spot_img
Home Blog Page 1355

ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା : ୬ ଜଣଙ୍କୁ ଗିରଫ କଲା ପୁରୁଷୋତ୍ତମପୁର ଥାନା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା । ଚୋରିରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଗିରଫ କଲା ପୁରୁଷୋତ୍ତମପୁର ଥାନା ପୋଲିସ । ୬ ଜଣଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ସେବାୟତ ଓ ୨ ଜଣ ରାତ୍ର ଜଗୁଆଳୀ । ଗିରଫ ଅଭିଯୁକ୍ତ ମାନେ ହେଲେ ରାତ୍ର ଜଗୁଆଳୀ କାଳିଆ ଦାସ, ବଳିଆ ନାୟକ ଏବଂ ସେବାୟତ ଅମୂଲ୍ୟ ରଣା, ବିକାଶ ରଣା, ଗୈାତମ ରଣା ଓ ରବୀନ କୁମାର ରଣା । ଗିରଫ ଅଭିଯୁକ୍ତଙ୍କ ଠାରୁ ୩୯‌ ହଜାର ଟଙ୍କା, କଟର ମେସିନ, ଇଲେକଟ୍ରିକ ତାର, ତିନୋଟି ମୋଟର ସାଇକେଲ, ତିନୋଟି ମୋବାଇଲ ଜବତ କରାଯାଇଛି ।  ଚୋରି ହୋଇଥିବା ଦୁଇଟି ରୂପା ମୁଖା ଓ ଗୋଟିଏ ରୂପା ଛତ୍ରୀର ତଦନ୍ତ ଜାରି ରହିଛି । ଗତ ୬ ତାରିଖରେ ମାଁ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ହୋଇଥିବା ନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଥିଲା ।

କାମରେ ଆସୁନି କୋଟି କୋଟି ଟଙ୍କାରେ ନିର୍ମିତ ଘର, ଭୂତକୋଠି ପାଲଟିଛି ସରକାରୀ ଗୃହ

ନନ୍ଦିଘୋଷ ବ୍ୟୁରୋ: ଭୂତକୋଠି ପାଲଟିଛି ସରକାରୀ ଗୃହ । କେଉଁଠି ଗଛ ଲତା ମାଡିଗଲାଣି ତ ପୁଣି କେଉଁଠି କବାଟ ଝରକା ଭାଙ୍ଗି ଗଲାଣି | ସବୁଠୁ ବଡ କଥା ହେଲା ଗୃହ ଗୁଡିକ ବ୍ୟବହାର ହେଉନଥିବାରୁ ଏହା ଅସାମାଜିକ ଲୋକଙ୍କ ଆଡାସ୍ଥଳି ପାଲଟିଗଲାଣି । ବିଞ୍ଝାରପୁର ବ୍ଲକ ଅଧୀନରେ ଥିବା ପ୍ରାୟ ସମସ୍ତ ବିଭାଗରେ ଘର ଗୁଡିକ ବ୍ଯବହୃତ ନହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ।

କାମରେ ଆସୁନି କୋଟି କୋଟି ଟଙ୍କାରେ ନିର୍ମିତ ଘର । ଭୂତକୋଠି ପାଲଟିଛି ସରକାରୀ ଗୃହ । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ । ସରକାରୀ ଅର୍ଥକୁ ସଦୁପଯୋଗ କରିବାରେ ବିଞ୍ଝାରପୁର ବ୍ଲକ ପ୍ରଶାସନ ସମ୍ପୂର୍ଣ ଅସମର୍ଥ ପାଲଟିଥିବା ନେଇ ଲୋକଙ୍କ ଅଭିଯୋଗ । ଯେଉଁଥିପାଇଁ ଆଜି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୃହ ଗୁଡିକ ଭୂତକୋଠି ପାଲଟିଛି | କେଉଁଠି ଗଛ ଲତା ମାଡିଗଲାଣି ତ ପୁଣି କେଉଁଠି କବାଟ ଝରକା ଭାଙ୍ଗି ଗଲାଣି | ସବୁଠୁ ବଡ କଥା ହେଲା ଗୃହ ଗୁଡିକ ବ୍ୟବହାର ହେଉ ନଥିବାରୁ ଏହା ଅସାମାଜିକ ଲୋକମାନଙ୍କ ଆଡ୍ଡାସ୍ଥଳି ପାଲଟି ଗଲାଣି । ବିଶେଷ କରି ଗ୍ରାମ୍ୟ ଉନୟନ ବିଭାଗ, ଜଳ ସମ୍ପଦ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପଞ୍ଚାୟତରାଜ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକରେ ପଡି ରହିଛି ଏଭଳି ଅବ୍ୟବହୃତ ଗୃହ |

ସେହିପରି ବିଞ୍ଝାରପୁର ଗ୍ରାମ୍ୟ ଉନୟନ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟାପ କ୍ୱାଟର ଯାହାକି ପାଖାପାଖି ୭୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । କିନ୍ତୁ ବର୍ତ୍ତମାନ ଏହା ସରୀସୃପ ମାନଙ୍କ ବାସସ୍ଥଳୀ ପାଲଟିଛି । ସୁବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠାରେ କାର୍ଯ୍ୟରତ ଅଧିକାରୀମାନେ କାର୍ଯ୍ୟାଳୟ ଠାରୁ ପ୍ରାୟ ୨୦ କିଲୋମିଟର ଦୂର ଜିଲ୍ଲା ସଦର ମହକୁମାରେ ଭଡ଼ା ନେଇ ରହୁଛନ୍ତି । ଯାହା ଫଳରେ ଏହି ଘର ଗୁଡିକ କଣ ପାଇଁ ନିର୍ମାଣ ହୋଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିଭଳି ବ୍ଲକ ସମ୍ମୁଖରେ ଥିବା ଏଏନଏମ ସେଣ୍ଟର ଗୃହ, ବ୍ଲକ ପରିସରରେ ଥିବା ବିଭିନ୍ନ ବିଭାଗର ଗୃହ, ସୟଦପୁର ପଞ୍ଚାୟତରେ ଥିବା ଜଳ ସମ୍ପଦ ବିଭାଗର ଗୃହ ସମେତ ଅନେକ ସରକାରୀ ଟଙ୍କାରେ ନିର୍ମିତ ଗୃହ ଗୁଡିକ ଜରାଜୀର୍ଣ ଅବସ୍ଥାରେ ପଡି ରହିଛି  । ତେଣୁ ଯଥାଶୀଘ୍ର ଏହି ଗୃହ ଗୁଡିକ କାର୍ଯ୍ଯକ୍ଷମ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ସେପଟେ ଏହି ଗୃହ ଗୁଡିକର ଶୀଘ୍ର ମରାମତି କରିବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯିବ ବୋଲି ସ୍ଥାନୀୟ ବିଡିଓ କହିଛନ୍ତି ।

ଲୋପ ପାଇବାକୁ ବସିଲାଣି କମାର ଶାଳ, ବୃତ୍ତିରୁ ମୁହଁ ଫେରାଉଛନ୍ତି କାରିଗର

ନନ୍ଦିଘୋଷ ବ୍ୟୁରୋ: ଦିନ ଥିଲା ଯେଉଁଠି ଘର କରଣା ସାମଗ୍ରୀ ପାଇଁ ଲୋକଙ୍କ ଭିଡ ଲାଗୁଥିଲା । ଏବେ ସେଇ କମାର ଶାଳ ଖାଁ ଖାଁ ପାଲଟିଛି । ହାତ ତିଆରି ଦାଆ ପାଇଁ  ଆସିକା ବ୍ଲକ ମଙ୍ଗଳପୁର ଗାଁ ବେଶ ପରିଚିତ ଥିଲା । ସେଠାର କାରିଗର ମାନେ ନିହଣ ମୁନରେ ପ୍ରସ୍ତୁତ କରୁଥିଲେ ବିଭିନ୍ନ ପ୍ରକାର ଚାଷ ଉପକରଣ । ହେଲେ ଏବେ ଆଧୁନିକତା ଛାପରେ ସେ ସବୁ ଜିନିଷର ଚାହିଦା କମିବାକୁ ଲାଗିଲାଣି । ଯାହା ଫଳରେ କିଛି କାରିଗର ମାନେ ଏହି କୌଳିକ ବୃତ୍ତିରୁ ମୁହଁ ଫେରାଇ ଦାଦନ ଖଟିବାକୁ ଯାଉଛନ୍ତି । ଏପରି ସ୍ଥିତିରେ କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ଗାଁର ଉଚ୍ଚ ଶିକ୍ଷିତ ଯୁବକ  କାହ୍ନୁ ଚରଣ ମହାରଣା ।

କମିବାରେ ଲାଗିଲାଣି ନିହଣର ସେଇ ଠକଠକ ଶବ୍ଦ । ଲୋପ ପାଇବାକୁ ବସିଲାଣି କମାର ଶାଳ । ଦିନ ଥିଲା ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମଙ୍ଗଳପୁର ଗାଁରେ ପାଖାପାଖି ପନ୍ଦର ପରିବାର କମାର ଶାଳରେ ବିଭିନ୍ନ ପ୍ରକାର ଚାଷ ଉପକରଣ ତିଆରି କରୁଥିଲେ । ଏବଂ ଏହି ସାମଗ୍ରୀକୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ପଠାଉଥିଲେ । ବିଶେଷ କରି ହାତ ତିଆରି ଦାଆ ପାଇଁ ଗାଁଟି ବେଶ ପରିଚିତ ଥିଲା । କିନ୍ତୁ ଏବେ କଞ୍ଚାମାଲର ଅଭାବ ଯୋଗୁଁ କିଛି କାରିଗର ଏହି କାମ ପ୍ରତି ବିମୁଖ ହେଲେଣି ।

ଆଉ ଯେଉଁମାନେ ଏହି କାମ କରୁଛନ୍ତି ସେମାନଙ୍କୁ ତାଙ୍କ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଫଳରେ କିଛି କାରିଗର ଏହି କୌଳିକ ବୃତ୍ତିରୁ ମୁହଁ ଫେରାଇ ଦାଦନ ମୁହାଁ ହେଲେଣି । ଏହାରି ଭିତରେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ସଂଘର୍ଷ କରୁଛନ୍ତି ଗାଁର ଉଚ୍ଚଶିକ୍ଷିତ ଯୁବକ କାହ୍ନୁ ଚରଣ ମହାରଣା ।

କମାର ବୃତ୍ତି ଗୋଟିଏ ପ୍ରକାରର କୁଟୀର ଶିଳ୍ପ ହୋଇଥିବା ବେଳେ ଆଧୁନିକତା ଛାପରେ ଏହି ବୃତ୍ତି ଲୋପ ପାଇବାକୁ ଯାଉଛି।  ଆଜିର ଯୁବପିଢ଼ି କମ ରୋଜଗାରରେ ଏଭଳି କଷ୍ଟ ସାଧ୍ୟ କାର୍ଯ୍ୟ କରିବା ପାଇଁ ରାଜି ହେଉନାହାଁନ୍ତି । ସରକାରଙ୍କ ପକ୍ଷରୁ କୌଣସି ସୁବିଧା ମିଳୁନଥିବାରୁ ଏହି ବୃତ୍ତିରୁ ଧିରେ ଧିରେ ଦୂରେଇ ଯାଇ ବାହାର ରାଜ୍ଯକୁ ଅନେକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଅନ୍ୟପଟେ ମଙ୍ଗଳପୁର ଗାଁରେ ପନ୍ଦର କମାର ଶାଳ ଥିଲା । ଯାହା ବର୍ତ୍ତମାନ କମିଯାଇ ୩ଟି କମାର ଶାଳରେ ପହଞ୍ଚିଛି ।

ରଙ୍ଗ ବଦଳା ରାଜନୀତିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ନନ୍ଦିଘୋଷ ବ୍ୟୁରୋ: ସରକାର ପରିବର୍ତ୍ତନ ହେଲେ ପୋଲିସ୍ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରିବା ବେଳେ ଓଡ଼ିଶା ସରକାରଙ୍କୁ ଏମିତି କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହୃଷିକେଶ ରାୟ ।

୨୦୨୩ ମସିହାରେ ହୋଇଥିବା ଏକ ପ୍ରତିବାଦ ସମୟରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାଁରେ ମାମଲା ହୋଇଥଲା । ଜୟ ନାରାୟଣ ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ, ଯାହା ଖାରଜ ହୋଇଯାଇଥିଲା । ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଜଷ୍ଟିସ୍ ହୃଷିକେଶ ରାୟ ଏବଂ ଏସ୍.ଭି.ଏନ୍ ଭଟ୍ଟିଙ୍କ  ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ଅନୁସନ୍ଧାନର ପୂର୍ବାନୁମାନକୁ ବିଚାର କରି ଜୟ ନାରାୟଣଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଶୁଣାଣି ସମୟରେ ଓଡ଼ିଶା ରାଜ୍ୟ ପାଇଁ  ଆଡଭୋକେଟ୍ ସମାପିକା ବିଶ୍ବାଳ ଯୁକ୍ତି ଦର୍ଶାଇ କହିଥିଲେ ଯେ, କୋର୍ଟ କେବଳ ମିଶ୍ରଙ୍କୁ ତଦନ୍ତରେ ସହଯୋଗ କରିବାକୁ କହିପାରିବେ। ଏହା ପୂର୍ବରୁ ରାଜ୍ୟରେ ସେତେବେଳର ବିଜେଡି ସରକାରଙ୍କ ତରଫରୁ ଏକ କାଉଣ୍ଟର ଆଫିଡେଭିଟ ଜରିଆରେ ଜୟ ନାରାୟଣଙ୍କ ସମସ୍ତ କାର୍ଯ୍ୟକଳାପକୁ  ବିସ୍ତୃତ ଭାବେ ଦର୍ଶାଇ ତାଙ୍କ ଜାମିନ ଆବେଦନକୁ ଖାରଜ ଜରିବାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ୨୦୨୪ରେ ବିଜେପି କ୍ଷମତାକୁ ଆସିବା ପରେ ଏଥିରେ କିଛି ଅଦଳବଦଳ କରାଯାଇ କୋର୍ଟଙ୍କୁ ପ୍ରଦାନ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏମିତି କିଛି ଦସ୍ତାବିଜ ଦାଖଲରେ କ୍ଷୋଭ ପ୍ରକାଶ କରି ଜଷ୍ଟିସ୍ ଭଟ୍ଟି  ଆଡଭୋକେଟ ସମାପିକା ବିଶ୍ବାଳଙ୍କୁ ଓଡିଶା ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବାରୁ  ଆମେ ଏହାକୁ ଏକ ରିହାତି ଭାବରେ ଗ୍ରହଣ କରିପାରିବା କି ବୋଲି ପ୍ରଶ୍ନ କରିଥିଲେ । ପରେ ଜଷ୍ଟିସ୍ ରାୟ  ଦୃଢ ମନ୍ତବ୍ୟ ଦେଇ କହିଛନ୍ତି ଯେ ସରକାରଙ୍କ ପରିବର୍ତ୍ତନ ସହିତ ପୋଲିସ୍ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ ।

ଆସନ୍ତାକାଲିଠୁ ଐତିହାସିକ ବାଲିଯାତ୍ରା : ଏଥର ଉପର ଓ ତଳ ବାଲିଯାତ୍ରା ପଡିଆ ରେ ମୋଟ ୨୫ ଶହରୁ ଅଧିକ ଛୋଟ ବଡ ଷ୍ଟଲ

ନନ୍ଦିଘୋଷ ବ୍ୟୁରୋ: ଐତିହାସିକ କଟକ ବାଲିଯାତ୍ରା ଆସନ୍ତାକାଲି ଉଦଘାଟିତ ହେବ। ମୁଖ୍ଯମନ୍ତ୍ରୀ ସଂଧ୍ଯା ୫ ଟାରେ ଏହାକୁ ଉଦଘାଟନ କରିବେ। ଏଥର ବାଲିଯାତ୍ରାକୁ ଅନ୍ତର୍ଜାତିକ ରୂପ ଦେବାକୁ ୧୩ ଟି ରାଜ୍ୟର ରାଷ୍ଟ୍ରଦୂତ ଅତିଥି ଭାବେ ବାଲିଯାତ୍ରା ବୁଲିବାକୁ ଆସିବେ। ଏଥି ସହିତ ୮ ଦେଶର କଳାକାର ମାନେ ସେମାନଙ୍କ ନୃତ୍ଯ ପ୍ରଦର୍ଶନ କରିବାକୁ ଆସୁଛନ୍ତି। ଏଥର ଉପର ଓ ତଳ ବାଲିଯାତ୍ରା ପଡିଆ ରେ ମୋଟ ୨୫୦୦ ଛୋଟ ବଡ ଷ୍ଟଲ ହେଉଛି। ୮ ଦିନରେ କିଣାବିକାର ଆସର ସାଙ୍ଗକୁ ବୁଲାବୁଲି ଓ ସୁସ୍ବାଦୁ ଖାଦ୍ଯ ର ମଜ୍ଜା ନେବେ ପ୍ରାୟ ୬୦ ଲକ୍ଷ ଲୋକ।

କଟକ ଐତିହାସିକ ବାଲିଯାତ୍ରା ପାଇଁ ଉଠୁଛି ପଡୁଛି ମହାନଦୀ କୂଳ ଉପର ଓ ତଳ ବାଲିଯାତ୍ରା ପଡିଆ। ଆସନ୍ତାକାଲି ସଂଧ୍ଯାରେ ପୂର୍ବ ଭାରତ ର ସବୁଠୁ ବଡ ଏହି ଐତିହାସିକ ବାଣିଜ୍ଯ ମେଳା ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ଏହି ମେଳାକୁ ସଂଧ୍ଯା ୫ ଟାରେ ଉଦଘାଟନ କରିବେ। ଏଥର ଏହି ମେଳାକୁ ଟିକେ ଅନ୍ତର୍ଜାତୀୟ ରୂପ ଦେବା ପାଇଁ ୧୩ ଟି ଦେଶର ରାଷ୍ଟ୍ରଦୂତ ଙ୍କୁ ଅତିଥି ଭାବେ ପ୍ରଶାସନ ଆମନ୍ତ୍ରଣ କରିଛି। ସେମାନେ ସମସ୍ତେ ମହାନଦୀ ସିଲଭର ସିଟି ବୋର୍ଟ କ୍ଲବ ରୁ ଚାରୋଟି ସୁସଜ୍ଜିତ ବୋର୍ଟ ରେ ଆସି ଗଡଗଡିଆ ରେ ଓହ୍ଲାଇବେ। ସେଠାରୁ ଉପର ଓ ତଳ ପଡିଆ ବାଲିଯାତ୍ରା ବୁଲି ଦେଖିବେ। ଏଥି ସହିତ ବାଲିଯାତ୍ରାରେ ଦକ୍ଷିଣ ପୂର୍ବ ଆଠଟି ଦେଶର ଷ୍ଟଲକୁ ନେଇ ଏକ ନୂଆ ପାଭିଲିୟନ ପ୍ରତିଷ୍ଠା ହେବ। ଏହା ଛଡା ୮ ଟି ଦେଶର କଳାକାରମାନେ ପ୍ରତିଦିନ ସଂଧ୍ଯାରେ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚ ରେ ସେମାନଙ୍କର ନୃତ୍ଯ ଗୀତ ପରିବେଷଣ କରିବେ।

ଏଥର ବାଲିଯାତ୍ରା ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥି ପାଇଁ ଉପର ଓ ତଳ ପଡିଆ ରେ ୨୫୦୦ ଛୋଟ ବଡ ଷ୍ଟଲ ହୋଇଛି। ଓରମାସ ଓ ଜାତୀୟ ଗାନ୍ଧୀ ଶିଳ୍ପ ବଜାରରେ ବିଭିନ୍ନ ରାଜ୍ୟର ଗ୍ରାମିଣ ତଥା ଘରକରଣା ସାମଗ୍ରୀ ମିଳିବ। ସୁସ୍ବାଦୁ ଖାଦ୍ଯ ଲୋକଙ୍କୁ ପ୍ରରସିବା ପାଇଁ ବିଭିନ୍ନ ରାଜ୍ୟର ଷ୍ଟଲ ହୋଇଛି। ଅନ୍ଯ ପକ୍ଷରେ ନଦୀକୂଳରେ ଏଥର ଲେଜର ସୋ, ଡ୍ରୋନ ସୋ, ୱାଟର ସ୍ପୋର୍ଟସ, କାଇଟ ଫେଷ୍ଟିଭାଲ ହେବ। ଏଥର ଡ୍ରୋନ ସୋ ରେ ୪୦୦ ଡ୍ରୋନ ଭାଗ ନେବେ। ଅନ୍ଯ ପକ୍ଷରେ ବିଭିନ୍ନ ପ୍ରକାର ଦୋଳି ଓ ଅନନ୍ତ ଦୁନିଆ ଭଳି ଖେଳ ଓ କାଳ୍ପନିକ ଦୁନିଆ ବୁଲିବା ପାଇଁ ଦର୍ଶକ ସୁଯୋଗ ପାଇବେ।

ବାଳିଯାତ୍ରା ବେଳେ ଉଭୟ ପଡିଆ କୁ ସଫା ସୁତୁରା ଓ ଧୁଳିରୁ ରକ୍ଷା କରିବା ପାଇଁ ଆଜିଠୁ କେମିକାଲ ସ୍ପ୍ରେ ହେବ। ଏଥି ସହିତ ଲୋକଙ୍କ ଶୌଚ ପାଇଁ ୩୮୫ ଟି ମୋବାଇଲ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ୭୦ ପ୍ଲାଟୁନ ଫୋର୍ସ ଉଭୟ ପଡିଆ ଓ ଟ୍ରାଫିକ କାମରେ ନିୟୋଜିତ ହେବେ।

ଶିଶୁ ଦିବସରେ ଟଳିପଡ଼ିଲେ ପ୍ରଧାନ ଶିକ୍ଷକ

ନନ୍ଦିଘୋଷ ବ୍ୟୁରୋ: ଶିଶୁ ଦିବସରେ ଟଳିପଡ଼ିଲେ ପ୍ରଧାନ ଶିକ୍ଷକ। ବଲାଙ୍ଗିର ଜିଲ୍ଲା ତୁରେକେଲାର ବ୍ଲକ ଅନ୍ତର୍ଗତ କୁଇବାହାଲ ହାଇସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶିଶୁ ଦିବସ ଅବସରରେ ଅଭିଭାଷଣ ଦେବା ସମୟରେ ହଠାତ ଟଳିପଡ଼ିଲେ ପ୍ରଧାନଶିକ୍ଷକ ପର୍ଶୁରାମ ଦାସ। ଅନ୍ୟ ଶିକ୍ଷକ ମାନେ ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନ ଆଣିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ପ୍ରଧାନଶିକ୍ଷକଙ୍କ ଘର କଟକ ଜିଲ୍ଲା ଛତିଆ ଅଞ୍ଚଳରେ ହୋଇଥିବା ବେଳେ କଣ୍ଟାବାଞ୍ଜିରେ ରହି କୁଇବାହାଲ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ହେବ ମାଟ୍ରିକ୍ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା । ଫେବୃଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

୨୧ ଫେବୃଆରୀ ମାତୃଭାଷା ପରୀକ୍ଷା

୨୪ ଫେବୃଆରୀ ଇଂରାଜୀ ପରୀକ୍ଷା

୨୫ ଫେବୃଆରୀ ସଂସ୍କୃତ ବ୍ୟାକରଣ ପରୀକ୍ଷା

୨୭ ଫେବୃଆରୀ ଗଣିତ ପରୀକ୍ଷା

୧ ମାର୍ଚ୍ଚ           ବିଜ୍ଞାନ ପରୀକ୍ଷା

୩ ମାର୍ଚ୍ଚ           ସାମାଜିକ ବିଜ୍ଞାନ

୬ ମାର୍ଚ୍ଚ           ସଂସ୍କୃତ ସାହିତ୍ୟ ପରୀକ୍ଷା

 

ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ୍ ନାହିଁ : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମହିଳା ପୋଲିସ ଅଧିକାରୀଙ୍କ ଦୁର୍ବ୍ୟବହାର କରିବା ଘଟଣାରେ ଜାମିନ ଖାରଜ ହେବା ପରେ ଜୟନାରାୟଣଙ୍କ ଅଜବ ପ୍ରତିକ୍ରିୟା ଦେଉଛନ୍ତି । ଯାହାକୁ ନେଇ ଜୟନାରାୟଣଙ୍କୁ ସମାଲୋଚନା କରିଛି ବିଜେଡି । ପ୍ରେସମିଟରେ ଜୟନାରାୟଣଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି । ତାଙ୍କ ନାମରେ ବହୁ ମାମଲା ରହିଛି । କୋର୍ଟ ତାଙ୍କ ଜାମିନକୁ ଖାରଜ କରିଛନ୍ତି । ଏଣୁ ତାଙ୍କୁ ଗିରଫ କରାଯାଉଛି । ମାନସିକସ୍ତରରେ ନିଜର ଭାରସାମ୍ୟ ହରାଇ ବସୁଛନ୍ତି । ମାନସିକ ବିକାର ଗ୍ରସ୍ତ ଭଳି ପ୍ରଳାପ କରୁଛନ୍ତି ଜୟନାରାୟଣ ।

ଅକ୍ଷୟ କୁମାରଙ୍କୁ ସମାଲୋଚନା କଲେ ମୁକେଶ ଖାନ୍ନା

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତା ମୁକେଶ ଖାନ୍ନା ଶକ୍ତିମାନ ପାଇଁ ବେଶ ପରିଚିତ । ସବୁବେଳେ ନିଜର ପ୍ରତିକ୍ରିୟା ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣିଥରେ ଶକ୍ତିମାନ ପାର୍ଟ-୨ ଆସିବାକୁ ଯାଉଛି । ଯାହାକୁ ନେଇ ସେ ଏବେ ହେଡଲାଇନରେ ରହିଛନ୍ତି । ତେବେ ଏହାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ନିଜର ପ୍ରତିକ୍ରିୟା ମଝିରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ସମାଲୋଚନା କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅକ୍ଷୟଙ୍କୁ ଆକ୍ଷେପ କରି କହିଥିଲେ କି, କେହି ବଡ଼ ନିଶ ଏବଂ ଚେହେରା ରଖିଦେଲେ ପୃଥିରାଜ ହୋଇଯିବେନି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଅକ୍ଷୟଙ୍କ ଫ୍ୟାନ୍ସମାନେ ମୁକେଶଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି ।

ଯଦି ଆମେ ଅକ୍ଷୟଙ୍କ ସମ୍ରାଟ ପୃଥୀରାଜ ଫିଲ୍ମ ସମ୍ପର୍କରେ କହିବା ତାହେଲେ ଏହା ୨୨୦ କୋଟି ଟଙ୍କାର ଏକ ହାଇ ବଜେଟ୍ ଫିଲ୍ମ ଥିଲା । ମାତ୍ର ଏହା ଏତେ ବ୍ୟବସାୟିକ ସଫଳତା ଅର୍ଜନ କରିପାରିନଥିଲା । ବିଶ୍ବବ୍ୟାପି ୯୦ କୋଟି ଟଙ୍କା ଆୟ କରିଥିବାବେଳେ ଦେଶରେ ୬୮.୨୫ କୋଟି ଟଙ୍କା ଆଦାୟ କରିଥିଲା । ଏହା ବ୍ୟବସାୟିକ କ୍ଷେତ୍ରରେ ବଡ଼ ସଫଳତା ଦେଇନଥିବାବେଳେ ଫିଲ୍ମ ମଧ୍ୟ ଫ୍ଲପ ହୋଇଥିଲା ।

CBSE ପାଠ୍ଯକ୍ରମରେ ନୂଆ ପରୀକ୍ଷା ଫର୍ମାଟ ଓ ଆସେସମେଣ୍ଟ ସିଷ୍ଟମ

ନନ୍ଦିଘୋଷ ବ୍ୟୁରୋ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ବା CBSE ପାଠ୍ଯକ୍ରମରେ ତାର ନୂଆ ପରୀକ୍ଷା ଫର୍ମାଟ ଓ ଆସେସମେଣ୍ଟ ସିଷ୍ଟମ ଲାଗୁ କରିବାକୁ ଯାଉଛି । ୨୦୨୫ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯିବ ବୋଲି ଜଣା ପଡିଛି। ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀରେ ଏହା ଲାଗୁ କରାଯିବ। ପାଠ୍ଯକ୍ରମକୁ ପ୍ରାୟ  ୧୫ ପ୍ରତିଶତ ହ୍ରାସ କରାଯିବ ବୋଲି ଜଣା ପଡିଛି।ଏଥିରେ ରହିବ ୪୦ ପ୍ରତିଶତ ଇଣ୍ଟରନାଲ ଆସେସମେଣ୍ଟ ଓ ୬୦ ପ୍ରତିଶତ ଶେଷ ବୋର୍ଡ ପରୀକ୍ଷା । ଆସନ୍ତା ଫେବୃଆରୀ ୧୫ ରେ ଏହି ସିଡ୍ଯୁଲ ଜାରୀ ହେବ । ଏହା ସହ ପରୀକ୍ଷାରେ ଡିଜିଟାଲ ଆସେସମେଣ୍ଟ ଓ ଓପନ ବୁକ ଫର୍ମାଟ ପରୀକ୍ଷାକୁ ସାମିଲ କରାଯିବ । ଇଂରାଜୀ ଭାଷା ଓ ସାମାଜିକ ବିଜ୍ଞାନକୁ ସାମିଲ କରାଯିବ। ଏହି ନୂଆ ବ୍ଯବସ୍ଥା ଦ୍ବାରା ପାଠ୍ଯକ୍ରମ ବିଶ୍ବସ୍ତରୀୟ  ହୋଇପାରିବ ବୋଲି ଆଶା କରାଯାଉଛି। ମଧ୍ଯ୍ଯପ୍ରଦେଶ ଇନ୍ଦୋରରେ ଆୟୋଜିତ ସିବିଏସଇର ପ୍ରିନସପାଲ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି ।