spot_img
Home Blog Page 1327

‘ଦି ବ୍ୟାଡ୍ସ ଅଫ୍ ବଲିଉଡ୍’ର ଟିଜରକୁ ଜବରଦସ୍ତ ରେସପନ୍ସ: ଶାହରୁଖ ଓ ଆର୍ଯନଙ୍କ ଯୋଡ଼ି ସାଉଁଟୁଛି ପ୍ରଶଂସା

ନୂଆଦିଲ୍ଲୀ : ଶାହରୁଖଙ୍କ ପୁଅ ଆର୍ୟନ ଖାନ ବଲିଉଡରେ ଡେବ୍ୟୁ ପାଇଁ ପ୍ରସ୍ତୁତ । ଅନ୍ୟ ସମସ୍ତ ଷ୍ଟାର କିଡ୍ସଙ୍କ ପରି, ଆର୍ୟନ ଖାନ ଅଭିନୟ ବଦଳରେ ନିର୍ଦ୍ଦେଶନା ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି । ନେଟଫ୍ଲିକ୍ସ ଇଣ୍ଡିଆ ନିକଟରେ ତାଙ୍କର ନିର୍ଦ୍ଦେଶିତ ପ୍ରଥମ ସିରିଜ୍ ‘ଦି ବ୍ୟାଡ୍ସ ଅଫ୍ ବଲିଉଡ୍’ର ଟିଜର ରିଲିଜ୍ କରିଛି । ଏଥିରେ ଶାହରୁଖ ଖାନ ତାଙ୍କ ପୁଅର ଧାରାବାହିକର ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ଆର୍ୟନଙ୍କ ବଲିଉଡ ଡେବ୍ୟୁ ପୂର୍ବରୁ, ତାଙ୍କ ତଥାକଥିତ ପ୍ରେମିକା ଏକ ପୋଷ୍ଟ ସେୟାର କରି ତାଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି ।

ଆର୍ୟନ ଖାନଙ୍କ ତଥାକଥିତ ପ୍ରେମିକା ଲାରିସା ବୋନେସି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ଆଗାମୀ ଧାରାବାହିକ ‘ଦି ବ୍ୟାଡ୍ସ ଅଫ୍ ବଲିଉଡ’ର ଟିଜର ସେୟାର କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଏହି ଟିଜରଟି କମାଲ କରିବ ଏବଂ ବିଶ୍ୱର ସବୁଠାରୁ ପ୍ରତୀକ୍ଷିତ ସିରିଜର ଟିଜର ରିଲିଜ୍ ହୋଇଛି । ଆରୟନ ଖାନ ହେଉଛନ୍ତି ନମ୍ବର ୱାନ୍ ଏବଂ ଜଣେ ପ୍ରତିଭାଶାଳୀ ବ୍ୟକ୍ତି । ଏହା କହି ସେ ଆର୍ୟନ ଖାନ ଉତ୍ସାହିତ କରିଛନ୍ତି।

ଶୋ’ର ଟିଜରରେ, ଆର୍ୟନ ଖାନ ତାଙ୍କ ପିତାଙ୍କୁ ନିର୍ଦ୍ଦେଶନା ଦେଉଥିବାର ଦେଖିବାକୁ ମିଳୁଛି । ସେ ପରଦା ସାମ୍ନାକୁ ନ ଆସି ପରଦା ପଛରୁ ଶାହରୁଖ ଖାନଙ୍କୁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଛି । ସେ କିଙ୍ଗ ଖାନଙ୍କୁ କହୁଥିବା ଶୁଣାଯାଉଛି, ‘ଆମେ ଆଉ ଗୋଟିଏ ସଟ ନାଇପାରିବା କି ସାର୍?’ “ଏଥର ଆଉ ଟିକିଏ ଅଧିକ ଭାବପ୍ରବଣତା ସହିତ”, ।’ଏହା ମୋତେ ଶ୍ରୀ ବଚ୍ଚନଙ୍କ କଥା ମନେ ପକାଇଦେଲା ।’ ଆସ, ଆମେ ଆଉ କିଛି ଚେଷ୍ଟା କରିପାରିବା କି ?” ଶାହରୁଖଙ୍କ ସିଗ୍ନେଚର ଷ୍ଟେପକୁ ନେଇ ମଧ୍ୟ ଆରୟନ କହିଛନ୍ତି ମୁଁ ଆପଣଙ୍କୁ ସବୁ ପିଲ୍ମରେ ଏହି ଷ୍ଟେପ କରିଥିବାର ଦେଖିଛି, ତ ଆମେ ସେହି ଷ୍ଟେପକୁ ଏବେ କରିପାରିବା କି ?

ପୁଅର ବାରମ୍ବାର ନିର୍ଦ୍ଦେଶରେ ଶାହରୁଖ ଖାନ ଚିଡିଯାଉଥିଲେ । ସେ ଆର୍ୟନ ଖାନଙ୍କୁ ବିରକ୍ତି ଭାବରେ ଦେଖୁଥିଲେ । ଆରୟନ ଖାନଙ୍କ କପ୍ କମିଙ୍ଗ ଶୋ’ର ଟିଜର ସୋସିଆଲ ମିଡିଆରେ ଜବରଦସ୍ତ ପ୍ରତିକ୍ରିୟା ପାଉଛି । ଶୋ’ର ଟିଜରରୁ, ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଏଥିରେ ପିତା-ପୁତ୍ରଙ୍କ ଯୋଡ଼ିର ଏକ ଚମତ୍କାର ଜୁଗଲବନ୍ଦୀ ଦେଖାଯିବ ।

 

ଓଡ଼ିଶା ପ୍ରତି ବୈମାତୃକ ମନୋଭାବ: ରାଜ୍ୟସଭାରେ କଡ଼ା ଭାଷାରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ସମାଲୋଚନା

ନୂଆଦିଲ୍ଲୀ: ଓଡ଼ିଶା ପ୍ରତି ବାରମ୍ବାର ବୈମାତୃକ ମନୋଭାବ ପୋଷଣ କରିବାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଚାଷୀ ସମସ୍ୟାଠାରୁ ଆରମ୍ଭ କରି ମହାନଦୀ ପ୍ରସଙ୍ଗ, ଆବାସ ଯୋଜନା, ରେଳବାଇ, ପ୍ରାକୃତିକ ଦୁର୍ବିପାକ, ଆୟୁଷ୍ମାନ ଭାରତ, ମିଶନ ଶକ୍ତି, ଦରଦାମ ଓ ବେରୋଜଗାରୀକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ମାନସ ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ନିଜର ବିବୃତି ରଖି ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ମୁହଁରେ କେନ୍ଦ୍ର ସରକାର କୁହାଇଥିବା କଥା ଶ୍ରୁତି ମଧୁର କିନ୍ତୁ ଅନ୍ତସାର ଶୂନ୍ୟ । ଚାଷୀଙ୍କ ଆୟ ବୃଦ୍ଧି ହୋଇଥିବା କୁହାଯାଉଛି । ହେଲେ ଦେଶର କୌଣସି ବି ରାଜ୍ୟରେ ଚାଷୀମାନେ ସ୍ବାମୀନାଥନ କମିଶନ ରିପୋର୍ଟ ଆଧାରରେ ଏମଏସପି ପାଉନାହାଁନ୍ତି । ଗତମାସରେ ଅଦିନିଆ ବର୍ଷାରେ ଓଡିଶାରେ ବହୁ ଅଞ୍ଚଳରେ ଫସଲ ହାନୀ ହୋଇଥିଲା । ଏଥିରେ ମର୍ମାହତ ହୋଇ ଦୁଇ ସପ୍ତାହରେ ପ୍ରାୟ ୧୫ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ରାଷ୍ଟ୍ରପତି ଆମ ଓଡିଶା ଝିଅ, କିନ୍ତୁ ଅଭିଭାଷଣରେ ଓଡିଶା ମାଟି ପ୍ରତି ମମତ୍ବ ଅନୁଭବ କରିହେଲାନି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ମଧ୍ୟ ସେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଏହି ଯୋଜନାରେ ୩ କୋଟି ଘର ଦିଆଯାଇଛି ବୋଲି ରାଷ୍ଟ୍ରପତିଙ୍କ ଅଭିଭାଷଣରେ କୁହାଯାଇଛି । କିନ୍ତୁ ଓଡିଶା ଏକ୍ଷେତ୍ରରେ ଉପେକ୍ଷିତ । ଏବେ ବି କେବିକେ ଅଞ୍ଚଳରେ ବହୁ ଗରିବ ପରିବାର ପକ୍କା ଘର ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ପାଞ୍ଚ ବର୍ଷ ତଳେ ବାତ୍ୟା ‘ଫନି’ ପ୍ରଭାବିତ ଅବିଭକ୍ତ ପୁରୀ ଜିଲ୍ଲାର ହଜାର ହଜାର ଲୋକ ମୁଣ୍ଡ ଉପରୁ ଛାତ ଉଡିଯାଇଥିଲା । ହେଲେ ପରିତାପର ବିଷୟ ୫ ବର୍ଷ ପରେ ବି ଏହି ଲୋକଙ୍କୁ ଘର ଖଣ୍ଡେ ମିଳିନି । ଆଜି ବି ଏମାନେ ଛାତ ପାଇଁ କେନ୍ଦ୍ର ଦୟାକୁ ଅପେକ୍ଷା କରି ରହିଛନ୍ତି ।

କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରେଳ ନେଟଓ୍ବର୍କ କରାଯିବା କଥା କହୁଯାଉଛି । ହେଲେ ସ୍ବାଧୀନତାର ୭୫ ବର୍ଷ ପରେ ବି ଓଡିଶାର ବହୁ ଅଞ୍ଚଳକୁ ରେଳ ଲାଇନ ଯାଇନି । ଖୋର୍ଦ୍ଧା-ବଲାଙ୍ଗୀର ଓ ତାଳଚେର-ବିମଳାଗଡ ରେଳପଥ କାମ ଦୁଇ ଦଶନ୍ଧୀ ହୋଇଗଲା ଶେଷ ହେଉନି । ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ପାଇଁ ବିଜେଡି ସରକାର ଜମି ଓ ଆନୁସଙ୍ଗିକ ସହୟତା ଦେବା ପରେ ବି କାମ ଝୁଲି ରହିଛି । ଦେଶର ଲାଭକାରୀ ପୂର୍ବତଟ ରେଳବାଇକୁ ଭାଙ୍ଗି ୱାଲଟିୟର ଡିଭିଜନ କରାଯାଇଛି ବୋଲି ସେ କହିଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ମାନସ କହିଛନ୍ତି, କେନ୍ଦ୍ର ସରକାର ବାହାସ୍ଫୋଟ ମାରୁଛନ୍ତି । ବିଜେଡି ସରକାରରେ ଲାଗୁ କରାଯାଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ)କୁ ବନ୍ଦ କରିବାକୁ ଚକ୍ରାନ୍ତ କରାଯାଉଛି । ଆୟୁଷ୍ମାନ ଭାରତଠାରୁ ବିଏସକେୱାଇ ଅଧିକ ଲାଭଦାୟକ । କାରଣ ଆୟୁଷ୍ମାନ ଭାରତର ବାର୍ଷିକ ବ୍ୟୟ ତୁଳନାରେ ବିଏସକେୱାଇ ବ୍ୟୟ ଅଟକଳ ଅଧିକ । ସେ ଆହୁରି କହିଛନ୍ତି, ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ କେନ୍ଦ୍ର ସରକାର କହୁଛନ୍ତି । ସେପଟେ ଓଡିଶାର ଲକ୍ଷପତି ହୋଇଥିବା ମିଶନ ଶକ୍ତି ମହିଳାଙ୍କୁ ପୁଣି ଭିକାରୀ କରିବାକୁ ଷଡଯନ୍ତ୍ର ହୋଇଛି । ମିଶନ ଶକ୍ତିକୁ ପଙ୍ଗୁ କରିଦେବାକୁ ଚକ୍ରାନ୍ତ କରାଯାଉଛି ।

କେନ୍ଦ୍ର ସରକାର ଡିଜିଟାଲ ମିଶନ କଥା କହୁଛନ୍ତି, ହେଲେ ଓଡିଶାରେ ହଜାର ହଜାର ଗାଁକୁ ଏବେ ବି ଇଣ୍ଟରନେଟ ପହଞ୍ଚି ନଥିବା ସେ ଦାବି କରିଛନ୍ତି । ଦରଦାମ ଓ ବେରୋଜଗାରୀ ବର୍ତ୍ତମାନ ଦେଶର ସବୁଠୁ ବଡ ପ୍ରସଙ୍ଗ ହୋଇଥିବା ବେଳେ ଏଥିପ୍ରତି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ନୀବର ଥିବା ସେ କହିଛନ୍ତି ।

ସେ କହିଛନ୍ତି, ପୋଲାଭରମ ପାଇଁ ଓଡିଶାର ହଜାର ହଜାର ଅନୁସୂଚିତ ପରିବାର ବାସଚ୍ୟୁତ ହେବାକୁ ବସିଛନ୍ତି । ବିଜେଡି ଏହା ବିରୋଧରେ ସବୁ ଫୋରମରେ ଅଭିଯୋଗ କରିଥିଲେ ବି କେନ୍ଦ୍ର ଦୃଷ୍ଟି ଦେଉନି । ମହାନଦୀ ପ୍ରସଙ୍ଗରେ ବି ସମାନ ସ୍ଥିତି । କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ପାଇଁ ମହାନଦୀ ମୃତବତ ହୋଇଯାଇଛି । ଛତିଶଗଡ଼ ସରକାରଙ୍କ ମନମାନିକୁ କେନ୍ଦ୍ର ନିରବରେ ସମର୍ଥନ କରୁଛି । ସବୁଠାରୁ ଉଦବେଗର କଥା ହେଉଛି ଏଥିରେ ରାଷ୍ଟ୍ରପତିଙ୍କ ନିରବତା ଓଡିଶାବାସୀ ଭାବେ ରାଜ୍ୟବାସୀଙ୍କ ପାଇଁ କଷ୍ଟଦାୟକ ବୋଲି ସେ କହିଛନ୍ତି ।

ମହାରାଷ୍ଟ୍ର ନିର୍ବାଚନ ଗଡ଼ବଡ଼ି ପ୍ରସଙ୍ଗରେ ନିର୍ବାଚନ କମିଶନ ଓ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନୋଟିସ୍

ମୁମ୍ବାଇ: ମହାରାଷ୍ଟ୍ରରେ ୨୦୨୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ବଡ଼ ଧରଣର ହେରଫେର ହୋଇଥିବା ଅଭିଯୋଗ । ଯାହାକୁ ନେଇ ଭାରତର ନିର୍ବାଚନ କମିଶନ ଓ ମହାରାଷ୍ଟ୍ରର ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ଜାରି ହୋଇଛି ନୋଟିସ । ବମ୍ବେ ହାଇକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି । ଚେତନ ଆହିରେଙ୍କ ପକ୍ଷରୁ ଦାୟର ଏକ ପିଟିସନର ଶୁଣାଣି କରି କୋର୍ଟ ନୋଟିସ୍ ଜାରି କରିଛନ୍ତି ।

ଆହିରେଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ରଖିଥିଲେ ବଞ୍ଚିତ ବହୁଜନ ଅଘାଡି ନେତା ତଥା ବିଶିଷ୍ଟ ଆଡଭୋକେଟ ପ୍ରକାଶ ଆମ୍ବେଦକର । ପ୍ରକାଶ ହେଉଛନ୍ତି ଭୀମରାଓ ଆମ୍ବେଦକରଙ୍କ ନାତି । ପ୍ରତି ପୋଲିଂ ଷ୍ଟେସନରେ ପ୍ରତି ଭୋଟରଙ୍କୁ ବଣ୍ଟା ଯାଇଥିବା ଟୋକନ ସଂଖ୍ଯା ଏବଂ ସମଗ୍ର ରାଜ୍ଯରେ ବଣ୍ଟନ କରାଯାଇଥିବା ମୋଟ ଟୋକନ ସଂଖ୍ଯାର ତଥ୍ଯ ପ୍ରଦାନ କରିବାରେ ଇସିଆଇ ଓ ରାଜ୍ଯ ନିର୍ବାଚନ ଅଧିକାରୀ ବିଫଳ ହୋଇଥିବାରୁ ଏହି ନିର୍ବାଚନକୁ ବେଆଇନ ଓ ଅବୈଧ ଘୋଷଣା କରାଯାଉ ବୋଲି ଦାବି କରିଥିଲେ ପ୍ରକାଶ । ଏହାସହ ୨୦ ନଭେମ୍ବର ୨୦୨୪ ଭୋଟ ଗ୍ରହଣ ଦିନ ସନ୍ଧ୍ୟା ୬ଟା ପରେ କିପରି ବିପୁଳ ସଂଖ୍ଯକ ଭୋଟ ପଡ଼ିଲା ବୋଲି ସେ ପ୍ରଶ୍ନ କରିଥିଲେ ।

ଏହି ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ଏଏସ ଗଡକରୀ ଏବଂ କମଲ ଖତା । ପିଟିସନରେ ଆହୁରି କୁହାଯାଇଥିଲା, ଭୋଟ ଗ୍ରହଣ ଦିନ ଶେଷ ମୁହୂର୍ତ୍ତରେ ଓ ସମୟସୀମା ଅବଧି ଅର୍ଥାତ ସନ୍ଧ୍ୟା ୬ଟା ପରେ ରାଜ୍ଯବ୍ଯାପୀ ପ୍ରାୟ ୭୫ ଲକ୍ଷ ଭୋଟଦାନ ହୋଇଥିଲା । ଏହି ବିପୁଳ ସଂଖ୍ଯକ ଭୋଟର ବାସ୍ତବତା ଯାଞ୍ଚ କରା ନଯିବା ସହ ରେକର୍ଡିଂରେ କୌଣସି ସ୍ବଚ୍ଛତା ରକ୍ଷା କରାଯାଇ ନଥିଲା । ଶେଷ ମୁହୂର୍ତ୍ତରେ ଏତେ ସଂଖ୍ଯକ ଭୋଟ ପଡିଥିବାରୁ ଏହି ନିର୍ବାଚନର ବୈଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି କହିଥିଲେ ଆବେଦନକାରୀ । ଭୋଟ ଗ୍ରହଣର ସମୟ ଅବଧି ଶେଷ ହେବା ପରେ ଭୋଟରଙ୍କୁ ବଣ୍ଟନ କରାଯାଇଥିବା ନମ୍ବର ବିହୀନ ଟୋକନ ସମ୍ପର୍କରେ କୌଣସି ତଥ୍ଯ ଦିଆଯାଉନାହିଁ । ନିର୍ବାଚନ କମିଶନଙ୍କ ଓ୍ବେବସାଇଟରେ ବି ଏସମ୍ପର୍କରେ କୌଣସି ତଥ୍ଯ ଉପଲବ୍ଧ ହୋଇନାହିଁ ।

ପିଟିସନରେ ଆହୁରି କୁହାଯାଇଛି, ରାଜ୍ଯର ୨୮୮ ଆସନରୁ ୧୯ଟି ନିର୍ବାଚନ ମଣ୍ଡଳିରେ ପ୍ରକୃତ ଭୋଟଦାନ ସଂଖ୍ଯାଠାରୁ ଇଭିଏମ ଭୋଟ ସଂଖ୍ଯା ଅଧିକ ଥିଲା । ୭୬ଟି ନିର୍ବାଚନ ମଣ୍ଡଳିରେ ପ୍ରକୃତ ଭୋଟଦାନ ସଂଖ୍ଯାଠାରୁ ଇଭିଏମ ଭୋଟ ସଂଖ୍ଯା କମ୍ ଥିଲା । ପ୍ରତି ପୋଲିଂ ଷ୍ଟେସନରେ ସନ୍ଧ୍ୟା ୬ଟା ପରେ ପ୍ରକୃତରେ କେତେ ଟୋକନ ବଣ୍ଟା ଯାଇଥିଲା ଓ ସାରା ରାଜ୍ଯରେ ପ୍ରକୃତରେ କେତେ ଟୋକନ ବଣ୍ଟା ଯାଇଥିଲା ତାହାର ସବିଶେଷ ବିବରଣୀ ବି ଚାହିଁଥିଲେ ଆବେଦନକାରୀ । ପ୍ରକାଶ ଆହୁରି କହିଥିଲେ-ଭୋଟଦାନର ପ୍ରକୃତ ତଥ୍ଯ ପାଇବା ଲାଗି ଆରଟିଆଇରେ ଆବେଦନ କରାଯାଇଥିଲେ ବି ଏପରି କୌଣସି ତଥ୍ଯ ନଥିବା ଦର୍ଶାଇଥିଲେ ନିର୍ବାଚନ କମିଶନ । ଇଭିଏମ ଓ ଭିଭିପାଟର ନିରପେକ୍ଷ ଯାଞ୍ଚ ଲାଗି ବି କୋର୍ଟ ନିକଟରେ ପ୍ରାର୍ଥନା କରିଛନ୍ତି ଆବେଦନକାରୀ । ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଓଡ଼ିଶାକୁ ଦିନରେ ଲଣ୍ଠନ ଦେଖାଇଛନ୍ତି ରେଳମନ୍ତ୍ରୀ : ବିଜେଡି

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାକୁ ଦିନରେ ଲଣ୍ଠନ ଦେଖାଇଛନ୍ତି ରେଳମନ୍ତ୍ରୀ । ଗତ ତିନି ବର୍ଷ ହେଲା ରେଳ ବଜେଟରେ ୧୦ ହଜାର କୋଟିରୁ ଅଧିକ ଅନୁଦାନ ଦିଆଯାଇଛି ବୋଲି କହିଛନ୍ତି ରେଳମନ୍ତ୍ରୀ । କିନ୍ତୁ ଏହା ଓଡ଼ିଶାରୁ ପାଉଥିବା ରେଳ ରାଜସ୍ବର କେତେ ଅଂଶ ବୋଲି ପଚାରିଛି ବିଜୁ ଜନତା ଦଳ । ଆଜି ପ୍ରେସ ମିଟ କରି ଦଳ ରେଳମନ୍ତ୍ରୀଙ୍କୁ ଘେରିଛି । ପ୍ରତିବର୍ଷ ରେଳବାଇ ପୂର୍ବତଟ ରେଳରୁ ହାରାହାରି ୨୫ ହଜାର କୋଟି ରାଜସ୍ବ ନେଉଛି । ଏମିତି ଗତ ୧୦ ବର୍ଷରେ ଅଢେଇ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଜସ୍ବ ନେଲାଣି ରେଳବାଇ । ହେଲେ ଦେଇଥିବା ବଜେଟ ବ୍ଯୟବରାଦ କେତେ ପରିମାଣ ବୋଲି ପଚାରି ରେଳମନ୍ତ୍ରୀଙ୍କୁ ଚ୍ଯାଲେଞ୍ଜ କରିଛି ବିଜେଡି ।

କେତେ ନେଉଛ କେତେ ଦେଉଛ ତାହାର ଏକ ହିସାବ ଦେବାକୁ ଚ୍ଯାଲେଞ୍ଜ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ଅମର ପଟ୍ଟନାୟକ । ସତସାହସ ଅଛି ଯଦି ଉତ୍ତର ଦିଅନ୍ତୁ ବୋଲି ସେ ଚ୍ଯାଲେଞ୍ଜ କରିଛନ୍ତି । ଏଥର ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୧୦, ୫୯୯ କୋଟି । ଯାହା ଗତ ଥର ଅପେକ୍ଷା ମାତ୍ର ୧୩ ପ୍ରତିଶତ ଅଧିକ । ଡିଣ୍ଡିମ ପିଟୁଛନ୍ତି ସିନା କିନ୍ତୁ ଡବଲ ଇଂଜିନ ଡବଲ ଅନୁଦାନ ଦେଇନି ବୋଲି କଟାକ୍ଷ କରିଛନ୍ତି ଅମର । କେନ୍ଦ୍ରର ଓଡ଼ିଶାକୁ ବୈମାତୃକ ମନୋଭାବ ଜାରି ଅଛି । ୨୦ ସାଂସଦ, ୩ ମନ୍ତ୍ରୀ ଓ ଡବଲ ଇଂଜିନ ସରକାର ଥାଇ ବି ଓଡ଼ିଶା ହତାଶ । ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ ସେସବୁ କିଛି ମିଳିଲା ନାହିଁ । ଯାହାକି ଓଡ଼ିସାବାସୀଙ୍କୁ ଧୋକା ବୋଲି କହିଛନ୍ତି ଅମର ।

ମହାରାଷ୍ଟ୍ର ବ୍ୟାପୁଛି ବିରଳ ସ୍ନାୟୁଜନିତ ରୋଗ, ୧୬୩ ଆକ୍ରାନ୍ତ ଚିହ୍ନଟ

ନନ୍ଦିଘୋଷ ବ୍ୟୁରୋ :  ମହାରାଷ୍ଟ୍ରରେ ବ୍ୟାପୁଛି ବିରଳ ସ୍ନାୟୁଜନିତ ରୋଗ । ଗୁଲେନ ବେରେ ସିଣ୍ଡ୍ରୋମ ନାମକ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ଯାପହଞ୍ଚିଛି ୧୬୩ରେ । ସେପଟେ ମହାରାଷ୍ଟ୍ର ସ୍ଥିତି ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ଜେ.ପି. ନଡ୍ଡା। ସୋମବାର ଏହି ରୋଗରେ ଆଉ ୫ ଜଣ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ପ୍ରାଣ ହରାଇଲେଣି ୫ ଜଣ । କେବଳ ପୁଣେରେ ଏହି ରୋଗରେ ୪ ଜଣ ପ୍ରାଣ ହରାଇଲେଣି । ପୁଣେରେ ଏହି ସିଣ୍ଡ୍ରୋମରେ ୩୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ପୁଣେ ମହାନଗର ନିଗମ ଅଞ୍ଚଳରେ ୮୬ ଜଣ ଏହି ରୋଗରେ ପୀଡ଼ିତ ହୋଇଛନ୍ତି ।

ଏହା ସହ ପିମ୍ପରି ଚିଞ୍ଚବଡ଼ରେ ୧୮ ଜଣ, ପୁଣେ ଗ୍ରାମାଞ୍ଚଳରେ ୧୯ ଜଣ, ଅନ୍ଯାନ୍ୟ ଜିଲ୍ଲାରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି । ୨୧ ଜଣ ରୋଗୀ ବର୍ତ୍ତମାନ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ବିଭିନ୍ନ ସ୍ଥାନରୁ ପାଣି ସଂଗ୍ରହ କରାଯାଇ ଏହାର ରାସାୟନିକ ଓ ଜୈବିକ ଗବେଷଣା କରାଯାଉଛି । ରୋଗର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିପାରିନାହିଁ । ଏହି ରୋଗରେ ଆକ୍ରାନ୍ତ ବ୍ଯକ୍ତିଙ୍କ ସ୍ନାୟୁଗତ ନିଷ୍କ୍ରିୟତା ପରିଲକ୍ଷିତ ହେବା ସହ ମାଂସପେଶୀ ଦୁର୍ବଳ ହୋଇଯାଏ । ଗୋଡ ଓ ହାତରେ ସ୍ନାୟବିକ ଦୁର୍ବଳତା ପରିଲକ୍ଷିତ ହେବା ସହ ଖାଇବା ଓ ନିଶ୍ବାସପ୍ରଶ୍ବାସ ନେବା କଷ୍ଟକର ହୋଇଥାଏ । ଏପରିକି କେତେକ ରୋଗୀଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ପାରାଲିସିସ ଘଟଣା ଘଟିଥାଏ । ପୁରୁଷ ଓ ଯୁବକଙ୍କୁ ଏହା ଅଧିକ ଆକ୍ରାନ୍ତ କରିଥାଏ । ତେବେ ସବୁ ବୟସର ଲୋକଙ୍କୁ ଏହି ସିଣ୍ଡ୍ରୋମ ଆକ୍ରାନ୍ତ କରିଥାଏ ।

ସେପଟେ ମହାରାଷ୍ଟ୍ର, ଗୁଜରାଟ ଓ ପଶ୍ଚିମବଙ୍ଗରେ ଏହି ରୋଗ ଦେଖାଦେବା ପରେ ସତର୍କ ହୋଇଛି ରାଜ୍ଯ ସ୍ବାସ୍ଥ୍ୟ ବିଭାଗ। ଏଯାଏଁ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ଗାଇଡଲାଇନ ଦେଇନାହାନ୍ତି। ତଥାପି ରାଜ୍ୟ ସରକାର ସତର୍କ ଅଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ଟ୍ରମ୍ପଙ୍କୁ ଚୀନର ଉତ୍ତର, ଆମେରିକୀୟ ଅଶୋଧିତ ତୈଳ ଉପରେ ୧୫ ପ୍ରତିଶତ ଶୁଳ୍କ

ନନ୍ଦିଘୋଷ ବ୍ୟୁରୋ :  ଟ୍ରମ୍ପଙ୍କ ଆକ୍ସନ ପରେ ଚୀନର ଉତ୍ତର । ଆମେରିକାର କୋଇଲା ଏବଂ LNG ଉପରେ ଲାଗୁ କରିଛି ୧୫ ପ୍ରତିଶତ ଶୁକ୍ଳ । ଏହା ସହିତ ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ଉତ୍ପାଦ ଉପରେ ମଧ୍ୟ ଚୀନ୧୦ ପ୍ରତିଶତ ଶୁକ୍ଳ ଲାଗୁ କରିଛି ।  ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ମଧ୍ୟରେ ଚୀନ୍ ଏପରି ଶୁକ୍ଳ ତୀର ମାରିଛି । ଚୀନର ଏପରି ପଦକ୍ଷେପ ପରେ ବିଶ୍ୱ ସ୍ତରରେ ହଇଚଇ ସୃଷ୍ଟି ହୋଇଯାଇଛି ।

ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ ଉପରେ ଉପରେ ଶୁଳ୍କ ଲାଗୁ କରିବା ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ସ୍ୱାକ୍ଷର କରିଥିଲେ । ଏହି ଶୁଳ୍କ ଫେବୃଆରୀ ୧ରୁ କାର୍ଯ୍ୟକାରୀ ହୋଇଛି । ଏହାକୁ ବିରୋଧ ପରେ ମେକ୍ସିକୋ ଏବଂ କାନାଡା ପରେ ଲାଗୁହୋଇଥିବା ଶୁଳ୍କର ଅବଧିକୁ ଗୋଟଏ ମାସ ପାଇଁ ସ୍ଥଗିତ କରାଯାଇଛି। କିନ୍ତୁ ଚୀନ ଉପରେ ଶୁଳ୍କ ଯେପରି ଥିଲା ସେହିପରି ରଖାଯାଇଛି ।

ଟ୍ରମ୍ପ ସରକାରଙ୍କ ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ନେଇ ଚୀନ କ୍ରୋଧିତ ହୋଇଉଠିଲା । ଏବଂ ଏକ ବିବୃତ୍ତି ଜାରି କରି କହିଥିଲା ଯେ, ଆମେ ଏହି ଶୁଳ୍କକୁ ବିରୋଧ କରୁଛୁ । ଆମେ ବିଶ୍ୱ ବାଣିଜ୍ୟ ସଂଗଠନରେ ଆମେରିକା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଆମେରିକା ଭୁଲ ନିୟମ ପ୍ରୟୋଗ କରୁଛି । ଆମେ ଆମର ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିବଦ୍ଧ ରହିବୁ ।

ଚୀନ ଆହୁରି ମଧ୍ୟ କହିଛି ଯେ, ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ କାର୍ଯ୍ୟକାରୀ ହୋଇଥିବା ନୀତି ଗୁଡିକୁ ବାଇଡେନ୍ ବଜାୟ ରଖିଥିଲେ, କିନ୍ତୁ ଟ୍ରମ୍ପ ପୁଣି ଥରେ ଶୁଳ୍ପ ଯୁଦ୍ଧ ନୀତି ଗ୍ରହଣ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ପ୍ରକୃତ ଉଦ୍ଦେଶ୍ୟ ଶୁଳ୍କ ଲାଗୁ କରିବା ନୁହେଁ ବରଂ ଏହି ଶୁଳ୍ପର ଆବରଣ ତଳେ ଚୀନକୁ ଦମନ କରିବା । ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପ ମେକ୍ସିକୋ ସୀମାରେ ୧୦ହଜାର ସେନା ମୁତୟନ କରିବାକୁ ବାଦ୍ଧ କରିଛନ୍ତି । ଅନ୍ୟପଟେ କାନାଡା ରାସ୍ତା ଦେଇ ଆମେରିକାରେ ଫେଣ୍ଟାନିଲର ବିକ୍ରି ଉପରେ ରୋକ ଲଗାଇବା ପ୍ରସ୍ତୁତ ହୋଲାଣି ।

ସୋସିଆଲ ମିଡିଆରେ ଜୟାଙ୍କୁ ଡାକ୍ତର ଦେଖାଇବା ପାଇଁ ଅମିତାଭଙ୍କୁ ପରାମର୍ଶ

 

ନୂଆଦିଲ୍ଲୀ : ମହାକୁମ୍ଭକୁ ନେଇ ଜୟା ବଚ୍ଚନଙ୍କ ଆପତ୍ତିଜନକ ବୟାନ ଉପରେ ସୋନୁ ନିଗମଙ୍କ ଟ୍ୱିଟ୍ ଭାଇରାଲ ହେଉଛି । କିନ୍ତୁ ଏଠାରେ ଯେଉଁ ସୋନୁ ନିଗମଙ୍କ ଟ୍ୱିଟ୍ ଭାଇରାଲ ହେଉଛି,ସିଏ ବଲିଉଡ୍ ଗାୟକ ସୋନୁ ନିଗମ ନୁହନ୍ତି । ସିଏ ହେଉଛନ୍ତି ବିହାରର ଜଣେ ଫୋଜଦାରୀ ଓକିଲ ସୋନୁ ନିଗମ । ସୋନୁ ନିଗମ ଗତ ଜୁନ୍ ମାସରେ ସ୍ପଷ୍ଟ କରିଦେଇଥିଲେ ଯେ, ସେ ଟ୍ୱିଟର ବା ଏକ୍ସରେ ନାହାନ୍ତି । ୭ ବର୍ଷ ତଳୁ ସୋନୁ ନିଗମ ଟ୍ୱିଟର ଛାଡ଼ିଥିବା ସେତେବେଳେ କହିଥିଲେ । ଏବେ ଆସନ୍ତୁ ଜାଣିବା ବିହାରର ଫୌଜଦାରୀ ଓକିଲ ସୋନୁ ନିଗମ କ’ଣ ଟ୍ୱିଟ୍ କରିଛନ୍ତି ଓ ତାଙ୍କ ଟ୍ୱିଟକୁ ନେଇ ସୋସିଆଲ ମିଡିଆ ୟୁଜର କେମିତି ପ୍ରତିକ୍ରିୟ ଦେଉଛନ୍ତି  ।

ବଲିଉଡ ଅଭିନେତ୍ରୀ ଏବଂ ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ ମହାକୁମ୍ଭମେଳା ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ। ସେ ସଙ୍ଗମର ଜଳକୁ ଦୂଷିତ ବୋଲି କହିଥିଲେ। ସେ ଦାବି କରିଥିଲେ ଯେ ଦଳାଚକଟାରେ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କ ମୃତଦେହକୁ ଗଙ୍ଗା ନଦୀରେ ଫିଙ୍ଗାଦିଆଯାଇଛି , ଯାହା ଗଙ୍ଗା ପାଣିକୁ ଆହୁରି ଦୂଷିତ କରିଥିଲା । ବିହାରର ଜଣେ ଫୌଜଦାରୀ ଓକିଲ ସୋନୁ ନିଗମ ସିଂହ ଏହା ଉପରେ ମତାମତ ଦେଇଥିଲେ। ସେ ତାଙ୍କ ପୂର୍ବତନ ଆକାଉଣ୍ଟରେ ଜୟା ବଚ୍ଚନଙ୍କ ବୟାନର ଭିଡିଓ ସେୟାର କରି ଲେଖିଛନ୍ତି, “ଜୟା ବଚ୍ଚନ ଜୀ ତାଙ୍କର ମାନସିକ ସନ୍ତୁଳନ ହରାଇ ଦେଇଛନ୍ତି। ” ଅମିତାଭ ଜୀ, ତାଙ୍କୁ ଜଣେ ଭଲ ଡାକ୍ତରଙ୍କ ପାଖକୁ ନେଇଯାଅନ୍ତୁ। ଏହି ଟ୍ୱିଟରେ ଲୋକମାନେ ଜୟା ବଚ୍ଚନଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ଜଣେ ୟୁଜର କମେଣ୍ଟ କରିଛନ୍ତି, “ଜୟା ଭାଦୁରୀ ବଚ୍ଚନ ନାମକ ଏହି ମହିଳା ମାନସିକ ଭାବରେ ଅସନ୍ତୁଳିତ ହୋଇଯାଇଛନ୍ତି। ତାଙ୍କ ପରିବାରରେ ଅନେକ ସମସ୍ୟା ଚାଲିଛି ଯାହା ଯୋଗୁଁ ତାଙ୍କର ମାନସିକ ସନ୍ତୁଳନ ପ୍ରାୟ ଖରାପ ହୋଇଯାଇଛି ଏବଂ ସେ ଅବାନ୍ତର କଥା କହୁଛନ୍ତି।” ତାଙ୍କ ଆଚରଣ ଯୋଗୁଁ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ତାଙ୍କ ଝିଅ ସହିତ ଅଲଗା ରହୁଛନ୍ତି।”

 

ଆଉ ଜଣେ ୟୁଜର ଲେଖିଛନ୍ତି ଧାର୍ମିକ ଭାବନା ଉପରେ ଆଘାତ କରିବା ନେଇ ପୂରା ଦେଶରେ ତାଙ୍କ ନାଁ ରେ ଏଫାୟାର ରହିଛି  । ଦେଶର ସମସ୍ତ ସନାତନି ଲୋକ ମିଶି ତାଙ୍କ ନାମରେ ଏଫାୟାର ଲେଥିବା କଥା  । ଯେ ପର୍ଯ୍ୟନ୍ତ ସେ ଗିରଫ୍ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବା ଦରକାର । ସେ କୁମ୍ଭମେଳାକୁ ଯାଇ ଲୋକଙ୍କୁ ଉସକାଇବା ଓ ଭ୍ରମିତ କରୁଥିବା କହି ତାଙ୍କ ବୁରଦ୍ଧରେ ମାମଲା ରୁଜୁ କରାଯିବା ଉଚିତ  ।

 

ଜୟା ବଚ୍ଚନ ସଂସଦ ଭବନ ପରିସରରେ କହିଥିଲେ, “ବର୍ତ୍ତମାନ ସବୁଠାରୁ ଅଧିକ ଦୂଷିତଜଳ ହେଉଛି ଗଙ୍ଗା। କୁମ୍ଭରେ  ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହକୁ ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଇଥିଲା, ଯାହା ଫଳରେ ପାଣି ଦୂଷିତ ହୋଇଯାଇଛି। ପ୍ରକୃତ ସମସ୍ୟା ବିଷୟରେ କେହି କହୁନାହାଁନ୍ତି। କୁମ୍ଭକୁ ଆସୁଥିବା ସାଧାରଣ ଲୋକଙ୍କୁ କୌଣସି ସ୍ୱତନ୍ତ୍ର ସୁବିଧା ଦିଆଯାଉନାହିଁ, ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। କୋଟି କୋଟି ଲୋକ ସେଠାକୁ ଆସିଛନ୍ତି ବୋଲି ମିଛ କୁହାଯାଉଛି। ଏତେ ସଂଖ୍ୟାରେ ଲୋକ କିପରି ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେ ସେ ପ୍ରଶ୍ନ କରିଥିଲେ  ।

 

 

 

ସମ୍ୱଲପୁର ପ୍ରଫେସରଙ୍କ ଘରେ ସିବିଆଇ ରେଡ୍, ନାକ୍ ମାନ୍ୟତା ଲାଗି ଲାଞ୍ଚ ନେବା ମାମଲାରେ ଚଢାଉ

ନନ୍ଦିଘୋଷ ବ୍ୟୁରୋ : ସମ୍ୱଲପୁର ପ୍ରଫେସରଙ୍କ ଘରେ ସିବିଆଇ ରେଡ୍ । ବିଶ୍ଵବିଦ୍ୟାଳୟର ନାକ୍ ମାନ୍ୟତା ଲାଗି ଲାଞ୍ଚ ନେବା ମାମଲାରେ ସିବିଆଇ ପକ୍ଷରୁ ରେଡ୍ ଚାଲିଛି। ପ୍ରଫେସର ବୁଲୁ ମହାରଣାଙ୍କ ବୁର୍ଲା ସରକାରୀ ବାସ ଭବନରେ ଚାଲିଛି ରେଡ। ସିବିଆଇର ଦୁଇଟି ଟିମ ପହଞ୍ଚି କାଗଜପତ୍ର ଯାଞ୍ଚ କରୁଛନ୍ତି। NAAC ରେଟିଙ୍ଗ ପାଇଁ ଲାଞ୍ଚ ମାମଲାରେ ୧୦ ଜଣଙ୍କୁ ଗିରଫ କରିଥିଲା ସିବିଆଇ । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ୱାଦେଶ୍ୱରମ୍ ନାମକ ଶିକ୍ଷାନୁଷ୍ଠାନର ରେଟିଙ୍ଗ ବଢ଼ାଇବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ କରିଥିଲା । ନାକ୍ ଟିମରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ଡକ୍ଟର ବୁଲୁ ମହାରଣା ରହିଥିଲେ। ଅନ୍ୟପଟେ ଆନ୍ଧ୍ର ଶିକ୍ଷାନୁଷ୍ଠାନର ଅଧିକାରୀ ଓ NAAC ଟିମ୍ ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇଛି। ଦେଶର ୨୦ଟି ସ୍ଥାନରେ ରେଡ୍ କରିଛି ସିବିଆଇ।

ଝଙ୍କଡର ତେନ୍ତୁଳିପଦା, ଯେଉଁଠି ଆଦିକବି ଲେଖିଥିଲେ ଓଡ଼ିଆରେ ମହାଭାରତ

ପଞ୍ଚଦଶ ଶତାବ୍ଦୀରେ କପିଳେନ୍ଦ୍ର ଦେବଙ୍କ  ରାଜତ୍ୱ ସମୟ ତଥା ୧୪୨୧ ମସିହା ମାର୍ଗଶୀର ମାସ ବିଛା କୃଷ୍ଣ ପ୍ରତିପଦା ତିଥିରେ ପିତା ଯଶୋବନ୍ତ ମାତା ତୁଳସୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ସିଦ୍ଧେଶ୍ଵର ପରିଡ଼ା । ଯାହା ଅଧୁନା ଓଡ଼ିଶାର ଜଗତସିଂହପୁର ଜିଲା ତିର୍ତ୍ତୋଲ ଅନ୍ତର୍ଗତ । ପରବର୍ତ୍ତୀ ସମୟରେ ମା’ ଶାରଳା ଠାକୁରାଣୀଙ୍କ ଅନୁଗ୍ରହରେ ନିଜ ସାଧନା ପୀଠ ତେନ୍ତୁଳିପଦା ଗ୍ରାମର ମୁନିଗୋସାଇଁ ପୀଠରେ ଅନେକ କାଳଜୟୀ ଗ୍ରନ୍ଥ ରଚନା କରି ଆଦିକବି ସାରଳା ଦାସ ନାମରେ ପରିଚିତ ହୋଇ ପାରିଥିଲେ ।

ପିଲାଦିନରୁ ପାଠ ପଢିବାର ସୁବିଧା ନ ଥିବାରୁ ଶିକ୍ଷା ଗ୍ରହଣ କରିବା ସମ୍ଭବ ନଥିଲା । ସେତେବେଳେ ସଂସ୍କୃତ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିଲା । ଯାହା ଫଳରେ ପଣ୍ଡିତମାନେ ସଂସ୍କୃତ ଶିକ୍ଷା ଲାଭ କରି  ପୁରାଣ ପାଠ କରୁଥିଲେ । ତେଣୁ ସାରଳା ଦାସ ଅନୁପ୍ରାଣୀତ ହୋଇ ଜ୍ଞାନିପଣ୍ଡିତ ମାନଙ୍କ ସହ ମିଶିବାର ସୁଯୋଗ ପାଉଥିଲେ ଓ ନିକଟସ୍ଥ ଗ୍ରାମ ଚାଟଶାଳୀରେ ପାଠ ପଢିଥିଲେ । ଅପର ପକ୍ଷରେ ଜନଶ୍ରୁତିରୁ ଯଣାଯାଏ ସାରଳା ଦାସ ଜାତସ୍ମର ଥଲେ ।

ପ୍ରଥମ ଜନ୍ମରେ ମୁହିଁ ହେଲି କାଳିଦାସ,

ଦ୍ୱିତୀୟ ଜନମେ ମୁହିଁ ମହା କାଳଧ୍ୱଂସ,

ତୃତୀୟ ଜନମେ ମୁହିଁ ସାରଳା ଦାସ କବି,

ଏ ମର୍ତ୍ତ୍ୟ ମଣ୍ଡଳେ ଆଉ ଜନମ ଲଭିବି ।।

ଅପରପକ୍ଷରେ ସମାଜରେ ସଂସ୍କୃତ ଭାଷା ଶିର୍ଷ ସୋପାନରେ ପହଞ୍ଚିଥିଲା  ସତ କିନ୍ତୁ, ସାଧାରଣ ଜନତା ସଂସ୍କୃତ ଭାଷାର ବୋଧଗମ୍ୟରୁ ବଞ୍ଚିତଥିଲେ । ଏହି ଭାଷା ବୈଷମତାକୁ ଦୂର କରିବାକୁ ଯାଇ ସିଦ୍ଧେଶ୍ୱର ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କୁ ଆରଧନା କରି ଲେଖନୀ ତାଳପତ୍ର ଖୋଦା ଧରି ନିର୍ଭିକ ବୋଧଗମ୍ୟ ହେଲାଭଳି କାର୍ଯ୍ୟ କରିଥିଲେ । ଯାହାକୁ ଲୋକମାନେ ସହଜରେ ପାଠ କରିପାରିବେ । ସାରଳା ଦାସ ଯେଉଁ କାବ୍ୟ କବିତା ରଚନା କରିଥିଲେ ସେଥିରେ ଥିଲା ରାମାୟଣ,ମହାଭାରତ ଓ ଭାଗବତ ।

ସେ ବାରମ୍ୱାର କହିଛନ୍ତି –

“ସେ ଦେବୀ ପ୍ରସନ୍ନେ କହିଲ ଆଦିଗ୍ରନ୍ଥ

ଆଦ୍ୟେ ରାମାୟଣ, ଦ୍ୱିତୀୟେ ମହାଭାରତ

ତୃତୀୟେ ପୁଣି ମୁଁ ଲେଖିଲି ଭାଗବତ

ମୁର୍ଖ ଅଜ୍ଞାନ ମୁହିଁ ଅଟଇ ଅପଣ୍ଡିତ”

ଓଡିଆ ଭାଷାର ପ୍ରଥମ ପୁରାଣକାର ସାରଳାଦାସ ଓଡିଆ ଆଧ୍ୟାତ୍ମିକ, ପୌରାଣିକ ସାହିତ୍ୟିକ ଜଗତରେ ଏକ ବଳିଷ୍ଠ ଭିତ୍ତିଭୂମି  ପ୍ରତିଷ୍ଠା କରିଥିଲେ । ସେଥିପାଇଁ ସେ ହେଲେ ଆଦି କବି  । ଯେଉଁ କଥା ବସ୍ତୁ ତାହା ଗ୍ରନ୍ଥରେ ଭାଷା ଅତି ସରଳ ଓ ସର୍ବଜନବୋଧ । ଯେଉଁ ସବୁ ଗ୍ରନ୍ଥ ସେ ରଚନା କରିଯାଇଛନ୍ତି , ସେଥିମଧ୍ୟରୁ ‘ସାରଳା ମହାଭାରତ’ ବୃହତ୍ତମ । ମହାଭାରତରେ ସେ ୧୮ ଟି ପର୍ବ ବର୍ଣ୍ଣିତ କରିଯାଇଛନ୍ତି । ସେଥି ମଧ୍ୟରେ ଓଡିଶାର ସବୁଦିଗକୁ ଲକ୍ଷ୍ୟ କରି  ତାର ଭୌଗଳିକ ଅବସ୍ଥା ସହ ମଠ ମନ୍ଦିର, ଧର୍ମ ପୀଠ ଓ ପ୍ରାକୃତିକ ବିଭବକୁ ସ୍ଥାନ ଦେବାରେ  ସେ ଭୁଲି ନାହାଁନ୍ତି । ‘ମହାଭାରତ’ ରେ ମଧ୍ୟ. ସେ ପ୍ରବଚନ, ନୀତିକଥା ଓ ଲୋକ କଥା କୁ ପ୍ରାଧନ୍ୟତା ଦେଇଛନ୍ତି ।

ସର୍ବ ଶେଷରେ ଝଙ୍କଡବାସନୀ ମା’ ଶାରଳାଙ୍କ ଦୈବ କୃପା ରୁ ତାଙ୍କର କବିତ୍ୱ ଉଦୟ ହୋଇଥିଲା ବୋଲି ସେ ତାଙ୍କ ରଚିତ ଗ୍ରନ୍ଥମାନଙ୍କ ରେ  କହିଛନ୍ତି –

“ସେ ଯାହା ରାତ୍ରରେ କହେ ତାହା ମୁଁ ଲେଖଇ,

ମୁର୍ଖ ଅପଣ୍ତିତ ମୋର ଶାସ୍ତ୍ର ଜ୍ଞାନ ନାହିଁ ।“

ଆଜି ଆଦିକବି ଙ୍କର ପବିତ୍ର ଶ୍ରାଦ୍ଧୋତ୍ସବ ପ୍ରତିବର୍ଷ ମାଘ ସପ୍ତମୀ ତିଥିରେ ପାଳନ କରାଯାଏ । ଯେଉଁ ମାଟିରେ ସାଧନା କରି ଆଦିକବି ତାଙ୍କର ଲେଖନୀ ଚାଳନା କରି  ‘ମହାଭାରତ’ ଭଳି ଅର୍ପୂବ ଗ୍ରନ୍ଥ ରଚନା କରି ଯାଇଛନ୍ତି  ତାଙ୍କର କୃତି ପାଇଁ ଆଜି ଓଡିଆ ଜାତି ଗର୍ବିତ । କବିଙ୍କର ବଂଶଧର ମାନେ ତାଙ୍କ ସାଧନାପୀଠ “ମୁନି ଗୋସାଇଁ ମଠ”  ରେ ୧୪୯୫ ମସିହା ମାଘ ମାସ ଶୁକ୍ଲ ସପ୍ତମୀ ତିଥି ଦିନରୁ ମହାପ୍ରୟାଣ ଦିବସ (ପିଣ୍ଡ ଦାନ) କରି ଆସୁଛନ୍ତି । ସେହି ମହାନ କବିଙ୍କର ପୂର୍ଣ୍ୟ ତିଥିରେ ଅଧ୍ୟମ ଭକ୍ତି ପ୍ରଣାମ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

                                                                                                                                                                                                                                                                    ସୁରେଶ ଚନ୍ଦ୍ର ମହାନ୍ତି

 ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

  ତେନ୍ତୁଳିପଦା, ଝଙ୍କଡ, ଜଗତସିଂହପୁର

ରେଳ ୱାଗନରୁ ୧୨ ଗୋଳାବାରୁଦ ଜବତ , ଯାଞ୍ଚ ବେଳେ ମିଳିଲା ଏହି ବୋମା

ବଲାଙ୍ଗୀର : ଟ୍ରେନ ୱାଗନରୁ ୧୨ ବୋମା ଜବତ। ବଲାଙ୍ଗୀର କଂଟାବାଞ୍ଜି ଷ୍ଟେସନରେ ଯାଞ୍ଚ ବେଳେ ଏକ ୱାଗନରୁ ଏହି ବୋମା ଉଦ୍ଧାର ହୋଇଛି। ରେଳ ଡବାରେ ୧୨ ଗୋଟି ଜୀବନ୍ତ ବୋମା ଥିବା ଦେଖିଥିଲେ ରେଳ କର୍ତ୍ତୃପକ୍ଷ। ଏ ନେଇ ସୂଚନା ଦେଇନଥିଲେ ମଧ୍ୟ ବୋମାଗୁଡ଼ିକ ଯାହାର ଥିଲା ତାହା ଫେରାଇ ଦିଆଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଏଥିରେ ୧୫୫ ଏମ୍‌ଏମ ବିଶିଷ୍ଟ ୧୨ ଟି ବୋମା ଥିଲା । ଏହି ବୋମା ବୋଫର୍ସ ତୋପ ଟ୍ୟାଙ୍କରେ ବ୍ୟବହୃତ ହୋଇଥାଏ। ଯାହା ଭାରତୀୟ ସେନା ବ୍ୟବହାର କରନ୍ତି। ତେବେ ଏଭଳି ଜୀବନ୍ତ ବୋମା ରେଳ ୱାଗନକୁ ଆସିଲା କେମିତି ତାହାର ତନାଘନା ଚାଲିଛି। ବୋମାଟି ସଇଁତଳା ବଡମାଳ ଗୋଲାବାରୁଦ କାରଖାନାର ବୋଲି ରେଳବାଇ ବିଭାଗ ଜାଣିବାକୁ ପାଇଛି। ଏହା ପରେ ବଡମାଳର ଅଧିକାରୀଙ୍କ ସହ ଆଲୋଚନା କରି ଉକ୍ତ ବୋମାକୁ ଫେରାଇ ଦିଆଯାଇଥିବା ଜଣାପଡିଛି। ତେବେ ଟ୍ରେନର ୱାଗନରେ ଜୀବନ୍ତ ବୋମା ଜବତ ଘଟଣାକୁ ଅଂଚଳବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି।