spot_img
Home Blog Page 1312

ଖୋଲିଲା ଅଟେଇ ଜଙ୍ଗଲ ସଫାରୀ

ଘଟଗାଁ : କେନ୍ଦୁଝର ଜିଲ୍ଲାରେ ପର୍ଯ୍ଯଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହୋଇଛି ନୂଆ ପରିକଳ୍ପନା । ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି ଅଟେଇ ଜଙ୍ଗଲ ସଫାରୀ । ମାଆ ତାରିଣୀଙ୍କ ମନ୍ଦିର ନିକଟରୁ ମାତ୍ର ୪କିଲୋମିଟର ଦୂରରେ ଅଟେଇ ସଫାରୀର ମଜା ନେଇପାରିବେ ପର୍ଯ୍ଯଟକ । ଶିମିଳିପାଳ ଏବଂ ସାତକୋଶିଆ ଜଙ୍ଗଲ ମଝିରେ ଅବସ୍ଥିତ ଏହି ଅଟେଇ ଜଙ୍ଗଲ । ବିଭିନ୍ନ ବିରଳ ବୃକ୍ଷଲତାରେ ପରିପୂର୍ଣ ଅଟେଇ ଜଙ୍ଗଲ ପ୍ରକୃତିପ୍ରେମୀଙ୍କୁ ବେଶ ଆକର୍ଷିତ କରିଥାଏ । ଏବେ ଅଟେଇ ସଂରକ୍ଷିତ ଜଙ୍ଗଲରେ ଥିବା ମହାବଳ ବାଘ ସହିତ ହାତୀ, ହରିଣ, ଠେକୁଆ, ବିରଳ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ଦେଖିବା ପାଇଁ ସ୍ଵତନ୍ତ୍ର ବ୍ଯବସ୍ଥା କରାଯାଇଛି । ପର୍ଯ୍ଯଟକମାନେ ଯେପରି ଜଙ୍ଗଲ ସଫାରୀର ଅନୁଭୂତି ସାଉଣ୍ଟିପାରିବେ ସେଥିପାଇଁ ସ୍ୱତନ୍ତ୍ର ସଫାରୀ ଗାଡିର ବ୍ୟବସ୍ଥା କରିଛି ବନ ବିଭାଗ । ସଫାରୀର ମଜା ନେବାକୁ ପର୍ଯ୍ଯଟକମାନଙ୍କ ମଧ୍ଯରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ଅଟେଇ ଜଙ୍ଗଲ ସଫାରୀ ବୁଲିବା ପାଇଁ ତାର ଟିକେଟ ବୁକିଂ କାଉଣ୍ଟର ମାଆ ତାରିଣୀ ମନ୍ଦିର ପରିସରରେ ରହିଛି । ଜଙ୍ଗଲ ସଫାରୀ ଗାଡ଼ିରେ ୪୦ କିଲୋ ମିଟର ଜଙ୍ଗଲ ବୁଲିବେ ପର୍ଯ୍ୟଟକ । ପାଖାପାଖି ତିନି ଘଣ୍ଟାର ଯାତ୍ରା । ପର୍ଯ୍ଯଟମାନେ  ଟିକେଟ ବୁକିଂ ସକାଳ ୬ ଟାରୁ  ୯:୩୦ ମଧ୍ୟରେ କରିପାରିବେ । ଟିକେଟ ମୂଲ୍ୟ ନନ୍ ଏ.ସି ଗାଡ଼ି ପାଇଁ ୨୦୦ ଟଙ୍କା ଏବଂ ଏ.ସି ଗାଡ଼ି ପାଇଁ ୨୫୦ ଟଙ୍କା ରଖାଯାଇଛି । ସଫାରୀ ଗାଡ଼ିରେ ବସି ପର୍ଯ୍ୟଟକ ଜଙ୍ଗଲ ଭିତରେ ମୟୂର ଭ୍ୟାଲି, ୱାଚ୍ ଟାୱାର, ଭିଉ ପଏଣ୍ଟ ଏବଂ ଦରଗଡଶିଳା ଡ୍ୟାମ୍ ଦେଖିପାରିବେ ।

କେବେ ସରିବ ଦାଦନ ଯନ୍ତ୍ରଣା ? ଲକ୍ଷାଧିକ ଶ୍ରମିକଙ୍କୁ କରାଯାଉଛି ଚାଲାଣ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରୁ ଦାଦନ ଶ୍ରମିକଙ୍କ ମୂଳପୋଛ କରିବାକୁ ବିଜେପି ସରକାର ଟାସ୍କଫୋର୍ସ ଗଠନ କରିଛନ୍ତି । ଟାସ୍କଫୋର୍ସର ମୁଖ୍ୟ ଭାବେ ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂଦେଓଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଛନ୍ତି । ହେଲେ ଟାସ୍କଫୋର୍ସ ଗଠନ ପରେବି ଶ୍ରମିକ ଚାଲାଣ ଥମିବାର ନାଁ ଧରୁନି । କଥାରେ ଟାସ୍କଫୋର୍ସ କିନ୍ତୁ ସର୍ଦ୍ଦାରଙ୍କ ଭିତିରି ବୁଝାମଣାରେ ଚାଲିଛି ବେଆଇନ ଶ୍ରମିକ ଚାଲାଣ । ଏହି ଫଟୋ ଓ ଭିଡିଓରୁ ସ୍ପଷ୍ଟ ବୁଝାପଡୁଛି କେମିତି ଚାଲିଛି ଟାସ୍କଫୋର୍ସ  ଓ ଶ୍ରମିକ ଚାଲାଣ ରୋକିବାକୁ କେତେ ତତ୍ପର ପୋଲିସ ଓ ଜିଲ୍ଲା ଶ୍ରମ ବିଭାଗ । ରାଜ୍ୟ ବାହାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହେଉ କିମ୍ବା ଶ୍ରମିକ ନିର୍ଯାତନାର ଶିକାର ଏସବୁ ଘଟଣାରେ ପାଟଣାଗଡ଼ ପୋଲିସ ବଦନାମ ହେବାରେ ଲାଗିଛି  । କାରଣ ପାଟଣାଗଡ଼ ଥାନା ଅଧିକାରୀ ହରିବନ୍ଧୁ ଗଡତିଆ ଓ ଦାଦନ ସର୍ଦ୍ଦାର ଶ୍ରୀଧର କୁମାର କିପରି କଣ୍ଟାବାଞ୍ଜିର ରାଜରାସ୍ତା ଉପରେ ଚା ଖଟିରେ ମଉଜ କରୁଛନ୍ତି ତା ଫଟୋ ଭାଇରାଲ ହେବାରେ ଲାଗିଛି । ଖାଲି ଏତିକି ନୁହେଁ ଥାନା ବାବୁ ଜଣକ ସର୍ଦ୍ଦାର ଗାଡିରେ ପାଟଣାଗଡ଼ରୁ କଣ୍ଟାବାଞ୍ଜି ଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଦାଦନ ସର୍ଦ୍ଦାର ନିର୍ଯ୍ୟାତନା ମାମଲାର ତଦନ୍ତ ପାଇଁ ଖୋଦ ଥାନା ବାବୁ ସର୍ଦ୍ଦାର ଗାଡିରେ ବୁଲିବେ। ସର୍ଦ୍ଦାର ସହ ଚା ପିଇବେ ତାହେଲେ ତାଙ୍କ ପାଖରୁ ନିରପେକ୍ଷ ତଦନ୍ତ କେମିତି ଆଶା କରାଯିବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ଓ ଶ୍ରମିକ ନେତା ।

ଗତ କିଛି ଦିନ ତଳେ ପାଟଣାଗଡ଼ କଦଳୀମୁଣ୍ଡା ଗାଁର ଅଜିତ ବାଗ ନାମକ ଜଣେ ଶ୍ରମିକଙ୍କୁ କଣ୍ଟାବାଞ୍ଜିର ଦାଦନ ସର୍ଦ୍ଦାର ସୁରେଶ ରାଓ ଅପହରଣ କରି ଜଙ୍ଗଲ ଭିତରେ ଉଲଗ୍ନ କରି ମରଣାନ୍ତକ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ଏତଲା ପରେ ପୋଲିସ ଚୁପ୍ ରହିଥିଲା  । ଗତ ୨୪ ତାରିଖରେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଗତ କିଛି ଦିନ ତଳେ ପାଟଣାଗଡ଼ ଥାନା ଅଧିକାରୀ ଘଟଣାର ତଦନ୍ତ ପାଇଁ କଣ୍ଟାବାଞ୍ଜି ଯାଇଥିଲେ । ତାହା ପୁଣି ସାଦା ପୋଷାକରେ ଅନ୍ୟ ଏକ ଦାଦନ ସର୍ଦ୍ଦାର ଗାଡିରେ । ସେହିପରି କିଛି ଦିନ ତଳେ ପାଟଣାଗଡ଼ ଥାନା ଭିତରେ ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଉଥିବା ଘଟଣାକୁ ନେଇ ବିବାଦକୁ ଆସିଥିଲେ ଥାନା ବାବୁ ।  ଥାନା ବାବୁଙ୍କ ନାଁରେ ବିଭିନ୍ନ ଅଭିଯୋଗ ପରେ ବି ଜିଲ୍ଲା ପୋଲିସ ମୁଖିଆ ଚୁପ୍ ରହୁଥିବାରୁ ଥାନା ବାବୁ ଆଉ ଇନ୍ଦ୍ରଚନ୍ଦ୍ର ମାନୁ ନ ଥିବା ଚର୍ଚ୍ଚା ଚାଲିଛି । ତେବେ ସେ କଣ ପାଇଁ ଦାଦନ ସର୍ଦ୍ଦାର ଗାଡିରେ ଯାଇଥିଲେ ତାହାର ଉପଯୁକ୍ତ ତଦନ୍ତ ହେଲେ ସବୁ ଘଟଣା ସାମ୍ନାକୁ ଆସିବ ବୋଲି ଦାବି ଜୋର ଧରିଛି ।

ରେଲଓ୍ବେ Group-D ନିଯୁକ୍ତି ପାଇଁ ଯୋଗ୍ୟତା ମାନଦଣ୍ଡ ବଦଳିଲା

ନନ୍ଦିଘୋଷ ବ୍ୟୁରୋ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରାର୍ଥୀଙ୍କ ପାଇଁ ରେଲେଓ୍ବ ନିଯୁକ୍ତି ବୋର୍ଡ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ରେଲଓ୍ବେ ତରଫରୁ ଲେବଲ-୧ ନିଯୁକ୍ତି ପାଇଁ ଯୋଗ୍ୟତା ମାନଦଣ୍ଡରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ନୂଆ ମାନଦଣ୍ଡ ଅନୁସାରେ, ଏବେ ଦଶମ ପାସ୍ କରିଥିବା ପ୍ରାର୍ଥୀମାନେ ଲେବଲ-୧ର ପରୀକ୍ଷା ପାଇଁ ଆବେଦନ କରିପାରିବେ । କୌଣସି ପ୍ରାର୍ଥୀଙ୍କ ପାଇଁ ଆଇଟିଆଇ ଆଦି ପ୍ରମାଣପତ୍ରର ବାଧ୍ୟତାମୂଳକ ହେବ ନାହିଁ ।

ଏହା ପୂର୍ବରୁ ଟେକ୍ନିକାଲ ବିଭାଗଗୁଡ଼ିକ ପାଇଁ ପ୍ରାର୍ଥୀ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ପାସ ସହିତ ଏନଏସି ବା ଆଇଟିଆଇ ଡିପ୍ଲୋମା ପାସ୍ ବାଧ୍ୟତାମୂଳକ ଥିଲା । ଏହି ମାମଲାକୁ ସମୀକ୍ଷା କରାଯିବା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜାନୁଆରୀ ୨ରେ ରେଲଓ୍ବେ ତରଫରୁ ସମସ୍ତ ଜୋନ ପାଇଁ ଜାରି ହୋଇଥିବା ପତ୍ରରେ କୁହାଯାଇଛି । ଲେବଲ-୧ ନିଯୁକ୍ତି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ବା ଆଇଟିଆଇ ବା ସମକକ୍ଷ ବା ଏନସିଭିଟି ଦ୍ବାରା ପ୍ରଦାନ କରାଯାଉଥିବା ଏନଏସି ହେବ । ନିକଟରେ ୩୨ ହଜାର ଲେବଲ-୧ ଖାଲି ପଦ ପାଇଁ ନୋଟିଫିକେସନ ଜାରି କରାଯାଇଥିବା ବେଳେ ଜାନୁଆରୀ ୨୩ରୁ ଫେବୃଆରୀ ୨୨ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, ଯେଉଁ ନିଯୁକ୍ତିର ନାମ ପୂର୍ବରୁ ଗ୍ରୁପ-ଡି ଥିଲା, ତାହାକୁ ବୋର୍ଡ ତରଫରୁ ନିକଟରେ ଲେବଲ-୧ କରାଯାଇଥିଲା ।

ଚୀନରେ ପୁଣି ଆତଙ୍କ ଖେଳାଇଲାଣି ଆଉ ଏକ ରହସ୍ୟମୟ ଭାଇରସ୍

ନୂଆଦିଲ୍ଲୀ : କରୋନା ମହାମାରୀର ୫ ବର୍ଷ ପରେ ଚୀନରେ ପୁଣି ଆତଙ୍କ ଖେଳାଇଲାଣି ଆଉ ଏକ ରହସ୍ୟମୟ ଭାଇରସ୍ । ଏହି ଭାଇରସ୍ ର ନାଁ ହେଉଛି ‘ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍’ ବା HMPV । ଏହି ନୂଆ ଭୂତାଣୁକୁ ନେଇ ଏବେ ଚିନ୍ତାରେ ପଡିଛି ଚୀନ । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏଥିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭିଡ଼ ଜମିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କରୋନା ଭଳି HMPV ମଧ୍ୟ ଶ୍ବାସକ୍ରିୟାକୁ ସଂକ୍ରମିତ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଭୂତାଣୁ ଦ୍ରୁତବେଗରେ ସଂକ୍ରମିତ ହେଉଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏପରି କି ଚୀନ ସରକାର ଏଥିପାଇଁ ଜରୁରୀପରିସ୍ଥିତି ଘୋଷଣା କରିଥିବା କେତେକ ସାମାଜିକ ଗଣମାଧ୍ୟମରେ କୁହାଯାଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚୀନର କେତେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଚିହ୍ନଟ କରାଯାଇଛି। ଏପରିକି ବିଭିନ୍ନ ରାଜ୍ୟ ସୀମାକୁ ବନ୍ଦ କରାଯାଇଛି। ତେବେ ଏ ନେଇ ଚୀନ୍ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ରିପୋର୍ଟ ଅନୁସାରେ, ଡିସେମ୍ବର ୧୬ରୁ ୨୨ ତାରିଖ ମଧ୍ୟରେ ଏହି ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। ଚୀନର ରୋଗ ନିୟନ୍ତ୍ରଣ ଏବଂ ନିରୋଧକ ପ୍ରାଧିକରଣ ଏହି ମାମଲାର ଯାଞ୍ଚ କରିବା ସହ ଲ୍ୟାବ୍ ରିପୋର୍ଟିଂ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ଏଥିରେ ଆକ୍ରାନ୍ତ ଲୋକଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଉଛି । ସଂକ୍ରମିତଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି। କରୋନା ଭଳି ଜ୍ବର ଆସୁଥିବା କୁହାଯାଉଛି। ସ୍ବାସ୍ଥ୍ୟା ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି। ଏକ ମିଡିଆ ରିପୋର୍ଟ ଅନୁସାରେ ଏହି ଭାଇରାସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା । ଏହା ସାଧାରଣତଃ ୧୪ ବର୍ଷରୁ କମ ବୟସର ପିଲା ମାନଙ୍କ ଠାରେ ଦେଖାଦିଏ । ଛୋଟ ପିଲା, ବୟସ୍କ ବ୍ୟକ୍ତିମାନଙ୍କୁ  ଏହି ରୋଗ ହେବାର ଆଶଙ୍କା ଅଧିକ ।

HMPV ର ଲକ୍ଷଣଗୁଡିକ କ’ଣ?

ଫ୍ଲ୍ୟୁ ଏବଂ ଅନ୍ୟାନ୍ୟ ଶ୍ବାସକ୍ରିୟା ସଂକ୍ରମଣ ସହିତ HMPV ର ଲକ୍ଷଣ ସମାନ  ।  ସାଧାରଣ ଲକ୍ଷଣ ମଧ୍ୟରେ କାଶ, ଜ୍ୱର, ନାକ ସଂକ୍ରମଣ ଏବଂ ନିଶ୍ୱାସ ପ୍ରଶ୍ୱାସ ଅନ୍ତର୍ଭୁକ୍ତ  ।  ଗୁରୁତର ଅବସ୍ଥାରେ ଏହି ଜୀବାଣୁ ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆ ଭଳି ଜଟିଳତା ସୃଷ୍ଟି କରିପାରେ ।  HMPV ପାଇଁ ଇନକ୍ୟୁବେସନ ଅବଧି ସାଧାରଣତ ତିନିରୁ ଛଅ ଦିନ ମଧ୍ୟରେ ହୋଇଥାଏ ।

କ’ଣ କରିବା ଦରକାର ?

ଅତିକମରେ ୨୦ ସେକେଣ୍ଡ ଯାଏଁ ସାବୁନ ଏବଂ ପାଣିରେ ହାତ ଧୁଅନ୍ତୁ ।

କାଶ କିମ୍ବା ଛିଙ୍କିବା ସମୟରେ ପାଟି ଏବଂ ନାକକୁ ଘୋଡାନ୍ତୁ  ।

ମାସ୍କ ପିନ୍ଧିବା  ସହ ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ  ।

ଧୋଇ ନ ଧୋଇ ଆଖି, ନାକ ଏବଂ ପାଟିକୁ ଛୁଅଁନ୍ତୁ ନାହିଁ ।

ବର୍ତ୍ତମାନ, HMPV ରୋକିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ଥେରାପି କିମ୍ବା ଟିକା ନାହିଁ  ।

ବୈବାହିକ ସମ୍ପର୍କ ଭାଙ୍ଗିଲେ ମହିଳାଙ୍କୁ ଦେବାକୁ ପଡ଼ୁଛି ଅର୍ଥ: କ’ଣ ଏହି ପ୍ରଥା…

ଭୋପାଳ: ବିବାହକୁ ନେଇ ଆମ ସମାଜର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ପ୍ରଥା ଦେଖିବାକୁ ମିଳିଥାଏ । ସାଧାରଣ ଭାବେ କୌଣସି ଦମ୍ପତିଙ୍କର ବୈବାହିକ ସମ୍ପର୍କ ଭାଙ୍ଗିଗଲେ ସେ କ୍ଷେତ୍ରରେ ପୁରୁଷଙ୍କୁ ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ବାବଦରେ ଅର୍ଥ ଦେବାକୁ ପଡ଼ିଥାଏ । ତେବେ ବୈବାହିକ ସମ୍ପର୍କ ଭାଙ୍ଗିଗଲେ ମହିଳାଙ୍କୁ ଅର୍ଥ ଦେବାକୁ ପଡ଼ିଥାଏ ବୋଲି ଯଦି ଆପଣଙ୍କୁ କୁହାଯିବ, ତେବେ ଆପଣମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ବିବାହ ପରେ ସମ୍ପର୍କ ଭାଙ୍ଗିଗଲେ ମହିଳାଙ୍କୁ ଅର୍ଥ ଦେବାକୁ ପଡ଼ୁଛି । ବିବାହ ସହ ଜଡ଼ିତ କିଛି ଭିନ୍ନ ପ୍ରଥା ଆଜି ବି ଆମ ସମାଜର କିଛି ସ୍ଥାନରେ ପ୍ରଚଳିତ ରହିଛି ।

ଏଭଳି ଏକ ଭିନ୍ନ ପ୍ରଥା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ନିଜ ବୈବାହିକ ସମ୍ପର୍କରୁ ବାହାରିବା ପାଇଁ ତାଙ୍କୁ ୧୮ ଲକ୍ଷ ଟଙ୍କା ମଗା ଯାଇଥିବା କହିଛନ୍ତି ରାଜଗଢ଼ ଜିଲ୍ଲାର ଜଣେ ବିବାହିତା ମହିଳା କୌଶଲ୍ୟା । ସେଠାରେ ପିଲାବେଳୁ ହିଁ ଝିଅମାନଙ୍କର ନିର୍ବନ୍ଧ କରି ଦିଆଯାଇଥାଏ । ବିବାହ ପରେ ଝିଅମାନଙ୍କର ସମସ୍ତ ନିଷ୍ପତ୍ତି ଶାଶୂଘର ଲୋକେ ନେଇଥାନ୍ତି । ଯଦି କୌଣସି ଝିଅ ବୈବାହିକ ସମ୍ପର୍କରୁ ବାହାରିବା ପାଇଁ ଚାହିଁବେ, ସେଥିପାଇଁ ତାଙ୍କୁ ଅର୍ଥ ମଗାଯାଇଥାଏ । ଏହ ପ୍ରଥାକୁ ’ଝଗଡ଼ା ନାତରା’ ପ୍ରଥା କୁହାଯାଇଥାଏ । ପଗାରିୟା ଗାଁରେ ରହୁଥିବା କୌଶଲ୍ୟାଙ୍କର ଦୁଇବର୍ଷ ବୟସରେ ନିର୍ବନ୍ଧ ହୋଇସାରିଥିବା ବେଳେ ୨୦୨୧ ମସିହାରେ ୨୨ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା । କୌଶଲ୍ୟାଙ୍କର ପିତା ଜଣେ କୃଷକ । ବିବାହର ୩ ବର୍ଷ ପର୍ଯ୍ୟନ୍ତ କୌଶଲ୍ୟା ହଂସାର ଶିକାର ହୋଇଥିଲେ । ତାଙ୍କୁ ୫ ଲକ୍ଷ ଟଙ୍କା ଓ ଏକ ମୋଟରସାଇକେଲ ମଗାଯାଇଥିଲା । ମାତ୍ର ତାହାକୁ ବରଦାସ୍ତ କରି ନପାରି କୌଶଲ୍ୟା ନିଜ ବାପଘରକୁ ଫେରି ଯାଇଥିଲେ ।

ସାମାଜିକ ଚାପ ଓ ସମ୍ପର୍କ ଭାଙ୍ଗିବାର ଭୟ କାରଣରୁ କୌଶଲ୍ୟାଙ୍କ ଘରଲୋକେ କଥାକୁ ଆଗକୁ ବଢ଼ାଇବାକୁ ଚାହିଁ ନଥିଲେ । ସେମାନେ କୌଶଲ୍ୟାଙ୍କୁ ବୁଝାଇ ସୁଝାଇ ପୁଣି ଥରେ ଶାଶୂଘରକୁ ପଠାଇ ଦେଇଥିଲେ । କୌଶଲ୍ୟା ପାଠ ପଢ଼ି ଚାକିରି କରିବାକୁ ଚାହୁଁଥିଲେ । ତାଙ୍କ ସହ ମାରପିଟ୍‌ ହେଉଥିଲା । ବିବାହ ବନ୍ଧରୁ ମୁକ୍ତ ହେବାକୁ ତାଙ୍କୁ ୧୮ ଲକ୍ଷ ଟଙ୍କା ମଗାଯାଇଥିଲା । ୨୦୨୩ରେ କୌଶଲ୍ୟା ବାପଘରକୁ ଯିବା ପରେ ମାମଲା ପଞ୍ଚାୟତକୁ ଯାଇଥିଲା । କୌଶଲ୍ୟା ଯଦି ବୈବାହିକ ସମ୍ପର୍କ ଭାଙ୍ଗିବେ, ତେବେ ସେଥିପାଇଁ ତାଙ୍କୁ ୧୮ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଥିଲା । କୌଶଲ୍ୟା ସୋନ୍ଦିୟା ସମୁଦାୟର ହୋଇଥିବା ବେଳେ ଏହି ସମୁଦାୟର ଲୋକମାନେ ପୋଲିସ ବା ଆଇନର ସାହାରା ନେବା ବଦଳରେ ପଞ୍ଚାୟତ ମାଧ୍ୟମରେ ନିଜ ମାମଲାର ସମାଧାନ କରିବାକୁ ପ୍ରୟାସ କରିଥାନ୍ତି ।

ରଣପୁରରେ ଦୁଇ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁରରେ ଦୁଇ ଚାଷୀଙ୍କ ମୃତ୍ୟୁ ଅଭିଯୋଗ । ଚଳିତ ବର୍ଷ ଲଗାଣ ବର୍ଷାରେ ଧାନ କ୍ଷୟକ୍ଷତିକୁ ନେଇ ଗୋଟିଏ ପଞ୍ଚାୟତର ଦୁଇ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରଣପୁରର ପ୍ରାୟ ୩୭ଟି ପଞ୍ଚାୟତର ଚାଷୀ ମାନଙ୍କର ଧାନ ଫସଲ ସହିତ ପନିପରିବା ଚାଷ କ୍ଷୟକ୍ଷତି ହୋଇଛି । ପ୍ରାୟ ୩୯୦୦ ହେକ୍ଟର ଧାନ ଫସଲରେ ଶତକଡା  ୮୦ ରୁ ୯୦ ଭାଗ  ନଷ୍ଟ ହୋଇଯାଇଛି । ଯାହାକୁ ନେଇ ରଣପୁର ବ୍ଳକ ବଳଭଦ୍ରପୁର ପଞ୍ଚାୟତ ବାସୁଦିଆ ଗାଁର ଦେବରାଜ ବାରିକଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ସେହିଭଳି ଅନ୍ୟ ଜଣେ ଚାଷୀ ଭଗବାନ ପ୍ରଧାନଙ୍କ ବ୍ରେନଷ୍ଟୋକ ହେବାରୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ମୃତ୍ୟୁବରଣ କହିଛନ୍ତି । ଚାଷ କ୍ଷୟକ୍ଷତିକୁ ସହ୍ୟ କରିନପାରି ଏଭଳି ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଭିକ୍ଷୁକ ଆକ୍ରମଣରେ ଜରିଗୋଟାଳି ଗୁରୁତର

ବ୍ରହ୍ମପୁର : ବ୍ରହ୍ମପୁରରେ ଭିକ୍ଷୁକ ଆକ୍ରମଣରେ ଜରିଗୋଟାଳି ଗୁରୁତର। ଗୋଷାଣୀ ନୂଆଗାଁ ଥାନା ଅଂଚଳ ଚନ୍ଦ୍ରଚୂଡେଶ୍ଵର ମନ୍ଦିର ସାମନାରେ ହୋଇଥିଲା ଏ ଆକ୍ରମଣ। ଦିନ ଦିପ୍ରହରରେ ମନ୍ଦିର ପରିସରରେ ହୋଇଥିଲା ଏ ଆକ୍ରମଣ। ଆକ୍ରମଣ ସମୟର ଦୃଶ୍ୟ ମନ୍ଦିର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥର ଖଜୁରିଆ ରୋଡ ସ୍ଥିତ ଚନ୍ଦ୍ରଚୂଡେଶ୍ଵର ମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରୁଥିବା ଗଣେଷ ପଣ୍ଡା ସେଠାକୁ ଜରି ଗୋଟାଇବାକୁ ଆସିଥିବା ଜଣେ ଅଜଣା ବ୍ୟକ୍ତିଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା। ପରେ ଗଣେଶ ପଣ୍ଡା ଜରିଗୋଟାଳିଙ୍କୁ ଏକ କାଠ ଫାଳିଆରେ ନିସ୍ତୁକ ମାଡ଼ ମାରିଥିଲେ। ଆକ୍ରମଣ କରି ଭିକ୍ଷୁକ ଗଣେଷ ସେଠାରୁ ଲକ୍ଷ୍ମୀନୃସିଂହ ମନ୍ଦିର ନିକଟକୁ ଯାଇ ପିନ୍ଧିଥିବା ପୋଷାକ ବଦଳାଇ ଚମ୍ପଟ ମାରିଥିଲା। ଚନ୍ଦ୍ରଚୂଡେଶ୍ବର ମନ୍ଦିର କମିଟି ପକ୍ଷରୁ ଗୋଷାଣିନୂଆଗାଁ ଥାନାରେ ଖବର ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଥିଲା। ଆକ୍ରମଣର ଶୀକାର ଜରି ଗୋଟାଳିଙ୍କୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଜରିଗୋଟାଳିଙ୍କୁ ସର୍ଜିରୀ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ଆହତ ଜରି ଗୋଟାଳିଙ୍କ ମୁଣ୍ଡରେ ବିଭିନ୍ନ ସ୍ଥାନରେ ଆଘାତ ଲାଗି ଖପୁରୀ ଭାଙ୍ଗି ଯାଇଛି। ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ଆକ୍ରମଣରେ ବ୍ୟବହୃତ କାଠ ଫାଳିଆ ସମେତ ଅଭିଯୁକ୍ତ ଗଣେଶ ପିନ୍ଧିଥିବା ପୋଷାକକୁ ଜବତ କରିଥିଲା । ଅଭିଯୁକ୍ତ ଭିକ୍ଷୁକ ଗଣେଶ ପଣ୍ଡାକୁ ଗିରଫ କରିଛି ଗୋଷାଣୀ ନୂଆଗାଁ ପୋଲିସ।

ଏସବିଆଇରେ ପୂରଣ ହେବ ୧୩,୭୩୫ଟି ଜୁନିୟର ଆସୋସିଏଟ ପଦବୀ

ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କିଂ କ୍ଷେତ୍ରରେ ନିଯୁକ୍ତି ପାଇବାକୁ ଲକ୍ଷ୍ୟ ରଖିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ତରଫରୁ କ୍ଲରିକାଲ କ୍ୟାଡରରେ ୧୩,୭୩୫ଟି ଜୁନିୟର ଆସୋସିଏଟ (କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ) ପଦବୀ ପୂରଣ ହେବ । ଏହି ପଦବୀ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଜାନୁଆରୀ ୭ ଆବେଦନର ଅନ୍ତିମ ତାରିଖ ରହିଛି । ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ପ୍ରାର୍ଥୀମାନେ ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇପାରିବେ ।

ଏହି ପଦବୀରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଯେ କୌଣସି ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ୨୦୨୪ ମସିହା ଏପ୍ରିଲ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦ରୁ ୨୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଓବିସି ପ୍ରାର୍ଥୀଙ୍କ କ୍ଷେତ୍ରରେ ୩ ବର୍ଷ ଓ ଏସସି / ଏସଟି ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ବର୍ଷ ବୟସ କୋହଳ କରାଯିବ ।

ପ୍ରାର୍ଥୀମାନେ ପ୍ରିଲିମିନାରୀ ପରୀକ୍ଷାରେ ୧୦୦ ମାର୍କ ଓ ମୁଖ୍ୟ ପରୀକ୍ଷାରେ ୨୦୦ ମାର୍କର ପରୀକ୍ଷା ଦେବେ । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ପରୀକ୍ଷା କେନ୍ଦ୍ରମାନଙ୍କରେ ଏହି ପରୀକ୍ଷାର ଆୟୋଜନ କରାଯିବ । ଏହି ପଦବୀ ପାଇଁ ଚୟନ ହେବା ପରେ ପ୍ରାର୍ଥୀଙ୍କ ବେସିକ୍ ପେ ୨୬,୭୩୦ ଟଙ୍କାରୁ ଆରମ୍ଭ ହେବ । ଏହି ପଦବୀ ପାଇଁ ଆବେଦନ କରିବା ପାଇଁ General / OBC / EWS ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ ୭୫୦ ଟଙ୍କା ରହିଥିବା ବେଳେ SC/ ST / PwBD / XS / DXS ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି ।

ନୋଟିଫିକେସନ ଲିଙ୍କ: https://sbi.co.in/documents/77530/43947057/16122024_JA+2024+-Detailed+Advt.pdf/6b16e166-78df-2cc9-36a0-3680682d6434?t=1734354989415

ଆବେଦନ ଲିଙ୍କ: https://ibpsonline.ibps.in/sbidrjadec24

ବିନା ବିଜୁଳି ଓ ଗ୍ୟାସରେ ଗରମ ହେବ ପାଣି: ଶୀତରେ ଆପଣାନ୍ତୁ ସହଜ ତରିକା

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ଥଣ୍ଡା ସିଜିନ ଚାଲିଥିବା ବେଳେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକମାନେ ନାନା ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି । ସାଧାରଣ ଭାବେ ଜାଡ଼ରୁ ରକ୍ଷା ପାଇବା ପାଇଁ ଲୋକମାନେ ଗରମ ଜିନିଷ ପ୍ରତି ଆକୃଷ୍ଟ ହୋଇଥାନ୍ତି । ଶୀତରେ ଅତ୍ୟଧିକ ଥଣ୍ଡା ପାଣିରେ ଗାଧୋଇବାର କଷ୍ଟ କେବଳ ଜଣେ ଭୁକ୍ତଭୋଗୀ ହିଁ କହିପାରିବେ । ତେବେ ଆପଣମାନେ ଯଦି ଏଥିପାଇଁ ଚିନ୍ତିତ ଅଛନ୍ତି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ବିନା ବିଜୁଳି ଓ ଗ୍ୟାସରେ ଆପଣମାନେ ନିଜ ଘରେ ପାଣି ଗରମ କରିପାରିବେ ।

ଗରମ ପାଣି ପାଇଁ ଅଧିକାଂଶ ଘରମାନଙ୍କରେ ଗୀଜର ବ୍ୟବହାର କରାଯାଇଥାଏ । ମାତ୍ର ଗୀଜର ଚଲାଇବାକୁ ହେଲେ ବିଦ୍ୟୁତ ଓ ଗ୍ୟାସର ଆବଶ୍ୟକତା ପଡ଼ିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣମାନେ ସୋଲାର ଓ୍ବାଟର ହୀଟର ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରି ଆପଣମାନେ ସହଜରେ ମାଗଣାରେ ପାଣି ଗରମ କରିପାରିବେ । ସୌର ରଶ୍ମି ଦ୍ବାରା ସୋଲାର ଓ୍ବାଟର ହୀଟର କାମ କରିଥାଏ । ଏଥିରେ ଆପଣଙ୍କୁ ବିଜୁଳି ଓ ଗ୍ୟାସ ଆଦିର ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ସୋଲାର ଓ୍ବାଟର ହୀଟର ମୁଖ୍ୟତଃ ଦୁଇଟି କମ୍ପୋନେଟରେ କାମ କରିଥାଏ । ସେଥିରେ ଗୋଟିଏ ସୋଲାର କଲେକ୍ଟର ଓ ଅନ୍ୟଟି ଷ୍ଟୋରେଜ ଟ୍ୟାଙ୍କ ରହିଥାଏ । ସୋଲାର କଲେକ୍ଟର୍ସରେ ପ୍ୟାନେଲ୍ସ ବା ଟ୍ୟୁବ ରହିଥାଏ, ଯାହାକି ଲାଇଟକୁ ଗ୍ରହଣ କରିଥାଏ ଓ ତାହାକୁ ହିଟରେ ରୂପାନ୍ତରିତ କରିଥାଏ । ଏହାପରେ ପାଣିକୁ ଗରମ କରିଥାଏ ।

ସୋଲାର ଓ୍ବାଟର ହୀଟର ଭିତରେ ଷ୍ଟୋରେଜ ଟ୍ୟାଙ୍କ ପାଣିକୁ ଅଧିକ ସମୟ ପର୍ଯ୍ୟନ୍ତ ଗରମ ରଖିଥାଏ । ଏପରି ସ୍ଥିତିରେ ଆପଣମାନେ ଏହାକୁ ଯେ କୌଣସି ସମୟରେ ବ୍ୟବହାର କରିପାରିବେ । ଇଲେକ୍ଟ୍ରିକ ଗୀଜର ତୁଳନାରେ ସୋଲାର ଓ୍ବାଟର ହୀଟର ଦାମ୍ ଅଧିକ ହୋଇଥାଏ । ସୋଲାର ଓ୍ବାଟର ହୀଟରର ଦାମ୍ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ । ବଡ଼ ଘର ଓ ଏକାଧିକ ଓ୍ବାଶରୁମ ଥିବା ଲୋକମାନେ ସୋଲାର ଓ୍ବାଟର ହୀଟରର ଅଧିକ ଫାଇଦା ଉଠାଇ ପାରିବେ । ଏହା ମାଧ୍ୟମରେ ସମସ୍ତ ବାଥରୁମ ପର୍ଯ୍ୟନ୍ତ ଗରମ ପାଣି ପହଞ୍ଚି ପାରିଥାଏ ।

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅଦିନିଆ ବର୍ଷା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଦିନିଆ ବର୍ଷାକୁ ନେଇ କୃଷି ଓଡ଼ିଶା ମଞ୍ଚରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଜିଲ୍ଲାପାଳ ମାନଙ୍କଠାରୁ କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ପରେ ରାଜ୍ୟ ସରକାର ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ରୂପେ ଘୋଷଣା କରିଛନ୍ତି ।

୨୯୧ କୋଟି ୫୯ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି । ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ରିଲିଫ ପାଣ୍ଠି ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ୩୩% ବା ତାଠାରୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତି ପୂରଣ । ଜିଲ୍ଲାପାଳମାନେ ଚାଷ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିଛନ୍ତି । ରିପୋର୍ଟ ଅନୁସାରେ ରାଜ୍ୟରେ ୬ ଲକ୍ଷ ୬୬ ହଜାର ୭୨୦ଜଣ ଚାଷୀଙ୍କ ୨ ଲକ୍ଷ ୨୬ ହଜାର ୭୯୧ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି ।

ଏଥିପାଇଁ SDRF ଫଣ୍ଡରୁ ୨୯୧କୋଟି ୬୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ସରକାର । ଆଗରୁ ବିପର୍ଯ୍ୟୟ ତାଲିକାରେ ସାମିଲ ନଥିଲା ଅଦିନିଆ ବର୍ଷା । ଫଳରେ ରାଜ୍ୟର ହଜାର ହଜାର ଚାଷୀ କ୍ଷତିଗ୍ରସ୍ତ ହେଉଥିଲେ । ଚାଷୀମାନେ ସହାୟତା ପାଇବାକୁ ବଞ୍ଚିତ ହେଉଥିଲେ।