spot_img
Home Blog Page 1322

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୮୦ରୁ ଅଧିକ ଅଟକ, ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଓ ୨୫ କାର ଜବତ

ନୂଆପଡ଼ା: ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ବେଳେ ରେଡ ମାରିଲା ପୋଲିସ । ୮୦ରୁ ଅଧିକଙ୍କୁ ଧରିବା ସହ ୫୦ ଲକ୍ଷରୁ ଅଧିକ ଟଙ୍କା ଓ ୨୫ଟି କାର ଜବତ କରିଛି ପୋଲିସ ।

ଶନିବାର ବିଳମ୍ବିତ ରାତିରେ ନୂଆପଡା ଜିଲ୍ଲା ଖରିଆରରୋଡ ସହରସ୍ଥିତ ଠେଲାକୋ ବେଡା ବସ୍ତିରେ ଏହି ଜୁଆ ଆଡ୍ଡା ଚାଲିଥିଲା । ଖରିଆର ରୋଡ ସହର ସମେତ ପଡୋଶୀ ଛତିଶଗଡ ରାଜ୍ୟରୁ ବହୁ ନାମୀଦାମୀ ଲୋକ ଏଥିରେ ସାମିଲ ହୋଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଡିଆଇଜିଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଅତର୍କିତ ଭାବେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ ।

ପୋଲିସ ଟିମ ପ୍ରଥମେ ଆଡ୍ଡାକୁ ସିଲ କରି ନୂଆପଡା ଏସପି ସମେତ ଖରିଆର ରୋଡ ଥାନା ପୋଲିସକୁ ଖବର ଦେଇଥିଲେ । ଅଟକ ଲୋକଙ୍କୁ ପୋଲିସ ପଚରାଉଚରା କରୁଥିବା ବେଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମହାରାଷ୍ଟ୍ର ପଲିଟିକ୍ସ: ମହାୟୁତି ମୁଖ୍ୟମନ୍ତ୍ରୀ କିଏ ? ଫଡନଭିସ ରିଟର୍ଣ୍ଣ ନା ସିନ୍ଦେ ରିପିଟ୍

ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ଧମାକାଦାର ବିଜୟ । ୨୮୮ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମହାୟୁତି ୨୩୩ ଆସନରେ ବିଜୟ ହୋଇଛି । ମେଣ୍ଟରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାଓ୍ବାରଙ୍କ ଏନସିପି ରହିଛନ୍ତି । ବଡ଼ ବିଜୟ ସହ ମହାୟୁତି ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏବେ ମେଣ୍ଟ ପାଇଁ ବଡ଼ ଚିନ୍ତା ପାଲଟି ପାରେ । ମେଣ୍ଟ ସିନ୍ଦେକୁ ମୁଖ୍ୟମନ୍ତ୍ରୀ ଭାବେ ରିପିଟ୍ କରିବ ନା ୧୩୨ ଆସନ ଜିତିଥିବା ବିଜେପି ନିଜ ଦଳର ପ୍ରାର୍ଥୀକୁ ମୁଖ୍ୟମନ୍ତ୍ରୀ କରିବ ତାହା ଏବେ ରାଜନୈତିକ ଚର୍ଚ୍ଚାର କାରଣ ପାଲଟିଛି । ସେପଟେ ଅଜିତ ପାଓ୍ବାର ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାବି କରିପାରନ୍ତି ।

ବିଜେପି ନିଜର ମୁଖ୍ୟମନ୍ତ୍ରୀ କରିବ ନା ପୁଣି ଥରେ ଶିବସେନାର ଏକନାଥ ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ, ଏହାକୁ ନେଇ ଚାଲିଛି ଅଙ୍କକଷା । ବିଜେପି ଏକାକୀ ୧୩୨ ସିଟ୍ ହାତେଇ ଥିବାରୁ ଏଥର ନିଜ ଦଳରୁ ଜଣକୁ ମୁଖ୍ୟମନ୍ତ୍ରୀ କରିବ ବୋଲି ଚର୍ଚ୍ଚା ହେଉଛି । ଏପରି ହେଲେ ଦେବେନ୍ଦ୍ର ଫଡନଭିସଙ୍କୁ ଏହି ପଦ ମିଳିପାରେ । ଦିଲ୍ଲୀରେ ମୋଦିଙ୍କ ବିଜୟ ଅଭିଭାଷଣରେ ଏହାର ସଂକେତ ମିଳିଛି । କାରଣ ଫଡନଭିସଙ୍କୁ ସେ ଖୋଲାଖୋଲି ପ୍ରଶଂସା କରିଥିଲେ । ଫଡନଭିସ ୨୦୧୪ରୁ ୨୦୧୯ ଯାଏଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିଲେ । ତା’ପୂର୍ବରୁ ନାଗପୁରର ମେୟର ଥିଲେ । ଗତ ସରକାରରେ ସେ ଉପମୁଖ୍ୟମନ୍ତ୍ରୀ ଥିଲେ । ହୁଏତ ଏଥର ସେ ମୁଖ୍ୟମନ୍ତ୍ରୀ ପଦକୁ ଫେରି ପାରନ୍ତି ।

ଯଦି ଫଡନଭିସଙ୍କୁ ମୁଖ୍ୟମନ୍ତ୍ରୀ କରା ନଯାଏ, ତେବେ ଏକନାଥ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ରହିବେ । ଅଜିତ ପାୱାର ଏଥର ମଧ୍ୟ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି । ମହାରାଷ୍ଟ୍ର ନିର୍ବାଚନରେ ଏଥର ବିଜେପି ଏକାକୀ ୧୩୨ଟି ସିଟ୍ ପାଇଥିବା ବେଳେ ସିନ୍ଦେଙ୍କ ଶିବସେନା ୫୭ ଓ ଅଜିତଙ୍କ ଏନସିପି ୪୧ ସିଟ୍ ହାତେଇଛନ୍ତି । ଉଦ୍ଧବ ଠାକରେଙ୍କ ଶିବସେନା ୨୦ ସିଟ୍‌ ପାଇଥିବା ବେଳେ କଂଗ୍ରେସ ୧୬ ଓ ଶରଦ ପାୱାରଙ୍କ ଏନସିପି ୧୦ଟି ସିଟ୍ ଜିତିବାକୁ ସକ୍ଷମ ହୋଇଛି ।

ସରିଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କାର ବେପାର

କଟକ: ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା । ଗତକାଲି ଥିଲା ଉଦଯାପନୀ ସନ୍ଧ୍ୟା । ୯ ଦିନ ଧରି ମହାନଦୀ ପଠାରେ ଜମିଥିଲା କିଣାବିକାର ମେଳା । ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା ।

ପ୍ରତିବର୍ଷ କରି ଚଳିତବର୍ଷ ମଧ୍ୟ ବାଲିଯାତ୍ରା ଜମିଥିଲା । ନାଚଗୀତକୁ, କିଣାବିକାରେ ଉଛୁଳି ଉଠିଥିଲା ମହାନଦୀ ପଠା । ପରିବାର, ସାଙ୍ଗ. ପରିଜନ ସହ ବାଲିଯାତ୍ରା ବୁଲି ଭରପୂର ମଜା ଉଠାଇଥିଲେ ଲୋକେ । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଉପଭୋଗ କରିବା ସହ ଯୁବ ପୀଢି ଓ ପିଲାମାନେ ଦୋଳି ଖେଳିଥିଲେ । ଏହାସହ ସୁସ୍ବାଦୁ ଖାଦ୍ଯର ମଜା ନେଇଥିଲେ ଲୋକମାନେ ।

ଏଥର ବାଲିଯାତ୍ରାରେ ମୋଟ ୨୫୦ କୋଟିର ବ୍ଯବସାୟ ହୋଇଛି । କେବଳ ଓରମାସରେ ଏକାକୀ ୪୦ କୋଟି ଟଙ୍କାର ବିକ୍ରିବଟା କରିଥିବା କଟକ ଜିଲ୍ଲାପାଳ କହିଛନ୍ତି ।

ଆଜି ଆସିବ ସୁଭଦ୍ରା ଯୋଜନାରେ ଟଙ୍କା, ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ

ଭୁବନେଶ୍ବର: ଆଜି ଆସିବ ସୁଭଦ୍ରା ଯୋଜନାରେ ଟଙ୍କା । ଯୋଜନାରେ ବାଦ ପଡ଼ିଥିବା ଆବେଦନକାରୀଙ୍କୁ ଆଜି କରାଯିବ ସାମିଲ । ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଯାଞ୍ଚ କରାଯାଇଛି । ସେଥିରୁ ୨୨ ପ୍ରତିଶତ ହିତାଧିକାରୀ ଆଜି ସୁଭଦ୍ରା ଟଙ୍କା ପାଇବେ । ବିଭିନ୍ନ କାରଣ ପାଇଁ ୨ ଲକ୍ଷ ୬୭ ହଜାର ଆବେଦନକାରୀ ବାଦ ପଡ଼ିଥିଲେ। ଯାଞ୍ଚ ପରେ ସେମାନଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ବିଡିଓଙ୍କୁ ନୋଡାଲ ଏଜେନସି ଦାୟିତ୍ୱ ଦିଆଯାଇଥିଲା ।

ସେହିପରି ୫ ଲକ୍ଷ ଆବେଦନ ମିସମ୍ୟାଚ ହୋଇଥିବାରୁ ସେମାନେ ଏଥର ସାମିଲ ହେବେନାହିଁ । ସେମାନଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରୀ ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଟୋଲପ୍ଲାଜାକୁ ଧକ୍କା ଦେଲା କଣ୍ଟେନର, ଡ୍ରାଇଭର ଜୀବନ୍ତ ଦଗ୍ଧ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଲକ୍ଷ୍ମଣନାଥ ଟୋଲପ୍ଲାଜାରେ ମର୍ମନ୍ତୁଦ ଦୁର୍ଘଟଣା । ଟୋଲପ୍ଲାଜାକୁ ଧକ୍କା ଦେଲା କଣ୍ଟେନର । ଘଟଣା ସ୍ଥଳରେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ କଣ୍ଟେନରଟି ସମ୍ପୂର୍ଣ୍ଣ ଜଳିଯାଇଛି ।

ଦୁର୍ଘଟଣା ପରେ କଣ୍ଟେନରରେ ଥିବା ହେଲପରର ପତ୍ତା ମିଳୁନାହିଁ । ଦୁର୍ଘଟଣାରୁ ଟୋଲପ୍ଲାଜାର କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ୫ ଓ ୬ ନମ୍ବର କ୍ୟାବିନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

କଣ୍ଟେନରଟି ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଜଳେଶ୍ଵର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଜଳେଶ୍ଵର ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସାହାଯ୍ୟରେ କଣ୍ଟେନରକୁ ରାସ୍ତାରୁ ହଟାଇବା ସହ ଘଟଣାର ତଦନ୍ତ କରୁଛି । ଦୁର୍ଘଟଣା ଯୋଗୁଁ ଟୋଲପ୍ଲାଜାର ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ବରିଷ୍ଠ IAS ସ୍ତରରେ ଅଦଳବଦଳ

ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ସୁଧାଂଶୁ ମୋହନ ସାମଲଙ୍କୁ ରାଜ୍ୟ ସରକାର ଓଡ଼ିଶା ମାଇନିଂ କର୍ପୋରେସନ୍‌ (ଓଏମ୍‌ସି)ରେ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଇନ୍ଦ୍ରମଣି ତ୍ରିପାଠୀ ଶ୍ରମ ଆୟୁକ୍ତ ଭାବେ ଦାୟିତ୍ବ ପାଇଥିବା ବେଳେ ଯାମିନୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ସିଟି ଜିଏସ୍‌ଟି କମିସନର ଭାବେ ଅବସ୍ଥାପିତ କରିଛନ୍ତି।

ଚିତ୍ରା ଅରୁମୁଗମ୍‌ଙ୍କୁ ଶ୍ରମ ଓ ଇଏସ୍‌ଆଇ ବିଭାଗର ପ୍ରମୁଖ ଦାୟିତ୍ବ ମିଳିଛି। ତ୍ରିଲୋଚନ ମାଝୀ ଗୃହ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି।

ସେହିପରି ଚିତ୍ରା ଅରୁମୁଗମ୍‌ଙ୍କୁ ଶ୍ରମ ଓ ଇଏସ୍‌ଆଇ ବିଭାଗର ପ୍ରମୁଖ ଦାୟିତ୍ବ ମିଳିଛି। ତ୍ରିଲୋଚନ ମାଝୀ ଗୃହ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି। ସିଦ୍ଧାର୍ଥ ଦାସଙ୍କୁ ଓଡ଼ିଶା କୋଅପରେଟିଭ୍‌ ସୋସାଇଟିର ରେଜିଷ୍ଟ୍ରାର ଭାବେ ନିଯୁକ୍ତି ମିଳିଛି। ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ସତ୍ୟବ୍ରତ ରାଉତ। ଓଡ଼ିଶା ଜୀବିକା ମିସନରେ ମୋନିକା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଦୀପଙ୍କର ମହାପାତ୍ର କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ହୋଇଥିବା ବେଳେ ସ୍ମିତା ରାଉତଙ୍କୁ  ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

ରାହୁଲ-ଜୟସ୍ବାଲଙ୍କ ବ୍ୟାଟିଂରେ ଫିଦା ହେଲେ କୋହଲି

ନନ୍ଦିଘୋଷ ବ୍ୟୁରୋ: ବର୍ଡର ଗାଭାସ୍କର ଟ୍ରଫିରେ କେଏଲ ରାହୁଲ ଏବଂ ଜୟସ୍ବାଲଙ୍କ ବ୍ୟାଟିଂକୁ ସମସ୍ତେ କରିଛନ୍ତି ପ୍ରଂଶସା । ପ୍ରଥମ ପାଳି ଏବଂ ଦ୍ବିତୀୟ ପାଳି ମଧ୍ୟରେ ଦେଖିବାକୁ ମିଳିଛି ଆକାଶ ପାତାଳ ଫରକ । ପ୍ରଥମ ଦିନରେ ଉଭୟ ଦଳର ୧୭ ଓ୍ବିକେଟର ପତନ ଘଟିଥିଲା । ମାତ୍ର ଦ୍ବିତୀୟ ଦିନରେ ଯେତେବେଳେ ଭାରତ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ସେତେବେଳେ ସମସ୍ତଙ୍କର ନଜର ରହିଥିଲା ବ୍ୟାଟିଂ ଉପରେ । ଦଳ କିଭଳି ପ୍ରଦର୍ଶନ କରୁଛି ଏବଂ ଓପନର କିଭଳି ପ୍ରଦର୍ଶନ ତାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ନଜର ରହିଥିଲା । ଆଉ କ୍ରୀଡ଼ାପ୍ରେମୀଙ୍କୁ ଖୁସି କରିବା ସହ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ରାହୁଲ-ଜୟସ୍ବାଲ । ୧୭୨ ରନର ପାର୍ଟନରସିପ କରିଥିବାବେଳେ ଶତକ ଅଭିମୁଖେ ଅଗ୍ରସର ହୋଇଛନ୍ତି ଉଭୟ ଖେଳାଳି । ଯେତେବେଳେ ଦ୍ବିତୀୟ ଦିନର ଖେଳ ସାରି ମଇଦାନରୁ ପାଭିଲିୟନକୁ ଫେରୁଥିଲେ ଉଭୟ ଓପନର ସେତେବେଳେ କିଙ୍ଗ କୋହଲି ଉଭୟ ଖେଳାଳି ବ୍ୟାଟ୍ ଉଠାଇ ଅଭିବାଦନ ଜଣାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଜୟସ୍ବାଲ ୯୦ ଏବଂ ରାହୁଲ ୬୨ ରନ କରି ଅପରାଜିତ ରହିଛନ୍ତି ।

ଅଷ୍ଟ୍ରେଲିଆ ମଇଦାନରେ ସର୍ବାଧିକ ଓପନର ପାର୍ଟନରସିପ ରେକର୍ଡ ପୂର୍ବରୁ ସେହଓ୍ବାଗ ଏବଂ ଆକାଶ ଚୋପ୍ରାଙ୍କ ନାମରେ ରହିଥିଲା । ୨୦୦୪ ମସିହାରେ ୧୨୩ ରନର ରେକର୍ଡ ରହିଥିଲା । ଏବେ ଏହି ରେକର୍ଡକୁ କାଟିଛନ୍ତି ଏହି ଓପନର ଯୋଡ଼ି । ଯାହାକୁ ନେଇ ଏବେ ଛୁଟିଛି ପ୍ରଂଶସାର ସୁଅ ।

ଯାଜପୁରର ମା’ ବିରଜାଙ୍କ ପ୍ରକଳ୍ପ କାର୍ଯ୍ୟ ବନ୍ଦକୁ ନେଇ ସେବାୟତ ଅସନ୍ତୁଷ୍ଟ

ନନ୍ଦିଘୋଷ ବ୍ୟୁରୋ: ଯାଜପୁରର ମା’ ବିରଜାଙ୍କ ପ୍ରକଳ୍ପ କାର୍ଯ୍ୟ ଏବେ ସଂପୂର୍ଣ ରୂପେ ବନ୍ଦ କରାଯାଇଛି। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସେବାୟତ। ସେବାୟତ ପରିଷଦ ତରଫରୁ ଏକାଧିକ ଥର ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରି ଦାବିପତ୍ର ଦିଆଯାଇଛି। ହେଲେ କିଛି ବି ସୁପଳ ମିଳିନି। ପୂର୍ବ ଜିଲ୍ଲା ପ୍ରସାସନ ସେବାୟତଙ୍କ ସହ ପ୍ରତ୍ୟେକ ବିଷୟ ଆଲୋଚନା କରି ନିଷ୍ପତି ନେଉଥିଲେ। ହେଲେ ବର୍ତ୍ତମାନର ଜିଲ୍ଲା ପ୍ରଶାସନ ସେବାୟତଙ୍କୁ ଅନ୍ଧାରରେ ରଖି କାର୍ଯ୍ୟ କରି ଚାଲିଛନ୍ତି। କୌଣସି କାର୍ଯ୍ୟ ବିଷୟରେ ସେବାୟତ ଜାଣି ପାରୁନାହାନ୍ତି। ମନ୍ଦିରର ପ୍ରକଳ୍ପ କାର୍ଯ୍ୟ କେତେ ଦୂର ଗଲାଣି, କେତେ ଜାଗା ଅଧିଗ୍ରହଣ କରାଯାଇଛି ଅବଗତ କରୁନାହିଁ ପ୍ରଶାସନ।

ଅଧିଗ୍ରହଣ ଜମିର କେଉଁ ସ୍ଥାନରେ କ’ଣ କାର୍ଯ୍ୟ କରିବା ପାଇଁ ନିଷ୍ପତି ହୋଇଛି ତାହା ମଧ୍ୟ ସର୍ବସାଧାରଣକୁ ଜଣାଉ ନାହାନ୍ତି। ଅଧିଗ୍ରହଣ ଜମିରେ ତାରବାଡ଼ କିମ୍ବା ସୂଚନା ଫଳକ ଦିଆଯାଉନାହିଁ। ସେଥିପାଇଁ ଅନେକ ସ୍ଥାନକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ମନ୍ଦିରର ଉନ୍ନତି ପାଇଁ ସେବାୟତ ଭିଟାମାଟି ଛାଡ଼ିଛନ୍ତି। ସେମାନଙ୍କୁ ମଧ୍ୟ ଅନ୍ଧାରରେ ରଖାଯାଉଛି। ଦୁର୍ଗାପୂଜା ପୂର୍ବରୁ ୨ଟି ଶୌଚାଳୟ ସମ୍ପୂର୍ଣ ଦାବି ଏଯାଏଁ ପୂରଣ ହୋଇନି। ଯଜ୍ଞ ମଣ୍ଡପ ମଧ୍ୟ ଆରମ୍ଭ ହୋଇନାହିଁ। ପ୍ରକଳ୍ପ କାର୍ଯ୍ୟ ବନ୍ଦ ଯୋଗୁ ସେହି ସବୁ ସ୍ଥାନରେ ଜବରଦଖଲ ଆରମ୍ଭ ହେଲାଣି। ତୁରନ୍ତ ସମସ୍ୟାର ସମାଧାନ ନକଲେ ସେବାୟତ ଧାରଣା ଦେବେ ବୋଲି କହିଛନ୍ତି ।

ଆସିଲା ରତ୍ନଭଣ୍ଡାର ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ASI ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ୪୫ ପୃଷା ସମ୍ୱଳିତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଆଧାରରେ ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହେବ । ଭଣ୍ଡାରଘର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ କିଭଳି ବାଧା ନଉପୁଜିବ ସେନେଇ ଆଗାମୀ ଦିନରେ ଛତିଶା ନିଯୋଗ ଓ ପରିଚାଳନା କମିଟି ସହ ଆଲୋଚନା କରାଯିବ । ଏଏସ୍ଆଇ ପକ୍ଷରୁ ଜିପିଆର ସର୍ଭେ  ହାଇଦ୍ରାବାଦ ସ୍ଥିତ ଏନଜିଆରଆଇ ସହାୟତାରେ କରାଯାଇଥିଲା ।  ରିପୋର୍ଟ ଆଧାରରେ ଏଏସଆଇକୁ ଖୁବଶୀଘ୍ର ଚିଠି ଲେଖାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମରାମତି ପରେ ଭିତର ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ନିଆଯାଇ ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଗଣତିମଣତି କରାଯିବ। ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟାକୁ ଡିଜିଟାଇଜେସନ କରାଯିବା ସହ ତମାମ୍ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ ।

 

ଝାଡ଼ଖଣ୍ଡ ନିର୍ବାଚନୀ ପ୍ରଚାରରେ ଓଡିଶା ନେତା ଫେଲ୍

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡରେ ପୁଣି JMM ସରକାର । ଇଣ୍ଡିମେଣ୍ଟ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ପଡୋଶୀ ରାଜ୍ୟରେ ଓଡିଶାର ବିଜେପି ଓ କଂଗ୍ରେସ ନେତାମାନେ ପ୍ରଚାର କରିଥିଲେ। ବିଶେଷ କରି ଆଦିବାସୀ କାର୍ଡ ଖେଳିଥିଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁନେତା ପ୍ରଚାର କରିଥିଲେ ମଧ୍ୟ ସଫଳତା ପାଇ ନାହିଁ ବିଜେପି । ଅନ୍ୟପଟେ କଂଗ୍ରେସ ମେଣ୍ଟ ସରକାର ଗଠନ କରିବାକୁ ଯାଉଥିଲେ ମଧ୍ୟ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ହାରି ଯାଇଛନ୍ତି। ଏହାକୁ ନେଇ ଓଡ଼ିଶାରେ ମୁହାଁମୁହିଁ ବିଜେପି ଓ କଂଗ୍ରେସ । ଅନ୍ୟପଟେ ଦେଶରେ ଆଂଚଳିକ ଦଳର ଶକ୍ତି ବୃଦ୍ଧି ପାଉଛି ବୋଲି କହିଛି ବିଜେଡି ।

ଝାଡ଼ଖଣ୍ଡ ନିର୍ବାଚନୀ ପ୍ରଚାରରେ ଓଡିଶା ନେତା ଫେଲ । କାମ କଲାଣି ଆଦିବାସୀ କାର୍ଡ ଓ ପ୍ରଭାବ ଶୂନ୍ୟ ରହିଲା ମୁଖ୍ୟମନ୍ତ୍ରୀ ଓ ଗଣ୍ଡା ଗଣ୍ଡା ଓଡିଶା ମନ୍ତ୍ରୀଙ୍କ ପ୍ରଚାର  । ପଡ଼ୋଶୀ ରାଜ୍ୟରେ ଇଣ୍ଡିଆ ମେଣ୍ଟର ବିଜୟ ହେବା ପରେ ବିଜେପିକୁ ଏମିତି କଟାକ୍ଷ କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହୁଛନ୍ତି ଯେ ଝାଡ଼ଖଣ୍ଡରେ ଇଣ୍ଡିଆ ମେଣ୍ଟର ବିଜୟ ପ୍ରମାଣିତ କରିଛି  । ୨୦ ଲକ୍ଷ ପ୍ରବାସୀ ଓଡିଆ ଅର୍ଥାତ ୧୮ ପ୍ରତିଶତ ଓଡିଆ ଭୋଟର ଓଡିଶା ବିଜେପି ନେତାଙ୍କୁ ଭୋଟରେ ଜବାବ ଦେଇଛନ୍ତି ।

ଭୋଟ ମାଧ୍ୟମରେ ଲ ଓଡିଶାର  ବିଜେପି ନେତାଙ୍କୁ ପ୍ରତ୍ୟାଖାନ କରିଛନ୍ତି । କାରଣ ୫ ମାସର ବିଜେପି ସରକାର ଓଡ଼ିଶାରେ ଆଦିବାସୀ ବିରୋଧୀ ଓ ମିଥ୍ୟା ଓ ପ୍ରତାରଣା ସରକାର ବୋଲି ଝାଡ଼ଖଣ୍ଡ ବାସୀ ଅନୁଭବ କରିଥିଲି । ଯେଉଁଥି ପାଇଁ ବିଜେପିକୁ ପ୍ରତ୍ୟାଖାନ କରି ଇଣ୍ଡିଆ ମେଣ୍ଟକୁ ବିଜୟ କରାଇଛନ୍ତି ବୋଲି ଜୟଦେବ ଜେନା କହିଛନ୍ତି । ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ନେଇ କଂଗ୍ରେସ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପିକୁ ଟାର୍ଗେଟ କରିବା ପରେ  ଉପ ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଯେ କଥାରେ ଅଛି you win some, you lose some । ଝାରଖଣ୍ଡରେ ଆମର ସରକାର ନଥିଲା । ଝାଡଖଣ୍ଡରେ ନେଟ ଟୁ ନେଟ ହେବ ବୋଲି ପ୍ରଚାର ସମୟରେ ଜାଣିଥିଲୁ । ଯାହାକୁ ନେଇ ମୁହାମୁହିଁ ହୋଇଛନ୍ତି ଜୟଦେବ ଓ କନକ ବର୍ଦ୍ଧନ ।

ସେପଟେ ଦୁଇଟି ରାଜ୍ୟର ଫଳାଫଳ  ନେଇ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଜାତୀୟ ରାଜନୀତିରେ ଏବେ ବି ଆଞ୍ଚଳିକ ଦଳର ଦବଦବା ରହିଛି । ଏନଡ଼ିଏ ହେଉ କି ଉପା କେହି ବିନା ଆଞ୍ଚଳିକ ଦଳର ସମର୍ଥନରେ ଚାଲି ପାରିବେ ନାହିଁ । ସେହିପରି ଉପନିର୍ବାଚନ ଗୁଡ଼ିକରେ ଆଞ୍ଚଳିକ ଦଳ ମାନେ ଭଲ ପ୍ରଦର୍ଶନ କରିଛନ୍ତି । ଝାଡ଼ଖଣ୍ଡର ମତ କହୁଛି ହେମନ୍ତ ସୋରେନ ପ୍ରତି ହୋଇଥିବା ଅନ୍ୟାୟର ଜବାବ ଦେଇଛନ୍ତି ଝାଡ଼ଖଣ୍ଡବାସୀ। ମହାରାଷ୍ଟ୍ରରେ ବିଜେପି ଏକାକି କିଛି ସିଟ ପାଇଥିଲେ ମଧ୍ୟ ଅଜିତ ପାୱାର ଓ ଏକନାଥ ସିଂ ଦେ ଙ୍କ ଭଳି ଆଞ୍ଚଳିକ ଦଳ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ।

ପଡୋଶୀ ରାଜ୍ୟର ନିର୍ବାଚନ ଫଳାଫଳ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ମୁହାମୁହିଁ ହୋଇଛନ୍ତି  । ଅନ୍ୟପଟେ ଆଦିବାସୀ ମାନେ ବିଜେପି ପ୍ରତି ମୁହ ଫେରାଇ ଛନ୍ତି ତାହା ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ବଡ ସଂକେତ ଦେଇଛି ବୋଲି ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି  ।