spot_img
Home Blog Page 1328

ଆନ୍ଦୋଳନରୁ ଓହରିଲା ମିଳିତ ଟ୍ରକ ମାଲିକ ମହାସଂଘ

ଭୁବନେଶ୍ବର: ନଭେମ୍ବର ୧୦ ତାରିଖରୁ ମିଳିତ ଟ୍ରକ ମାଲିକ ମହାସଂଘର ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଆଜି ତୃତୀୟ ଥର ପାଇଁ ପରିବହନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛି ସଂଘ । ଆସନ୍ତାକାଲିଠାରୁ ସ୍ଵାଭାବିକ ହେବ ଟ୍ରକ୍ ଚଳାଚଳ ।

ନଭେମ୍ବର ୧୦ ତାରିଖରୁ ୧୧ ଦଫା ଦାବି ନେଇ ୧୩ ଜିଲ୍ଲାର ବାଲି ପରି ଲଘୁ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ୍ ସଂଘ ଆନ୍ଦୋଳନ ଜାରି ରଖିଥିଲେ । ଆସନ୍ତା ଫେବୃଆରୀ ମାସ ସୁଦ୍ଧା ସଂଘର ସମସ୍ତ ଦାବି ପୂରଣ ଲାଗି ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଯାଇଛି ସଂଘ । ଟ୍ରକକୁ ଇ-ଟ୍ରାନଜିଟ ପାସ୍ ଦିଆଯିବା, ବାଲିଘାଟରେ ଓଜନ ବ୍ଯବସ୍ଥା କରାଯିବା, ଏନଜିଟି ଗତ ଅକ୍ଟୋବର ୨୫ ତାରିଖରେ ଦେଇଥିବା ନିର୍ଦ୍ଦେଶରେ କୋହଳ କରାଯିବା, ଘାଟରେ ସିସିଟିଭିର ବ୍ଯବସ୍ଥା କରାଯିବା, ପ୍ରତ୍ଯେକ ଘାଟରେ ସାଇନ ବୋର୍ଡ ଲଗାଯିବା, ରାଜ୍ଯ ସାରା ପ୍ରତ୍ଯେକ ବାଲି ଘାଟର ସଠିକ ମୂଲ୍ଯ ନିର୍ଦ୍ଧାରଣ କରାଯିବା, ସ୍ବତନ୍ତ୍ର ଆପ ତିଆରି କରାଯିବା, ଜିଲ୍ଲାୱାରୀ ବାଲିଘାଟର ତାଲିକା ପ୍ରକାଶ କରାଯିବା, ଇ-ଟ୍ରାନଜିଟ ପାସର ଅବଧି ୧୨ ଘଣ୍ଟାକୁ ବୃଦ୍ଧି କରାଯିବା ଭଳି ପ୍ରମୁଖ ଦାବି ରଖିଥିଲା ସଂଘ ।

ସ୍ବର୍ଗଦ୍ବାର ଘିଅର ମାନ ଯାଞ୍ଚ ପାଇଁ ନିର୍ଦ୍ଦେଶ, ଯୋଗାଣକାରୀ ସମିତି କହିଲା ଅଭିଯୋଗ ଭିତ୍ତିହୀନ

ପୁରୀ: ସ୍ବର୍ଗଦ୍ବାରରେ ଘିଅ ଯୋଗାଣକୁ ନେଇ ଉଠିଥିବା ପ୍ରସଙ୍ଗ ଏବେ ତୀବ୍ର ହେବାରେ ଲାଗିଛି l ଘିଅର ମାନ ଯାଞ୍ଚ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବାବେଳେ ସମ୍ପୃକ୍ତ ଘିଅ ଯୋଗାଉଥିବା ମହିଳା ସମିତି ଦୁର୍ନୀତି ନେଇ ଉଠିଥିବା ପ୍ରସଙ୍ଗକୁ ଭିତ୍ତିହୀନ କହିଛି । ସରକାରଙ୍କର ORMAS ସଂସ୍ଥା ଦ୍ୱାରା ସୁଦ୍ଧ ଘିଅ ପ୍ରଦାନ କରାଯାଉଥିବା କହିଛି ସମିତି । ଅନ୍ୟପକ୍ଷରେ FSSAI ମାନ୍ୟତା ନଥାଇ କିଭଳି ଘିଅ ପ୍ୟାକିଙ୍ଗ କରାଯାଉଛି ସେ ନେଇ ତଦନ୍ତ କରିବାକୁ ଆମ ଆଦମୀ ପାର୍ଟି ଦାବି କରିଛି ।

ସୂଚନାଯୋଗ୍ୟ, ଲୋକଙ୍କ ଭାବାବେଗ ସହ ଜଡ଼ିତ ପୁରୀ ସ୍ବର୍ଗଦ୍ବାର । ଜୀବନର ଶେଷ ଯାତ୍ରା ଏଠାରୁ କରିବାକୁ ସମସ୍ତଙ୍କ ଇଚ୍ଛା । ତେଣୁ ପ୍ରତିଦିନ ଶହ ଶହ ମୃତଦେହ ଏଠାରୁ ସଂସ୍କାର ପାଇଁ ଆସିଥାଏ । ପ୍ରତିଦିନ ଶହ ଶହ କେଜିର ଘିଅ ଶବଦାହ ପାଇଁ ବ୍ଯବହୃତ ହୁଏ । ତେବେ ବ୍ୟବହୃତ ଘିଅ ଠିକ ନଥିବା ଓ ଏହାକୁ ବେଆଇନ ଭାବେ ଯୋଗାଣ କରାଯାଉଥିବା ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି ଘିଅ ଯୋଗାଉଥିବା ସଂସ୍ଥା । ORMAS ସଂସ୍ଥା ଦ୍ୱାରା ପରିଚାଳିତ ମହିଳା ସମିତି ମାଧ୍ୟମରେ ସୁଦ୍ଧ ଘିଅ ସଂଗ୍ରହ କରାଯାଇ ଏହାକୁ ପ୍ୟାକିଙ୍ଗ କରାଯାଇ ସ୍ବର୍ଗଦ୍ୱାରକୁ ଯୋଗାଇ ଦିଆଯାଉଥିବା ସଂଘର ସଭାନେତ୍ରୀ କହିଛନ୍ତି । ସେପଟେ ଅଭିଯୋଗ ଭିତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାକୁ ଗୁରୁତର ସହ ନିଆଯାଇ ମାନ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲପାଳ କହିଛନ୍ତି ।

ସ୍ୱର୍ଗଦ୍ୱାର ଘିଅ ଯୋଗାଣର ଅନିୟମିତତାକୁ ନେଇ ଆପ୍ ପ୍ରଶ୍ନ ଉଠାଇବା ପରେ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଘିଅର ମାନ ଯାଞ୍ଚ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବାବେଳେ FSSAI ମାନ୍ୟତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ବିନା FSSAI ର ମାନ୍ୟତା ଓ ଏକ୍ସପାୟାର ତାରିଖ ଲେଖା ନଥାଇ ଘିଅ ପ୍ୟାକେଜକୁ ନେଇ ତଦନ୍ତର ଆବଶ୍ୟକତା ଥିବା କହିଛି ଦଳ ।

ସ୍ୱର୍ଗଦ୍ୱାର ଭଳି ଧାର୍ମିକ ଓ ଆଧାତ୍ମିକ ସ୍ଥାନରେ ସରକାରଙ୍କ ଦ୍ୱାରା ପରିଚାଳିତ ORMAS ସଂସ୍ଥା ସୁଦ୍ଧ ଘିଅ ଯୋଗାଣ ଉପରେ ନଜର ଦେବା ନେଇ ସାଧାରଣରେ ଦାବି ହୋଇଛି ।

ପଳାତକ କମ୍ପାନୀ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରୀତି: ଓଡ଼ିଶାର ଶ୍ରମିକଙ୍କୁ ଲୁଟିଥିବା କମ୍ପାନୀ ପାଇଁ ପ୍ରସ୍ତୁତ ହେଉଛି ରେଡ କାର୍ପେଟ

ଭୁବନେଶ୍ବର: ପଳାତକ କମ୍ପାନୀଙ୍କୁ ମୁଖ୍ଯମନ୍ତ୍ରୀଙ୍କ ପ୍ରୀତି । ଦିନେ ଓଡ଼ିଶାରେ କାରଖାନା କରି ଶ୍ରମିକଙ୍କ ପାଉଣା ନଦେଇ ଆଇନଗତରେ ମାମଲା ଛନ୍ଦି ହୋଇଥିବା କମ୍ପାନୀକୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସିଙ୍ଗାପୁରରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ ନେଇ ଶ୍ରମିକ ସଂଗଠନଗୁଡିକ ଘୋର ଆପତ୍ତି ଉଠାଇଛନ୍ତି । ସେପଟେ ଏହି ପ୍ରସଙ୍ଗରେ ବିଜେଡି ଓ ରାଜନେତାମାନେ ସରକାରଙ୍କୁ ଘେରିବା ସହ ଏଭଳି ଠକ କମ୍ପାନୀ ପ୍ରୀତିକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

ମୋହନ ସରକାରଙ୍କ ପଳାତକ ଶିଳ୍ପପତିଙ୍କୁ ଆମନ୍ତ୍ରଣ । ତାଙ୍କ ପାଇଁ ପ୍ରସ୍ତୁତ ହେଉଛି ରେଡ କାର୍ପେଟ । ପଳାତକ ମାଲିକଙ୍କୁ ପୁଞ୍ଜି ନିବେଶ ପାଇଁ ରାଜ୍ୟ ସରକାରଙ୍କ ଆଗ୍ରହ । ସିଙ୍ଗାପୁରରେ ପଳାତକ ରବିନ ଝୁନଝୁନୱାଲାଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ପରେ ରାଜ୍ୟ ରାଜନୀତି ହୋଇଛି ଉଷ୍ଣ ।

ଗତ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଙ୍ଗାପୁର ଗସ୍ତ ସମୟରେ ଓରିଣ୍ଡ ସିଙ୍ଗାପୁରର ଅଧ୍ୟକ୍ଷ ରବିନ ଝୁନଝୁନୱାଲାଙ୍କୁ ଭେଟିଛନ୍ତି । ଅଭିଯୋଗ ହେଉଛି, ଇଏ ହେଉଛନ୍ତି ସେଇ ରବିନ ଝୁନଝୁନୱାଲା ଯିଏ ଓଡିଶାରୁ ରାତାରାତି ଶ୍ରମିକଙ୍କ ପାଉଣା ନଦେଇ ଫେରାର ହୋଇଯାଇଥିଲେ । ବାରମ୍ବାର ଶ୍ରମିକ ଆନ୍ଦୋଳନ ପରେ ସେତେବେଳେ ରାଜ୍ୟ ସରକାର ଝୁନଝୁନୱାଲାଙ୍କୁ ପଳାତକ ଘୋଷଣା କରିଥିଲେ । ତାଙ୍କ ବିରୋଧରେ ଲାଠିକଟା ଥାନାଠୁ ଆରମ୍ଭ କରି ଶ୍ରମ କୋର୍ଟ ଓ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲରେ ମାମଲା ଚାଲିଛି । ଏବେ ଝୁନଝୁନୱାଲା ସିଙ୍ଗାପୁରରେ ଆରମ୍ଭ କରିଛନ୍ତି ଜୈବ ସାର ବ୍ୟବସାୟ । ସିଙ୍ଗାପୁରରେ ଥିବା ଓରିଣ୍ଡ ସିଙ୍ଗାପୁର ପିଟିଇ ଲିମିଟେଡ ନାଁରେ ଚାଲିଥିବା ଏହି କମ୍ପାନୀକୁ ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର । ପଳାତକ କମ୍ପାନୀ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ପ୍ରୀତିକୁ ସମାଲୋଚନା କରିଛନ୍ତି ସୁନ୍ଦରଗଡର ବିଭିନ୍ନ ଶ୍ରମିକ ସଂଗଠନ ।

ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ଓ ବରିଷ୍ଠ ରାଜନେତା । ଯେଉଁ କମ୍ପାନୀ ୭୦୦ରୁ ଅଧିକ ସ୍ଥାୟୀ ଓ ପ୍ରାୟ ୫୦୦ରୁ ଅଧିକ ଠିକା ଶ୍ରମିକଙ୍କୁ ସେମାନଙ୍କ ପାଉଣା ନଦେଇ ଠକିଥିଲା ସେଇ କମ୍ପାନୀ ବିରୋଧରେ ସେତେବେଳର ସରକାର କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଏବେ ସମ୍ପୃକ୍ତ କମ୍ପାନୀ ପାଇଁ ପୁଣି ଥରେ ରାଜ୍ୟ ସରକାର ରେଡ କର୍ପେଟ ପକାଇବାକୁ ଯେଉଁଭଳି ପ୍ରସ୍ତୁତି ଚଳାଇଛନ୍ତି ତାହା ଶ୍ରମିକଙ୍କ ପ୍ରତି ବିଜେପିର ଉପହାସ ବୋଲି କହିଛନ୍ତି ବରିଷ୍ଠ ରାଜନେତା । ରାଜ୍ୟର ବିକାଶ ପାଇଁ ବିଶ୍ବ ସ୍ତରରେ ଅନେକ ବଡ ବଡ ପୁଞ୍ଜି ନିବେଶକାରୀ ଆଗ୍ରହୀ । ପୂର୍ବ ସରକାରରେ ଆସିଥିବା ବହୁରାଷ୍ଟ୍ରୀୟ କମ୍ପାନୀ ଏବେ ଓଡିଶା ଛାଡିବାକୁ ବସିଲେଣି । ସେପଟେ ଯେଉଁମାନେ ରାଜ୍ୟକୁ ଲୁଟ କରିଛନ୍ତି ସେମାନଙ୍କୁ ଏବେର ଡବଲ ଇଂଜିନ ସରକାର ପ୍ରଶୟ ଦେବା ନେଇ ଉଠିଛି ପ୍ରଶ୍ନ ।

ପ୍ରଳାତକଙ୍କୁ ପ୍ରଶୟ ଦିଆଯିବା ଘଟଣାରେ ବିଜେପିର କୌଣସି ନେତା ମୁହଁ ଖୋଲୁନାହାଁନ୍ତି । କିନ୍ତୁ ବିଶ୍ବସନିୟତା ହରାଇଥିବା କମ୍ପାନୀକୁ ପୁଣି ଥରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯିବା କେତେଦୂର ଗ୍ରହଣୀୟ ସେନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରଶ୍ନ ଉଠିଛି ।

ଆଦାନୀ ଜମି କିଣା ବିବାଦ: ଅଞ୍ଚଳବାସୀଙ୍କ ଚେତାବନୀ, ଗନ୍ଧମାର୍ଦ୍ଦନ ଉପରେ ନଜର ପକାଇଲେ ଭୋଗିବ ପରିଣାମ

ଭୁବନେଶ୍ବର: ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗୃପ କିଣିଛି ୧୧୨.୮୬ ଏକର ଜମି । ଲୋକଙ୍କୁ ତିନି ଗୁଣା ଅଧିକ ଟଙ୍କା ଦେଇ ଏହି ଜମି କିଣିଛି । ଫଳରେ ଏହି ଅଞ୍ଚଳରେ ଖଣି ଖନନ ଚର୍ଚ୍ଚା ଜୋର ଧରିଛି । ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡିଲେ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ଗନ୍ଧମାର୍ଦ୍ଦନର ଜୈବ ବିବିଧତାକୁ ଖଣି ଖନନ ପାଇଁ ଆଦାନିକୁ ଟେକି ଦେଲେ ବିଜେଡି ତୀବ୍ର ବିରୋଧ କରିବ ବୋଲି ଚେତାବନୀ ଦେଇଛି ।

ସଫଳ ହେବନି ଷଡଯନ୍ତ୍ରକାରୀଙ୍କ ଉଦ୍ଦେଶ୍ୟ । ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡିଲେ ତେଜିବ ଆନ୍ଦୋଳନ । ବଲାଙ୍ଗୀର-ବରଗଡ ସୀମାରେ ଥିବା ଗର୍ଦ୍ଧମାର୍ଦ୍ଦନ ପର୍ବତ ଉପରେ ଖଣି ଖନନ ପାଇଁ ଆଦାନୀ କମ୍ପାନୀ ଚେଷ୍ଟା କରୁଥିବା ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଏବେ ଚିହିଁକି ଉଠିଛନ୍ତି ଅଞ୍ଚଳବାସୀ ।

ଆଦାନୀ କମ୍ପାନୀ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡ ନାଁରେ ଅଞ୍ଚଳରୁ ୧୧୨.୮୬ ଏକ ଜମି କିଣିଛି । ନୂଆ ସରକାର ଆସିବା ପରେ ଗତ ସେପ୍ଟେମ୍ବର ମାସରେ କମ୍ପାନୀ ପକ୍ଷରୁ ଜମି କିଣା ଯାଇଛି । ତେବେ ଏହି ଜମିଠାରୁ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର ଓ ବରଗଡ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ପୀଠର ସମାନ ଦୂରତା । ହଜାର ହଜାର ବର୍ଷ ଧରି ପଶ୍ଚିମ ଓଡିଶାର ଧର୍ମୀୟ ଭାବନା ସହିତ ଜଡିତ ରହିଛି ଗନ୍ଧମାର୍ଦ୍ଦନ । ପାହାଡରୁ ସୁକତେଲ ଓ ଅଙ୍ଗନଦୀ ବାହାରିଥିବା ବେଳେ  ୨୨ରୁ ଅଧିକ ଚିରସ୍ରୋତା ଝରଣା ବହି ଚାଲିଛି । ଏଠି ୧୮ ହଜାର ପ୍ରଜାତିର ଔଷଧୀୟ ବୃକ୍ଷଲତା ରହିଛି । ବଲାଙ୍ଗୀର, ବରଗଡ଼ ଓ ନୂଆପଡା ଜିଲ୍ଲାର ଲକ୍ଷାଧିକ ଲୋକ ପେଟପାଟଣା ପାଇଁ ଗନ୍ଧମାର୍ଦ୍ଦନ ଉପରେ ନିର୍ଭର କରନ୍ତି I ଫଳରେ ଗନ୍ଧମାର୍ଦ୍ଦନକୁ ଜୈବ ବିବିଧତା ଅଞ୍ଚଳ ଘୋଷଣା କରିବାକୁ ତତ୍କାଳୀନ ନବୀନ ସରକାର ଅନେକ ଚେଷ୍ଟା କରିଥିଲେ । ହେଲେ ଏବେ ନୂଆ ସରକାର ଆସିବା ପରେ ବିପଦ ଆଡକୁ ଠେଲି ହୋଇଯାଇଛି ଗନ୍ଧମାର୍ଦ୍ଦନ ପର୍ବତ ।

ଗନ୍ଧମାର୍ଦ୍ଦନ ପାଦଦେଶରେ କିଣାଯାଇଥିବା ଏହି ଜମିରେ କ’ଣ କରିବ ଆଦାନୀ କମ୍ପାନୀ ? ଏତେ ପରିମାଣର ଜମି କିଣିବା ପଛରେ କାରଣ କ’ଣ ? ଉପଯୁକ୍ତ ମୂଲ୍ୟଠାରୁ ତିନି ଗୁଣ ଅଧିକା ଦାମ ଦେଇ ଜମି କାହିଁକି କିଣାଯାଇଛି ? ତାହା ସ୍ପଷ୍ଟ କରୁନାହାଁନ୍ତି କମ୍ପାନୀ କର୍ତ୍ତୃପକ୍ଷ । ବଲାଙ୍ଗୀର ନୂଆପଡା ରେଳପଥ ପାଇଁ ଦୁଇ ଦଶନ୍ଧୀ ଧରି ଦେବି ହେଉଥିବା ବେଳେ ନିକଟରେ କେନ୍ଦ୍ର ସରକାର ଏହି ରେଳପଥ ପାଇଁ ଡିପିଆରକୁ ଅନୁମତି ଦେଇଛନ୍ତି । ଏହାସହ ପାଟଣାଗଡରେ ଏକ ଏୟାରଷ୍ଟ୍ରିପ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ଯାହା ଖଣି ଖନନ ସନ୍ଦେହକୁ ଦୃଢିଭୂତ କରିଛି । ଅନ୍ୟପଟେ ଧର୍ମକୁ ଆଖିଠାର ଭଳି ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ଦେଇଛନ୍ତି ।

ଗନ୍ଧମାର୍ଦ୍ଦନ ପାହାଡରେ ୨୦୨ ମିଲିୟନ ଟନ ବକ୍ସାଇଟ ରହି ଥିବାରୁ ଦେଶର ବଡ଼ ବଡ଼ ଶିଳ୍ପପତିଙ୍କ ଆଖି ଏହା ଉପରେ ରହିଛି । ୧୯୮୦ ମସିହାରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ ଉତ୍ତୋଲନ ପାଇଁ ବାଲକୋ କମ୍ପାନୀକୁ ଲିଜ୍ ଦିଆଯାଇଥିଲା । ସେତେବେଳେ ମଧ୍ୟ ଜୋରଦାର୍ ବିରୋଧ ପରେ କମ୍ପାନୀ ଫେରିଯାଇଥିଲା ।

ମାଓବାଦୀଙ୍କୁ ଚରମ ଚେତାବନୀ: ସୁଧୁରି ଯାଅ ନହେଲେ ପୋଲିସ ଦେଖାଇବ ଅସଲ ରୂପ

ଭୁବନେଶ୍ବର: ମାଓବାଦୀଙ୍କ ଚଳିବନି ଜଙ୍ଗଲରାଜ । କଡା ଜବାବ ପାଇବେ ମାଓବାଦୀ । ହାର୍ଡକୋର ମାଓବାଦୀଙ୍କୁ ଏମିତି କିଛି ଚେତାବନୀ ଦେଇଛନ୍ତି ଡିଜିପି । କହିଛନ୍ତି, ସୁଧୁରି ଯାଅ ନହେଲେ ପୋଲିସ ଦେଖାଇବ ଅସଲ ରୂପ । ମାଓବାଦୀରୁ ମିଲିସିଆ ସମସ୍ତଙ୍କ ପାଇଁ ଜାରି ହୋଇଛି ସତର୍କ ଘଣ୍ଟି । ମାଲକାନଗିରି ଜଙ୍ଗଲରେ ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୨ ଜଣ ଖସି ପଳାଇଛନ୍ତି । ଫେରାର ମାଓବାଦୀଙ୍କୁ ଠାବ କରିବାକୁ ଜଙ୍ଗଲରେ ଆରମ୍ଭ ହୋଇଛି UAV ଅପରେସନ ।

ଗୁରୁବାର ଭୋର ପ୍ରାୟ ୪ଟା । ମାଲକାନଗିରି ଏମଭି ୭୯ ଥାନା ଅଞ୍ଚଳରେ ମାଓବାଦୀ ଥିବା ନେଇ ଓଡ଼ିଶା ପୋଲିସ ନିକଟରେ ପହଞ୍ଚିଲା ଖବର । ତା’ପରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ଏସଓଜି ଓ ଡିଭିଏଫ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ହଠାତ ପୋଲିସ ଟିମ ଉପରେ ମାଓବାଦୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅତର୍କିତ ଗୁଳିମାଡ଼ । ଆଉ ଗୁଳିର ଜବା ଗୁଳିରେ ଦେଇଥିଲେ ଯବାନ । ପାଲଟା ଗୁଳିମାଡରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଖସି ପଳାଇବାକୁ ସକ୍ଷମ ହୋଇଥିଲେ । ଫେରାର ମାଓବାଦୀଙ୍କୁ ଧରିବା ପାଇଁ ମେଟାଗୁଡ଼ା ଓ କାଟାନପାଲି ଜଙ୍ଗଲରେ ଆରମ୍ଭ ହୋଇଛି UAV ଅପରେସନ । ସେପଟେ ଦୁର୍ଭାଗ୍ୟବଶତଃ ଗୁଳିମାଡରେ ଗୁରୁତର ଆହତ ହୋଇଥିଲେ ଯବାନ ଡମ୍ବରୁ ବଡ଼ନାୟକ । ତାଙ୍କୁ ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୩ଟି ସ୍ଥାନରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ରାଜ୍ୟରେ ହିଂସାକୁ  କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଡିଜିପି ଓ୍ବାଇ.ବି. ଖୁରାନିଆ ।

ସରକାରଙ୍କ ଆତ୍ମସମର୍ପଣ ଓ ପୁର୍ନବାସ ଯୋଜନା ମୁତାବକ ମୁଖ୍ୟସ୍ରୋତକୁ ଫେରିଥିବା ସମସ୍ତ ମାଓବାଦୀଙ୍କୁ ସହାୟତା ପ୍ରଦାନ କରାଯାଉଛି । ଯୋଜନା ଅନୁସାରେ, ୩୫ ହଜାର ଟଙ୍କା, ୪ ଡିସିମିଲ୍ ଜାଗା କିଣିବାକୁ ୨୫ ହଜାର, ଘର ତିଆରି କରିବାକୁ ୪୫ ହଜାର ଟଙ୍କା, ପାଠପଢ଼ା ବାବଦକୁ ୩ ହଜାର ଟଙ୍କା ପ୍ରଦାନ କରାଯାଉଛି । ଗିଗତ ବର୍ଷରେ ୨୨୪ ମାଓବାଦୀଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାର ୬ କୋଟି ୭୩ ଲକ୍ଷ ୬ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ଏଣୁ ନିଜର ଦାବି ପୂରଣ ପାଇଁ ଅନ୍ୟାୟ ବାଟରେ ନିରୀହଙ୍କ ଜୀବନ ନେବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଡିଜିପି । ଗୁରୁପ୍ରିୟା ସେତୁ ହେବା ପରେ ବିଚ୍ଛିନ୍ନାଞ୍ଚଳରେ ନିଷ୍ପେସିତ ଭାବେ ବଞ୍ଚୁଥିବା ଲୋକଙ୍କ ସ୍ୱାଭିମାନ ଫେରିଛି । ତେଣୁ ଅସ୍ତ୍ରଶସ୍ତ୍ର ଛାଡି ଶାନ୍ତିରେ ବଞ୍ଚିବାକୁ ମାଓବାଦୀଙ୍କୁ ଆହ୍ଵାନ ଦେଇଛନ୍ତି ପୋଲିସ ଡିଜି ।

ଆସନ୍ତା ୨୯ରେ ଓଡ଼ିଶାରେ ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯୋଗଦେବେ । ୩ରେ ଓଡିଶାକୁ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ରହିଛି । ଏହାପୂର୍ବରୁ ମାଓବାଦୀ କାର୍ଯ୍ୟକଳାପରେ ରୋକ ଲଗାଇବା ଓଡ଼ିଶା ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ ।

ସାମାଜିକ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ, ଅସୁରକ୍ଷିତ ମହିଳା, ଶିଶୁ, ଦଳିତ ଓ ଆଦିବାସୀ: ବିଜେଡି

ଭୁବନେଶ୍ବର: ରାଜ୍ୟର ବିଜେପି ସରକାର ସାମାଜିକ ସୁରକ୍ଷା ଦେବାରେ ବିଫଳ । ଦିନକୁ ଦିନ ମହିଳା ଓ ଶିଶୁଙ୍କ ଉପରେ ବଢି ଚାଲିଛି ଅତ୍ୟାଚାର । ବଲାଙ୍ଗୀର ଜିଲ୍ଲା ଏହାର ଉଦାହରଣ । ଖୋଦ୍ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନ ମଣ୍ଡଳୀରୁ ଆସୁଛି ଶିଶୁ ବିକ୍ରି ଅଭିଯୋଗ । ହେଲେ ଉପମୁଖ୍ୟମନ୍ତ୍ରୀ ପାଟି ଖୋଲୁନାହାନ୍ତି । ବଙ୍ଗୋମୁଣ୍ଡାରେ ଆଦିବାସୀ ମହିଳାଙ୍କୁ ଆକ୍ରମଣ କରି ବିଷ୍ଠା ଖୁଆଗଲା । ବିଜେପି ସରକାରରେ ସରୁକ୍ଷା ପାଉଥିବା ଅପରାଧି ଅତ୍ୟାଚାର କରିବାକୁ ପଛାଉ ନାହାନ୍ତି । ମୁଖ୍ୟମନ୍ତ୍ରୀ ଆଦିବାସୀ ହେବା ସତ୍ତ୍ବେ ଆଦିବାସୀଙ୍କ ଉପରେ ବଢିଚାଲିଛି ଅତ୍ୟାଚାର । ଏମିତି ଅଭିଯୋଗ କରିବା ସହ ଏହା ଉପରେ ଅଙ୍କୁଶ ନଲାଗିଲେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି ।

ବିଜେପି ସରକାରରେ ଅସୁରକ୍ଷିତ ମହିଳା, ଶିଶୁ, ଦଳିତ ଓ ଆଦିବାସୀ । ଲୋକଙ୍କୁ ମିଳୁନି ସାମାଜିକ ସୁରକ୍ଷା । ଅତ୍ଯାଚାରର ହଟସ୍ପଟ ପାଲଟିଛି ବଲାଙ୍ଗୀର ଜିଲ୍ଲା । ଶିଶୁ ଓ ମହିଳା ଅତ୍ୟାଚାର ଖବର ଆସୁଛି । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଲକରେ ଶିଶୁ ବିକ୍ରି ଖବର ଓଡ଼ିଶାକୁ ନିନ୍ଦିତ କରିଛି । ବ୍ରହ୍ମପୁରରୁ ମଧ୍ୟ ଶିଶୁ ବିକ୍ରି ଅଭିଯୋଗ ଆସିଛି । କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ଆଦିବାସୀ ମହିଳାଙ୍କୁ ମାଡ଼ ମାରି ଜବରଦସ୍ତ ବିଷ୍ଠା ଖୁଆଗଲା । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡି ଯାଇଛି । ନବୀନ ସରକାରଙ୍କ ସମୟରେ ସାମାଜିକ ସୁରକ୍ଷା ଉଦାହରଣ ପାଲଟିଥିଲା । ହେଲେ ଏବେକାର ମୋହନ ସରକାରରେ ତଳକୁ ଖସି ଚାଲିଥିବା କହି କଟାକ୍ଷ କରିଛି ବିଜେଡି ।

ସାରା ଦେଶରେ ସୋସିଆଲ ଇଞ୍ଜିନିୟରିଂ ଚଳାଇ ବିଭାଜନ କରି ଭୋଟ ନେଉଛି ବିଜେପି । ହେଲେ ସାମାଜିକ ନ୍ୟାୟ ଦେବାରେ ବିଫଳ । ପାଟଣାଗଡ଼ ଖପ୍ରାଖୋଲରେ ସାମାଜିକ ନ୍ୟାୟ ନ ପାଇ ମାଆ ଶିଶୁ ବିକ୍ରି କଲା । ଟିଟିଲାଗଡ଼ରେ ପଦାରେ ପଡ଼ିଲା ବିଜେପି ବିଧାୟକ ନବୀନ ଜୈନଙ୍କ ଜଣେ ନାବାଳିକା ଦଳିତ ଝିଅକୁ ଜୋରଜବରଦସ୍ତ ବିବାହ କରାଇବା ଘଟଣା । ନୀଳଗିରି, ରେମୁଣାରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିଛି । ତେବେ ଖୋଦ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ଜିଲ୍ଲାରେ ସାମାଜିକ ସୁରକ୍ଷା ଭୁଶୁଡ଼ିବା ଘଟଣାରେ ମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ କରିଛି ବିଜେଡି ।

ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବିଦେଶ ଯାତ୍ରାରେ ଯାଉଛନ୍ତି । ମହିଳା ଓ ଶିଶୁଙ୍କ ବିରୋଧରେ ଅତ୍ୟାଚାର ନେଇ ତାଙ୍କ ପାଖରେ ବି ଉତ୍ତର ନାହିଁ । ମୁଖ୍ୟମନ୍ତ୍ରୀ ସିଙ୍ଗାପୁରରେ ଏନବିଡବ୍ଲ୍ୟୁ ଜାରି ହୋଇଥିବା ପଳାତକଙ୍କୁ ଭେଟୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଟିକସ ଦାତାଙ୍କ ପଇସାରେ ମୁଖ୍ୟମନ୍ତ୍ରୀ ବିଦେଶ ବୁଲିବା ନିନ୍ଦନୀୟ । ଯଦି ବୁଲିବେ, ନିଜ ପଇସାରେ ବୁଲନ୍ତୁ ବୋଲି ବିଜେଡି କହିଛି । ଉପମୁଖ୍ୟମନ୍ତ୍ରୀ ନ୍ୟାୟର ପ୍ରତିଶ୍ରୁତି ଦେଇ ନାହାନ୍ତି । ବିଜେପି ସରକାରରେ ଅପରାଧୀଙ୍କ ଦୌରାତ୍ମ୍ୟ ବଢିଛି । ଏଯାଏଁ ଅତ୍ଯାଚାର ଓ ପୋକ୍ସୋ ଧାରାରେ ମାମଲା ରୁଜୁ ହେଲାନି । କେବଳ ନାଁ ନେବାକୁ ଆଦିବାସୀ ମୁଖ୍ୟମନ୍ତ୍ରୀ କରିଛନ୍ତି । ହେଲେ ଆଦିବାସୀଙ୍କ ଜମି, ଖଣି, ପାହାଡ଼, ଜଙ୍ଗଲ ବିକିବାରେ ବିଜେପି ବ୍ୟସ୍ତ ବୋଲି କହିଛି ବିଜେଡି । ଲୋକଙ୍କୁ ନ୍ୟାୟ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛି ବିଜେଡି ।

କାଟ ଖାଇଲା ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଗଜପତି: ଗୁମ୍ମା ବ୍ଲକର ବିଜେଡି ସମର୍ଥିତ ଅଧ୍ୟକ୍ଷା ସୁଲମି ମଣ୍ଡଳଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । କିଛି କୁଚକ୍ରୀଙ୍କ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବରେ ବ୍ଲକର ୨୦ ଜଣ ଲେଖାଏଁ ସିମିତିସଭ୍ୟ ଓ ସରପଞ୍ଚ ଏବଂ ବିଧାୟକ ଓ ସାଂସଦଙ୍କ ସହ ମୋଟ ୪୨ ଜଣ ମତଦାନ ଦେବାକୁ ଥିବା ବେଳେ ବହୁମତ ସଂଖ୍ୟା ଅନୁସାରେ ୨୮ ଜଣ ଆବଶ୍ୟକ ଥିଲା । ଆଜିର ମତଦାନ ଆରମ୍ଭ ସମୟରେ ମାତ୍ର ୧୪ ଜଣ ସମିତିସଭ୍ୟ ଉପସ୍ଥିତ ହୋଇଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ମତଦାନ କେନ୍ଦ୍ରକୁ ଅନ୍ୟ କୌଣସି ସମିତିସଭ୍ର ଓ ସରପଞ୍ଚ ଆସି ନଥଲେ। ବ୍ଲକର କୌଣସି ସରପଞ୍ଚ ଏଥିରେ ଅଂଶଗ୍ରହଣ କରି ନଥିଲେ । ଫଳରେ ଅନାସ୍ଥା ପ୍ରସ୍ତାବ ଆଗତ ପଣ୍ଡ ହୋଇଥିଲା ।

ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ କେହି ଆସି ନଥିବା ବେଳେ ଅଧ୍ୟକ୍ଷାଙ୍କ ପୂର୍ବ ବହୁମତ ବଜାୟ ରହିଲା । ଫଳରେ ନିର୍ବାଚନ ଅଧିକାରୀ ଅଧ୍ୟକ୍ଷାଙ୍କ ପଦବୀ ବଳବତ୍ତର ରଖିଥିଲେ । ଅଧ୍ୟକ୍ଷାଙ୍କ ପଦବୀ ବଳବତ୍ତର ରହିଥିବାରୁ ବ୍ଲକର ସମସ୍ତ ବିଜେଡି କର୍ମୀ, ସରପଞ୍ଚ, ସମିତି ସଭ୍ୟ, ବିଧାୟକ ଓ ଜିଲ୍ଲା ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁଲମି ।

କିଛି କୁଚକ୍ରୀଙ୍କ ଉଦ୍ୟମରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ ହୋଇଥିଲା । ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆଜି ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ତାରିଖ ସ୍ଥିର ହୋଇଥିଲା । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଧ୍ୟକ୍ଷା ସୁଲମି ମଣ୍ଡଳଙ୍କ ଆସନ ପୂର୍ବ ଭଳି ବଳବତ୍ତର ରହିଛି ।

ଆସନ୍ତାକାଲି ଭଙ୍ଗା ହେବ ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ

ଭୁବନେଶ୍ବର: ଆସନ୍ତକାଲି ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ । ମାଟିରେ ମିଶିବ ଖଣ୍ଡଗିରି ସ୍ଥିତ କୁନି ସାରଥୀଙ୍କ ବୈକୁଣ୍ଠଧାମ ଆଶ୍ରମ । ବିଡିଏର ପକ୍ଷରୁ କରାଗଲା ଘୋଷଣା । ଆସନ୍ତାକାଲି ସକାଳ ୮ରୁ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ହେବ । ଡାକବାଜି ଯନ୍ତ୍ରରେ ଆଶ୍ରମ ଖାଲି କରିବାକୁ ବିଡିଏ ପକ୍ଷରୁ ପ୍ରଚାର କରାଯାଇଛି । ବିବାଦ ସୃଷ୍ଟି ପରେ ସରକାରୀ ଜମିରେ ଆଶ୍ରମ ରହିଛି କି ନାହିଁ ତାହା ମାପଚୁପ କରିଥିଲା ବିଡିଏ ।

ସୂଚନାଯୋଗ୍ୟ, ଜଣେ ପିଲାକୁ କୁନି ସାରଥୀ ଭାବେ ବସାଇ ଆଶ୍ରମରେ ତାଙ୍କୁ କଳକୀ ଅବତାର ବୋଲି ଦର୍ଶାଯାଇଥିଲା । ପିଲାର ଗୋଡ଼ରେ ତୁଳସୀ ଦିଆଯିବା ଫଟୋ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା । ଯାହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । ବିଭିନ୍ନ ମହିଳା ସଙ୍ଗଠନ ସହ ସ୍ଥାନୀୟ ଲୋକେ ଏହାକୁ ନେଇ ପ୍ରତିବାଦ କରିବା ସହ ଟ୍ରଷ୍ଟି ଓ କୁନି ସାରଥୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଏହାପରେ କୁନି ସାରଥୀ ସମେତ ତାଙ୍କ ପରିବାର ଓ ଟ୍ରଷ୍ଟି ଫେରାର ହୋଇଯାଇଛନ୍ତି ।

ବିବାଦ ଆରମ୍ଭ ପରେ କୁନି ସାରଥୀ ଓ ଆଶ୍ରମକୁ ନେଇ ନୂଆ ନୂଆ ବିବାଦ ପଦାକୁ ଆସିବାରେ ଲାଗିଛି । କୁନି ସାରଥୀ କେଟିଏମ ବାଇକରେ ବୁଲିବା, ଝିଅଙ୍କୁ ବୁଲାଇବାର ଫଟୋ ବି ଭାଇରାଲ ହୋଇଥିଲା ।

ଏପରିକି ଆଶ୍ରମରୁ ମିଳିଥିବା ଏକ ଡାଏରୀରେ ଭଣ୍ଡ ବାବାର ସକାଳରୁ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ ରହିଛି । ଏଥିରେ ଭଜନ ଲେଖାଯିବା ସହ ସନ୍ତାନ ପ୍ରାପ୍ତି ପାଇଁ ଯଜ୍ଞ କରାଯିବା ନେଇ ମଧ୍ୟ ଉଲ୍ଲେଖ ରହିଛି । ସବୁଠାରୁ ବଡ଼କଥା ହେଲା ଭକ୍ତ ଭାବେ ଆସୁଥିବା ଲୋକଙ୍କୁ କେମିତି ଠକା ଯାଉଥିଲା ତାହାର ଗୁମର ରହିଛି ଏହି ଡାଏରୀରେ । ଭଣ୍ଡ ବାବାଙ୍କ ପୂଜା କରିବା ପାଇଁ କେବଳ ୩୫ ହଜାର ଟଙ୍କାର ଫୁଲ ଲାଗୁଥିଲା । କେଉଁ ଫୁଲ, କେତେ ପରିମାଣର ତାହାର ଚିଠା ଡାଏରୀରେ ରହିଛି । ଯାହାର ଲିଷ୍ଟ ପୂଜା ପାଇଁ ଆସୁଥିବା ଭକ୍ତଙ୍କୁ ଦିଆଯାଇ ଲୁଟାଯାଉଥିଲା ।

ବିବାଦ ଦେଖାଯିବା ପରେ ଆଶ୍ରମଟି ସରକାରୀ ଜାଗାରେ ଅଛି କି ନାହିଁ ଜାଣିବାକୁ ମାପଚୁପ କରାଯାଇଥିଏେ । ବିଡିଏ. ଜିଏ ଓ ତହସିଲ ବିଭାଗର ୮ ଜଣିଆ ଷ୍ଟାଫ ଆଶ୍ରମର ସରଜମିନ ଯାଞ୍ଚ କରିଥିଲେ । ଶେଷରେ ଆଶ୍ରମଟି ସରକାରୀ ଜମିରେ ଥିବା ଜଣାପଡିଥିଲା ।

ବ୍ୟାଙ୍କ ଖାତାରୁ ଟଙ୍କା ହଡ଼ପ ଘଟଣା: ବିଜେପି ନେତାଙ୍କୁ ଘେରିଲେ ଆଦିବାସୀ, ଅଟୋରେ ଚମ୍ପଟ ମାରିଲେ ନେତା

ଜୟପୁର: ବ୍ୟାଙ୍କ ଖାତାରୁ ଟଙ୍କା ହଡ଼ପକୁ ନେଇ ରାଜରାସ୍ତାରେ ଅପଦସ୍ତ ହେଲେ ବିଜେପି ନେତା । ଗରିବ ହିଧିତାଧିକାରୀଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହଡପ ନେଇ ବିଜେପି ନେତା ତଥା କୋରାପୁଟ ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ରଥଙ୍କୁ ଘେରିଲେ ଆଦିବାସୀ । ପରିସ୍ଥିତି ଏମିତି ହେଲା ଯେ ବିଚ୍ ରାସ୍ତାରେ ଚନ୍ଦ୍ରଶେଖର ରଥଙ୍କୁ ଆଦିବାସୀ ହିତାଧିକାରୀ ସେମାନଙ୍କ ହଡପ ଟଙ୍କା ଫେରାଇବାକୁ ଜିଦ୍ ଧରିଥିଲେ । ନେତା ଜଣକ ଯେଉଁ ଆଡେ ଯାଇଥିଲେ ତାଙ୍କ ପଛରେ ଗୋଡାଇ ଥିଲେ ହିତାଧିକାରୀ । ଶେଷରେ ବାଧ୍ଯ ହୋଇ ଏକ ଅଟୋରେ ବସି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ଚନ୍ଦ୍ରଶେଖର । ଏପଟେ ହଡ଼ପ ଟଙ୍କା ଫେରାଇବାକୁ ଜ଼ିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଲୋକେ ।

ଅଭିଯୋଗ ଅନୁସାରେ, ବୈପାରୀଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେପି ନେତା ଚନ୍ଦ୍ରଶେଖର ରଥ ଲେବର କାର୍ଡ କରାଇ ଦେବାକୁ କହି ୫ ଶହରୁ ଅଧିକ ଗରିବ ଲୋକଙ୍କ ନାମରେ ବ୍ୟାଙ୍କ ଖାତା ଖୋଲି ବିଭିନ୍ନ ଯୋଜନାର ଅର୍ଥ ବାଟମାରଣ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ହିତାଧିକାରୀ ପୂର୍ବରୁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଘଟଣାକୁ ନେଇ ଚନ୍ଦ୍ରଶେଖର ରଥଙ୍କ ନାମରେ ବୈପାରୀଗୁଡା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା । ମମଲାରେ ହାଇକୋର୍ଟରୁ ଆଗୁଆ ଜାମିନ ପାଇଛନ୍ତି ଚନ୍ଦ୍ରଶେଖର ରଥ । ଏବେ କୋର୍ଟରେ ମାମଲା ଚାଲିଛି । କୋର୍ଟଙ୍କ ନିଷ୍ପତ୍ତି ଆସିବ ପରେ ସେହି ଅନୁସାରେ ଅର୍ଥ ଫେରସ୍ତ କରିବି ବୋଲି ଚନ୍ଦ୍ରଶେଖର ।

ମାମଲାକୁ ନେଇ ହିତାଧିକାରୀ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଛନ୍ତି । ଜିଲ୍ଲାପାଳ ଅର୍ଥ ଫେରସ୍ତ କରିବାକୁ ଉଦ୍ୟମ କରିବେ ଆଶ୍ଵାସନା ଦେଇଛନ୍ତି ।

ମାଲକାନଗିରି ଜଙ୍ଗଲ ଉପରେ ଉଡ଼ି ମାଓବାଦୀଙ୍କ ଠିକଣା ଖୋଜୁଛି UAV

ମାଲକାନଗିରି: ମାଓବାଦୀଙ୍କୁ ଖୋଜିବାକୁ ଆକାଶ ମାର୍ଗରେ ଉଡିଲା UAV (ଅନମେନଡ ଏରିଏଲ ଭେଇକିଲ୍) । ମାଲକାନଗିରି ଜିଲ୍ଲା ମେଟାଗୁଡା ଓ କାଟାନପାଲି ଜଙ୍ଗଲ ମଧ୍ୟରେ ଉଡିଛି ଏହି ଡୋନ୍ । ଏହାଦ୍ୱାରା ଲୁଚିଥିବା ମାଓବାଦୀଙ୍କୁ ସହଜରେ ଚିହ୍ନଟ କରିହେବ ।

UAV ୧୫ କିମି ପର୍ଯ୍ୟନ୍ତ ଉଡି ମାଓବାଦୀଙ୍କ ଠିକଣା ଖୋଜିବାରେ ସହାୟକ ହୋଇପାରିବ । ଏବେ ପର୍ଯ୍ୟନ୍ତ ମେଟାଗୁଡା ଓ କାଟାନପାଲି ଜଙ୍ଗଲ ମଧ୍ୟରେ ମାଓବାଦୀ ଲୁଚି ରହିଥିବା ସୂଚନା ରହିଛି l କୁମ୍ବିଂ ଅପରେସନକୁ କଡାକଡି କରାଯାଇଛି । ଆଜି ମାଲକାନଗିରି ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ମାଓବାଦୀଙ୍କ ଗୁଳିରେ ଜଣେ ଡିଭିଏଫ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ମାଲକାନଗିରି ମେଡିକାଲରୁ ବାୟୁସେନା ବିମାନ ଯୋଗେ ବିଶାଖାପାଟଣାକୁ ଏୟାର ଲିଫ୍ଟ କରାଯାଇଛି । ଏମଭି-୭୯ ଥାନା ଜିନେଲଗୁଡା ଗାଁ ନିକଟସ୍ଥ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା ।

ଛତିଶଗଡରୁ କିଛି ମାଓବାଦୀ ଆସି ଲୁଚି ରହିଥିବା ନେଇ ସୂଚନା ମିଳିଥିଲା । ଏହାପରେ ଏସଓଜି ଓ ଡିଭିଏଫ ବାହିନୀ ତରଫରୁ ସେଠାରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଭୋର ସମୟରେ ଯବାନମାନେ ନକ୍ସଲ ଶିବିର ପାଖରେ ପହଞ୍ଚିବା ବେଳେ ନକ୍ସଲ ଗୁଳି ମାଡ଼ କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ଯବାନ ।