କୋଲକାତା :ଆନ୍ଦୋଳନରୁ ଓହରିଲେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ। କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ। ଶୀତଳଭଣ୍ଡାର କର୍ମଚାରୀ ମଧ୍ୟ ଆନ୍ଦୋଳନରୁ ଓହରିଛନ୍ତି। ଆଜିଠୁ ଶୀତଳ ଭଣ୍ଡାରରୁ ପୂର୍ବପରି ଆଳୁ ବାହାରକୁ ଆସିବ ବୋଲି ସମ୍ଭାବନା କରାଯାଉଛି। ହୋଲସେଲ୍ ଓ ରିଟେଲ ମାର୍କେଟକୁ ଆଳୁ ପଠାଯିବ। ଯେପରି ଆଳୁ ଅନ୍ୟ ସ୍ଥାନକୁ ଯାଉଥିଲା ତାହା ପୂର୍ବପରି ଚାଲିବ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ପରେ ଓଡ଼ିଶାକୁ ଆଳୁ ଆସିବ ବୋଲି ଆଶା କରାଯାଉଛି। ତେବେ କେବେ ଆଳୁ ଆସିବ, ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡ଼ି ନାହିଁ। ପଶ୍ଚିମବଙ୍ଗ ସରକାର ରାଜ୍ୟ ବାହାରକୁ ଆଳୁ ଚାଲାଣ ଉପରେ ରୋକ୍ ଲଗାଇଥିଲେ। ଏହାର ପ୍ରତିବାଦରେ ଶୀତଳ ଭଣ୍ଡାର ଆଳୁ ବ୍ୟବସାୟୀ ଓ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଆଳୁ ବ୍ୟବସାୟୀମାନେ ସୋମବାରଠାରୁ ଆନ୍ଦୋଳନରେ ବସିଥିଲେ। ଯାହାଫଳରେ ରାଜ୍ୟ ଭିତରେ ଆଳୁ ଚାଲାଣ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଖାଉଟି ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସଂଘର ଦାବି, ବର୍ତ୍ତମାନ ମହଜୁଦ୍ ଥିବା ଅଢ଼େଇ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ରାଜ୍ୟ ବାହାରକୁ ଚାଲାଣ ନହେଲେ ନଷ୍ଟ ହୋଇଯିବ। ତେଣୁ ଯଥାଶୀଘ୍ର ଆଳୁ ଚାଲାଣ ପାଇଁ ରାଜ୍ୟ ସରକାର ଅନୁମତି ଦିଅନ୍ତୁ ବୋଲି ସଂଘ ଦାବି କରିଥିଲା।
ଆସନ୍ତାକାଲି ନୌସେନା ଦିବସରେ ଯୋଗଦେବେ ରାଷ୍ଟ୍ରପତି
ପୁରୀ: ନୌସେନା ଦିବସରେ ଦମ ଦେଖାଇବେ ନୌବୀର । ୩ ବାହିନୀର ରଣ କୌଶଳରେ କମ୍ପିବ ପୁରୀ ବ୍ଲୁଫ୍ଲାଗ ବିଚ୍ । ସାମିଲ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପ୍ରଥମେ ସମଙ୍ଗ ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ସ୍ୱତନ୍ତ୍ର ହେଲିକପ୍ଟର ଅବତରଣ କରିବେ । ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ କାର୍ଯ୍ୟକ୍ରମ ପରେ ପୁରୀ ଭିଆଇପି ରୋଡ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟକୁ ଯିବେ l କଲେଜର ୭୫ ତମ ହୀରକ ଜୟନ୍ତୀ ସମାରୋହରରେ ଯୋଗଦେବେ । ପରେ ରାଷ୍ଟ୍ରପତି ରାଜଭବନକୁ ଯିବାସହ ସେଠାରେ ଦ୍ବିପହର ଭୋଜନ କରିସାରି ଅପରାହ୍ନ ପ୍ରାୟ ୩ଟା ୫୦ ସମୟରେ ବ୍ଲୁଫ୍ଲାଗ ବିଚରେ ନୌସେନା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ । ସନ୍ଧ୍ୟା ୫ଟା ୪୫ମିନିଟ ପର୍ଯ୍ୟନ୍ତ ରାଷ୍ଟ୍ରପତି ବ୍ଲୁଫ୍ଲାଗ ବିଚରେ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସ୍ୱତନ୍ତ୍ର କାରକେଡ ରିହର୍ସାଲ କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ସାଧା ପୋଷାକରେ ପୋଲିସ ଫୋର୍ସ ମୁତୟନ ରହିବେ l ସେହିପରି ସମୁଦ୍ରକୁଳ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ ନେଇ କଟକଣା ଲାଗୁ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି କାନ୍ତିରେ ଶୃଙ୍ଖଳିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି । ସକାଳୁ ଦ୍ୱାର ପିଟା ଯିବା ସହ ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ଶେଷ କରାଯାଇ ଅବକାଶ ବେଶ ଅନୁଷ୍ଠିତ ହେବ l ପ୍ରାୟ ୧୦ ଟା ୧୫ ମିନିଟ ସମୟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡାଙ୍କ ସମେତ ଅନାନ୍ୟ ସେବାୟତ ସ୍ବାଗତ କରିବା ସହ ପୂଜାରେ ସହଯୋଗ କରିବେ । ଶ୍ରୀମନ୍ଦିର ଭିତରେ ମାଆ ବିମଳା ଓ ଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ନୀଳଚକ୍ରକୁ ମଧ୍ୟ ଦର୍ଶନ କରିବେ । ତେବେ ଆଜି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ଆଲୋଚନା କରାଯାଇନଥିବାରୁ କୌଳିକ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି l
ମେଟ୍ରୋ ପ୍ରକଳ୍ପକୁ ନେଇ କଂଗ୍ରେସର ହଲ୍ଲାବୋଲ
ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପକୁ ନେଇ କଂଗ୍ରେସର ହଲ୍ଲାବୋଲ । ବ୍ଳାକ ଲିଷ୍ଟେଡ କମ୍ପାନୀକୁ କାମରୁ ଅନ୍ତର କରିବାକୁ ଦାବି । ରିଟେଣ୍ଡର କରି ନୂଆ ସ୍ବଚ୍ଛ କମ୍ପାନୀକୁ ଦିଅ ଦାୟିତ୍ବ । ଗୁଜୁରାଟୀ କମ୍ପାନୀ ବୋଲି ରାଜ୍ୟ ସରକାର ଦେଖାଇଛନ୍ତି ଅନୁକମ୍ପା । କାମ ଯଦି କରିପାରୁନ ତେବେ ୨୪ ବର୍ଷର ନବୀନ ସରକାରଠୁ ଶିଖ କହି କଟାକ୍ଷ କଲେ ଯୁବ କଂଗ୍ରେସ ନେତା । ଟେଣ୍ଡର ବାତିଲ ନ ହେଲେ ଠିକା ସଂସ୍ଥାକୁ କାମ କରାଇ ନ ଦେବାକୁ ଚେତାବନୀ । ଭୁବନେଶ୍ବରବାସୀଙ୍କୁ ମେଟ୍ରୋ ସୁବିଧା ଯୋଗାଇ ଦେବାକୁ ତତ୍କାଳୀନ ନବୀନ ସରକାର ଉଦ୍ୟମ ଆରମ୍ଭ କରିଥିଲେ । କେନ୍ଦ୍ର ସରକାର ନୁହେଁ କେବଳ ରାଜ୍ୟ ସରକାରଙ୍କ ଅର୍ଥରେ ଏହି ପ୍ରକଳ୍ପ ଠିଆ କରିବାକୁ ନବୀନ ଘୋଷଣା କରିଥିଲେ । କିନ୍ତୁ ନୂଆ ସରକାର ଆସିବା ପରେ କଳା ତାଲିକାଭୁକ୍ତ ଠିକା କମ୍ପାନୀ ରଞ୍ଜିତ ବିଲ୍ଡକନ କୁ ଟେଣ୍ଡର ଦେଇଦେଲେ । ବିଭିନ୍ନ ରାଜ୍ୟରେ କମ୍ପାନୀ ନାଁରେ ମାଳମାଳ ମାମଲା ଥିବା ବେଳେ ରାଜ୍ୟ ବିଜେପି ସରକାର କିଭଳି ଜାଣିପାରିଲେନାହିଁ ସେ ନେଇ ପ୍ରଶ୍ନ କରିଛି ଦଳ । ପ୍ରତିବାଦରେ ପ୍ରକଳ୍ପ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ ।
ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ଏୟାରପୋର୍ଟରୁ ରାଜମହଲ, ମାଷ୍ଟରକ୍ୟାଣ୍ଟିନ୍, ରାମମନ୍ଦିର, ରୂପାଲି ଛକ ଦେଇ ଚନ୍ଦ୍ରଶେଖରପୁର ରାସ୍ତାରେ କାମ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ କମ୍ପାନୀ ପକ୍ଷରୁ ବ୍ୟାରିକେଟିଂ କରି ମାଟିଖୋଳା ଚାଲିଛି । କିନ୍ତୁ ଏହି କମ୍ପାନୀ ମେଟ୍ରୋ କାମ କରିବା ପାଇଁ କେତେ ଦକ୍ଷ ସେନେଇ ପ୍ରଶ୍ନ କରିଛି କଂଗ୍ରେସ । ରଞ୍ଜିତ ବିଲ୍ଡକନ୍ ବିଜେପିକୁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ଇଲେକ୍ଟ୍ରୋରାଲ ବଣ୍ଡ ଦେଇଛି । ସେଥିପାଇଁ ବିଜେପି ନେତାଙ୍କ ପ୍ରରୋଚନାରେ ରାଜ୍ୟ ସରକାର କଳାତାଲିକା ଭୁକ୍ତ କମ୍ପାନୀକୁ କାମ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି ।
ବାଲିଘାଟ ନିଲାମ ହେଉ ନଥିବାରୁ ମାଲାମାଲ ମାଫିଆ , ବଢୁଛି ଚୋରା ବାଲି ଚାଲାଣ
ସୁନ୍ଦରଗଡ଼: ନିଲାମ ହେଉନି ବାଲିଘାଟ । ଚୋରା ଚାଲାଣ କରି ମାଲାମାଲ ମାଫିଆ । ନାମକୁମାତ୍ର ଚଢାଉ କରି ପ୍ରଶାସନ ଚୁପ ଥିବା ଅଭିଯୋଗ । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ନଦୀରୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ବାଲି ଚାଲାଣ । ବିଶେଷ କରି ରାତି ସମୟରେ ଶହଶହ ଟ୍ରିପ ଉଠାଯାଉଥିବା ଅଭିଯୋଗ ହୋଇଛି । ବାଲିଘାଟ ଗୁଡ଼ିକ ନିଲାମ ହୋଇ ନଥିବାରୁ ବାଲି ଚୋରାଇ ମାଲାମାଲ ହେଉଛନ୍ତି ମାଫିଆ । ଫଳରେ ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ । ଗୋଟିଏ ଟ୍ରାକ୍ଟର ବାଲି ୨୫ଶହ ଟଙ୍କା, ଗୋଟିଏ ଡମ୍ଫର ବାଲି ୮ ହଜାର ଟଙ୍କା ଓ ଗୋଟିଏ ହାଇୱା ବାଲି ୧୪ ହଜାର ଟଙ୍କାରେ ବିକ୍ରି ହେଉଛି । ଦୈନିକ ଶହ ଶହ ଟ୍ରିପ ବାଲି ଖୋଲାଖୋଲି ଭାବେ ଚୋରା ଚାଲାଣ ହେଉଥିଲେ ମଧ୍ୟ ଖଣି ଵିଭାଗ, ରାଜସ୍ଵ ଵିଭାଗ ଓ ଜଙ୍ଗଲ ଚୁପ ଥିବା ଅଭିଯୋଗ ହୋଇଛି ।
ବାରମ୍ବାର ଦାଵି ହେଉଥିଲେ ମଧ୍ୟ ବିଭାଗ ଆଖି ଦୃଷ୍ଟିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୩ ନଭେମ୍ବର ମାସରୁ ୨୦୨୪ ନଭେମ୍ବର ମାସ ମଧ୍ୟରେ ଇସ୍ପାତ ଓ ଖଣି ଵିଭାଗ ରାଉରକେଲା ଅଫିସ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୪୬ ଟି ଗାଡି ଜଵତ କରାଯାଇ ୯୬ ଲକ୍ଷ ୯୨ ହଜାର ୨୯୬ ଟଙ୍କା ଜଵତ କରାଯାଇଛି । ପାନପୋଷ ଵନ ଵିଭାଗ ପକ୍ଷରୁ ଗତ ଏକମାସ ମଧ୍ୟରେ ୨୦ ଟି ଗାଡି ଜଵତ କରାଯାଇଛି । ତେବେ ଆଖିଦୃଷ୍ଟିଆ କାର୍ଯ୍ଯାନୁଷ୍ଠାନ ନହେବାରୁ ମାତିଛନ୍ତି ମାଫିଆ ।
ଭୁଲରେ ବି ପିଅନ୍ତୁନି ଗଙ୍ଗାଜଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟରେ ସାଙ୍ଘାତିକ ତଥ୍ୟ
ହରିଦ୍ବାର: ସ୍ବଚ୍ଛ ଗଙ୍ଗା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତଥାପି ଗଙ୍ଗା ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛ ନୁହେଁ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାରେ ହରିଦ୍ବାରର ଗଙ୍ଗାଜଳ ପିଇବା ଯୋଗ୍ୟ ନୁହେଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ହରିଦ୍ବାରରେ ବୁଡ ପକାଇ ଗଙ୍ଗାଜଳ ପିଇଥାନ୍ତି ।
ଶାସ୍ତ୍ରରେ ଗଙ୍ଗାକୁ ମୋକ୍ଷଦାୟିନୀ କୁହାଯାଇଥାଏ । ଧର୍ମନଗରୀ ହରିଦ୍ବାରରେ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଥାନ୍ତି । ଗଙ୍ଗାରେ ବୁଡ ପକାଇ ଗଙ୍ଗାଜଳ ପାନ କରିବା ଏବେ ଶ୍ରଦ୍ଧାଳୁଙ୍କୁ ମହଙ୍ଗା ପଡିପାରେ । କାରଣ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାସିକ ସର୍ଭେରୁ ଜଣାପଡିଛି ଯେ ଗଙ୍ଗାଜଳରେ ଫିକଲ୍ କଲିଫର୍ମ ଅର୍ଥାତ ଅପପୁଷ୍ଟି ମାତ୍ରା ଅଧିକ ପରିମାଣରେ ରହିଛି । ରିପୋର୍ଟରେ ଗଙ୍ଗାଜଳ ବି ଶ୍ରେଣୀରେ ଆସୁଛି । ଏହାର ଅର୍ଥ ଯେ କେବଳ ଗଙ୍ଗାରେ ଗାଧୋଇ ହୋଇ ପାରିବ କିନ୍ତୁ ଏହା ପିଇବା ଯୋଗ୍ୟ ନୁହେଁ ।
ଗଙ୍ଗାଜଳକୁ ଶୁଦ୍ଧ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନମାମି ଗଙ୍ଗେ ଯୋଜନା ଚଳାଇଛନ୍ତି ।ସାମାଜିକ ଓ ଧାର୍ମିକ ସଙ୍ଗଠନ ମଧ୍ୟ ଏଥିପାଇଁ ସାହାଯ୍ୟ କରୁଛନ୍ତି । ଏସବୁ ପ୍ରୟାସରୁ ଗଙ୍ଗା ପ୍ରଦୂଷଣରେ କିଛି ମାତ୍ରାରେ ସୁଧାର ଆସିଛି । କିନ୍ତୁ ଆଜିବି ହରିଦ୍ବାରରେ ନାଳ ନର୍ଦ୍ଦମା ପାଣି ସିଧାସଳଖ ଗଙ୍ଗାରେ ମିଶୁଛି । ଏହା ସହ ବିନା ଟ୍ରିଟ୍ମେଣ୍ଟରେ ଅଧିକାଂଶ ଏସଟିପିରୁ ପାଣି ସିଧାସଳଖ ଗଙ୍ଗାରେ ମିଶୁଛି । .
ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ସନ୍ଥ ସ୍ବାମୀ ଶିବାନନ୍ଦ ଏଥିପାଇଁ ହରିଦ୍ବାରର ସାଧୁସନ୍ଥଙ୍କୁ ଦାୟୀ କରିଛନ୍ତି । ଗଙ୍ଗା କେବଳ ଏକ ନଦୀ ନୁହେଁ ବରଂ ଭାରତୀୟ ସଂସ୍କତିର ବଡ ଅଂଶ । ଶୁଦ୍ଧତା ଓ ପବିତ୍ରତା କଥା ଉଠିଲେ ଗଙ୍ଗାର ଉଦାହରଣ ଦିଆଯାଇଥାଏ । କିନ୍ତୁ ଧର୍ମନଗରୀ ହରିଦ୍ବାରରେ ଗଙ୍ଗା ନିଜର ଅସ୍ତିତ୍ବ ହରାଇ ସାରିଲାଣି ।



