ନନ୍ଦିଘୋଷ ବ୍ୟୁରୋ : ହାର୍ଟବିଟ ବଢାଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। କିଏ ହେବେ ହ୍ବାଇଟହାଉସ ବସ୍ ? ତାହାକୁ ନେଇ ସସପେନ୍ସ । ଶେଷ ମୁହୂର୍ତ୍ତରେ ବିଜୟ ଲାଗି ଉଦ୍ଯମ କରୁଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ। ଆସନ୍ତା ୫ ତାରିଖ ନିର୍ବାଚନ ଲାଗି କରୁଛନ୍ତି ପ୍ରାଣମୂର୍ଚ୍ଛା ପ୍ରଚାର। ବିଭିନ୍ନ ଜାତୀୟ ପ୍ରସଙ୍ଗ ସହ ଅନ୍ଯାନ୍ଯ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଭୋଟରଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି ଦୁଇ ପ୍ରାର୍ଥୀ। କମଳା ହାରିସଙ୍କ ସପକ୍ଷରେ ବି କରାଯାଇଛି ବୃହତ ରାଲି। ୧୮୪୫ ମସିହାରୁ ଚାଲିଆସିଥିବା ନିୟମ ଅନୁସାରେ ନଭେମ୍ବର ପ୍ରଥମ ମଙ୍ଗଳବାର ହିଁ ହେବ ଭୋଟ। ବର୍ତ୍ତମାନ ସୁଦ୍ଧା ହୋଇଥିବା ସର୍ଭେରେ କମଳା ହାରିସଙ୍କୁ ୪୯ ପ୍ରତିଶତ ଓ ଡୋନାଲଡ ଟ୍ରମ୍ପଙ୍କୁ ୪୮ ପ୍ରତିଶତ ସମର୍ଥନ ରହିଛି। ଇଲେକ୍ଟୋରାଲ କଲେଜ ଭୋଟ ସଂଖ୍ଯା ୫୩୮ ହୋଇଥିବାବେଳେ ୨୭୦ ପାଇଥିବା ପ୍ରାର୍ଥୀ ହେବେ ବିଜୟୀ। ଯଦି ୨ ପ୍ରାର୍ଥୀ ୨୬୯ ଲେଖାଏଁ ଭୋଟ ପାଆନ୍ତି ତେବେ ରାଷ୍ଟ୍ରପତି ପଦଲାଗି ପ୍ରତିନିଧି ସଭାରେ ଓ ଉପରାଷ୍ଟ୍ରପତି ଲାଗି ସିନେଟରେ ଭୋଟ ହେବ। ବିଜୟ ସମ୍ଭାବନା ଅଧିକ ରହିଥିବା ବିଭିନ୍ନ ସୁଇଙ୍ଗ୍ ଷ୍ଟେଟରେ ଦୁଇ ପ୍ରାର୍ଥୀ କରୁଛନ୍ତି ପ୍ରଚାର। ଏହି ୭ ରାଜ୍ଯ ହେଲେ ପେନସିଲଭାନିଆ, ନର୍ଥ କାରୋଲିନା, ଆରିଜୋନା, ଜର୍ଜିଆ, ମିଚିଗାଁ, ନଭଦା, ୱିସକୋନସିନ। ସେପଟେ ଶେଷ ମୁହୂର୍ତ୍ତରେ କମଳା କହିଛନ୍ତି- ସେ ୧୦୦ ନିୟୁତରୁ ଅଧିକ ଆମେରୀୟଙ୍କ ଉପରୁ କର ହ୍ରାସ କରିଛନ୍ତି। ଏହା ସହ ସେ ଟ୍ରମ୍ପଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେପଟେ ଟ୍ରମ୍ପଙ୍କ ବିଜୟ ଲାଗି ଦିଲ୍ଲୀରେ ବିଭିନ୍ନ ସାଧୁସନ୍ଥ ସଂଗଠନ ପକ୍ଷରୁ କରାଯାଇଛି ପୂଜାର୍ଚ୍ଚନା।
ଆମ୍ୱଟାକୁଆ ଖାଇ ଚିକିତ୍ସିତ ହେଉଥିବା ୪ ଅସୁସ୍ଥଙ୍କୁ ଭେଟିଲା ବିଜେଡି
ବ୍ରହ୍ମପୁର : ଆମ୍ୱଟାକୁଆ ଖାଇ ଚିକିତ୍ସିତ ହେଉଥିବା ୪ ଅସୁସ୍ଥଙ୍କୁ ଭେଟିଲା ବିଜେଡି । ଆଜି ଗଞ୍ଜାମ ଜିଲ୍ଲା ବିଜେଡିର ଏକ ପ୍ରତିନିଧି ଦଳ ଏମକେସିଜି ମେଡିସିନ ବିଭାଗରେ ଚିକିତ୍ସିତ ହେଉଥିବା ଅସୁସ୍ଥଙ୍କୁ ଭେଟିଛନ୍ତି । ବିଜେଡି ନେତା ବିକ୍ରମ କୁମାର ପଣ୍ଡା ଓ ଭୃଗୁ ବକ୍ସିପାତ୍ରଙ୍କ ସହ ଏକାଧିକ ବିଜେଡି ନେତା ଅସୁସ୍ଥଙ୍କୁ ଭେଟିଛନ୍ତି । ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ପ୍ରତିନିଧି ଦଳ । କହିଛନ୍ତି ବିଜେପି ସରକାର କ୍ଷମତାକୁ ଆସିବା ପରେ ଲୋକେ ରାସନ ସାମଗ୍ରୀ ପାଇପାରୁନାହାନ୍ତି । ପ୍ରତି ମାସରେ ରାସନ ସହ ଚାଉଳ ଓ ଗହମ ଯୋଗାଇ ଦିଅନ୍ତୁ ସରକାର । ଏହା ସହ ଅସୁସ୍ଥଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ପାଇଁ ଦାବି କରିଛି ବିଜେଡି ।
ଆମ୍ବଟାକୁଆ ଜନିତ ମୃତ୍ଯୁ ଘଟଣା ଚପାଇବାକୁ ଲାଗିଛନ୍ତି ରାଜ୍ଯ ସରକାର !
ଭୁବନେଶ୍ବର/ଢେଙ୍କାନାଳ : ଫୁଲ୍ ଦମରେ ସରକାର ଲାଗି ପଡ଼ିଛନ୍ତି ସମ୍ବେଦନଶୀଳ ଘଟଣାକୁ ଚପାଇବା ପାଇଁ ! ନ ହେଲେ ପ୍ରେସ୍ ରିଲିଜରେ ଲେଖି ନଥାନ୍ତେ ଯେ ମୃତକମାନଙ୍କ ପରିବାର ସେପ୍ଟେମ୍ବରରୁ ଅଗ୍ରୀମ ଭାବେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ପାଇଁ ଚାଉଳ ନେଇଥିଲେ । କାରଣ ଦ୍ବିତୀୟ ଚିତ୍ର ସ୍ପଷ୍ଟ କରୁଛି- ଗତକାଲି ସକାଳେ ହିଁ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ପାଇଁ ଚାଉଳ ବଣ୍ଟା ଯାଉଛି । ଯାହା ଅକ୍ଟୋବରରେ ଦିଆଯିବା କଥା । ହୁଏତ ଯଦି ଏହି ମୃତ୍ୟୁ ଘଟଣା ଲୋକଲୋଚନକୁ ଆସି ନଥାନ୍ତା, ସେହି ଗାଁରେ ଚାଉଳ ବି ବଣ୍ଟାଯାଇ ନଥାନ୍ତା ବୋଲି ଚର୍ଚ୍ଚା ହେଉଛି । ପ୍ରେସ ରିଲିଜରେ ଏତେ ବଡ଼ ମିଛ ଲେଖିବାକୁ କିଏ ନିର୍ଦ୍ଦେଶ ଦେଇଥିଲା ? ଯୋଗାଣ ମନ୍ତ୍ରୀ ନା ଯୋଗାଣ ବିଭାଗର କୌଣସି ଅଧିକାରୀ ମିଛ ଲେଖିବାକୁ ବାଧ୍ୟ କରିଥିଲେ କି? ନ ହେଲେ ମିଛ ଧରା ପଡ଼ିବା ପରେ ସବୁଠାରୁ ଏହି ପ୍ରେସ ରିଲିଜ୍ ହଟାଇ ଦିଆଯାଇ ନଥାନ୍ତା । ସେପଟେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଆଜି ବି କହିଛନ୍ତି-ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ ପାଇଁ ଚାଉଳ ଦିଆ ଚାଲିଛି । ଅକ୍ଟୋବର ଆରମ୍ଭରେ ଚାଉଳ ଦେବା ନିୟମ ରହିଛି । ହେଲେ ବିଳମ୍ବ କରିବାରୁ ଗରିବ ଆଦିବାସୀ ପରିବାର ଅନାହରରେ ପଡ଼ି ଆମ୍ବ ଟାକୁଆ ଖାଇ ମୃତ୍ୟବରଣ କରିଛନ୍ତି । ହୁଏତ ତରବରିଆ ଭାବେ ପ୍ରେସ୍ ରିଲିଜ୍ କରାଯାଇ ସରକାରଙ୍କ ଭୁଲ ଲୁଚାଯାଉଥିଲା । ହେଲେ ସମନ୍ବୟ ଅଭାବରୁ ମିଛ ଧରା ପଡ଼ିଲା । ଗତ ୨୪ ବର୍ଷରେ କାହାକୁ ଅନାହରରେ ମରିବାକୁ ଦେଇ ନଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରି ଅବହେଳା ବିରୋଧରେ ବର୍ଷିଛି ବିଜୁ ଜନତା ଦଳ । ଦାୟୀ ଅଧିକାରୀଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
କଂଗ୍ରେସ ପ୍ରତିନିଧି ଦଳ ସଂପୃକ୍ତ ଗାଁକୁ ଯାଇ ସରକାରୀ ଅବହେଳାର ଅସଲ ଚିତ୍ର ଦେଖିବାକୁ ପାଇଛି । ଆମ୍ବ ଟାକୁଆଜନିତ ମୃତ୍ୟୁ ସରକାରଙ୍କ ଦ୍ବାରା ରଚିତ ବିପର୍ଯ୍ୟୟ ବୋଲି ଅଭିଯୋଗ କରିଛି କଂଗ୍ରେସ । ଏଥିରେ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ଜିଲ୍ଲାପାଳଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଗିରଫ ପାଇଁ ଦାବି କରାଯାଇଛି । ଗତକାଲି ସେହି ଗାଁରେ ଚାଉଳ ବଣ୍ଟା ଯାଉଥିବା ସମୟରେ କଂଗ୍ରେସ ଟିମ୍ ପହଞ୍ଚିଥିଲା । ତାହା ଅକ୍ଟୋବର ମାସର ଚାଉଳ ଯାହା ନଭେମ୍ବରରେ ବଣ୍ଟାଯାଉଥିବା ନେଇ ସେମାନେ ଜାଣିବାକୁ ପାଇଲେ । ଏହି ଦେଢ଼ ମାସ ବିଳମ୍ବରେ ଚାଉଳ ମିଳିବାରୁ କାହା ପାଖରେ ଖାଦ୍ୟ ନଥିଲା । ବାଧ୍ୟ ହୋଇ ସେମାନେ ଆମ୍ବ ଟାକୁଆ ଖାଇଲେ । କନ୍ଧମାଳ ଆଦିବାସୀଙ୍କ ନିୟମିତ ଖାଦ୍ୟ ଆମ୍ବ ଟାକୁଆ ବୋଲି ହାଲୁକା ଭାବେ ମନ୍ତ୍ରୀମାନେ କହୁଥିବାରୁ ଆପତ୍ତି ଉଠାଇଛି କଂଗ୍ରେସ। ଅବହେଳା ଓ ଅନାହାରର କରାଳ ଚିତ୍ରରେ ଦୁଇଟି ଜୀବନ ଗଲା । ହେଲେ ରାଜ୍ୟ ସରକାର ମିଛ ପରେ ମିଛ କହି ଦୋଷ ଛଡ଼ାଇବାରେ ବ୍ୟସ୍ତ । ସାଧାରଣ ବଣ୍ଟନ ବ୍ୟବସ୍ଥା ବି ହୋଇଛି ବିପର୍ଯ୍ୟସ୍ତ।
ଯୋଗାଣମନ୍ତ୍ରୀଙ୍କ ଚାଉଳ ମିଛର ମୁହଁତୋଡ଼ ଜବାବ ଦେଇଛନ୍ତି ଖୋଦ୍ ମାଣ୍ଡିପଙ୍କା ଗ୍ରାମବାସୀ
ଦାରିଙ୍ଗବାଡି : କିଏ କହୁଛି ସତ ? ଯୋଗାଣମନ୍ତ୍ରୀ ନା ମାଣ୍ଡିପଙ୍କା ଗ୍ରାମବାସୀ ? ଯଦି ମନ୍ତ୍ରୀ ସତ ତାହାଲେ ସବୁ ଗାଁ ଲୋକ କଣ ମିଛ ? ନିଜ ବିଭାଗର ଦୋଷ ଛଡ଼ାଇବାକୁ ଲୋକଙ୍କ ଉପରକୁ ଦୋଷ ଠେଲୁନାହାନ୍ତି ତ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ? ସଫେଇ ଦେଇ ସତ ଚାପିଦେବାକୁ ହେଉନି ତ ଉଦ୍ଯମ ? କାରଣ ଜଣେ କି ଦୁଇଜଣ ନୁହେଁ, ମାଣ୍ଡିପଙ୍କା ଗାଁର ସବୁ ଲୋକଙ୍କ ସମାନ ଅଭିଯୋଗ- ୩ ମାସ ହେଲା ଚାଉଳ ଦେଇନାହାନ୍ତି ସରକାର । ରାସନ ନମିଳିବାରୁ ଭୋକ ବିକଳରେ ଆମ୍ବଟାକୁଆ ଜାଉ ଖାଇଥିଲେ । ଯେଉଁଥିରେ ୨ ମହିଳାଙ୍କର ମୃତ୍ଯୁ ହୋଇଥିବାବେଳେ ୬ ଜଣ ଏବେବି ଚିକିତ୍ସାଧୀନ । ଚାରିଆଡ଼ୁ ସମାଲୋଚନା ପରେ ଗତ ଏକ ତାରିଖରେ ତରବରିଆ ଭାବେ ପୋକ ସାଲୁବାଲୁ ଚାଉଳ ବଣ୍ଟାଯାଇଛି । ହେଲେ ସରକାର ଅପାରଗତାକୁ ସ୍ବୀକାର କରିବା ବଦଳରେ ବିତଣ୍ଡା ଯୁକ୍ତି ବାଢିବାରେ ବ୍ଯସ୍ତ । କେବେ ଗରିବୀକୁ ଉପହାସ କରି ଆମ୍ବଟାକୁଆ ଜାଉ ଖାଇବା ସେମାନଙ୍କ ଅଭ୍ଯାସ ବୋଲି କହୁଛନ୍ତି ତ ଆଉ କେବେ କହୁଛନ୍ତି, ଚାଉଳ ଠିକ୍ ସମୟରେ ମିଳିଛି । ସରକାରଙ୍କ ସିରିଜ ମିଛକୁ ପଦାରେ ପକାଇବା ସହ ପ୍ରବଳ ବର୍ଷିଛନ୍ତି ଗ୍ରାମବାସୀ ।
ଖାଲି ଚାଉଳ ମିଛ ନୁହେଁ, ସଚେତନତା ନେଇ ବି ଚାଲିଛି ମିଛ ପ୍ରଚାର । ଯାହାର ପର୍ଦ୍ଦାଫାସ କରିଛନ୍ତି ନିଜେ ଗ୍ରାମବାସୀ । ଲୋକଙ୍କ ଅଭିଯୋଗ- ଆଶାକର୍ମୀ କି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କେହି ଗାଁକୁ ନିୟମିତ ଆସୁନଥିଲେ । ସ୍ବାସ୍ଥ୍ଯ ସୁରକ୍ଷା ପାଇଁ ଦିନଟିଏ ବି ସଚେତନ କରାଯାଉନଥିଲା । ହେଲେ ଏବେ ସମସ୍ତଙ୍କର ଚେତା ପଶିଛି । ଅଘଟଣ ଘଟିବା ପରେ ଗାଁକୁ ଆସି ବୁଝାଇବାରେ ଲାଗିପଡ଼ିଛନ୍ତି ।
ଅନ୍ତର୍ଜାତୀୟ ବଜାରରେ ଖସୁଛି ଅଶୋଧିତ ତେଲ ଦର, ହେଲେ ଖସୁନି ରିଟେଲ ଦର
ଭୁବନେଶ୍ବର : ଲୋକଙ୍କୁ ଦରବୃଦ୍ଧିର ଅଭ୍ୟାସ କରାଅ । ଅଭ୍ୟସ୍ତ ହୋଇଗଲେ ଲୋକଙ୍କ ପାଟି ଆଉ ଫିଟିବନି । ଏହା ହେଉଛି ଏବର କେନ୍ଦ୍ର ସରକାରଙ୍କ ଫଣ୍ଡା। ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ୭୦ ଡଲାର ତଳକୁ ଖସିଲାଣି । ତଥାପି କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ କମାଉ ନାହାନ୍ତି ପେଟ୍ରୋଲ ଡିଜେଲର ଖୁଚୁରା ଦର । ସେମାନେ ନିଜେ କରିଥିବା ଡାଇନାମିସ ପ୍ରାଇସ ମେକାନିଜିମ ଚୁଲିକୁ ଗଲାଣି । ଇରାନ-ଇସ୍ରାଏଲ ଯୁଦ୍ଧ ସ୍ଥିତି ପରେ ଅଶୋଧିତ ତୈଳ ଦର ନ ବଢି ଓଲଟି କମିଚାଲିଛି । ଏହାର ଭରପୂର ଫାଇଦା ମାରୁଛନ୍ତି ତୈଳ କମ୍ପାନୀ । କିନ୍ତୁ ଗ୍ରାହକ ବାପୁଡ଼ା ଆଗରୁ ଯେତେ ଟଙ୍କାରେ ପେଟ୍ରୋଲ ଡିଜେଲ କିଣୁଥିଲା, ଏବେ ବି ସେଇ ରେଟରେ କିଣୁଛି। ତୈଳ ଦର କମୁଥିବାରୁ ରିଫାଇନିଂ ମାର୍ଜିନ କମ୍ ହେଉଛି । ମାର୍କେଟିଂ ମାର୍ଜିନ କମୁଥିବାରୁ ଦ୍ବିତୀୟ ତ୍ରୟମାସିକରେ ଆଇଓସିଏଲ୍କୁ ଛାଡ଼ି ବାକି ଦୁଇଟି ଯାକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ୨ ହଜାର ୪୨୨ କୋଟି ୬୭ ଲକ୍ଷ ଟଙ୍କା ଲାଭ କରିଛନ୍ତି । ଆଗକୁ ବି କମ୍ପାନୀଗୁଡ଼ିକ ବମ୍ଫର ଲାଭ କରିବେ । ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ଆଶା କରିଛି ଆସନ୍ତା ଡିସେମ୍ବର ଓ କିମ୍ବା ନୂଆବର୍ଷକୁ କମିପାରେ ପେଟ୍ରୋଲ ଡିଜେଲର ଖୁଚୁରା ଦର ।
ଜନମଙ୍ଗଳ ରାଷ୍ଟ୍ରରେ କେନ୍ଦ୍ର ସରକାର ଜନତାଙ୍କ ହିତ କଥା ଚିନ୍ତା କରିବା ଦରକାର। ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମିଲେ ଆପେ ଆପେ ପେଟ୍ରୋଲ ଡିଜେଲ ଦର କମିବା କଥା । ଏଥିପାଇଁ କେନ୍ଦ୍ର ସରକାର ୨୦୧୭ ମସିହାରୁ ଡାଇନାମିକ ପ୍ରାଇସ୍ ମେକାନିଜିମ୍ ବ୍ୟବସ୍ଥା କରିଥିଲେ । ହେଲେ ଏ ବ୍ୟବସ୍ଥାଟି ଏବେ ଆଉ ଦେଖିବାକୁ ମିଳୁନି । ସେପଟେ ଦ୍ଵିତୀୟ ତ୍ରୟମାସିକର ଲାଭ କ୍ଷତି ରାଷ୍ଟ୍ରାୟତ୍ତ କମ୍ପାନୀ ଗତବର୍ଷ ସହିତ ତୁଳନା କରୁଛନ୍ତି । କିନ୍ତୁ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ଵାଟର ଦେଖିଲେ ୩ଟି ଯାକ ତୈଳ କମ୍ପାନୀଙ୍କ ଲାଭ ୭ ହଜାର ୩ କୋଟି ୯୮ ଲକ୍ଷ ଟଙ୍କା । ଏହାକୁ ଗତ ବର୍ଷ ସହିତ ତୁଳନା କରି ଲୋକେ ଯେପରି କମ୍ପାନୀଙ୍କୁ ଦୋଷ ଦେଇପାରିବେନି ସେ ନେଇ ଲାଭକ୍ଷତିର ଗୋଲକ ଧନ୍ଦାର ହିସାବ ଦେଖାଉଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦରରେ ୨ ଟଙ୍କା ହ୍ରାସ ହୋଇଥିଲା । ତା ପରଠୁ ଅଶୋଧିତ ତୈଳ ରେଟ୍ କମୁଥିଲେ ବି ଖୁଚୁରା ଦର ଅପରିବର୍ତ୍ତିତ ରଖିବା ଅର୍ଥ ଲୋକଙ୍କୁ ଶୋଷଣ କରିବା ସାଙ୍ଗ ସମାନ ବୋଲି କହିଛନ୍ତି ବିଶେଷଜ୍ଞ । କମୁନି ପେଟ୍ରୋଲ ଓ ଡିଜେଲ ଦର । ସେପଟେ ବିଚ୍ଛିନ୍ନାଞ୍ଚଳରେ ଲୋକଙ୍କୁ ସମାନ ଦରରେ ପେଟ୍ରୋଲ ଡିଜେଲ ଉପଲବ୍ଧ କରିବାକୁ ନିକଟରେ କେନ୍ଦ୍ର ସରକାର ସବୁ ଡିଲରଙ୍କ ପରିବହନ ଖର୍ଚ୍ଚକୁ ୨ରୁ ୫ ପଇସା ବୃଦ୍ଧି କରିଛନ୍ତି । ହେଲେ ଖୁଚୁରା ଦର କମିବ, ତାକୁ ଅନାଇ ରହିଛନ୍ତି ଲୋକେ।
ରାଜ୍ୟର ବିଜେପି ସରକାର ବିରୋଧରେ ଉତ୍କଳ ସମ୍ମିଳନୀର ସଂଗୀନ ଅଭିଯୋଗ
ଭୁବନେଶ୍ବର : ରାଜ୍ୟର ବିଜେପି ସରକାର ବିରୋଧରେ ଉତ୍କଳ ସମ୍ମିଳନୀର ସଂଗୀନ ଅଭିଯୋଗ। ରାଜ୍ୟର ସ୍ଵାର୍ଥ ରକ୍ଷା ପାଇଁ ସରକାରଙ୍କ ପାଖରେ ସମୟ ନାହିଁ। ସୀମା ସୁରକ୍ଷା, ଭାଷା ସୁରକ୍ଷା ଆଦି ପ୍ରସଙ୍ଗ ବିଜେପି ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଉତ୍କଳ ସମ୍ମିଳନୀ ଏପରି ଅଭିଯୋଗ କରିବାର କାରଣ ହେଲା- ରାଜ୍ୟର ସୀମା ଓ ଭାଷାର ସୁରକ୍ଷା ପାଇଁ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ସହ ବାରମ୍ବାର ଚିଠି ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାରମ୍ବାର ସମୟ ମଗାଯାଇଛି। କିନ୍ତୁ ଏ ଯାଏ ସମୟ ଦେଲେ ନାହିଁ ମୁଖ୍ୟମନ୍ତ୍ରୀ। କୋଟିଆ ଭଳି ସୀମା ସମସ୍ୟାର ସମାଧାନ, ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର, ପୂଜ୍ୟପୂଜାଙ୍କୁ ସମ୍ମାନ, ବର୍ଣବୋଧ ଛପା ହେବା, ଓଡ଼ିଆ ଶିକ୍ଷକ ନିଯୁକ୍ତି ଆଦି ପ୍ରସଙ୍ଗ ନେଇ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ଆଠ ଦଶ ଖଣ୍ଡ ଚିଠି ଲେଖିଛି ଉତ୍କଳ ସମ୍ମିଳନୀ। କିନ୍ତୁ କିଛି ଉତ୍ତର ନାହିଁ କି ପଦକ୍ଷେପ ନାହିଁ। ନବୀନ ସରକାର ତ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ବହୁ ପଦକ୍ଷେପ ନେଇଥିଲେ। ଏପରିକି ଓଡ଼ିଆ ଭାଷାର ବ୍ୟବହାର ନ କଲେ ଦଣ୍ଡ ବିଧାନର ବ୍ୟବସ୍ଥା କରିଥିଲେ। କିନ୍ତୁ ଏବେ ବି ୨୦ ପ୍ରତିଶତ ଦୋକାନ, ସଂସ୍ଥା, ଅନୁଷ୍ଠାନରେ ଓଡ଼ିଆ ଭାଷା ଲେଖାଯାଇ ନାହିଁ। ୮୦ ପ୍ରତିଶତ ସ୍ଥାନରେ ବୋର୍ଡ଼ରେ ଓଡ଼ିଆ ଅତି ଛୋଟ ଛୋଟ ଅକ୍ଷରରେ ଲେଖାଯାଇଛି ଓ ଅନ୍ୟ ଭାଷା ବଡ଼ ଅକ୍ଷରରେ ଲେଖାଯାଇଛି। ଯାହାକି ଓଡ଼ିଆ ଭାଷା ପ୍ରତି ଅସମ୍ମାନ। କିନ୍ତୁ ଏବର ସରକାରଙ୍କ ତା ଉପରେ ଦୃଷ୍ଟି ନାହିଁ। ନିୟମ ହୋଇ ମଧ୍ୟ କାର୍ଯ୍ୟକାରୀ ହେଉ ନାହିଁ। ଏହା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି ଉତ୍କଳ ସମ୍ମିଳନୀ।
ସେପଟେ ଓଡ଼ିଆ ଅସ୍ମିତା ପରିଷଦ ଅଭିଯୋଗ କରିଛି-ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଛି ବିଜେପି। ଯଦି ଓଡ଼ିଆ ଓ ଓଡ଼ିଶାର ସୁରକ୍ଷା ପ୍ରସଙ୍ଗରେ ଯେତେବେଳେ ଓଡ଼ିଆ ଜାତି ପ୍ରଶ୍ନ କରିବ ସେତେବେଳେ ସରକାର କି ଉତ୍ତର ଦେବେ ବୋଲି ପ୍ରଶ୍ନ କରିଛି ଏହି ସଂଗଠନ। କୋଟିଆ, ମହାନଦୀ ଓ ପୋଲାଭରମ ଭଳି ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚିନ୍ତା ନାହିଁ। କିନ୍ତୁ ଲୋକଙ୍କ ପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା କର୍ମୀ କାଢ଼ିବା ଭଳି ହୀନ କାମରେ ବିଜେପି ସରକାର ଲାଗିଛି ବୋଲି ଅଭିଯୋଗ ଆଣିଛି ନାଗରିକ ସୁରକ୍ଷା ମଞ୍ଚ। ଏଥିରୁ ମୁଖ୍ୟମନ୍ତ୍ରୀ କ୍ଷାନ୍ତ ରହନ୍ତୁ ବୋଲି ଦାବି କରାଯାଇଛି। ତା ବଦଳରେ ଆମ୍ବ ଟାକୁଆ ମୃତ୍ୟୁକୁ ବିଜେପି ସରକାର ଧ୍ୟାନ ଦିଅନ୍ତୁ, ରାଜ୍ୟର ସ୍ୱାର୍ଥ ରକ୍ଷା ଓ ବିକାଶ ପାଇଁ ସରକାର କାମ କରନ୍ତୁ ବୋଲି ଦାବି କରିଛି ମଞ୍ଚ। ନଚେତ ଓଡ଼ିଶାବାସୀ ଏହାର ଜବାବ ଦେବେ ବୋଲି ଚେତାଇ ଦିଆଯାଇଛି। ସୀମା ସୁରକ୍ଷା ହେଉ କିମ୍ବା ଜଳବିବାଦ ବିଭିନ୍ନ କ୍ଷେତ୍ରରେ ପଡୋଶୀ ରାଜ୍ୟଗୁଡିକ ଓଡିଶାକୁ ଅସୁବିଧାରେ ପକାଉଥିବା ବେଳେ ରାଜ୍ୟ ବିଜେପି ସରକାରର କିନ୍ତୁ ଏସବୁ ପ୍ରତି ନିଘା ନାହିଁ। ଏହାକୁ ନେଇ ସବୁ ମହଲରେ ଅସନ୍ତୋଷ ତେଜିଲାଣି।
ଭସାଣ ପାଇଁ ଉତ୍ସବମୁଖର କଟକ
କଟକ : ମେଲାଣି ନେଇଛନ୍ତି ମାଆ । ୩ଦିନ ଧରି ପୂଜା ପରେ ମହାଶକ୍ତୀ ମହାକାଳୀଙ୍କୁ ବିଦାୟ ଦେଉଛନ୍ତି ମଣ୍ଡପ କର୍ମକର୍ତ୍ତା । ବିସର୍ଜନ ଉତ୍ସବ ପାଇଁ ଉତ୍ସବମୁଖର କଟକ ସହର । ସକାଳୁ ସକାଳୁ ବିସର୍ଜନ ପାଇଁ ସହରର ୭୫ଟି ପୂଜା ମଣ୍ଡପରୁ ବାହାରିଥିଲା ମେଢ । ସାହି ପରିକ୍ରମା ପରେ ମେଢଗୁଡ଼ିକ ମୁଖ୍ଯ ରାସ୍ତାକୁ ଶୋଭାଯାତ୍ରାରେ ଆସିଥିଲେ । ସେଠାରୁ ଧାଡ଼ିବାନ୍ଧି ଦେବୀଗଡ଼ା ଅଭିମୁଖେ ଆରମ୍ଭ ହୋଇଥିଲା ଭସାଣ ଉତ୍ସବ । କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ବକ୍ସିବଜାର ଦେଇ ଦେବୀଗଡ଼ା ଅଭିମୁଖେ ଯାଇଥିଲେ ମେଢ । ବାଜା, ରୋଷଣୀ, ବ୍ଯାଣ୍ଡ ପାର୍ଟିର ଧୁନରେ ନାଚି ନାଚି ବେଦମ ହୋଇଥିଲେ ସାହି ଯୁବକ ।
ଅପରାହ୍ନରେ ଶିଖରପୁର, ଖାନନଗର, ଚାଉଳିଆଗଞ୍ଜ, ଶେଖ ବଜାର ଭଳି ପ୍ରମୁଖ ମେଢ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ସବୁ ମେଢକୁ ମଙ୍ଗଳାବାଗ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିସର୍ଜନ ପାଇଁ ଦେବୀଗଡ଼ା ନିକଟରେ ପ୍ରଶାସନ ପକ୍ଷରୁ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଶୃଙ୍ଖଳିତ ଭସାଣ ପାଇଁ ସହରରେ ୬୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏହାସହ ୬୦ ଏଡ୍ ପୋଷ୍ଟ, ୨୦ ମୋବାଇଲ ପାଟ୍ରୋଲିଂ ଟିମ ସଜାଗ ଅଛନ୍ତି । ବ୍ଲକିଂ, ଚେକିଂ ଓ ୱାନ ୱେ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଡିସିପି । ବିଳମ୍ବିତ ରାତି ଯାଏଁ ଚାଲିବ ମାଆଙ୍କ ଭସାଣ ଉତ୍ସବ । ଦୁର୍ଗାପୂଜା ପରି ମାଆଙ୍କ ଭସାଣ ଉତ୍ସବ ଦେଖିବାକୁ ସହରର ରାସ୍ତାକଡ଼ ଓ ଘରର ଛାତ ଉପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା
ସୁସ୍ଥ ଓଡ଼ିଶା ଗଠନ ପାଇଁ ଡାକ୍ତରଙ୍କ ଅଭିନବ ପ୍ରୟାସ
ରାଉରକେଲା : ସ୍ବାସ୍ଥ୍ଯର ଯତ୍ନନେଲେ ଦୂରେଇ ହେବ ରୋଗ । ହସ୍ପିଟାଲ ଖର୍ଚ୍ଚରୁ ବଞ୍ଚିବାକୁ ନିଜେ ସଚେତନ ହେବା ଆବଶ୍ଯକ । ସ୍ବାସ୍ଥ୍ଯ ଟୁଙ୍ଗିରେ ମିଳୁଛି ସ୍ବାସ୍ଥ୍ଯ ସମ୍ପର୍କିତ ପରାମର୍ଶ । ଆଉ ଏହି ପରାମର୍ଶ ଦେଉଛନ୍ତି ନିଜେ ଡାକ୍ତର । ରାଉରକେଲା ସହରର ଛେଣ୍ଡ କଲୋନୀରେ ଡାକ୍ତର ବିଶ୍ବଜିତ ମହାପାତ୍ର ପ୍ରତିଷ୍ଠା କରିଛନ୍ତି ସ୍ବାସ୍ଥ୍ୟ ଟୁଙ୍ଗି । ଔଷଧୀୟ ଯୋଗ, ଥେରାପ୍ଯୁଟିକ ଜୀବନ ପରିବର୍ତ୍ତନ, ମାନିସକ ସ୍ବାସ୍ଥ୍ୟ, ଖାଦ୍ୟ ଓ ପୋଷଣ, ରୋଗ ରିଭର୍ସାଲ, ଧ୍ୟାନ ଓ ସ୍ବୟଂ ସ୍ବାସ୍ଥ୍ୟଶିକ୍ଷା ଗ୍ରହଣ କଲେ ଔଷଧର ଆବଶ୍ଯତା ନାହି ବୋଲି କହିଛନ୍ତି ଡାକ୍ତର । ଡାକ୍ତର ବିଶ୍ବଜିତ ମହାପାତ୍ର ନୋ ପ୍ରେସକ୍ରିପସନ ପଏଣ୍ଟ ପ୍ରତିଷ୍ଠା କରି ଲୋକଙ୍କୁ କରୁଛନ୍ତି ସଚେତନ । ସ୍ବାସ୍ଥ୍ୟର ଯତ୍ନ ନେଵା ସହ ସଠିକ ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଉଛନ୍ତି ।
ଆଜିର ସମୟରେ ରୋଗ ମଣିଷର ବଡ଼ ଶତ୍ରୁ । ଦିନକୁ ଦିନ ନୂଆ ନୂଆ ରୋଗ ମଣିଷକୁ ଆକ୍ରାନ୍ତ କରୁଛି । ଆଉ ଔଷଧ ଓ ହସପିଟାଲ ଖର୍ଚ୍ଚ ଲୋକଙ୍କୁ କାଙ୍ଗାଳ କରିଦେଉଛି । ତେଣୁ ଏଥିରୁ ମୁକ୍ତି ପାଇବାକୁ ନିଜ ଶରୀରକୁ ନିଜେ ଧ୍ୟାନ ଦେଵା ଓ ନିଜ ଶରୀରକୁ ଜାଣିବା ଜରୁରୀ । ଖାଦ୍ୟ ପାନୀୟର ଯତ୍ନ ନେଵା ସହ ବ୍ୟାୟାମ, ଯୋଗ ଧ୍ୟାନ କଲେ ଆମେ ନିଜକୁ ନିରୋଗୀ ଓ ସୁସ୍ଥ ରଖିପାରିବା । ଏନେଇ ସ୍ବାସ୍ଥ୍ଯ ଟୁଙ୍ଗିରେ ବିଭିନ୍ନ ଉପଦେଶ ଦେଉଛନ୍ତି ଡାକ୍ତର । ଖାଲି ସେତିକି ନୁହେଁ ବରିଷ୍ଠ ନାଗରିକମାନେ ରୋଗ ପ୍ରତିରୋଧକ ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରି ସଫଳ ହେଉଥିବା ମଧ୍ଯ କହିଛନ୍ତି । ନୋ ପ୍ରେସକ୍ରିପସନ ପଏଣ୍ଟରେ ଡାକ୍ତରୀ ଦଳ ରୋଗୀଙ୍କୁ ଦେଉଛନ୍ତି ସୁସ୍ଥ ରହିବାର ବିଭିନ୍ନ ଟିପ୍ସ ।
ଭାରତ-ଇଂଲଣ୍ତ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ଦର ଧାର୍ଯ୍ୟ
କଟକ : କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ହେବାକୁ ଥିବା ଭାରତ-ଇଂଲଣ୍ତ ଦିନିକିଆ ଦିବାରାତ୍ର ମ୍ୟାଚ୍ ପାଇଁ ଓସିଏର ସ୍ଵତନ୍ତ୍ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓସିଏ ସଂପାଦକ ସଂଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମ୍ୟାଚ୍ ପାଇଁ ଉଭୟ ଟିମ୍ ଭୁବନେଶ୍ଵରର ମେ ଫେୟାର ଲାଗୁନ ହୋଟେଲରେ ରହିବେ । ଏଥର ବାରବାଟୀ ଷ୍ଟାଡିୟମରେ ୪୪ହଜାର ୫୨୪ ଦର୍ଶକଙ୍କ ମ୍ୟାଚ୍ ଦେଖିବା ପାଇଁ ବ୍ୟବସ୍ଥା ହୋଇଛି । ଏହାଛଡ଼ା ମ୍ୟାଚ୍ ପାଇଁ ଟିକେଟ ଦର ଧାର୍ଯ୍ୟ କରିଛି ଓସିଏ । ଗ୍ୟାଲେରୀ-୧,୩,୬ର ଟିକେଟର ଦାମ-୧ହଜାର ୨୦୦ ଟଙ୍କା ରଖାଯାଇଛି । ସେହିପରି ୨,୪ ଗ୍ୟାଲେରୀର ଟିକେଟ୍ ଦାମ-୧ହଜାର ଟଙ୍କା ରହିଛି । ୫ ନମ୍ବର ଗ୍ୟାଲେରୀର ଟିକେଟ୍ ଦାମ-୧୫ଶହ ଟଙ୍କା । ସ୍ପେଶାଲ ଏନକ୍ଲୋଜର ର ଟିକେଟ୍ ଦାମ ୭ ହଜାର ଟଙ୍କା, ଏସି ଗ୍ୟାଲେରୀ ବକ୍ସ ଟିକେଟ୍ ଦାମ୍ ୯ ହଜାର ଟଙ୍କା ରଖାଯାଇଛି । ଓ କର୍ପୋରେଟ ବକ୍ସ ଟିକେଟ୍ ଦାମ ୨୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।
ଭୁବନେଶ୍ବର କ୍ଯାପିଟାଲ ହସପିଟାଲରେ ବେସରକାରୀ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାଦାଗିରି
ଭୁବନେଶ୍ବର : ଘରୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାଦାଗିରି । ଶବ ବ୍ୟବଚ୍ଛେଦ ପାଇଁ ଆସିଥିବା ଆମ୍ବୁଲାନ୍ସକୁ ଅଟକ । ଛାଡିଲେନି ମୃତଦେହ । ୩ ଘଣ୍ଟା କାଳ ଅଟକାଇ ରଖିଲେ ଶବ । ଗଣମାଧ୍ୟମରେ ଖବର ପରେ ମୁକୁଳିଲେ ୟୁପିର ପରିବାର । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର କ୍ଯାପିଟାଲ ହସପିଟାଲରେ । ଶବ ଉପରେ ଜୁଲମ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ଘରୋଇ ଆମ୍ବୁଲାନ୍ସ କର୍ମଚାରୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଉତ୍ତର ପ୍ରଦେଶର କମଲେଶ୍ ପାଣ୍ଡେଙ୍କ ମୃତ୍ୟୁ ହୋଇଥିଲା । ଶବ ନେଇ ବ୍ୟବଛେଦ ପାଇଁ ଆସିଥିବା ଆମ୍ବୁଲାନ୍ସକୁ ଛାଡିନଥିଲେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀ । ସ୍ଥାନୀୟ ଆମ୍ବୁଲାନ୍ସ ନ ନେଲେ ମୃତଦେହ ନେଇପାରିବେ ନାହିଁ ବୋଲି ଅଡିବସିଥିଲେ । ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ଛାଡିଥିଲେ ।
କ୍ୟାପିଟାଲ ହସ୍ପିଟାଲରେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଜୁଲମ ନୂଆ ନୁହେଁ । ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି । ଫଳରେ ହତା ଭିତରୁ ଆମ୍ବୁଲାନ୍ସକୁ ବାହାର କରିଦିଆ ଯାଇଛି । କିନ୍ତୁ ଏବେ ପୁଣି ହସ୍ପିଟାଲ ପରିସରରେ ଦାଦାଗିରି ଆରମ୍ଭ କରିଛନ୍ତି ଘରୋଇ ଆମ୍ବୁଲାନ୍ସ । ଭଲକରି ଦେଖନ୍ତୁ ଏହି ପୋଷ୍ଟରକୁ । ହସ୍ପିଟାଲ କାନ୍ଥରେ ଘରୋଇ ଆମ୍ବୁଲାନ୍ସ ସେବାର ପୋଷ୍ଟର ଲାଗିଛି । ମୋବାଇଲ ନମ୍ବର ବି ଅଛି । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନି । ଫଳରେ ନିରୀହ ଲୋକମାନେ ଏମିତି ନିର୍ଯାତନାର ଶିକାର ହେଉଛନ୍ତି । ଏନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଛି । କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଦୌରାତ୍ମ ବଢିବଢି ଚାଲିଛି । ସେପଟେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଏଭଳି ହେଉଥିଲେ ଆମକୁ ଅଭିଯୋଗ କରନ୍ତୁ । କ୍ୟାପିଟାଲ ହସ୍ପିଟାଲରେ ଏଭଳି ଅଭିଯୋଗ ବାରମ୍ବାର ହେଉଛି । ଶବ ନେବାପାଇଁ ନିରୀହ ଲୋକଙ୍କୁ ଘରୋଇ ଆମ୍ବୁଲାନ୍ସ କର୍ମଚାରୀମାନେ ଅଧିକ ଅର୍ଥ ଦାବି କରୁଛନ୍ତି । କିନ୍ତୁ ପ୍ରଶାସନର ନୀରବତା ସେମାନଙ୍କୁ ସାହାସ ଦେଉଛି ।

