spot_img
Home Blog Page 1396

ଅବ୍ୟବସ୍ଥା ଘେରରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ପିଇବା ପାଇଁ ନାହିଁ ପାଣି । ଶୋଷ ହେଲେ ଯିବାକୁ ପଡୁଛି ଅନେକ ଦୂର । ଅନେକ ସମସ୍ୟା ଭିତରେ ଏବେ ମୁଖ୍ୟ ସମସ୍ୟା ପାଲଟିଛି ଜଳ । ବହୁବାର ଅଭିଯୋଗ ସତ୍ବେ ଫଳ ଶୁନ । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ବାଚନ ମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ଏବଂ ଆଖ ପାଖ ବ୍ଳକ ର ହଜାର ହଜାର ରୋଗୀ ଓ ତାଙ୍କ ପରିଜନ ନିର୍ଭର କରୁଛନ୍ତି । ହେଲେ ଏଠି ରୋଗୀଙ୍କ ପାଇଁ ବର୍ଷ ବର୍ଷ ହେଲା ପିଇବା ପାଣି ନଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ପାଣି ନଥିବା ଯୋଗୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ରୋଗୀଙ୍କ ପରିଜନ ଅଭିଯୋଗ କରିଛନ୍ତି।

କଣ୍ଟାବାଞ୍ଜି ସ୍ବାସ୍ଥ୍ୟକେନ୍ଦ୍ରରେ ପାଣି ସମସ୍ୟା ବିଷୟରେ ସମସ୍ତେ ଅବଗତ। ଜଳ ଯୋଗାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଓଭର ହେଡ ଟ୍ୟାଙ୍କର ନିର୍ମାଣ କରଯାଇଛି । ୫ମାସ ହେଲା ଏହାର ନିର୍ମାଣ କାମ ୯୦ପ୍ରତିଶତ ସରିଛି ।  ହେଲେ ଏବେ ଓଭର ହେଡ ଟାଙ୍କି କୁ ପାଣି କଉଠୁ ଉଠିବ ବୋଲି ପ୍ରଶ୍ନ ଉଠିଛି ।  ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପାଣି ର ସ୍ରୋତ ନଥିବା ଜଣାପଡିଛି । ବିଭାଗ ଏହାକୁ ନେଇ ଏବେ କଣ୍ଟାବାଞ୍ଜି ଥାନା ପରିସରରେ ଏକ ନଳକୂପ ଖନନ କରି ପାଣି ଆଣିବାର ବ୍ୟବସ୍ଥା କରିବାକୁ ଚେଷ୍ଟା କରୁଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପରିଦର୍ଶନରେ ଆସି ପାଣି ସମସ୍ୟା ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି । କଣ୍ଟାବାଞ୍ଜି ଡାକ୍ତରଖାନାରେ ପାଣିର ସମସ୍ୟା ନେଇ ଅନେକ ସମୟରେ ଅନେକ ସଂଗଠନ ପକ୍ଷରୁ ଦାବି ଉପସ୍ଥାପନ କରାଯାଉଛି । ହେଲେ ଯଥା ପୂର୍ବଂ ତଥା ପରଂ ସ୍ଥିତି ।

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବୃଦ୍ଧା : ବିବ୍ୟାଙ୍ଗ ଯୋଗୁଁ ଆଧାର କାର୍ଡ ହୋଇପାରୁନଥିବାରୁ ସରକାରୀ ସହାୟତାରୁ ବଞ୍ଚିତ

ବଡମ୍ବା : ଆହାର ପାଇଁ ବାଧକ ସାଜିଛି ଆଧାର । ସାହିଲୋକଙ୍କ ସାହାଯ୍ୟରେ ଜଳୁଛି ଜାନକୀଙ୍କ ଗୁଜୁରାଣ । ଜନଶୁଣାଣୀରେ ଗୁହାରି ଶୁଣିଲେନି ଅଧିକାରୀ । ବଡ଼ମ୍ବା ବ୍ଲକ ନିଜିଗଡ଼ ପଞ୍ଚାୟତ ବାସିନ୍ଦା ଜାନକୀ ଗୁରୁ । ବହୁ ବର୍ଷ ହେଲା ସ୍ବାମୀ ଆରପାରିରେ, ଏପଟେ ସେ ଦିବ୍ୟାଜ୍ଞ । ବୟସ ତାଙ୍କର ୮୦ ଛୁଇଁଲାଣି  । ଏତକ ଭିତରେ ବି ତାଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସାଜିଛି ଗରିବୀ । ନୁଆଁଣିଆ ଅଧା ଭଙ୍ଗା ଘରେ ଜରିପାଲ ଢାଙ୍କି ଦିନ କାଟୁଛନ୍ତି ନିରାଶ୍ରୟା ମହିଳା ଜାନକୀ ଗୁରୁ | ନିରକ୍ଷରତା ଏବଂ ଦିବ୍ୟାଙ୍ଗ ସ୍ୱାସ୍ଥ୍ୟ କାରଣରୁ ଆଧାର କାର୍ଡ଼ ହୋଇପାରି ନାହିଁ | ବିନା ଆଧାର କାର୍ଡ଼ରେ ସରକାରୀ ବ୍ୟବସ୍ଥାରେ ପତ୍ର ନହଲିବାର ବ୍ୟବସ୍ଥା ରହିଛି । ଫଳରେ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡ଼ରେ ନାମ ଥାଇ ମଧ୍ୟ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ଅଛନ୍ତି ସମ୍ପୃକ୍ତ ମହିଳା | ଜନ୍ମଗତ ପ୍ରମାଣ ପତ୍ର ସହିତ ଅନ୍ୟ ଆନୁସଙ୍ଗିକ କାଗଜ ନଥିବାରୁ ମଧ୍ୟ ଆଧାର କାର୍ଡ଼ ହୋଇପାରୁନାହିଁ। …..

ସାହି ପଡ଼ିଶା ଏବଂ କିଛି ସ୍ବେଛାସେବୀ ପାଳି କରି ସର୍ବନିମ୍ନ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଥିବାରୁ ଜାନକୀଙ୍କ ଜୀବନ ବଞ୍ଚିଛି | ସେପ୍ଟେମ୍ବର  ୨୩ ତାରିଖରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ଖୋଦ କଟକ ଜିଲ୍ଲାପାଳଙ୍କୁ ଭେଟି ଜାନକୀ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଏହାରି ଭିତରେ ସର୍ବନିମ୍ନ ଦିନକୁ ଦୁଇଓଳା ଖାଇବାକୁ ସଂଗ୍ରାମ କରୁଥିବା ମହିଳାଙ୍କ ପାଇଁ ଆବାସ ଖଣ୍ଡେ ମିଳିବା ସାତ ସ୍ବପ୍ନ ପାଲଟିଛି । ଅନ୍ୟପଟେ ଅତିଶୀଘ୍ର ଜାନକୀଙ୍କ ଆଧାରକାର୍ଡ ସମସ୍ୟା ଦୂର ହୋଇଯିବ ବୋଲି କହିଛନ୍ତି ବିଡ଼ିଓ ।

ମୌଳିକ ସୁବିଧାରୁ ବଞ୍ଚିତ ଏହି ବୃଦ୍ଧା ବାର୍ଦ୍ଧକ୍ୟ ଜନିତ ପ୍ରୋତ୍ସାହନ ରାଶି ମଧ୍ୟ ଆଧାର ସଂଯୋଗ ବିନା କଟି ଯିବ ବୋଲି କହିଲେଣି ପଞ୍ଚାୟତ ପି.ଓ । ତେବେ ଅତିଶୀଘ୍ର ଜାନକୀଙ୍କ ଆଧାର କାର୍ଡ ହୋଇଗଲେ ସେ ଉପକୃତ ହେବେ ।

ଫସଲ ଅମଳ ବେଳେ ବର୍ଷା ଉଭାନ, ଚାଷୀ ମୁଣ୍ଡରେ ହାତ

ବଲାଙ୍ଗୀର : ଫସଲ ଅମଳ ବେଳେ ବର୍ଷା ଉଭାନ । ଧାନ ଥୋଡ ଧରିବା ବେଳେ ଜମି ଫାଟି ଆଁ । ପାଣି ବିନା ଚାଷ ପ୍ରଭାବିତ । ବର୍ଷ ଯାକର ଗୁଜୁରାଣ ଚିନ୍ତାରେ ଏବେ ଚାଷୀ । ବଲାଙ୍ଗୀର ଏକ କୃଷି ପ୍ରଧାନ ଜିଲ୍ଲା  । ଜିଲ୍ଲାର ୮୦ ପ୍ରତିଶତ ଲୋକ ଚାଷବାସ ଉପରେ ନିର୍ଭରଶୀଳ  । ଧାନ ଜିଲ୍ଲାର ପ୍ରମୁଖ ଫସଲ ହୋଇଥିବା ବେଳେ କପା, ବିରି, ମୁଗ ଆଦି ଡାଲି ଜାତୀୟ ଫସଳ ଚାଷ କରାଯାଏ  । ତେବେ ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେବାରୁ ଚାଷ ପଛେଇ ଯାଇଥିଲା ।  ପରେ ଲଗାଣ ବର୍ଷା ଯୋଗୁ ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ । ଏବେ ଅମଳ ସମୟରେ ବର୍ଷା ହେଲାନାହିଁ   । ଫଳରେ ଜିଲ୍ଲାର ୫୦ରୁ ଅଧିକ ହେକ୍ଟର ଜମିରେ ଚାଷ ନଷ୍ଟ ହେବାକୁ ବସିଲାଣି ।  ଜିଲ୍ଲାର ୧୪ ଟି ବ୍ଲକରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଜିଲ୍ଲା କୃଷି ବିଭାଗ ରେକଡ଼ ଅନୁସାରେ ଚଳିତ ବର୍ଷ ଖରିଫ ରୁତୁରେ ୩ ଲକ୍ଷ, ୪୫ ହଜାର,୪୭୫ ହେକ୍ଟର ଜମିରେ ଚାଷ ଆରମ୍ଭ ହୋଇଥିଲା  । ସେଥିରୁ ୧ ଲକ୍ଷ, ୬୪ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା  । ଅମଳ ହେବାକୁ ଥିବା ୧ ଲକ୍ଷ ୬୨  ହଜାର ହେକ୍ଟର ଧାନ ଚାଷ ମଧ୍ୟରୁ ପାଖାପାଖି ୫୦ ହେକ୍ଟରରୁ ଅଧିକ ପାଣି ଅଭାବରୁ ମାରିବାକୁ ବସିଲାଣି । ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀମାନେ କେମିତି ଟଙ୍କା ପରିଶୋଧ କରିବେ ସେନେଇ ଚିନ୍ତାରେ ବସିଛନ୍ତି । ସେପଟେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଚାଷ କ୍ଷୟକ୍ଷତି ଅନୁଧ୍ୟାନ ଜାରି ଥିବା ସୂଚନା ଦେଇଛନ୍ତି  ।

ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ, କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର

ଦେବଗଡ଼  : ଦେବଗଡ଼ ଜିଲ୍ଲାରେ ବେଧଡକ ଚାଲିଛି ଲଘୁ ଖଣିଜ ସମ୍ପଦ ଲୁଟ । କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର । ହେଲେ ଜିଲ୍ଲା ଖଣିଜ ସଂପଦ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ । ଜିଲ୍ଲାର ଲଘୁ ଖଣିଜ ସମ୍ପଦ ତହସିଲ ବିଭାଗରୁ ଖଣି ବିଭାଗକୁ ସ୍ଥାନାନ୍ତର ପରଠାରୁ ଜିଲ୍ଲାରେ ଖୁଲମଖୁଲା ଚାଲିଛି ଲୁଟ ।  ବିନା ଲିଜ୍ ପରିମିଟରେ ବଡ ବଡ଼ ପାହାଡ଼ରେ ବେଆଇନ ପଥର କୁଆଁରି ଖନନ କରି ପଥର ନେଇଯାଉଛନ୍ତି ମାଫିଆ  l ଜିଲ୍ଲାର ରିଆମାଳ ତହସିଲ ଅଧିନସ୍ତ ଛତ୍ରିପିଟା ଓ ଧୀରମୁଣ୍ଡା ଦୁଇଟି ଗାଁରେ ଏକାଧିକ ପଥର କୁଆଁରୀ ରହିଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତି ଖୋର ମନୋଭାବ ଯୋଗୁ ଅନୁଗୁଳ ଜିଲ୍ଲାର ଖଣି ମାଫିଆ ମାନେ ନକଲି ପରମିଟ୍ ସହାୟତାରେ ଏହି ତହସିଲ ଅଞ୍ଚଳରୁ ବେଆଇନ ପଥର ଚୋରି କରି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି । ସେହିଭଳି ଚଳିତ ଆର୍ଥିକ ବର୍ଷରେ ୯ଟି ବାଲିଘାଟ ମଧ୍ୟରୁ  ୬ଟି ବାଲିଘାଟର ଟେଣ୍ଡର ସରିଥିଲେ ମଧ୍ୟ ୫ଟି ବାଲିଘାଟର ନିଲାମ ଅର୍ଥ ସରକାରଙ୍କ ରାଜକୋଷରେ ଏଯାଏଁ ଜମା ହୋଇପାରି ନାହିଁ ହେଲେ, ବାଲିଘାଟରୁ ବାଲି ଉଠାଣ ଜାରି ରହିଛି ।

ଛତ୍ରିପିଟା ଓ ଧୀରମୁଣ୍ଡା ଅଞ୍ଚଳରେ ପଥର ଉତ୍ତୋଳନ ପାଇଁ ବ୍ଲାଷ୍ଟିଙ୍ଗ କରଯାଉଥିବାରୁ ସ୍ଥାନୀୟ ଲୋକଙ୍କ ଘର ଦ୍ୱାର ଦୋହଲି ଫାଟି ଯାଉଥିବା ଅଭିଯୋଗ ହୋଇଛି । ପାଖରେ ଥିବା ଜଙ୍ଗଲ ମଧ୍ୟ ନଷ୍ଟ ହେଲାଣି । ପୋଖରୀ,କୂଅ ଉପରେ ପଥର ଗୁଣ୍ଡର ଆସ୍ତର ଦେଖିବାକୁ ମିଳିଛି ।  ସେହିପରି ଅଞ୍ଚଳରେ ବାୟୁ ସହ ଜଳ ମଧ୍ୟ ଦୂଷିତ ହୋଇ ଗ୍ରାମରେ ନାନା ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏନେଇ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ଥାନୀୟ ଲୋକ । ଜିଲ୍ଲା ଖଣି ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାଇଁ ସୋମବାର ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ବସିବାକୁ ଥିବା କହିଛନ୍ତି ଜିଲ୍ଲାପାଳ ।

ସେପଟେ ଗଣମାଧ୍ୟମ ପ୍ରତିନିଧି ଅଭିଯୋଗକୁ ନେଇ ଜିଲ୍ଲା ଖଣି ଅଧିକାରୀଙ୍କ ମତାମତ ନେବାକୁ ଚାହିଁଥିଲେ ବି ସେ ନିଜ ପ୍ରତିକ୍ରିୟା ରଖିନାହାନ୍ତି । ଓଲଟି ଗଣମାମଧ୍ୟମ ପ୍ରତିନିଧିଙ୍କୁ ନାଲିଆଖି ଦେଖାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜିଲ୍ଲା ଖଣି ଅଧିକାରୀ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟରେ ଉପସ୍ଥିତ ରହୁନଥିବା ବେଳେ ଛୁଟି ଦିନରେ କାର୍ଯ୍ୟାଳୟରେ ରହି କଣ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଜୟପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ। ବିଜେଡି ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ବରେ ଜୟପାଟଣା ବ୍ଳକ ଅନ୍ତର୍ଗତ ହିରାପୁ୍ର ପଞ୍ଚାୟତର ବାବା ଭୌରବ ମନ୍ଦିରରୁ ବାହାରି ମଙ୍ଗଳପୁର ପଞ୍ଚାୟତ ପର୍ଯ୍ୟନ୍ତ ଜନସମ୍ପର୍କ ଅଭିଯାନ ଆରମ୍ଭ କରାଯାଇଥିଲା। ପଦଯାତ୍ରାରେ ବିଜେଡି ସରକାରଙ୍କର ବିକାଶ ଓ  ବିଜେପି କିଭଳି ଭାବେ ମିଛ ପ୍ରତିଶୃତି ଦେଇ ଭୋଟ ହାତେଇଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ୨୦ ବର୍ଷର ଉଜୁଡା ଓଡ଼ିଶାକୁ ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକ ସୁନାର ଓଡ଼ିଶା ଭାବରେ ଗଢିଥିଲେ।ଭତ୍ତା ଠାରୁ ଆରମ୍ଭ କରି ବିଦ୍ୟୁତ, ଓଡ଼ିଆ ଅସ୍ମିତା, ସୁଭଦ୍ରା ଯୋଜନା, ଦରଦାମ ବୃଦ୍ଧି ପ୍ରଭୃତି ସମସ୍ତ କ୍ଷେତ୍ରରେ ବି,ଜେ,ପି ସରକାର ଜନସାଧାରଣଙ୍କୁ ଭୂଆଁ ବୁଲାଉଛି ବୋଲି ପ୍ରକାଶ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରି।

ଝାଡଖଣ୍ଡ ନିର୍ବାଚନ ଲାଗି ବିଜେପିର ପ୍ରତିଶ୍ରୁତିର ବର୍ଷା

ରାଞ୍ଚି : ଝାଡଖଣ୍ଡ ନିର୍ବାଚନ ଲାଗି ବିଜେପିର ପ୍ରତିଶ୍ରୁତିର ବର୍ଷା। ରାଜ୍ଯ ଲାଗି ବିଜେପି ଜାରି କରିଛି ୨୫ ସୂତ୍ରୀ ସଂକଳ୍ପ ପତ୍ର। ଗୋଗୋ ଦିଦି ଯୋଜନାରେ ପ୍ରତି ମହିଳାଙ୍କ ନିକଟକୁ ଯିବ ୨ ହଜାର ୧୦୦ ଟଙ୍କା। ୫ଶହ ଟଙ୍କାରେ ପ୍ରତି ପରିବାରକୁ ଯୋଗାଯିବ ଏଲପିଜି ସିଲିଣ୍ଟର। ୫ ଲକ୍ଷ ଯୁବକଙ୍କୁ ମିଳିବ ନିଯୁକ୍ତି। ନଭେମ୍ବର ୨୦୨୫ ସୁଦ୍ଧା ୨ ଲକ୍ଷ ୮୭ ହଜାର ସରକାରୀ ପଦବୀ ପୂରଣ ହେବ। ସମସ୍ତ ସରକାରୀ ପରୀକ୍ଷା ଲାଗି ପ୍ରସ୍ତୁତ ହେବ ବାର୍ଷିକ କ୍ଯାଲେଣ୍ଡର। ଯୁବସାଥୀ ଭତ୍ତା ଯୋଜନାରେ ୧ ଲକ୍ଷ ଯୁବକଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଁଏ ଭତ୍ତା ଦିଆଯିବ। ଜେଏମଏମ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିର ଅବସାନ ହେବ। ସମସ୍ତଙ୍କୁ ଘର ଯୋଗାଇଦିଆଯିବ। ପିଏମ ଆବାସ ଯୋଜନାରେ ୨୧ ଲକ୍ଷ ଘର ନିର୍ମାଣ ହେବ। ୫୦ ଲକ୍ଷ ପରିବାରକୁ ଜଳ ଜୀବନ ମିଶନରେ ପାଇପ ଜଳ ଯୋଗାଯିବ। ପେପର ଲିକ୍ ରୋକାଯିବ। ବେଆଇନ ମାନବ ଚାଲାଣ ରୋକାଯିବ। ମହିଳାଙ୍କ ଲାଗି ୫୦ ଲକ୍ଷ ଟଙ୍କା ଯାଏ ଅଚଳ ସମ୍ପତ୍ତିର ପଞ୍ଜିକରଣ ଲାଗି ଷ୍ଟାମ୍ପ  ଡ୍ଯୁଟି ଫି ସ୍କିମ କାର୍ଯ୍ୟକାରୀ ହେବ। ମାଗଣା ବିଇଡି, ନର୍ସିଂ ଆଦି ଶିକ୍ଷା ମାଗଣା ହେବ। ୟୁସିସିର କାର୍ଯ୍ୟକାରୀ ହେବା ସହ ଆଦିବାସୀ ସଂସ୍କୃତିର ସୁରକ୍ଷା କରାଯିବ। ଅର୍ଥନୈତିକ ପଛୁଆ ବର୍ଗର ଛାତ୍ରୀଙ୍କ ଲାଗି ପିଜି ସ୍ତର ଯାଏ ମାଗଣା ଶିକ୍ଷା। ଗର୍ଭବତୀଙ୍କ ସୁରକ୍ଷା ଲାଗି ସ୍ବତନ୍ତ୍ର ଯୋଜନା ହେବ। ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଓ ନର୍ସିଂ ପ୍ରତିଷ୍ଠା ହେବ। ସେହିପରି ଆୟୁଷ୍ମାନ ଭାରତ ଜୀବନ ଧାରା ଯୋଜନା, ଭଗବତୀ ସର୍କିଟ, ଇକୋପର୍ଯ୍ଯଟନ, ଗ୍ରାମୀଞ୍ଚଳ ଜୀବିକା ଆଦି ନେଇ ପ୍ରତିଶ୍ରୁତି ଦେଇଛି ବିଜେପି।

ୱାୟନାଡରେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କାଙ୍କ ପ୍ରଚାର

ୱାୟନାଡ : କେରଳ ୱାୟନାଡରେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ପ୍ରଚାର। ଅଭିଯାନରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଆୟୋଜିତ ସାଧାରଣ ସଭାରେ ପ୍ରିୟଙ୍କା କହିଛନ୍ତି- ସତ୍ଯ ଲାଗି ହିଁ ଲଢୁଛନ୍ତି ରାଏବରେଲୀ ସାଂସଦ ରାହୁଲ। ଯେତେବେଳେ ରାହୁଲଙ୍କ ବିରୋଧରେ ଏକ ଅଭିଯାନ ଜାରି ରହିଥିଲା ସେତେବେଳେ ୱାୟନାଡବାସୀ ବୁଝିଥିଲେ ଯେ, ରାହୁଲ ସତ୍ଯ ଓ ଠିକ୍ ଲାଗି ହିଁ ଲଢୁଛନ୍ତି। ସେ ଆହୁରି କହିଛନ୍ତି ଯେ, ୱାୟନାଡ ମେଡିକାଲ କଲେଜ ଲାଗି ରାହୁଲଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ। ୱାୟନାଡରେ ଘୁଟଥିବା ମଣିଷ-ପଶୁ ମଧ୍ଯରେ ଚାଲିଥିବା ସଂଘର୍ଷର ମୁକାବିଲା ଦିଗରେ ପଦକ୍ଷେପ ନିଆଯିବ। ପ୍ରିୟଙ୍କା କହିଛନ୍ତି- ସଂସଦରେ ୱାୟନାଡବାସୀଙ୍କ ବିଷୟ ରାହୁଲ ଉଠାଇଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। କେନ୍ଦ୍ର ସରକାର ସର୍ବଦା ଧନୀମାନଙ୍କ ଲାଗି କାର୍ଯ୍ୟ କରୁଛନ୍ତି। ମାତ୍ର ସ୍ବାସ୍ଥ୍ଯସେବା, ନିଯୁକ୍ତି କ୍ଷେତ୍ରରେ ପଦକ୍ଷେପ ନେଉନାହାନ୍ତି। ସମାବେଶରେ ଭଉଣୀ ପ୍ରିୟଙ୍କାଙ୍କୁ ବିଜୟୀ କରିବା ଲାଗି ଆହ୍ବାନ ଦେଇଥିଲେ ରାହୁଲ।

ଝାଡ଼ଖଣ୍ଡ ନିର୍ବାଚନ: ଇଣ୍ଡିଆ ମେଣ୍ଟର ଛିଣ୍ଡିଲା ଅଙ୍କ

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ୍ ଲଢ଼ିବ ୪୩ ସିଟରେ, କଂଗ୍ରେସକୁ ୩୦ଟି ସିଟ୍ ମିଳିଥିବା ବେଳେ ଆରଜେଡି ଭାଗରେ ପଡ଼ିଛି ୬ଟି ସିଟ୍ । ବାମ ମେଣ୍ଟ ଲଢ଼ିବ ୩ଟି ସିଟରେ। ଇଣ୍ଡିଆ ମେଣ୍ଟ ଭିତରେ ଏପରି ଭାଗବଣ୍ଟା ହୋଇଛି। ସେମାନଙ୍କ ମଧ୍ୟରେ ଚୂଡ଼ାନ୍ତ ହୋଇଛି ସିଟ୍ ଆସନ ଅଙ୍କ। ତେବେ ୩ଟି ସିଟରେ ସହମତି ହୋଇନପାରିବାରୁ ସେଠାରେ ବନ୍ଧୁତ୍ଵପୂର୍ଣ୍ଣ ଲଢ଼େଇ ହେବ ବୋଲି କୁହାଯାଇଛି। ସେହି ୩ଟି ସିଟରେ ହେବ ଛତରପୁର, ବିଶ୍ରମପୁର ଓ ଧନୱରରେ। ୮୨ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ୨ଟି ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ଵର ୧୩ ଓ ୨୦ରେ ହେବ ଭୋଟ । ଗଣତି ହେବ ନଭେମ୍ବର ୨୩ ତାରିଖରେ।

କୁଖ୍ୟାତ ଗଞ୍ଜେଇ ମାଫିଆ ନିଲୁ ପ୍ରଧାନ ଗିରଫ, ଖୋଲିବ ଗଞ୍ଜେଇ ଚୋରାଚାଲାଣର ଗୁମର

ଭୁବନେଶ୍ୱର : ଖୋଲିବ ଓଡ଼ିଶାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣର ଗୁମର । କୁଖ୍ୟାତ ଗଞ୍ଜେଇ ମାଫିଆ ନିଲୁ ପ୍ରଧାନକୁ ଓଡ଼ିଶାରୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି ମୁମ୍ବାଇ ଏନସିବି । ଗତକାଲି ବିଳମ୍ବିତ ରାତିରେ ଗଞ୍ଜେଇ ମାଫିଆ ନିଲୁ ଗିରଫ ହୋଇଥିଲା । କ୍ୟାପିଟାଲ ହସ୍ପିଟାଲରେ ତାର ସ୍ଵାସ୍ଥ୍ୟ ପରୀକ୍ଷା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା । ପରେ ମୁମ୍ବାଇ ଏନସିବି ଆସି ନିଲୁକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି । ଅଭିଯୁକ୍ତର ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବାବେଳେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣରେ ତାର ସଂପୃକ୍ତି ରହିଛି । ମୁମ୍ବାଇ ସମେତ ଦିଲ୍ଲୀ ଓ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣରେ ସିଧାସଳଖ ନିଲୁର ସଂପୃକ୍ତି ରହିଛି । ତା ସହିତ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ଏବଂ କିଭଳି ପୂରା ରାକେଟ କାମ କରୁଛି ସେନେଇ ଏନସିବି ଖୋଳତାଡ଼ ଜାରି ରଖିଛି ।

ଶବ ବ୍ୟବଚ୍ଛେଦ ପାଇଁ ଆଣିଥିବା ଆମ୍ବୁଲାନ୍ସକୁ ଛାଡ଼ିଲେନି ଘରୋଇ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାଦାଗିରି । ବାହାରୁ ଶବ ବ୍ୟବଚ୍ଛେଦ ପାଇଁ ଆଣିଥିବା ଆମ୍ବୁଲାନ୍ସକୁ ଛାଡ଼ିଲେ ନାହିଁ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଉତ୍ତର ପ୍ରଦେଶର କମଲେଶ୍ ପାଣ୍ଡେଙ୍କ ମୃତ୍ୟୁ ହୋଇଥିଲା । ଶବ ବ୍ୟବଛେଦ ପାଇଁ ଆଜି ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ଅଣାଯଇଥିଲା । ଶବ ବ୍ୟବଛେଦ ପରେ ଆମ୍ବୁଲାନ୍ସ ଛାଡ଼ିନଥିଲେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀ । ବାହାରୁ ଆସିଥିବା ଆମ୍ବୁଲାନ୍ସ ଶବ ନେଇପାରିବ ନାହିଁ ବୋଲି ଜିଦରେ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଶବ ସହ ପରିବାରଙ୍କୁ ଅଟକ ରଖିଥିଲେ । କେବଳ କ୍ୟାପିଟାଲ ହସ୍ପିଟାଲ ଆମ୍ବୁଲାନ୍ସ ଶବ ନେଇପାରିବ କହି ଘରୋଇ ଆମ୍ବୁଲାନ୍ସ କର୍ମଚାରୀ ଅଟକାଥିଲେ । ଗଣମାଧ୍ୟମ ହସ୍ତକ୍ଷେପ ପରେ ଆମ୍ବୁଲାନ୍ସକୁ ଛାଡ଼ିଥିଲେ । ମୃତଦେହ ସହ ପରିବାର ଲୋକଙ୍କୁ ନିର୍ଯାତନା ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ଏଭଳି ଘଟଣା ବାରମ୍ବାର ଘଟୁଛି । ପ୍ରତିକାର ପାଇଁ ପୋଲିସର ସଗଯୋଗ ନିଆଯିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।