୁ ନିପାତ କରିବାରେ ସକ୍ଷମ ଏହିସବୁ ଟ୍ୟାଙ୍କ । ମାର୍କୋସ କମାଣ୍ଡୋଙ୍କ କଳା କୌଶଳ ସାଙ୍ଗକୁ ଆକାଶରେ ଯୁଦ୍ଧ ବିମାନରୁ ନିଆଁ ବର୍ଷାର ଦୃଶ୍ୟ ଥିଲା ନିଆରା । ମିଗ୍-୨୯କେ ବିମାନ ଓ ଯୁଦ୍ଧ ଜାହାଜରୁ ଆଣ୍ଟି ସବମରିନ ରକେଟ୍ ଫାୟାରିଂ ବି ବେଶ ଆକର୍ଷଣୀୟ ଥିଲା । ସମୁଦ୍ରରେ ବୋମାବର୍ଷାର ଦୃଶ୍ୟ ବି ଦେଖିଥିଲେ ଦର୍ଶକ ।
ଅବ୍ଯବସ୍ଥାରେ କଟକ ଏସବିପି ଶିଶୁ ଚିକିତ୍ସା ପ୍ରତିଷ୍ଠାନ
ନନ୍ଦିଘୋଷ ବ୍ୟୁରୋ: ଏକ କ୍ଷମତା ସଂପନ୍ନ ଆଡଭୋକେଟ କମିଟି କଟକର ପୁରାତନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନ ବୁଲି ହସ୍ପିଟାଲର ସ୍ଥିତି ଓ ବିଭିନ୍ନ ସମସ୍ୟା ସଂପର୍କ ରେ ଅନୁଧ୍ୟାନ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅନୁଧ୍ଯାନ କରିଛି ଟିମ । ବିଶେଷ କରି ଉଭୟ ପଟ ମୁଖ୍ଯ ଫାଟକରେ ଥିବା ଜବରଦଖଲ, ପରିସରର ପରିଷ୍କାର ପରିଚ୍ଛନ୍ନତା, ଆଇସିୟୁର ବ୍ୟବସ୍ଥା ଓ ପୂର୍ବ ସରକାରଙ୍କ ଦ୍ବାରା ପ୍ରସ୍ତୁତ ସାତ ମହଲା ବିଲଡିଂ କାର୍ଯ୍ୟକ୍ଷମ ନ ହେବା ନେଇ ଚିନ୍ତାପ୍ରକଟ କରିଛନ୍ତି । ଏ ନେଇ ହାଇକୋର୍ଟଙ୍କ ପାଖରେ ଶୀଘ୍ର ରିପୋର୍ଟ ଦିଆଯିବ ବୋଲି କମିଟି ସଦସ୍ଯ କହିଛନ୍ତି ।
ଅବ୍ଯବସ୍ଥାରେ କଟକ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ଚିକିତ୍ସା ପ୍ରତିଷ୍ଠାନ । ଅନୁଧ୍ଯାନ ପରେ ଚିନ୍ତା ପ୍ରକଟ କଲେ ଆଡଭୋକେଟ କମିଟି । ଖୁବଶୀଘ୍ର ହାଇକୋର୍ଟଙ୍କୁ ଦିଆଯିବ ରିପୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ରେ ରାଜ୍ୟ ତଥା ପୂର୍ବ ଭାରତର ପୁରାତନ ଶିଶୁ ଚିକିତ୍ସାଳୟ କଟକ ର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁ ରୋଗ ପ୍ରତିଷ୍ଠାନକୁ ତନ୍ନ ତନ୍ନ କରି ବୁଲି ଦେଖିଛନ୍ତି ଏକ କ୍ଷମତାସଂପନ୍ନ ଆଡଭୋକେଟ କମିଟି । ହାଇକୋର୍ଟ ବାର ଆସୋସିଏସନ ସଭାପତିଙ୍କ ନେତୃତ୍ବ ରେ ଏହି କମିଟି ପ୍ରଥମେ ଲାଲବାଗ ପଟ ମୁଖ୍ଯ ଫାଟକ ଓ ରିଙ୍ଗରୋଡ ପଟ ଗେଟରେ ଥିବା ଉଠାଦୋକାନ ଓ ଜବରଦଖଲ ବୁଲି ଦେଖିଥିଲେ। ପରେ ପରେ ପରିସରର ପରିଷ୍କାର ଓ ପରିଚ୍ଛନ୍ନତା ନେଇ ଅନୁଧ୍ୟାନ କରିଥିଲେ। ଏହା ପରେ ଆଇସିୟୁ ଓ ଏନଆଇ.ଆଇସିୟୁ ବୁଲି ଏହାର ସ୍ଥିତି ଓ ସଂଖ୍ୟା ସଂପର୍କ ରେ ତଥ୍ଯ ନେଇ ଥିଲେ ।
ହାଇକୋର୍ଟ ଆଡଭୋକେଟ କମିଟି ପୂର୍ବ ନବୀନ ସରକାର ଅମଳରେ ଶିଶୁଭବନ ପରିସରରେ ଶହ ଶହ କୋଟି ଟଙ୍କା ବ୍ୟୟବରାଦ ରେ ଗଢା ଯାଇ ଥିବା ୭ ମହଲା ନୂଆ ମଲଟି ପରପୋଜ୍ ବିଲଡିଂ ବୁଲି ଦେଖିଥିଲେ । କାମ ଦେଢ ବର୍ଷ ହେବ ସରିଥିଲେ ସୁଦ୍ଧା ଏହାକୁ କିଛି ବୈଷୟିକ ପ୍ରତିବନ୍ଧକ କାରଣରୁ ଏହା କାର୍ଯ୍ଯକ୍ଷମ ହୋଇ ନଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । କାମରେ ଆସୁ ନଥିଲେ ସୁଦ୍ଧା ମାସିକ ସାଢେ ୪ ଲକ୍ଷ ଟଙ୍କା ବିଜୁଳି ବିଲ ପୈଠ କରାଯାଉଛି । ଏ ସବୁ ସଂପର୍କ ରେ ହାଇକୋର୍ଟ ଆଡଭୋକେଟ କମିଟି ତୁରନ୍ତ ଏକ ରିପୋର୍ଟ ହାଇକୋର୍ଟଙ୍କୁ ପ୍ରଦାନ କରିବେ। ପୂର୍ବରୁ ଶିଶୁଭବନର ଭଲ ମନ୍ଦ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ହୋଇଛି । ତେବେ ହାଇକୋର୍ଟ ଆଡଭୋକେଟ କମିଟିର ଅନୁଧ୍ୟାନ ଓ ରିପୋର୍ଟ ପରେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି ।
ରାୟଗଡ଼ା ଜିଲ୍ଲାରେ ଖୋଲିନି ମଣ୍ଡି, ଚିନ୍ତାରେ କପା ଚାଷୀ
ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହୋଇଛି କପା ଅମଳ । ରାୟଗଡ଼ା ଜିଲ୍ଲାରେ ମଣ୍ଡି ଖୋଲି ନଥିବାରୁ ଚାଷୀ ଏବେ କପା ବିକ୍ରି ନେଇ ଚିନ୍ତାରେ ପଡ଼ିଛନ୍ତି । ଗୁଣପୁର ଅଞ୍ଚଳର ଚାଷୀ କପା ତୋଳି ଘରେ ଓ ଘର ବାହାରେ ଗଛିତ ରଖିଛନ୍ତି କ୍ବିଣ୍ଟାଲ କ୍ବିଣ୍ଟାଲ କପା। ମଣ୍ଡି ଖୋଲିନଥିବାରୁ ଋଣ ପରିଷୋଧ ପାଇଁ ଶାଗମାଛ ଦରରେ ବେପାରୀକୁ କପା ବିକ୍ରି କରୁଛନ୍ତି ଚାଷୀ । ସେପଟେ ଟ୍ରକ ଟ୍ରକ୍ କପା ମହାରାଷ୍ଟ୍ର, ଆନ୍ଧ୍ରକୁ ଚାଲାଣ ହେଉଛି । ମଣ୍ଡି ଖୋଲି ସିସିଆଇ କପା କିଣୁ ନଥିବା ବେଳେ ଶାଗମାଛ ଦରରେ ବିକ୍ରି କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଗୁଣପୁର ଅଞ୍ଚଳର କପା ଚାଷୀ ।
ଆରମ୍ଭ ହୋଇଯାଇଛି ଅମଳ ଋତୁ । ସକାଳ ହେଲେ କପା ତୋଳିବା ପାଇଁ କ୍ଷେତରେ ପହଞ୍ଚିଯାଉଛନ୍ତି ଚାଷୀ । କିଏ କପାକୁ ବସ୍ତାରେ ଭରି ମୁଣ୍ଡେଇ ଘରକୁ ଆଣୁଛି ତ ଆଉ ଅମଳ କପାକୁ କପା ଶୁଖାଇବାରେ ବ୍ୟସ୍ତ । ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳର । କପା ଅମଳ ଚାଲିଥିବା ବେଳେ ମଣ୍ଡି ଖୋଲି ନଥିବାରୁ କପାକୁ ସାଇତି ରଖିବାକୁ ସମସ୍ୟା ସୃଷ୍ଟି ହୋଇଛି । ଋଣ ସୁଝିବାକୁ ଚାଷୀ ବାଧ୍ୟହୋଇ ବ୍ୟବସାୟୀ ହାତକୁ ସାଗମାଛ ଦରରେ କପା ବିକ୍ରି କରୁଛନ୍ତି ଚାଷୀ । ସେପଟେ ଦଲାଲ କପା କିଣି ବାହାର ରାଜ୍ୟରେ ଉଚ୍ଚ ଦରରେ ବିକ୍ରି କରି ମାଲେମାଲ ହେଉଛନ୍ତି । ଶିଘ୍ର ସିସିଆଇ ମଣ୍ଡି ଖୋଲି କପା କିଣିବା ପାଇଁ ଚାଷୀ ଦାବି କରିଛନ୍ତି।
ଚଳିତ ବର୍ଷ ପାଗ ଅନୁକୁଳ ରହିଥିବାରୁ କପା ଚାଷ ଭଲ ହୋଇଥିଲା । ହେଲେ ଗଛରେ ଫଳ ଧରିବା ପରେ ରୋଗ ପୋକ ଲାଗି ପ୍ରଭାବିତ ହୋଇଥିଲା । ଆଉ ଯେତିକି ବଳକା ରହିଲା ସେଥିରୁ କପା ଆମଦାନୀ କରିବାକୁ ଚାଷୀ ଲାଗିପଡ଼ିଛନ୍ତି । କପା ଉତ୍ପାଦନର ଉତ୍କଷ୍ଟତା ପାଇଁ ସମଗ୍ର ରାଜ୍ୟରେ ଗୁଣପୁର ଧଳା ସୁନାର ଅଞ୍ଚଳ ରୂପେ ପରିଚିତ । ଗୁଣପୁର କୃଷି ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୨୭ ହଜାର ୪୩୬ ହେକ୍ଟର ଜମିରେ କପା ଚାଷ ହୋଇଛି । ଚଳିତ ବର୍ଷ ସିସିଆଇ କପା କ୍ବିଣ୍ଟାଲ ପିଛା ୭୫୨୧ ଟଙ୍କାରେ କିଣିବା ନେଇ ଦର ଧାର୍ଯ୍ୟ ହୋଇଛି । ଅଳ୍ପ ଦିନ ମଧ୍ୟରେ ମଣ୍ଡି ଖୋଲି କପା କିଣା ଆରମ୍ଭ ହେବ ବୋଲି କହିଛନ୍ତି ନିୟନ୍ତ୍ରୀତ ବଜାର କମିଟି ।
ସମ୍ବଲପୁର ଜିଲ୍ଲାରେ ଦିଗହରା ମୋ ପୋଖରୀ ଯୋଜନା
ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ଦିଗହରା ହୋଇଛି ମୋ ପୋଖରୀ ଯୋଜନା l ପୂର୍ବ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏସଏଚଜି ମାନଙ୍କୁ ମୋ ପୋଖରୀ ଯୋଜନାରେ କାମ ଯୋଗାଇ ଦେଇଥିଲେ । ଏବେ ସରକାର ବଦଳିବା ପରେ SHG ଗ୍ରୁପମାନେ କରିଥିବା କାମର ପ୍ରାପ୍ୟ ପାଇଁ ମହାନଗର କାର୍ଯ୍ୟାଳୟଠୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଛନ୍ତି । ଆଉ ମୋ ପୋଖରୀ ଯୋଜନା ସେତିକିରେ ହିଁ ବନ୍ଦ ହୋଇପଡ଼ିଥିବା ଅଭିଯୋଗ ହୋଇଛି ।
ଅଧାରେ ଅଟକିଛି ମୋ ପୋଖରୀର ଖନନ କାମ । ପୋତି ହେବାକୁ ବସିଛି ଖୋଳାଯାଇଥିବା ମାଟି । ଆଉ କିଛି ପୋଖରୀ ଅଳିଆଗଦାରେ ପରିଣତ ହୋଇଛି । ସମ୍ବଲପୁର ଜିଲ୍ଲାରେ ଦିଗହରା ହୋଇଛି ମୋ ପୋଖରୀ ଯୋଜନା l ପୋଖରୀ ପୁନରୁଦ୍ଧର ଏବଂ ବ୍ୟବହାର ଉପଯୋଗୀ କରିବାକୁ ପୂର୍ବ ସରକାର ଆରମ୍ଭ କରିଥିଲେ ମୋ ପୋଖରୀ ଯୋଜନା । ସ୍ଵୟଂ ସହାୟକ ମହିଳାଙ୍କୁ ଦିଆଯାଇଥିଲା କାମ । ନିଜର ପୁଞ୍ଜି ଲଗାଇ କାମଙ୍କୁ ଆଗକୁ ବଢ଼ାଇଥିଲେ । କାମ ଆରମ୍ଭ ପରେ ମଧ୍ୟ ପ୍ରଥମ କିସ୍ତି ଟଙ୍କା ମିଳିପାରୁନି । ମହାନଗର କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ମହିଳାମାନେ ନୟାନ୍ତ ହୋଇସାରିଲେଣି । ଅର୍ଥ ଅଭାବରୁ ସମସ୍ତ ପୋଖରୀ କାମ ଅଧାରେ ଅଟକି ରହିଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମହିଳା ।
ସମ୍ବଲପୁର ମହାନଗର ଅଧୀନରେ ମୋଟ ୮ଟି ପୋଖରୀ ଯୋଜନାରେ ସାମିଲ ହୋଇ କାମ ଆରମ୍ଭ ହୋଇଛି । ପ୍ରତି ପୋଖରୀ ପାଇଁ ୪କୋଟିରୁ ୬କୋଟି ପର୍ଯ୍ୟନ୍ତ ଅର୍ଥ ମଞ୍ଜୁର ହୋଇଥିଲା । ପ୍ରତି ଏସଏଚଜି ମାନଙ୍କୁ ୧୫ଲକ୍ଷ ଟଙ୍କlର କାମ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । କେବଳ ଦୁଇଟି ପୋଖରୀକୁ ଛାଡ଼ିଦେଲେ ବାକି ସବୁ ୨୦ ପ୍ରତିଶତ କାମ ହୋଇନାହିଁ । ସେପଟେ କିଛି ସମସ୍ୟା ପାଇଁ ପ୍ରାପ୍ୟ ପାଇବାରେ ବିଳମ୍ଵ ହେଉଛି । କାମ ଆରମ୍ଭ କରିବାକୁ ଏସଏଚଜିଙ୍କୁ କୁହାଯାଇଛି, ଶିଘ୍ର ସମାଧାନ ହେବ ବୋଲି କହିଛନ୍ତି ସମ୍ଵଲପୁର ମହାନଗର ନିଗମ କମିଶନର । ସମ୍ଵଲପୁରେ ମୋ ପୋଖରୀରେ ଯୋଜନାରେ ଅଟକି ରହିଥିବା କୋଟି କୋଟି ଟଙ୍କାର କାମର ଭାଗ୍ୟ ଝୁଲି ରହିଛି । କେବେ କାମର ପ୍ରଥମ କିସ୍ତି ଟଙ୍କା ମିଳିବ ଓ ଯୋଜନା ସମ୍ପୂର୍ଣ୍ଣ ହେବ ତାକୁ ଦେଖିବାକୁ ବାକି ରହିଲା ।
ରାସ୍ତା ନିର୍ମାଣରେ ଅନିୟମିତତା, ଲାଗିନାହିଁ ବ୍ୟୟ ଅଟକଳ ଫଳକ
ନନ୍ଦିଘୋଷ ବ୍ୟୁରୋ: ଗମନାଗମନ ସୁବିଧା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହେଉଛି । ହେଲେ କିଛି ଅସାଧୁ ଅଧିକାରୀ ଓ ମୁନାଫାଖୋର ଠିକାଦାରଙ୍କ ପାଇଁ ଯୋଜନା ବାଟବଣା ହେଉଛି । ଏହିପରି ଭାବେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା କଟକ ଜିଲ୍ଲା ନେମାଳ ତିଳକଣାଠାରୁ ତରିତୋ ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତା ନିର୍ମାଣ କାମ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କାର୍ଯ୍ୟର ସଠିକ ତଦାରଖ ହେଉନଥିବା ବେଳେ ରାସ୍ତାର ସ୍ଥାୟୀତ୍ଵ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାସ୍ତା ନିର୍ମାଣରେ ଅନୀୟମିତତା । ରାସ୍ତା ନିର୍ମାଣ ପାଇଁ ଲାଗିନାହିଁ ବ୍ୟୟ ଅଟକଳ ଫଳକ। ଗୋଡ଼ି ଉପରେ ନାମକୁ ମାତ୍ର ଡଷ୍ଟ ଛିଞ୍ଚି ତରବରିଆ ଭାବେ ଚାଲିଛି ରାସ୍ତା କାମ । ଖାଲ ସ୍ଥାନରୁ ଜମିଥିବା ପାଣି ଡ୍ରେନ ନକରି ଢ଼ଲେଇ ପକାଯାଉଛି । କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ କଟକ ଜିଲ୍ଲା ନେମାଳ ତିଳକଣାଠାରୁ ତରିତୋ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଲମ୍ଵ ରାସ୍ତା ନିର୍ମାଣ ହେଉଛି l ଏହି ରାସ୍ତା ଅଚ୍ୟୁତାନନ୍ଦ ପୀଠକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଯାତାୟତ କରିଥାନ୍ତି । ଏହାସହିତ ମନ୍ତ୍ରୀ ବିଧାୟକଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀ, ସାଧାରଣ ଜନତା ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯାତାୟତ କରିଥାନ୍ତି । ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ରାସ୍ତାର ସ୍ଥାୟୀତ୍ଵ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗ କଲେ ମଧ୍ୟ କେହି ଶୁଣିନଥିବା କହିଛନ୍ତି ଗ୍ରାମବାସୀ ।
ଗମନାଗମନ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ବାସ୍ତବ କାର୍ଯ୍ୟ ଦିଗହରା ହେଉଛି l ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତାରାରେ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ l ଦୀର୍ଘ ବର୍ଷ ଧରି ଏହି ରାସ୍ତାଟି ଦୟନୀୟ ହୋଇପଡ଼ିଥିଲା । ବାରମ୍ବାର ଦାବି ପରେ ପୂର୍ବ ସରକାର ନୂତନ ରାସ୍ତା ପାଇଁ ଟଙ୍କା ମଞ୍ଜୁର କରିଥିଲେ । ପ୍ରାୟ ୨୨ କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତା କାମ ଆରମ୍ଭ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ନିମ୍ନମାନର କାମ ପାଇଁ ରାସ୍ତାର ସ୍ତାୟୀତ୍ଵ ନେଇ ଉଠିଛି ପ୍ରଶ୍ନ । ତଦନ୍ତ କରି ସଠିକ ଢଙ୍ଗରେ କାର୍ଯ୍ୟ କରିବାକୁ ଦାବି ହୋଇଛି । ଏ ବାବଦରେ ଆମେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସନ୍ତୋଷ ଜନକ ଉତ୍ତର ମିଳିପାରିନାହିଁ ।
ଟିମ ଇଣ୍ଡିଆର ଖେଳାଳିଙ୍କ ସହ ଏଡିଲେଡରେ ଏମିତି ବ୍ୟବହାର କଲେ ଦର୍ଶକ, ବିସିସିଆଇ କହିଲା..
ନନ୍ଦିଘୋଷ ବ୍ୟୁରୋ: ବର୍ଡର ଗାଭାସ୍କର ଟ୍ରଫି ଖେଳିବା ପାଇଁ ଭାରତ ଏବେ ଅଷ୍ଟ୍ରେଲିଆରେ ରହିଛି । ପ୍ରଥମ ଟେଷ୍ଟରେ ଭାରତ ବିଜୟ ହୋଇଥିବାବେଳେ ଦ୍ବିତୀୟ ଟେଷ୍ଟ ଏଡିଲେଡରେ ଆସନ୍ତା ୬ ତାରିଖରୁ ଖେଳାଯିବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଭାରତୀୟ ଖେଳାଳିଙ୍କ ସହ ଖରାପ ବ୍ୟବହାର କରାଯାଇଥିବା କୁହାଯାଇଛି । ଭାରତ ଯେତେବେଳେ ଅଭ୍ୟାସ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲା ସେତେବେଳେ ୩ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ରହିଥିଲେ । ଏଠାରେ କିଛି ଦର୍ଶକ ରୋହିତ ଏବଂ ପନ୍ତଙ୍କ ଭଳି ଖେଳାଳିଙ୍କ ଶରୀରକୁ ନେଇ କମେଣ୍ଟ କରିଥିଲେ । ସେପଟେ କୋହଲି ଏବଂ ଗିଲ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ଗିଲ ଏବଂ କୋହଲି ପ୍ରଂଶସକମାନେ ଘେରି ରହିଥିଲେ । ଏବଂ କିଛି ଦର୍ଶକ ଫେସବୁକରେ ଲାଇଭ କରିଥିଲେ । ଆଉ ହାଏ କରିବା ପାଇଁ ବାଧ୍ୟ କରିଥିଲେ । ଯାହାକୁ ନେଇ ବିସିସିଆଇ ପକ୍ଷରୁ ଅଭ୍ୟାସ ବେଳେ ଦର୍ଶକଙ୍କ ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଇଥିବା କୁହାଯାଇଛି । ଅନ୍ୟପଟେ ଅଷ୍ଟ୍ରେଲିଆ ଦଳର ଅଭ୍ୟାସ ବେଳେ ମାତ୍ର ୭୦ଜଣ ଦର୍ଶକ ଥିବା କୁହାଯାଇଛି ।
ବାପା ମା’ଙ୍କ ସହ ଝିଅକୁ ମାରିଦେଲେ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ପୁଣି ମର୍ଡର। ନବସରାଇରେ ଦମ୍ପତି ଓ ତାଙ୍କ କନ୍ଯାକୁ କରାଯାଇଛି ହତ୍ଯା। ତେବେ ମର୍ଣ୍ଣିଂୱାକରେ ଯାଇଥିବାରୁ ପୁଅ ବର୍ତ୍ତିଯାଇଛି। ମୃତକ ହେଲେ ୫୩ ବର୍ଷ ବୟସ୍କ ରାଜେଶ, ପତ୍ନୀ କୋମଲ ଓ ୨୩ ବର୍ଷ ବୟସ୍କା ଝିଅ କବିତା। ଏହି ଘଟଣାକୁ ନେଇ ବଢିଛି ରାଜନୀତି। ମର୍ଣ୍ଣିଂୱାକରୁ ଫେରିବା ପରେ ଘରେ ୩ ଜଣଙ୍କୁ ହତ୍ଯା କରାଯାଇଥିବା ନେଇ ଦେଖିଥିଲା ପୁଅ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମୁଖ୍ଯମନ୍ତ୍ରୀ ଆତିଶୀ ଓ ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ। ଦିଲ୍ଲୀରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ବିଫଳ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ପୂର୍ବତନ ଫେମିନା ମିସ୍ ଇଣ୍ଡିଆଙ୍କୁ ଡିଜିଟାଲ ଆରେଷ୍ଟ କରି ଠକିନେଲେ ୯୯ ହଜାର
ନନ୍ଦିଘୋଷ ବ୍ୟୁରୋ: ସାଇବର ଠକଙ୍କ ଶିକାର ହେଲେ ପୂର୍ବତନ ଫେମିନା ମିସ୍ ଇଣ୍ଡିଆ ଶିବାଙ୍କିତା ଦିକ୍ଷିତ । ଡିଜିଟାଲ ଆରେଷ୍ଟ କରି ଠକିନେଲେ ୯୯ ହଜାର । ସାଇବର ଠକ ଜଣକ ନିଜକୁ ସିବିଆଇ ଅଧିକାରୀ କହି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସାଇବର ଠକ ଜଣକ ବଡ଼ ଚାଲାକର ସହ ନେଇଥିବା ସେ ସାଇବର ସେଲରେ ଅଭିଯୋଗ କରିଛନ୍ତି । ସେ ଜଣାଇଛନ୍ତି କି, ମଙ୍ଗଳବାର ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ସାଇବର ଠକ ଜଣକ ତାଙ୍କୁ ଡରାଇ କହିଥିଲା କି, ମୁଁ ହେଉଛି ସିବିଆଇ ଅଧିକାରୀ । ତୁମ ଆଧାର ନମ୍ବରରେ ଦିଲ୍ଲୀରେ ଏକ ସିମ କାର୍ଡ ରହିଛି । ଯେଉଁ ନମ୍ବର ଆଧାରରେ ଏକ ଆକାଉଣ୍ଟ ଖୋଲାଯାଇଛି । ଆଉ ଏହି ଆକାଉଣ୍ଟକୁ ମନି ଲଣ୍ଡରିଂ, ମାନବ ଚାଲାଣ ଏବଂ ଶିଶୁ ଅପହରଣ କରାଯାଉଥିବାର ଟଙ୍କା ଟ୍ରନ୍ସଫର ହେଉଛି । ତାଙ୍କ ସହ ଦୀର୍ଘ ସମୟ ଧରି ଭିଡିଓ କଲରେ ମଧ୍ୟ ବାର୍ତ୍ତାଳାପ କରିଥିଲେ । ଆଉ ଏହାପରେ ସେ ଶିବାଙ୍କିତା ଡରି ଯିବା ସହ ସେ କହିଥିବା ମୁତାବକ ଟଙ୍କା ମଧ୍ୟ ଦେଇଥିଲେ । ସେ ଅନଲାଇନରେ ୯୯ ହଜାର ଟଙ୍କା ପଠାଇଥିଲେ । ସେପଟେ କବାଟ ବାହାରେ ତାଙ୍କ ବାପା ଯେତେ ଡାକିଥିଲେ ମଧ୍ୟ ସେ ଶୁଣିନଥିଲେ । ପରେ ବାପା ଜାଣିଥିଲେ କି, ଝିଅ ସାଇବର ଠକଙ୍କ ଶିକାର ହୋଇଛନ୍ତି । ପରେ ବାପା ଝିଅ ଯାଇ ସାଇବର ସେଲରେ ଅଭିଯୋଗ କରିଛନ୍ତି ।
ପୁଣି ଗର୍ଜିଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍, ଅଣ୍ଡର-୧୯ ଏସିଆ କପରେ…
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ମେଗା ଅକ୍ସନ ପରେ ସୋସିଆଲ ମିଡିଆରେ ବେଶ ଟ୍ରେଣ୍ଡ କରୁଛନ୍ତି ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । କେବଳ ସୋସିଆଲ ମିଡିଆ କାହିଁକି ଏବେ ସେ ସବୁଠି ଚର୍ଚ୍ଚାର ବିଷୟ ହୋଇଛନ୍ତି । ମାତ୍ର ୧୩ ବର୍ଷ ବୟସରେ ସେ କୋଟିପତି ଖେଳାଳି ହୋଇଛନ୍ତି । ଆଇପିଏଲ ୨୦୨୫ ପାଇଁ ରାଜସ୍ଥାନ ରୟାଲ୍ସ ତାଙ୍କ ନିଜ ଦଳରେ ସାମିଲ କରିଛି । ୧.୧୦ କୋଟି ଟଙ୍କାରେ ଦଳ ତାଙ୍କୁ ସାମିଲ କରିଛି । କମ ବୟସ୍କ ଖେଳାଳିଭାବେ ସେ ଆଇପିଏଲ ଖେଳିବାକୁ ଯାଉଥିବାବେଳେ ଅଧିକ ଦାମରେ ମଧ୍ୟ କିଣା ହୋଇଛନ୍ତି । ଏତେ ଟଙ୍କାରେ ରାଜସ୍ଥାନ ତାଙ୍କୁ କାହିଁକି କିଣିଛି ତାହାର ଉତ୍ତର ଦେଉଛନ୍ତି ବୈଭବ । ଏବେ ଅଣ୍ଡର-୧୯ ଏସିଆ କପ ଚାଲିଥିବାବେଳେ ସେ ଦମଦାର ପ୍ରଦର୍ଶନ କରୁଛନ୍ତି । ୟୁଏଇ ବିପକ୍ଷ ମ୍ୟାଚରେ ସେ ଧୂଆଁଧାର ଅର୍ଦ୍ଧଶତକ ହାସଲ କରିଛନ୍ତି । ବୁଧବାର ଖେଳାଯାଇଥିବା ମ୍ୟାଚରେ ସେ ୪୬ ବଲରୁ ୭୬ ରନ କରିବାରେ ସକ୍ଷମ ହୋଇଛନ୍ତି । ଭାରତ ଆଗରେ ୧୩୮ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଦଳ ୧୬.୧ ବଲରେ ବିଜୟ ହାସଲ କରିଛି ।
ଗୋଟିଏ କାରରେ ରାଜଭବନରେ ପହଂଚି ସରକାର ଗଠନ ଦାବି ରଖିଲେ ସିନ୍ଦେ,ଫଡନାବିସ ଓ ପାୱାର ତ୍ରିମୂର୍ତ୍ତି
ନନ୍ଦିଘୋଷ ବ୍ୟୁରୋ: ସରିଲା ସସପେନ୍ସ । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ହେଲା ଦାବି । ବୁଧବାର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ପରେ ଏବେ ସରକାର ଗଠନ ପାଇଁ ଦାବି ରଖିଛନ୍ତି ତ୍ରିମୂର୍ତ୍ତି । ମହାରାଷ୍ଟ୍ର ରାଜନୀତିର ତିନି ପ୍ରମୁଖ ଚେହେରା ଫଡନାସିବ,ସିନ୍ଦେ ଏବଂ ପାଓ୍ବାର । ଏହି ତିନି ନେତା ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ପାଖରେ ପହଞ୍ଚି ଦାବି ଜଣାଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ର୍ର କଥା ହେଉଛି କି, ଏମାନେ ତିନିଜଣ ଗୋଟିଏ କାରରେ ଆସି ରାଜଭବନରେ ପହଞ୍ଚିଛନ୍ତି । ରାଜ୍ୟପାଳଙ୍କୁ ଦାବି ଜଣାଇଥିବା ବେଳର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଫଡନାସିଭ ଏଥର ମୁଖ୍ୟମନ୍ତ୍ରୀ ହେବାକୁ ଥିବାବେଳେ ମନ୍ତ୍ରୀ ମଣ୍ଡଳରେ କେଉଁମାନଙ୍କୁ ସ୍ଥାନ ମିଳିବ ତାହା ବେଶ ଚର୍ଚ୍ଚାର ବିଷୟ ରହିଛି । କାରଣ ମହାରାଷ୍ଟ୍ରରେ ମେଣ୍ଟ ସରକାର ହୋଇଥିବାବେଳେ କେଉଁ ଦଳରୁ କେତେ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଆସନ୍ତାକାଲି ଫଡନାସିବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ ଯାଉଥିବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ସେପଟେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ଫଡନାସିବଙ୍କ ନାମରେ ମୋହର ବାଜିଛି । ଏହାସହ ସେ ତୃତୀୟଥର ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।

