ନନ୍ଦିଘୋଷ ବ୍ୟୁରୋ: ୨୦୨୫ ଆଇପିଏଲ ସିଜିନରେ ଖେଳାଳିଙ୍କ ଦମା ବଢ଼ିବ । ଗୁରୁବାର ଦଳମାନେ ନିଜର କିଛି ଖେଳାଳିଙ୍କୁ ରଖି ବାକି ଖେଳାଳିଙ୍କୁ ଛାଡ଼ି ଦେଇଛନ୍ତି । ତେବେ ଅକ୍ସନରେ ଏଥର ବହୁ ଖେଳାଳିମାନେ ବଡ଼ ଦାମରେ କିଣାହେବେ । କାରଣ ପୂର୍ବରୁ ଅଧିନାୟକ ଭାବେ ଅଭିଜ୍ଞତା ରଖିଥିବା ଖେଳାଳିଙ୍କୁ ମଧ୍ୟ ଫ୍ରାଞ୍ଚାଇଜମାନେ ଫ୍ରି କରି ଦେଇଛନ୍ତି । ଏହି ଖେଳାଳିଙ୍କ ମଧ୍ୟରେ ରହିଛନ୍ତି କେ.ଏଲ ରାହୁଲ, ଋଷଭ ପନ୍ଥ ଏବଂ ଇଶାନ କିଶାନ । ତେବେ ଏହି ତିନି ଖେଳାଳି ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ସାଙ୍ଗକୁ ବଡ଼ ସଟ ଖେଳିବାର ଅଭିଜ୍ଞତା ରହିଛି । ପନ୍ଥ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କେ.ଏଲ ରାହୁଲ ଲକ୍ଷ୍ନୌ ଏବଂ ପଞ୍ଜାବ କିଙ୍ଗ୍ସରେ ଅଧିନାୟକ ପଦ ସମ୍ଭାଳିଛନ୍ତି । ଏଣୁ ଏହି ଖେଳାଳିଙ୍କୁ କିଣିବା ପାଇଁ ଦଳମାନଙ୍କ ମଧ୍ୟରେ ଟଙ୍କା ବର୍ଷା ହେବ । ସବୁଠାରୁ ଅଧିକ ଟଙ୍କା ରହିଛି ପଞ୍ଜାବ କିଙ୍ଗ୍ସ ପାଖରେ । ପଞ୍ଜାବ କେବଳ ୨ ଜଣ ଖେଳାଳିଙ୍କୁ ରଖି ବାକି ଖେଳାଳିଙ୍କୁ ରିଲିଜ କରି ଦେଇଛି । ତେବେ ଇଶାନ, ପନ୍ତ ଏବଂ ରାହୁଲ କେଉଁ ଦଳରେ ସାମିଲ ହେଉଛନ୍ତି ତାହା ଉପରେ ରହିଛି ପ୍ରଂଶସକଙ୍କ ନଜର ।
ସରପଞ୍ଚଙ୍କ ସ୍ବାମୀ ନାଁରେ ସାଙ୍ଘାତିକ ଅଭିଯୋଗ, ପ୍ରଧାନମନ୍ତ୍ରୀ ଆବାସ ଦେବାକୁ କହି ବୃଦ୍ଧଙ୍କଠାରୁ ନେଉଥିଲେ ଲାଞ୍ଚ
ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଦେବାକୁ କହି ବୃଦ୍ଧଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । କଲ୍ୟାଣପୁର ସରପଞ୍ଚଙ୍କ ସ୍ଵାମୀଙ୍କ ନାଁରେ ଆସିଛି ଏହି ସାଙ୍ଘାତିକ ଅଭିଯୋଗ | ପଇସା ନଫେରାଇବାରୁ ଥାନାରେ ଏତଲା ଦେଇଛନ୍ତି ସମ୍ପୃକ୍ତ ବୃଦ୍ଧ । ଅଭିଯୋଗ ଅନୁଯାୟୀ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ପଞ୍ଚାୟତର ସରପଞ୍ଚ ସୁଶ୍ରୀ ସଂଗୀତା ନାୟକଙ୍କ ସ୍ଵାମୀ ସ୍ମୃତି ରଞ୍ଜନ ନାୟକ ରୁଦ୍ରପୁର ଗାଁର ଚକ୍ରଧର ପତିଙ୍କ ଠାରୁ ବର୍ଷେ ପୂର୍ବେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଇଦେବାକୁ କହି ଦଶ ହଜାର ଟଙ୍କା ଲାଞ୍ଚ ନେଇଥିଲେ। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଘର ନଦେବାରୁ ସେ ଫୋନରେ ପଇସା ଫେରସ୍ତ ମାଗିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ନମିଳିବାରୁ ସେ ତାଙ୍କ ପଇସା ଫେରସ୍ତ ମାଗିଥିଲେ | କିନ୍ତୁ ସରପଞ୍ଚଙ୍କ ସ୍ଵାମୀ ତାଙ୍କୁ ଟଙ୍କା ଫେରାଇବା ପରିବର୍ତ୍ତେ ତାଙ୍କୁ ଦୂରବ୍ୟବହାର କରିଥିଲେ। ଯାହାକୁ ନେଇ ତାଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ସମ୍ପୃକ୍ତ ବ୍ୟକ୍ତି | ଅନ୍ୟପଟେ ପଞ୍ଚାୟତର ପ୍ରାୟ ସମସ୍ତ କାର୍ଯ୍ୟ ସରପଞ୍ଚ ନକରି ତାଙ୍କ ସ୍ଵାମୀ କରୁଥିବା ମଧ୍ୟ୍ୟ ଅଭିଯୋଗ ହୋଇଛି | ତେଣୁ ଶୀଘ୍ର ଘଟଣାର ଉଚିତ ତଦନ୍ତ କରିବାକୁ ଦାବି ହୋଇଛି ।
ଭୁବନେଶ୍ୱରରେ ବିଗିଡ଼ିଲା ବାୟୁମଣ୍ଡଳ ସ୍ଥିତି
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱରରେ ବିଗିଡ଼ିଲା ବାୟୁମଣ୍ଡଳ ସ୍ଥିତି। ଆଜି ସକାଳେ 181 AQI ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ପ୍ରଦୂଷଣ ନିୟନ୍ତ୍ରଣର ଦୁଇଟି ଷ୍ଟେସନ ରହିଛି। ଲିଙ୍ଗରାଜ ଷ୍ଟେସନ ଅଧୀନରେ ଆସୁଥିବା ଅଞ୍ଚଳରେ ସ୍ଥିତି ଉଦବେଗଜନକ ରହିଛି। ଏଠାରେ 228 AQI ରେକର୍ଡ କରାଯାଇଛି। ସେହିପରି ପଟିଆ ଷ୍ଟେସନ ଅଧୀନସ୍ଥ ଅଞ୍ଚଳରୁ 134 AQI ରେକର୍ଡ ହୋଇଛି। ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ‘ଭଲ’ ବୋଲି ବିବେଚନା କରାଯାଉଥିବା ବେଳେ ୫୧ରୁ ୧୦୦ ମଧ୍ୟରେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ମଧ୍ୟରେ ‘ମଧ୍ୟମ’, ୨୦୧ରୁ ୩୦୦ ମଧ୍ୟରେ ରହିଲେ ‘ଖରାପ’, ୩୦୧ରୁ ୪୦୦ ମଧ୍ୟରେ ‘ଅତ୍ୟନ୍ତ ଖରାପ’ ଓ ୪୦୧ରୁ ୫୦୦ ମଧ୍ୟରେ ରହିଲେ ‘ଗୁରୁତର’ ବୋଲି ବିବେଚନା କରାଯାଏ। ସେପଟେ ତାଳେଚର 233 AQI, ବାଲେଶ୍ୱର 117 AQI, ରାଉରକେଲା 190 AQI ଓ ଅନୁଗୁଳ 171 AQI ରହିଛି। ଗତକାଲି ସୁଦ୍ଧା କଟକର ସ୍ଥିତି ଭଲ ଥିଲା। ହେଲେ ଆଜି ସକାଳେ ଏହା 126 AQI ହେବାରୁ ଚିନ୍ତା ବଢୁଛି। ଗତକାଲି ବାଣ ଫୁଟିବାରୁ ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରା ବଢିଥିବା ଅନୁମାନ କରାଯାଉଛି। ଯେଉଁଥିପାଇଁ ଭୁବନେଶ୍ୱର ଏକ ଧଳା ଚାଦର ପରି ଦୃଶ୍ୟମାନ ହେଉଛି।
ପୁରୀରେ ପ୍ରଥମ କୁହୁଡିର ଅନୁଭବ, କୁହୁଡିର ଚାଦରରେ ଢାଙ୍କି ହୋଇଗଲେ ଶ୍ରୀମନ୍ଦିର ନୀଳଚକ୍ର
ନନ୍ଦିଘୋଷ ବ୍ୟୁରୋ: କୁହୁଡିର ଚାଦରରେ ଢାଙ୍କି ହୋଇଗଲେ ଶ୍ରୀମନ୍ଦିର ନୀଳଚକ୍ର। ପୁରୀରେ ପ୍ରଥମ କୁହୁଡିର ଅନୁଭବ। ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବାକୁ ହଜାରହଜାର ହବିଷ୍ୟାଳିଙ୍କ ସକାଳୁ ସକାଳୁ ଭିଡ ପରିଲକ୍ଷିତ ହେଉଛି । ଏହାରି ଭିତରେ ଆଜି ପୁରୀରେ ପ୍ରଥମ କୁହୁଡିର ଅନୁଭବ ହୋଇଛି । କୁହୁଡିର ପ୍ରଥମ ସ୍ପର୍ଶରେ ଶ୍ରୀମନ୍ଦିର ନୀଳଚକ୍ର ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉନାହାନ୍ତି । କୁହୁଡିର ଚାଦରରେ ଘୋଡେଇ ହୋଇଛି ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଆଉ ଶ୍ରୀମନ୍ଦିର ନୀଳଚକ୍ର। ଆଜିଠାରୁ ମଧ୍ୟ ଶୀତର ପ୍ରଥମ ଅନୁଭୂତି ପୁରୀରେ ଦେଖିବାକୁ ମିଳିଛି।
କୀର୍ତ୍ତନ ସାରି ଫେରୁଥିବାବେଳେ ଦୁର୍ଘଟଣା, ୭ ମୃତ
ନନ୍ଦିଘୋଷ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ । କୀର୍ତ୍ତନ ସାରି ଫେରୁଥିବାବେଳେ ଘଟିଛି ଦୁର୍ଘଟଣା । ଟ୍ରଲର ପଛରେ ଟାଟା ମ୍ୟାଜିକ୍ ମାଡ଼ ହେବା ଫଳରେ ୭ ଜଣଙ୍କ ଜୀବନ ଚାଲି ଯାଇଛି । ଏବେ ୪ ଜଣ ଗୁରୁତର ଆହତ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗଏକନପାଲି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ସୂଚନା ମୁତାବକ, ଗଏକନପାଲି ଗାଁ ନିକଟରେ ରହିଛି ଚକାପାଲି ଗାଁରେ । ଏଠାରେ ଜଣଙ୍କ ଘରେ ସଙ୍କୀର୍ତ୍ତନ କରିବାକୁ ଯାଇଥିଲେ ଦଳ । ହେଲେ ଫେରିବାବେଳକୁ ପାଖାପାଖି ରାତି ସାଢେ ୨ଟା ସମୟରେ ଗଏକନପାଲି ରାସ୍ତା କଡରେ ଏକ କୋଇଲା ବୋଝଇ ଟ୍ରଲର ଛିଡା ହୋଇଥିଲା । ଭାରସାମ୍ୟ ହରାଇ ଟ୍ରଲର ପଛପଟେ ପିଟିହୋଇଥିଲା ଟାଟା ମ୍ୟାଜିକ୍ । ଫଳରେ ଘଟଣାସ୍ଥଳରେ ୬ ଜଚ୍ଚଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ତେବେ ହସ୍ପିଟାଲରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ କନ୍ଦଗୋଡା ଗାଁ ଓ ସମରପିଣ୍ଡା ଗାଁର ବୋଲି ଜଣାପଡିଛି ।
ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ଯୁ
ନନ୍ଦିଘୋଷ ବ୍ୟୁରୋ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ଯୁ। ଢେ଼ଙ୍କାନାଳ ସଦର ରେଞ୍ଜ ଚିନ୍ତା ପୋଖରୀ ନିକଟ ରେଳ ଧାରଣରେ ଦନ୍ତାକୁ ଧକ୍କା ଦେଲା କୋଇଲା ଟ୍ରେନ। ୪୯ ଟିକିଆ ହାତୀପଲ ପାର ହେଉଥିବା ବେଳେ କୋଇଲା ଟ୍ରେନ ଦନ୍ତାକୁ ଧକା ଦେଇଥିଲା।ବନ ବିଭାଗ ତରଫରୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ମଧ୍ୟରେ ସତର୍କତା ପ୍ରଦାନ କରାଯାଇଥାଏ। ହେଲେ ଟ୍ରେନ ଚାଳକ ସତର୍କ ସୂଚନାକୁ ମାନି ନଥିବା ଜଣାପଡିଛି।ତେଣୁ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଢେ଼ଙ୍କାନାଳ ଡିଏଫଓଙ୍କ ସହ ଅନ୍ୟ ବନ କର୍ମଚାରୀ ପହଞ୍ଚିଛନ୍ତି। ମୋଟଙ୍ଗା ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।
ଦୁଇଦିନ ଫୁଟିଲା ବାଣ, ଧୂଆଁ ଧୂଆଁ ରାଜଧାନୀ
ନନ୍ଦିଘୋଷ ବ୍ୟୁରୋ: ଧୂଆଁଧୂଆଁ ଭୁବନେଶ୍ବର । ଦୀପାବଳିରେ ବେପରୁଆ ଫୁଟିଲା ବାଣ, ଅଣାୟତ ହେଲା ରାଜଧାନୀର ପ୍ରଦୂଷଣ । ବାଣ ଧୂଆଁରେ ଅଣନିଃଶ୍ବାସୀ ରାଜଧାନୀ ବାସିନ୍ଦା । ଏଥର ଦୁଇଦିନ ଦୀପାବଳି ପାଳନ ହୋଇଥିବାବେଳେ ଭୁବନେଶ୍ବରରେ ଲଗାତାର ଦୁଇଦିନ ଲୋକେ ମାତ୍ରାଧିକ ବାଣ ଫୁଟାଇଛନ୍ତି । ଅତ୍ଯଧିକ ବାଣ ଫୁଟା ଯୋଗୁ ଭୁବନେଶ୍ବରରେ ଏୟାର କ୍ବାଲିଟି ଖରାପ ହୋଇଛି । ଗତକାଲି ସନ୍ଧ୍ୟାରୁ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା । ୧୦ ମିଟର ଆଗକୁ ଦେଖିବା ବି ସହଜ ହେଉନଥିଲା । ଦୀପାବଳି ବାଣଫୁଟା ଯୋଗୁ ଗତକାଲି ଭୁବନେଶ୍ବରର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୧୪୨ ଛୁଇଁଛି । ଏହି ସମୟରେ ତାଳଚେରର ହାରାହାରି ପ୍ରଦୂଷଣ ମାତ୍ରା ୨୩୫ ଥିବାବେଳେ ବାଲେଶ୍ୱରର ଏକ୍ଯୁଆଇ ୧୧୧, ରାଉରକେଲାରେ ୧୭୦ ଓ କଟକର ଏକ୍ଯୁଆଇ ୧୧୦ ରହିଛି । ଗୋଟିଏ ସମୟରେ ମାତ୍ରାଧିକ ବାଣ ଫୁଟା ଯୋଗୁ ପ୍ରଦୂଷଣ ମାତ୍ରା ବଢିଯାଇଛି । ବାଣରୁ ନିର୍ଗତ ଧୂଆଁ ଓ ଶିଳ୍ପ ବର୍ଯ୍ୟବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି । ଯେଉଁଥିରେ ଅଙ୍ଗାରକାମ୍ଳ, ଗନ୍ଧକ, ଯବକ୍ଷାରଜାନ ଓ ମିଥେନ ପରି ବିଷାକ୍ତ ଗ୍ୟାସ୍ ରହିଛି । ଯାହା ସବୁଜ ଗୃହ ବାଷ୍ପକୁ ପ୍ରୋତ୍ସାହିତ କରିଚାଲିଛି । ଏଥିରେ ବାଣ ଫୁଟା ପରେ ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପ ଆହୁରି ବଢିଯାଏ । ଏଭଳି ବାୟୁ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ ।
ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ, ଦ୍ବିତୀୟ ଦିନରେ ପାଳି ସମ୍ଭାଳିବେ ପନ୍ତ-ଗିଲ୍
ନନ୍ଦିଘୋଷ ବ୍ୟୁରୋ: ପୁଣି ଫେଲ୍ ହେଲେ ରୋହିତ-ବିରାଟ । ଭାରତ-ନ୍ଯୁଜିଲାଣ୍ଡ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଉଭୟ ବିଫଳ ହୋଇଛନ୍ତି । କ୍ଯାପଟେନ ରୋହିତ ଶର୍ମା ୧୮ ରନ କରି ପାଭିଲିଅନ ଫେରିଥିବାବେଳେ ବିରାଟ ମାତ୍ର ୪ ରନ କରିବାକୁ ସକ୍ଷମ ହୋଇଛନ୍ତି । ଗତକାଲି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ ହରାଇ ୮୬ ରନ କରିଛି । ଆଜି ଦ୍ବିତୀୟ ଦିନରେ ଶୁଭମନ ଗିଲ ଓ ପନ୍ତ ବ୍ଯାଟିଂ କରିବେ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଗତକାଲି ପ୍ରଥମ ଦିନରେ ମୋଟ ୧୪ଟି ୱିକେଟ ଖସିଥିଲା । ନ୍ୟୁଜିଲାଣ୍ଡକୁ ୨୩୫ ରନରେ ଅଲଆଉଟ କରିଥିଲା ଭାରତ । ଡାରିଲ ମିଚେଲ ସର୍ବାଧିକ ୮୨ ରନ୍ କରିଥିବାବେଳେ ୱିଲ ୟଙ୍ଗ ୭୧ ରନ କରିଥିଲେ । ରବିନ୍ଦ୍ର ଜାଡେଜା ୫ ୱିକେଟ୍ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର ୪ ୱିକେଟ୍ ନେଇଥିଲେ । ଏହା ସହିତ ଆକାଶଦୀପ ଗୋଟିଏ ୱିକେଟ ନେଇଥିଲେ । ପ୍ରଥମ ଇନିଂସରେ ଭାରତୀୟ ଦଳକୁ ପ୍ରଥମ ଝଟକା ସପ୍ତମ ଓଭରରେ ଲାଗିଥିଲା । ଏହାପରେ ନିମିତ ଭାବେ ୱିକେଟ ପଡ଼ିବା ସହ ଭାରତ ଦ୍ବିତୀୟ ଦିନ ଶେଷସୁଦ୍ଧା ୮୬ ରନ କରିଥିଲା ।
ସ୍ତ୍ରୀକୁ ହତ୍ୟା କରିବା ପରେ ଦଉଡ଼ି ଲଗାଇ ସ୍ବାମୀଙ୍କ ଆତ୍ମହତ୍ୟା
ଭଟଲି: ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କୁସନପୁରୀ ବିଜୟା ଛକ ନିକଟରେ ଅଭାବନୀୟ ଘଟଣା । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବେକରେ ଦଉଡ଼ଇ ଲଗାଇ ସ୍ବାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତକ ହେଲେ କିଶୋର ଭୋଇ ଏବଂ ତାଙ୍କ ପତ୍ନୀ ସୁନୀତା ।
ଖବର ପାଇ ଭଟଲି ଥାନା ଅଧିକାରୀ ବିଭୂତି ଭୂଷଣ ଦଳେଇ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛି । କିଶୋର ସୁନୀତାଙ୍କୁ ଛୁରୀ ଭୁସି ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଏନେଇ ଭଟଲି ଥାନାରେ ଏକ ମାମଲା ରୁଜୁ କରାଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ବାଣ ନିଆଁରେ ପୋଡ଼ି ହୋଇ ୩ ଶିଶୁ ମୃତ
କୋଲକାତା: ପଶ୍ଚିମବଙ୍ଗର ହାୱାଡା ଅନ୍ତର୍ଗତ ଉଲୁବେଡି଼ଆରେ ଅଘଟଣ । ବାଣ ନିଆଁରେ ଚାଲିଗଲା ୩ ଶିଶୁଙ୍କ ଜୀବନ । ଉଲୁବେଡ଼ିଆ ପୌର ପରିଷଦ ଅନ୍ତର୍ଗତ ୨୯ ନମ୍ୱର ୱାର୍ଡସ୍ଥିତ ରାଣୀତାଲାରେ ବାଣ ଫୁଟାଇବା ବେଳେ ଏକ ଘରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ସେହି ଘରେ ଥିବା ୩ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।
ଖବର ପାଇ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ମୃତକମାନେ ହେଲେ ୧୧ ବର୍ଷ ବୟସ୍କ ଶ୍ରାବନ୍ତିକା ମିସ୍ତ୍ରୀ, ୨ ବର୍ଷର ଇଶାନ ଧାରା ଓ ମମତାଜ ଖାତୁନ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

