spot_img
Home Blog Page 1339

ଆମ୍ବ ଟାକୁଆ ଟ୍ରାଜେଡି: ଆଉ ଜଣଙ୍କ ମୃତ୍ୟୁ, ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

ଭୁବନେଶ୍ବର: ଟାକୁଆ ଟ୍ରାଜେଡିରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଜିତା ମାଝୀ । ଏହା ସହିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜିତାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ସରକାରକୁ କାଠଗଡ଼ାକୁ ଟାଣିଛି ବିଜେଡି । ମୃତ ଜିତା ମାଝୀଙ୍କ ଆମର ଆତ୍ମାର ସଦଗତି କାମନା କରିବା ସହ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏହାସହ ଆମ୍ବ ଟାକୁଆକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଆଭିମୁଖ୍ୟକୁ କଡ଼ା ଭାଷାରେ ନିନ୍ଦା କରିଛି ଦଳ ।

ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ସେ କହିଛନ୍ତି, ରାଜ୍ୟବାସୀ ଏ ଘଟଣାକୁ ଅନୁଭବ କରିବେ ଯେ ଖାଦ୍ୟ ବିନା ଆଜି ବି ଏକବିଂଶ ଶତାବ୍ଦୀରେ ମୃତ୍ୟୁ ଘଟୁଛି । ସମଗ୍ର ରାଜ୍ୟବାସୀଙ୍କ ପାଇଁ ଏହା ଏକ ଆହ୍ୱାନ । ଏ ବିଷୟରେ ସରକାର ଯେତେ ଫାଙ୍କିଲେ ଓ ମନ୍ତ୍ରୀମାନେ ସେହି ବର୍ଗକୁ ଯେତେ ଅପମାନିତ ବି କଲେ ସତକୁ ଲୁଚାଇ ପାରିବେନି । ଏଭଳି ଏକ ଅଭାବନୀୟ ଘଟଣାରେ କେହି କାହିଁକି ଦଣ୍ଡିତ ହେବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିଭଳି ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଓ ରାଧାକାନ୍ତ ସେଠୀ ମଧ୍ୟ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରୁଥିଲେ ବି ସେମାନଙ୍କ ପେଟର ଦୁଃଖ ବୁଝୁନାହାଁନ୍ତି । ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ଉଦଘାଟନୀ ଉତ୍ସବକୁ ଗଲେ ହେଲେ ଏସସିବି ଚିକିତ୍ସାଧୀନ ମାଣ୍ଡିପଙ୍କାର ମହିଳାଙ୍କୁ ଭେଟିଲେନି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଘଟଣା ପରଠାରୁ ଜିତା ଏସସିବିରେ ଚିକିତ୍ସିତ ହେଉଥିଲେ । ତାଙ୍କର କିଡନୀ ଓ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ କାମ କରୁ ନଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ । ଏବେ ବି ଜଣେ କଟକରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ଆଗରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଖାଦ୍ୟ ଅଭାବରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ମାଣ୍ଡିପଙ୍କା ଗାଁର କିଛି ମହିଳା ଆମ୍ଵ ଟାକୁଆରୁ ବାହାରୁଥିବା କୋଇଲି ଜାଉ ଖାଇଥଲେ । ଏଥିରେ ପ୍ରଥମେ ରୁନି ମାଝୀ ଏବଂ ରନିତା ପାଟମାଝୀଙ୍କ ମୃତ୍ୟୁ ଘଟିଥିଲା ।

ଲୋକଙ୍କୁ ପିଇବା ପାଣି ମୁନ୍ଦେ ଦେଇ ପାରୁନି ଡବଲ ଇଞ୍ଜିନ ସରକାର, ‘ହର ଘର ଜଲ୍’ ସ୍ଲୋଗାନ କେଉଁ କାମକୁ

ତାଳଚେର: ଫସର ଫାଟିଛି ସରକାରଙ୍କ ‘ହର ଘର ଜଲ୍’ ସ୍ଲୋଗାନ । ରାଜ୍ୟ ଓ କେନ୍ଦ୍ରରେ ବିଜେପିର ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ଏବେ ବି ଲୋକେ ସୁଦ୍ଧ ପିଇବା ପାଣି ମୁନ୍ଦେ ପାଇବାରୁ ହେଉଛନ୍ତି ବଞ୍ଚିତ । ଯାହାର ଜ୍ଵଳନ୍ତ ଉଦାହରଣ ହେଲା ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଗୁରୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବୋଇଦାମୁଣ୍ଡା ଗାଁରେ । ପାଣି ପାଇଁ ଦିନେ ୫୦ ପରିବାର ବସବାସ କରୁଥିବା ଗାଁ ଏବେ ଜନଶୂନ୍ୟ ହେବାକୁ ବସିଛି । ପିଇବା ପାଣି ସମସ୍ୟା ଭୋଗୁଥିବା ଲୋକେ ଗାଁ ଛାଡ଼ି ଅନ୍ୟତ୍ର ପକାଳ ଯାଉଥିବା ଅଭିଯୋଗ ହେଉଛି । ଗାଁରେ ଏବେ ବି ରହୁଥିବା ୨୫ ପରିବାରଙ୍କ ପାଖରେ ପିଇବା ପହଞ୍ଚାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।

ବୋଇଦାମୁଣ୍ଡା ଗାଁ । ପାଣି ଟାଙ୍କି ଅଛି, ପାଇପ୍ ମଧ୍ୟ ସଂଯୋଗ ହୋଇଛି । ହେଲେ ଆସୁନି ଆବଶ୍ୟକ ମୁତାବକ ପାଣି । ପ୍ରଶାସନ ପକ୍ଷରୁ ୩ଟି ନଳକୂପ ସହିତ ଗୋଟିଏ କୂଅ ଖନନ କରାଯାଇଥିଲା । ରକ୍ଷଣାବେକ୍ଷଣ ଅଭାବରୁ ଖୋଲା କୂଅ ପାଣି ଦୂଷିତ ହୋଇଯାଇଛି । ନଲକୂଅରୁ ୨ରୁ ୩ ଗରା ପାଣି ବାହାରିବା ପରେ କାଦୁଅ ପାଣି ବାହାରୁଛି, ଯାହା ପିଇବା ଅନୁପଯୋଗୀ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଖଣି ଅଞ୍ଚଳରେ ଧୀରେ ଧୀରେ ଜଳସ୍ତର ହ୍ରାସ ପାଉଥିବାରୁ ପିଇବା ପାଣି ମୁନ୍ଦେ ପାଇବା କଷ୍ଟକର ହୋଇପଡ଼ିଛି । ଅଭିଯୋଗ କଲେ ମଧ୍ୟ ସରକାରଙ୍କ ତରଫରୁ ପାନୀୟ ଜଳ ଯୋଗାଇ ଦେବାକୁ କୌଣସି ବ୍ୟବସ୍ଥା କରାଯାଉନାହିଁ । ସେପଟେ ଏଲ ଆଣ୍ଡ ଟି କମ୍ପାନୀର ପାଣି ପାଇପ୍ ଗାଁ ନିକଟରେ ଯାଇଥିବା ବେଳେ ଏହି ପାଣି ଗାଁକୁ ଯୋଗାଇ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ, ବୋଇଦାମୁଣ୍ଡା ଗାଁରେ ଗତ କିଛିବର୍ଷ ପୂର୍ବେ ୪୦ରୁ ୫୦ ପରିବାର ବସବାସ କରୁଥିଲେ । ଦୀର୍ଘ ବର୍ଷ ଧରି ପିଇବା ପାଣି ସମସ୍ୟା ଦେଖା ଦେଇଥିବାରୁ ଲୋକମାନେ ଗାଁ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ୨୦୦୧ ରେ ଗ୍ରାମବାସୀ ଓ କିଛି ଲୋକଙ୍କ ସହାୟତାରେ ବୋରୱେଲ ସହିତ ସୋଲାର ପ୍ରକଳ୍ପ ବସାଇ ପାଣି ବ୍ୟବସ୍ଥା ହୋଇଥିଲା । ଉକ୍ତ ବୋରୱେଲ ପାଣି ଖାରିଆ, ଗୋଳିଆ ରହିବାରୁ ତାହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି ।

ଏନେଇ ଗୁରୁଜାଙ୍ଗ ସରପଞ୍ଚ ଅମ୍ବିକା ତ୍ରିପାଠୀଙ୍କୁ ପଚାରିବାରୁ କୌଣସି ଅଭିଯୋଗ ତାଙ୍କ ପାଖକୁ ଆସି ନଥିବା କହିଛନ୍ତି । ସେପଟେ ଅଭିଯୋଗ ମିଳିଛି ଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ତାଳଚେର ବିଡ଼ିଓ ।

ଲଣ୍ଡନ ଧୂଆଁ ନେଇଥିଲା ୧୨ ହଜାର ଜୀବନ, କାହିଁକି ଶୀତଦିନେ ଦିଲ୍ଲୀରେ ବଢୁଛି ପ୍ରଦୂଷଣ ?

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଧୂଆଁମୟ ରାଜଧାନୀ ଦିଲ୍ଲୀ  । ପ୍ରତି ଅଞ୍ଚଳ AQI ସ୍ତର ଅତିକ୍ରମ କରିବାରେ ଲାଗିଛି  । ଦିଲ୍ଲୀ ଏନସିଆରରେ AQI ମାତ୍ରା ୪୬୨ ଅତିକ୍ରମ କରିବା ପରେ GRAP-4 ଲାଗୁ କରିଛନ୍ତି ସରକାର  । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି ଯେ କାହିଁକି ଶୀତଦିନେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି  ।  କେବଳ ଭାରତରେ ନୁହେଁ ଦୁନିଆର ଏଭଳି ଅନେକ ଦେଶରେ ସମାନ ସ୍ଥିତି  । ଗ୍ରେଟ୍‌ ସ୍ମଗ ଅଫ୍‌ ଲଣ୍ଡନ ଘଟଣାକୁ ଦେଖିଲେ ପ୍ରଦୂଷଣ ଯେ କେତେ ଜୀବନ ନେଇପାରେ ତାହା ଅନୁମାନ କରି ହୁଏ  ।

୧୯୦୦ ମସିହାରୁ ଲଣ୍ଡନକୁ ମାଡି ବସିଛି  ବାୟୁ ପ୍ରଦୂଷଣ । ବିଂଶ ଶତାବ୍ଦୀ ବେଳକୁ ଲଣ୍ଡନରେ ଏକ ଏମିତି ଅଘଟଣ ଘଟିଗଲା ଯାହା ସମଗ୍ର ଦୁନିଆକୁ ଦୋହଲାଇ ଦେଇଥିଲା  । ଡିସେମ୍ବର ୫ ତାରିଖ ୧୯୫୨ ମସିହା  । ହଠାତ୍‌ ଲଣ୍ଡନ ଆକାଶରେ ଘନ ଅନ୍ଧକାର ମାଡି ଆସିଲା  । ମାତ୍ର କିଛି କ୍ଷଣ ମଧ୍ୟରେ ଦିନ ଦ୍ବିପ୍ରହରରେ ରାତି ଘୋଟି ଆସିଲା  । ଅଫିସରୁ ଫେରୁଥିବା ଲୋକେ ବାଟ ହୁଡିଗଲେ । ଭିଜିବିଲିଟି ଏତେ ଖରାପ ଥିଲା ଯେ ଲୋକେ ନିଜ ପାଦ ବି ଦେଖିପାରୁ ନଥିଲେ  । ବହୁତ ଲୋକେ ଅନ୍ଧକାର ଯୋଗୁଁ ରାସ୍ତାରେ ଗାଡି ଅଟକାଇ ଚାଲିଚାଲି ଘରକୁ ଫେରିଥିଲେ  । କିନ୍ତୁ ବାୟୁ ପ୍ରଦୂଷଣ ସାଙ୍ଗକୁ ଅତ୍ୟଧିକ ଥଣ୍ଡାରେ ଅନେକ ପ୍ରାଣ ହରାଇଲେ  ।

ଚାରିରୁ ପାଞ୍ଚ ଦିନ ଲଗାତାର କୁହୁଡି ଯୋଗୁଁ ଲୋକେ ରୋଗାଗ୍ରସ୍ତ ହେଲେ । ଜ୍ବର, ବାନ୍ତି ଓ ଶ୍ବାସଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭିଡ ବଢିବାକୁ ଲାଗିଲା  । ଏତେ ସଂଖ୍ୟକ ରୋଗୀଙ୍କୁ ସମ୍ଭାଳିବାକୁ ହସ୍ପିଟାଲ ଅସମର୍ଥ ହେବା ପରେ ବଢିଚାଲିଲା ମୃତ୍ୟୁ ସଂଖ୍ୟା  । ଶ୍ବାସ ଜନିତ ସମସ୍ୟା କାରଣରୁ ବାର ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା  ।

ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବ୍ରିଟେନ ଲୋକେ ଘରେ କୋଇଲା ଜାଳି ଥାଆନ୍ତି  । କାରଖାନା ଗୁଡିକ ବି କୋଇଲାରେ ଚାଲିଥାଏ । ଡିସେମ୍ବର ୫ରେ ଏକ ଆଣ୍ଟି ସାଇକ୍ଲୋନ ଲଣ୍ଡନ ଉପରେ ସୃଷ୍ଟି ହୋଇଥିଲା  । ଏହାଦ୍ବାରା ଆକାଶ ତ ସଫା ରହିଥାଏ କିନ୍ତୁ ଏହା ସୃଷ୍ଟି ହେଲେ ଥଣ୍ଡା ବାୟୁ ତଳେ ଫସି ଯାଇଥାଏ  । ଏହା ଉପରେ ଗରମ ବାୟୁ ଜମା ହୋଇଯାଇଥାଏ  । ବୋତଲ ଉପରେ ଠିପି ଭଳି ଏହା ରହିଥାଏ  । ଯାହା ଫଳରେ ତଳେ ତରଳ ପଦାର୍ଥ ବା ବାୟୁ ଜମା ହୋଇ ରହିଥାଏ  । ଲଣ୍ଡନରେ ଠିକ୍‌ ଏଭଳି ହେଲା  । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଜଳୁଥିବା କୋଇଲା ଧୂଆଁ ଉପରକୁ ନ ଯାଇ ପାରି ସେଠାରେ ଅଟକି ରହିଲା  । ଏହା ହିଁ ଗ୍ରେଟ୍‌ ସ୍ମଗର କାରଣ ସାଜିଲା  ।

ପଚାଶ ଦଶକରେ ଏହି ଘଟଣା ପରେ ବ୍ରିଟିଶ ସରକାର କ୍ଲିନ୍‌ ଏୟାର ଆକ୍ଟ ପାସ୍‌ କଲେ । ଏଥିଯୋଗୁଁ ଘରେ କିମ୍ବା କାରଖାନାରେ କୋଇଲା ଜଳାଇବା ସମ୍ପୂର୍ଣ୍ଣ ବ୍ୟାନ କରାଗଲା  । ଏହାର ଦଶ ବର୍ଷ ପରେ ଲଣ୍ଡନରେ ପୁଣି ଥରେ ଏଭଳି ଘଟଣା ଘଟିଲା  । ଏହା ବି ଗ୍ରେଟ ସ୍ମଗ ୧୯୬୨ ନାମରେ ଜଣାଯାଏ  । ଏଥର କିନ୍ତୁ ମୃତ୍ୟୁସଂଖ୍ୟା ଏକ ହଜାରରେ ସୀମିତ ଥିଲା  ।

ଉତ୍ତର ଭାରତରେ ଶୀତଦିନେ ବାୟୁ ପ୍ରଦୂଷଣ ମାତ୍ରା କାହିଁକି ଅଧିକ ?

ଏହାର ବଡ କାରଣ ହେଉଛି ୱିଣ୍ଟର ଇନଭର୍ଜନ  । ସାଧାରଣତଃ ଯେତେବେଳେ ଆମେ ଉପର ଆଡକୁ ଆସିଥାଉ ପବନ ତାପମାତ୍ରା ଖସିଥାଏ  । ଶୀତଦିନେ ଉପର ବାୟୁ ଗରମ ଥିବାବେଳେ ତଳ ବାୟୁ ଥଣ୍ଡା ରହିଥାଏ  । ଏଥିଯୋଗୁଁ ଧୁଆଁ, ଧୂଳି ଓ ବାକି ଗ୍ୟାସ୍‌ ତଳେ ବୁଲିଥାଏ  । ଏହା ଉପରକୁ ଯିବା ପରିବର୍ତ୍ତେ ଧୂଆଁ ରୂପେ ଦେଖାଦିଏ  । ଏଠାରେ ପ୍ରଶ୍ନ ଉଠୁଛି  ଯେ ଶୀତଦିନେ ଏହି ପାର୍ଟନ ଯଦି ସବୁଆଡେ ଦେଖାଦିଏ ତେବେ ଦିଲ୍ଲୀ ଏନସିଆରରେ ସବୁଠାରୁ ଖରାପ ସ୍ଥିତି କଣ ପାଇଁ ?

ସମୁଦ୍ର ନିକଟସ୍ଥ ସହରରେ ପ୍ରଦୂଷଣ ଚାରିଆଡେ ଖେଳିଯିବା ପାଇଁ ସାମୁଦ୍ରିକ ପବନ ସାହାଯ୍ୟ କରିଥାଏ  । ସେପଟେ ଉତ୍ତର ଭାରତରେ ପଞ୍ଜାବ, ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଏକ ଘାଟି ସଦୃଶ କାମ କରେ  । ପ୍ରଦୂଷିତ ପବନ ସେଠାରେ ଜମା ହୋଇ ବାହାରକୁ ଯାଇପାରେ ନାହିଁ  । ଅନ୍ୟପଟେ ଖରାଦିନେ ସୂର୍ଯ୍ୟଙ୍କ ଉତ୍ତାପ କାରଣରୁ ବାୟୁ ହାଲୁକା ହୋଇ ଉପରକୁ ଉଠି ଯାଇଥାଏ  ।

ଦାଦନ ଖଟିବାକୁ ଯାଇ ହସ୍ପିଟାଲରେ ପଡ଼ିଛି ପୁଅ, ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ବୃଦ୍ଧ ବାପାମାଆଙ୍କ ଆକୁଳ ନିବେଦନ

ଉମରକୋଟ: ଘରେ ବୃଦ୍ଧ ବାପାମାଆ । ରୋଜଗାର ଆଶାରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ଦୁଇ ମାସ ତଳେ ବିବାହ କରିଥିବା ପୁଅ । ହେଲେ ସେଠାରେ କାମ କରିବା ବେଳେ ଖସିପଡ଼ି ଭାଙ୍ଗି ଯାଇଛି ହାତ, ଗୋଡ଼ ଓ ଅଣ୍ଟା । ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଏପଟେ ପୁଅର ଚିକିତ୍ସା ପାଇଁ ଜମିବାଡ଼ି ବିକି ସର୍ବଶାନ୍ତ ହୋଇ ସାରିଲେଣି ବାପାମାଆ । ଆଉ କିଛି ସାହା ଭରଷା ନଥିବାରୁ ପୁଅ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ କରୁଛନ୍ତି ଆକୁଳ ନିବେଦନ । ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ  ୟୁଭି-୫୨ର । ଅଭିଜିତ ମଜୁମଦାର ନାମକ ଯୁବକ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଛାତ ସଟ୍ରିଂ କରୁଥିବା ବେଳେ ଖସିପଡ଼ି ଗୋଡ଼, ହାତ ଓ ଅଣ୍ଟା ଭାଙ୍ଗି ଯାଇଛି । ସେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ଏପଟେ ଅସୁସ୍ଥ ପୁଅର ଫଟୋ ଧରି ଭାଳି ହେଉଛନ୍ତି ବୁଢ଼ା ବାପା ମାଆ । ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି । ଯେଉଁ ରୋଜଗାରିଆ ପୁଅ ଦିନେ ଅର୍ଥ ଉପାର୍ଜନ କରି ଘର ଚଳାଉଥିଲା, ସେ ଆଜି ମେଡିକାଲ ପଡ଼ିଛି । ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ଅଭିଜିତ । ଦୁର୍ଘଟଣା ପରେ ଠିକାଦାର ଅଭିଜିତଙ୍କୁ ହାଇଦ୍ରାବାଦ ମେଡିକାଲରେ ଛାଡ଼ି ଦେଇ ଦାୟିତ୍ଵ ସାରିଦେଇଛନ୍ତି । ଅଭିଜିତ ଏବେ ବିଶାଖାପାଟଣାର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିଏସକେଓ୍ବାଇ ଯୋଜନାରେ ଚିକିତ୍ସା ହୋଇଥିଲା । ବାପା ଲବ ମଜୁମଦାର ମଧ୍ୟ ଜମି ବିକ୍ରି କରି ୫ ଲକ୍ଷ ଟଙ୍କା ପଠାଇଥିଲେ । ବର୍ତ୍ତମାନ ଚିକିତ୍ସା ପାଇଁ ଆହୁରି ୮ରୁ ୧୦ ଲକ୍ଷ ଟଙ୍କା ଆବଶ୍ୟକ ଥିବା ଡାକ୍ତର କହୁଥିବା ବେଳେ ଅର୍ଥ ସାଜିଛି ବାଧକ । ପୁଅର ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ବୃଦ୍ଧ ଦମ୍ପତି ଅନୁରୋଧ କରିଛନ୍ତି ।

୨ ମାସ ତଳେ ଉମରକୋଟ ୟୁଭି-୫୨ ବାସିନ୍ଦା ଅଭିଜିତ୍ ବିବାହ କରିଛନ୍ତି । ପରିବାର ପ୍ରତିପୋଷଣ ପାଇଁ ସୁଦୂର ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ । ପରିବାର ପୋଷଣ କରିବେ କ’ଣ କିପରି ଚିକିତ୍ସିତ ହୋଇ ଘରକୁ ଫେରିବେ ସେଇ ଚିନ୍ତାରେ ମେଡିକାଲ ବେଡରେ ପଡ଼ି ରହିଛନ୍ତି । ପନିପରିବା ବିକ୍ରି କରି ନିଜେ ଚଳିବା କଷ୍ଟକର ହୋଇପଡୁଥିବା ବେଳେ ପୁଅର ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆଣିବେ ସେଇ ଚିନ୍ତାରେ ବୃଦ୍ଧ ବାପାମାଆ ।

ଘଟଣା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚରାଯିବାରେ ସେ ଦାୟିତ୍ଵହୀନ ମନ୍ତବ୍ୟ ଦେଇ ହାତ ଟେକିଦେଇଛନ୍ତି । ଅଭିଜିତ ଜିଲ୍ଲା ଶ୍ରମ ବିଭାଗରେ ପଞ୍ଜିକରଣ କରିନାହାନ୍ତି । ଦୁର୍ଘଟଣା ବିଷୟରେ ସବିଶେଷ ତଥ୍ୟ ମିଳିଲେ ସରକାରଙ୍କୁ ଲେଖିବୁ ବୋଲି ସେ କହିଛନ୍ତି । ଦାୟିତ୍ଵହୀନ ମନ୍ତବ୍ୟ ଦେଇ ଜିଲ୍ଲା ଶ୍ରମ ଅଧିକାରୀ ଆଦାଲତର ଆଶ୍ରୟ ନେବାକୁ କହିଥିବା ବେଳେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲର ବେଡରେ ପଡ଼ିଥିବା ଅଭିଜିତ ଓ ବୃଦ୍ଧ ଦମ୍ପତିଙ୍କ ପାଇଁ କିଏ ଶାହା ହେବ ତାକୁ ନେଇ ଉଠିଛି ପ୍ରଶ୍ନ ।

ବିଦ୍ୟୁତ ଆଘାତରେ ୩ ହାତୀଙ୍କ ମୃତ୍ୟୁ ଘଟଣା, ୪ ଅଟକ

ସମ୍ବଲପୁର: ବିଦ୍ୟୁତ ଆଘାତରେ ୩ଟି ହାତୀଙ୍କ ମୃତ୍ୟୁ ଘଟଣାରେ ୪ ଜଣ ଅଟକ । ବିଦ୍ୟୁତ୍ ତାର ବିଛାଇଥିବା ଅଭିଯୋଗରେ ଅଟକ ରହିଛନ୍ତି ।

ଆଜି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ଘୁସରାମାଲ ପଞ୍ଚାୟତରୁ ହାତୀଙ୍କ ମୃତଦେହ ଉଦ୍ଧାର କରିଥିଲା ବନ ବିଭାଗ । ମୃତ ହାତୀଙ୍କ ମଧ୍ୟରୁ ୨ଟି ବଡ଼ ହାତୀ ଥିବା ବେଳେ ଗୋଟିଏ ଛୁଆ ହାତୀ ରହିଛି । ତେବେ ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ଆଘାତ ଯୋଗୁଁ ହାତୀ ଗୁଡିକର ମୃତ୍ୟୁ ହୋଇଥିବା ଜଣାପଡିଛି ।

ବାରହା ଶିକାର ପାଇଁ ବିଛାଇଥିବା ତାର ଲାଗି ୩ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ ପାଟ୍ରୋଲିଂ କରୁଥିବା ହାତୀ ସ୍କ୍ୱାଡ ବନ କର୍ମଚାରୀଙ୍କ ତ୍ରୁଟି ରହିଥିବା କହିଛନ୍ତି ପିସିସିଏଫ୍ । ପୋଲିସକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯେଉଁ ବିଭାଗୀୟ କର୍ମଚାରୀଙ୍କ ତ୍ରୁଟି ଥିବା ଜଣାପଡ଼ିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯିବ ବୋଲି ପିସିସିଏଫ କହିଛନ୍ତି ।

‘ଆମକୁ ରାସ୍ତା ଦିଅ, ନହେଲେ ଇଚ୍ଛାମୃତ୍ୟୁ ଦିଅ’

ସୋନପୁର: ରାସ୍ତା ପାଇଁ ଦମ୍ପତି ଦାବି କରି କରି ଥକି ଯିବା ପରେ ମାଗିଛନ୍ତି ଇଚ୍ଛାମୃତ୍ୟୁ ପାଇଁ ଅନୁମତି । ଆମକୁ ରାସ୍ତା ଦିଅ ନହେଲେ ଇଚ୍ଛାମୃତ୍ୟୁ ଦିଅ । ଏମିତି ଦାବି ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି ସୋନପୁର ସହର ଗ୍ରୀଡ୍ କୋଲୋନୀର ସାଧୁ ଚରଣ ପାଣୀଗ୍ରାହୀ ଏବଂ ତାଙ୍କ ପତ୍ନୀ ।

ନିଜ ଘରକୁ ସବୁ ଦିନିଆ ରାସ୍ତା ପାଇଁ ଦାବି କରି ଆମରଣ ଅନସନରେ ବସିଛନ୍ତି ଦମ୍ପତି । ଗତ କିଛି ବର୍ଷ ତଳେ ସାଧୁ ଚରଣ ପାଣୀଗ୍ରାହୀ ଘର କିଣିଥିବା ବେଳେ ଘରକୁ ସବୁଦିନିଆ ରାସ୍ତା ବି ଥିଲା । ଉକ୍ତ ରାସ୍ତାକୁ ପଡ଼ୋଶୀ ହରି ସାହୁ ଓ ରତ୍ନାକର ସହୁ ମିଶି ସିମେଣ୍ଟ ବାଡ଼ ଦେଇ ଅବରୋଧ କରିଛନ୍ତି । କୌଣସି ଜରୁରୀ କାମ ବା ମେଡିକାଲ କାମ ପଡ଼ିଲେ ଏହି ପରିବାରକୁ ବହୁ ଅସୁବିଧାରେ ଯିବା ଆସିବା କରିବାକୁ ପଡୁଛି । କିଛି ଦିନ ତଳେ ସ୍ତ୍ରୀଙ୍କୁ ମେଡିକାଲ ନେବା ପାଇଁ ଅଗ୍ନିଶମ ବାହିନୀର ସହାଯ୍ୟ ନେବାକୁ ମଧ୍ୟ ପଡିଥିଲା । ରାସ୍ତା ପାଇଁ  ଥାନାଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ କେହି ନଶୁଣିବାରୁ ବ ଧ୍ୟହୋଇ ଦମ୍ପତି ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିବା ସହିତ ଆମରଣ ଅନଶନରେ ବସିଛନ୍ତି ।

ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଥିବା ସହିତ ଉପଜିଲ୍ଲାପାଳଙ୍କୁ ରାସ୍ତା ଦେବା ପାଇଁ କହିଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ସମୀର ଦେଙ୍କ ଶେଷକୃତ୍ୟ, ଦିଆଗଲା ଗାର୍ଡ ଅଫ୍ ଅନର୍

କଟକ: ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ପରଲୋକ । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ସମୀର ଦେଙ୍କ ପରଲୋକ ହୋଇଛି । କଟକ ସିଡିଏ ବାସଭବନରେ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ସେହିପରି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସିଡିଏ ସ୍ଥିତ ତାଙ୍କ ଘରେ ଦିଆଯିବ ରାଷ୍ଟ୍ରୀୟ ମର୍ଯ୍ୟାଦା ।

ପ୍ରଥମେ ବିଧାନସଭା ଓ ପରେ ରାଜ୍ୟ ବିଜେପି କର୍ଯ୍ୟଳୟକୁ ନିଆଯିବ ପାର୍ଥିବ ଶରୀର । ତା’ପରେ କଟକ ସ୍ଥିତ ନିମସାହି ବାସଭବନକୁ ନିଆଯିବ । ଖାନନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହେବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

ସମୀର ଦେଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ ।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ରାଜ୍ଯ ବିଜେପିର ଜଣେ ଟାଣୁଆ ନେତା । କଟକ ବିଧାନସଭା ଆସନରୁ ସେ ଲଗାତାର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ବିଜେପି-ବିଜେଡି ମେଣ୍ଟ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ସମୀର । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ । ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୯ ପରଠୁ ଆଉ ନିର୍ବାଚନରେ ବିଜୟୀ ହୋଇପାରି ନଥିଲେ ସମୀର । ୨୦୦୯ରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ଠାରୁ ପରାଜିତ ହୋଇଥିବା ବେଳେ, ୨୦୧୯ରେ ତୃତୀୟ ସ୍ଥାନରେ ରହିଥିଲେ । ଗତ ଜୁଲାଇ ମାସରେ ସେ ଫୁଟବଲ୍ ଆସୋସିଏସନ ଅଫ୍ ଓଡ଼ିଶା ବା ଓଡ଼ିଶା ଫୁଟବଲ ସଂଘ ବା ଫାଓର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

ସମୀର ଦେ ୧୯୫୭ ମସିହା ଜାନୁଆରୀ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅତୁଲ ପ୍ରସାଦ ଦେ ଓ ପତ୍ନୀଙ୍କ ନାମ ଦୀପିକା ଦତ୍ତ ରାୟ । ଓକିଲାତି କରିବା ପରେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ ସମୀର ଦେ ।

ସମୀର ଦେଙ୍କ ପରଲୋକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପରଲୋକ । ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ସମୀରଙ୍କ ପରଲୋକ ଖବର ପାଇବା ପରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ କରି ନବୀନ ଶୋକ ପ୍ରକାଶ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି, ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଦୀର୍ଘ ସମୟ ଧରି ଲୋକଙ୍କ ସେବା ଓ ଉନ୍ନତି ଦିଗରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ଆମର ଆତ୍ମାଗର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ ।

ସୂଚନାଯୋଗ୍ୟ, ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ କଟକ ବିଧାନସଭା ଆସନରୁ ସେ ବିଜୟୀ ହୋଇଥିଲେ । ବିଜେପି-ବିଜେଡି ମେଣ୍ଟ ସରକାରରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ ।

ବିଜେଡି ବିରୋଧରେ କହିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି

ଭୁବନେଶ୍ବର: ଓଡ଼ିଶାକୁ ବିକାଶ ଦିଗରେ ଆଗେଇ ନେବାକୁ ଶାସକ ବିଜେପି କାମ କରୁ । ବିରୋଧୀ ଦଳରେ ଥିବା ବେଳେ ବିଜେପି ଯେଉଁ ସବୁ ଦାବି କରୁଥିଲା, ତାହାକୁ ପୂରଣ କରୁ । ଏବେ ଶାସକ ଗାଦିକୁ ଆସିବା ପରେ ବିଜେପିର ଅଭ୍ୟାସ ହୋଇଯାଇଛି, ପ୍ରତ୍ୟେକ ଦିନ ବିଜେଡ଼ି ବିରୋଧରେ ବୟାନବାଜି କରିବା । ବିଜେପିର ଏପରି ଆଭିମୁଖ୍ୟ ପାଇଁ ୫ ମାସ ଭିତରେ ଓଡ଼ିଶାବାସୀ ସରକାରରୁ ମୁହଁ ଫେରାଇଲେଣି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ବିଜେଡ଼ି ସଶକ୍ତ ବିରୋଧୀ ଦଳ ଭାବେ ନିଜର ଦାୟିତ୍ଵ ତୁଲାଇ ଜନତାଙ୍କ ସ୍ଵର ସାଜିଛି । ବିଜେପି କିନ୍ତୁ ବିଜେଡ଼ି ନେତାଙ୍କ ଅଭିଯୋଗର କଡ଼ା ଜବାବ ଦେଇ କହିଛି, ବିରୋଧୀ ଗଠନମୂଳକ ପ୍ରସ୍ତାବ ଦେବା ଆବଶ୍ୟକ । ଏହାକୁ ନେଇ ଉଷ୍ଣ ହୋଇଛି ରାଜ୍ୟ ରାଜନୀତି ।

୫ ମାସର ବିଜେପି ସରକାରର କାମକୁ ନେଇ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ଏଥର ବିଜେପିକୁ ଓଡ଼ିଶାବାସୀ ଦାୟିତ୍ଵ ଦେଇଥିଲେ । କିନ୍ତୁ ୫ ମାସ ହେଲା କେଉଁଠି ବି କାମ ହୋଇପାରୁନାହିଁ । ଲୋକେ ଏହା ବୁଝିଲେଣି । ଧୀରେ ଧୀରେ ସେମାନେ ବିଜେପି ସରକାରରୁ ମୁହଁ ଫେରାଇଲେଣି । ଭାରତରେ ପ୍ରଥମ ଥର ସରକାର ଗଠନ ହେବାର ମାତ୍ର ୫ ମାସ ପରେ ଏପରି ସ୍ଥିତି ଦେଖିବାକୁ ମିଳୁଛି ।  ନିର୍ବାଚିତ ସରକାର ପ୍ରତି ଲୋକେ ମୁହଁ ଫେରାଇବା ଭାରତ ରାଜନୀତିର ଏକ କେସଷ୍ଟଡି ହେବ ବୋଲି ବିଜେପି ସରକାରକୁ କଟାକ୍ଷ କରି କହିଛନ୍ତି ବିଜେଡ଼ିର ବରିଷ୍ଠ ବିଧାୟକ ଅରୁଣ ସାହୁ ।

ବିଜେପି ବିରୋଧୀ ଦଳରେ ଥିବା ବେଳେ ଯେଉଁ ସବୁ ଦାବି ପୂରଣ ଓ ବିକାଶ ପାଇଁ ସ୍ଵର ଉଠାଉଥିଲା ତାହାକୁ ଏବେ ପୂରଣ କରୁ ବୋଲି ସେ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ଦିନ ବିଜେଡ଼ି ବିରୋଧରେ ଅପ୍ରଚାରର ଅଭ୍ୟାସ ଛାଡ଼ି ଓଡ଼ିଶାବାସୀ ଦେଇଥିବା ଦାୟିତ୍ବ  ଠିକ୍ ଭାବେ ସଂପାଦନ କରିବାକୁ ଓ ଓଡ଼ିଶାକୁ ଆଗେଇ ନେବାକୁ ପରାମର୍ଶ ଦେଇଛି ବିଜେଡି ।

୨୦୨୪ ନିର୍ବାଚନରେ ବିଜେପିଠାରୁ ଅଧିକ ଭୋଟ ପାଇଛି ବିଜେଡି । ତୃଣମୂଳସ୍ତରେ  ସଂଗଠନ ମଜବୁତ ରହିଛି । ପ୍ରଥମ ଥର ଲାଗି ଓଡ଼ିଶା ବିଧାନସଭାରେ ସଶକ୍ତ ବିରୋଧୀ ଦଳର ଭୂମିକା ସଂପାଦନ କରୁଛି  ବିଜେଡ଼ି । ୫୧ ଜଣ ବିଧାୟକ ବିଧାନସଭାରେ ଓଡ଼ିଶାବାସୀଙ୍କ ସ୍ଵର ସାଜିଛନ୍ତି । ତେଣୁ ବିଜେଡ଼ିକୁ କେହି କେବେ ଭାଙ୍ଗିପାରିବେ ନାହିଁ ବୋଲି ବିଜେଡ଼ି ବିଧାୟକ କଳିକେଶ ସିଂହଦେଓ କହିଛନ୍ତି ।

ଶାସନରେ ଥିବା ବେଳେ ବିଜେଡ଼ି ଯେପରି ଜନସେବା କରୁଥିଲା, ବିରୋଧୀ ଦଳରେ ରହି ମଧ୍ୟ ଲୋକଙ୍କ ସ୍ବର ସାଜି ଶାଣିତ ଆକ୍ରମଣ କରୁଛି ସରକାରଙ୍କୁ । ଏହାସହ ସଦସ୍ୟ ଅଭିଯାନ ଓ ସାଂଗଠନିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି । ଆଗକୁ ବିଜେଡ଼ି ସୁପ୍ରିମୋ ଜିଲ୍ଲା ଗସ୍ତ କରି ତୃଣମୂଳସ୍ତରରେ ସଂଗଠନ କଥା ସମୀକ୍ଷା କରିବେ, ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବେ । ବିଜେଡିରେ ଏହା ଶକ୍ତି ଭରି ଦେଇଥିବା ବେଳେ ଶାସକ ବିଜେପି ଚିନ୍ତାରେ ପଡ଼ିଛି ।

ତରଭାରେ ସିରିଜ ଲୁଟ୍: ମାତିଲା ଲୁଟେରା, ମନ୍ଦିର ଓ ଦୋକାନ ଲୁଟିଲେ

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିରେ ସିରିଜ ଲୁଟ୍ । ଲୁଟେରାଙ୍କ ଟାର୍ଗେଟରେ ମନ୍ଦିରଠାରୁ ଆରମ୍ଭ କରି ଦେକାନ । ଦୁଇ ଦୁଇଟି ମନ୍ଦିର ହୁଣ୍ଡିରୁ ଲୁଟିବା ସହ ଗୋଟିଏ ଦୋକାନରେ ବୁଲାଇଲେ କଳାକନା ।

ସହରରେ ଥିବା ବଡ଼ବନ୍ଧ ଶିବ ମନ୍ଦିର, ନୂଆପଡା ଶନି ମନ୍ଦିରର ଦାନବାକ୍ସ ଭାଙ୍ଗା ଯାଇ ହୋଇଛି ଲୁଟ । ଉଭୟ ମନ୍ଦିରର ଦାନ ବାକ୍ସରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ସେହିପରି ତରଭା ବ୍ଲକ ସାମ୍ନାରେ ଥିବା ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦୋକାନରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ତରଭା ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ତରଭା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।