spot_img
Home Blog Page 1401

ନିୟନ୍ତ୍ରଣକୁ ଆସୁନି ଆଳୁ ଦର, ମନ୍ତ୍ରୀ ଓ ରାଜ୍ଯ ସରକାରଙ୍କୁ ବିରୋଧୀ ଦଳର ଟାର୍ଗେଟ

ଭୁବନେଶ୍ବର : ନିୟନ୍ତ୍ରଣକୁ ଆସୁନି ଆଳୁ ଦର । ବ୍ଯାପକ ହେଉଛି ସଙ୍କଟ । ଦରରେ ଲଗାମ ଲାଗୁନାହିଁ । ସାଧାରଣ ଲୋକ କାନ୍ଦୁଛନ୍ତି । ସେପଟେ ଯିଏ ଦରଦାମ ନିୟନ୍ତ୍ରଣ କରିବା କଥା ସେ ଲଗାତର ଦେଇଚାଲିଛନ୍ତି ବେଫିକର ବୟାନ । କେବେ କହୁଛନ୍ତି ଆଳୁ ଟ୍ରେନରେ ଆସୁଛି ତ କେବେ କହୁଛନ୍ତି ରାଜ୍ୟରେ ପର୍ଯ୍ୟାପ୍ତ ଆଳୁ ମହଜୁଦ ରହିଛି । ପୁଣି କେତେବେଳେ କହୁଛନ୍ତି ଆଳୁ ସଙ୍କଟ ମନୁଷ୍ୟକୃତ । ଭଲ ଭାବେ ଶୁଣନ୍ତୁ ୪୮ ଘଣ୍ଟା ଭିତରେ ମନ୍ତ୍ରୀଙ୍କ ଏପରି ବେଫିକର ବୟାନବାଜିକୁ ।

ବେଫିକର ବୟାନବାଜିକୁ ନେଇ ଯୋଗାଣ ମନ୍ତ୍ରୀ ଓ ରାଜ୍ଯସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ଓ କଂଗ୍ରେସ।  କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି  କହିଛନ୍ତି  ଯୋଗାଣ ମନ୍ତ୍ରୀ ମିଛ କହୁଛନ୍ତି । ୟୁପିରୁ କେତେ ଆଳୁ ଟ୍ରେନରେ ଆସିଲାଣି ତାହା ଓଡ଼ିଶାବାସୀଙ୍କୁ ଜଣାନ୍ତୁ। ଆଳୁ ସଙ୍କଟ ଜାରି ରହିଥିବା ବେଳେ ଯୋଗାଣ ମନ୍ତ୍ରୀଙ୍କ ବୟାନବାଜି ଦୁଭାର୍ଗ୍ୟଜନକ ବୋଲି ବିଜେଡ଼ି ବିଧାୟକ ସାରଦା ନାୟକ କହିଛନ୍ତି ।

ଯୋଗାଣ ମନ୍ତ୍ରୀଙ୍କୁ ମୁଖ୍ଯମନ୍ତ୍ରୀ ବିଦା କରନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ। ବଜାରରେ ଆଳୁ କେଜି ପ୍ରତି  ୪୦ରୁ  ୫୦ ଟଙ୍କାରେ ବିକ୍ରୀ ହେଉଛି । ଯୋଗଣ ମନ୍ତ୍ରୀ କହୁଛନ୍ତି ପର୍ଯ୍ୟାପ୍ତ ଆଳୁ  ଅଛି। କେଜି ୩୦ରୁ ୩୫  ଟଙ୍କାରେ ବିକ୍ରୀ ହେଉଛି । ଯାହାକୁ ନେଇ ଯୋଗଣ ମନ୍ତ୍ରୀଙ୍କୁ ଘେରିଛି ବିଜେଡ଼ି । ୬ମାସ ଧରି ହୁ ହୁ ହୋଇ ବଢ଼ିଚାଲିଛି ଦରଦାମ। ଓଡ଼ିଶାବାସୀଙ୍କ ହାଣ୍ଡିଶାଳରେ ପଡ଼ିଛି ଚଡ଼କ। ନାହିଁ ସରକାରଙ୍କ ନିଘା।

ଭୁବନେଶ୍ବରରେ ମାତିଛନ୍ତି ଫ୍ଲାଟ୍ ଲୁଟେରା, ୩ ଦିନ ଧରି ୩ ଟି ଫ୍ଲାଟରୁ ଲୁଟ୍ ଉଦ୍ୟମ

ଭୁବନେଶ୍ବର : ଆମେ ଆଉ ପାରୁନୁ, ଏଥର ନିଜ ସୁରକ୍ଷା କଥା ନିଜେ ବୁଝ । ସାମ୍ନାକୁ ଆସିଲା ପାହାଳ ପୋଲିସର ପାରିବାପଣିଆ । ଲୁଟେରାର ଖଣ୍ଡାକୁ ସାମ୍ନା କରିପାରୁନି ସିକ୍ୟୁରିଟିର ଲାଠି । ରାତି ହେଲେ ଛାତି ଥରୁଛି । ଲୁଟେରାଙ୍କୁ ଦେଖି ଭୟ ଲାଗୁଛି । ଖଣ୍ଡା ଧରି ଆପାର୍ଟମେଣ୍ଟ ତଳେ ହଲ୍ଲାବୋଲ ଡାକରା ଦେଉଛନ୍ତି ଲୁଟେରା । ପାହାଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଯାହାକୁ ନେଇ ଏବେ ଆପାର୍ଟମେଣ୍ଟରେ ଦେଖାଯାଇଛି କୋକୁଆ ଭୟ । ବିଗତ ୩ ଦିନ ଧରି ୩ ଟି ଫ୍ଲାଟରୁ ଲୁଟ୍ ଉଦ୍ୟମ ହୋଇଛି । ତାଲା କାଟି ଟଙ୍କା, ସୁନା ଲୁଟି ନେଇଯାଉଛନ୍ତି ଲୁଟେରା । କିନ୍ତୁ ବଡ଼ କଥା ହେଉଛି ପାଟ୍ରୋଲିଂ କରି ଚୋର ଧରିବା ବଦଳରେ ପୋଲିସ ହ୍ବାଟ୍ସଆପରେ ଜାରି କରୁଛି ସୁରକ୍ଷା ଵାର୍ତ୍ତା । ଦେଖନ୍ତୁ ପୋଲିସ ପଠାଇଥିବା ହ୍ବାଟ୍ସଆପ ଚାର୍ଟ । ଆପାର୍ଟମେଣ୍ଟରେ ସିସିଟିଭି ଲଗାଇବା ସହ ରାତି ପ୍ରାୟ ୧ ରୁ ୩ ଟା ପର୍ଯ୍ୟନ୍ତ ଆଲର୍ଟ ରହିବାକୁ କହିଛି ପୋଲିସ । ଯାହାକୁ ନେଇ ଥରହର ରାଜଧାନୀବାସୀଙ୍କ ଛାତି ।

କିଛିଦିନ ତଳେ ପୋଲିସ କମିଶନର ଏସ. ଦେବଦତ୍ତ ସିଂ ଆପାର୍ଟମେଣ୍ଟ ମାନଙ୍କରେ IP କ୍ୟାମେରା ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏହାର ତଥ୍ୟ କମିଶନରେଟ ପୋଲିସ ନିକଟରେ ରଖିବା ସହ ସୁପରଭିଜନ ପାଇଁ ଜଣେ ଏସିପିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପୂର୍ବରୁ ଛକ, ବଜାର, ହସ୍ପିଟାଲ, ଷ୍ଟେସନ, ବସ ଷ୍ଟାଣ୍ଡରେ ଲାଗିଥିଲା ପୋଷ୍ଟର । ଲୁଟେରା ବା ମୋଷ୍ଟ ୱାଣ୍ଟଡଙ୍କୁ ଚିହ୍ନଟ କଲେ ୧୦ ହଜାର ପୁରସ୍କାର ମିଳିବ ବୋଲି କୁହାଯାଇଥିଲା । ନୀୟମିତ ବ୍ୟବଧାନରେ ଥାନାରେ ହାଜିରା ପକାଉନଥିବା ପେଶାଦାର ଅପରାଧୀଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । କିନ୍ତୁ ଏ ସବୁ ସତ୍ତ୍ୱେ ମଧ୍ୟ ଲୁଟେରା ଖୁଲମଖୁଲ୍ଲା ଲୁଟିବା ଘଟଣା ପୋଲିସର ପାରିବା ପଣିଆ ପ୍ରତି ସୃଷ୍ଟି କରିଛି ଚ୍ୟାଲେଞ୍ଜ । ସବୁ ପରେ ମଧ୍ୟ ଲୋକଙ୍କୁ ସୁରକ୍ଷା ଦେବା ତ ଦୂରର କଥା, ହ୍ବାଟ୍ସଆପରେ ମେସେଜ ଟିଏ ଦେଇ ମୁଣ୍ଡରୁ ଦୋଷ ଖସାଇଦେଇଛି ପାହାଳ ଥାନା ପୋଲିସ ।

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ପୋଖରୀର ପୂନଃଉଦ୍ଧାର ନାଁରେ ନଷ୍ଟ ହେଉଛି ଲକ୍ଷଲକ୍ଷ ଟଙ୍କା

ବ୍ରହ୍ମପୁର : ମାଟିରେ ଲୁଚିଗଲାଣି ପେଭର ବ୍ଲକ । ଗେଟ୍ ଅଛି, ହେଲେ ରାସ୍ତା ଗାଏବ । ଜଙ୍ଗଲ ଭିତରେ ଲୁଚି ଗଲାଣି ବ୍ଯାୟାମ ସରଞ୍ଜାମ । ବିପଦପୂର୍ଣ ଭାବେ ଝୁଲି ରହିଛି ବିଦ୍ଯୁତ ଖୁଣ୍ଟି । ଇଏ ହେଉଛି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ପୋଖରୀର ଦୃଶ୍ଯ । ଏହାର ସୌନ୍ଦର୍ଯ୍ଯକରଣ ଓ ଲୋକଙ୍କୁ ମର୍ଣ୍ଣିଂ ୱାକ ସହ ବ୍ଯାୟାମ ସୁବିଧା ଯୋଗାଇ ଦେବାକୁ ପୂର୍ବ ସରକାରଙ୍କ ସମୟରେ ଖର୍ଚ୍ଚ ହୋଇଥିଲା ୯ ଲକ୍ଷ ଟଙ୍କା । ୨୦୨୨ ରେ ମୁକ୍ତା ଯୋଜନା ଅଧିନରେ ଏହାର ସୌନ୍ଦର୍ଯ୍ଯକରଣ ଓ ଆଲୋକ ବ୍ଯବସ୍ଥା କରାଯାଇଥିଲା । ପେଭର ବ୍ଲକ ପକାଇ ଜେଲ ରୋଡ ଶିଶୁ ଉଦ୍ୟାନ ନିକଟରୁ ବାଲୁଙ୍କେଶ୍ଵର ଶିବ ମନ୍ଦିର ପର୍ଯ୍ୟନ୍ତ ନିର୍ମାଣ ହୋଇଥିଲା ୬ଶହ ମିଟର ରାସ୍ତା । ୨୦୨୩ରେ ଉଦଘାଟନ ପରେ ଚକାଚକ ବ୍ଯବସ୍ଥାକୁ ଦେଖି ପ୍ରଶଂସା କରିଥିଲେ ସହରବାସୀ । ହେଲେ ଦୁଇବର୍ଷ ନପୁରୁଣୁ ଏହାର ଅବସ୍ଥା ଦେଖନ୍ତୁ । ନା ରାସ୍ତା ଅଛି, ନା ବ୍ଯାୟାମ ସାମଗ୍ରୀ । ଜଙ୍ଗଲ ଭିତରେ ଲୁଚି ଗଲାଣି ବିଦ୍ଯୁତ ଖୁଣ୍ଟ । ଏଥିପାଇଁ ମହାନଗର ନିଗମକୁ ଦାୟି କରିଛନ୍ତି ଲୋକେ ।

ଚଳିତ ବର୍ଷ ଜାନୁଆରୀରେ ବିଇଏମ୍ସି ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ହାତକୁ ନେଇଥିଲା । ମୁକ୍ତା ଯୋଜନା ଅଧୀନରେ ସ୍ଥାନୀୟ ସ୍ବୟଂ ସହାୟିକା ଗୋଷ୍ଠୀକୁ ୧ କୋଟି ୫୭ ଲକ୍ଷ ୩୪ ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା । ହେଲେ ପୋଖରୀରୁ ମାଟି କାଢି ହୁଡ଼ାରେ ପୂର୍ବରୁ ନିର୍ମାଣ ହୋଇଥିବା ପାଦ ଚଲା ରାସ୍ତାରେ ଗଦା କରି ପରବର୍ତ୍ତୀ ସମୟରେ ସଫା ନକରିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବିଇଏମସି କମିଶନରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ଯ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ସେପଟେ ଅଞ୍ଚଳ ପୂର୍ବପରି ଆବର୍ଜନାରେ ଭରି ଯାଇଥିବାରୁ ତୁରନ୍ତ ସଫେଇ କରିବାକୁ ଲୋକେ ଦାବି କରିଛନ୍ତି ।

କଟକ ସହରରେ ମାଳମାଳ ବେଆଇନ ହୋର୍ଡିଂ

କଟକ : ବେଧଡକ ଚାଲିଛି ବେଆଇନ ହୋର୍ଡିଂ କାରବାର । ମାଲାମାଲ ଅସାଧୁ ବ୍ଯବସାୟୀ, ନଷ୍ଟ ହେଉଛି ରାଜସ୍ବ । ରିପୋର୍ଟ ମାଗିଲେ ହାଇକୋର୍ଟ । ଅସାଧୁ ହୋଡିଂ ବ୍ୟବସାୟୀଙ୍କ ନଜର ଏବେ କଟକ ଖାନନଗର ନୂଆ ବସଷ୍ଟାଣ୍ଡ ସାଙ୍ଗକୁ କାଠଯୋଡି ନଦୀକୂଳ । କିଛି ସ୍ଥାନ ରେ ହୋର୍ଡିଂ ଲାଗି ସାରିଥିବାବେଳେ ଏବେ ନଦୀ ପଠାରେ ପୋତା ଚାଲିଛି ମାଳମାଳ ଲୁହାଖୁଣ୍ଟ । କେବଳ ସେତିକି ନୁହେଁ, ସହରର ଏକାଧିକ ରାସ୍ତା ଆଉ ଛାତ ଉପର ମଧ୍ଯ ଛାଇ ଗଲାଣି । କିଛି ସିଏମସି ଅନୁମତି ପାଇଥିବା ବେଳେ ଏକାଧିକ ବେଆଇନ ଭାବେ ଲଗାଯାଉଥିବା ଅଭିଯୋଗ ହୋଇଛି । ଏହାଦ୍ବାରା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହ ଟ୍ରାଫିକ ସମସ୍ଯା ଓ ସୌନ୍ଦର୍ଯ୍ଯ ହରାଉଛି ସହର । ଏହାକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସଟକ ସହରର ସମସ୍ଯା ନେଇ ଶୁଣାଣି ବେଳେ ଏନେଇ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହ ନଦୀ ପଠାରେ ହୋର୍ଡିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବେଆଇନ ହେର୍ଡିଂ ଚିହ୍ନଟ କରି ସଂପୃକ୍ତ ସଂସ୍ଥା ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିଏମସି କର୍ତ୍ତୃପକ୍ଷ ।

ତାତିଲେଣି ପଶ୍ଚିମ ଓଡ଼ିଶା ଚାଷୀ ସଂଗଠନ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ମୁଣ୍ଡ ଟେକୁଛି ଚାଷୀ ଆନ୍ଦୋଳନ । ଧାନ ବିକ୍ରିରେ ଅବ୍ଯବସ୍ଥା, କଟନୀ ଛଟନୀକୁ ନେଇ ଅସନ୍ତୁଷ୍ଟ ଚାଷୀ । ମଣ୍ଡିରେ ଅବ୍ଯବସ୍ଥା ଯୋଗୁଁ ସକ୍ରିୟ ହେଲେଣି ଦଲାଲ । ଫସଲର ଉଚିତ ମୂଲ୍ଯ ନପାଇ ତେଜୁଛି ଅସନ୍ତୋଷ । ମୁଖ୍ଯମନ୍ତ୍ରୀଙ୍କ ବରଗଡ଼ ଗସ୍ତ ପୂର୍ବରୁ ଦାନା ବାନ୍ଧୁଛି ଚାଷୀ ଆନ୍ଦୋଳନ । ପ୍ରତିଶ୍ରୁତି ଦେଇ ଦେଇ ରାଜ୍ଯ ପାଳନ କରି ନଥିବାରୁ ରାଜ୍ଯ ସରକାରଙ୍କ ଉପରେ ଖପ୍ପା ପଶ୍ଚିମ ଓଡ଼ିଶା ଚାଷୀ । କଟନୀ ଛଟନୀ ହେବନି କହି ବିଗତ ବର୍ଷ ତୁଳନାରେ ଅଧିକ କାଟ କରାଯାଉଛି । ୮ଶହ ଟଙ୍କାର ଲୋଭ ଦେଖାଇ ବ୍ୟାପକ କଟନୀ ହେଉଛି ।  ମଣ୍ଡିରେ ସକ୍ରିୟ ହେଲେଣି ଦଲାଲ । ଏନାଲାଇଜର ମେସିନ ଆଣି ମିଲର୍ ମାନଙ୍କୁ ସଶକ୍ତ କରାଯାଇଛି ।  ଭିତ୍ତିଭୂମି ତିଆରି କରିବାରେ ସରକାର ଫେଲ ମାରିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଆସନ୍ତା ୮ ତାରିଖରେ ବରଗଡ ସୋହେଲା ଆସିବେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ଜବାବ ମାଗିବାକୁ ଚାଷୀ ସଂଗଠନ ସଜବାଜ ହେଲାଣି । ଦଲାଲ ମୁକ୍ତ ମଣ୍ଡି, କଟନୀ ଛଟନୀ ବନ୍ଦ ସହ ଧାନର ମାନ ନିର୍ଦ୍ଧାରଣ ନେଇ ଜବାବ ମାଗିବ ଚାଷୀ ସଂଗଠନ । ଚଳିତ ବର୍ଷ କୌଣସି କଟନୀ ଛଟନୀ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ । ଏପରିକି ବିକ୍ରିର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଖାତାକୁ ଟଙ୍କା ଆସିବ ବୋଲି କହିଥିଲେ । ହେଲେ ସବୁ ବାହାସ୍ଫୋଟ ପାଲଟିଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

ଜଟଣୀରେ ମାସକ ମଧ୍ଯରେ ତିନିଥର ଅଗ୍ନିକାଣ୍ଡ, ଧନଜୀବନ ହାନି ସାଙ୍ଗକୁ ଗଲାଣି ମୂଲ୍ଯବାନ ଜୀବନ

ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଯବସାୟିକ ପେଣ୍ଠସ୍ଥଳୀ । ସହରର ରାଜା ବଜାର, ନୀଳଚକ୍ର ମାର୍କେଟ ଓ ଗୋଲେଇ ମାର୍କେଟରେ ରାଜ୍ଯର ଦୂରଦୂରାନ୍ତରୁ ଲୋକଙ୍କ ଭିଡ ଲାଗେ । ସୁଲଭ ଦରରେ ଜିନିଷ କିଣିବାକୁ ଲୋକ ମାନେ ଧାଇଁ ଆସନ୍ତି । ରେଳଷ୍ଟେସନ ପାଖରେ ଥିବା ଏହି ମାର୍କେଟରେ ପ୍ରାୟତଃ ବଡ ବଡ ଗୋଦାମ ରହିଛି । କିନ୍ତୁ ବିଡମ୍ବନାର ବିଷୟ ବିଗତ କିଛି ଦିନ ଭିତରେ ତିନିଥର ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଧନ ହାନି ସହିତ ଏକ ମୂଲ୍ଯବାନ ଜୀବନ ଚାଲିଯାଇଛି । ଟିକେ ନଜର ପକାନ୍ତୁ ଗତ ମାସେ ଭିତରେ ଘଟିଥିବା ଅଗ୍ନିକାଣ୍ଡ ଉପରେ । ନଭେମ୍ବର ୧୫ରେ ରାଜା ବଜାରରେ ଥିବା ଗୌରୀ ଗାର୍ମେଣ୍ଟସରେ ଅଗ୍ନିକାଣ୍ଡ ଘଟି ସମସ୍ତ ଜିନିଷ ପୋଡିଯିବା ସହିତ ଦୋକାନ ମାଲିକଙ୍କ ମୃତ୍ଯୁ ହେଲା । ନଭେମ୍ବର ୧୯ରେ ରାଜା ବଜାରରେ ଏକ ଆଇସ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଜିନିଷ ଜଳି ପୋଡି ନଷ୍ଟ ହୋଇଗଲା । ଡିସେମ୍ବର ୨ରେ ନୀଳାଚଳ ମାର୍କେଟରେ ଥିବା ଏକ ବିଦ୍ୟୁତ୍ ସାମଗ୍ରୀ ପ୍ରତିଷ୍ଠାନ ଜଳିଗଲା। ସବୁଠି ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ।

ସହରରେ ଦିନକୁ ଦିନ ବିଗିଡିବାରେ ଲାଗିଛି ଟ୍ରାଫିକ ସମସ୍ଯା । ଫଳରେ ଅଗ୍ନିଶମ ଗାଡି ଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରୁନାହିଁ । ଜଟଣୀରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ଦୋକାନର ଅଗ୍ନି ନିରାପତ୍ତା ଯାଞ୍ଚ କରୁନଥିବା ଅଭିଯୋଗ ହୋଇଛି । ସେପଟେ ଆଗାମୀ ଦିନରେ ପୌର ପରିଷଦ ପକ୍ଷରୁ ଏଥିନିମନ୍ତେ ଦୃଷ୍ଟି ଦିଆଯାଇ ବ୍ଯବସାୟୀଙ୍କ ନିରାପତ୍ତା ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌରାଧ୍ଯକ୍ଷ କହିଛନ୍ତି । ଅଗ୍ନି ନିରାପତ୍ତା ପ୍ରତି ଜନସାଧାରଣ, ବ୍ଯବସାୟୀ ଓ ପ୍ରଶାସନ ସଚେତନ ହେଉନଥିବା ଯୋଗୁଁ ଅନେକ ସମୟରେ ଘଟୁଛି ଅଘଟଣ ।

ପାରାଦୀପ ହାଣ୍ଡିଆ ଗାଁରେ AMNS କମ୍ପାନୀର ରାଜ : ବିସ୍ଥାପିତଙ୍କ ଜୀବନ ଜୀବିକା ସହିତ ଖେଳୁଛି କମ୍ପାନୀ

ପାରାଦୀପ : ଏଏମଏନଏସ କମ୍ପାନୀ ପାଇଁ ବିସ୍ଥାପିତ ହେବାକୁ ମନାକଲେ ହାଣ୍ଡିଆ ଗ୍ରାମବାସୀ । ଗ୍ରାମବାସୀ , ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ମଧ୍ୟ ବିଫଳ ହୋଇଛି । ଦୀର୍ଘ ନଅ ମାସ ହାଣ୍ଡିଆ ଗ୍ରାମବାସୀ ଧାରଣାରେ ବସିଲା ପରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ହାଣ୍ଡିଆ ଗ୍ରାମବାସୀ ଆସିଥିଲେ । ଆଲୋଚନା ହେଲା, ମାତ୍ର ପ୍ରଶାସନ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବା ବଦଳରେ କମ୍ପାନୀ ହେଲେ ପାରାଦୀପର ଉନ୍ନତି ହେବ ବୋଲି ପ୍ରସ୍ତାବ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ହେଲା କମ୍ପାନୀ ପାଇଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କମ୍ପାନୀ ଯାହା ପ୍ରତିଶୃତି ଦେଇଛି ତାହା ପୂରଣ କରୁନାହିଁ । ୨୦୧୬ ମସିହାରେ ହାଣ୍ଡିଆ ଗାଁ ବିସ୍ଥାପିତ ହେବନାହିଁ ବୋଲି ଚିଠି ପାଇବା ପରେ ଗ୍ରାମବାସୀ ଘର ଦ୍ଵାର କରି ଟଙ୍କା ଖର୍ଚ୍ଚ କରାସାରିଛନ୍ତି । ତେଣୁ  ଆଉ ବିସ୍ଥାପିତ ହେବେ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

୨୦୧୦ ମସିହାରେ ହାଣ୍ଡିଆ ଗ୍ରାମବାସୀଙ୍କୁ  ଚକ୍ରଧରପୁରକୁ ବିସ୍ଥାପିତ କରିବାକୁ ଆରପିଡ଼ିଏସ ବୈଠକରେ ନିଷ୍ପତ୍ତି ହୋଇଥିଲା। ମାତ୍ର ୨୦୧୬ ମସିହାରେ ହାଣ୍ଡିଆ  ଗ୍ରାମବାସୀ ବିସ୍ଥାପିତ ନ ହେବା ପାଇଁ ସେତବେଳର ଏସାର କମ୍ପାନୀ ପତ୍ର ମାଧ୍ୟମରେ ଗ୍ରାମବାସୀଙ୍କୁ ଜଣାଇଥିଲା | ବିସ୍ଥାପିତ ପରିବାରର ଉଚ୍ଚ ଶିକ୍ଷା ଗ୍ରହଣ କରିଥିବା ପିଲାମାନଙ୍କୁ କଣ୍ଟ୍ରାକ୍ଟର ଅଧିନରେ ରଖି ମାସକୁ ୧୨ ରୁ ୧୩ ହଜାର ଟଙ୍କା ଦେଉଛନ୍ତି । ଯାହା ସମୁଦ୍ରକୁ ସଙ୍ଖେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କିଛି ପିଲାଙ୍କୁ ଏପର୍ଯ୍ଯନ୍ତ ଚାକିରି ମଧ୍ଯ ଦିଆଯାଇନାହିଁ । ଅନ୍ଯପଟେ କମ୍ପାନୀ ଖୁବଶୀଘ୍ର ୧୦ ହଜାର ପିଲାକୁ ନିଯୁକ୍ତି ଦେବ ଏବଂ ସେଥିରୁ ୯୦% ଜଗତସିଂହପୁର ଜିଲ୍ଲାର ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ତୁଟୁ ନାହିଁ ହାଣ୍ଡିଆ ଗ୍ରାମବାସୀ ଓ ଏଏମଏନଏସ କମ୍ପାନୀ ମଧ୍ୟରେ ଚାଲିଥିବା ବିବାଦ। କମ୍ପାନୀ ଦେଉଥିବା ପ୍ରତିଶୃତି ପାଳନ କରୁନଥିବା ବେଳେ, ଗ୍ରାମବାସୀ ସେମାନଙ୍କ ଦାବିକୁ ନେଇ ଚଳାଇଛନ୍ତି ଆନ୍ଦୋଳନ। ଜିଲ୍ଲା ପ୍ରଶାସନ ଏହାକୁ ସମାଧାନ କରିବାରେ କେତେ ସଫଳ ହେଉଛି ତାହାରି ଉପରେ ସମସ୍ତଙ୍କ ନଜର।

ଜଗତସିଂହପୁରରେ ବଡ ଅଧିକାରୀଙ୍କ ଚୌକି ଫାଙ୍କା, ସାତରୁ ଆଠ ମାସ ହେଲା ସୁଧୁରୁନି ସ୍ଥିତି

 

ଜଗତସିଂହପୁର  : ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ବିଭାଗରେ ଖାଲି ପଡିଛି ପଦବୀ । ସାତରୁ ଆଠ ମାସ ହେଲା ଅଧିକାରୀମାନଙ୍କ ଚୌକି ଖାଲି ପଡିଛି । ଜିଲ୍ଲା ପ୍ରଶାସନ ବିଭାଗ କଥା କୁହନ୍ତୁ ବା ପୋଲିସ ପ୍ରଶାସନ ବିଭାଗ କଥା କୁହନ୍ତୁ। ସବୁଠି ଖାଲି ପଡିଛି ପଦବୀ । ସାଧାରଣ ଲୋକଙ୍କ କାମ ଏକ ପ୍ରକାର ଠପ ହୋଇପଡିଛି । ଏଥିପ୍ରତି କାହାରି ଦୃଷ୍ଟି ନାହିଁ । ଯାହାଫଳରେ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖାଦେଲାଣି । ନଜର ପକାନ୍ତୁ କିଛି ତଥ୍ଯ ଉପରେ ଜଗତସିଂହପୁର ଆର ଆଣ୍ଡ ବିର ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସ ମେ ୩୧ରୁ ଅବସର ନେଲେ । ଆଜକୁ ସାତ ମାସ ବିତିଥିଲେ ମଧ୍ଯ ତାଙ୍କ ପଦବୀ ଫାଙ୍କା ପଡିଛି । ସେହିପରି ଆରଡି ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଅବସର ପରେ ସାତ ମାସ ହେଲା ତାଙ୍କ ଚୌକି ଫାଙ୍କା ପଡିଛି । ଜିଲ୍ଲା କୃଷି ଅଧିକାରୀ ପୂର୍ଣ୍ଣଦା ଶେଖର ଆଚାର୍ଯ୍ୟ ଅଗଷ୍ଟ ୩୧ରେ ଅବସର ନେଇଥିଲେ ମଧ୍ୟ ତାଙ୍କ ସ୍ଥାନ ଏବେବି ଫାଙ୍କା ପଡ଼ିଛି। ସବୁଠାରୁ ବଡ଼କଥା ହେଲା ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ଜୁଲାଇ ୨୦ ତାରିଖରୁ ପୁରୀ ଜିଲ୍ଲାକୁ ବଦଳି କରାଯାଇଥିଲେ ମଧ୍ୟ ତାଙ୍କ ସ୍ଥାନରେ ଏବେବି ଫାଙ୍କା ରହିଛି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପ୍ରାଣୀ ଚିକିତ୍ସା ବିଭାଗରେ ବହୁ ଅଧିକାରୀଙ୍କ  ଚୌକି ଫାଙ୍କା ରହିଛି। ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ଚୌକି ଦୀର୍ଘ ବର୍ଷ ଧରି ଫାଙ୍କା ରହିଛି। ଜଗତସିଂହପୁର ଥାନା, ନାଉଗାଁ ଥାନା ଏବଂ ତିର୍ତ୍ତୋଲ ଥାନା ଅଧିକାରୀଙ୍କ ଚୌକିରେ ଦୀର୍ଘ ଦିନ ହେଲାଣି କାହାରି ବସିବା ଦେଖିବାକୁ ମିଳୁନାହିଁ। ବିଭିନ୍ନ କେଶର ୱାରେଣ୍ଟ ଆସାମୀ ମାନେ ପଦାରେ ବୁଲୁଥିବା ଅଭିଯୋଗ ହେଉଛି। ଶିକ୍ଷା ବିଭାଗ କଥା କହିଲେ ଆଶ୍ଚର୍ଯ୍ୟ ଲାଗିବ। ଜିଲ୍ଲାର ସର୍ବପୁରାତନ ଏସ ଭି ଏମ କଲେଜର ଅଧ୍ୟକ୍ଷ ବିଜୟ କୁମାର ପାତ୍ର ଜୁନ ୬ ତାରିଖ ଠାରୁ ଚୌକି ଛାଡିଲା ପରଠାରୁ ଅଧ୍ଯକ୍ଷ କେହି ନାହାନ୍ତି। ଏହିପରି ଅନେକ ବିଭାଗରେ ଖାଲି ପଡିଛି ପଦବୀ । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢି ବଢି ଚାଲିଛି । ଗଲା ବିଧାନସଭା ନିର୍ବାଚନ ପର ଠାରୁ ଜିଲ୍ଲାରେ ବିଭିନ୍ନ ବିଭାଗରେ ଅଧିକାରୀଙ୍କ ମରୁଡିକୁ ନେଇ ସାଧାରଣରେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ସାଧାରଣ ଲୋକେ।

ସେପଟେ ସରକାରୀ ଅଧିକାରୀଙ୍କ ଚୌକି ଫାଙ୍କା ପଡିଥିବାରୁ ଜିଲ୍ଲାରେ କୌଣସି ଉନ୍ନୟନ ମୂଳକ କାର୍ଯ୍ଯ ହୋଇପାରୁନାହିଁ । ସବୁ କାମ ଠପ ହୋଇ ପଡିଛି। ଫଳରେ ଲୋକଙ୍କ ସମସ୍ଯା ଦିନକୁ ଦିନ ବଢିବାରେ ଲାଗିଛି । ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲଙ୍କୁ ପଚାରିବାରୁ ସେ ମଧ୍ଯ ଏହାକୁ ସ୍ଵୀକାର କରିଛନ୍ତି । ଜଗତସିଂହପୁର ଜିଲ୍ଲାରେ ପୋଲିସ ପ୍ରଶାସନର ବିଭାଗ ଗୁଡିକରେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଦେଖା ଦେଲାଣି। ଯାହାଫଳରେ ବୃଦ୍ଧିଜୀବୀ, ସମାଜସେବୀ,ସାଧାରଣ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଲେଣି ।

ଢେଙ୍କାନାଳ ଜିଲ୍ଲା ବଳରାମପୁର ସ୍କୁଲରେ ଅଜବ ସ୍ଥିତି, ସ୍କୁଲକୁ ଶିକ୍ଷକ ଆସୁଥିଲେ ବି ଆସୁନାହାନ୍ତି ପିଲା

ଢେଙ୍କାନାଳ : ଟିକେ ଭଲକରି ନଜର ପକାନ୍ତୁ ଏହି ଭିଜୁଆଲ ଉପରେ। ଏଠି ଶ୍ରେଣୀ ଗୃହରେ ପାଠ ପଢାଇବା ପାଇଁ ଶିକ୍ଷୟିତ୍ରୀ ଅଛନ୍ତି। ହେଲେ ପାଠ ପଢିବାକୁ ନାହାନ୍ତି କେହି ଛାତ୍ରଛାତ୍ରୀ । ଶ୍ରେଣୀ ଗୃହ କଥା ତ ଛାଡନ୍ତୁ ଏଠି ତ ପୁରା ବିଦ୍ୟାଳୟ ଖାଁ ଖାଁ । ଏଇ ଦୃଶ୍ୟ ଦେଖିଲେ ଯେ କେହିବି ଭାବିବ ଇଏ କୋଉ ଛୁଟି ଦିନର ଦୃଶ୍ଯ । କିନ୍ତୁ ଏଠି କଥା କିଛି ଅଲଗା । ବିଗତ କିଛି ଦିନ ହେଲା ଏଠାରେ ଏଭଳି ସ୍ଥିତି ଲାଗିରହିଛି । ସ୍କୁଲକୁ ଶିକ୍ଷକ ଶିକ୍ଷୟିତ୍ରୀ ଆସୁଛନ୍ତି ହେଲେ ଆସୁ ନାହାନ୍ତି ଛାତ୍ରଛାତ୍ରୀ। ଇଏ ହେଉଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଳରାମପୁର ହାଇସ୍କୁଲର ଦୃଶ୍ୟ। ଯେଉଁଠି ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି ୧୮୯ ଜଣ ଛାତ୍ରଛାତ୍ରୀ। ଯେଉଁଠି ବିଭିନ୍ନ ବିଷୟ ପାଇଁ ଦଶ ଜଣ ଶିକ୍ଷକ ରହିବା କଥା । ସେଠି ଅଛନ୍ତି ମାତ୍ର ୫ ଜଣ । ସ୍କୁଲରେ ୨୦୧୬ ମସିହାରୁ ହିନ୍ଦୀ ଶିକ୍ଷକ ଓ ଖେଳ ଶିକ୍ଷକ ନଥିବା ବେଳେ ୨୦୨୨ ମସିହାରୁ ସଂସ୍କୃତ ଶିକ୍ଷକ ନାହାନ୍ତି। ଫଳରେ ପାଠପଢା ଏକପ୍ରକାର ଠପ ହୋଇଯାଇଛି କହିଲେ ଚଳେ । ଯେଉଁଥିପାଇଁ ଆଖପାଖ ଅଞ୍ଚଳର ପିଲାଙ୍କୁ ସ୍କୁଲ ଛାଡ଼ୁ ନାହାଁନ୍ତି ଅଭିଭାବକ। …

ସ୍କୁଲରେ ଗଣିତ, ବିଜ୍ଞାନ, ହିନ୍ଦୀ, ସଂସ୍କୃତ ଭଳି ଜରୁରୀ ବିଷୟ ଗୁଡିକ ପାଇଁ ଶିକ୍ଷକ ନଥିବାରୁ ଦୀର୍ଘ ଦିନ ହେବ ପାଠ ପଢାରେ ବାଧା ଉପୁଜୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବି କରାଯାଇଛି । ହେଲେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ପରୀକ୍ଷା ମୁଣ୍ଡ ଉପରେ ଥିବାବେଳେ ଏପଟେ ସ୍କୁଲରେ ଶିକ୍ଷକ ମରୁଡି ପାଇଁ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି। ବାଧ୍ୟ ହୋଇ ଛାତ୍ରଛାତ୍ରୀ ମାନେ ସ୍କୁଲ ନ ଆସି ଘରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି। ସେପଟେ ବିଦ୍ଯାଳୟରେ ଖୁବଶୀଘ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ । ବିଦ୍ଯାଳୟରେ ଆବଶ୍ଯକୀୟ ଶିକ୍ଷକ ନଥିବାରୁ ବିଦ୍ଯାଳୟକୁ ପିଲାଙ୍କୁ ଛାଡୁନାହାଁନ୍ତି ଅଭିଭାବକ । ଏନେଇ ଜିଲ୍ଲା ଶିକ୍ଷା ବିଭାଗ କି ପଦକ୍ଷେପ ନେଉଛି ତା ଉପରେ ସମସ୍ତଙ୍କ ନଜର ।

ଆଡିଲେଡ ଟେଷ୍ଟରେ ଭାରତର ବ୍ଯାଟିଂ ବିପର୍ଯ୍ୟୟ

ନନ୍ଦିଘୋଷ ବ୍ୟୁରୋ : ଆଡିଲେଡରେ ୧୮୦ ରନରେ ଅଟକିଲା ଭାରତୀୟ ଦଳ। ବର୍ଡର ଗାଭାସ୍କର ଟ୍ରଫିର ଆଡିଲେଡରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତର ବ୍ଯାଟିଂ ବିପର୍ଯ୍ୟୟ। ଟସ ଜିତି ପ୍ରଥମେ ବ୍ଯାଟିଂ କରିଥିବା ଭାରତ ୧୮୦ ରନରେ ଅଲଆଉଟ ହୋଇଛି। ଦଳ ପାଇଁ ସର୍ବାଧିକ ରନ ହାସଲ କରିଛନ୍ତି ନୀତୀଶ କୁମାର ରେଡ୍ଡି। ସେ ସର୍ବାଧିକ ୪୨ ରନ କରିଛନ୍ତି। ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଦ୍ଵିତୀୟ ସର୍ବାଧିକ ୩୭ରନ କରିଛନ୍ତି। କଂଗାରୁ ଟିମ ଆଗରେ ଧରାଶାୟୀ ହୋଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ। ଅଷ୍ଟ୍ରେଲିଆର  ବାମହାତୀ ବୋଲର ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂର ସାମନା କରିପାରିନଥିଲେ ଭାରତୀୟ ଖେଳାଳି। ମିଚେଲ ଷ୍କାର୍କଙ୍କୁ ସର୍ବାଧିକ ୬ ୱିକେଟ ମିଳିଛି। ପର୍ଥରେ ଶତକ ହାସଲ କରିଥିବା ବିରାଟ କୋହଲି ୭ ରନ କରିଥିଲେ। ଓପନର ଯଶସ୍ୱୀ ଜୈସୱାଲ ଡକଆଉଟ ହୋଇ ପ୍ଯାଭିଲିୟନ ଫେରିଥିଲେ। ଅଧିନାୟକ ରୋହିତ ଶର୍ମା ମାତ୍ର ୩ ରନରେ ଆଉଟ ହୋଇଥିଲେ। ଶୁବମନ ଗିଲ ୩୧ ରନ କରିଥିଲେ। ରିଷଭ ପନ୍ତ ୨୧ ରନ କରି ପ୍ଯାଭିଲିୟନ ଫେରିଥିଲେ। ଅଶ୍ଵୀନ ୨୨ ରନ କରିଥିଲେ।  ୫ ୱିକେଟ ହରାଇ  ୧୦୦ ରନ କରିଥିବା ଭାରତୀୟ ଦଳ ୧୮୦ ରନରେ ସମସ୍ତ ୱିକେଟ ହରାଇଥିଲା। ମିଚେଲ ଷ୍କାର୍କ ଯଶଶ୍ଵୀ ଜୟସ୍ଵାଲ, କେଏଲ ରାହୁଲ, ବିରାଟ କୋହଲି, ନୀତୀଶ ରେଡ୍ଡି, ରବିଚନ୍ଦ୍ରନ ଅଶ୍ୱୀନ ଓ ହର୍ଷିତ ରାଣାଙ୍କୁ ଆଉଟ କରିଥିଲେ।ସିରିଜରେ ପ୍ରଥମ ମ୍ୟାଚ ଖେଳୁଥିବା ସ୍କଟ ବୋଲାଣ୍ଡ ଓ ଅଧିନାୟକ ପାଟ କମିନ୍ସ ମଧ୍ୟ ୨ଟି ଲେଖାଏ ୱିକେଟ ନେଇଥିଲେ  । ଏବେ ପ୍ରଥମ ଇନିଂସ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ ଟିମ୍