spot_img
Home Blog Page 1400

କଣ୍ଟାବାଞ୍ଜିରେ ମଣ୍ଡି ଅବ୍ୟବସ୍ଥା ଅଭିଯୋଗ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ମଣ୍ଡି ଅବ୍ୟବସ୍ଥା ଅଭିଯୋଗ ।  ଅସନ୍ତୋଷ ପ୍ରକାଶ କଲେ ବିଜେଡି ରାଜ୍ୟ ସମ୍ପାଦକ ହଂସରାଜ ଜୈନ । ଶୁକ୍ରବାର  ବଙ୍ଗୋମୁଣ୍ଡାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚାଷୀଙ୍କ ବିଭିନ୍ନ ସମସ୍ୟା ଉତଥାପନ କରିଛନ୍ତି ହଂସରାଜ। ସେ କହିଛନ୍ତି, କଣ୍ଟାବାଞ୍ଜିର ଅନେକ ମଣ୍ଡିରେ ଏବେ ଅବ୍ୟବସ୍ଥା ଦେଖାଦେଇଛି । ଚାଷୀମାନେ ଧାନ ବିକ୍ରି କରିବାକୁ ଅସମର୍ଥ ହେଉଛନ୍ତି । ଆସନ୍ତା ଜାନୁଆରୀରେ ମଣ୍ଡିରେ ଧାନ ଦେବାକୁ ପ୍ୟାକ୍ସରେ କହୁଛନ୍ତି । ହେଲେ ଚଳିତ ବର୍ଷ ଚାଷୀଙ୍କୁ ଟୋକନ ପ୍ରଦାନରେ ବିଳମ୍ବ ହୋଇଛି । ଏହା ସହ କିଛି ସ୍ଥାନରେ ଟୋକାନ ମଧ୍ୟ ଦିଆଯାଇନାହିଁ । ସେହିପରି ଚାଷୀଙ୍କୁ ଅଖା ବସ୍ତା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ ତାହା ଏପର୍ଯ୍ୟନ୍ତ ପୂରଣ ହେଲା ନାହିଁ । ସମସ୍ତ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ପାଞ୍ଚ ହଜାରର ଭୋଟ ରାଜନୀତି କରୁଛନ୍ତି : ପ୍ରମିଳା ମଲ୍ଲିକ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବହୁ ଆଲୋଚିତ ସୁଭଦ୍ରା ଯୋଜନାକୁ ଶକ୍ତ ଧକ୍କା ଲାଗିଛି । ମହିଳାଙ୍କୁ ବିଜେପି ସରକାର ପ୍ରତାରଣା କରିଥିବା ଅଭିଯୋଗରେ ୧୮ ହଜାର ୭୩୫ଜଣ ମହିଳା ଆବେଦନ କରିବା ସତ୍ତ୍ବେ ସୁଭଦ୍ରା ସହାୟତା ନନେବାକୁ ନିଷ୍ପତ୍ତି ନେଇଛନ୍ତି । ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିବା ୧ କୋଟି ୫ଲକ୍ଷ ୩୬ ହଜାର ୬୧୨ ଜଣ ମହିଳାଙ୍କ ମଧ୍ୟରୁ ଡିସେମ୍ବର ୩ ତାରିଖ ସୁଦ୍ଧା ୧୮ ହଜାରରୁ ଅଧିକ ମହିଳା ଆବେଦନପତ୍ର ଫେରାଇନେଇଛନ୍ତି । ସୁଭଦ୍ରା ପୋର୍ଟାଲରେ ଆବେଦନ ପରେ ମଧ୍ୟ ମହିଳାମାନେ ଚାହିଁଲେ ସେମାନେ ଅପ୍ଟ-ଆଉଟ କରିବା ବ୍ୟବସ୍ଥା ରହିଛି । ତେଣୁ ୧୮ ହଜାରରୁ ଅଧିକ ମହିଳା ଏହି ଯୋଜନାରୁ ନିଜକୁ ଅପ୍ଟ-ଆଉଟ କରିନେଇଛନ୍ତି । ଦୁଇ ବର୍ଷରେ ମହିଳାଙ୍କୁ ୫୦ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ବିଜେପି ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲା । କିନ୍ତୁ ଶାସନକୁ ଆସିବା ପରେ ୫ବର୍ଷରେ ୫୦ ହଜାର ଦେଉଛି । ମହିଳା ଆଶା କରିଥିଲେ ସରକାର କହିବା ପରେ ଏକ ସାଙ୍ଗେ ୫୦୦୦୦ ପାଇଥାନ୍ତେ। ସେଥିରେ ଛୋଟ ବ୍ୟବସାୟ କରିଥାନ୍ତେ, ହେଲେ ଯେବେ ଦେଖିଲେ ପାଞ୍ଚ ହଜାରର ଭୋଟ ରାଜନୀତି କରୁଛନ୍ତି, ମହିଳାଙ୍କୁ ସଶକ୍ତ କରିବା ଉଦେଶ୍ୟ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ  ପ୍ରମିଳା ମଲ୍ଲିକ।

ଆସନ୍ତାକାଲି ବିଜୁ ଶ୍ରମିକ ସାମ୍ମୁଖ୍ୟ ଓଡ଼ିଶାର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ବର : ଆସନ୍ତାକାଲି ଭୁବନେଶ୍ୱରରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଓଡ଼ିଶାର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେବେ । ଓଡ଼ିଶାର ଦୁଇହଜାର ଶ୍ରମିକ ନେତାଙ୍କୁ ଶ୍ରମିକମାନଙ୍କ ଅଧିକାର ପାଇଁ ଲଢେଇ କରିବାକୁ ଗୁରୁ ମନ୍ତ୍ର ଦେବେ ନବୀନ । ନିର୍ମାଣ ଶ୍ରମିକ, ପରିବହନ ଶ୍ରମିକ, ଅଙ୍ଗନବାଡ଼ି, ଆଶା, ପାଚିକା ଓ ମିଶନ ଶକ୍ତିରେ ଥିବା ୬ଟି କ୍ୟାଡର ଏବେ ସାମାଜିକ ସୁରକ୍ଷାରୁ ବଞ୍ଚିତ ଅଛନ୍ତି । ରାଜ୍ୟ ସରକାର ଶ୍ରମିକମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ଉଦ୍ୟମ କରୁନାହାଁନ୍ତି । ଏବେ ରାଜ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ନିଷ୍କ୍ରିୟ ହୋଇଯାଇଛି । ଶ୍ରମିକମାରଣ ନୀତି ଆରମ୍ଭ କରିଛନ୍ତି ବିଜେପି ସରକାର । ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ୬୦ ହଜାର ମହିଳାଙ୍କୁ ଏବେ ଦରମା ମିଳୁନି । ଶ୍ରମଜୀବୀ ଏବେ ସଙ୍କଟରେ। ଦରଦାମ ବୃଦ୍ଧି ବି ଶ୍ରମିକଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି କରିଛି । ତେଣୁ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ସହ ମାସକୁ ୨୪ ହଜାର ଟଙ୍କା ପ୍ରଦାନ ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବ। ଶ୍ରମିକମାନଙ୍କ ସ୍ବାର୍ଥ, ସାମାଜିକ ସୁରକ୍ଷା ଓ ଅଧିକାରୀ ପାଇଁ ଲଢେଇ ତୀବ୍ରତର ହେବ ବୋଲି କହିଛନ୍ତି  । ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ ।

ପେନସନ୍ କି ପଦୋନ୍ନତି ପାଇବେନି ୪୮୮ ବର୍ଗ ଅଧ୍ୟାପକ

ଭୁବନେଶ୍ବର : ପେନସନ କି ପଦୋନ୍ନତି ପାଇବେନି ୪୮୮ ବର୍ଗ ମହାବିଦ୍ୟାଳୟ ଅଧ୍ୟାପକ। ୪୮୮ ବର୍ଗ ମହାବିଦ୍ୟାଳୟରେ କାର୍ଯ୍ୟରତ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଚାକିରୀ ସର୍ତାବଳୀ, ପଦୋନ୍ନତି ଓ ପେନସନର ବ୍ୟବସ୍ଥା ନିମନ୍ତେ ବର୍ତମାନ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏ ନେଇ ଗୃହରେ ଲିଖତି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏଭଳି ଉତ୍ତରକୁ ନେଇ ବିଜେପି ସରକାରର ଦୋମୁହାଁ ନୀତି ପଦାରେ ପଡ଼ିଛି। ବିରୋଧୀ ଦଳରେ ଥିବା ସମୟରେ ୪୮୮ ବର୍ଗ ମହାବିଦ୍ୟାଳୟରେ କାର୍ଯ୍ୟରତ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଦରମା ଓ ପେନସନ ନେଇ ହୋହଲ୍ଲା କରୁଥିଲେ। ଏପରିକି ତତ୍କାଳୀନ ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ବିଭିନ୍ନ ସୁବିଧା କରାଇଥିଲେ ବି ବିଜେପି ଅଧ୍ୟାପକମାନଙ୍କୁ ମତାଇ ଆନ୍ଦୋଳନ କରୁଥିବା ନଜିର ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ହେଲେ ନିଜେ ଯେବେ ସରକାରକୁ ଆସିଲେ, କାର୍ଯ୍ୟରତ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ସଂପୂର୍ଣ୍ଣ ଭାବେ ଦୂରେଇ ଦେଲେ ବିଜେପି ସରକାର । ସରକାରଙ୍କ ଏହା ଧୋକା ବୋଲି ଅଭିଯୋଗ କରିଛି ୪୮୮ ବର୍ଗ ଅନୁଦାନପ୍ରାପ୍ତ ଅଧ୍ୟାପକ-କର୍ମଚାରୀ ସମନ୍ବୟ ସମିତି। ସେପଟେ ବିଜେଡି ମଧ୍ୟ ରାଜ୍ୟ ସରକାରଙ୍କ ଡବଳ ରୋଲକୁ ଟାର୍ଗେଟ କରିଛି।

ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳତା, ଆସିବ ମାର୍ଗଦର୍ଶିକା !

ଭୁବନେଶ୍ବର : ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳତା, ଆସିବ ମାର୍ଗଦର୍ଶିକା । ଯାତ୍ରା ପାର୍ଟିରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି । ଏଥି ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ମନ୍ତ୍ରୀ । ଯାତ୍ରାରେ ଅଶ୍ଳୀଳତା ବଢିଚାଲିଛି । ଏଥିରେ ରୋକ ଲଗାଇବାକୁ ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ତାରା । ଯାତ୍ରାରେ ଅଶ୍ଳୀଳତା ରୋକିବାକୁ ଯେଉଁ ମାର୍ଗଦର୍ଶିକା ଆସିବ ତାକୁ ସ୍ବାଗତ କରିଛନ୍ତି ତାରା । ଯାତ୍ରା ମନୋରଞ୍ଜନ ପାଇଁ କରାଯାଏ । କିନ୍ତୁ ଏଥିରେ ଅଶ୍ଳୀଳତା ରହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ତାରା । ସେହିପରି ଯାତ୍ରାରରେ ଅଶ୍ଳୀଳତା ଉପରେ ପୂର୍ଣ୍ଣଚ୍ଛେଦ ପଡିବା ଦରକାର ବୋଲି କହିଛନ୍ତି ବିଜେପି ବିଧାୟକ ଆକାଶ ଦାସ ନାୟକ । ଯାତ୍ରା କଳାକାରଙ୍କୁ ସମ୍ମାନ ଦେବା ସହଲ ପୁରସ୍କାର ମଧ୍ଯ ଦିଆଯିବା ଉଚିତ । ସେହିପରି ସିନେମା ହଲ ବଢିବା ସହ ନୂଆ ଚଳଚ୍ଚିତ୍ର ନୀତି ଆସିବା ଦରକାର ବୋଲି କହିଚନ୍ତି ଆକାଶ । ଅଧିକ ହଲ ଖୋଲିବା ଲାଗି ସରକାର ମାଲିକମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇଦେବାକୁ ଆକାଶ ଦାବି କରିଛନ୍ତି । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ମଧ୍ୟ ଏଭଳି ମାର୍ଗଦର୍ଶିକାକୁ ସ୍ବାଗତ କରିଛନ୍ତି । କାରଣ କିଛି କଳାକାର ଯାତ୍ରାର ପବିତ୍ରତାକୁ ନଷ୍ଠ କରିଦେଉଛନ୍ତି । ସିନେମା ପରି ଯାତ୍ରାରେ ମଧ୍ୟ ସେନସର ଲାଗୁ ହେବା ଉଚିତ ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଦ ଦାସ । ସେହିଭଳି ବରିଷ୍ଠ ଅଭିନେତା ବାପି ପଣ୍ଡା ମଧ୍ୟ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । କିନ୍ତୁ ମାର୍ଗଦର୍ଶିକା ଆସିବା କେବଳ ଘୋଷଣାରେ ସୀମିତ ନରହୁ । ଯେଉଁମାନେ ଅଶ୍ଲିଳ ନୃତ୍ୟ ପରିବେଷଣ କରୁଛନ୍ତି ସେମାନଙ୍କ ବିରୋଧରେ ୫ରୁ ୭ ବର୍ଷ ଜେଲ ଦଣ୍ଡ ସହ ୩ହଜାରରୁ ୫୦ହଜାର ପର୍ଯ୍ୟନ୍ତ ଜୋରିମାନା ହେବା ଉଚିତ ବୋଲି ସେ କହିଛନ୍ତି ।

ବିଧାନସଭାରେ ରାଗିଲେ ତାରା, ଦଳର ଆଭିମୁଖ୍ୟକୁ ନେଇ ଝାଡ଼ିଲେ ଅସନ୍ତୋଷ

ଭୁବନେଶ୍ବର : ବିଧାନସଭାରେ ରାଗିଲେ ତାରା । ନିଶାଣରେ କାଡ଼ାମଙ୍କ ନେତୃତ୍ବ । ଗୃହରେ ଦଳର ଆଭିମୁଖ୍ୟକୁ ନେଇ ଝାଡ଼ିଲେ ଅସନ୍ତୋଷ । କାଡ଼ାମଙ୍କ ଜବାବ ଦଳର ଇଶାରାରେ କରୁଛି ରଣନୀତି । ମଙ୍ଗୁଆଳ ନାହାଁନ୍ତି । ଏପରିସ୍ଥିତିରେ ଯାହା ଜଣାପଡୁଛି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଗୃହରେ ଦଳର ଆଭିମୁଖ୍ୟକୁ ନେଇ  ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନିପତି । ପୋଲାଭରମ  ପ୍ରସଙ୍ଗରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବ୍ୟବସ୍ଥିତ ଢଙ୍ଗରେ ଗୃହରେ ପ୍ରସଙ୍ଗ ଉଠାଉନଥିବାରୁ  ଏହାକୁ ନେଇ ରାଗିଛନ୍ତି ତାରା । ସିଧା କଥା ହେଲା ବିଧାୟକ ଦଳର ନେତୃତ୍ବକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ବିଧାନସଭାରେ ଦଳର ଆଭିମୁଖ୍ୟରେ ଅବ୍ୟବସ୍ଥା ଦେଖାଦେଉଥିବା ତାରା ଅଭିଯୋଗ ଆଣି ଅଭିମାନ କରିଛନ୍ତି । ଏହାର ଜବାବରେ କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ଯେ ଦଳର ନିର୍ଦ୍ଦେଶକୁ ଗୃହରେ କାର୍ଯ୍ୟକାରୀ କରୁଛି । ତାରା କେଉଁଠଟି କଣ କହିଛନ୍ତି ମୁଁ ଜାଣି ନାହିଁ ।

କଂଗ୍ରେସ ବିଧାୟକ ଦଳ ଫାଟ ଏତେ ଉଗ୍ର ହୋଇଛି ଯେ  ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରେ କଂଗ୍ରେସ ବିଧାୟକ ପ୍ରକୋଷ୍ଠକୁ ମଧ୍ୟ ଯାଉନାହାନ୍ତି । ଗୃହରେ ଦଳର ନିର୍ବାଚିତ ୧୪ ଜଣ ବିଧାୟକ କିଏ କଣ କହିବ ତାହା ମଧ୍ୟ ସଠିକ ଭାବେ ନିର୍ଣ୍ଣୟ ହୋଇପାରୁନାହିଁ । ରାଜନୈତିକ ସମୀକ୍ଷକଙ୍କ ଯୁକ୍ତି ହେଉଛି, ଆରମ୍ଭରୁ ବିଧାୟକ ଦଳ ଭିତରେ ଏକମତ ନାହିଁ । ଯାହାକୁ ବର୍ତ୍ତମାନ ପଦାକୁ ସ୍ପଷ୍ଟ ଫୁଟିକି ଦିଶିଲାଣି । ୫ ମାସ ହେବ ବିନା ମୁଖିଆରେ ଓଡ଼ିଶାରେ କଂଗ୍ରେସ ସଂଗଠନ ଚାଲିଛି । ଅନ୍ୟପଟେ ବିଧାୟକ ଦଳ ଭିତରେ ଫାଟ ସୃଷ୍ଟି ହେବା ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଛି ।

କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ବର : କୋଟିଆରେ ଆନ୍ଧ୍ରର ପ୍ରବେଶ ଉପରେ ରୋକ ଲଗାଇକୁ କରୁନାହାନ୍ତି ଉଦ୍ୟମ। ଦିଲ୍ଲୀ ସ୍ତରରେ ମଧ୍ୟ ପ୍ରସଙ୍ଗ ଉଠାଇବାର ହେଉନି ପ୍ରୟାସ।ଏପରିକି ସୁପ୍ରିମକୋର୍ଟରେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଲଢେଇ ହେଉଥିବା ବେଳେ ଓକିଲ ପଦ ବି ଫାଙ୍କା। ଓଡିଶା ସରକାରଙ୍କର ମା ମାଟି ପାଇଁ ସମ୍ମାନ ଏମିତି। କୋଟିଆ ପ୍ରସଙ୍ଗରେ  ଅବହେଳାକୁ ନେଇ ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି ବିଭିନ୍ନ ସଂଗଠନ। ଦୁଇ ମାସ ତଳେ କୋଟିଆ ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଓଡ଼ିଶାର ଓକିଲ ଅନୁପସ୍ଥିତ ଥିଲେ। ଏବେ ଲଢେଇ ପାଇଁ ଓଡ଼ିଶାର କୌଣସି ଓକିଲ ନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।  ତୁରନ୍ତ ଓକିଲ ନିଯୁକ୍ତି ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଓଡ଼ିଆ ଅସ୍ମିତା ପରିଷଦ। ଏହାସହ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିକଟରେ ତଥ୍ୟ ଉପସ୍ଥାପନ ଲାଗି ଦାବି ରଖିଛି ପରିଷଦ। ମା’ ମାଟିର ସୁରକ୍ଷା ପାଇଁ ସରକାରଙ୍କ ଦରଦ ନାହିଁ ବୋଲି କହିଛି ପରିଷଦ।ବିଧାନସଭା ଗୃହ କମିଟି କୋଟିଆ, ଦେଓମାଳି ଓ ପଶ୍ଚିମବଙ୍ଗ ସୀମା ଶଙ୍ଖମେଦି ଗାଁକୁ ଗସ୍ତ କରିବାକୁ ଦାବି କରାଯାଇଛି। ରାଜ୍ୟ ସରକାର ତୁରନ୍ତ ଓକିଲ ନିଯୁକ୍ତି କରି ସୁପ୍ରିମକୋର୍ଟରେ ମାମଲାର ଫଇସଲା କରିବା ଆବଶ୍ୟକ ବୋଲି କହିଛି ଉତ୍କଳ ସମ୍ମିଳନୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଦାବି ହାସଲ ପାଇଁ କେନ୍ଦ୍ର ସ୍ତରରେ ଉଦ୍ୟମ କରନ୍ତୁ।ପୂର୍ବ ସରକାରରେ କୋଟିଆ ପାଇଁ ବହୁ କାର୍ଯ୍ୟ ହୋଇଛି। କିନ୍ତୁ ଏବେକାର ସରକାର ସେସବୁ କାର୍ଯ୍ୟକୁ ଆହୁରି ଆଗେଇ ନେବା ଆଵଶ୍ୟକ ବୋଲି କହିଛି ଉତ୍କଳ ସମ୍ମିଳନୀ।…

କୋଟିଆ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଓକିଲ ନିଯୁକ୍ତ ନକରିବାକୁ ନେଇ ସମାଲୋଚନା କରିଛନ୍ତି ଆଇନଜୀବୀ। ସୁପ୍ରିମକୋର୍ଟରେ ସଠିକ ଢଙ୍ଗରେ ଯୁକ୍ତି ଉପସ୍ଥାପନ କରା ନଗଲେ ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିବ। କୋଟିଆକୁ ନେଇ ରାଜ୍ୟ ସରକାର ଯେଭଳି ଜଣାଅଜଣା ଖେଳ ଖେଳୁଛନ୍ତି ତାହା ନିନ୍ଦନୀୟ ବୋଲି କହିଛି ଓଡିଶା ବିକାଶ ପରିଷଦ। ମା ମାଟିର ସୁରକ୍ଷା ଲାଗି ନ୍ୟାୟିକ ଲଢେଇରେ ସରକାର ଆଗକୁ ଆସିବାକୁ ଦାବି କରିଛି ପରିଷଦ। ଓଡ଼ିଶାରେ ବିରୋଧୀ ଦଳରେ ଥିବା ବେଳେ କୋଟିଆ ପ୍ରସଙ୍ଗକୁ ନେଇ ବିଜେପି ଯେଉଁଭଳି ତତ୍ପରତା ଦେଖାଉଥିଲା ସରକାରକୁ ଆସିବା ପରେ ଏ ପ୍ରସଙ୍ଗରେ ଅବହେଳା ସବୁ ସୀମା ଟପିଯାଇଥିବା ଅଭିଯୋଗ ହୋଇଛି।

ରାଜ୍ୟରେ ଅସୁରକ୍ଷିତ କଲରାପତରିଆ ବାଘ, ମନୁଷ୍ୟକୃତ ନିର୍ଯ୍ୟାତନାର ହେଉଛନ୍ତି ଶିକାର

ଭୁବନେଶ୍ବର : ସମ୍ବଲପୁର ଚିଡ଼ିଆଖାନାରେ ଗର୍ଭାଶୟ ସଂକ୍ରମଣ ଯୋଗୁଁ ବାଘୁଣୀର ମୃତ୍ୟୁ । ରେଙ୍ଗାଲି ଡ଼୍ୟାମରେ ଭାସୁଛି ବାଘର ମୃତଦେହ । ନୟାଗଡ଼ ଜଙ୍ଗଲରେ ବାଘର ମୁଣ୍ଡ ବିହୀନ ଶରୀର ଉଦ୍ଧାର । ଏସବୁକୁ ଟପିଛି ନୂଆପଡ଼ାରେ ବାଘ ମାଂସ ଖାଇବାର ଚିତ୍ର । ରାଜ୍ୟରେ ଅସୁରକ୍ଷିତ କଲରାପତରିଆ ବାଘ ବଂଶ । ଗତ ୫ ବର୍ଷରେ ୩୪ଟି କଲରାପତରିଆ ବାଘ ପ୍ରାଣ ହରାଇଥିବା ବେଳେ ୪ଟି ବାଘର ସ୍ବାଭାବିକ ମୃତ୍ୟୁ ହୋଇଛି । ୩ଟି ବାଘ ମୃତ୍ୟୁର କାରଣ ଏ ଯାଏଁ ଅସ୍ପଷ୍ଟ ଥିବା ବେଳେ ବାକି ୨୭ଟି ବାଘର ମୃତ୍ୟୁ ଶିକାର ଜନିତ । ନୟାଗଡ଼ ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ବାରହା ଶିକାର ପାଇଁ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଘର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ରେଙ୍ଗାଲି ଡ଼୍ୟାମରେ ବାଘ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । କଲରାପତରିଆ ବାଘମାନଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଆଗକୁ ମିଳିତ ଉଦ୍ୟମ କରିବ ବୋଲି ପିସିସିଏଫ୍ କହିଛନ୍ତି ।

ମହାବଳ ବାଘ ପାଇଁ ଜଙ୍ଗଲ ବିଭାଗ ଯେତିକି ତତ୍ପରତା ଦେଖାଉଛି, କଲରାପତରିଆ ବାଘ ପ୍ରତି ସେତିକି ନଜର ଦେଉନାହିଁ ବୋଲି ବିଶେଷଜ୍ଞ ଅଭିଯୋଗ କରିଛନ୍ତି । ଶିକାରୀମାନଙ୍କୁ ସାବାଡ କରିବାକୁ ବନ ବିଭାଗ ଅଧିକାରୀମାନଙ୍କୁ ବନ୍ଧୁକ ଚଳାଇବାର ଅନୁମତି ସହ ନୂଆ ଟେକ୍ନୋଲୋଜି ଆପଣାଉଥିଲେ ମଧ୍ୟ ସଫଳତା ମିଳୁନାହିଁ । ଏଥିପାଇଁ ଯଦିଓ ବ୍ୟାପକ ମାତ୍ରାରେ ଜନସଚେତନତାର ଆବଶ୍ୟକତା ରହିଛି, ହେଲେ ବନ ବିଭାଗ ଫିଲଡ଼ ଅଧିକାରୀଙ୍କ ମାନସିକତାରେ ବି ପରିବର୍ତ୍ତନ ଜରୁରୀ । କଲରାପତରିଆ ବାଘ ବଞ୍ଚିଲେ ରାଜ୍ୟରେ ମହାବଳ ବାଘ ଅଧିକ ସୁରକ୍ଷିତ ରହିପାରିବେ । ଏକଥା ଲୋକଙ୍କୁ ବୁଝାଇବା, ବିଶେଷ କରି ଜଙ୍ଗଲ ପାଖରେ ରହୁଥିବା ଲୋକମାନଙ୍କୁ ଏ ବିଷୟରେ ସଚେତନ କରିବା ବନ ବିଭାଗର ଦାୟିତ୍ବ । ବାଘ ଭଳି ହାତୀମାନଙ୍କ ଅକାଳ ମୃତ୍ୟୁ ବି ଚିନ୍ତାର ବିଷୟ ପାଲଟିଛି । ହାତୀ ମୃତ୍ୟୁ ରୋକିବା ପାଇଁ ବନ ବିଭାଗକୁ ହାଇକୋର୍ଟଙ୍କ ତାଗିଦ ପରେ ବିଦ୍ୟୁତ ବିଭାଗ ସହ ମିଶି ବନ ବିଭାଗ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି ।

ପୋଲାଭରମ ପ୍ରସଙ୍ଗକୁ ନେଇ ଗୃହ ତମ୍ବିତୋଫୋନ । ରାଜ୍ଯ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ କହିଲେ ନବୀନ

ଭୁବନେଶ୍ବର : ଗୃହ ଆରମ୍ଭରୁ ହିଁ ଦେଖିବାକୁ ମିଳିଲା ପୋଲାଭରମ ତାତି । ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିଥିବାରୁ ପ୍ରଶ୍ନ କାଳ ଆରମ୍ଭରୁ ତୁମ୍ବିତୋଫୋନ । ହେଲେ ଏହାକୁ ବାଚସ୍ପତି କର୍ଣ୍ଣପାତ ନ କରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରଖିଥିଲେ । ଗୃହକୁ ସ୍ବାଭାବିକ ସ୍ଥିତିକୁ ଆଣି ଗୃହ ଚଳାଇବାକୁ ବିଜେଡି ଦାବି ରଖିଥିଲା । ହେଲେ ନାରାବାଜି ଭିତରେ ପ୍ରଶ୍ନୋତ୍ତର ଜାରି ରହିଥିବାରୁ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ । ବାଧ୍ୟ ହୋଇ ବାଚସ୍ପତି ପ୍ରଥମେ ପ୍ରଶ୍ନ କାଳ ବନ୍ଦ ରଖି ଏକ ଘଣ୍ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଗୃହ ବାହାରକୁ ଆସି ଓଡ଼ିଶା ସ୍ବାର୍ଥ କଥା ଉଠାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ଆଗରୁ ବି ରାଜ୍ୟର ସ୍ବାର୍ଥ ପାଇଁ ଲଢେଇ କରୁଥିଲା। ଆଉ ଆଗକୁ ବି ଲଢେଇ ଜାରି ରହିବ ବୋଲି କହି ଡବଲ ଇଂଜିନ ସରକାରଙ୍କୁ ପୋଲାଭରମରେ ଏକପାଖିଆ ନିଷ୍ପତ୍ତି ନେଇ ଟାର୍ଗେଟ କରିଥଲେ ନବୀନ ।

ଶୂନ୍ୟକାଳରେ ପୋଲାଭରମ ପ୍ରସଙ୍ଗରେ କଂଗ୍ରେସ ସହ ସ୍ଵର ମିଶାଇଲା ବିଜେଡି । ବାଚସ୍ପତି ଘୋଷଣା କଲେ ଯେ ପୋଲାଭରମ ପ୍ରସଙ୍ଗ ଅଦାଳତରେ ବିଚାରାଧୀନ ଥିବାରୁ କଂଗ୍ରେସର ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହୋଇଛି । ବାଚସ୍ପତିଙ୍କ ଏପରି ଘୋଷଣାକୁ ନେଇ ବିଜେଡି ଓ କଂଗ୍ରେସ ବର୍ଷିଥିଲେ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ ଯେ ଗତକାଲି ପୋଲାଭରମ ଦ୍ବାରା କ୍ଷତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଲକାନଗିରିର ଜିଲ୍ଲାକୁ ପଛୁଆ ଜଳ ଯାଇ  ଲୋକଙ୍କୁ ପ୍ରଭାବିତ କରିବ । କୋର୍ଟରେ ମାମଲା ବିଚାରାଧୀନ ଥିବା ନେଇ ଯଦି ଲିଖିତ ଉତ୍ତର ରଖାଯାଇ ପାରୁଛି, ତେବେ ଆଲୋଚନାରେ ଅସୁବିଧା କଣ ବୋଲି ରଣେନ୍ଦ୍ର ପ୍ରଶ୍ନ କରିଛନ୍ତି । ପୋଲାଭରମରେ ଓଡ଼ିଶା ବୁଡୁଛି, ଆନ୍ଧ୍ର ହସୁଛି । ହେଲେ ରାଜ୍ୟ ସରକାର ଚୁପ୍ ବସିଥିବା ଅଭିଯୋଗ କରିଛି କଂଗ୍ରେସ । ମୋହନ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଯଦି ସରକାର ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ମୁଖ୍ୟମନ୍ତ୍ରୀ ଗୃହରେ ସ୍ବୀକାର କରିଛନ୍ତି ଯେ ପୋଲାଭରମ ଓ ମହାନଦୀ ନେଇ ରାଜ୍ୟ ସରକାର କେନ୍ଦ୍ର, ଆନ୍ଧ୍ର କି ଛତିଶଗଡ଼ ସରକାରଙ୍କ ସହ ଔପଚାରିକ ଆଲୋଚନା କରିନାହାଁନ୍ତି । ରାଜ୍ୟର ସ୍ବାର୍ଥକୁ ମୋହନ ସରକାର କାହିଁକି ବଳି ପକାଉଛନ୍ତି, ତାହା ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

‘ଅନୁକୂଳ ହେଉନି ପାଗ, ଏଥର ଭଲ ହେବନି ଆଳୁ ଅମଳ’

ଭୁବନେଶ୍ବର : ବିଧାନସଭା ଭିତରେ ଓ ବାହାରେ ଆଳୁ ତାତି । ଏବେ ଦାଉ ସାଜିଲାଣି ପାଗ ।  ପଡ଼ୁନି ଶୀତ । କମୁନି ତାପମାତ୍ରା । ଏବର୍ଷ ବାଧା ପାଇବ ଆଳୁ ଅମଳ । ଏପରି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ସୁରେନ୍ଦ୍ର ନାଥ ପଶୁପାଳକ । ଅକ୍ଟୋବର ଯାଇ ନଭେମ୍ବର ଗଲା । ସାରା ରାଜ୍ୟରେ ଏ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୧୫ରୁ ୨୦ ଡିଗ୍ରିରେ ପହଞ୍ଚିଲାନି । ଚିନ୍ତାରେ ଚାଷୀ । ସରକାର ଆଳୁ ମଞ୍ଜି ଯୋଗାଇଛନ୍ତି । ଆଳୁମଞ୍ଜି ଲଗାଇବାଠାରୁ ଅମଳ ପର୍ଯ୍ୟନ୍ତ ୭୫ ଦିନ ସମୟ ଆବଶ୍ୟକ କରିଥାଏ । କିନ୍ତୁ ତାପମାତ୍ରା ଅଧିକ ରହୁଥିବାରୁ ଆଳୁ ବୁଦାରେ ୪ରୁ ୫ଟି ଭଲ ଆଳୁ ନ ହୋଇ ଗୋଟିଏ କିମ୍ବା ଦୁଇଟି ହେବ । ତା ପୁଣି ଛୋଟ ଓ କମ ଓଜନର ରହିବ । ଏପରି କି ଚଳିତବର୍ଷ ଏହି ଦଶା ଆଳୁ ଉତ୍ପାଦନକାରୀ ରାଜ୍ୟ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରେ ବି ଦେଖିବାକୁ ମିଳିବ । ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ସମସ୍ୟା ଆଗକୁ ଆହୁରି ବଢିବ । ବିଶେଷଜ୍ଞଙ୍କ ମତ ଏଣିକି ଅଧିକ ତାପମାତ୍ରା ସହନଶୀଳ ଆଳୁ ବିହନ ଚାଷୀଙ୍କୁ ଯୋଗାଇବାକୁ ପଡ଼ିବ । ନୂଆ ଆଳୁ ବିହନ ସୂର୍ଯ୍ୟ, ପି-୨୫ ବିହନ ଅଧିକ ତାପମାତ୍ରା ସହନଶୀଳ । ଏସବୁ ଆଳୁ ବିହନ ଲଗାଇଲେ ପରିବର୍ତ୍ତିତ ଜଳବାୟୁରେ ଅଧିକ ଅମଳକ୍ଷମ ରହିବ ।

ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ ହେବ ଓଡ଼ିଶା । ସରକାରଙ୍କ ଏହି ଆଶା ଚଳିତବର୍ଷ ସାକାର ହେବନି । ରାଜ୍ୟକୁ ବାର୍ଷିକ ୧୪ ଲକ୍ଷ ୩୦ ହଜାର ଟନ୍ ଆଳୁ ଆବଶ୍ୟକ । ରାଜ୍ୟରେ ଭଲ ଅମଳ ହେଲେ ମାତ୍ର ୮୦ ହଜାର ଟନ୍ ହେଉଛି । ବାକି ୯୦ ପ୍ରତିଶତ ପଶ୍ଚିମବଙ୍ଗ ଓ ୫ ପ୍ରତିଶତ ଉତ୍ତରପ୍ରଦେଶରୁ ଆମଦାନୀ ହେଉଛି । ଏବର୍ଷ ପଶ୍ଚିମବଙ୍ଗ ଆଳୁ ବନ୍ଦ କରିବା ପରେ ରାଜ୍ୟରେ ଆଳୁ ସଂକଟ ଦେଖା ଦେଉଛି । କିନ୍ତୁ ଯଦି ଅମଳ ଭଲ ନ ହେବ ତାହେଲେ ବଜାରରେ ଆଳୁ ଦାମ ଆଉ କମିବନି । ବାହାର ରାଜ୍ୟ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିବ । ତେଣୁ ଆଗକୁ ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ଏବେଠୁ ଅଣ୍ଟା ଭିଡ଼ନ୍ତୁ ବୋଲି ପରାମର୍ଶ ଦେଇଛି ରାଜ୍ୟ ବ୍ୟବସାୟୀ ମହାସଂଘ । ଆଳୁ ସଂକଟ ନେଇ ଓଡ଼ିଶା ଗତି କରୁଛି । ରାଜ୍ୟର କୃଷି ମନ୍ତ୍ରୀ ଚାଷବାସ ଅଞ୍ଚଳରୁ ଆସିଛନ୍ତି ।  କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଓଡ଼ିଶାରେ କିପରି ତାପମାତ୍ରା ସହନଶୀଳ ଆଳୁ ବିହନ ଯୋଗାଣ ହେବ ସେ ନେଇ କୃଷି ବୈଜ୍ଞାନିକଙ୍କ ସହ ପରାମର୍ଶ କରି ପଦକ୍ଷେପ ନେବାକୁ ସବୁ ମହଲରେ ଦାବି ଉଠିଛି ।