spot_img
Home Blog Page 1295

ଚାଷୀଙ୍କ ଦିଲ୍ଲୀ ଚାଲୋ ଡାକରା ସ୍ଥଗିତ, ଦଳିତ ପ୍ରେରଣା ସ୍ଥଳରେ କରିବେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ପୁଣି ତେଜିଲା ଚାଷୀ ଆନ୍ଦୋଳନ । ନୋଏଡାରୁ ହଜାର ହଜାର ଚାଷୀ ସଂଯୁକ୍ତ କିସାନ ମୋର୍ଚ୍ଚା ନେତୃତ୍ବରେ ଦିଲ୍ଲୀ ଆଡକୁ ଅଗ୍ରସର ହେଉଥିଲେ । ତେବେ ତାଜା ତଥ୍ୟ ଅନୁସାରେ ବର୍ତ୍ତମାନ ଦିଲ୍ଲୀ ମଧ୍ୟରେ ପ୍ରବେଶ ନକରିବାକୁ ଚାଷୀମାନେ ସ୍ଥିର କରିଛନ୍ତି । ଏହାସହ ସେମାନେ ଦଳିତ ପ୍ରେରଣା ସ୍ଥଳରେ ବସି ଧାରଣା ଦେବେ ବୋଲି କହିଛନ୍ତି ।

ନୂଆ କୃଷି ଆଇନ ଅନୁସାରେ କ୍ଷତିପୂରଣ ଓ ୫ଟି ଦାବି ଉପରେ ଚାଷୀମାନେ ଜୋର ଦେଉଛନ୍ତି । ଏନୋଡ଼ାରୁ ବାହାରିଥିବା ଚାଷୀଙ୍କ ରାଲିଙ୍କୁ ଦଳିତ ପ୍ରେରଣା ସ୍ଥଳ ନିକଟରେ ଅଟକାଇଥିଲା ପୋଲିସ । ତେବେ ଆନ୍ଦୋଳନକାରୀ ଚାଷୀ ବ୍ୟାରିକେଡ ଭାଙ୍ଗି ଆଗକୁ ବଢ଼ିବାକୁ ଲାଗିଥିଲେ । ହେଲେ ପରେ ଚାଷୀ ପଛକୁ ଫେରି ଆସିବା ସହ ଦଳିତ ପ୍ରେରଣା ସ୍ଥଳରେ ଧାରଣାରେ ବସିଛନ୍ତି ।

ବର୍ତ୍ତମାନ ପାଇଁ ଦିଲ୍ଲୀ ଚଲୋ ଡାକରା ସ୍ଥଗିତ

ବର୍ତ୍ତମାନ ଦିଲ୍ଲୀ ଯିବା ନିଷ୍ପତ୍ତିରୁ ଆନ୍ଦୋଳନକାରୀ ଚାଷୀ ଓହରି ଯାଇଛନ୍ତି । ହେଲେ ସେମାନଙ୍କ ଆନ୍ଦୋଳନ ଜାରି ରହିବ । ଏବେ ଚାଷୀମାନେ ଦଳିତ ପ୍ରେରଣା ସ୍ଥଳରେ ଉପସ୍ଥିତ ଅଛନ୍ତି । ବର୍ତ୍ତମାନ ଏହିଠାରେ ହିଁ ଚାଷୀ ଆନ୍ଦୋଳନକୁ ଆଗକୁ ବଢ଼ାଇବେ । ପ୍ରଶାସନ ପକ୍ଷରୁ ମୁଖ୍ୟ ସଚିବଙ୍କ ସହ ଚାଷୀଙ୍କ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି । ଯାହା ଉପରେ ଚାଷୀ ବିଚାର କରୁଛନ୍ତି । ଯଦି ଆଲୋଚନା ବିଫଳ ହେଲା, ତେବେ ସେମାନେ ପୁଣି ଦିଲ୍ଲୀ ଅଭିମୁଖେ ରାଲି ବାହାର କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଏବେ ସଂସଦରେ ଶୀତ ଅଧିବେଶନ ଚାଲିଛି । ଏମିତି ସ୍ଥିତିରେ ଆନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୋଲିସ ଦିଲ୍ଲୀ-ଏନସିଆରରେ ବ୍ୟାରିକେଡ ଲଗାଇବା ସହ ରୁଟ ପରିବର୍ତ୍ତନ କରିଦେଇଛି । ଏହାସହ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

ସମ୍ଭଲକୁ ନେଇ କଂଗ୍ରେସ କର୍ମୀ ଓ ୟୁପି ପୋଲିସ ଧସ୍ତାଧସ୍ତି

ଲକ୍ଷ୍ନୌ: ସମ୍ଭଲ ବିବାଦକୁ ନେଇ ଉତ୍ତର ପ୍ରଦେଶ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି । କଂଗ୍ରେସର ଲକ୍ଷ୍ନୌ ଅଫିସ ଆଗରେ ପ୍ରବଳ ଉତ୍ତେଜନା। ପରିସ୍ଥିତି ଏପରି ହୋଇଛି ଯେ, ଆଇନ ଶୃଙ୍ଖଳା ଭାଙ୍ଗି ଯିବାର ଆଶଙ୍କା ଦେଖାଦେଇଛି । କାରଣ ସମ୍ଭଲକୁ ଯିବା ପାଇଁ କଂଗ୍ରେସର ଏକ ପ୍ରତିନିଧି ଟିମ୍ ବାହାରିଥିବା ବେଳେ ଅଫିସ ସାମ୍ନାରେ ହିଁ ସେମାନଙ୍କୁ ଅଟକାଇଥିଲା ୟୁପି ପୋଲିସ ।

ସମ୍ଭଲର ଏକ ମସଜିଦ ସର୍ଭେକୁ ନେଇ କିଛି ଦିନ ତଳେ ସେଠାରେ ପ୍ରବଳ ହିଂସାକାଣ୍ଡ ହୋଇଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହି ଦିନଠାରୁ ସେଠାରେ ଲାଗିଛି ରହିଛି ଉତ୍ତେଜନା । ସ୍ଥିତି ସମ୍ଭାଳିବାକୁ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରିଛି ପୋଲିସ । କାହାକୁ ସେଠାକୁ ଯିବା ପାଇଁ ଦିଆଯାଉନାହିଁ । କିନ୍ତୁ ଶାନ୍ତି ଫେରାଇ ଆଣିବା ପ୍ରୟାସରେ କଂଗ୍ରେସ ସମ୍ଭଲ ଯାଇ ଲୋକଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଥିଲା ଓ ସେଠାକୁ ଯିବା ପାଇଁ ବାହାରିଥିଲା । ଏଥିରେ କିନ୍ତୁ ବାଧା ଦେଇଛି ପୋଲିସ । ତେଣୁ କଂଗ୍ରେସ କର୍ମୀ ଓ ଉତ୍ତର ପ୍ରଦେଶ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।

ଧମକପୂର୍ଣ୍ଣ ଭିଡିଓ ପଠାଇବାକୁ ପନ୍ନୁ ପାଇଁ ତିଆରି ହୋଇଥିଲା ନୂଆ ଡୋମେନ

ନୂଆଦିଲ୍ଲୀ: ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ସର୍ବଭାରତୀୟ ଡିଜିପି ଓ ଆଇଜିପି ସମ୍ମିଳନୀକୁ ନେଇ ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁର ଧମକପୂର୍ଣ୍ଣ ଭିଡିଓ ଓ ମେଲକୁ ନେଇ ଆସିଛି ଚାଞ୍ଚଲକର ତଥ୍ୟ । ଏହି ଭିଡିଓ ଓ ମାଲ ପଠାଇବାକୁ ଧମକର ଦୁଇଦିନ ପୂର୍ବରୁ ତିଆରି କରାଯାଇଥିଲା ଉକ୍ତ ଓ୍ବେବସାଇଟର ଡୋମେନ ।

ଡିଜିପି ସମ୍ମିଳନୀରେ ଧମକ ଦେବା ପାଇଁ କେବଳ ଏହି ଡୋମେନ୍ ବ୍ୟବହାର କରାଯାଇଛି । ଭୁବନେଶ୍ବରରେ ଆୟୋଜିତ ଡିଜିପି ଓ ଆଇଜିପି ସମ୍ମିଳନୀ ବେଳେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଏହାକୁ ଭଣ୍ଡୁର କରିବା ଲାଗି ଧମକପୂର୍ଣ୍ଣ ଭିଡିଓ ବାର୍ତ୍ତା ଦେଇଥିଲା । ଏହାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ୍ । ଏନେଇ ଗୁଗୁଲକୁ ବି ଚିଠି ଲେଖି ତଥ୍ଯ ମାଗିଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ, ଜଣେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ ଆସିଥିଲା ପନ୍ନୁର ଏହି ଧମକପୂର୍ଣ୍ଣ ମେଲ୍ । ଏଥିରେ ଡିସେମ୍ବର ୧ ତାରିଖରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉଡ଼ାଣ ନଭରିବାକୁ ଚେତାବନୀ ଦେଇଥିଲା ପନ୍ନୁ ।

ପ୍ରଧାନମନ୍ତ୍ରୀଙ୍କ ସହ ବାଚସ୍ପତି ଓ ଉପବାଚସ୍ପତି ବିଜେପି କାର୍ଯ୍ୟାଳୟ ବୁଲିବା ପଦର ଅମର୍ଯ୍ୟାଦା : ବିଜେଡି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜେପି କାର୍ଯ୍ୟାଳୟ ପରିଦର୍ଶନ ସମୟରେ ବାଚସ୍ପତି ଓ ଉପବାଚସ୍ପତି ଉପସ୍ଥିତ ରହିବା ନେଇ ପ୍ରଶ୍ନ ଉଠାଇଛି ବିଜେଡି। ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଏଥିରୁ ନିବୃତ ରହିବାକୁ ଗୃହକୁ ଜଣାଇଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ। ବାଚସ୍ପତି ଓ ଉପବାଚସ୍ପତି ଏକ ସାମ୍ବିଧାନିକ ପଦବୀର ଥାଇ ପାର୍ଟି ଅଫିସକୁ ଯିବା ଆବଶ୍ୟକତା ନଥିଲା। ଯିବା ଫଳରେ ନିର୍ଦ୍ଦିଷ୍ଟ ଦଳରେ ପାଇଁ କାମ କରୁଛନ୍ତି ବୋଲି ଜଣାପଡ଼ୁଛି।

ବାଚସ୍ପତିଙ୍କ କର୍ତ୍ତବ୍ୟ ଗୃହର ଶାଳୀନତା ଓ ମର୍ଯ୍ୟାଦା ରକ୍ଷା କରିବା । ଆଇନର ରକ୍ଷା କରିବା। କେହି ସମ୍ବିଧାନ ଉପରେ ନୁହନ୍ତି କି ଆଇନର ଉର୍ଦ୍ଧ୍ବରେ ନୁହଁନ୍ତି। ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନରେ ରହି ଏଭଳି କରିବା ଫଳରେ ବାଚସ୍ପତିଙ୍କ ଉପରେ କଳାଦାଗ ସୃଷ୍ଟି କରିବ ବୋଲି କହିଛନ୍ତି ପ୍ରତାପ ଦେବ। ଏହି କଥାକୁ କେହି ସମାଲୋଚନା କଲେ ଏହାଦ୍ବାରା ସମସ୍ତେ ନିନ୍ଦିତ ହେବେ। ତେଣୁ ଏଭଳି ଦୃଷ୍ଟାନ୍ତ ଭବିଷ୍ୟତରେ ସୃଷ୍ଟି କରାନଯାଉ ବୋଲି ନିବେଦନ କରିଛନ୍ତି ପ୍ରତାପ । ଅନ୍ଯପଟେ ପ୍ରତାପ ଏହି ପ୍ରସଙ୍ଗ ଉଠାଇବାବେଳେ ଗୃହରେ ବିଜେପି ବିଧାୟକ ମାନେ ହଟ୍ଟଗୋଳ କରିଥିଲେ।

ଆସନ୍ତାକାଲି ପୋଲାଭରମ ପ୍ରସଙ୍ଗରେ ବିଜେଡିର ଦିଲ୍ଲୀ ଗସ୍ତ

ଭୁବନେଶ୍ବର: ମାଟି ଓ ମାଆ ପାଇଁ ଲଢେଇକୁ ଜୋରଦାର କଲା ବିଜେଡି । ପୋଲାଭରମ ପ୍ରସଙ୍ଗରେ ଅଧିକ ତଥ୍ୟ ସଂଗ୍ରହ ଓ ଦାବି ଉପସ୍ଥାପନ ପାଇଁ ବିଜେଡିର ୭ ଜଣିଆ ଟିମ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବ। ୫ ତାରିଖ ଯାଏଁ ଦିଲ୍ଲୀରେ ସେଣ୍ଟ୍ରାଲ ୱାଟର କମିଶନ, ଜଳଶକ୍ତି ମନ୍ତ୍ରାଳୟ, ଆଦିବାସୀ ବ୍ୟାପାର ବିଭାଗକୁ ସ୍ମାରକପତ୍ର ଦେବ ଦଳ । ଦିଲ୍ଲୀ ଅଭିମୁଖେ ଓଡିଶାରୁ ଯିବେ ୭ ଜଣିଆ ଟିମ୍ । ସେଠାରେ ସାତ ଜଣ ସାଂସଦ ମଧ୍ଯ ଏହି ଟିମ ସହ ସାମିଲ ହେବେ। କମିଟିରେ ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ମାନସ ମାଡକାମୀ ପ୍ରମୁଖ ରହିଛନ୍ତି। ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟିର ସହାୟତା ଦେଇଛନ୍ତି ।

ଟିଡିପି ମଧ୍ୟ ଏହି କାର୍ଯ୍ୟ ସାରିବାକୁ ଜୋରଦାର ଉଦ୍ୟମ କରୁଛନ୍ତି । ଏନଜିଟି ଅର୍ଡରକୁ ବି ଷ୍ଟେ କରି ପ୍ରକଳ୍ପ କାମ କରାଯାଉଛି। ଏସବୁ ସମସ୍ୟା ଅବଗତ କରିବାକୁ ଉଦ୍ୟମ କରିବ ବିଜେଡି। ମାଲକାନଗିରିରେ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରି ବିଜେଡି ଟିମ୍ ରିପୋର୍ଟ ଦେଇଥିଲେ । ପୋଲାଭରମ ପ୍ରକଳ୍ପରେ ୩୬ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନକୁ ୫୦ ଲକ୍ଷ କ୍ୟୁସେକରେ ପରିବର୍ତ୍ତନ ପରେ କ୍ଷୟକ୍ଷତିର ଆକଳନ ହୋଇନି। ବିଜେଡି ଟିମ୍ ପୋଲାଭରମ ସାଇଟରେ ପ୍ରସ୍ତୁତି ଦେଖି ଫେରିଛି । ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷ ମୁଖ୍ଯ ନରସିଂହ ମୂର୍ତ୍ତି ଓ ଟେକ୍ନିକାଲ ଟିମ ସହ ଆଲୋଚନା ହୋଇଥିଲା । କିନ୍ତୁ ସେମାନେ ପ୍ରକଳ୍ପକୁ ନେଇ ସବିଶେଷ ତଥ୍ୟ ଦେଇନଥିଲେ ।

୨୦୦୭ରୁ ଟ୍ରାଇବଲ ଆଫେୟାର୍ସ, ଜଙ୍ଗଲ ପରିବେଶ ବିଭାଗର ନିର୍ଦ୍ଦେଶ ଉଲ୍ଲଙ୍ଘନ ନେଇ ପ୍ରଶ୍ନ ଉଠାଇ ଆସୁଛି ଦଳ। ଆଇନଗତ ଲଢେଇ ମଧ୍ୟ ଜାରି ରହିଛି । ପ୍ରକଳ୍ପର ପରିବର୍ତ୍ତନ ଡିଜାଇନର କ୍ଷୟକ୍ଷତି ଆକଳନ କରାଯାଇ ସୁପ୍ରିମକୋର୍ଟକୁ ଦିଆଯାଇନି। ପ୍ରଥମେ ବ୍ୟାକ ୱାଟର ୧୭୪.୨୨ ମିଟର ରହିବ ବୋଲି ଆକଳନ କରାଯାଇଥିଲା। ପରେ ୨୧୩ ମିଟର ଯାଏଁ ରହିବ ବୋଲି କୁହାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୨୩୨.୨୮ ମିଟର ବ୍ୟାକ ୱାଟର ରହିବ ବୋଲି ଆଇଆଇଟି ରୁରକି ଆକଳନ କରିଛି। ଏ ସମ୍ପର୍କରେ କର୍ତ୍ତୃପକ୍ଷ ଟେକ୍ନିକାଲ ସ୍ବଚ୍ଛତା ଦେଇନାହାଁନ୍ତି । ବର୍ତ୍ତମାନ ନିଷ୍ପତ୍ତି ଅନୁଯାୟୀ ବିଜେଡି ଏହି ପ୍ରସଙ୍ଗକୁ ନେଇ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ।

ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମା, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନରେ ତାତି। ବିରୋଧୀଙ୍କ ହଙ୍ଗାମାରେ ହୁଲସ୍ତୁଲ ହୋଇଛି ଉଭୟ ଲୋକସଭା ଓ ରାଜ୍ୟସଭା। ଗୃହକାର୍ଯ୍ୟ ଚାଲିପାରିନାହିଁ। ଲୋକସଭାକୁ ବାଚସ୍ପତି ଆସନ୍ତାକାଲି ଦିନ ୧୧ଟା ଯାଏ ମୁଲତବୀ କରିଛନ୍ତି। ବିରୋଧୀଙ୍କ ହଙ୍ଗାମା ପାଇଁ ପ୍ରଥମେ ଦିନ ୧୨ଟା ଯାଏ ମୁଲତବୀ କରାଯାଇଥିଲା। ୧୨ଟା ପରେ ବି ସ୍ଥିତି ସ୍ଵାଭାବିକ ନ ହେବାରୁ ଆସନ୍ତାକାଲି ଯାଏ ମୁଲତବୀ କରାଯାଇଛି। ଆଜି ହେଉଛି ସଂସଦ ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ। ଆଦାନୀ ଦ୍ଵାରା ଲାଞ୍ଚ ପ୍ରସଙ୍ଗ, ସମ୍ଭଲ ହିଂସା, ଅଜମେର ଦରଘା ସର୍ଭେ, ମଣିପୁର ହିଂସା ଆଦି ପ୍ରସଙ୍ଗ ଉଠାଇ ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀ।

କିନ୍ତୁ ଗୃହର ଅଧ୍ୟକ୍ଷ ଅନୁମତି ନଦେବାରୁ ହଙ୍ଗାମା କରିଥିଲେ ବିରୋଧୀ। ବିଶେଷ କରି ଆଦାନୀ ଲାଞ୍ଚ ଦେବା ପ୍ରସଙ୍ଗରେ ଆଲୋଚନା ପାଇଁ ଅଡ଼ି ବସିଛନ୍ତି ବିରୋଧୀ। ସେହିପରି ସମ୍ଭଲ ହିଂସା, ଅଜମେର ଦର୍ଘା ସର୍ଭେ, ମଣିପୁର ହିଂସା, ଚାଷୀ ଆନ୍ଦୋଳନ ଉପରେ ଗୃହରେ ଆଲୋଚନା ହେଉ ବୋଲି ଦାବି କରିଛନ୍ତି ବିରୋଧୀ ସାଂସଦ ଉଭୟ ଗୃହରେ ସ୍ଲୋଗାନ ଦେଇଛନ୍ତି, ପାଟିତୁଣ୍ଡ କରିଛନ୍ତି। ଗୃହ ଚଳାଇବା ସମ୍ଭବ ନ ହେବାରୁ ବାଚସ୍ପତି ଲୋକସଭାକୁ ୧୨ଟା ଯାଏଁ ଓ ଉପରାଷ୍ଟ୍ରପତି ରାଜ୍ୟସଭାକୁ ୧୨ଟା ଯାଏଁ ମୁଲତବୀ କରିଥିଲେ। ପରେ ଲୋକସଭାକୁ ଆସନ୍ତାକାଲି ଦିନ ୧୧ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି। ସେହିପରି ରାଜ୍ୟସଭା ମଧ୍ୟ ଚାଲି ପାରିନଥିଲା। ତେଣୁ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ କରାଯାଇଛି। ସଂସଦ ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ ହୋଇଥିବା ବେଳେ ଆଗରୁ ୪ ଦିନ ମଧ୍ୟ ଗୃହ ଚାଲି ପାରିନଥିଲା।

ଆର୍ଥିକ ଅନୁଦାନ ଖର୍ଚ୍ଚ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ଆର୍ଥିକ ଅନୁଦାନ ଖର୍ଚ୍ଚ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ଏପର୍ଯ୍ୟନ୍ତ ଆର୍ଥିକ ଅନୁଦାନ ଖର୍ଚ୍ଚ ହୋଇନି କାହିଁକି ପଚାରିଲେ ପ୍ରଶ୍ନ। ତେବେ ବିଧାନସଭାରେ ବିଜେଡି ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି- ନିର୍ବାଚନ ଯୋଗୁଁ ଅର୍ଥ ଖର୍ଚ୍ଚ ହୋଇ ପାରିନାହିଁ। ଏହାକୁ ନେଇ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି- ନିର୍ବାଚନ ପରେ ନୂଆ ସରକାର ବଜେଟ ଆଣିଲେ। ଯଦି ଏବେ ଖର୍ଚ୍ଚ କରି ପାରିଲେ ନାହିଁ, ମାର୍ଚ୍ଚ ସୁଦ୍ଧା କଣ ଖର୍ଚ୍ଚ କରିବେ। କେବଳ ଓଡ଼ିଆ ଅସ୍ମିତା କହିଲେ ହେବନି।

ତେଣେ ଗୃହରେ ପ୍ରଶ୍ନୋତ୍ତର କାଳରେ ବିରୋଧୀ ଦଳ ବିଜେଡି ପକ୍ଷରୁ ସରକାରଙ୍କ ଭୁଲ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଧାୟକ ରମେଶ ବେହେରା ଯେଉଁ ପ୍ରଶ୍ନ ପଚାରିଥିଲେ, ତାହାର ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ରଖୁଥିଲେ। ହେଲେ ନିୟମ ଅନୁସାରେ, ଆଗ ଉତ୍ତର କପି ବିଧାୟକଙ୍କୁ ମିଳିବା କଥା। ଯାହା ବିଧାୟକଙ୍କୁ ମିଳି ନଥିଲା। ଯେଉଁଥି ପାଇଁ ବିଜେଡି ପକ୍ଷରୁ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଆପତ୍ତି ଉଠାଇଥିଲେ। ଏନେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି- ଯଦି ବି କପି ଆସିନି, ଆଇନ ମନ୍ତ୍ରୀ ଉତ୍ତର ରଖୁଛନ୍ତି। ତେଣୁ ଶୁଣିବାକୁ ହେବ। ବିଜେଡି ବି ଏନେଇ ଧୈର୍ଯ୍ୟ ରଖିଥିଲା। ତେବେ ଉତ୍ତର କପି ବିଧାୟକ ରମେଶ ବେହେରାଙ୍କ ନିକଟକୁ ଆସିଥିଲା।

ବିଧାନସଭାରେ ଆଳୁ ତାତି ; ଆଳୁ କେଉଁ ଟ୍ରେନରେ ଆସୁଛି ପ୍ରମିଳାଙ୍କ ପ୍ରଶ୍ନ

ଭୁବନେଶ୍ବର: ବିଧାନସଭାରେ ଆଳୁ ତାତି । ଆଳୁ ସଙ୍କଟ ନେଇ ମୁହାଁମୁହିଁ ହେଲେ ସରକାର ଓ ବିରୋଧୀ । ବିଧାନସଭା ଶୂନ୍ୟକାଳରେ ଉଠିଲା ଆଳୁ ସଙ୍କଟ ପ୍ରସଙ୍ଗ। ଯୋଗାଣମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ। ରାଜ୍ଯ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ। ପ୍ରମିଳା ମଲ୍ଲିକ କହିଛନ୍ତି- କେଉଁଠୁ ଯୋଗାଣ ମନ୍ତ୍ରୀ ୩୦ ଟଙ୍କାରେ ଆଳୁ କିଣିଲେ ସେହି ଠିକଣା ଦିଅନ୍ତୁ। ଆଳୁ କେଉଁ ଟ୍ରେନରେ ଆସୁଛି ତାହାର ଉତ୍ତର ଦିଅନ୍ତୁ। ସେହି ଗାଡିରି ଇଞ୍ଜିନ କଣ ଟାଣୁନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା।

ଆଳୁ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ  । ଉତ୍ତର ପ୍ରଦେଶରୁ ଯେଉଁ ଆଳୁ ଆସୁଛି, ସେଥିରେ ଗୋଟିଏ ପ୍ୟlକେଟ ୮ କିଲୋ ପଚା ଆଳୁ ଆସୁଛି  । ଆଳୁ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି  । ରାଜ୍ୟ ସରକାର କାହା ସହ ଆଲୋଚନା କରୁଛନ୍ତି ତାହା କୁହନ୍ତୁ।

AAPରେ ସାମିଲ ହେଲେ UPSCର ଲୋକପ୍ରିୟ ଶିକ୍ଷକ ଅବଧ ଓଝା

ନୂଆଦିଲ୍ଲୀ: ଆପରେ ସାମିଲ ହେଲେ ୟୁପିଏସସିର ଖ୍ୟାତିନାମ ଶିକ୍ଷକ ତଥା ମୋଟିଭେସନାଲ ସ୍ପିକର ଅବଧ ଓଝା । ଅରବିନ୍ଦ୍ର କେଜରିଓ୍ବାଲ ଏବଂ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ଆପରେ ଯୋଗ ଦେଇଛନ୍ତି ଅବଧ ଓଝା  । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ରାଜନୀତିରେ ସୁଯୋଗ ଦେଇଥିବାରୁ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ମନୀଷ ସିସୋଦିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅବଧ ଓଝା ।

ଆପରେ ଅବଧ ଓଝା ସାମିଲ ହେବା ପରେ ଅରବିନ୍ଦ କେଜରିଓ୍ବାଲ ତାଙ୍କୁ ଦଳରେ ସ୍ବାଗତ କରିବା ସହ ଦିଲ୍ଲୀରେ ଶିକ୍ଷାକ୍ଷେତ୍ରରେ କ୍ରାନ୍ତି ଆଣିବାରେ ସେ ସହାୟକ ହେବେ ବୋଲି କହିଛନ୍ତି । ଦଳ ତାଙ୍କର ପ୍ରୟାସ ଏବଂ ଚିନ୍ତାଧାରାକୁ ସମ୍ମାନ ଦେବ । ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଛି। ଏମିତିରେ ସେ ଦିଲ୍ଲୀରେ ଆପ୍‌ର ଟିକେଟରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି।

ଉତ୍ତରପ୍ରଦେଶ ଗୋଣ୍ଡାରୁ ଆସିଥିବା ଅବଧ ଓଝା ୟୁପିଏସସି ଏବଂ ମୋଟିଭେସନାଲ ସ୍ପିକର ପାଇଁ ଘରେ ଘରେ ପରିଚିତ । ତାଙ୍କର ପୁରା ନାମ ଅବଧ ପ୍ରତାପ ଓଝା ଅଟେ । ତାଙ୍କର ପ୍ରାଥମିକ ଶିକ୍ଷା ଗୋଣ୍ଡାରେ ହୋଇଥିଲା । ସେ ଗୋଣ୍ଡାର ଫତିମା ଇଣ୍ଟର କଲେଜରୁ ଗ୍ରାଜୁଏଟ ହୋଇଛନ୍ତି । ଆସନ୍ତା ଫେବୃୟାରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ ଅବଧ ଓଝା ପ୍ରାର୍ଥୀ ଭାବରେ ଛିଡା ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । କିଛିଦିନ ପୂର୍ବେ ଅରବିନ୍ଦ କେଜରିଓ୍ବାଲ ସବୁ କ୍ଷେତ୍ରରୁ  ଆପ ଏକାକୀ ଲଢିବ ବୋଲି ସୂଚନା ଦେଇଥିଲେ ।

ଅବଧ ଓଝା ଦଳରେ ସାମିଲ ହେବା ପରେ ଆପର ସମସ୍ତ ନେତା ଏବଂ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶିକ୍ଷା କ୍ଷେତ୍ରରେ ବିକାଶ ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହି କ୍ଷେତ୍ରରେ ତାଙ୍କୁ କାମ କରିବାକୁ ସୁଯୋଗ ଦେଇଥିବାରୁ ସେ କେଜରିଓ୍ବାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଫୁଟବଲ ମ୍ୟାଚ ବେଳେ ରକ୍ତ ସଂଘର୍ଷ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଖେଳ ପଡ଼ିଆ ପାଲଟିଲା ଯୁଦ୍ଧ ମଇଦାନ । ଫୁଟବଲ ମ୍ୟାଚ ବେଳେ ରକ୍ତ ସଂଘର୍ଷ । ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଫୁଟବଲ ମ୍ୟାଚ ସମୟରେ ହୋଇଥିବା ହିଂସାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏଭଳି ଘଟଣା ଘଟିଛି ଆଫ୍ରିକୀୟ ଦେଶ ଗିନିରେ ।

ରବିବାର ଜେରିକୋରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମ୍ୟାଚ ଦେଖିବାକୁ ହଜାର ହଜାର ଦର୍ଶକ ଉପସ୍ଥିତ ରହିଥିଲେ । ଏହି ସମୟରେ ମ୍ୟାଚରେ ରେଫରି ଏକ ଭୁଲ ନିଷ୍ପତ୍ତି ଦେଇଥିଲେ । ଯାହାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ରେଫରିଙ୍କ ଭୁଲ ନିଷ୍ପତ୍ତି ପରେ ଦର୍ଶକମାନେ ଗ୍ୟାଲେରୀରୁ ସିଧା ସଳଖ କିଛି ଦର୍ଶକ ପଡ଼ିଆ ମଝିରେ ପ୍ରବେଶ କରିଥିଲେ । ଚାହୁଁ ଉଭୟ ଗୋଷ୍ଠିର ସମର୍ଥକଙ୍କ ମଧ୍ୟରେ ହୋଇଥିଲା ରକ୍ତ ସଂଘର୍ଷ । ଯେଉଁଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମେଡିକାଲରେ ଶବର ଳମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଆଇନ ପରିସ୍ଥିତି ପାଇଁ ଉତ୍ୟକ୍ତ ଲୋକେ ଥାନାରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚ୍ ଗିନିର ଜୁଣ୍ଟା ନେତା ମାମାଦି ଡୋମ୍ବୁୟାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଟୁର୍ନାମେଣ୍ଟର ଅଂଶ ଥିଲା। ଯିଏ ୨୦୨୧ରେ ଆକ୍ରମଣ ପୂର୍ବକ କ୍ଷମତା ଦଖଲ କରି ନିଜକୁ ରାଷ୍ଟ୍ରପତି ଭାବରେ ଘୋଷଣା କରିଥିଲେ।