spot_img
Home Blog Page 1321

ବାଂଲାଦେଶୀ ନେତାଙ୍କୁ ମମତାଙ୍କ ଜବାବ: ତୁମେ ବଙ୍ଗଳା, ବିହାର ଓ ଓଡ଼ିଶା ନେବ ତ’ ଆମେ କ’ଣ ଲଲିପପ୍ ଖାଇବାକୁ ବସିଛୁ ?

କୋଲକାତା: ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାକୁ ନିଜ ଦେଶରେ ମିଶାଇବା ନେଇ ବଂଲାଦେଶୀ ନେତାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଟୁ ଜବାବ । କହିଲେ, ତୁମେ ବଙ୍ଗଲା, ବିହାର ଓ ଓଡ଼ିଶା ନେଇଗଲେ ଆମେ କ’ଣ ବସି ଲଲିପପ ଖାଇବୁ । ବାଂଲାଦେଶର ବିଏନପି ପାର୍ଟିର ସାଧାରଣ ସମ୍ପାଦକ ରୁହଲ କବିର ରିଜଓ୍ବିଙ୍କ ବୟାନର ପାଲଟା ଜବାବ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି ମମତା ।

ରବିବାର ରିଜଓ୍ବି ଭାରତ ବିରୋଧୀ ମନ୍ତ୍ରବ୍ୟ ଦେଇ କହିଥିଲେ, ଯଦି ଭାରତ ଚଟଗାଓଁ ମାଗିବ ତେବେ ଆମେ ବଙ୍ଗଳା, ବିହାର ଓ ପଶ୍ଚିମବଙ୍ଗ ଫେରାଇ ନେବୁ । ପଶ୍ଚିମବଙ୍ଗ ବିଧାନସଭାରେ ବାଂଲାଦେଶ ସ୍ଥିତି ଉପରେ ଜବାବ ଦେଇ ମମତା କହିଥିଲେ, ଆମେ ଭାରତର ନାଗରିକ । ଯଦି ବଙ୍ଗଳା, ବିହାର ଓ ଓଡ଼ିଶା ନେବାକୁ ତୁମର ସାହସ ଅଛି ତେବେ କ’ଣ ଆମେ ଏଠି ଲଲିପପ୍ ଖାଇବାକୁ ବସିଛୁ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ବିଜେପି ନେତା ସୁଭେନ୍ଦୁ ଅଧିକାରୀ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚର ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହାର ପ୍ରତିବାଦରେ ହେଉଥିବା ବିରୋଧ ପ୍ରଦର୍ଶନର ସେ ନେତୃତ୍ବ ନେଉଛନ୍ତି । ଯାହାକୁ ପଶ୍ଚିମବଙ୍ଗର ବିଭିନ୍ନ ସମ୍ପ୍ରଦାୟଙ୍କ ସମର୍ଥନ ମିଳୁଛି ଓ ଏହାସହ ବିଜେପି ପ୍ରତି ମଧ୍ୟ ଲୋକଙ୍କ ସମର୍ଥନ ବଢ଼ିବାରେ ଲାଗିଛି । ବିଜେପିର ଏହି ଅଭିଯାନକୁ ଚେକ୍ ମେଣ୍ଟ ଦେବାକୁ ମମତା ଏମିତି ମନ୍ତବ୍ୟ ଦେଇଥିବା ଚର୍ଚ୍ଚା ହେଉଛି ।

ବାଂଲାଦେଶୀ ନେତାଙ୍କ ଭାରତ ବିରୋଧୀ ବୟାନବାଜିକୁ ନେଇ ମମତା ରାଜ୍ୟବାସୀଙ୍କୁ କହିଛନ୍ତି ଶାନ୍ତ ଓ ସ୍ଥିର ରୁହନ୍ତୁ ଏବଂ ମାନସିକ ଶାନ୍ତି ବଜାଇ ରଖନ୍ତୁ । ବାଂଲାଦେଶୀ ନେତାଙ୍କ ଏପରି ମନ୍ତବ୍ୟରେ ପ୍ରଭାବିତ ହୁଅନ୍ତୁ ନାହିଁ । ଏହାସହ ସେ କହିଛନ୍ତି, ଆମ ରାଜ୍ୟର ଇମାମାମାନେ ମଧ୍ୟ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚରକୁ ନିନ୍ଦା କରିଛନ୍ତି ।

ମମତା ଆଗକୁ କହିଥିଲେ, ପଶ୍ଚିମବଙ୍ଗ ହେଉଛି ପ୍ରଥମ ରାଜ୍ୟ, ଯେଉଁଠି ସବୁ ସମ୍ପ୍ରଦାୟର ଲୋକେ ମିଶି ବାଂଲାଦେଶ ସ୍ଥିତି ଉପରେ ବିରୋଧ ପ୍ରଦର୍ଶନ କରିଥିଲେ । ବିପକ୍ଷଙ୍କୁ ଟାର୍ଗେଟ କରିବା ଆଳରେ ମମତା କହିଥିଲେ, ଏମିତି କିଛି କରନ୍ତୁ ନାହିଁ, ଯାହାଦ୍ବାରା ପଶ୍ଚିମବଙ୍ଗର ସ୍ଥିତି ବିଗିଡ଼ି ଯିବ । ଏହାସହ ବାଂଲାଦେଶ ଉପରେ କିଛି ଖବର ପ୍ରସାରଣ କରିବା ବେଳେ ଦାୟିତ୍ବବାନ ଭାବେ ପ୍ରସାରଣ କରିବାକୁ ଗଣମାଧ୍ୟମକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ସେ ଉତ୍ତର ପ୍ରଦେଶ କଥା ଉଠାଇ ଗଣମାଧ୍ୟମକୁ କହିଥିଲେ, ଏହା ୟୁପି ନୁହେଁ, ଆମେ ତୁମ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇ ଦେବୁ । ହେଲେ ପଶ୍ଚିମବଙ୍ଗ ଓ ଏହାର ଲୋକଙ୍କ ହିତ ପାଇଁ କାମ କରନ୍ତୁ । ଆମ ଦଳ ବୈଦେଶିକ ମନ୍ତ୍ରାଳୟର ନିର୍ଦ୍ଦେଶକୁ ପାଳନ କରିବ । ଆମ ବୈଦେଶିକ ସଚିବ ବାଂଲାଦେଶରେ ଆଲୋଚନା କରୁଛନ୍ତି । ଆମକୁ ଆବଶ୍ୟକଠାରୁ ଅଧିକ କହିବା ଉଚିତ ନୁହେଁ । ଆମକୁ ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ । ଆମେମାନେ ଦାୟିତ୍ବବାନ ନାଗରିକ ଓ ଏକଜୁଟ ହୋଇ ଅଛନ୍ତି ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଗଭର୍ଣ୍ଣର ସଂଜୟ ମାଲହୋତ୍ରା

ନୂଆଦିଲ୍ଲୀ:  ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଆଇର ନୂଆ ଗଭର୍ଣ୍ଣର ଭାବେ ସଂଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ଦିଆଯାଇଛି । ୧୯୯୦ ବ୍ୟାଚର ଆଇଏଏସ୍ ହେଉଛନ୍ତି ସଂଜୟ । କେନ୍ଦ୍ର କ୍ୟାବିନେଟ୍ ସଂଜୟଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ବର୍ତ୍ତମାନ ସେ ରାଜଶ୍ୱ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଆଗାମୀ ତିନି ବର୍ଷ ପାଇଁ ଆରବିଆଇର ଗଭର୍ଣ୍ଣର ଭାବେ ସେ କାମ କରିବେ ।

ଡିସେମ୍ବର ୧୦ ତାରିଖରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ସଂଜୟ ମାଲହୋତ୍ରା ଦେଶର ୨୬ତମ ଗଭର୍ଣ୍ଣର ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ନଭେମ୍ବର ୨୦୨୦ରେ ସଂଜୟ ଆରଇସିର ଚେୟାରମ୍ୟାନ ଏବଂ ଏମଡି ହୋଇଥିଲେ । ଏହାପୂର୍ବରୁ ସେ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ କାମ କରିଥିଲେ ।

ସଂଜୟ ନିଜ ଇଂଜିନିୟରିଂ ଡିଗ୍ରୀ ଆଇଆଇଟି କାନପୁରରୁ ହାସଲ କରିଥିଲେ । ପ୍ରିନ୍ସଟୋନ ୟୁନିର୍ଭସିଟିରୁ ମାଷ୍ଟର ଡିଗ୍ରୀ ପାଇଥିଲେ । ଗତ ୩୦ ବର୍ଷ ମଧ୍ୟରେ ସେ ଶକ୍ତି, ଫାଇନାନ୍ସ, ଟ୍ୟାକ୍ସନ, ଆଇଟି ଓ ମାଇନ୍ସ ଭଳି ବିଭାଗରେ ନିଜ ସେବା ଦେଇଛନ୍ତି ।

ରାଜଧାନୀରେ ସିବିଆଇ ଚଢ଼ାଉ ଘଟଣା, ସିଲ୍ ହେଲା ADIPL ଅଫିସ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସିବିଆଇ ରେଡ଼ ଘଟଣା । ADIPL ଅଫିସ ସିଲ୍ କଲା ସିବିଆଇ । ଗିରଫ ଦେବଦତ୍ତ ମହାପାତ୍ରଙ୍କ ଅଫିସ ସିଲ କରିଛି ସିବିଆଇ । ପାହାଳ ସ୍ଥିତ ଆଦିତ୍ୟ ଦେବ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ଅଫିସ୍ ସିଲ କରିଛି ତଦନ୍ତକାରୀ ସଂସ୍ଥା । ରିମାଣ୍ଡର ପ୍ରଥମ ଦିନରେ ସିବିଆଇର ଏହି ଆକ୍ସନ ଦେଖିବାକୁ ମିଳିଛି । ଲକର ଖୋଲିବା ପରେ ସିବିଆଇ ହାତରେ ଲାଗିଛି ସାଙ୍ଘାତିକ ସୁରାକ । ଲକ୍ଷ ଲକ୍ଷ ଟଙ୍କା ଓ ସୁନା ମିଳିବା ପରେ ଦେବଦତ୍ତ ମହାପାତ୍ରଙ୍କ ଅଫିସ ସିଲ୍ କରିଛି ସିବିଆଇ ।

ଏହାସହ ଅଫିସ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ସିବିଆଇ । ଗତକାଲି ଲାଞ୍ଚ ଘଟଣାରେ ଦେବଦତ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା ସିବିଆଇ । କୋର୍ଟରେ ହାଜର ପରେ ସମସ୍ତଙ୍କୁ ରିମାଣ୍ଡରେ ନେବାକୁ ଅପିଲ କରିଥିଲା ସିବିଆଇ ।

ଗତକାଲି ସ୍ପେଶାଲ କ୍ଳାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର, ବ୍ରିଜ ଆଣ୍ଡ ରୁଫ ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ଓ ଅନ୍ୟ ଜଣେ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ଗିରଫ କରାଯାଇଥିଲା । ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିଥିଲା ରେଡ । ଦେବଦତ୍ତଙ୍କ ଘରୁ ରେଡ ବେଳେ ଜବତ ହୋଇଥିଲା ବିପୁଳ ପରିମାଣର ନଗଦ ଟଙ୍କା ଓ ସୁନା । ବ୍ୟାଙ୍କ ଲକର ଓ ଘରେ ରେଡ୍ ବେଳେ ଆଲମିରାରୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ସାରା ଦେଶରେ କମ୍ପାନୀ ଉପରେ ହେଉଛି ରେଡ୍ । ଦିଲ୍ଲୀ, କୋଲକାତା ସମେତ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ କରାଯାଇଥିଲା ଅତର୍କିତ ଚଢ଼ାଉ । ଏହି କ୍ରମରେ ଓଡ଼ିଶାରେ ଭୁବନେଶ୍ବର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା ।

ବୃଦ୍ଧ ମାଲିକଙ୍କ ଶବକୁ ଜଗିଛି ପୋଷ କୁକୁର, କାହାରିଙ୍କୁ ପୂରାଇ ଦେଉନି ପାଖ

ଅନୁଗୁଳ: ମାଲିକ ଓ ପାଳିତ କୁକୁରର ସମ୍ପର୍କ । ମାଲିକଙ୍କ ମୃତ୍ୟୁ ପରେ ବି ପାଖ ଛାଡୁନି ତାଙ୍କ ପୋଷା କୁକୁର । ଶବ ପାଖରେ ଜଗ ରହିଛି । ଯିଏ ପାଖକୁ ଯାଉଛନ୍ତି ଭୁକିବା ସହ କାମୁଡ଼ି ଗୋଡାଉଛି । ଏମିତି ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ । ଏଠାରେ ଜଣେ ବୃଦ୍ଧଙ୍କ ଶରୀର ଏକ ଗଛରେ ଛୁଲୁଛି । ଆଉ ତଳେ ବୃଦ୍ଧଙ୍କ ଶବକୁ ଜଗି ବସିଛି ତାଙ୍କ ପୋଷା କୁକୁର । ଯାହା ସମସ୍ତଙ୍କୁ ଚକିତ କରିଛି ।

ଅନୁଗୁଳ ରାଣୀଗୋଡ଼ା ଗାଁର ଏ ଘଟଣା ଘଟିଛି । ରାଣୀଗୋଡ଼ାର ମଣିଆ ବେହେରା ଗାଁ ପୋଖରୀ ହୁଡାରେ ଗାଈ ପାଳନ କରି ଦୁଗ୍ଧ ବ୍ୟବସାୟ କରି ଆସୁଥିଲେ । କିଛିଦିନ ତଳେ ପୋଖରୀ ନିଲାମ ହୋଇଥିଲା । ନିଲାମଧାରୀ ବଦଳିବା ପରେ ନୂଆଁ ନିଲାମଧାରୀ ସେଠାରୁ ଗାଈଗୋରୁ ବାହାର କରିବାକୁ ଧମକ ଦେବା ସହ ମଣିଆଙ୍କୁ ଅନେକ ସମୟରେ ଗାଳି ଗୁଲଜ କରୁଥିଲେ ।

ଆଜି ସକାଳୁ ମଣିଆଙ୍କ ମୃତଦେହ ପୋଖରୀ ହୁଡାରେ ଥିବା ଏକ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପ୍ରଚାର ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ସେହି ସମୟରେ ମଣିଆଙ୍କ ପୋଷା କୁକୁର ଝୁଲନ୍ତା ମୃତଦେହ ତଳେ ଶୋଇ ରହିଥିବା ଦେଖିବାକୁ ମିଳିଥିଲା । ମୃତଦେହ ପାଖକୁ କେହି ଯିବାକୁ ଚେଷ୍ଟା କଲେ ତାକୁ କାମୁଡି ଗୋଡ଼ାଇଥିଲା । ଖବର ପାଇ ଅନୁଗୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ପୋଲିସକୁ ମଧ୍ୟ ପାଖକୁ ଯିବାକୁ ଦେଇ ନଥିଲା ପୋଷା କୁକୁରଟି ।

ବିଧାନସଭାରେ ଉଠିଲା ଅଲ ଓଡ଼ିଶା ଜିପିଏଲଏଫ କର୍ମଚାରୀଙ୍କୁ ଦରମା ନମିଳିବ ପ୍ରସଙ୍ଗ, ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ବର: ଅଲ୍ ଓଡ଼ିଶା ଜିପିଏଲଏଫ ମିଶନଶକ୍ତି କର୍ମୀଙ୍କୁ ଦରମା ନ ମିଳିବା ପ୍ରସଙ୍ଗ ଉଠିଲା ବିଧାନସଭାରେ । ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କହିଲେ, ମିଶନଶକ୍ତି ବିଭାଗ କାର୍ଯ୍ୟକାରୀ ହୋଇଥିଲେ ସୁଧା ସରକାର ଦାୟିତ୍ଵରେ ଥିବା MBK, CRP ଭଳି ଅନୁଷ୍ଠାନକୁ କାର୍ଯ୍ୟ ଦେଉନାହାନ୍ତି କି ଦରମା ଦେଉନାହାନ୍ତି । ତାଙ୍କ କାର୍ଯ୍ୟାଳୟ ମଧ୍ୟ ଚାଲୁନି । ପୂର୍ବ ସରକାର ମିଶନଶକ୍ତି କରି ମହିଳାମାନଙ୍କୁ ସଶକ୍ତ କରୁଥିଲେ । କିନ୍ତୁ ବର୍ତ୍ତମାନ ସରକାର କାହିଁକି ତାଙ୍କ ଦିଗରେ କର୍ଣ୍ଣପାତ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ଏହାସହ ସେ କହିଛନ୍ତି, ବେଳେ ବେଳେ ଶୁଣିବାକୁ ମିଳିଲାଣି ମିଶନଶକ୍ତି ଭାଙ୍ଗି ଦେବେ ବୋଧେ ନୂଆ ସରକାର । ଯାହା କି ବଜେଟ ଦେଖିଲେ ଲାଗୁଛି, ୬୦ ହଜାରରୁ ଊର୍ଦ୍ଧ୍ବ ମହିଳା ଏବେ ଦ୍ବନ୍ଦରେ ଅଛନ୍ତି ଓ ନିଜ ହକ ପାଇଁ ରାଜରାସ୍ତାରେ ବସିଛନ୍ତି । ସରକାର ତାଙ୍କ କଥା ଚିନ୍ତା କରନ୍ତୁ ।

ଏ ନେଇ ବାଚସ୍ପତିଙ୍କ ରୁଲିଙ୍ଗ ଦାବି କରିଥିଲେ ପ୍ରମିଳା ମଲ୍ଲିକ । ବ୍ୟାୋମକେଶ ରାୟ ବି ଏହି ପ୍ରସଙ୍ଗ ଉଠାଇଥିଲେ । ପରେ ବିଜେଡିର ଅନ୍ଯ ବିଧାୟକଙ୍କ ସହିତ ମିଶି ସେମାନେ ଧାରଣା ସ୍ଥଳକୁ ଯାଇଥିଲେ । ଦରମା ଦିଆଯାଇ ନଥିବାରୁ ୬ କମ୍ୟୁନିଟି ସପୋର୍ଟ ଷ୍ଟାଫ ଆଜି ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ।

ହଜାର ହଜାର MBK, ବ୍ୟାଙ୍କ୍ ମିତ୍ର, LSP, CRP, କୃଷି ମିତ୍ର ଓ ପ୍ରାଣୀ ମିତ୍ର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ନୂଆ ସରକାର ଆସିବା ପରେ ଦରମା ଦିଆଯାଇ ନଥିବା ସେମାନେ ଅଭିଯୋଗ କରି ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି ।

ଉଗ୍ର ରୂପ ନେଲା କଂଗ୍ରେସ ବିବାଦ: ଗୃହରେ ଦୁଇ ବିଧାୟକ କଥା କଟାକଟି

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ସବୁ କିଛି ଠିକ୍ ଚାଲିନି । ଦଳରେ ସବୁ ଠିକ୍ ଅଛି ବୋଲି ନେତା କହି ବୁଲୁଛନ୍ତି । ହେଲେ ଏହା କେତେ ଠିକ୍ ତାହା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଯାହା ଆଜି ବିଧାନସଭାର ଶୀତ ଅଧିବେଶନ ବେଳେ ଦେଖିବାକୁ ମିଳିଛି । ପ୍ରଶ୍ନ ପଚାରିବାକୁ ନେଇ କଂଗ୍ରେସର ଦୁଇ ବିଧାୟକଙ୍କ ମଧ୍ୟରେ ହୋଇଛି କଥା କଟାକଟି ।

ପ୍ରଶ୍ନକାଳରେ ଗୃହ ଭିତରେ କଂଗ୍ରେସ ବିଧାୟକ ରାଜେନ ଏକ୍କା ଏବଂ ଦାଶରଥି ଗମାଙ୍ଗଙ୍କ ମଧ୍ୟରେ କଥା କଟାକଟି ହୋଇଛି l ପ୍ରଶ୍ନ ପଚାରିବାକୁ ନେଇ ଦୁଇ ଦଳୀୟ ବିଧାୟକ କଥା କଟାକଟି ହୋଇଛନ୍ତି । ଯାହାକୁ ନେଇ ଗୃହରେ ଦଳ ଭିତରେ କିଛି ସମୟ ଯାଏଁ ଉତ୍ତେଜନା ପ୍ରକାଶ ପାଇଥିଲା । ଦଳର ଅନ୍ଯତମ ସଦସ୍ଯ ତାରା ବାହିନୀପତି ଓ ପବିତ୍ର ସାଉଁଟା ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ତେବେ ଏମିତି କିଛି ହୋଇନି ବୋଲି ବିଧାୟକ ରାଜେନ ଏକ୍କା କହିଥିବା ବେଳେ ଦଳ ସବୁ ବେଳେ ଭଲ ଭାବେ ପ୍ରସଙ୍ଗ ଉଠାଉଛି ବୋଲି କହିଛନ୍ତି ।

ମନାନ୍ତର ନାହିଁ କି କୌଣସି ବିବାଦ ନାହିଁ ବୋଲି କହିଛନ୍ତି ରାଜେନ ଏକ୍କା l ସେହିପରି ଦାଶରଥି ଓ ରାଜେନକୁ ବୁଝାଶୁଝା କରିଥିବା ତାରା କିନ୍ତୁ କହିଛନ୍ତି ଭିନ୍ନ କଥା । ଦୁଇ ବରିଷ୍ଠ ବିଧାୟକଙ୍କ କଥା କଟାକଟି ତାଙ୍କୁ ମର୍ମାହତ କରିଛି । ଦଳରେ ଆଉ ଶୃଙ୍ଖଳା ନାହିଁ । ଏଭଳି ଆଚରଣ ଠିକ୍ ନୁହେଁ । ଏପରି ବିବାଦ ଦଳକୁ କ୍ଷତି ପହଞ୍ଚାଉଛି ବୋଲି ତାରା କହିଛନ୍ତି ।

ତେବେ ତାରା ରାଜେନଙ୍କ ଆଚରଣ ପ୍ରତି ଅଙ୍ଗୁଳି ଉଠାଇ କହିଛନ୍ତି, ତାଙ୍କ ଆଚରଣ ଠିକ ନୁହେଁ । ତେବେ ଏହି ପ୍ରସଙ୍ଗରେ ଦାଶରଥି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜେନ ମତେ ଯାହା କହିଲେ ତାହା ମୋ ମନରେ ଦୁଃଖ ଦେଇଛି । ସେ ଗୃହରେ ଅସଭ୍ୟ ଭାଷାରେ ମତେ କହିଛନ୍ତି l ଜଣେ ଉଚ୍ଚ ଶିକ୍ଷିତ ହୋଇ ସେ ବିଧାନସଭାରେ ଖରାପ ଭାଷାରେ କହିବା ଉଚିତ୍ କି ବୋଲି ପ୍ରଶ୍ନ କରିବା ସହ ଏହା ଦଳକୁ କ୍ଷତି ପହଞ୍ଚାଇଛି ବୋଲି କହିଛନ୍ତି l କଂଗ୍ରେସ ବିଧାୟକ ଦଳ ନେତା ଏନେଇ କ’ଣ ନିଷ୍ପତ୍ତି ନେଉଛନ୍ତି ତାକୁ ମୁଁ ଅପେକ୍ଷା କରିଛି ବୋଲି କହିଛନ୍ତି ଦାଶରଥି ।

ଦିଲ୍ଲୀ ବିଧାନସଭା ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ୨୦ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୨୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଆମ ଆଦମୀ ପାର୍ଟି । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦଳ ଜାଙ୍ଗପୁରାରୁ ଟିକେଟ ଦେଇଛି । ସିଭିଲ ସର୍ଭିସ ପ୍ରଶିକ୍ଷଣ ଦେଉଥିବା ଶିକ୍ଷକ ଅୱଧ ଓଝାଙ୍କ ନାମ ପୂର୍ବ ଦିଲ୍ଲୀର ପତପଡ଼଼ଗଞ୍ଜରୁ ଘୋଷଣା କରିଛି ଦଳ ।

ଟିକେଟ ଘୋଷଣା କରି ଇଣ୍ଡି ମେଣ୍ଟକୁ ଝଟକା ଦେଇଛି ଆମ ଆଦମୀ ପାର୍ଟି । ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ ବୋଲି କେଜ୍ରିୱାଲ ପୂର୍ବରୁ ଘୋଷଣା କରିବା ସହ ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।

ନିର୍ବାଚନ ପୂର୍ବରୁ ରାଜଧାନୀରେ ରାଜନୀତି ସରଗରମ ହେଉଥିବା ବେଳେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି । ଅନେକ କଂଗ୍ରେସ ଓ ବିଜେପି ନେତା ଆପ୍‌ରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଅନ୍ୟ ଇଣ୍ଡି ମେଣ୍ଟ ସହଯୋଗୀମାନେ ଆପ୍‌ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବା ବେଳେ କେଜ୍ରୱାଲଙ୍କ ଏକ ପାଖିଆ ଘୋଷଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଶିମିଳିପାଳରୁ ଝାଡ଼ଖଣ୍ଡ ଚାଲିଗଲା ବାଘୁଣୀ ଜିନ୍ନତ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ମୁହାଁ ବାଘୁଣୀ ଜିନ୍ନତ। ଶିମିଳିପାଳରୁ ଝାଡ଼ଖଣ୍ଡ ଚାଲିଗଲା ମହାବଳ ଜିନ୍ନତ। ମହାବଳ ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡ ଚାଲିଯାଇଥିବା ନେଇ ଶିମିଳିପାଳ ଆରସିସିଏଫ ସୂଚନା ଦେଇଛନ୍ତି। ଗତ ୧୫ରେ ଶିମିଳିପାଳ କୋର ଏରିଆକୁ ବାଘୁଣୀ ଜିନ୍ନତକୁ ଛଡ଼ାଯାଇଥିଲା। ଝାଡ଼ଖଣ୍ଡରେ ଜିନ୍ନତ ଉପରେ ନଜର ରଖିଛି ସ୍ଵତନ୍ତ୍ର ଟିମ।

ମହାରାଷ୍ଟ୍ର ତଡ଼ବା ବ୍ୟାଘ୍ର ପ୍ରକଳ୍ପରୁ ଶିମଳିପାଳକୁ ଆସିଥିବା ‘ଜିନ୍ନତ’ ଏବେ ଝାଡ଼ଖଣ୍ଡ ମୁହାଁ , ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’। ଏନେଇ ସୂଚନା ଦେଲେ ଶିମିଳିପାଳ ଆରସିସିଏଫ୍‌ ପ୍ରକାଶ ଚାନ୍ଦ ଗୋଗିନେନି।,ଗତ ୧୫ ନଭେମ୍ବରରେ ‘ଜିନ୍ନତ’କୁ କୋର୍ ଜରିଆରେ ଛଡ଼ାଯାଇଥିଲା ବେଳେ ଗତକାଲି ଝାଡ଼ଖଣ୍ଡ ଜଙ୍ଗଲକୁ ପ୍ରବେଶ କରିଛି ,ଏକ ସ୍ବତନ୍ତ୍ର ଟିମ୍‌ ଝାଡ଼ଖଣ୍ଡ କୁ ଯାଇ ‘ଜିନ୍ନତ’ ଉପରେ ନଜର ରଖିଛି ।

ଟ୍ରାଫିକ୍ ଜାମରେ ଫସିଲା ଅପରହରଣକାରୀଙ୍କ କାର, ଡିକି ଖୋଲି ଦୌଡ଼ି ପଳାଇଲେ ଛାତ୍ରୀ

ନନ୍ଦିଘାେଷ ବ୍ୟୁରୋ: ବରଦାନ ସାଜିଲା ଟ୍ରାଫିକ ଜାମ୍ । ଅପହରଣକାରୀଙ୍କ କବଳରୁ ଖସିପଳାଇଲେ ଛାତ୍ରୀ । ଆଜ୍ଞା ହଁ ଘଟଣାଟି ଯେତେ କୌତୁହଳ ସେତେ ଗମ୍ଭୀର ମଧ୍ୟ । ପାଟନାର ବିହଟାରେ କିଛି ଦୁବୃର୍ତ୍ତ ଜଣେ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରିନେଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ଛାତ୍ରୀ ଜଣଙ୍କ ନିଜ ବୁଦ୍ଧି ବଳରେ ତାଙ୍କ କବଳରୁ ମୁକ୍ତ ହୋଇଥିଲେ । ଛାତ୍ରୀ ଜଣକ ଟ୍ରାଫିକ ଜାମର ସୁଯୋଗ ନେଇ ଗାଡି ଡିକ୍କିରୁ ଖସି ପଳାଇଥିଲେ । ଚତୁର୍ଥରେ ପଢୁଥିବା ଛାତ୍ରୀ ଜଣକ ଘରକୁ ଫେରୁଥିବା ବେଳେ କିଛି ଦୃର୍ବୁତ୍ତ ଠିକଣା ପଚାରିବା ବାହାନାରେ ତାଙ୍କୁ ଏକ ସ୍କର୍ପିଓ ଗାଡିରେ ଉଠାଇନେଇଥିଲେ । ହେଲେ ରାସ୍ତାରେ ଟ୍ରାଫିକ ଜାମରେ ଗାଡିଟି ଫସିଯାଇଥିବା ବେଳେ ଛାତ୍ରୀ ଜଣକ ଡିକ୍କିରୁ ବାହାରି ନିକଟରେ ଥିବା ମଲରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସାହାଯ୍ୟରେ ନିଜ ପରିବାରଙ୍କୁ ଅଭିଯୁକ୍ତଙ୍କ ବାବଦରେ ସୂଚନା ଦେଇଥିଲେ ।

ଘଟଣାର ସମ୍ପର୍କରେ ଜାଣିବା ପରେ ତୁରନ୍ତ ପରିଜନ ଲୋକ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ଦାଏର କରିଥିଲେ । ପୀଡିତାଙ୍କ ମା’ଙ୍କ କହିବାନୁଯାୟୀ ସ୍ଥାନୀୟ ପ୍ରାଇଭେଟ ସ୍କୁଲରେ ତାଙ୍କ ଝିଅ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ବେଳେ ସକାଳେ ସ୍କୁଲ ଯାଇଥିବା ବେଳେ ତାଙ୍କର ଅପହରଣ କରାଯାଇଥିଲା । ଟ୍ରାଫିକ ଜାମ ଯୋଗୁ ମୋ ଝିଅ ଖସିଯାଇ ଆମକୁ ସୂଚନା ଦେଇଥିବାରୁ ଆମେ ତାକୁ ଫେରି ପାଇଛୁ ।

ପୀଡିତା ଛାତ୍ରୀଙ୍କ କହିବାନୁଯାୟୀ ପ୍ରଥମେ ଜଣେ ଅଙ୍କଲ ତାଙ୍କୁ ତାଙ୍କର ନାମ ପଚାରିଥିଲା ଏବଂ ପରେ ମୁହଁରେ କପଡା ଦେଇ ଜୋର ଜବରଦସ୍ତି ଗାଡି ଡିକିରେ ଭର୍ତ୍ତି କରିଥିଲେ । ପରେ ଟ୍ରାଫିକ ଜାମର ସୁଯୋଗ ପାଇଁ ସେ ଖସି ପଳାଇଥିବା ସୂଚନା ଦେଇଛନ୍ତି । ତେବେ ଅଭିଯୋଗ ଅନୁଯାୟୀ ପୋଲିସ ମାମଲାର ତଦନ୍ତ କରିବା ସହିତ ଛାନବିନ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ସିସିଟିଭି ମାଧ୍ୟମରେ ଖୋଜା ଚାଲିଛି ।

ଚାଲିପାରୁନି ପାର୍ଲାମେଣ୍ଟ, ଆଦାନୀ-ସମ୍ଭଲ ପ୍ରସଙ୍ଗରେ କଂଗ୍ରେସର ହଙ୍ଗାମା

ନୂଆଦିଲ୍ଲୀ: ଆଦାନୀ ପ୍ରସଙ୍ଗ ନେଇ ଚାଲିପାରୁନି ପାର୍ଲାମେଣ୍ଟ। ଲୋକସଭାରେ କଂଗ୍ରେସ ସଦସ୍ଯଙ୍କ ହଟ୍ଟଗୋଳରୁ ଗୃହ ଗୋଟିଏ ମିନିଟ ବି ଚାଲିପାରିନଥିଲା। ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ ବାଚସ୍ପତି। ଆଦାନୀ ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ଅଡ଼ି ବସିଛି କଂଗ୍ରେସ। ପାର୍ଲାମେଣ୍ଟ ପ୍ରବେଶ ଦ୍ଵାର ନିକଟରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ଅନେକ କଂଗ୍ରେସ ସଦସ୍ୟ ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିଥିଲେ। ଆଦାନୀ ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ଦାବି କରି ଆସୁଛି କଂଗ୍ରେସ।

ସେହିପରି ଉତ୍ତରପ୍ରଦେଶ ସମ୍ଭଲ ହିଂସା ପ୍ରସଙ୍ଗରେ ମଧ୍ୟ ଗୃହରେ ଆଲୋଚନା ଦାବି କରିଛି ବିରୋଧୀ କଂଗ୍ରେସ। କଂଗ୍ରେସ, ଡିଏମକେ, ଆରଜେଡି ଏବଂ ବାମ ଦଳର ନେତା ପ୍ରସଙ୍ଗକୁ ନେଇ ଏକ ହୋଇ ଆଦାନୀଙ୍କୁ ଗିରଫ କରିବାକୁ ଦାବି କରି ଆସୁଛନ୍ତି। ଜେପିସି ଗଠନ କରି ତଦନ୍ତ କରିବାକୁ ଦାବି କରିଛନ୍ତି ବିରୋଧୀ। ତେବେ ଆଦାନୀ ପ୍ରସଙ୍ଗ ନେଇ ବିରୋଧୀଙ୍କ ମଧ୍ୟରେ ଏକତା ନଥିବା ଦେଖିବାକୁ ମିଳିଛି। ଆଦାନୀ ପ୍ରସଙ୍ଗ ନେଇ ଟିଏମସି ଏବଂ ସମାଜବାଦୀ ପାର୍ଟି ଅଲଗା ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି।