spot_img
Home Blog Page 1318

ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ଝାରସୁଗୁଡା: ଭାଇ ସାଜିଲା ହତ୍ୟାକାରୀ। ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ। ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା କୁଡାଲୋଇ ଗଙ୍ଗାପଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ବଡ଼ଭାଇ ହେଲେ ସୁନୀଲ ସୋରେନ। ଅଭିଯୁକ୍ତ ସାନଭାଇ ସୁଶୀଲ ସୋରେନକୁ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛି  ।

ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ୨ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା  । ଏଥିରେ ରାଗିଯାଇ ସୁଶୀଲ ଏକ ଟାଙ୍ଗିଆରେ ବଡ଼ ଭାଇ ସୁନୀଲଙ୍କ ମୁଣ୍ଡରେ ଆକ୍ରମଣ କରିଥିଲା  । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଅଶାନ୍ତ ସମ୍ଭାଲ : ଇଣ୍ଟରନେଟ ସେବା ସମେତ ସମସ୍ତ ସ୍କୁଲ ଓ କଲେଜ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ହୋଇପଡିଛି ଉତ୍ତରପ୍ରଦେଶର ସମ୍ଭାଲ । ମସଜିଦ ସର୍ଭେକୁ ନେଇ ଜାରି ରହିଛି ହିଂସା । ଉତ୍ତେଜନାକୁ ଦୃଷ୍ଟିରେ ଘଟଣାସ୍ଥଳରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୨୪ ଘଣ୍ଟା ଲାଗି ଇଣ୍ଟରନେଟ ସେବା ବନ୍ଦ ଏବଂ ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ଉତ୍ତରପ୍ରଦେଶ ସମ୍ଭଲରେ ମସଜିଦ ସର୍ଭେକୁ ନେଇ ଉତ୍ତେଜନାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଲୋକଙ୍କ ମୃତ୍ଯ ହୋଇଛି। ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲୋକଙ୍କ ଆକ୍ରମଣରେ ୩୦ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରିଛି ପୋଲିସ।

ସମ୍ଭଲ ସାଂସଦ ଜିଆଉର ରେହମାନ ବର୍କ୍ ଏବଂ ସ୍ଥାନୀୟ ବିଧାୟକଙ୍କ ପୁଅ ସାହିଲ ଇକବାଲଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ହିଂସାକାଣ୍ଡ ଉସୁକାଇବା ଅଭିଯୋଗରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବାହାର ଜନପ୍ରତିନିଧିଙ୍କୁ ସମ୍ଭଲକୁ ପ୍ରବେଶ ଉପରେ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ଯନ୍ତ କଟକଣା ଲାଗିଛି। ମସଜିଦ ସର୍ଭେକୁ ନେଇ ବ୍ୟାପକ ହିଂସାକାଣ୍ଡ ପରେ ଫ୍ଲାଗ୍ ମାର୍ଚ୍ଚ କରିଛି ପୋଲିସ। ସ୍ଵାଭାବିକ ସ୍ଥିତି ଫେରାଇ ଆଣିବାକୁ ଜନତାଙ୍କୁ ଅପିଲ କରିଛି। ସମ୍ବଲରେ ପ୍ରତିଷ୍ଠିତ ଏକ ମସଜିଦକୁ ନେଇ କିଛି ଦିନ ଧରି ବିବାଦ ଲାଗି ରହିଛି।

ମୋଗଲ କାଳରେ ଏକ ମନ୍ଦିର ଭାଙ୍ଗି ସାହି ଜାମା ମସଜିଦ ନିର୍ମାଣ କରାଯାଇଥିଲା ବୋଲି ଅଭିଯୋଗ ଆସିବା ପରେ ଏହାକୁ ନେଇ ଲାଗି ରହିଛି ଉତ୍ତେଜନା। ମସଜିଦର ସର୍ଭେ ଲାଗି କୋର୍ଟ ନିର୍ଦ୍ଦେଶ ପରଠାରୁ ସେଠାରେ ଉତ୍ତେଜନା ଲାଗି ରହିଥିଲା।ଗତ ନଭେମ୍ବର ୧୯ରେ ସ୍ଥାନୀୟ ପୋଲିସ ଓ ଲୋକଙ୍କ ସହାୟତାରେ ମସଜିଦର ସର୍ଭେ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୫୨୯ ଖ୍ରୀଷ୍ଟାବ୍ଦରେ ହରିହର ମନ୍ଦିରକୁ ଭାଙ୍ଗି ମୋଗଲ ସମ୍ରାଟ ଆକବର ସେଠାରେ ମସଜିଦ ନିର୍ମାଣ କରିଥିଲେ।

Parliament Winter Session : ଆରମ୍ଭ ହେବା ପରେ ପରେ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ। ଲୋକସଭାକୁ ପ୍ରଥମେ ୧୨ଟା ଯାଏ ପରେ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ରାଜ୍ୟ ସଭାକୁ ମଧ୍ୟ ଆରମ୍ଭ ହେବା ପରେ ପରେ ମୁଲତବୀ କରାଯାଇଥିଲା। ଆଜି ଗୃହରେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଆସନ୍ତାକାଲି ସମ୍ବିଧାନ ଦିବସ ଉପଲକ୍ଷେ ଗୃହ ବସିବ ନାହିଁ। ତେଣୁ ବୁଧବାର ହିଁ ଗୃହକାର୍ଯ୍ୟ ହେବ।
ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ପ୍ରସଙ୍ଗ ନେଇ ଶୀତ ଅଧିବେଶନ ସରଗରମ ହୋଇପାରେ। ଚଳିତ ଅଧିବେଶନରେ ୱାକଫ୍ ସଂଶୋଧନ ବିଲ୍ ସମେତ ମୋଟ ୧୬ଟି ବିଲ୍ ତାଲିକାଭୁକ୍ତ ହୋଇଥିବା ବେଳେ ମଣିପୁରରେ ଚାଲିଥିବା ଜାତିଗତ ହିଂସା ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ପ୍ରସଙ୍ଗକୁ ଉଠାଇପାରନ୍ତି ବିରୋଧୀ। ସଂସଦରେ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗ ନେଇ ହଙ୍ଗାମା ହୋଇପାରେ। ଆଦାନୀ ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମିଳିତ ସଂସଦୀୟ କମିଟି ଦ୍ୱାରା ଅଭିଯୋଗର ତଦନ୍ତ ଦାବି କରିଛନ୍ତି।

ଶୀତ ଅଧିବେଶନ ପୂର୍ବରୁ ଗତକାଲି ବସିଥିଲା ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ସର୍ବଦଳୀୟ ବୈଠକରେ ଯୋଗଦେଇ ବିଜେଡି ସାଂସଦ ସସ୍ମିତ ପାତ୍ର ସ୍ବତନ୍ତ୍ର ରାଜ୍ଯପାହ୍ଯା ମାନ୍ଯତା, ପୋଲାଭରମ, ମହାନଦୀ, କୋଇଲା ରୟାଲଟି, ଜାତୀୟ ରାଜପଥ, ନୂଆ ଏମସ, ଆଦିବାସୀ ବିକାଶ, କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ଯାହାର ଆଦି ପ୍ରସଙ୍ଗ ଉଠାଇଥିଲେ। ସେପଟେ ଅଧିବେଶନ ଆରମ୍ଭରୁ ମୋଦି ଗୃହର ସୁପରିଚାଳନା ଉପରେ ଗୁରୁତ୍ଵାରୋପ କରିଥିଲେ।

ଡ୍ରୋନ ଦ୍ୱାରା କରାଯିବ ଗଞ୍ଜେଇ ଚାଷ ନଷ୍ଟ : ଡିଜିପି

ଭୁବନେଶ୍ବର: ଡ୍ରୋନ ଦ୍ୱାରା କରାଯିବ ଗଞ୍ଜେଇ ଚାଷ ନଷ୍ଟ। ରାଜ୍ୟରୁ ଗଞ୍ଜେଇ ଚାଷକୁ ମୂଳପୋଛ କରିବା ଲକ୍ଷ୍ୟରେ ଓଡିଶା ପୋଲିସ । ୨୦୨୬ ସୁଦ୍ଧା ରାଜ୍ୟରେ ବେଆଇନ ନିଶା କାରବାର ବନ୍ଦ କରିବାକୁ ଟାର୍ଗେଟ ରଖିଥିବା ବେଳେ ଏବେ ପ୍ରତ୍ୟେକ ଦିନ ଏକର ଏକର ଗଞ୍ଜେଇ ଚାଷ କରାଯାଉଛି ନଷ୍ଟ । ରାଜ୍ୟ ପୋଲିସ୍, ଅବକାରୀ ବିଭାଗ, ରାଜସ୍ଵ ବିଭାଗ ପକ୍ଷରୁ ମିଳିତ ଭାବେ ଏବେ ଗଞ୍ଜେଇ ନଷ୍ଟ କରିବା ନେଇ ଗଠନ କରାଯାଇଛି ଯୁଗ୍ମ ଟାସ୍କଫୋର୍ସ. ରାଜ୍ୟର ୯ ଟି ଜିଲା ରେ ଏବେ ବହୁଳ ମାତ୍ରାରେ ଗଞ୍ଜେଇ ଚାଷ କରାଯାଉଥିବା ରିପୋର୍ଟ କହୁଛି ।

ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ନବରଙ୍ଗପୁର ଓ ମୟୁରଭଞ୍ଜ ଜିଲାରେ ବହୁଳ ପରିମାଣରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ରାଜ୍ଯ ପୋଲିସ ଜାଣିବାକୁ ପାଇଛି । ରାଜ୍ୟରୁ ନୀଳଜହର ସମୂଳେ ନାଶ କରିବା ଲକ୍ଷରେ ଓଡିଶା ପୋଲିସ । ଯେଉଁଥିପାଇଁ ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । ଡ୍ରୋନ ସହ ସାଟେଲାଇଟ ଚିତ୍ର ସାହାଯ୍ୟରେ ଗଞ୍ଜେଇ ଚାଷର ଠିକଣା ଖୋଜି ପାଉଛି ପୋଲିସ। ପ୍ରଥମଥର ପାଇଁ ପୋଲିସ, ଅବକାରୀ ବିଭାଗ ସହ ରାଜସ୍ଵ ବିଭାଗ ମିଳିତ ଭାବେ ଆରମ୍ଭ କରିଛନ୍ତି ଏହି ଅଭିଯାନ ।

ମହାରାଷ୍ଟ୍ର ନିର୍ବାଚନ ଫଳଫଳକୁ ସେୟାର ବଜାରର ସ୍ୱାଗତ,ନିବେଶକ ଲାଭ କଲେ ୯ ଲକ୍ଷ କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଦେଖିବା ପରେ ନିବେଶକଙ୍କ ଆତ୍ମବିଶ୍ୱାସ ସପ୍ତମ ଆକାଶରେ ପହଂଚିଛି । ସୋମବାର ବଜାର ଖୋଲିବା ମାତ୍ରେ ନିବେଶକ ଜୋରଦାର କିଣା ଆରମ୍ଭ କରିଥିଲେ ଏବଂ କିଛି ମିନିଟ୍ ମଧ୍ୟରେ ସେନ୍ସେକ୍ସ ୧୨୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିଲା। ନିଫ୍ଟି ମଧ୍ୟ ଆଜି ୨୪ ହଜାର ଉପରେ ଖୋଲି୩୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ କାରବାର କରୁଛି। ବଜାରରେ ହଠାତ୍ ଏହି ବୃଦ୍ଧି ପଛରେ ୭ଟି ବଡ଼ କାରଣ ରହିଛି ଏବଂ ବିଶେଷଜ୍ଞଙ୍କ ମତରେ ୨୦୨୪ରେ ଆହୁରି ଅଭିବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ବିପୁଳ ବିଜୟ ପରେ ନିବେଶକଙ୍କ ଆତ୍ମବିଶ୍ୱାସ ଫେରିଛି । ସକାଳେ ସେନ୍ସେକ୍ସ ୧୨୧୬ ପଏଣ୍ଟ ବୃଦ୍ଧି ସହ ଖୋଲିଥିବା ବେଳେ ନିଫ୍ଟି ୩୭୯ ପଏଣ୍ଟ ବୃଦ୍ଧି ସହ କାରବାର ଆରମ୍ଭ କରିଥିଲା। ଆଜି ସବୁ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେଉଛି। ଅଟୋ, ବ୍ୟାଙ୍କ, ଗଣମାଧ୍ୟମ, ଟେଲିକମ୍, ତୈଳ ଓ ଗ୍ୟାସ, ଶକ୍ତି ଓ ରିଅଲ୍ଟି କ୍ଷେତ୍ରରେ ୧ରୁ ୨ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍ ସମେତ ଭାରତ ଇଲେକ୍ଟ୍ରୋନିକ୍ସ, ଶ୍ରୀରାମ ଫାଇନାନ୍ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ବିପିସିଏଲ୍ ଭଳି କମ୍ପାନି ଆଜି ସର୍ବାଧିକ ଲାଭବାନ ହୋଇଛନ୍ତି। ବିଏସଇ ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ରେ ମଧ୍ୟ ଆଜି ୧.୫% ବୃଦ୍ଧି ଦେଖିବାକୁ ମିଳିଛି।

ଏହି ବୃଦ୍ଧିର କାରଣ କ’ଣ?

ଭାରତୀୟ ଷ୍ଟକ ବଜାରରେ ଏହି ବୃଦ୍ଧିର ସବୁଠାରୁ ବଡ଼ କାରଣ ହେଉଛି ଆମେରିକାରେ ୩୧ ମାସର ବ୍ୟବସାୟିକ କାର୍ଯ୍ୟକଳାପ ଶୀର୍ଷରେ ରହିଛି। ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଫେରିବା ପରେ ଆମେରିକାର ବ୍ୟବସାୟିକ କାର୍ଯ୍ୟକଳାପ ୩୧ ମାସ ମଧ୍ୟରେ ଦ୍ରୁତତମ ଥିଲା ଏବଂ ଏହାର ପ୍ରଭାବ ଡାଓ ଜୋନ୍ସ ସମେତ ଆମେରିକୀୟ ଷ୍ଟକ ବଜାରରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହାବ୍ୟତୀତ ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ, ଅଶୋଧିତ ତୈଳ ଦର ବୃଦ୍ଧି, ସୁନା ଦରହ୍ରାସ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ, ଗିଫ୍ଟ ନିଫ୍ଟିରେ ଉନ୍ନତି ଏବଂ ଏସୀୟ ବଜାରରେ ବୃଦ୍ଧି ମଧ୍ୟ ଆଜି ଦେଖିବାକୁ ମିଳିଛି।

ଆଗକୁ କ’ଣ ହେବ ?
ମୋତିଲାଲ ଓସୱାଲ ଫାଇନାନ୍ସିଆଲର ବିଶେଷଜ୍ଞଙ୍କ ଅନୁସାରେ ସରକାରୀ ବ୍ୟୟ ବୃଦ୍ଧି ଯୋଗୁଁ ଗ୍ରାମୀଣ ଚାହିଦା ବୃଦ୍ଧି ପାଇବ ଏବଂ ମୌସୁମୀ ସହାୟତାରେ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଭଲ ଦେଖାଯିବ । ନିଶ୍ଚିତ ଭାବେ ଏହାର ପ୍ରଭାବ ଷ୍ଟକ ବଜାର ଉପରେ ସକାରାତ୍ମକ ରହିବ। ଏମକେ ଗ୍ଲୋବାଲ୍ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ସରକାରଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ବଜାରକୁ ଏକ ସକାରାତ୍ମକ ବାର୍ତ୍ତା ଦେବ।

ନିବେଶକମାନେ ଆୟ କଲେ ୯ ଲକ୍ଷ କୋଟି
ଏମକେ ଗ୍ଲୋବାଲ କହିଛି ଯେ ସେପ୍ଟେମ୍ବର ପରଠାରୁ ଷ୍ଟକ ବଜାରରେ ୧୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି, କିନ୍ତୁ ବର୍ତ୍ତମାନ ବଜାର ତା’ର ପୁରୁଣା ଚାଲକୁ ଫେରୁଛି ଏବଂ ଆଗାମୀ ସମୟରେ ନିଫ୍ଟି ୨୫ରୁ ୨୬ ହଜାର କୁ ବୃଦ୍ଧି ପାଇପାରେ । ସୋମବାର ଏହି ବୃଦ୍ଧି ଯୋଗୁଁ ନିବେଶକଙ୍କ ପୁଞ୍ଜି ମଧ୍ୟ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ବିଦେଶୀ ନିବେଶକମାନେ ମଧ୍ୟ ବଜାରରେ ପ୍ରାୟ ୨୦,୦୦୦ କୋଟି ଟଙ୍କା ନିବେଶ କରିଛନ୍ତି।

ଡ୍ରାଇଭରକୁ ଇଶାରା,ଏମିତି ମୁଖ୍ୟମନ୍ତ୍ରୀ ପଦ ଉପରେ ପ୍ରଶ୍ନକୁ ଏଡ଼ାଇ ଗଲେ ସିନ୍ଦେ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ବର୍ତ୍ତମାନ ଏହାକୁ ନେଇ ଜୋରଦାର ଚର୍ଚ୍ଚା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳରେ ମହାୟୁତି ବଡ ବିଜୟ ହାସଲ କରିଛି । ତେବେ ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ ସେନେଇ ଜାରି ରହିଛି ସସେପନସ। ଆଜି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି।  ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡରେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ବିଜେପିର ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଥିବା ବେଳେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ସହଜରେ ଛାଡିବେ ବୋଲି ଲାଗୁନାହିଁ ।  ଏକନାଥ ସିନ୍ଦେଙ୍କୁ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦ ବିଷୟରେ ପ୍ରଶ୍ନ ପଚରାଗଲା, ସେତେବେଳେ ସେ ସିଧାସଳଖ ପ୍ରଶ୍ନକୁ ଏଡାଇ ମୁହଁ ବୁଲାଇ ଦେଇଥିଲେ ।

ସୂଚନା ଅନୁଯାୟୀ ମହାରାଷ୍ଟ୍ର ନିର୍ବାଚନରେ ​​ବିଜୟ ପରେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ବିବାଦ ଲାଗି ରହିଛି। ଫଡନାଭିସ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ ଥିବାବେଳେ ସିନ୍ଦେ ମଧ୍ୟ ଛାଡିବାକୁ ଇଚ୍ଛୁକ ନାହାନ୍ତି । ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ସରକାର ଭଲ କାମ କରିଛନ୍ତି ଏବଂ ବିଜୟ ହେଉଛି ଏହାର ଫଳାଫଳ ସେଥିପାଇଁ ତାଙ୍କ ଗୋଷ୍ଠୀ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଏଭଳି ପରିସ୍ଥିତିରେ ଯେତେବେଳେ ସାମ୍ବାଦିକମାନେ ରବିବାର ଦିନ ସିଏମ୍ ପଦବୀ ସମ୍ପର୍କରେ ଏକନାଥ ସିନ୍ଦେଙ୍କୁ ପ୍ରଶ୍ନ ପଚାରିଥିଲେ, ସେ କିଛି ନ କହି ଏହାକୁ ଏଡାଇ ଯାଇଥିଲେ।

ସିନ୍ଦେ ପ୍ରଶ୍ନ ଶୁଣି ମୁହଁ ବୁଲାଇଦେଲେ
ରବିବାର ଦିନ ଏକନାଥ ସିନ୍ଦେଙ୍କ ଶିବସେନାର ବିଧାନସଭା ପାର୍ଟି ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାନସଭା ପାର୍ଟି ବୈଠକ ପରେ ସେ ବାହାରକୁ ଆସିବା ପରେ ସେ ଗଣମାଧ୍ୟମ ସହ କଥା ହୋଇଥିଲେ। ଏହି ସମୟରେ ଏକନାଥ ସିନ୍ଦେ ନିଜେ କାରରୁ ଗଣମାଧ୍ୟମକୁ କହିଥିଲେ। ‘ସମସ୍ତ ବିଧାୟକଙ୍କୁ ଧନ୍ୟବାଦ, ଯେଉଁମାନେ ସର୍ବସମ୍ମତି କ୍ରମେ ମୋତେ ଦଳର ନେତା ଭାବରେ ମନୋନୀତ କରିଛନ୍ତି, ସମସ୍ତଙ୍କୁ ଶୁଭେଚ୍ଛା।’ ଏହା ପରେ ଗଣମାଧ୍ୟମ ଦ୍ୱାରା ଆଉ ଏକ ପ୍ରଶ୍ନ ପଚରାଯାଇଥିଲା। ସାର୍, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦରେ ନିଷ୍ପତ୍ତି ନିଆଯିବ କି? ପ୍ରଶ୍ନ ଶୁଣିବା ପରେ ସିନ୍ଦେ ମୁହଁ ବୁଲାଇ ଡ୍ରାଇଭରକୁ ହାତରେ ଚଳାଇବାକୁ ସଙ୍କେତ ଦେଇଥିଲେ। ଏହିପରି ଭାବରେ ସିନ୍ଦେ CMର ପ୍ରଶ୍ନକୁ ଏଡାଇ ପଳାଇଥିଲେ  ।

ଆଜି CM ପଦବୀ ଉପରେ ହେବ ନିଷ୍ପତ୍ତି !
ଯେତେବେଳେ ସିନ୍ଦେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିଲେ, ସେତେବେଳେ ତାଙ୍କର ମୁହଁରେ ଖୁସୀ ନଥିଲା । ମୁଖ୍ୟମନ୍ତ୍ରୀଙ୍କ ପଦ ପାଇଁ ଲାଗିରହିଥିବା ବିବାଦ ତାଙ୍କ ମୁହଁରେ ବାରି ହେଇପଡୁଥିଲା । ନିର୍ବାଚନରେ ବିଜୟର ଖୁସୀ ତାଙ୍କୁ ମୁହଁରେ ଦେଖାଯାଉନଥିଲା । ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିବାଦ ଥିବାରୁ ସିନ୍ଦେ ବିବ୍ରତ ଥିବା ଚର୍ଚ୍ଚା ହେଉଛି। ତେବେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରୁ କିଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ସେନେଇ ସସପେନ୍ସ ଜାରି ରହିଛି। ଏହି ସମୟରେ ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଦିଲ୍ଲୀ ଆସୁଛନ୍ତି। ସେଠାରେ ସେ ଅମିତ ଶାହାଙ୍କୁ ଭେଟିବେ। ବୋଧହୁଏ ଅମିତ ଶାହାଙ୍କୁ ଭେଟିବା ପରେ ସିଏମ୍ ପଦରେ ଥିବା ଚିତ୍ର ସ୍ପଷ୍ଟ ହୋଇପାରେ।

କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର; ପୋଲିସ ଫାଶରେ ଦଲାଲ ଦମ୍ପତ୍ତି

ଭୁବନେଶ୍ବର: କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା। କଟକ ସଦର ଥାନା ଅଞ୍ଚଳରୁ ଦଲାଲ ଦମ୍ପତିଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ। ଗିରଫ ଦମ୍ପତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଦମ୍ପତି ହେଲେ ଓମ ପ୍ରକାଶ ଚୌଧୁରୀ ଓ ପତ୍ନୀ ଜାସ୍ମିନ ଚୌଧୁରୀ। ଗିରଫ ଦମ୍ପତି ନାବାଳିକାକୁ ଦେହ ବ୍ୟବସାୟରେ ନିୟୋଜିତ କରୁଥିଲେ। ଏନେଇ କଟକ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଦଲାଲ ଦମ୍ପତ୍ତିଙ୍କୁ ପୋଲିସ ଉଠାଇ ଆଣି ପଚରାଉଚରା କରିବା ପରେ, ପୋଲିସ ଆଗରେ ସତ ଉଗାଳିଛନ୍ତ ପତି-ପତ୍ନୀ ।

ଦେହବେପାର ଘଟଣାରେ ପୋଲିସର ତଦନ୍ତ ଜାରୀ ଥିବା ବେଳେ ରୋଜଗାର ପାଇଁ ଟ୍ବିନ ସିଟିରେ ଦେହବେପାର ବ୍ୟବସାୟ କରୁଥିବା ଦମ୍ପତ୍ତି କହିଛନ୍ତି । ଭଡ଼ା ଘରେ ରହି ଦମ୍ପତି ଏଭଳି କାମ କରୁଥିବାବେଳେ ଘର ମାଲିକଙ୍କୁ ମଧ୍ୟ ପୋଲିସ ଅଧିକ ପଚରାଉଚରା କରିଛି । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ପୋଲିସ ତଦନ୍ତ କରୁଛି । ତେବେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ମାଳମାଳ ବାଂଲାଦେଶୀ ଯୁବତୀ ବୁଲୁଥିବା ବେଳେ କେମିତି , କାହା ନିର୍ଦ୍ଦେଶରେ ଏହି ସେକ୍ସ ରାକେଟ ଚାଲିଛି ତାହାର ତଦନ୍ତ ହେଉଛି ।

ଗତକାଲି ଜଣେ ବାଂଲାଦେଶୀ ଯୁବତୀଙ୍କୁ ଭିଡିଓ ଭାଇରାଲ ହୋଇଥିବା ବେଳେ କେମିତି ବାଂଲାଦେଶରୁ ଆସି ଟ୍ବନ ସିଟିରେ ଦେହବେପାର କରୁଛନ୍ତି ତାର ଖୁଲାସା କରିଥିଲେ । ଚାକିରିର ଲୋଭ ଦେଖାଇ ଦଲାଲ ମାନଙ୍କ ସାହାଯ୍ୟରେ ବେଆଇନ୍ ଭାବେ ସୀମା ପାର ହୋଇ ଆସିବା ପରେ ଏଠି ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ। କିଛି ହୋଟେଲ, ଆପାର୍ଟମେଣ୍ଟ, ପାର୍ଲରରେ ଏମାନଙ୍କୁ ରଖି ଲୁଚାଚୋରାରେ ରାକେଟ୍ ଚଳାଉଛନ୍ତି ଦଲାଲ ଓ ଅସାଧୁ ବ୍ୟକ୍ତି। ଯାହାର ପ୍ରମାଣ ଦେଇଛି ସେହି ଯୁବତୀଙ୍କ ବୟାନ ।

ତେବେ ବାଂଲାଦେଶୀ ଯୁବତୀ ଉଦ୍ଧାର ହେବା ପରେ ସକ୍ରିୟ ହୋଇଯାଇଛନ୍ତି କମିଶନରେଟ ପୋଲିସ । ଏଥିରେ କିଏ କିଏ ବା ଆଉ କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରହିଛି। ଅନେକ ସନ୍ଦିଗ୍ଧ ପୋଲିସର ସ୍କାନରରେ ଅଛନ୍ତି।

ପର୍ଥ ଟେଷ୍ଟ : ଐତିହାସିକ ବିଜୟ ଅପେକ୍ଷାରେ ଭାରତ

ନନ୍ଦିଘୋଷ ବ୍ୟୁରୋ: ଐତିହାସିକ ବିଜୟ ଅପେକ୍ଷାରେ ଭାରତ। ଅଷ୍ଟ୍ରେଲିଆର ପର୍ଥରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ। ଆଜି ଚତୁର୍ଥ ଦିନର ମ୍ୟାଚ୍ । ବିଜୟ ପାଇଁ ଏବେ ଅଷ୍ଟ୍ରେଲିଆ ଆଗରେ ୫୩୪ ରନର ଟାର୍ଗେଟ୍ ରହିଛି। ଗତକାଲି ଟେଷ୍ଟର ତୃତୀୟ ଦିନରେ ଭାରତ ପକ୍ଷରୁ ଦମଦାର ପ୍ରଦର୍ଶନ କରିଥିଲେ ବିରାଟ୍ କୋହଲି ଓ ଜଶଶ୍ବୀ ଜୟସ୍ବାଲ।

କୋହଲି ଶହେ ରନରେ ନଟ୍ ଆଉଟ୍ ଥିବା ବେଳେ ଜୟସ୍ବାଲ ୧୬୧ ରନର ଚମତ୍କାର ପାରି ଖେଳିଥିଲେ। ପ୍ରଥମ ଇନିଂସରେ ଖରାପ ପ୍ରଦର୍ଶନ କରିଥିବା ଭାରତୀୟ ଟିମ୍ ଦ୍ବିତୀୟ ଇନିଂସରେ ବଡ଼ ସ୍କୋର କରି ୫୩୪ ରନର ଟାର୍ଗେଟ୍ ଦେଇଥିଲେ। ତୃତୀୟ ଦିନରେ ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ୧୨ ରନ୍ କରିଛି। ଆଜି ସକାଳୁ ଆଉ ଦୁଇଟି ୱିକେଟ ଯାଇଛି। ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୫ ୱିକେଟ ହରାଇ ଅଷ୍ଟ୍ରେଲିଆ କରିଛି ୧୦୪ ରନ୍ ।

ରାଜନୀତିରେ ସ୍ବାର୍ଥ ହାସଲ ପାଇଁ ସୀମା ଲଙ୍ଘିଲେ ଟ୍ରୁଡୋ; ୪ଭାରତୀୟଙ୍କ ବିରୋଧରେ ସିଧାସଳଖ ଶୁଣାଣୀ

ନନ୍ଦିଘୋଷ ବ୍ୟୁରୋ: ପୁଣି ଭାରତ-କାନାଡା ସମ୍ପର୍କରେ ତିକ୍ତତା । ଖଲିସ୍ତାନଙ୍କ ପ୍ରତି ଜଷ୍ଟିନ ଟ୍ରୁଡୋଙ୍କ ସମର୍ଥନ ଏହି ତିକ୍ତତାକୁ ବଢାଇଦେଇଛି । ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟା ମାମଲାରେ କୌଣସି ଠୋସ୍ ପ୍ରମାଣ ନଥିଲେ ମଧ୍ୟ କାନାଡା ସରକାର ଏହି ମାମଲାରେ ଏକ ନୂତନ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ପ୍ରାଥମିକ ଶୁଣାଣି ବିନା ଚାରି ଜଣ ଭାରତୀୟ ନାଗରିକଙ୍କ ବିରୋଧରେ ସିଧାସଳଖ ଶୁଣାଣି ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।

କାନାଡାର ବିସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁଯାୟୀ ଏହି ନିଷ୍ପତ୍ତିର ଅର୍ଥ ହେଉଛି ଯେ ମାମଲା ସିଧାସଳଖ ସୁପ୍ରିମକୋର୍ଟକୁ ଯିବ ଏବଂ ପ୍ରାଥମିକ ଶୁଣାଣି ପର୍ଯ୍ୟାୟକୁ ଏଡ଼ାଇ ଦିଆଯିବ। ଏହି ପ୍ରକ୍ରିୟା ସାଧାରଣତଃ ଅଭିଯୁକ୍ତକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସାକ୍ଷୀମାନଙ୍କୁ କ୍ରସ-ପରୀକ୍ଷଣ ଏବଂ ମାମଲାର ଅନୁସନ୍ଧାନ କରିବାର ସୁଯୋଗ ଦେଇଥାଏ, କିନ୍ତୁ ଏହି ନିଷ୍ପତ୍ତି ପ୍ରତିରକ୍ଷା ସୁଯୋଗକୁ ପ୍ରତ୍ୟାଖ୍ୟାନ କରିବ, ଯାହା ଏହି ପ୍ରକ୍ରିୟାକୁ ଅଧିକ କଷ୍ଟସାଧ୍ୟ କରିପାରେ |

କାନାଡାର ଅପରାଧିକ ସଂହିତା ଅନୁଯାୟୀ ଏଭଳି ନିଷ୍ପତ୍ତି ଖୁବ୍ କମ୍ ମାମଲାରେ ନିଆଯାଏ। ସୂଚନାନୁସାରେ, ଏହାର ନିଷ୍ପତ୍ତି ଆଟର୍ଣ୍ଣି ଜେନେରାଲର ଦାୟିତ୍ବ ଅଟେ ଏବଂ ଏହା କେବଳ ଜନସାଧାରଣଙ୍କ ସ୍ୱାର୍ଥ ମାମଲାରେ ନିଆଯାଏ। ଏହିପରି ମାମଲା ସାକ୍ଷୀ ଏବଂ ସେମାନଙ୍କ ପରିବାରର ସୁରକ୍ଷା କିମ୍ବା ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରିଥାଏ ।

ଏହି ଚାରିଜଣ ଭାରତୀୟ ଅଭିଯୁକ୍ତ କିଏ?
ଅଭିଯୁକ୍ତମାନଙ୍କ ମଧ୍ୟରେ କରଣ ବ୍ରାର, ଅମାନଦୀପ ସିଂ, କମଲପ୍ରୀତ ସିଂ ଏବଂ କରଣପ୍ରୀତ ସିଂ ଅଛନ୍ତି। ୧୮ ଜୁନ୍ ୨୦୨୩ରେ ବ୍ରିଟିଶ କଲମ୍ବିଆ ସ୍ଥିତ ଗୁରୁଦ୍ୱାରରେ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଚାରିଜଣଙ୍କୁ ଚଳିତ ବର୍ଷ ମେ ମାସରେ ଗିରଫ କରାଯାଇଥିଲା। ତେବେ ନ୍ୟାୟିକ ପ୍ରକ୍ରିୟାରେ କୌଣସି ଅଗ୍ରଗତି ହୋଇନଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାମଲାର ଶୁଣାଣି ପାଞ୍ଚଥର ସ୍ଥଗିତ ରଖାଯାଇଛି। ତେବେ ଏହାର ପରବର୍ତ୍ତୀ ଶୁଣାଣୀ ୧୧ ଫେବୃଆରୀ ୨୦୨୫ ପାଇଁ ଧାର୍ଯ୍ୟ କରାଯାଇଛି।

ଭାରତ-କାନାଡା ସମ୍ପର୍କ ଉପରେ ପ୍ରଭାବ:
କାନାଡାର ଏହି ନିଷ୍ପତ୍ତି ଭାରତ ସହିତ ସମ୍ପର୍କକୁ ଆହୁରି ଖରାପ କରିପାରେ  । ଖଲିସ୍ତାନ ପ୍ରତି ଟ୍ରୁଡୋ ସରକାରଙ୍କ ସମର୍ଥନ ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ବଢାଉଛି। ଏହି ପ୍ରସଙ୍ଗରେ ଭାରତ ପୂର୍ବରୁ ଏକ ଦୃ୍ଢ ପ୍ରତିକ୍ରିୟା ଦେଇସାରିଛି ଏବଂ ବିଶ୍ୱାସ କରାଯାଉଛି ଯେ ବର୍ତ୍ତମାନ କାନାଡା ସରକାରଙ୍କ ଏହି ପଦକ୍ଷେପ ବିବାଦକୁ ଆହୁରି ବଢାଇପାରେ ।

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ମୃତ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ହାର୍ଡୋଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  । ବୋଲେରୋ ବସ୍ ମୁହାଁମୁହିଁ ଧକ୍କା  । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ବିବାହ ଉତ୍ସବରୁ ବୋଲେରୋରେ ଲୋକ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।

ପୋଲିସ କହିଛି ଯେ ମାଲୱାନ କୋଟୱାଲୀ ଅଞ୍ଚଳର କାଟ୍ରା ବିଲହୋର ରାଜପଥରେ ଏକ ବୋଲେରୋ କାର ଏବଂ ଏକ ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ବୋଲେରୋରେ ଯାତ୍ରା କରୁଥିବା ସମସ୍ତ ଲୋକ ଏକ ବିବାହ ଉତ୍ସବରେ ଯୋଗଦେବା ପରେ ଫେରୁଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାରେ ଦୁଃଖପ୍ରକାଶ କରିବା ସହିତ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।