spot_img
Home Blog Page 1340

ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ମରାମତି ଓ ଗଣତି ମଣତି କାମ ଶେଷ ହେବ !

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଗଣତି ମଣତିକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । କହିଲେ- ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାଇ ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି କାମ ଓ ଗଣତି ମଣତି କରାଯିବ l ଏବେ ଏଏସଆଇ ଖୁବ ଶୀଘ୍ର ମରାମତି କାମ ଆରମ୍ଭ କରିବ ।

ସେ କହିଛନ୍ତି, ଜାନୁଆରୀ ଶେଷ ସୁଦ୍ଧା ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ଓ ଗଣତି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମେ ମରାମତି ହେବା ପରେ ଗଣତି ମଣତି କରାଯିବ ବୋଲି ଏଏସଆଇକୁ ଅବଗତ କରାଯାଇଛି l ଏଏସଆଇ ରିପୋର୍ଟ ଅନୁଯାଇ ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସଠିକ ଭାବେ କରାଯିବ । ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଯାଇ ରତ୍ନଭଣ୍ଡାର ଭିତରେ ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯିବ । ଯାହାର ରେକର୍ଡ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିବ ବୋଲି ଜିଲ୍ଲପାଳ ସୂଚନା ଦେଇଛନ୍ତି l

ଭସାଣ ପାଇଁ ରାସ୍ତାରେ ଫସିଲେ ଲୋକେ, ପୋଲିସ ଭୋଜି ଖାଇବାରେ ବ୍ୟସ୍ତ !

ଅନୁଗୋଳ: ଭସାଣ ପାଇଁ ଲୋକେ ହେଉଥିଲେ ହନ୍ତସନ୍ତ । ୪ ଘଣ୍ଟା ଧରି ଲାଗି ରହିଲା ଟ୍ରାଫିକ ଜାମ୍ । ରାସ୍ତାରେ ସାଧାରଣ ଲୋକଙ୍କ ସହ ଆମ୍ବୁଲାନ୍ସ ବି ଅଟକି ରହିଲା । ଏମିତି କି ସେଇ ବାଟ ଦେଇ ଯାଉଥିବା କଣ୍ଠଶିଳ୍ପୀ ଅସୀମା ପଣ୍ଡା ମଧ୍ୟ ଟ୍ରାଫିକ୍ ଜାମରେ ଫସିଥିଲେ । ହେଲେ ସେହି ସମୟରେ ପୋଲିସ ନିଜ କାମ ଛାଡି ଭୋଜି କରି ଖାଉଥିବାକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ । ଯାହାକୁ ନେଇ ଅନୁଗୋଳ ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଅଭିଯୋଗ ଅନୁସାରେ ପୁରୁଣା ଅନୁଗୋଳ-କଟକ ଜାତୀୟ ରାଜପଥର ମହିଧରପୁର ଗାଁରେ ଗତକାଲି ସନ୍ଧ୍ୟାରେ କାର୍ତ୍ତିକେଶ୍ୱର ପୂଜାର ଭସାଣ ଉତ୍ସବ ଅନୁଷ୍ଠିତ ହେଉଥିଲା । ସେଥିପାଇଁ ରାସ୍ତା ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା । ଫଳରେ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ । ଅନ୍ୟ କୌଣସି ବାଇପାସ ରାସ୍ତା ନଥିବାରୁ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲେ ଲୋକ । ସାଧାରଣ ଲୋକଙ୍କ କଥା ଛାଡ, ଏପରିକି ଆମ୍ବୁଲାନ୍ସ  ଯିବା ପାଇଁ ମଧ୍ୟ ବାଟ ନଥିଲା । କଣ୍ଠଶିଳ୍ପୀ ଅସୀମା ପଣ୍ଡା ମଧ୍ୟ ଭିଟରେ ଫସିଥିଲେ । ଆଉ ଏହି ସମୟରେ ପୋଲିସ ଭୋଜି କରି ଖାଉଥିବା ଦେଖିବାକୁ ମିଳିଥିଲା । ଯାହାର ଲାଇଭ ସୋସିଆଲ ମିଡିଆରେ କରି କଣ୍ଠଶିଳ୍ପୀ ଦେଖାଇଥିଲେ ।

ଏବେ ପ୍ରଶ୍ନ ଉଠୁଛି, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ଧରି ଜାମରେ ଫସିଥିବା ବେଳେ ପୋଲିସ କେମିତି ଭୋଜି କରି ଖାଉଥିଲା । ତେବେ ଭୋଜି ଅଭିଯୋଗକୁ ପୋଲିସ ପକ୍ଷରୁ ଖଣ୍ଡନ କରାଯାଇଛି । ଭସାଣ ପାଇଁ ଦିନ ୧୨ଟାରୁ ପୋଲିସ ମୁତୟନ ହୋଇଥିବାରୁ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା । ଏମିତି ସମୟରେ ଭୋଜିଭାତ ହୋଇ ନଥାଏ ବୋଲି ଅନୁଗୋଳ ଏସଡିପିଓ ରମାକାନ୍ତ ମହାଳିକ କହିଛନ୍ତି । ଭସାଣ ବେଳେ ଓ୍ବାନ ଓ୍ବେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା । ଏହାସହ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଅଭିଯୋଗର ତଦନ୍ତ କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି ।

ଏଲଟିଆର ପୋଷ୍ଟ ନିଯୁକ୍ତି ବିଜ୍ଞାପନ ସ୍ଥଗିତ ପରେ ତେଜିଲା ଆନ୍ଦୋଳନ

ଭୁବନେଶ୍ବର: ଲିଭ ଟିଚର ରିଜର୍ଭ (ଏଲଟିଆର) ପୋଷ୍ଟ ପାଇଁ ଗୋଟିଏ ଦିନ ପୂର୍ବରୁ ନିଯୁକ୍ତି ବିଜ୍ଞାପନ ସରକାର ସ୍ଥଗିତ କରିବାକୁ ନେଇ ତେଜିଲା ଆନ୍ଦୋଳନ । ଏହାର ପ୍ରତିବାଦରେ ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ିଶା ହାଇସ୍କୁଲ ଶିକ୍ଷକ ଆଶାୟୀ ସଂଘ । ତିନି ପ୍ରମୁଖ ଦାବି ନେଇ କରୁଛନ୍ତି ବିକ୍ଷୋଭ ।

ସରକାର ଏଲଟିଆର ପାଇଁ ଆବେଦନ ତାରିଖ ଚଳିତ ମାସରେ ପ୍ରକାଶ କରିବାକୁ ସଂଘ ଦାବି କରିଛି । ସେହିପରି OSSC ଦ୍ବାରା ପ୍ରକାଶ ପାଇଥିବା ବିଜ୍ଞାପନରେ କୌଣସି ପରିବର୍ତ୍ତନ ନକରିବା ସହ OSSC ଦ୍ବାରା TGT-LTR ପରୀକ୍ଷାରେ ସ୍ବଚ୍ଛତା ବଜାୟ ରଖିବା, ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ସଂଘ ଦାବି କରିଛି ।

୨୦୨୪ ଅଗଷ୍ଟ ଓ ସେପ୍ଟେମ୍ବରରେ ସଂଘ ତରଫରୁ ଦୁଇ ଦୁଇ ଥର ଆନ୍ଦୋଳନ ପରେ ରାଜ୍ଯ ସରକାର ଏଲଟିଆର ପୋଷ୍ଟ ପାଇଁ ବିଜ୍ଞାପନ ଓଡ଼ିଶା ଷ୍ଟାଫ ସିଲେକସନ କମିସନ ଦ୍ବାରା ରିଲିଜ କରିଥିଲେ । ହେଲେ ଶେଷ ତାରିଖ ଗୋଟିଏ ଦିନ ପୂର୍ବରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ କରି ଦିଆଯିବାରୁ ଆନ୍ଦୋଳନ କରିଛି ସଂଘ । ଏହାମଧ୍ୟରେ ସଂଘର ବହୁତ ଛାତ୍ରଛାତ୍ରୀ, ବିଭିନ୍ନ ଅଧିକାରୀ ଓ ମନ୍ତ୍ରୀଙ୍କୁ ଦେଖା କରିଥିଲେ ମଧ୍ୟ ତାଙ୍କଠାରୁ କୌଣସି ସ୍ପଷ୍ଟ ଉତ୍ତର ମିଳି ନଥିଲା । ଯାହାର ପ୍ରତିବାଦରେ ଆଜି ଭୁବନେଶ୍ୱର ଲୋଏର ପିଏମଜିରେ ପୁନର୍ବାର ଆନ୍ଦୋଳନ କରିଛି ସଂଘ ।

ସୂଚନାଯୋଗ୍ଯ, ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ରେ ଏଲଟିଆର ପଦବୀ ନୂତନ ଭାବେ ପ୍ରକାଶ କରିଥିଲେ । ଯାହାକୁ ମୋହନ ମାଝୀ ସରକାର କାଟି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି ।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପରଲୋକ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସମୀର ଦେଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ବିଜେଡି-ବିଜେପି ମେଣ୍ଟ ସରକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

୧୯୫୭ ମସିହା ଜାନୁଆରୀ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ସମୀର ଦେ । ତାଙ୍କ ବାପାଙ୍କ ନାମ ଅତୁଲ ପ୍ରସାଦ ଦେ ଏବଂ ପତ୍ନୀଙ୍କ ନାମ ଦୀପିକା ଦତ୍ତ ରାୟ । ଓକିଲାତି କରିବା ପରେ ସେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ ।

ସ୍ବର୍ଗତ ସମୀର ଦେ ରାଜ୍ୟ ବିଜେପିର ଜଣେ ଟାଣୁଆ ନେତା ଥିଲେ । କଟକ ବିଧାନସଭା ଆସନରୁ ସେ ଲଗାତାର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ କଟକ ବିଧାନସଭା ଆସନରୁ ସେ ବିଜୟୀ ହୋଇଥିଲେ ।

ବିଜେପି-ବିଜେଡି ମେଣ୍ଟ ସରକାରରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ ।  ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୯ ପରଠୁ ଆଉ ନିର୍ବାଚନରେ ବିଜୟୀ ହୋଇପାରି ନଥିଲେ ସମୀର । ୨୦୦୯ରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କଠାରୁ ପରାଜିତ ହୋଇଥିବାବେଳେ ୨୦୧୯ରେ ତୃତୀୟ ସ୍ଥାନରେ ରହିଥିଲେ । ଗତ ଜୁଲାଇ ମାସରେ ସେ ଫୁଟବଲ୍ ଆସୋସିଏସନ ଅଫ୍ ଓଡ଼ିଶା ବା ଓଡ଼ିଶା ଫୁଟବଲ ସଂଘ ବା ଫାଓର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

ଦାମୀ ଗାଡ଼ିରେ ଯୁବତୀଙ୍କୁ ଧରି ବୁଲନ୍ତି ଆତ୍ମଘୋଷିତ ଭଗବାନ କୁନି ବାବା

ଭୁବନେଶ୍ଵର : ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ ମାନବକୁ ଭଗବାନ ରୁପେ ପୂଜା ପ୍ରସଙ୍ଗ। ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ କାଦୁଅ ମାଡ଼। ତାତିଲେ ମହିଳା ସଂଗଠନ। ଜଣେ ଯୁବତୀ ଆଶ୍ରମର ଆତ୍ମଘୋଷିତ ଭଗବାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ବିରୋଧ ଜୋର ଧରିଛି। ଶତାଧିକ ସଂଖ୍ଯାରେ ମହିଳା ବିରୋଧ ପ୍ରଦର୍ଶନ କରିଛନ୍ତି। ଆତ୍ମ ଘୋଷିତ ଭଗବାନଙ୍କ ନାମରେ ଜଣେ ଯୁବତୀ ସାଂଘାତିକ ଅଭିଯୋଗ କରିଛନ୍ତି। ବାବାଙ୍କୁ ଆରାଧନା କଲେ ପୁତ୍ର ସନ୍ତାନ ଜାତ ହେବାର ପ୍ରତିଶ୍ରୁତି ଦେଉଛନ୍ତି। ଭଗବାନ ରୂପେ ପୂଜା ପାଉଥିବା ନାବାଳକ ଦାମୀ ଗାଡ଼ିରେ ଯୁବତୀଙ୍କୁ ଧରି ବୁଲନ୍ତି। ଲକ୍ଷେ ଟଙ୍କା ଦେଲେ ଅପୁତ୍ରକ ନାରୀଙ୍କୁ ସନ୍ତାନ ପ୍ରାପ୍ତି ହୁଏ ବୋଲି କହିଥାନ୍ତି ବୋଲି ଅଭିଯୋଗ କରିଛନ୍ତି। ସ୍ଥାନୀୟ ଜଣେ ଯୁବତୀ ଏଭଳି ସଂଘାତିକ ଅଭିଯୋଗ ଆଣିଛନ୍ତି।

ଏହାସହ ଆଶ୍ରମ ସରକାରୀ ଜମିରେ ଛିଡ଼ା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆରମ୍ଭ ହୋଇଛି ମାପଚୁପ। ଆଶ୍ରମ ସରକାରୀ ଜମିରେ ଗଢି ଉଠିଛି ନା ନାହିଁ ଏହାର ଯାଞ୍ଚ କରୁଛନ୍ତି ସରକାରୀ ଅଧିକାରୀ। ବିଡ଼ିଏ, ଜିଏ ଓ ତହସିଲ ବିଭାଗରୁ ୮ ଜଣିଆ ଷ୍ଟାଫ ପହିଁଞ୍ଚି ମାପଚୁପ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ମାପଚୁପ। ସେପଟେ ବୈକୁଣ୍ଠ ଧାମ ଆଶ୍ରମର ଆଉ ଏକ ଘର ଠାବ ହୋଇଛି। ଏହି ଘରେ ବିଦେଶୀ ଭକ୍ତ ରହୁଥିବା ଖବର ମିଳିଛି। ଆଖ ପାଖ ଅଂଚଳରେ ରହୁଥିବା ଲୋକଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ମନା ଥିଲା। କିନ୍ତୁ ବାହାରୁ ଆସୁଥିବା ବିଦେଶୀ ଭକ୍ତଙ୍କ ରହିବା ପାଇଁ ଏହି ଘରେ କରାଯାଇଥିଲା ସ୍ଵତନ୍ତ୍ର ବ୍ୟବସ୍ଥା। ନାବାଳକକୁ ଜଗନ୍ନାଥ କହି କଲକୀ ଅବତାର ରୂପ ଦେଇ ନିରୀହ ଲୋକଙ୍କ ଭାବନା ସହିତ ଖେଳା ଯାଉଥିଲା ଖେଳ। ସେପଟେ ଆତ୍ମ ଘୋଷିତ ଭଗବାନ କୁଆଡେ ଗାୟବ ହୋଇଯାଇଥିବା ଜଣାପଡ଼ିଛି।

ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ; ଜାରି ହେଲା ଜିଆର୍‌ଏପି-୪ କଟକଣା

ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ହେଲାଣି ସ୍ଥିତି, ନିଶ୍ୱାସ ନେବାକୁ କଷ୍ଟ ଲାଗିଲାଣି । ଆଖି ଜଳପୋଡା ହେବା ସହ ଗଡୁଛି ଲୁହ । ଭୟଙ୍କର ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ବଞ୍ଚିବା କଷ୍ଟ ହୋଇପଡିଲାଣି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜୀବନ ପ୍ରତି ବିପଦ ସ୍ତରରେ ପହଞ୍ଚିବା ପରେ ଜିଆର୍‌ଏପି-୪ ଲାଗୁ କରାଯାଇଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି । ବାୟୁର ମାନ ୪୮୦ ଉପରେ ଥିବା ରେକର୍ଡ କରାଯାଇଛି। ବାୟୁମଣ୍ଡଳରେ ଯେଉଁଆଡେ ଦେଖିବ ଖାଲି ଧୂଆଁମୟ ପରିବେଶ । ଦିଲ୍ଲୀରେ AQI ରେକର୍ଡ ଭାଙ୍ଗିଛି । ବାୟୁ ଗୁଣବତ୍ତା ସୂଚକାଙ୍କ AQI ୪୫୭ ସ୍ତରରେ ପହଞ୍ଚିଛି। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ CAQM ସୋମବାର ସକାଳ ୮ଟାରୁ ଦିଲ୍ଲୀ ଏନସିଆରରେ GRAP-4 କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି।

ମୁକାବିଲା ପାଇଁ ଆଜି ସକାଳ ୮ଟାରୁ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪ ଲାଗୁ ହୋଇଛି। ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ କୁହାଯାଇଛି । ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ। ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ।

ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ। BS-4 କିମ୍ବା ତାଠୁ କମ୍ ମାନକ ଡିଜେଲ ଚାଳିତ ମିଡିୟମ୍ ଗୁଡସ୍ ଭେଇକିଲ୍ ଓ ହେଭି ଗୁଡସ୍ ଭେଇକିଲ୍ ଉପରେ ପ୍ରତିବନ୍ଧକ ରହିଛି। ଗତ ରାତିରୁ ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଚେକିଂକୁ କଡ଼ାକଡ଼ା କରାଯାଇଛି। ଦିଲ୍ଲୀ-ଏନସିଆରରେ ସମସ୍ତ ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ବନ୍ଦ ରଖାଯାଇଛି ।

ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ବାକି ସମସ୍ତ କ୍ଲାସ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ। ଅନଲାଇନ୍ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି। ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି। ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ୱାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରେପ୍ ସବ୍ କମିଟିର ଜରୁରୀ ବୈଠକ ବସିଥିଲା। ମୁକାବିଲା ପାଇଁ ଗ୍ରେପ-୪ କଟକଣା ନେଇ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ GRAP-4 ଲାଗୁ ହେଉଥିବାରୁ ଏହି ପ୍ରତିବନ୍ଧକଗୁଡିକ ଅଧିକ କଠୋର ଭାବରେ କାର୍ଯ୍ୟକାରୀ କରାଯିବ।

ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଧରାପଡିବା ପରେ ପଡୋଶୀ ଘରକୁ ଫିଙ୍ଗିଦେଲେ ୧୦ ଲକ୍ଷ ଟଙ୍କା

ବ୍ରହ୍ମପୁର: ଭିଜିଲାନ୍ସ ରେଡ ପରେ ପଡୋଶୀ ଘରକୁ ଫିଙ୍ଗିଦେଲେ ୧୦ ଲକ୍ଷ ଟଙ୍କା। ତେବେ ଟଙ୍କା ଜବତ କରିବା ସହ ରେଡ୍ ଜାରି ରଖିଛି ଭିଜିଲାନ୍ସ। ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ଯାନେଜର ସୁବାସ ଚନ୍ଦ୍ର ପଣ୍ଡାଙ୍କ ଘର ଓ ଅଫିସରେ ଭିଜିଲାନ୍ସ ରେଡ ଜାରି ରଖିଛି କରିଛି। ରେଡରୁ ବାହାରୁଛି ପୁଳା ପୁଳା ଟଙ୍କା। ୧୦ ଲକ୍ଷ ଟଙ୍କା ପଡୋଶୀ ଘରୁ ମିଳିଥିବାବେଳେ ଘରୁ ଆଉ ୩ ଲକ୍ଷ ଟଙ୍କା ଜବତ କରିଛି। ରେଡରୁ ମୋଟ ୧୩ ଲକ୍ଷ ଟଙ୍କା ଜବତ ହେଲାଣି। ଏହାସହ ଚଢାଉରୁ ମିଳିଛି ୧ କେଜିରୁ ଅଧିକ ଓଜନର ସୁନା ଅଳଙ୍କାର।

ଭୁବନେଶ୍ଵର ଆଇଗିଣିଆ ଅଂଚଳରେ ୩ ମହଲା କୋଠା, ଭୁବନେଶ୍ଵର ବାଲିଯାତ୍ରା ପଡ଼ିଆ ନିକଟରେ ଦୁଇ ମହଲା କୋଠା, ଭୁବନେଶ୍ଵର କେନ୍ଦ୍ରସ୍ଥଳରେ ୪ଟି ଦାମିକିଆ ପ୍ଲଟ, ଭୁବନେଶ୍ଵର ଜାଗମରାରେ ଗୋଟିଏ ପ୍ଲଟ, ଆଇଗିଣିଆରେ ଦୁଇଟି ପ୍ଲଟ, ମଂଚେଶ୍ଵର ବରିମୁଣ୍ଡରେ ଗୋଟିଏ ପ୍ଲଟ ଥିବା ଜଣାପଡିଛି। ରେଡ୍ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ ଚାଲିଛି। ଗୋଟିଏ କାର, ଦୁଇଟି ବାଇକ ଏବଂ ଆଉ ଏକ ବେନାମୀ କାର ମଧ୍ୟ ଜବତ ହୋଇଛି। ଚଢାଉରେ ୫ ଡିଏସପି, ୭ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ ସଦସ୍ୟ ସାମିଲ ହୋଇଛନ୍ତି। ଭୁବନେଶ୍ବର ଏବଂ ବ୍ରହ୍ମପୁରର ୪ ସ୍ଥାନରେ ଏକକାଳୀନ ରେଡ୍  କରୁଛି ଭିଜିଲାନ୍ସ। ଭୁବନେଶ୍ବର ଆଇଗିଣିଆ ସ୍ଥିତ ବାସଭବନ ଓ ମଞ୍ଚେଶ୍ବର ସ୍ଥିତ ପୈତୃକ ଘରେ ଚାଲିଛି ରେଡ। ବ୍ରହ୍ମପୁରରେ ଥିବା ତାଙ୍କ ଭଡାଘର ଏବଂ ବ୍ରହ୍ମପୁର ସ୍ଥିତ ଅଫିସରେ ମଧ୍ୟ ରେଡ କରୁଛି ଭିଜିଲାନ୍ସ ଟିମ୍।

ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ, ୧୦ ସ୍ଥାନରେ ଚଢ଼ାଉ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ କରାଯାଉଛି
। କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ୧୦ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ । ଭଦ୍ରକସ୍ଥିତ ପୈତୃକ ବାସଭବନ ସମେତ ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ବରର ଗୋଟିଏ ଜାଗାରେ ଚାଲିଛି ରେଡ । ୭ ଡିଏସପି, ୩ ଇନ୍ସପେକ୍ଟର, ୮ ଏଏସଆଇଙ୍କୁ ନେଇ ଚାଲିଛି ରେଡ୍। ଭୁବନେଶ୍ଵର, ଢେଙ୍କାନାଳ, ଭଦ୍ରକ ଏବଂ ମୟୂରଭଂଜର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି।

ଚଢାଉରୁ ଉପଜିଲ୍ଲାପାଳଙ୍କ ସମତ୍ତି ଠାବ ହୋଇଛି। ଭୁବନେଶ୍ଵର ଝାରପଡ଼ାରେ ଏକ ତିନି ମହଲା କୋଠା, ଝାରପଡ଼ାରେ ଆଉ ଏକ କୋଠା, ଭଦ୍ରକ କୁଆଁସରେ ତିନି ମହଲା କୋଠା ଥିବା ଜଣାପଡିଛି। ଭଦ୍ରକ ଗେଲପୁରରେ ଗୋଟିଏ ନିର୍ମାଣାଧିନ ଦୁଇ ମହଲା କୋଠା ରହିଛି । ଭଦ୍ରକ ଜିଲ୍ଲା କପାଗାରିଆ ଗାଁ ପୈତୃକ ବାସଭବନ ଓ ବରୁଣାଇ ଗାଁରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଉଛି । ସେହିଭିଳ ଭଦ୍ରକର ଯୋରାଗାଡିଆ ଏବଂ ମୟୂରଭଞ୍ଜରେ ଥିବା ତାଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ କରାଯାଉଛି ।

ଏହି ଯାତ୍ରାରେ ୫୧ଲକ୍ଷରେ ବିକ୍ରି ହୁଅନ୍ତି ମେଣ୍ଢା !

ନନ୍ଦିଘୋଷ ବ୍ୟୁରୋ: ପ୍ରତିବର୍ଷ ମହାରାଷ୍ଟ୍ରର ସାଙ୍ଗଲିର ଅଟପାଡି ଗ୍ରାମରେ ଏକ ସ୍ୱତନ୍ତ୍ର ଯାତ୍ରା ହୋଇଥାଏ, ଯାହା “ଛେଳି-ମେଣ୍ଡା ଯାତ୍ରା” ଭାବରେ ଜଣାଶୁଣା । ଏହି ଯାତ୍ରା କେବଳ ଧାର୍ମିକ ଯାତ୍ରା ନୁହେଁ ବରଂ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଦିଗ ମଧ୍ୟ ଏଥିରେ ଜଡିତ  । ମହାରାଷ୍ଟ୍ରର ଏହି ଯାତ୍ରାରେ ଛେଳି ଏବଂ ମେଣ୍ଡାଙ୍କ ବ୍ୟବସାୟ ପାଇଁ ସମଗ୍ର ରାଜ୍ୟରେ ପ୍ରସିଦ୍ଧ । କର୍ଣ୍ଣାଟକର ବେଲଗାମ୍, କୋଲ୍ହାପୁର, ସାତାରା ଏବଂ ସୋଲାପୁରରୁ କୃଷକ ଏବଂ ବ୍ୟବସାୟୀମାନେ ଏଠାକୁ ବ୍ୟବସାୟ କରିବାକୁ ଆସିଥାଆନ୍ତି ।

ବର୍ଷ ବର୍ଷ ଧରି ଯାତ୍ରା କିପରି ବଦଳିଛି?

ଏହାପୂର୍ବରୁ ଏହି ଯାତ୍ରାରେ ମାଣ୍ଡେଶୀ ଖିଲାର ଷଣ୍ଢ, ଗାଈ ଏବଂ ବଳଦଙ୍କ କ୍ରୟ ଏବଂ ବିକ୍ରୟ ହେଉଥିଲା, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଛେଳି ଓ ମେଣ୍ଢାଙ୍କ କ୍ରେଜ ବୃଦ୍ଧି ପାଇଛି। ବିଶେଷକରି “ମାଡଗାଲୀ ମେଣ୍ଢା ଏହି ଯାତ୍ରାର ସବୁଠାରୁ ବଡ଼ ଆକର୍ଷଣ ପାଲଟିଛି  ।

ମାଡଗାଲୀ ମେଣ୍ଢା କାହିଁକି ସ୍ୱତନ୍ତ୍ର?

ମାଡଗାଲୀ ମେଣ୍ଢାର ଦାମ ଲକ୍ଷ ଲକ୍ଷ ଟଙ୍କା  । ୩ଦିନର ଛୁଆ ମେଣ୍ଢାଠୁ ଆରମ୍ଭ କରି ବୁଢା ମେଣ୍ଢା ପର୍ଯ୍ୟନ୍ତ ସବୁଧରଣର ମେଣ୍ଢା ଏଠାରେ କିଣାଯାଇ ବିକ୍ରି ହୁଏ  । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଥର ଯାତ୍ରା ସମୟରେ ମାଡଗାଲୀ ମେଣ୍ଢାର ଦାମ ପାଖାପାଖି ୫୧ଲକ୍ଷ ଛୁଇଁଥିଲା ।  ଲୋକମାନେ ମେଣ୍ଢାକୁ ବୋହୂ ପରି ସଜେଇ ସଙ୍ଗୀତ ବଜାଇ ଏହି ଯାତ୍ରାକୁ ଆସିଥାଆନ୍ତି ।

କୃଷକଙ୍କର ବଦଳୁଛି ଭାଗ୍ୟ 

ଅଟପାଡି ପରି ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଏହି ଯାତ୍ରା ଗୋରୁ ପାଳକମାନଙ୍କ ପାଇଁ ଆୟର ମୁଖ୍ୟ ଉତ୍ସ ଅଟେ | କୃଷକମାନେ କହିଛନ୍ତି ଯେ ଏହି ଯାତ୍ରା ସମୟରେ ସେମାନଙ୍କ ପଶୁମାନଙ୍କର ମୂଲ୍ୟ ୫ଗୁଣା ବୃଦ୍ଧି ପାଇଥାଏ । ବଜାର କମିଟିର ଉପାଧ୍ୟକ୍ଷ ରାହୁଲ ଗାଇକୱାଡ କୁହନ୍ତି, ଏଠାରେ ମେଣ୍ଢାମାନଙ୍କର ମୂଲ୍ୟ  ୩-୪ଲକ୍ଷରୁ ଆରମ୍ଭ କରି ୫୧ ଲକ୍ଷ ଟଙ୍କା ମଧ୍ୟରେ ରହିଛି।

ଯାତ୍ରାର ମହତ୍ତ୍ୱ

ଅଟପାଡିର ଗ୍ରାମ ଦେବତା ଶ୍ରୀ ଉତ୍ତରେଶ୍ବରଙ୍କର ଏହି ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ । ଏହି ମେଳା କୃଷକ ଏବଂ ବ୍ୟବସାୟୀମାନଙ୍କ ପାଇଁ ଏକ ବଡ ପର୍ବ । ଏହି ଯାତ୍ରାରେ ପଶୁଙ୍କୁ କେବଳ କିଣାବିକା କରାଯାଇନଥାଏ, ବରଂ ସେମାନଙ୍କର ପ୍ରଜାତି ଏବଂ ଗୁଣ ମଧ୍ୟ ପ୍ରଦର୍ଶିତ ହୋଇଥାଏ  ।

କାହିଁକି ବାଂଲାଦେଶରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ?

ଢାକା: ବାଂଲାଦେଶକୁ ନାକେଦମ କଲାଣି ଡେଙ୍ଗୁ  । ଦେଶର ଅଧିକାଂଶ ହସ୍ପିଟାଲରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା  । ଏଯାଏଁ ୭୮ ହଜାରରୁ ଉର୍ଦ୍ଧ୍ବ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଲେଣି  । ପାଣିପାଗ ପରିବର୍ତ୍ତନ ଯୋଗୁଁ ବାଂଲାଦେଶରେ ବଢିଯାଇଛି ମଶାଙ୍କ ପ୍ରାଦୁର୍ଭାବ । ବର୍ତ୍ତମାନ ସୁଦ୍ଧା ପାଖାପାଖି ୪୦୦ରୁ ଊର୍ଦ୍ଧ୍ବ ଲୋକେ ଡେଙ୍ଗୁରେ ପ୍ରାଣ ହରାଇ ସାରିଲେଣି  । କେବଳ ନଭେମ୍ବର ମାସରେ ଡେଙ୍ଗୁରେ ଚିକିତ୍ସିତ ହେଉଛନ୍ତି ୪ ହଜାର ୧୭୩ ରୋଗୀ  । ରାଜଧାନୀ ଢାକାରେ ଅଛନ୍ତି ୧୮୩୫ ରୋଗୀ  । କାହିଁକି ବାଂଲାଦେଶରେ ହଠାତ୍‌ ବଢିଯାଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା  । ଏହାର କାରଣ ହେଉଛି ତାପମାତ୍ରା ବୃଦ୍ଧି ସାଙ୍ଗକୁ ଅକ୍ଟୋବରରେ ଅଦିନିଆ ବର୍ଷା । ଯାହାକି ମଶାଙ୍କ ବଂଶବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଗତବର୍ଷ ବାଂଲାଦେଶରେ ଡେଙ୍ଗୁରେ ୧୭୦୫ ମୃତ୍ୟୁ ହୋଇଥିବାବେଳେ ୩ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ହୋଇଥିଲେ  । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ହସ୍ପିଟାଲରେ ଡେଙ୍ଗୁ ରୋଗୀ ଭର୍ତ୍ତି ଯୋଗୁଁ ସ୍ବାସ୍ଥ୍ୟସେବା ବିଗିଡିବାରେ ଲାଗିଛି  । ଲୋକଙ୍କୁ ମଶା ଦାଉରୁ ରକ୍ଷା ପାଇଁ ମଶାରୀ ଟାଙ୍ଗି ଶୋଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ  । ସେହିପରି ଆଖପାଖ ଅଞ୍ଚଳରେ ପାଣି ଜମା ନ ରଖିବାକୁ ଆଡଭାଇଜରୀ ଜାରି କରାଯାଇଛି  ।

ଗ୍ରାମାଞ୍ଚଳ ଲୋକେ ଠିକ୍‌ ସମୟରେ ଚିକିତ୍ସା ନ କରାଉ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା ସ୍ବାସ୍ଥ୍ୟ ବିଭାଗ କହିଛି  । ଗୁରୁତର ନ ହେବା ପର୍ଯ୍ୟନ୍ତ ରୋଗୀ ପରୀକ୍ଷା କରାଉ ନଥିବାରୁ ଏଭଲି ସମସ୍ୟା ଦେଖାଦେଇଛି  ।