ନନ୍ଦିଘୋଷ ବ୍ୟୁରୋ: ଡିସେମ୍ବର ୨୮ ରୁ ହେବ ନାହିଁ ଶ୍ରୀମନ୍ଦିରରେ ଧାଡି ଦର୍ଶନ। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ସହ ବୈଠକ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ ଶ୍ରୀମନ୍ଦିରରେ ଭିଡ ଲାଗିରହିବ । ସେଥିପାଇଁ ଧାଡି ଦର୍ଶନ ବ୍ଯବସ୍ଥା ଏବେ ଲାଗୁ ହେବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ ୨୦ ରୁ ୨୨ ତାରିଖ ଭିତରେ ଶୀମନ୍ଦିରରେ ଧାଡି ଦର୍ଶନ ବ୍ଯବସ୍ଥା ପୂର୍ଣ୍ଣାଙ୍ଗ ଭାବେ ଲାଗୁ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି ।
ଏହି ୪ ଫିଲ୍ମ କରିବାକୁ ମନା କରିଥିଲେ ସଲମାନ, ଅମୀର ଏବଂ ଶାହାରୁଖ ବକ୍ସ ଅଫିସରେ ରଚିଛନ୍ତି ଇତିହାସ
ନନ୍ଦିଘୋଷ ବ୍ୟୁରୋ: ବଲିଉଡର ସୁପରଷ୍ଟାର ସଲମାନ ଖାନ ନିଜର କ୍ୟାରିୟରରେ ବହୁ ହିଟ୍ ଫିଲ୍ମ ଦର୍ଶକଙ୍କୁ ଉପହାର ଦେଇଛନ୍ତି । ଆଜି ମଧ୍ୟ ତାଙ୍କ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ କ୍ରେଜ୍ ରହିଛି । ତେବେ ସଲମାନ ଏମିତି କିଛି ଫିଲ୍ମ ରହିଛି ଯାହାକୁ ସେ କରିଥିଲେ ରିଜେକ୍ଟ । କିନ୍ତୁ ଏହି ଅଫର ମିଳିଥିବା ଅମୀର ଏବଂ ଶାହାରୁଖ ହିଟ୍ କରିଛନ୍ତି । ବକ୍ସ ଅଫିସରେ ହିଟ୍ ହେବା ସହ ଦର୍ଶକଙ୍କ ମହଲରେ ସବୁଦିନ ପାଇଁ ସ୍ମୃତି ହୋଇ ରହିଯାଇଛି ।
ବାଜିଗର (୧୯୯୩) : ବାଜିଗର ଫିଲ୍ମ ଶାହାରୁଖଙ୍କୁ ଦର୍ଶକଙ୍କ ମହଲରେ ଅଧିକ ଆଦୃତ କରିପାରିଛି । କାଜୋଲଙ୍କ ସହ ତାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ତେବେ ଏହି ଫିଲ୍ମର ଅଫର ପ୍ରଥମେ ସଲମାନଙ୍କୁ ମିଳିଥିଲା । ମାତ୍ର ଏଥିରେ ନାୟକଙ୍କ ଭୂମିକା ନେଗେଟିଭ୍ ରହିଥିବାରୁ ନକରାତ୍ମକ ପ୍ରଭାବ ପଡ଼ିବ ଭାବି ମନା କରି ଦେଇଥିଲେ । କପିଲ ଶର୍ମା ଶୋ’କୁ ଆସି ଏଭଳି କହିଥିଲେ ସଲମାନ । ତେବେ ଏହି ଫିଲ୍ମର ଅଫର ପରେ ଶାହାରୁଖଙ୍କୁ ଦିଆଯାଇଥିଲା ।
ଦିଲଓ୍ବାଲେ ଦୁଲହନିଆ ଲେ ଜାୟେଙ୍ଗେ (୧୯୯୫) : ୟସ ଚୋପ୍ରାଙ୍କ ଫିଲ୍ମ ଡିଡିଏଲଜେ କେତେ ଯେ ସଫଳ ହୋଇଛି ତାହା କାହାକୁ ବି ଅଛପା ନାହିଁ । ତେବେ ଏହି ଫିଲ୍ମର ଅଫର ପ୍ରଥମେ ସଲମାନ ଖାନଙ୍କୁ ମିଳିଥିଲା । ମାତ୍ର ଡେଟ୍ ନଥିବାରୁ ସଲମାନ ମନା କରିଥିଲେ । ଏହାପରେ ଏହି ଅଫର ସୈଫ ଅଲ୍ଲି ଖାନଙ୍କୁ ମିଳିଥିଲା । ମାତ୍ର ସେ ମନା କରିବା ପରେ ଆଦିତ୍ୟ ଚୋପ୍ରା ଶାହାରୁଖଙ୍କୁ ଅଫର କରିଥିଲେ ।
ଚକ ଦେ ଇଣ୍ଡିଆ (୨୦୦୭) : ’ତେରେ ନାମ’ ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ ସଲମାନ ଜାଣିଥିଲେ କି, ରୋମାଣ୍ଟିକ ଏବଂ ଆକ୍ସନ ମୁଭିକୁ ଦର୍ଶକେ ଅଧିକ ଭଲ ପାଆନ୍ତି । ଯେଉଁ କାରଣରୁ ଦେଶାତ୍ମକ ବୋଧକ ଫିଲ୍ମ ଚକ ଦେ ଇଣ୍ଡିଆର ଅଫରକୁ ମନା କରିଥିଲେ । ଆଉ ଶାହାରୁଖ ଏଥିରେ ଅଭିନୟ କରିଥିଲେ ।
ଗଜନୀ (୨୦୦୮) : ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଅମୀର ଖାନଙ୍କ ଗଜନୀ ଫିଲ୍ମ ପ୍ରଥମେ କଲେକ୍ସନର ରେକର୍ଡ ସାଙ୍ଗକୁ କେତେ ହିଟ୍ ହୋଇଥିଲା ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । ଆକ୍ସନ ଥ୍ରୀଲର ଫିଲ୍ମଟି ପ୍ରଥମେ ସଲମାନଙ୍କୁ ଅଫର କରାଯାଇଥିଲା । ତେରେ ନାମରେ ତାଙ୍କ ଗେଟଅପକୁ ଦେଖି ଏହି ଅଫର କରାଯାଇଥିଲା । ମାତ୍ର ତାଙ୍କୁ ଏହା ସୁଟ୍ କରିବନି ଭାବି ସେ ଅଫରକୁ ପ୍ରତ୍ୟାଖାନ କରିଥିଲେ ।
କଟକରେ ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ ଶିକାର ହେଲେ ପୂର୍ବତନ ସେନା ଅଧିକାରୀ
ନନ୍ଦିଘୋଷ ବ୍ୟୁରୋ: କଟକରେ ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ ଶିକାର ହୋଇଛନ୍ତି ପୂର୍ବତନ ସେନା ଅଧିକାରୀ। ସାଇବର ଠକଙ୍କ ଜାଲରେ ପଡ଼ି କୋଟିଏରୁ ଅଧିକ ଟଙ୍କା ହରାଇଛନ୍ତି କଟକର ଜଣେ ପୂର୍ବତନ ସେନା ଅଧିକାରୀ। ଡିସେମ୍ଵର ୧୮ ତାରିଖରେ ଦିନ ଗୋଟାଏ ସମୟରେ ସେନା ଅଧିକାରୀଙ୍କ ହ୍ୱାଟ୍ସଆପ୍କୁ ଏକ ଭିଡିଓ କଲ୍ ଆସିଲା । ଅଫିସ ଭଳି ଦେଖାଯାଉଥିବା ଘରେ କିଛି ଅଧିକାରୀ ବସିଥିଲେ । ଫୋନ୍ କରିଥିବା ବ୍ୟକ୍ତିଜଣକ ନିଜକୁ ‘ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ’ ଅଧିକାରୀ ପରିଚୟ ଦେଇଥିଲା । ତୁମ ଆଧାରକାର୍ଡ ନମ୍ବରରେ ଏକାଧିକ ଫୋନ୍ ନମ୍ବର ଆକ୍ଟିଭ୍ ରହିବା ସହିତ ମନି ଲଣ୍ଡରିଂ ଅଭିଯୋଗ ରହିଥିବା କହିଥିଲେ ।
ବିଦେଶ ଲିଙ୍କ ସହ ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଠକେଇ ଭଳି ବେଆଇନ କାମରେ ତୁମର ସଂପୃକ୍ତ ରହିଛି। ତୁମ ଫୋନ୍ ନମ୍ବରର ଏକ ଲିଙ୍କ୍ ବିଦେଶର ଏକାଧିକ ନିଶା ବେପାରୀଙ୍କ ସହିତ ମିଳିଛି । ତମକୁ ଡିଜିଟାଲ ଆରେଷ୍ଟ କରାଗଲା । ଆସନ୍ତାକାଲି ସ୍ପେଶାଲ ସିବିଆଇ କୋର୍ଟରେ ତୁମର ବିଚାର ଚାଲିବ, ତମେ ଉପସ୍ଥିତ ରହିବ। ପୁଣି ୧୯ ତାରିଖରେ ୱାଟ୍ସଆପରେ ଭିଡିଓ କଲ ଆସିଥିଲା । ପୁରା କୋର୍ଟ ରୁମ ଭଳି ଦେଖାଯାଉଥିଲା। ବିଚାରପତି ଭଳି ଜଣେ ପୋଷାକ ପିନ୍ଧିଥିବା ବ୍ୟକ୍ତି ସେନା ଅଧିକାରୀଙ୍କୁ ପଚରାଉଚରା କରିଥିଲେ । ତୁମ ନାରେ ଅଭିଯୋଗ ହୋଇଛି ତମକୁ ବେଲ ମିଳିବ ନାହିଁ ବୋଲି କହିଥିଲେ । ଡିଜିଟାଲ ଆରେଷ୍ଟ ହୋଇଛ ତମେ । ତୁରନ୍ତ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି ସମସ୍ତ ଟଙ୍କା ପଠାଅ ।
ମାମଲା ସରିବା ପରେ ଟଙ୍କା ଫେରିପାଇବ। ପ୍ରଥମେ ୬୭ ଲକ୍ଷ ଏବଂ ଏହାପରେ ଫିକ୍ସଡ୍ ଡିପୋଜିଟ ଥିବା ଟଙ୍କା ଉଠାଇ ପଠାଇବା ସହିତ ପରଦିନ ପୁଣି ୩୭ ଲକ୍ଷ ଟଙ୍କା ପଠେଇ ଦେଇଥିଲେ। ଏଣୁ ଠକେଇର ଶିକାର ହୋଇଥିବା ଜାଣିପାରି ସେନା ଅଧିକାରୀ ଜଣକ ସାଇବର ଥାନାରେ ଏତଲା ଦେଇଛନ୍ତି । ପୋଲିସ ପ୍ରାଥମିକ ତଦନ୍ତ ପରେ ଏହି ଫୋନ କଲ ମୁମ୍ବାଇରୁ ଆସିଥିବା ଜାଣିବାକୁ ପାଇଛି। ଏହାର ନମ୍ବର ଯାଞ୍ଚ କରିବା ସହ ଆଇପି ଆଡ୍ରେସ ମଧ୍ୟ ଯାଞ୍ଚ କରୁଛି । ପୋଲିସ ପ୍ରକୃତ ଅପରାଧୀଙ୍କ ପାଖରେ ପହଁଞ୍ଚିବା ପାଇଁ ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଟିମ୍ ଯିବ ବୋଲି କହିଛନ୍ତି କଟକ ଅତରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ।
୨୦୦୭ ଟି-୨୦ ବିଶ୍ବକପ ସମୟରେ ୟୁସୁଫଙ୍କ ଏହି ଘଟଣା ସମ୍ପର୍କରେ ଜାଣି ନଥିଲେ ଧୋନି, ଏବେ ରାଜ ଖୋଲିଲେ ଇରଫାନ୍
ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଟି-୨୦ ବିଶ୍ବକପ ଜିତିଛି ଭାରତ । ୨୦୦୭ ଟି-୨୦ ବିଶ୍ବକପରେ ଭାରତ ପାକିସ୍ତାନକୁ ହରାଇ ଟାଇଟଲ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛି । ଟିମ ଇଣ୍ଡିଆର ଯୁବ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଦଳ ବିଶ୍ବକପ ଜିତିଥିବାବେଳେ ଇତିହାସ ରଚିଥିଲା । ମିସବା ଉଲ ହକ ଶେଷ ପର୍ଯ୍ୟନ୍ତ ଭାରତକୁ ହରାଇବା ପାଇଁ ପ୍ରୟାସ ଜାରି ରଖିଥିଲେ । ମାତ୍ର ମୁନାଫ ପଟେଲଙ୍କ ଘାତକ ବୋଲିଂ ଭାରତକୁ ବିଜୟ କରାଇଥିଲା । ତେବେ ଫାଇନାଲ ମ୍ୟାଚରେ ଖେଳିବାର ସୁଯୋଗ ପାଇଥିବା ୟୁସୁଫ ପଠାନ ବିରେନ୍ଦ୍ର ସେହଓ୍ବାଗଙ୍କ ସ୍ଥାନରେ ଖେଳିଥିଲେ ।
ସେହଓ୍ବାଗ ଆହତ ରହିଥିବାବେଳେ ତାଙ୍କ ବଦଳରେ ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇଥିଲେ ୟୁସୁଫ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ୟୁସୁଫ ପଠାନ ମଧ୍ୟ ଆହତ ଥିଲେ ମାତ୍ର ଏକଥା କାହାକୁ ଜଣାନଥିଲା । ପ୍ରଥମେ ସେ ଭାଇ ଇରଫାନଙ୍କ ଏସମ୍ପର୍କରେ ଜଣାଇଥିଲେ । ମାତ୍ର ସେ ବୁଝାଇବା ସହ ଦେଖ ପାଇଁ ଖେଳିବାର ସୁଯୋଗ ମିଳିଥିବା ସମ୍ପର୍କରେ ଜଣାଇଥିଲେ । ଡେବ୍ୟୁ କରିଥିବା ୟୁସୁଫ ମଧ୍ୟ ଏକ ସୁନ୍ଦର ଛକା ମାରିଥିଲେ । ତେବେ ଏକ ୟୁଟ୍ୟୁବ ଚ୍ୟାନେଲରେ ଇଣ୍ଟରଭିୟୁ ସମୟରେ ଇରଫାନ ପଠାନ ଏଭଳି ରାଜ୍ ଖୋଲିଛନ୍ତି । ତେବେ ୟୁସୁଫଙ୍କ ଆହତ ସମ୍ପର୍କରେ ଧୋନିଙ୍କ ମଧ୍ୟ ଜଣାନଥିବା କଥା କହିଛନ୍ତି ଇରଫାନ ।
ପୁରୀ ସମୁଦ୍ରରେ ସ୍ନାନ ବେଳେ ପର୍ଯ୍ୟଟକ ନିଖୋଜ
ନନ୍ଦିଘୋଷ ବ୍ୟୁରୋ: ପୁରୀ ସମୁଦ୍ରରେ ସ୍ନାନ ବେଳେ ପର୍ଯ୍ୟଟକ ନିଖୋଜ । ବରଗଡ଼ ଅଞ୍ଚଳର ଶୁଭ ପାତ୍ର ସାଥି ମାନଙ୍କ ସହ ଗାଧଉଥିବା ବେଳେ ସମୁଦ୍ର ରେ ଭାସି ନିଖୋଜ ହୋଇଛନ୍ତି । ବରଗଡ଼ର ଆକାଶ ମାର୍ସଲ ଆର୍ଟ କ୍ଲବର ୧୦ ଜଣ ପୁରୀ ବୁଲିବାକୁ ଆସିଥିଲେ । ପୁରୀ ଚକ୍ରତୀର୍ଥ ସମୁଦ୍ରରେ ସ୍ନାନ କରୁଥିବା ବେଳେ ହଠାତ ନିଖୋଜ ହୋଇଥିଲେ ଶୁଭ । ସାଥିମାନେ ଖୋଜା ଖୋଜି କରିବା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତା ମିଳିପାରିନାହିଁ । ତେବେ ଆକାଶ ମାର୍ସଲ ଆର୍ଟର ଖେଳାଳି ଆସନ୍ତା କାଲି କୋଣାର୍କରେ ଏକ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିବାବେଳେ ଆଜି ପୁରୀ ବୁଲିବାକୁ ଆସିଥଲେ। ସମୁଦ୍ରରେ ସ୍ନାନ କରିବାବେଳେ ଜଣେ ନିଖୋଜ ହୋଇଯାଇଛନ୍ତି । ପୁରୀ ପୋଲିସ ଓ ଅଗ୍ନିଶମ ପକ୍ଷରୁ ଛାନବିନ ଜାରି ରହିଛି ।
ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ ହେଲେ ୧୭ ଜଣ ଶିଶୁ
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରେ ୧୭ ଜଣ ପିଲାଙ୍କୁ ସମ୍ମାନିତ କରିଛନ୍ତି । ଚଳିତ ବର୍ଷ ଏହି ପୁରସ୍କାର ପାଇଁ ୧୪ ଟି ରାଜ୍ୟ ବା ୟୁନିୟନ ଅଞ୍ଚଳର ୧୭ ଜଣ ପିଲାଙ୍କୁ ଚୟନ କରାଯାଇଥିଲା । ଏଥିରେ ୭ ଜଣ ପୁଅ ଏବଂ ୧୦ ଜଣ ଝିଅ ଅର୍ନ୍ତଭୁକ୍ତ । ତେବେ ଆଜି ରାଷ୍ଟ୍ରପତି ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଶିଶୁ ପୁରସ୍କାର 2024 ରେ ସମ୍ମାନିତ ପିଲାମାନଙ୍କୁ ଭେଟିଥିଲେ। ସେ ପିଲାମାନଙ୍କ ସହ ବହୁତ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କ ମଙ୍ଗଳ ବିଷୟରେ ମଧ୍ୟ ପଚାରିଥିଲେ |ପ୍ରଧାନମନ୍ତ୍ରୀ ମୋଦୀ ଶିଶୁ ପୁରସ୍କାର ବିଜେତାଙ୍କୁ ଭେଟି ସେମାନଙ୍କୁ ଅଟୋଗ୍ରାଫ୍ ଦେଇଥିଲେ। ଏହା ସହିତ ବାଲ ପୁରସ୍କର ଗ୍ରହଣ କରିଥିବା ପ୍ରାୟ ସମସ୍ତ ପିଲା ପିଏମ ମୋଦୀଙ୍କ ସହ କଥା ହୋଇଥିଲେ। ଗତ ବର୍ଷ 2023 ମସିହାରେ 11 ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶିଶୁ ପୁରସ୍କାର ପ୍ରଦାନ କରାଯାଇଥିଲା।
1996 ମସିହାରେ ପ୍ରଧାନମନ୍ତ୍ରୀଙ୍କ ଶିଶୁ ପୁରସ୍କାର ଆରମ୍ଭ ହୋଇଥିଲା | ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଶିଶୁ ପୁରସ୍କାର ପାଇଁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଏହି ପୁରସ୍କାର ଦିଆଯାଇଥାଏ ଯେଉଁ ପିଲାମାନଙ୍କର ବୟସ 5 ବର୍ଷରୁ 18 ବର୍ଷ ମଧ୍ୟରେ ହୋଇଥାଏ | ଏହି ପୁରସ୍କାର ଜିତୁଥିବା ପିଲାମାନଙ୍କୁ ଏକ ସାର୍ଟିଫିକେଟ୍ ସହିତ 1 ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଏ |
କଂଗ୍ରେସକୁ ଇଣ୍ଡିଆ ମେଣ୍ଟରୁ କାହିଁକି ଅଲଗା କରିବା ପାଇଁ ଚାହୁଁଛନ୍ତି କେଜ୍ରିଓ୍ବାଲ ? ଜାଣନ୍ତୁ କିଛି ପ୍ରମୁଖ କାରଣ
ନନ୍ଦିଘୋଷ ବ୍ୟୁରୋ: ଆସନ୍ତାବର୍ଷ ଦିଲ୍ଲୀରେ ହେବାକୁ ଯାଉଛି ନିର୍ବାଚନ । ଏହା ପୂର୍ବରୁ କିନ୍ତୁ ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳିଲାଣି । କଂଗ୍ରେସଠାରୁ ଦୂରତା ରଖିବା ଆରମ୍ଭ କରିଛି ଆପ । ଲୋକସଭା ନିର୍ବାଚନ ଫଳାଫଳ ପରଠାରୁ ଆପ ଧିରେ ଧିରେ କଂଗ୍ରେସଠାରୁ ଦୂରେଇ ଯାଉଛି । ଏପରିକି ଦିଲ୍ଲୀ ନିର୍ବାଚନରେ ଏକାକି ଲଢ଼ିବା ପାଇଁ ଘୋଷଣା କରିଛି ଆପ୍ । ଆଉ ଏବେ କେଜ୍ରିଓ୍ବାଲ ସିଧା ସିଧା କଂଗ୍ରେସକୁ ଚେତାବନୀ ଦେଇଛି । କହିଛନ୍ତି କି, ଦିଲ୍ଲୀର କଂଗ୍ରେସ ନେତାଙ୍କୁ ଚେତାବନୀ ଦେଇଛନ୍ତି । ଯଦି ହେବ ତାହେଲେ ସେ କଂଗ୍ରେସକୁ ଇଣ୍ଡିଆ ମେଣ୍ଟରୁ ଅଲଗା କରିବା ପାଇଁ ଅନ୍ୟ ଦଳର ନେତାଙ୍କ ସହ କଥାହେବେ । ତେବେ କାହିଁକି କଂଗ୍ରେସକୁ ଅଲଗା କରିବା ପାଇଁ ଚାହୁଁଛନ୍ତି କେଜ୍ରିଓ୍ବାଲ ।
୨୦୧୩ରେ ଆପ ସହ କଂଗ୍ରେସ ମେଣ୍ଟ ସରକାର ଦିଲ୍ଲୀରେ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଆପ ନିଜର ପ୍ରାଧାନ୍ୟ ବିସ୍ତାର କରିବା ସହ କଂଗ୍ରେସ ତାଙ୍କ ପାଇଁ ବୋଝ ଭଳି ହୋଇ ଯାଇଛି । ଏକାକି ସରକାର ଗଠନ କରିଥିବା ଆପ ଏବେ ମେଣ୍ଟ କରିବା କଥା ମନା କରିବା ପରେ କଂଗ୍ରେସ ନେତାମାନେ ଲଗାତାର ଆପକୁ ଟାର୍ଗେଟ କରୁଛନ୍ତି । ସରକାରଙ୍କୁ କଟାକ୍ଷ କରୁଥିବାବେଳେ ଆପ ଏହାକୁ ବିରୋଧ କରୁଛି । କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି କି, ୨୦୧୩ ନିର୍ବାଚନରେ ଆପକୁ ସମର୍ଥନ କରିବା ଆମର ବଡ଼ ଭୁଲ୍ ଥିଲା । ଏଭଳି ପ୍ରତିକ୍ରିୟା ପରେ ଏବେ ଦିଲ୍ଲୀ ରାଜନୀତି ବେଶ ସରଗରମ ହେବାରେ ଲାଗିଛି ।
କଂଗ୍ରେସ ଦିଲ୍ଲୀରେ ପୁଣିଥରେ ଦବଦବା ହାଜିର କରିବା ପାଇଁ ପୁଣିଥରେ ଜୋରଦାର ପ୍ରୟାସ ଆରମ୍ଭ କରିଛି । ଯେଉଁ କାରଣରୁ ଏଠାରେ ନିଜ ଦଳର ପୁରୁଣା ଲୋକଙ୍କୁ ଟିକେଟ ଦେବା ଆରମ୍ଭ କରିଛି । କେଜ୍ରିଓ୍ବାଲଙ୍କ ବିରୋଧରେ ସିଲା ଦିକ୍ଷିତଙ୍କ ପୁଅଙ୍କୁ ପ୍ରାର୍ଥୀ କରିଛି । ଏଭଳି ଭାବେ ସଂଗଠନକୁ ଦୃଢ଼ କରିବା ପାଇଁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଯାହାକି ଆପ ପାଇଁ କଣ୍ଟା ହୋଇଛି । ବିଜେପିକୁ ନିଜର ପ୍ରତିଦ୍ବନ୍ଦି ଭାବୁଥିବା ଆପ ପାଇଁ ଏବେ କଂଗ୍ରେସ ବଡ଼ ଅସୁବିଧାର କାରଣ ଭାବେ ମଧ୍ୟ ଉଭା ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା । ଯାହାକୁ ନେଇ କେଜ୍ରିଓ୍ବାଲ ଏବେ କଂଗ୍ରେସକୁ ଚେତାବନୀ ଦେଇଛନ୍ତି ।
ମୁସଲମାନ ଏବଂ ଦଳିତଙ୍କ ଭୋଟ୍ ଦିଲ୍ଲୀ ରାଜନୀତିରେ ବେଶ ପ୍ରଭାବ ପକାଇଥାଏ । କାରଣ ୩୦ ପ୍ରତିଶତ କେବଳ ଏହି ଦୁଇ ସମ୍ପ୍ରଦାୟର ରହିଛି । ୨୦୨୦ ଉତ୍ତରପୂର୍ବ ଦିଲ୍ଲୀର ଦଙ୍ଗା ପରେ ଏହି ଭୋଟ ଆପ ବିପକ୍ଷରେ ଯିବ ବୋଲି ଆଶା କରାଯାଉଛି । ତେବେ କଂଗ୍ରେସ ଏହାର ଫାଇଦା ଉଠାଇବ ବୋଲି ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ-ଆପ ବିବାଦ ମଧ୍ୟରେ ବିଜେପିର ଫାଇଦା ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
କିଏ ଏହି ଆରଜେ ସିଦ୍ଧିକ, କାହିଁକି ତାଙ୍କ ସହ ଯୋଡ଼ି ହୋଇଛି ନିକିତାଙ୍କ ନାମ ?
ନନ୍ଦିଘୋଷ ବ୍ୟୁରୋ: ବାଙ୍ଗାଲୋରର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାର ଏବେ ତଦନ୍ତ ଚାଲିଛି । ପତ୍ନୀଙ୍କ ସହ ୩ ଜଣ ଏବେ ଜେଲରେ ରହିଛନ୍ତି । ତେବେ ଏହି ଘଟଣାର ତଦନ୍ତ ବାଙ୍ଗାଲୋର ସହ ଲକ୍ଷ୍ନୌ ପୋଲିସ ମଧ୍ୟ ତଦନ୍ତ ଚଳାଇଛି । ତେବେ ପତ୍ନୀ ନିକିତାଙ୍କ ସମ୍ପର୍କରେ ଅନେକ କଥା ଭିଡିଓ ମାଧ୍ୟମରେ ଅତୁଲ ଜଣାଇଛନ୍ତି । ଯେଉଁଥିରେ ରହିଛି କି, ଆରଜେ ସିଦ୍ଧିକ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ ଅତୁଲ । ତେବେ ଏହି ଆରଜେ ସିଦ୍ଧିକ କିଏ ? ଏହାକୁ ନେଇ ଉଠିଛି ପ୍ରଶ୍ନବାଚୀ । ତେବେ ଏହାକୁ ନେଇ ନିକିତା ଜଣାଇଛନ୍ତି କି ଆରଜେ ସିଦ୍ଧିକ କିଏ ସେ ଜାଣିନାହାନ୍ତି ।
ସେପଟେ ଯଦି ଜାଣିନାହାନ୍ତି ତାହେଲେ ତାଙ୍କ ଆକାଉଣ୍ଟରେ କେମିତି ଟଙ୍କା ପଠାଉଥିଲେ ଅତୁଲ । ଆଉ ତାଙ୍କ ପୁଅଙ୍କ ଜନ୍ମଦିନ ମଧ୍ୟ ଆରଜେ ସିଦ୍ଧିକଙ୍କ ଘରେ ପାଳନ କରାଯାଇଥିବା କୁହାଯାଇଛି । କିନ୍ତୁ ଏହାକୁ ନେଇ ନିକିତା କୌଣସି ଉତ୍ତର ଦେଇନାହାନ୍ତି । ସେପଟେ ପୂର୍ବରୁ ଅନ୍ୟଜଣେ ବ୍ୟକ୍ତିଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଥିବାବେଳେ ଏହାକୁ ମଧ୍ୟ ଖଣ୍ଡନ କରିଛନ୍ତି ନିକିତା । ରୋହିତ ନିଗମ ନାମକ ଜଣେ ଯୁବକଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଥିଲା । ମାତ୍ର ନିକିତା କହିଥିଲେ କି, ସେ ହେଉଛନ୍ତି ମୋ ବାପାଙ୍କ ବନ୍ଧୁଙ୍କ ପୁଅ । ତାଙ୍କ ସହ ଆମର ପାରିବାରିକ ସମ୍ପର୍କ ରହିଛି । ସେପଟେ ଏହି ଘଟଣାର ତଦନ୍ତ ଜାରି ରହିଥିବା ଡିସେମ୍ବର ୩୧ରେ ଘଟଣାର ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି ।
କେତେ ନମ୍ବରରେ ବ୍ୟାଟିଂ ଆସିବେ ରୋହିତ ? ଜାଣନ୍ତୁ ଏହାକୁ ନେଇ କଣ କହିଲେ ଅଭିଶେକ ନାୟାର..
ନନ୍ଦିଘୋଷ ବ୍ୟୁରୋ: ମେଲବର୍ଣ୍ଣ ଟେଷ୍ଟରେ ପ୍ରଥମ ଦିନର ଖେଳ ସରିଛି । ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୬ ଓ୍ବିକେଟ ହରାଇ ୩୧୧ ରନ ସଂଗ୍ରହ କରିଛି । ତେବେ ଏକ ବଡ଼ ସ୍କୋର ଅଭିମୁଖେ ଅଷ୍ଟ୍ରେଲିଆ ଗତି କରୁଥିବାବେଳେ ଭାରତୀୟ ବ୍ୟାଟ୍ସମ୍ୟାନମାନେ କିଭଳି ଭାବେ ପ୍ରଦର୍ଶନ କରିବେ ତାକୁ ନେଇ ଏବେ ଆରମ୍ଭ ହୋଇଛି କଳ୍ପନା ଚଳ୍ପନା । ତେବେ ଅଧିନାୟକ ରୋହିତ ଶର୍ମା ଖରାପ ଫର୍ମ ଦେଇ ଗତି କରୁଥିବାବେଳେ ସେ କେଉଁ ନମ୍ବରରେ ବ୍ୟାଟିଂ ଆସିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଏହି ମ୍ୟାଚ ଖେଳୁନଥିବାବେଳେ ରୋହିତ ଶର୍ମା ଜୟସ୍ବାଲଙ୍କ ସହ ଓପନିଂ କରିବେ । ଅଭିଶେକ ନାୟାର ପ୍ରେସମିଟ୍ ଜରିଆରେ ଏଭଳି ସୂଚନା ଦେଇଛନ୍ତି । ତିନି ନମ୍ବର ସ୍ଥାନରେ କେ.ଏଲ ରାହୁଲ ଖେଳିବେ ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ରୋହିତ ଶର୍ମା ୨୦୨୪ରେ ଖରାପ ଫର୍ମ ଦେଇ ଗତି କରିଛନ୍ତି । ୧୪ ମ୍ୟାଚରେ ମାତ୍ର ୬୦୭ ରନ ସଂଗ୍ରହ କରିପାରିଛନ୍ତି । ୨୬.୩୯ ହାରରେ ସେ ଏହି ସ୍କୋର କରିଛନ୍ତି । ଅଷ୍ଟ୍ରେଲିଆ ସିରିଜରେ ସେମିତି ଆଖି ଦୃଷ୍ଟିଆ ଖେଳ ପ୍ରଦର୍ଶନ କରି ନଥିବାବେଳେ ଓପନିଂ କରି ଦଳକୁ କିଭଳି ପରିସ୍ଥିତିକୁ ନେଉଛନ୍ତି ତାହା ଉପରେ ରହିଛି ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ।
ବରଙ୍ଗରେ ଚାଷୀ ଆତ୍ମହତ୍ୟା ଅଭିଯୋଗ, ସଂଥପୁରାରେ ଟଳିପଡିଲେ ଚାଷୀ !
ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବରଙ୍ଗ ଗାଁରେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ଚାଷୀ ଜଣକ ହେଲେ ବରଙ୍ଗ ଗାଁର ବନମାଳୀ ପେଣ୍ଠେଇ ବୋଲି ଜଣାପଡ଼ିଛି । ଲଗାଣ ଅଦିନିଆ ବର୍ଷାରେ ତାଙ୍କର ଧାନ ଫସଲ ନଷ୍ଟ ହୋଇଥିବାରୁ ସେ ଚିନ୍ତାରେ ଥିଲେ । କରଜ କରି ଧାନ ଚାଷ କରିଥିଲେ ଚାଷୀ ବନମାଳୀ ପେଣ୍ଠେଇ । ଅଦିନିଆ ବର୍ଷାରେ ତାଙ୍କର ସବୁ ନଷ୍ଟ ହୋଇଯାଇଥିବାରୁ ପରିବାର ପାଇଁ ବର୍ଷକର ଦାନା ଯୋଗାଡ଼ ଓ ଋଣ ଶୁଝିବା ନେଇ ଚିନ୍ତାରେ ଥିଲେ ବନମାଳୀ । ଫସଲ କ୍ଷୟକ୍ଷତି ଓ ଚାଷୀଙ୍କ ମୃତ୍ୟୁ ଘଟଣାରେ ରାଜସ୍ୱ ବିଭାଗ ଅଧିକାରୀଙ୍କ ତଦନ୍ତ କରିଛନ୍ତି ।
ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାୟତ ସଂଥପୁରା ଗାଁରେ ଅଭାବନୀୟ ଘଟଣା । ଅଦିନିଆ ବର୍ଷାରେ ୮ ଏକର ଜମିରେ ଧାନ ଫସଲ ନଷ୍ଟ ପରେ ଜଣେ ଚାଷୀଙ୍କ ହୃଦଘାଟରେ ମୃତ୍ୟୁ ହୋଇଛି । ସନ୍ଥପୁରା ଗାଁର ମଳିକ ସାହିର ୫୫ ବର୍ଷୀୟ ଭାବଗ୍ରାହୀ ମଳିକ ଏକାଧିକ ଜମି ମlଳିକଙ୍କଠାରୁ ଜମି ନେଇ ଭାଗ ଚାଷ କରିଥିଲେ । ଚାଷ କାର୍ଯ୍ୟ ପାଇଁ ସେ ଋଣ ମଧ୍ୟ କରିଥିଲେ । ଫସଲ ଭଲ ହୋଇଥିଲା । ହେଲେ ଅଦିନିଆ ବର୍ଷାରେ ତାଙ୍କର ଅମଳ ହେବାକୁ ଥିବା ସମସ୍ତ ଧାନ ଫସଲ ନଷ୍ଟ ହୋଇଯାଇଛି । ବର୍ଷକର ପରିଶ୍ରମ ତଥା ବର୍ଷକର ଆହାର କେଉଁଠୁ ଆସିବା ଏହା ସହିତ ଋଣ ପରିଶୋଧ କେଉଁଠୁ ହେବ, ଏହାକୁ ନେଇ ସେ ୨ଦିନ ହେବ ଚିନ୍ତାରେ ଥିଲେ ଚାଷୀ । ସେ ଆଜି ଧାନ କ୍ଷେତରେ ଉଜୁଡ଼ା ଫସଲ ଦେଖି ଭାବଗ୍ରାହୀ ଛାତିରେ ଯନ୍ତ୍ରଣା ଅନୁଭବ କରି କ୍ଷେତରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ତେବେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚାଷୀଙ୍କ ମୃତ୍ୟୁକୁ ନେଇ ସନ୍ଥପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅଦିନିଆ ବର୍ଷା ଓ ଉଜୁଡ଼ା ଧାନ କ୍ଷେତ ଆଉ ମୁଣ୍ଡ ଉପରେ ଥିବା ଋଣ ଭାର ଯୋଗୁଁ ଭାବଗ୍ରାହୀ ମଳିକଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି । ସରକାର ତୁରନ୍ତ ମୃତ ଭାବଗ୍ରାହୀଙ୍କ ପରିବାରକୁ ଚାଷ କ୍ଷତିପୂରଣ ଓ ତାଙ୍କର ମୃତ୍ୟୁର କ୍ଷତିପୂରଣ ଦେବାକୁ ସ୍ଥାନୀୟ ଚାଷୀ ନିବେଦନ କରିଛନ୍ତି ।

