spot_img
Home Blog Page 1315

ଅନ୍ତର୍ଜାତୀୟ ବାଣିଜ୍ଯ କ୍ଷେତ୍ରରେ ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ଆଭିମୁଖ୍ଯ

ନୂଆଦିଳ୍ଲୀ : ଅନ୍ତର୍ଜାତୀୟ ବାଣିଜ୍ଯ କ୍ଷେତ୍ରରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ଆଭିମୁଖ୍ଯ । ମେକ୍ସିକୋ ଓ କାନାଡାରୁ ଆମଦାନୀ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଚାହିଁଲେ ଟ୍ରମ୍ପ । ସେହିପରି ଚୀନ ସାମଗ୍ରୀ ଉପରେ ୧୦ ପ୍ରତିଶତ କର ଲାଗୁ କରିବାକୁ ଟ୍ରମ୍ପ ଚାହିଁଛନ୍ତି । ବେଆଇନ ଡ୍ରଗ୍ସ ଓ ଅନୁପ୍ରବେଶ ରୋକିବାକୁ ଟ୍ରମ୍ପ ଏହି ପଦକ୍ଷେପ ନେବାକୁ ଚାହିଁଛନ୍ତି । କେବଳ ଏତିକି ନୁହେଁ ଆମେରିକା ଆମଦାନୀ କରୁଥିବା ଅନ୍ଯାନ୍ଯ ଦେଶର ବହୁ ସାମଗ୍ରୀ ଉପରେ ଅଧିକ କର ଲାଗୁ କରିବାକୁ ଟ୍ରମ୍ପ ଚାହିଁଛନ୍ତି । ଆସନ୍ତା ଜାନୁଆରୀ ୨୦ରୁ ଏହି ବ୍ଯବସ୍ଥା ଲାଗୁ ହେବ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ କର ପ୍ରସଙ୍ଗ ଥିଲା ଟ୍ରମ୍ପଙ୍କ ଏକ ବଡ଼ ପ୍ରସଙ୍ଗ । ଏହି ପ୍ରସଙ୍ଗ ଦ୍ବାରା ଅନେକ ଆମେରିକୀୟ ବନ୍ଧୁ ରାଷ୍ଟ୍ର ଓ ତିକ୍ତ ସମ୍ପର୍କ ଥିବା ରାଷ୍ଟ୍ର ମଧ୍ଯରେ ଛନକା ପଶିଥିଲା । ସେପଟେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଦେଶରେ ଅଭିବୃଦ୍ଧି ହ୍ରାସ ଓ ମୁଦ୍ରାସ୍ଫୀତି ବୃଦ୍ଧି କରିବ ବୋଲି ଆଶଙ୍କା ବ୍ଯକ୍ତ କରିଛନ୍ତି ଅର୍ଥନୀତିଜ୍ଞ । ତେଣେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଟ୍ରମ୍ପଙ୍କ ସମର୍ଥକ । ଏହା ଦ୍ବାରା ଦେଶରେ ପ୍ରସ୍ତୁତି ଉଦ୍ଯୋଗରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ସେମାନେ କହିଛନ୍ତି ।

ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ଓଡ଼ିଶା ସମେତ ୪ଟି ରାଜ୍ୟରେ ହେବ ରାଜ୍ଯସଭା ଉପନିର୍ବାଚନ

ଭୁବନେଶ୍ବର : ରାଜ୍ୟସଭା ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଆସନ୍ତା ୨୦  ଡିସେମ୍ଵରରେ ହେବ ଉପନିର୍ବାଚନ । ଓଡ଼ିଶା ସମେତ ୪ଟି ରାଜ୍ୟରେ ହେବ ରାଜ୍ଯସଭା ଉପନିର୍ବାଚନ। ସୁଜିତ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଉପନିର୍ବାଚନ ନେଇ ଆସନ୍ତା ୩ ଡିସେମ୍ବରରେ ପ୍ରକାଶ ପାଇବ ବିଜ୍ଞପ୍ତି। ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ଡିସେମ୍ବର ୧୦ । ଆସନ୍ତା ୧୧ ଡିିସେମ୍ବରରେ ହେବ ନାମାଙ୍କନ ଯାଞ୍ଚ। ୨୦ ତାରିଖରେ ହେବ ନିର୍ବାଚନ। ବର୍ଷେ ୪ ମାସ ପାଇଁ ରହିବ ଅବଧି। ୨୦୨୬ ଏପ୍ରିଲ ୨ ଯାଏ ପଦରେ ରହିବେ ନୂଆ ସାଂସଦ।

ପଦାରେ ପଡିଲା ରାଜସ୍ଥାନ ଉଦୟପୁର ରାଜବଂଶର ପାରିବାରିକ କଳି

ରାଜସ୍ଥାନ : ରାଜସ୍ଥାନ ଉଦୟପୁର ରାଜପରିବାରରେ ତୀବ୍ର ବିବାଦ । ମେବାରର ୭୭ତମ ମହାରାଣା ଭାବେ ବିଜେପି ବିଧାୟକ ବିଶ୍ବରାଜ ସିଂ ମେବାରଙ୍କୁ ଅଧିଷ୍ଠିତ କରାଯିବା ପରେ ତୀବ୍ର ହୋଇଛି ବିବାଦ । ବିଶ୍ବରାଜଙ୍କୁ ତାଙ୍କ ପୁତୁରା ଡକ୍ଟର ଲକ୍ଷ୍ଯରାଜ ସିଂ ମେବାର ପ୍ରବେଶ ଅନୁମତି ନଦେବାରୁ ରାଜପ୍ରାସାଦ ଗେଟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ବର୍ତ୍ତମାନ ରାଜପ୍ରାସାଦକୁ ଲକ୍ଷ୍ଯରାଜ ଓ ଦାଦା ଶ୍ରୀଜୀ ଅରବିନ୍ଦ ସିଂ ମେବାରଙ୍କ ଦ୍ବାରା ଗଠିତ ଟ୍ରଷ୍ଟ ପରିଚାଳନା କରୁଛି । ବିଧାୟକଙ୍କ ସମର୍ଥକମାନେ ଟେକାପଥର ମାଡ କରିଥିବାବେଳେ ପ୍ରତିପକ୍ଷ ବି ଜବାବ ଦେଇଥିଲେ । ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଏପରିକି ସାରା ରାତି ଏପରି ଚାଲିଥିଲା । ସମାଧାନ ଲାଗି ଜିଲ୍ଲା ପ୍ରଶାସନ ଉଦ୍ଯମ ଆରମ୍ଭ କରିଛି । ମହେନ୍ଦ୍ର ସିଂ ମେବାରଙ୍କ ମୃତ୍ଯୁର ୧୨ ଦିନ ପରେ ଐତିହାସିକ ରାଜପ୍ରାସାଦରେ ମେବାର ରାଜବଂଶର ପାରମ୍ପରିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ବିଶ୍ବରାଜଙ୍କୁ ଉତ୍ତରାଧିକାରୀ ଘୋଷଣା କରାଯାଇଥିଲା । ବିଶ୍ବରାଜ ନାଥଦ୍ବାରାର ବିଜେପି ବିଧାୟକ ଥିବାବେଳେ ପତ୍ନୀ ମହିମା କୁମାରୀ ସାଂସଦ ଅଛନ୍ତି ।

ପରମ୍ପରା ଅନୁସାରେ ରାଜପରିବାରର ଜଣେ ବୟସ୍କ ସଦସ୍ଯ ତାଙ୍କ ଆଙ୍ଗୁଠି କାଟି ସେହି ରକ୍ତରେ ବିଧାୟକଙ୍କ କପାଳରେ ରାଜତିଳକ ମାରିଥିଲେ । ଅଷ୍ଟମ ଶତାବ୍ଦୀରୁ ଏହି ପରମ୍ପରା ଚାଲିଆସିଛି । ରାଜତିଳକ ସରିବା ପରେ ରାଜପ୍ରାସାଦ ଭିତରେ ଥିବା ଧୂମିମାତା ମନ୍ଦିର ଓ ଉଦୟପୁରଠାରୁ ୫୦ କିଲୋମିଟର ଦୂରରେ ଥିବା ଏକଲିଙ୍ଗ ଶିବ ମନ୍ଦିରକୁ ଆଶୀର୍ବାଦ ନେବା ଲାଗି ଚାହିଁଥିଲେ ବିଶ୍ବରାଜ । ମାତ୍ର ପ୍ରାସାଦ ଓ ମନ୍ଦିର ଏହି ଟ୍ରଷ୍ଟ ଦ୍ବାରା ପରିଚାଳିତ ଥିବାରୁ ଏଥିଲାଗି ଅନୁମତି ଦିଆଯାଇ ନଥିଲା । ଫଳରେ ରାଜପ୍ରାସାଦ ଗେଟରେ ତୁମୁଳକାଣ୍ଡ ସୃଷ୍ଟି ହୋଇଥିଲା । ପୋଲିସ ବ୍ଯାରିକେଡ ଭାଙ୍ଗି ବିଶ୍ବରାଜଙ୍କ ସମର୍ଥକ ପ୍ରାସାଦ ଭିତରେ ପ୍ରବେଶ ଲାଗି ଉଦ୍ଯମ କରିଥିଲେ । ପ୍ରାସାଦ, ମନ୍ଦିର, ଦୁର୍ଗଗୁଡିକ ବର୍ତ୍ତମାନ ବିଶ୍ବରାଜଙ୍କ ପୁତୁରା ଓ ଦାଦାଙ୍କ ଦ୍ବାରା ପରିଚାଳିତ ହେଉଛି । ୧୯୮୪ରେ ତତକାଳୀନ ରାଜା ଭଗବତ ସିଂ ସାନପୁଅ ଅରବିନ୍ଦଙ୍କୁ ଟ୍ରଷ୍ଟର ନିର୍ଦ୍ଦେଶକ କରିବାରୁ ବଡପୁଅ ମହେନ୍ଦ୍ର ସିଂ ବିଦ୍ରୋହ କରିଥିଲେ । ଗତ ୨୪ ତାରିଖରେ ମ୍ଯାନେଜିଂ କମିଟି ପକ୍ଷରୁ ଏକ ନୋଟିସ ଜାରି ହୋଇଥିଲା । ବିଶ୍ବରାଜ ସିଂ ଏହି ଟ୍ରଷ୍ଟର ଜଣେ ସଦସ୍ଯ ନୁହନ୍ତି ଏବଂ ଅଣସ୍ବୀକୃତପ୍ରାପ୍ତ ବ୍ଯକ୍ତିଙ୍କୁ ରାଜପ୍ରାସାଦରେ ପ୍ରବେଶ କରାଇଦିଆଯିବ ନାହିଁ ବୋଲି ନୋଟିସ ଜାରି ହୋଇଥିଲା । ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସ ବ୍ଯାରିକେଡ ନିର୍ମାଣ କରିଥିଲା ।

ପିଟିଆଇର ବିଶାଳ ବିକ୍ଷୋଭ : ଇମରାନ ଖାଁଙ୍କୁ ମୁକୁଳାଇବା ଲାଗି ଦାବି

ଇସଲାମବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କୁ ମୁକୁଳାଇବା ଲାଗି ଜୋର ଧରିଲା ଆନ୍ଦୋଳନ। ତେଜିଲା ଇମରାନ ଖାଁ ନେତୃତ୍ବାଧୀନ ପାକିସ୍ତାନ ତେହରିକ-ଇ-ଇନସାଫର ଆନ୍ଦୋଳନ। ଇସଲାମାବାଦରେ ହୋଇଥିବା ଆନ୍ଦୋଳନରେ ୧୨୦ରୁ ଅଧିକ କର୍ମୀ ଆହତ ହୋଇଥିବାବେଳେ ୫ ଜଣ ପ୍ରାଣ ହରାଇଛନ୍ତି। ବିଭିନ୍ନ ସ୍ଥାନରେ ପୋଲିସ ସହ ପିଟିଆଇ କର୍ମୀଙ୍କ ଧସ୍ତାଧସ୍ତି ହୋଇଛି।

ସେପଟେ ପିଟିଆଇ ନେତାଙ୍କ ସହ ସରକାର ଆଲୋଚନା କରୁଥିବା ସୂଚନା ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଅସିଫ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ଆହ୍ବାନ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ମୋହସିନ ନାକବି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ଇସଲାମାବାଦରେ ବ୍ଯାପକ ପୋଲିସ ମୁତୟନ କରାଯାଇଛି। ଟେଲିଫୋନ ସେବାକୁ ଆଶିଂକ ଭାବେ ବାତିଲ କରାଯାଇଛି। ସହରରେ ମେଟ୍ରୋ ଓ ରେଳ ସେବା ବାତିଲ କରାଯାଇଛି।

ଆନ୍ଦୋଳନକାରୀମାନେ ଇସଲାମାବାଦ ଅଭିମୁଖେ ଅଭିଯାନ ଜାରି ରଖିଥିବାବେଳେ ପୋଲିସ ପକ୍ଷରୁ ସେମାନଙ୍କୁ ଅଟକା ଯାଇଛି। ଏହି ଆନ୍ଦୋଳନର ନେତୃତ୍ବ ନେଉଛନ୍ତି ଇମ୍ରାନଙ୍କ ପତ୍ନୀ ବୁସରା ବିବି ବେଗମ। ସେପଟେ ବେଲାରୁଷର ୮୦ଜଣିଆ ପ୍ରତିନିଧି ଇସଲାମାବାଦ ଆସିଥିବାବେଳେ ଏହି ଆନ୍ଦୋଳନ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିଛି।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୧୬ ବର୍ଷ

ମୁମ୍ବାଇ : ମୁମ୍ବାଇ ଆତଙ୍କବାଦୀ ହମଲାର ଆଜି ଷୋଡ଼ଶତମ ବାର୍ଷିକୀ। ୨୬/୧୧ ଆକ୍ରମଣର ବର୍ଷପୂର୍ତ୍ତି ଅବସରରେ ମୁମ୍ବାଇରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ୨୦୦୮ ନଭେମ୍ବର ୨୬ରେ ତାଜ ହୋଟେଲ, ଛତ୍ରପତି ଟର୍ମିନସ, ଲିଓପାର୍ଡ କେଫ, ମୁମ୍ବାଇ ଛବାଦ ହାଉସ, ନରିମାନ ହାଉସ, କାମା ହସ୍ପିଟାଲ, ମେଟ୍ରୋ ସିନେମା ଆଦି ସ୍ଥାନରେ ଲସ୍କର-ଇ-ତଏବା ସଂଗଠନ ହମଲା କରିଥିଲା। ଏଥିରେ ୧୬୬ ଲୋକଙ୍କ ମୃତ୍ଯୁ ହୋଇଥିବାବେଳେ ସେମାନଙ୍କ ମଧ୍ଯରେ ଥିଲେ ୨୦ ଜଣ ନିରାପତ୍ତା ରକ୍ଷୀ, ୨୬ ବିଦେଶୀ। ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ପାକିସ୍ତାନରୁ ଆତଙ୍କବାଦୀମାନେ ଆସି ଅନାୟାସରେ ଆର୍ଥିକ ରାଜଧାନୀରେ ଖେଳିଥିଲେ ରକ୍ତର ହୋରି। ଘଟଣାରେ ଆତଙ୍କବାଦୀଙ୍କ ସହ ମୁକାବିଲା କରୁଥିବାବେଳେ ପ୍ରାଣ ହରାଇଥିଲେ ମେଜର ସନ୍ଦୀପ ଉନ୍ନିକ୍ରିଷ୍ଣନ। ଏହା ସହ ୧୯୮୨ ବ୍ଯାଚର ଆଇପିଏସ ଅଧିକାରୀ ତଥା ଆଣ୍ଟି ଟେରରିଷ୍ଟ ସ୍କ୍ବାଡ ମୁଖ୍ଯ ହେମନ୍ତ କେରକାରେଙ୍କ ବି ମୃତ୍ଯୁ ଘଟିଥିଲା।

ସମ୍ବିଧାନ ଲାଗୁର ୭୫ ବର୍ଷ ପୂର୍ତ୍ତି ; ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ

ନୂଆଦିଲ୍ଲୀ : ସମ୍ବିଧାନ ଲାଗୁର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଛି ସ୍ବତନ୍ତ୍ର ଅଧିବେଶନ। ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଲାଗି ଏହି ଦିବସରେ ଦିଆଯାଇଛି ଆହ୍ବାନ। ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବିଧାନ ନିର୍ମାତା ବାବାସାହେବ ଆମ୍ବେଦକରଙ୍କ ସ୍ମୃତିଚାରଣ କରିଛନ୍ତି। ସେ କହିଛନ୍ତି, ଭାରତ ଲୋକତନ୍ତ୍ରର ଜନନୀ। ଏହି ଭାବନାକୁ ବଜାୟ ରଖିବାକୁ ପଡିବ। ମହିଳା ସଶକ୍ତିକରଣ ଦେଶର ଗଣତନ୍ତ୍ରରେ ନୂଆ ଅଧ୍ଯାୟ ସୃଷ୍ଟି କରିଛି। ସମ୍ବିଧାନ ସବୁଠାରୁ ବଡ଼ ଗ୍ରନ୍ଥ। ଗୃହରେ ମହିଳା ସଦସ୍ଯଙ୍କ ଯୋଗଦାନକୁ ପ୍ରଣାମ ଜଣାଇଛନ୍ତି ରାଷ୍ଟ୍ରପତି।

୧୯୪୯ର ଆଜିର ଦିବସରେ ଲାଗୁ ହୋଇଥିଲା ସମ୍ବିଧାନ। ସମ୍ବିଧାନ ଦିବସ ଅବସରରେ ସଂସଦର ମିଳିତ ଅଧିବେଶନରେ ଯୋଗଦେଇଛନ୍ତି ସାଂସଦ। ୧୯୪୯ ନଭେମ୍ବର ୨୬ରେ ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଏହି ଦିବସ ଲାଗି କେନ୍ଦ୍ର ସରକାର ଏକ ବର୍ଷ ବ୍ଯାପୀ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ପାଳୁ କରିବା ଲାଗି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ଗତ ୨୦୧୫ ନଭେମ୍ବର ୧୯ରେ ଘୋଷଣା କରାଯାଇଥିଲା।

ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ଗରମ, ବାରମ୍ୱାର ହେଉଛି ମୁଲତବୀ

ଭୁବନେଶ୍ୱର : ଶୀତ ଅଧିବେଶନ ଆରମ୍ଭରୁ ଗରମ, ବାରମ୍ୱାର ହେଉଛି ମୁଲତବୀ । ଶୂନ୍ଯକାଳରେ ଉଠିଲା ସମ୍ବିଧାନ ମୁଖବନ୍ଧରେ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦକୁ ବାଦ ଦିଆଯିବା ପ୍ରସଙ୍ଗ । ବିଜେଡି ବିଧାୟକ ଏହି ପ୍ରସଙ୍ଗ ଉଠାଇବା ପରେ ଏହାକୁ ନେଇ ହୋହଲ୍ଲା ହେବାରୁ ବାଚସ୍ପତି ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରସଙ୍ଗ ଉଠାଇ ଦୁଇ ଶବ୍ଦ ନଥିବା ଅତ୍ଯନ୍ତ ଦୁଃଖଦାୟକ । ଏପରି ମାନସିକତା କଣ ପାଇଁ ବୋଲି ପ୍ରଶ୍ନ କରି ଉତ୍ତର ଲୋଡିଥିଲେ । ହେଲେ ହଙ୍ଗାମା ହେବାରୁ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି । ପ୍ରଥମେ ୧୨ଟା ୨୫ ଯାଏଁ ମୁଲତବୀ ପରେ ଗୃହ ଏହାକୁ ନେଇ ପୁଣି ଅଶାନ୍ତ ହେବାରୁ ୪ଟା ଯାଏଁ ମୁଲତବୀ ରଖାଯାଇଛି ।

ବିଧାନସଭାରେ ରଖାଯାଇଥିବା ସମ୍ବିଧାନରେ ଧର୍ମନିରପେକ୍ଷ ଓ ସମାଜବାଦକୁ ବାଦ ଦିଆଯାଇଥିବାରୁ ଏହାର ତୀବ୍ର ବିରୋଧ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଧର୍ମନିରପେକ୍ଷ ଓ ସମାଜବାଦ ଦେଶର ସମ୍ବିଧାନରେ ୧୯୭୬ରେ ଯୋଡ଼ା ଯାଇଥିବାବେଳେ ଓଡ଼ିଶା ବିଧାନସଭାରେ ରଖାଯାଇଥିବା ସମ୍ବିଧାନରେ ଏହା କାହିଁକି ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି । ଏହା ଭାରତୀୟ ସମ୍ବିଧାନକୁ ଅସମ୍ମାନ। ଏପରି ଭୁଲ ଏକ ଅପରାଧ । ଏଥିରେ ତୁରନ୍ତ ଏହି ଦୁଇ ଶବ୍ଦ ସାମିଲ କରିବାକୁ ବିଜେଡି ଦାବି କରିଛି ।

ଗତକାଲି ସୁପ୍ରିମକୋର୍ଟ ବି ନିଷ୍ପତ୍ତି ଦେଇଛନ୍ତ ଯେ ଏହି ଦୁଇ ଶବ୍ଦ ବାଦ ହୋଇ ପାରିବ ନାହିଁ । ଆଜି ନଭେମ୍ବର ୨୬ ତାରିଖ, ସମ୍ବିଧାନ ଦିବସ ପାଳନ କରୁଛି ଦେଶ । ହେଲେ ଏଠି ଏହାକୁ ପାଳନରେ ଅମର୍ଯ୍ୟାଦା କରାଯାଉଛି । ଏହାକୁ ଅସମ୍ମାନ କରି କୌଣସି ସରକାର କି ବିଧାନସଭା ଚାଲି ପାରିବ ନାହିଁ । ୧୯୭୬ ମସିହାରେ ୪୭ ତମ ସଂଶୋଧନ ଦ୍ୱାରା କରାଯାଇ ଏହି ଦୁଇ ଶବ୍ଦକୁ ଯୋଡାଯାଇଛି । ତେଣୁ ଏହି ଦୁଇ ଶବ୍ଦକୁ ଯୋଡି ପୂର୍ଣ୍ଣ ସମ୍ବିଧାନ ପାଇଁ ବିଜେଡି ଦାବି କରି କହିଛି ଏପରି ଭୁଲ ଏକ ଅପରାଧ ।

ଆଜି ବିଧାନସଭାର ପ୍ରଥମ ଦିନରେ ଏପରି ଏକ ଘଟଣା ଦେଖିବାକୁ ମିଳିଲା । ଏବେ ଦେଶରେ ଅମୃତ କାଳ ଚାଲିଛି ବୋଲି ସରକାର କହୁଛନ୍ତି । ଡବଲ ଇଂଜିନ ସରକାର ବୋଲି ଘୋଷି ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଦିନକୁ ସ୍ୱାଧୀନତା ଦିବସ କହିଲେ । ସମ୍ବିଧାନ ଦିବସରେ ସମ୍ବିଧାନକୁ ରାଜ୍ୟ ସରକାର ହତାଦର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ହତାଦର କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ସରକାର । ଏହି ଦୁଇ ଶବ୍ଦ ନ ଥିବାକୁ ବିଜେଡି ବିରୋଧ କରୁଛି । ସେହିପରି କଂଗ୍ରେସ ମଧ୍ଯ ସରକାରଙ୍କୁ ଏହି ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛି । ସୁପ୍ରିମକୋର୍ଟ ଏହା ବିରୋଧରେ ନିଷ୍ପତ୍ତି ନେଇଛନ୍ତି । ତେଣୁ ରାଜ୍ଯ ସରକାର ଏହାକୁ ମାନିବାକୁ ବାଧ୍ୟ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ।

ଭାରତର ଏହି ପଡ଼ୋଶୀ ଦେଶରେ ସୁନା ହେଲା ୧୬ ହଜାର ଟଙ୍କା ଶସ୍ତା

ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ନେପାଳରେ ହ୍ରାସ ପାଇଛି ସୁନାଦର ।  ସୁନା ମୂଲ୍ୟ ହ୍ରାସ ପାଇ ୧୫,୯୦୦ ଟଙ୍କା ହୋଇଛି । ଭାରତର ଆଭିମୁଖ୍ୟକୁ ନଜରରେ ରଖି ନେପାଳ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି । ଏହାପୂର୍ବରୁ ଜୁଲାଇରେ ଉପସ୍ଥାପିତ ବଜେଟରେ ଭାରତ ସରକାର ମଧ୍ୟ ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କକୁ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରିଥିଲେ, ଯେଉଁ କାରଣରୁ ସୁନା ମୂଲ୍ୟ ପ୍ରାୟ ୬ ହଜାର ଟଙ୍କା ଶସ୍ତା ହୋଇଛି। ଭାରତକୁ ଦେଖି ନେପାଳ ସରକାର ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି, ଯେଉଁ କାରଣରୁ ସେଠାରେ ସୁନା ମୂଲ୍ୟ ଭରି ପିଛା ପ୍ରାୟ ୧୬ ହଜାର ଟଙ୍କା ହ୍ରାସ ପାଇଛି।

ବାସ୍ତବରେ ନେପାଳ ସରକାର ସୁନା ଉପରେ ସୀମା ଶୁଳ୍କ ୫୦ ପ୍ରତିଶତ ହ୍ରାସ କରିଛନ୍ତି। ସୀମା ଶୁଳ୍କକୁ ଅଧା କରିବା ନିଷ୍ପତ୍ତି ପରେ ସୁନାର ମୂଲ୍ୟରେ ଭରି ପିଛା ୧୫,୯୦୦ ଟଙ୍କା (୧୧.୬୬୪ ଗ୍ରାମ) ହ୍ରାସ ଘଟିଛି। ଫେଡେରେସନ୍ ଅଫ୍ ନେପାଳ ଗୋଲ୍ଡ ଏବଂ ସିଲଭର ଡିଲର ଆସୋସିଏସନ୍ ଅନୁଯାୟୀ ସୋମବାର ଦିନ ହଲମାର୍କ ସୁନା ଭରି ପିଛା ୧,୫୧,୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା ରବିବାର ଦିନ ଭରି ପିଛା ୧,୬୭,୨୦୦ ଟଙ୍କା ଥିଲା।

 ଆମଦାନୀ ଶୁଳ୍କରେ କେତେ ହ୍ରାସ ?
ନେପାଳ ସରକାର ସୁନା ଆମଦାନୀ ଉପରେ ସୀମା ଶୁଳ୍କକୁ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରିଛନ୍ତି । ଅଧିକାରୀମାନଙ୍କ ମତରେ, ସୋମବାର ଠାରୁ କାର୍ଯ୍ୟକାରୀ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ ଭାରତ ସୁନା ଓ ରୂପା ଉପରେ ସୀମା ଶୁଳ୍କକୁ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରିଥିଲା। ଅପରପକ୍ଷେ, ନେପାଳ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟରେ ସୁନା ଉପରେ ସୀମା ଶୁଳ୍କକୁ ୫ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିଛି।

ଚୋରା ଚାଲାଣ ବନ୍ଦ ପାଇଁ ପଦକ୍ଷେପ:
ଭାରତ ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ନେପାଳରେ ସୁନା ମହଙ୍ଗା ହେଲା ଏବଂ ଭାରତରେ ଶସ୍ତା ହେଲା, ଯେଉଁଥିପାଇଁ ସୁନା ଚୋରା ଚାଲାଣ ବୃଦ୍ଧି ପାଇଲା। ମହାସଂଘ ଅନୁଯାୟୀ, ସୀମାର ନିୟୋଜିତ ଥିବା କିଛି ଅଫିସରଙ୍କ ମନମାନି କାରଣରୁ ବେଆଇନ ବାଣିଜ୍ୟ କାରବାର ବଢିଯାଇଥିଲା। ଏହିପରି ଚୋରା କାରୋବାରକୁ ବନ୍ଦ କରିବାକୁ ଫେଡେରେଶନ ପରାମର୍ଶ ଦେଇଛି, ଯେ ସୁନା ଉପରେ ସୀମା ଶୁଳ୍କ ୮ ପ୍ରତିଶତକୁ ବୃଦ୍ଧି କରାଯାଉ। ଏହାକୁ ୧୦ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ଅନୁମତି ଦେଇଛନ୍ତି ।

ଭାରତ ଏବଂ ନେପାଳରେ ସୁନା ହାର କେତେ?
ନେପାଳରେ ସୁନା ଶସ୍ତା ହେବା ପରେ ଏହାର ମୂଲ୍ୟ ଭାରତ ତୁଳନାରେ ହ୍ରାସ ପାଇଛି। କିନ୍ତୁ ଭାରତରେ ୧୦ ଗ୍ରାମ ସୁନା ହାର ପ୍ରାୟ ୭୯,୫୯୫ ଟଙ୍କା ରହିଛି ଥିବା ବେଳେ ନେପାଳରେ ଭାରତୀୟ ମୂଲ୍ୟ ଅନୁଯାୟୀ ୧୦ ଗ୍ରାମ ସୁନାର ମୂଲ୍ୟ ପ୍ରାୟ ୮୦ ହଜାର ୯୩୦ ଟଙ୍କା ହେବ ।  ନେପାଳରେ ଭାରତୀୟ ମୂଲ୍ୟ ଅନୁଯାୟୀ  ସୁନା ଦର ଭରି ପିଛା ୧,୫୧,୩୦୦ ଟଙ୍କା (94,366 ଭାରତୀୟ ଟଙ୍କା) ଅଟେ । ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ନେପାଳରେ ଭାରତ ତୁଳନାରେ ସୁନା ମୂଲ୍ୟ ଅଧିକ ରହିଛି।

ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ

ପୁଣେ : ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ। ରାଜ୍ଯରେ ମୁଖ୍ଯମନ୍ତ୍ରୀ ପଦ ନେଇ ଭାଗବଣ୍ଟା ଛିଣ୍ଡୁ ନଥିବାବେଳେ ସିନ୍ଦେଙ୍କ ଇସ୍ତଫା ଅଧିକ ଚର୍ଚ୍ଚା ସୃଷ୍ଟି କରିଛି। ରାଜ୍ଯପାଳ ସି.ପି. ରାଧାକ୍ରିଷ୍ଣନଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ସିନ୍ଦେ। ଇସ୍ତଫା ଦେବା ସମୟରେ ଦୁଇ ଉପମୁଖ୍ଯମନ୍ତ୍ରୀ ଅଜିତ ପାୱାର ଓ ଦେବେନ୍ଦ୍ର ଫଡନବିସ ବି ଉପସ୍ଥିତ ଥିଲେ।

ତେବେ ନୂଆ ମୁଖ୍ଯମନ୍ତ୍ରୀ ହେବା ଯାଏ ସିନ୍ଦେ କାମଚଳା ମୁଖ୍ଯମନ୍ତ୍ରୀ ରହିବେ। ଆଜି ମହାରାଷ୍ଟ୍ର ବିଧାନସଭା ଅଧିବେଶନ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନେଇ ଛିଡୁନି ଅଙ୍କ। ବିଜେପିର ଦେବେନ୍ଦ୍ର ଫଡନବିସ ହେବେ ନା ଶିବସେନାର ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ। ଏ ଯାଏଁ ଘୋଷଣା ହୋଇପାରିନି। ତେବେ ବିଧାନସଭା ଅଧିବେଶନ କାର୍ଯ୍ୟକାଳ ଶେଷ ପୂର୍ବରୁ ସରକାର ଗଠନ ହେବା ନିୟମ ରହିଛି। ଯଦି ଆଜି ସୁଦ୍ଧା ସରକାର ଗଠନ ନହୁଏ ତେବେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ପଡିବ। ଏଭଳି ସ୍ଥିତିରେ ବିଜେପି ଏବଂ ମହାୟୁତି ମେଣ୍ଟରୁ ମୁଖ୍ୟମନ୍ତ୍ରୀ କିଏ ହେବ ନାଁ ଘୋଷଣା କରିବାକୁ ପଡିବ ।

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ : RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମେଡିକାଲରେ ଭର୍ତ୍ତି । ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ତାଙ୍କୁ ଚେନ୍ନାଇର ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା RBI ପକ୍ଷରୁ କୁହାଯାଇଛି । ଆଉ ଦୁଇ ତିନି ଘଣ୍ଟା ପରେ ସେ ଡିସଚାର୍ଜ ହୋଇପାରନ୍ତି । ଆର୍‌ବିଆଇର ମୁଖପାତ୍ର ତାଙ୍କ ସ୍ବାସ୍ଥ୍ୟ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ”ଚିନ୍ତା କରିବାର କୌଣସି କାରଣ ନାହିଁ। ସେ ଏବେ ଭଲ ଅଛନ୍ତି ଓ ଖୁବ୍‌ ଶୀଘ୍ର ଡିସ୍‌ଚାର୍ଜ ହେବେ।”