କଟକ : ଅଦିନିଆ ବର୍ଷାରେ ଧାନ ଫସଲ କ୍ଷୟକ୍ଷତିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ କୃଷି ଓଡିଶା କାର୍ଯ୍ୟକ୍ରମରେ ଦେଇଥିବା ବିବୃତି ନେଇ ତୀବ୍ର ପତିକ୍ରିୟା ଦେଇଛନ୍ତି ବିଜେଡି ବରିଷ୍ଠ ନେତା ଅରୁଣ କୁମାର ସାହୁ। ସରକାର ଏଣୁତେଣୁ କଥା ନ କହି ବୀମା କମ୍ପାନୀକୁ ଅପେକ୍ଷା ନକରି ପ୍ରଥମେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ରାଜକୋଷରୁ କ୍ଷତିପୂରଣ ଦିଅନ୍ତୁ। ଅଫିସରଙ୍କ ଦ୍ଵାରା ଜିଓ ଟ୍ୟାଗ୍ ସର୍ଭେ କରି ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ। ଧାନ ଯେଉଁ ଅବସ୍ଥାରେ ଅଛି ତୁରନ୍ତ ତାକୁ ସରାକର କିଣିନେବା ସହିତ ଚାଷୀଙ୍କ ସହ ଏହି ସମୟରେ ଛିଡା ହୁଅନ୍ତୁ ବୋଲି କହିଛନ୍ତି ଅରୁଣ ସାହୁ। ୭ ମାସର ସରକାର ଆଜି କେବଳ ଉପକ୍ରମଣିକାରେ ରହିଯାଇଛନ୍ତି। ଭିତରକୁ ଯାଉନାହାନ୍ତି। ପୂର୍ବ ସରକାର କିଛି କରିନାହିଁ ବୋଲି ନୂଆ ସରକାର କହି ବୁଲୁଥିବା ବେଳେ ଏହାର ଜବାବ ରଖିଛନ୍ତି ପୂର୍ବତନ କୃଷି ମନ୍ତ୍ରୀ ଅରୁଣ ସାହୁ। ଦୁଇ ହଜାର ମସିହାରେ ନବୀନ ଓଡିଶାର ଦାୟିତ୍ୱ ନେବା ବେଳେ ରାଜ୍ୟରେ ୨୦ ଲକ୍ଷ ଲିଟର କ୍ଷୀର ଉତ୍ପାଦନ ହେଉଥିଲା। ଏହା ଆଜି ୮୫ଲକ୍ଷ ଲିଟରରେ ପହଁଚିଛି। ସେହିଭଳି ଦୈନିକ ଅଣ୍ଡା ଉତ୍ପାଦନ ୨୦ରୁ ୨୨ ଲକ୍ଷରୁ ୯୦ରୁ ଦେଢ଼ ଲକ୍ଷ, ମାଛରୁ ଏବେ ୧୦ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଧାନ ଓ ଚାଉଳରେ ବଳକା ରାଜ୍ୟ ହୋଇଛି ଓଡିଶା। ଚିକେନ ଉତ୍ପାଦନ ୧୦ ଗୁଣ ବଢିଛି। ପନିପରିବାରେ ୫୦ଲକ୍ଷ ମେଟ୍ରିକ ଟନରୁ ୧୫୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଏଥିଲାଗି କେନ୍ଦ୍ରରୁ ୬ ଥର ମିଳିଛି କୃଷି କର୍ମଣ ପୁରସ୍କାର।ତେଣୁ ମୋହନ ସରକାର ବୟାନବାଜି ଛାଡି ଚାଷୀଙ୍କୁ ସାହାଯ୍ୟ କରନ୍ତୁ। ଚାଷ କ୍ଷୟକ୍ଷତି ନେଇ ବିଜେଡି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛି। ସରକାର କ୍ଷୟକ୍ଷତି ସଠିକ ରିପୋର୍ଟ ଦିଅନ୍ତୁ। ନଚେତ ଆଗାମୀ ଦିନରେ ଭୟାବହ ଲଢେଇ ହେବ। ଆଉ ବିଜେଡି ଏହାର ନେତୃତ୍ୱ ନେବ ବୋଲି କଟକରେ ଆୟୋଜିତ ପ୍ରେସମିଟରେ କହିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ।
Google Pay, Phone Pay ଉପରେ ରୋକ ଲଗାଇବେନି ସରକାର: ୨୦୨୬ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କଲା NPCI
ନନ୍ଦିଘୋଷ ବ୍ୟୁରୋ: ୟୁପିଆଇ ଆପ୍ସ ଉପରେ ମାର୍କେଟ ଶେୟାର କ୍ୟାପ ଲାଗୁ କରିବାର ସମୟସୀମା ଦୁଇ ବର୍ଷ ପାଇଁ ବୃଦ୍ଧି କରି ୨୦୨୬ ପର୍ଯ୍ୟନ୍ତ କରାଯାଇଛି । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI)ର ଏହି ନିଷ୍ପତ୍ତି ଫଳରେ ଭାରତୀୟ ୟୁପିଆଇ ଇକୋସିଷ୍ଟମରେ ଅଗ୍ରଣୀ ଥିବା ଗୁଗଲ ପେ ଓ ଫୋନ ପେ’କୁ ଆଶ୍ବସ୍ତି ମିଳିବ । ମାର୍କେଟ ଶେୟାର କ୍ୟାପର ପ୍ରସ୍ତାବ ୨୦୨୦ରେ ଦିଆଯାଇଥିଲା । କୌଣସି ୟୁପିଆଇ ପେମେଣ୍ଟ ଆପକୁ ୩୦ ପ୍ରତିଶତରୁ ଅଧିକ ବଜାର ଅଂଶଧନ ରଖିବା ନେଇ ରୋକାଯିବାର ଥିଲା । ପ୍ରତିଦ୍ବନ୍ଦ୍ବିତାକୁ ଗୁରୁତ୍ବ ଦେବା ଓ ମନମାନୀକୁ ରୋକିବା ଏହା ପଛର ଉଦ୍ଦେଶ୍ୟ ଥିଲା ।
ବର୍ତ୍ତମାନ ସମୟରେ ଫୋନ ପେ’ର ବଜାର ଅଂଶଧନ ୪୭.୮ ପ୍ରତିଶତ ରହିଥିବା ବେଳେ ଗୁଗଲ ପେ’ର ୩୭ ପ୍ରତିଶତ ରହିଛି । ଉକ୍ତ ପ୍ରସ୍ତାବ ଲାଗୁ କରିଥିଲେ ଲକ୍ଷ ଲକ୍ଷ ୟୁଜର୍ସଙ୍କ ସେବାରେ ବାଧା ସୃଷ୍ଟି ହୋଇଥାନ୍ତା । ଏହି ସମୟସୀମା ବୃଦ୍ଧି କରି ବଜାରରେ କମ୍ପିଟିସନକୁ ସନ୍ତୁଳନ ରକ୍ଷା କରିବାକୁ NPCI ପ୍ରୟାସ କରିଛି । ଏହାଫଳରେ ନୂଆ କରି ଆସୁଥିବା ଫିନଟେକ ପ୍ଲାଟଫର୍ମଗୁଡ଼ିକୁ ନିଜର ବ୍ୟବସାୟକୁ ମଜବୁତ କରିବାକୁ ଅଧିକ ସମୟ ମିଳିବ । NPCI ତରଫରୁ WhatsApp Pay ଉପରେ ୧୦୦ ମିଲିୟନ ୟୁଜର୍ସ ସୀମାକୁ ମଧ୍ୟ ହଟାଇ ଦିଆଯାଇଛି । ଏହାଫଳରେ Metaର ମାଲିକାନାରେ ରହିଥିବା ଏହି ପ୍ଲାଟଫର୍ମ ଏବେ ଭାରତରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଅଧିକ ପ୍ରଭାବୀ ଢଙ୍ଗରେ କମ୍ପିଟିସନ କରି ପାରିବ ।
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ: ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ମିଳିଲା ବଡ଼ ଆଶ୍ବସ୍ତି
ନନ୍ଦିଘୋଷ ବ୍ୟୁରୋ: ବିଶିଷ୍ଟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଲ୍ଲୁଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଅଲ୍ଲୁଙ୍କ ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ସମୟରେ ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା । ମହିଳାଙ୍କ ମୃତ୍ୟୃର ଯାଞ୍ଚ ମାମଲାରେ ଅଲ୍ଲୁଙ୍କୁ ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି ହାଇଦ୍ରାବାଦର ନାମପଲ୍ଲୀ ଅଦାଲତ । ଜାମିନ ସର୍ତ୍ତ ଅନୁସାରେ ଅଲ୍ଲୁଙ୍କୁ ୫୦ ହଜାର ଟଙ୍କାର ଦୁଇଟି ମୁଚାଲିକା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଡିସେମ୍ବର ୪ରେ ପୁଷ୍ପା-୨ ରିଲିଜ୍ ହୋଇଥିଲା । ହାଇଦ୍ରାବାଦରେ ଫିଲ୍ମର ଶୋ ସକାଳ ୩ଟା ସମୟରେ ରଖାଯାଇଥିଲା । ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ର ପ୍ରିମିୟର ଶୋ ରଖାଯାଇଥିଲା । ପ୍ରଥମ ଦିନର ଶୋ ଦେଖିବା ପାଇଁ ନିଜର ଫ୍ୟାନ୍ସ ସହିତ ଅଲ୍ଲୁ ଯାଇଥିଲେ । ଅଲ୍ଲୁ ସ୍କ୍ରିନିଂ ପାଇଁ ଆସିବା ଖବର ଶୁଣି ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଲୋକମାନେ ଡ୍ୟାନ୍ସ କରିବା ସହିତ ବାଣ ମଧ୍ୟ ଫୁଟାଇଥିଲେ । ସେହି ସମୟରେ ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହିତ ତାଙ୍କର ୮ ବର୍ଷୀୟ ପୁଅ ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛି ।

