spot_img
Home Blog Page 1319

ରାଜଧାନୀରେ ଗଡ଼ିବ ଡବଲ ଡେକର ବସ୍

ଭୁବନେଶ୍ବର: ରାଜଧାନୀରେ ଗଡ଼ିବ ଡବଲ ଡେକର ବସ୍। ଡବଲ ଡେକର୍ ଇ-ବସ ପାଇଁ ଟେଣ୍ଡର ଆହ୍ଵାନ। ଘରୋଇ ସଂସ୍ଥାଙ୍କୁ ଟେଣ୍ଡର ଆହ୍ଵାନ କଲା CRUT। ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲା ପାଇଁ କରାଯାଇଛି ଯୋଜନା।

ପ୍ରଥମ ପର୍ଯ୍ଯାୟରେ ଆସିବ ୫ଟି ଡବଲ ଡେକର ବସ। ଡବଲ୍‌ ଡେକର୍‌ ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ। ଆବଶ୍ଯକ ପଡିଲେ ଆହୁରି ୨ ବର୍ଷ ବଢାଯାଇପାରେ ଚୁକ୍ତି। ସପ୍ଲାଏ, ଅପରେସନ, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ସଂସ୍ଥା ଯୋଗାଇବ। ଏଥିପାଇଁ ଟେଣ୍ଡର ଆହ୍ଵାନ କରିଛି CRUT।

ଖୋର୍ଦ୍ଧା ସହରରେ ଉଚ୍ଛେଦ ଅଭିଯାନକୁ ବିରୋଧ

ଖୋର୍ଦ୍ଧା: ପ୍ରବଳ ବିରୋଧ ପରେ ଖୋର୍ଦ୍ଧା ସହରରେ ୫ ଦିନ ପାଇଁ ସ୍ଥଗିତ ରହିଲା ଉଚ୍ଛେଦ ଅଭିଯାନ। ଉପଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଉଚ୍ଛେଦ ଅଭିଯାନକୁ ସ୍ଥଗିତ ରଖାଯାଇଛି। କ୍ୟାବିନ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଥିଲା । ସହର ଟ୍ରାଫିକ ଛକ, ବ୍ୟାଙ୍କ୍ ଛକ, ମୁଖ୍ୟରାସ୍ତା ଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମସ୍ତ ଦୋକାନ ଉଚ୍ଛେଦ କରିବାକୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହେବା ସହ ୧୬୩ ଧାରା ମଧ୍ୟ ଲାଗୁ କରାଯାଇଥିଲା।

ଉଚ୍ଛେଦକୁ ବିରୋଧ କରି ଟ୍ରାଫିକ ଛକରେ ଶହ ଶହ ସଂଖ୍ୟାରେ ବ୍ୟବସାୟୀଙ୍କ ସହ ପୌରାଧ୍ୟକ୍ଷା ଓ କାଉନସିଲର ଧାରଣାରେ ବସିଥିଲେ। ଅନ୍ୟପଟେ ଖୋର୍ଦ୍ଧା ଉପଜିଲ୍ଲାପାଳ, ତହସିଲଦାର, ନିର୍ବାହୀ ଅଧିକାରୀ, ପୋଲିସ ଅଧିକାରୀ ଫୋର୍ସ ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଗୋଟିଏ ପଟେ ପ୍ରଶାସନ ଉଚ୍ଛେଦ କରିବାକୁ ପ୍ରସ୍ତୁତ ଥିବା ବେଳେ, କୌଣସି ପରିସ୍ଥିତିରେ ଦୋକାନ ଭାଙ୍ଗିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ପୌରାଧ୍ୟକ୍ଷା। ତେବେ ପ୍ରଶାସନର କାର୍ଯ୍ୟରେ ସହଯୋଗ କରିବାକୁ ଅପିଲ କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ।

 

ରାସ୍ତା ପାର୍‌ ବେଳେ ମାଡିଗଲା ବସ୍, ଜଣେ ମୃତ ୨ ଗୁରୁତର

କାମାକ୍ଷାନଗର: ରାସ୍ତା ପାର୍‌ ବେଳେ ମାଡିଗଲା ଯାତ୍ରୀବାହୀ ବସ୍।। ବସ ଧକ୍କାରେ ଜଣେ ମୃତ ୨ ଜଣ ଗୁରୁତର। ଅଭାବନୀୟ ଘଟଣାଟି ଘଟିଛି କାମାକ୍ଷାନଗର ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ଖଇରାମୁଣ୍ଡା ଛକ ନିକଟରେ। ମୃତକ ହେଲେ ମୁଣ୍ଡେଇଲ ପଞ୍ଚାୟତ ନାଉପାଳ କାଟେଣୀ ଗ୍ରାମର ସାଗର ପ୍ରଧାନ। ୩ ଜଣ ଯାକ ରାସ୍ତା ପାର ହେଉଥିବା ବେଳେ କାମାକ୍ଷାନଗରରୁ ତାଳଚେର ଯାଉଥିବା ଭୋଳାନାଥ ନାମକ ଯାତ୍ରୀବାହି ବସ ସେମାନଙ୍କୁ ଧକ୍କା ଦେଇଥିଲା l

ଫଳରେ ଘଟଣା ସ୍ଥଳରେ ସାଗର ପ୍ରଧାନ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଆହତ ହୋଇଥିଲୋ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋ। ଘଟଣାସ୍ଥଳରେ ସରାଙ୍ଗ ଫାଣ୍ଡି ପୋଲିସ ପହଞ୍ଚି ବସକୁ ଅଟକ ରଖି ପଚାର ଉଚରା ଜାରି ରଖିଛି। ଅନ୍ୟପଟେ ମୃତକୟଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା l ଫଳରେ କାମାକ୍ଷାନଗର ରୁ ଅନଗୁଳ ଯାତାୟାତ ଠପ ହୋଇଛି।

କଂଗ୍ରେସର ହାତ ଛାଡିଲେ ଲାଲୁ, କହିଲେ ମମତା ନିଅନ୍ତୁ ଇଣ୍ଡି ମେଣ୍ଟର ନେତୃତ୍ବ

0

ପାଟନା: ଇଣ୍ଡିଆ ମେଣ୍ଟ ନେତୃତ୍ବକୁ ନେଇ ପରସ୍ପର ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇଣ୍ଡିଆ ମେଣ୍ଟ ନେତୃତ୍ବ ଦାବିକୁ ସମର୍ଥନ ଦେଇଛନ୍ତି  । ଏହା ସହ କଂଗ୍ରେସକୁ ପରାମର୍ଶ ଦେଇ ଦଳର ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି  ।

ପାଟନାରେ ଲାଲୁ କହିଛନ୍ତି ‘‘କଂଗ୍ରେସ ଅଭିଯୋଗର କୌଣସି ଅର୍ଥ ନାହିଁ  । ଆମେ ମମତା ବାନାର୍ଜୀଙ୍କୁ ସମର୍ଥନ ଦେଉଛୁ  । ମମତା ବାନାର୍ଜୀଙ୍କୁ ଇଣ୍ଡି ମେଣ୍ଟର ନେତୃତ୍ବ ଦେବା ଉଚିତ । ଆମେ ୨୦୨୫ରେ ପୁଣି ଥରେ ସରକାର କରିବୁ’’  ।

ଏହା ପୂର୍ବରୁ ଆରଜେଡି ନେତା ତେଜସ୍ବୀ ଯାଦବ ଗଣମାଧ୍ୟମକୁ କହିଥିଲେ ଯେ ଏହି ପ୍ରସଙ୍ଗରେ ଏଯାଏଁ କୌଣସି ଆଲୋଚନା ହୋଇନାହିଁ  । ମେଣ୍ଟର ବରିଷ୍ଠ ନେତା ଏକାଠି ବସିଲେ ଏହି ପ୍ରସଙ୍ଗରେ ଆଲୋଚନା କରିବେ  । ମେଣ୍ଟ ଚଳାଇବା ପାଇଁ ବରିଷ୍ଠ ନେତାଙ୍କ ନାମରେ କେହି ଆପତ୍ତି ଉଠାଇବେ ନାହିଁ ବୋଲି ତେଜସ୍ବୀ କହିଥିଲେ  ।

 

ଇଣ୍ଡି ମେଣ୍ଟ ଭିତରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବକୁ ନେଇ ସନ୍ଦେହ କରାଯାଉଛି  । ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ସ୍ଥିତିରେ ସୁଧାର ଆସି ମେଣ୍ଟ ଦଳ ବିଜେପିକୁ କଡା ଟକ୍କର ଦେଇଥିଲା  । କିନ୍ତୁ ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ଯାଦୁ ଚାଲି ପାରିନଥିଲା  । ଯାହା ପରେ ଇଣ୍ଡିଆ ମେଣ୍ଟ ନେତୃତ୍ବରେ ପ୍ରଶ୍ନ ଉଠିଥିଲା  । ମମତା ବାନାର୍ଜୀଙ୍କ ବୟାନ ପରେ ଅଧିକାଶ ସହଯୋଗୀ ଦଳ ତାଙ୍କୁ ସମର୍ଥନ ଦେଇଥିଲେ  ।

ନିକଟରେ ଇଣ୍ଡିଆ ମେଣ୍ଟରେ ନିଜ ଭୂମିକା ନେଇ ମମତା ବାନାର୍ଜୀ କହିଥିଲେ ଯେ ତାଙ୍କୁ ସୁଯୋଗ ମିଳିଲେ ସେ ନିଶ୍ଚିତ ସୂଚାରୁ ରୂପେ ସଞ୍ଚାଳନ କରିବେ  ।

ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବା ବିଜେପି ସରକାର କରୁଛି ଷଡ଼ଯନ୍ତ୍ର

ଭୁବନେଶ୍ବର: ମିଶନ ଶକ୍ତି କର୍ମୀଙ୍କୁ ବିଜେଡିର ସମର୍ଥନ । ବିଧାନସଭା ଶୀତକାଳନୀନ ଅଧିବେଶନର ପ୍ରଶ୍ନକାଳରେ ଏହାକୁ ନେଇ ବିରୋଧି ଦଳ ଗୃହରେ ପ୍ରତିବାଦ କରିଛନ୍ତି । ବିଜେଡି ବିଧାୟକ ଆନ୍ଦୋଳନରତ ମିଶନ ଶକ୍ତି କର୍ମୀଙ୍କୁ ଭେଟିବାକୁ ଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମିଶନ ଶକ୍ତି କର୍ମୀଙ୍କ ପ୍ରତି ନିଜ ସମର୍ଥନ ବ୍ୟକ୍ତ କରିଛନ୍ତି ।

ସାମ୍ବାଦିକଙ୍କୁ ଦେଇଥିବା ପ୍ରତିକ୍ରିୟାରେ ନବୀନ କହିଛନ୍ତି ଯେ, ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବାକୁ ରାଜ୍ୟ ବିଜେପି ସରକାର ଷଡ଼ଯନ୍ତ୍ର କରୁଛନ୍ତି । ମିଶନ ଶକ୍ତି କର୍ମୀଙ୍କ ପ୍ରତି ବିଜେଡିର ସମର୍ଥନ ଜାରି ରହିବ ବୋଲି ନବୀନ କହିଛନ୍ତି ।

ରାଜ୍ୟ ସରକାର ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିଛନ୍ତି । ଦରମା ବନ୍ଦ କରିବା ଆଦୌ ଭଲ କଥା ନୁହେଁ । ବିଜେଡ଼ି ସର୍ବଦା ମିଶନ ଶକ୍ତି ମହିଳାଙ୍କ ସହିତ ରହିଛି ବୋଲି ନବୀନ କହିଛନ୍ତି ।

ଗଲଫ୍ ବ୍ୟାଙ୍କ ଠାରୁ ୭ଶହ କୋଟି ହଡ଼ପ କରି ଭାରତରେ ଲୁଚିଛନ୍ତି କେରଳ ନର୍ସ !

ଥିରୁଅନନ୍ତପୁରମ: କୁଏତରୁ ପାଖାପାଖି ୭୦୦ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ମାମଲା ସାମନାକୁ ଆସିଛି  । ପାଖାପାଖି ୧୪୨୫ ଜଣ ଏହି ଜାଲିଆତିରେ ସାମିଲ ଅଛନ୍ତି  । ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ନର୍ସ  । ସମସ୍ତ ଅଭିଯୁକ୍ତ କେରଳ ବାସିନ୍ଦା ହୋଇଥିବା ବେଳେ ଚାକିରି କରିବା ପାଇଁ କୁଏତ ଯାଇଥିଲେ  । ଗଲ୍ଫ ବ୍ୟାଙ୍କରୁ ଋଣ ଆଣିବା ପରେ ବିନା ପରିଶୋଧ କରି ସେମାନେ କୁଏତ ଛାଡି ଦେଇଛନ୍ତି। ଋଣ ଆଣି କିଛି ଲୋକେ ଭାରତ ତ ଆଉ କିଛି କାନାଡା, ଅଷ୍ଟ୍ରେଲିଆ ଓ ଅନ୍ୟ ଇୁଉରୋପୀୟ ଦେଶ ଫେରାର ହୋଇଯାଇଛନ୍ତି  । ଗଲ୍ଫ ବ୍ୟାଙ୍କର ଡେପୁଟି ମ୍ୟାନେଜର ଏ ନେଇ କେରଳ ପୋଲିସରେ  ଅଭିଯୋଗ କରିବା ପରେ ପୋଲିସ ୧୦ଟି ଏଫଆଇଆର ରୁଜୁ କରିଛି  ।

ଏହି ନର୍ସ ମାନଙ୍କ ମଧ୍ୟରୁ ଜଣେ କେରଳ ଫେରି ଏକ ଆଲିଶାନ ଆପାର୍ଟମେଣ୍ଟ କିଣିଛନ୍ତି  । ସେ କେରଳର ଏକ ହସ୍ପିଟାଲରେ ଏବେ କାମ କରିୁଛନ୍ତି  । କଲମସେରୀର ସାଫିକ ଅଲ୍ଲୀଙ୍କ ବିରୋଧରେ ୧.୨୫ କୋଟି ଟଙ୍କା ଓ ଡେଲନା ଥଙ୍କାଚନଙ୍କ ବିରୋଧରେ ୯୩.୧୦ ଲକ୍ଷ ଟଙ୍କାର ମାମଲା ରୁଜୁ ହୋଇଛି  । ଏହି ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୪୨୦ ଓ ୪୦୬ ଆଧାରରେ ଅପରାଧିକ ଓ ବିଶ୍ବାସଘାତକତା ମାମଲା ରୁଜୁ ହୋଇଛି  ।

ଖାସ କଥା ହେଉଛି ଯେ ଗଲ୍ଫ ବ୍ୟାଙ୍କ ବିନା କିଛି ଗ୍ୟାରେଣ୍ଟିରେ ସେମାନଙ୍କୁ ଋଣ ଦେଇଥିଲା  । କୁଏତରେ ନିଯୁକ୍ତି ଖର୍ଚ୍ଚ ପାଇଁ ଅଧିକାଂଶ ଲୋକେ ଋଣ କରିଥାନ୍ତି  । ସେମାନଙ୍କ ମଧ୍ୟରୁ ନର୍ସଙ୍କ ସଂଖ୍ୟା ସର୍ବାଧିକ ରହିଛି ବୋଲି ବ୍ୟାଙ୍କ୍‌ କହିଛି  ।

ବ୍ୟାଙ୍କ୍‌ ଏହି ଡିଫଲ୍ଟରଙ୍କ ବିରୋଧରେ ଭାରତରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ଫାର୍ମଙ୍କ ଠୁ ପରାମର୍ଶ ନେଇଛି  । କାରଣ ଏହି ଜାଲିଆତି କୁଏତରେ ହୋଇଛି  । ଜଣେ ପୋଲିସ ଅଧିକାରୀ କହିଛନ୍ତି ବିଦେଶରେ ଅପରାଧ ହେବା ପରେ ବି ଭାରତୀୟ ଆଇନ ବ୍ୟବସ୍ଥା ମକଦ୍ଦମା ଚଲାଇବା ପାଇଁ ଅନୁମତି ଦେଇଥାଏ  । ଗଲ୍ଫ ବ୍ୟାଙ୍କ ଅଭିଯୁକ୍ତଙ୍କ ପରିଚୟ ଖୋଜି କଲମସେରୀ, ନଜରାକଲ, ବରପୋଝା, କଲାଡେ, ମୁବତୁପୁଝା, ଓନ୍ନୁକଲ, କୋଡାନାଡ ଓ କୁମାରକୋମ ସହ ବିଭିନ୍ନ ଜିଲ୍ଲାର ଥାନାରେ ମାମଲା ରୁଜୁ କରିଛି  ।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସୋମନହଲ୍ଲୀ ମଲୌୟା କୃଷ୍ଣାଙ୍କ ପରଲୋକ

ବେଙ୍ଗାଲୁରୁ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସୋମନହଲ୍ଲୀ ମଲୌୟା କୃଷ୍ଣାଙ୍କ ପରଲୋକ  । ୯୨ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି  । ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ଭାରକତର ବିଦେଶ ନୀତିରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥି୍ବା କୃଷ୍ଣା ଦୀର୍ଘଦିନରୁ ରୋଗରେ ପୀଡିତ ଥିଲେ  । ବେଙ୍ଗାଲୁରୁରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି  ।

୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ କୃଷ୍ଣା  । ତାଙ୍କ ସମୟରେ ବେଙ୍ଗାଲୁରୁ ଦେଶର ଆଇଟି ହବ୍‌ ପାଲଟିଥିଲା  । ବେଙ୍ଗାଲୁରୁ ଭାରତର ‘ସିଲିକନ ଭ୍ୟାଲି’ ଉପାଧି ପାଇବାରେ କୃଷ୍ଣାଙ୍କ ଅବଦାନ ରହିଥିଲା  । ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ସେ ଦେଶର ବୈଦେଶିକ ମନ୍ତ୍ରୀ ରହିଥିଲେ । ଏହା ସହ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ  ।

୨୦୧୭ରେ କୃଷ୍ଣା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ  । ଭାରତୀୟ ରାଜନୀତିରେ ତାଙ୍କ ଯୋଗଦାନ ପାଇଁ ୨୦୨୩ରେ ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା  ।

ଆଜି ସକାଳୁ ଟ୍ବିନସିଟିରେ ମଧ୍ୟମ ଧରଣର ବର୍ଷା, ଶୁକ୍ରବାରରୁ ଶୀତ

ଭୁବନେଶ୍ବର: ଆଜି ସକାଳୁ ଟ୍ବିନସିଟିରେ ମଧ୍ୟମ ଧରଣର ବର୍ଷା  । ଶୀତୁଆ ସକାଳରେ କୋହଲା ପାଗ ସହ ବର୍ଷାରେ ହନ୍ତସନ୍ତ ଟୁଇନସିଟିବାସୀ  । ପଶ୍ଚିମାଝଡ ପ୍ରଭାବରେ ଉପକୂଳ ଓଡିଶାରେ ବଦଳିଛି ପାଗ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକ ରେ କୋହଲା ପାଗ । ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ବି ନାହିଁ ଶୀତର ପ୍ରକୋପ । ଆଉ ଦୁଇ ଦିନ ପରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ନେଇ ଆକଳନ କରାୟାଇଛି  ।

କିଛି ଦିନ ହେଲେ ଶୀତରେ ବ୍ରେକ ଲଗାଇଛି ପଶ୍ଚିମାଝଡ । ଡିସେମ୍ବର ମାସ ଅଧା ହେବାକୁ ବସିଲାଣି ହାଡଭଙ୍ଗା ଶୀତ ଛାଡନ୍ତୁ ରାଜ୍ୟରେ ସାମାନ୍ୟ ଶୀତ ଅନୁଭୂତ ହେଉନି । ବଙ୍ଗୋପସାଗରରୁ ରାଜ୍ୟକୁ ବହୁଛି ଜଳୀୟବାସ୍ପ ପୂର୍ଣ୍ଣ ବାୟୁ । ଯାହାର ପ୍ରଭାବରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ରହୁଛି । କିନ୍ତୁ ଆସନ୍ତା ଶୁକ୍ରବାର ଠାରୁ ରାଜ୍ୟରେ କମିବ ତାପମାତ୍ରା ।

ଫଳରେ ରାତିରେ ତାପମାତ୍ରା ସ୍ବାଭାବିକ ସ୍ଥିତିକୁ ଫେରିବ ବୋଲି ଆକଳନ କରାଯାଇଛି । ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ଦେବଗଡ, ବରଗଡ, ସମ୍ବଲପୁର, ସୋନପୁର, ନୂଆପଡା ଭଳି ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ହେବାର ସମ୍ଭାବନା ରହିଛି । ନଭେମ୍ବର ମାସରେ ବାରମ୍ବାର ଲଘୁଚାପ ସୃଷ୍ଟି ହୋଇ ତାପମାତ୍ରା ବୃଦ୍ଧି ପାଇବା ସହ ବାୟୁମଣ୍ଡଳରେ ୮୦ ରୁ ୯୦ ପ୍ରତିଶତ ଆର୍ଦ୍ରତା ରହିଥିଲା । ଫଳରେ ମାର୍ଗଶିର ମାସରେ ବି ସାମାନ୍ୟ ଶୀତ ଅନୁଭବ ହୋଇନାହିଁ । ଗତ ସପ୍ତାହେ ହେବ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ କୋହଲା ପାଗ ସହ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ବିଶେଷ କରି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ପ୍ରଭାବ ପଡିଛି ।

ଆଜି ବସିବ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଆଜି ବସିବ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ଛତିଶାନିଯୋଗ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରାଯିବ ।

ଆସନ୍ତା ୧୬ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀଜିଉଙ୍କ ପହିଲିଭୋଗ ନୀତିନିର୍ଘଣ୍ଟ ଉପରେ ବୈଠକରେ ଆଲୋଚନା ହେବ । ଏହା ସହ ଆସନ୍ତାବର୍ଷ ଜାନୁୟାରୀ ୧୩ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଦେବାଭିଷେକ ପୂର୍ଣ୍ଣିମା ନୀତିନିର୍ଘଣ୍ଟ ଉପରେ ମଧ୍ୟ ଆଲୋଚନା ହେବ ।

ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ନୀତିନିର୍ଘଣ୍ଟ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ। ଏହାସହ ରତ୍ନଭଣ୍ଡାର ମରାମତି ନେଇ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବା ସହ କେତେ ସମୟ ଏଏସଆଇ ରତ୍ନଭଣ୍ଡାର ମରାମତି କରିବେ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ ।

ଓଡ଼ିଶାର ଏମଏସଏମଇ ଶିଳ୍ପକୁ ୪୭୯ କୋଟି ୮ ଲକ୍ଷ ଟଙ୍କାର ରିହାତି ପ୍ରଦାନ କରାଯାଇଛି

ଭୁବନେଶ୍ବର: ଗତ ଚାରି ବର୍ଷରେ ଓଡିଶାରେ ୧୭ ଲକ୍ଷରୁ ଅଧିକ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ଉଦ୍ୟମ ପୋର୍ଟାଲରେ ପଞ୍ଜିକୃତ ହୋଇଛି । ଏହି ସବୁ ଏମଏସଏମଇ ଦ୍ବାରା ୮୧ ଲକ୍ଷ ୬୩ ହଜାର ୧୮ଜଣଙ୍କୁ ମିଳିଛି ନିଯୁକ୍ତି ସୁଯୋଗ । ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନରେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଶୋଭା କରନ୍ଦଲାଜେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ଓଡିଶାର କେତେ ଏମଏସଏମଇ ଶିଳ୍ପ ସହାୟତା ହୋଇଛନ୍ତି ଓ ରାଜ୍ୟର ଏମଏସଏମଇ ଶିଳ୍ପକୁ ଆର୍ଥିକ ଓ ବୈଷୟିକ ସହାୟତା ଦେବାକୁ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ମାନସ ମଙ୍ଗରାଜ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ୨୦୨୦ ଜୁଲାଇ ୭ ତାରିଖରେ ଉଦ୍ୟମ ପୋର୍ଟାଲ ଆରମ୍ଭ ହେବା ଦିନରୁ ଏବେ ପର୍ଯ୍ୟନ୍ତ ଓଡିଶାର ୧୭ ଲକ୍ଷ ୬୭ ହଜାର ୬୫୯ଟି ଏମଏସଏମଇ ଶିଳ୍ପ ପଞ୍ଜିକରଣ କରିଛନ୍ତି । ଏହିସବୁ ଶିଳ୍ପ ସଂସ୍ଥାରେ ୮୧ ଲକ୍ଷ ୬୩ ହଜାର ୧୮ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିଛି । ପ୍ରଧାନମନ୍ତ୍ରୀ ନିଯୁକ୍ତି ଯୋଜନାରେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟର ୧୭ ହଜାର ୪୫ଟି ଏମଏସଏମଇ ଶିଳ୍ପକୁ ୪୭୯ କୋଟି ୮ ଲକ୍ଷ ଟଙ୍କାର ରିହାତି ପ୍ରଦାନ କରାଯାଇଛି । ଏହିସବୁ ଶିଳ୍ପ ସଂସ୍ଥାରେ ୧ ଲକ୍ଷ ୩୬ ହଜାର ୩୬୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି ।

ଏହି ଯୋଜନାରେ ଗ୍ରାମାଞ୍ଚଳରେ ଶିଳ୍ପ ପାଇଁ ୨୫ ପ୍ରତିଶତ ଓ ସହରାଞ୍ଚଳରେ ୧୫ ପ୍ରତିଶତ ରିହାତି ଦିଆଯାଉଛି । ସେହିଭଳି ଏମଏସଏମଇ ଶିଳ୍ପକୁ କ୍ରେଡିଟ ଗ୍ୟାରେଣ୍ଟି ଯୋଜନାରେ ଗତ ୫ ବର୍ଷରେ ୧ ଲକ୍ଷ ୭୦ ହଜାର ୭୧୬ଜଣଙ୍କୁ ୧୩ ହଜାର ୪୩୬ କୋଟି ଟଙ୍କାର କ୍ରେଡିଟ ଗ୍ୟାରେଣ୍ଟି ଦିଆଯାଇଛି । ଏଥିସହ ଗତ ୨୦୨୩ ସେପ୍ଟେମ୍ବର ୧୭ ତାରିଖରୁ ଚଳିତବର୍ଷ ଡିସେମ୍ବର ୪ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାରେ ୯୦ ହଜାର ୬୯୩ କଳାକାର ପଞ୍ଜିକୃତ ହୋଇଛନ୍ତି । ଏମଏସଏମଇ ଗୁଡିକୁ ଆର୍ଥିକ ଓ ବୈଷୟିକ ସହାୟତା ବଢାଇବାକୁ କେନ୍ଦ୍ର ସରକାର ଏଭିତରେ ବିଭିନ୍ନ ଯୋଜନା ଆରମ୍ଭ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।