spot_img
Home Blog Page 1408

ଆଜି ପୁଣି ଗୃହ ହେବ ସରଗରମ

ଭୁବନେଶ୍ୱର: ଆଜି ପୁଣି ସରଗରମ ହେବ ଗୃହ। ଆଜି ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ୍ ପାରିତ ହେବ । ଜଳସମ୍ପଦ , ରାଜସ୍ବ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଖଣି, ଯୋଜନା ସଂଯୋଜନା, ବାଣିଜ୍ୟ, ସୂଚନା ଲୋକ ସମ୍ପର୍କ, ପରିବହନ ବିଭାଗର ପ୍ରଶ୍ନକାଳ ରହିଛି ।

ଶୂନ୍ୟ କାଳରେ ପୋଲାଭରମ, ମହାନଦୀ, ଆଇନ ଶୃଙ୍ଖଳା, ସ୍ବତନ୍ତ୍ର ରାଜ୍ୟ ପାହା, ଦରଦାମ ଭଳି ପ୍ରସଙ୍ଗକୁ ବିରୋଧୀ ଉଠାଇ ପାରନ୍ତି । ସେହିପରି ଶାସକ ଦଳ ମଧ୍ୟ ଏହାକୁ କାଉଣ୍ଟର କରିବା ପାଇଁ କିଛି ପ୍ରସଙ୍ଗ ଉଠାଇପାରେ । ମୋଟାମୋଟି ଭାବରେ ଆଜି ଗୃହ ବେଶ ସରଗରମ ରହିବ ।

ଇତିହାସ ରଚିବ ଇସ୍ରୋ: ଆଜି ଲଞ୍ଚ ହେବ ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ

ନନ୍ଦିଘୋଷ ବ୍ୟୁରୋ: ପୁଣି ଇତିହାସ ରଚିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ। ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଜି ଲଞ୍ଚ ହେବ ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ । ଆଜି ଅପରାହ୍ନ ୪ଟା ୧୨ରେ ଉତକ୍ଷେପଣ ହେବ ପ୍ରୋବା-୩ ସ୍ପେସକ୍ରାଫ୍ଟ ପିଏସଏଲଭି-ସି୫୯।

ପ୍ରଥମେ ଏନଏସଆଇଏଲ ଦ୍ବାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପକୁ ପରବର୍ତ୍ତୀ ପର୍ଯ୍ୟାୟରେ ସହାୟତା କରିଥିଲା ଇସ୍ରୋ। ପ୍ରୋବା-୩ ସାଟେଲାଇଟ ଏଲିପ୍ଟିକାଲ ଅରବିଟରେ ପ୍ରଦିକ୍ଷଣ କରିବ। ଭାରତର ପିଏସଏଲଭି ଦ୍ବାରା ପ୍ରେରିତ ହେବାକୁ ଥିବା ଏହି ସାଟେଲାଇଟ ସୂର୍ଯ୍ୟର ବାହ୍ଯ ଆସ୍ତରଣ ସମ୍ପର୍କରେ ଗବେଷଣ କରିବ। କକ୍ଷ ପଥରେ ସାଟେଲାଇଟକୁ ଅବସ୍ଥାପିତ କରିବା ପରେ ଅଲଗା ହୋଇଯିବ ପିଏସଏଲଭି। ଆଦିତ୍ଯ ଏଲ-୧ ମିଶନ ପରି ଏହି ସାଟେଲାଇଟ ସୋଲାର କରୋନା ସମ୍ପର୍କରେ ଗବେଷଣା କରିବ। ପ୍ରୋବା- ମିଶନରେ ଉପଗ୍ରହ ପ୍ରେରଣ କରାଯିବ ଏବଂ ଏଥିରେ ରହିବ କରୋନାଗ୍ରାଫ ଓ ଗୋଟିଏ ଅକ୍ଯୁଲେଟର।

 

ଆଜିଠୁ ମହାରାଷ୍ଟ୍ରରେ ବିଜେପି ସରକାର

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ମହାରାଷ୍ଟ୍ରରେ ବିଜେପି ସରକାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନବିସ। ଉପମୁଖ୍ଯମନ୍ତ୍ରୀ ହେବେ ଶିବସେନା ନେତା ଏକନାଥ ସିନ୍ଦେ। ରାଜ୍ଯପାଳଙ୍କୁ ଭେଟି ସରକାର ଗଠନ ଲାଗି ଗତକାଲି ଦାବି କରିଥିଲେ ଦେବେନ୍ଦ୍ର। ସାକ୍ଷାତକାର ବେଳେ ତାଙ୍କ ସହ ଉପସ୍ଥିତ ଥିଲେ ଶିବସେନା ନେତା ଏକନାଥ ସିନ୍ଦେ ଓ ଅଜିତ ପାୱାର।

ବୁଧବାର ମୁମ୍ବାଇରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଫଡନବିସଙ୍କୁ ମୁଖ୍ଯମନ୍ତ୍ରୀ କରାଯିବା ନେଇ ହୋଇଥିଲା ନିଷ୍ପତ୍ତି। ବିଜେପି ବିଧାୟକ ଦଳ ବୈଠକରେ ଫଡନବିସଙ୍କ ନାମ ପ୍ରସ୍ତାବ ଦେଇଥିଲେ ଚନ୍ଦ୍ରକାନ୍ତ ପାଟିଲ। ଏହି ପ୍ରସ୍ତାବକୁ ପଙ୍କଜା ମୁଣ୍ଡେ, ପ୍ରବୀଣ ଡେରକର ଓ ଅଶୋକ ରାଓ ସମର୍ଥନ କରିଥିଲେ। ପରେ ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଆଜି ମୁମ୍ବାଇରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଫଡନବିସ ଶପଥ ନେବେ। ଫଳରେ ଗତ ୨୩ ତାରିଖରୁ ଚାଲିଆସିଥିବା ଚର୍ଚ୍ଚାର ଅବସାନ ଘଟିଛି।

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ

ନନ୍ଦିଘୋଷ ବ୍ୟୁରୋ: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ । ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ ମାଆଙ୍କ ନିକଟରୁ ଆଜ୍ଞାମାଳ ନେଇଥିଲେ । ଧନୁଯାତ୍ରା କମିଟି ଦ୍ୱାରା ପୂଜା ଅର୍ଚ୍ଚନା ପରେ ବିରାଟ ଶୋଭାଯାତ୍ରାରେ ବାହାରି ହାଟପଦା ସ୍ଥିତ ସଂଚାର ମଣ୍ଡପ ଠାରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଚଳିତବର୍ଷ ଧନୁଯାତ୍ରା ଆସନ୍ତା ଜାନୁଆରୀ ୩ ତାରିଖରୁ ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

 

 

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ମଡେଲ ପୁଣି ଚର୍ଚ୍ଚାରେ…

ନନ୍ଦିଘୋଷ ବ୍ୟୁରୋ: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ମଡେଲ ପୁଣି ଚର୍ଚ୍ଚାରେ । ବିଧାନସଭାରେ ରାଜ୍ୟସ୍ବ ବିପର୍ଯ୍ୟୟ ପରିଚାଳନା ଖର୍ଚ୍ଚ ଦାବି ଆଲୋଚନାରେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ସ୍ବତନ୍ତ୍ର ନାଁ ରହିଛି । ପୂର୍ବ ସରକାର ଅନେକ ଭଲ କାମ କରିଛନ୍ତି । ଆମେ ତାକୁ ଗ୍ରହଣ କରୁଛୁ । ଏବେକାର ସରକାର ଏହାକୁ ଆଗେଇ ନେଉଛନ୍ତି । ବାତ୍ୟା ଦାନାକୁ ଆମେ ଦାନା ବାନ୍ଧିବାକୁ ଦେଲୁନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ୨୪ ବର୍ଷ ଶାସନରେ ପ୍ରାକୃତିକ ବିପର୍ଯ୍ୟୟ ମୁକିବିଲା ପାଇଁ ଓଡ଼ିଶା ପୂରା ବିଶ୍ବ ପାଇଁ ରୋଲ ମଡେଲ ସାଜିଥିଲା । ବିପର୍ଯ୍ୟୟ ସମୟରେ ଜିରୋ କାଜ୍ବାଲିଟି ମିଶନକୁ ୟୁଏନ ସହ ଜାତୀୟ ସ୍ତରରେ ସାବାସି ମିଳିଛି । କେନ୍ଦ୍ର ସରକାର ମଧ୍ୟ ଓଡ଼ିଶାକୁ ବାରମ୍ବାର ପ୍ରଶଂସା କରିଛନ୍ତି । ପୂରା ବିଶ୍ବକୁ ଓଡ଼ିଶା ବିପର୍ଯ୍ୟୟ ମୁକାବିଲାର ମନ୍ତ୍ର ଶିଖାଇଛି । ତେଣୁ ରାଜସ୍ବମନ୍ତ୍ରୀ ନୁହେଁ ଓଡ଼ିଶାର ଆଗୁଆ ମୁକାବିଲାକୁ  ସବୁ ସ୍ତରରେ ପ୍ରଶଂସା କରାଯାଇଛି ବୋଲି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି । କଂଗ୍ରେସ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି । ଜାତିସଂଘ ଠାରୁ ଆରମ୍ଭ କରି ଓଡ଼ିଶା ବିଧାନସଭାରେ ନୀବନଙ୍କ ବିପର୍ଯ୍ୟୟ ମୁକାବିଲା  ସବୁ ବେଳେ ଚର୍ଚ୍ଚାରେ ରହିଛି ।

 

ଦୁଇ ଦିନ ହେଲା ଦିଲ୍ଲୀରେ ଲଢୁଛି ବିଜେଡି, ପୋଲାଭରମ ପ୍ରକଳ୍ପକୁ ନେଇ ଜୋରଦାର କରିଛି ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ: ପୋଲାଭରମ ପ୍ରକଳ୍ପକୁ ନେଇ କେନ୍ଦ୍ରରେ ଦୃଢ ପ୍ରତିବାଦ ଆରମ୍ଭ କରିଛି ବିଜେଡି । ଗତକାଲି ବିଜେଡିର ଏକ ପ୍ରତିନିଧି ଦଳ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟି ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ କରିବାକୁ ଦାବି କରିଥିଲେ । ଆଜି ବିଜେଡି ଟିମ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆୟାର ଓ କେନ୍ଦ୍ର ଜଙ୍ଗଲ ପରିବେଶ ସଚିବ ଲୀନା ନନ୍ଦନଙ୍କୁ ଭେଟି ଓଡିଶାର ସ୍ବାର୍ଥ ରକ୍ଷାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ଏହି ପ୍ରକଳ୍ପକୁ ନେଇ ଦୀର୍ଘଦିନରୁ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ନିକଟରେ କେନ୍ଦ୍ର ସରକାର ୧୫ହଜାର କୋଟି ଟଙ୍କା ମଂଜୁର କରିବା ପରେ ଏହି ପ୍ରକଳ୍ପ ପାଇଁ ଓଡିଶା ପ୍ରତି ସୃଷ୍ଟି ହେଉଥିବା ବିବାଦ ଘନେଇଛି । ଗୋଦାବରୀ ଜଳ ବିବାଦ ଟ୍ରିବ୍ଯୁନାଲର ରାୟ ଆଧାରରେ ଓଡିଶା-ଆନ୍ଧ୍ର-ମଧ୍ୟପ୍ରଦେଶ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ଆଧାରରେ ପୋଲାଭରମ ପ୍ରକଳ୍ପ ଆରମ୍ଭ ହୋଇଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ ଆନ୍ଧ୍ର ସରକାର ମୂଳ ଡିଜାଇନକୁ ବଦଳାଇ ବନ୍ୟା ଜଳ ନିଷ୍କାସନ କ୍ଷମତା ୩୬ ଲକ୍ଷ କ୍ୟୁସେକରୁ ୫୦ ଲକ୍ଷ କ୍ୟୁସେକକୁ ବୃଦ୍ଧି କରିଛନ୍ତି । ଜଳ ନିଷ୍କାସନ କ୍ଷମତା ବୃଦ୍ଧି କରିବା ସହ ଏହାର ବ୍ୟାକ ୱାଟର ପ୍ରଭାବକୁ ନେଇ ଓଡିଶା କିମ୍ବା ଛତିଶଗଡ ସହ କୌଣସି ଆଲୋଚନା ହୋଇନାହିଁ । ମାଲକାନଗିରି ଜିଲ୍ଲାର ଶହ ଶହ ଏକର ଜମି ଜଳମଗ୍ନ ହେବା ସହ ବ୍ୟାପକ ଜଙ୍ଗଲ ଧ୍ବଂସ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ୨୦୧୪ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ୭୦୦ କୋଟି ଖର୍ଚ୍ଚରେ ସେଠାରେ ଆଡ଼ିବନ୍ଧ ନିର୍ମାଣ ସହ ଆଦିବାସୀଙ୍କୁ କ୍ଷତିପୂରଣ ଦିଆଯାଉ। କିନ୍ତୁ ଏନେଇ କେନ୍ଦ୍ର ବା ଆନ୍ଧ୍ରପ୍ରଦେଶ ସରକାର କୌଣସି କାମ ଆରମ୍ଭ ନକରି ପ୍ରକଳ୍ପ କାମକୁ ତ୍ବରାନ୍ବିତ କରି ଚାଲିଛନ୍ତି । ତେଣୁ ରାଜ୍ୟର ସ୍ବାର୍ଥ ପାଇଁ ଉଭୟ ଏସଟି କମିଶନ ଓ ବିଭାଗୀୟ ସଚିବ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛି ବିଜେଡି ।

ରାଜ୍ୟସଭାରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବା ପାଇଁ ପୁଣି ଦାବି ଉଠାଇଲା ବିଜେଡି। ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଏନେଇ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ କେନ୍ଦ୍ର ସରକାରଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଦୁଇ ଦଶନ୍ଧୀରୁ ଅଧିକ ଦିନ ହେଲା ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବା ପାଇଁ ବିଜେଡି ଦାବି କରି ଆସୁଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବାରମ୍ବାର ଦାବି କରିଆସିଛନ୍ତି। ବର୍ତ୍ତମାନର ବିଜେପି ସରକାର ୨୦୧୪ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଏହାକୁ ସ୍ଥାନ ଦେଇଥିଲା। ୧୯୯୯ ମହାବାତ୍ୟା ପରେ ଫାଇଲିନ୍, ହୁଡହୁଡ ଓ ତିତଲି ପରି ବହୁ ବାତ୍ୟାର ସମ୍ମୁଖୀନ କରିଛି ଓଡ଼ିଶା। ଯାହାଦ୍ବାରା ଓଡ଼ିଶାର ପ୍ରଭୃତ କ୍ଷତି ହୋଇଛି। ବନ୍ୟା ଓ ନିଅଣ୍ଟିଆ ବର୍ଷା ଯୋଗୁ ମଧ୍ୟ ଓଡ଼ିଶାର ଫସଲ ହାନୀ ହେଉଛି। ଯାହାକି ରାଜ୍ୟବାସୀଙ୍କ ଜୀବନ ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ପ୍ରତିବର୍ଷ ବନ୍ୟା ଓ ବାତ୍ୟାରେ ସଡ଼କ, ସେତୁ ଆଦି ନଷ୍ଟ ହୋଇଯିବାରୁ ଓଡ଼ିଶା କ୍ଷତି ସହୁଛି। ଏସବୁ ଦୃଷ୍ଟିରୁ ବିଚାର କଲେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପାଇଁ ହକ୍ ରଖୁଛି। ବିପର୍ଯ୍ୟୟ ମୁକାବିଲାରେ ଏସଡିଆରଏଫ ଓ ଏନଡିଆରଏଫ ପାଣ୍ଠି ନିଅଣ୍ଟ ହେଉଛି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ସାଙ୍ଗକୁ ୯୦:୧୦ ଅନୁପାତରେ ଅନୁଦାନ ମିଳିଲେ ରାଜ୍ୟର ବିକାଶ ହୋଇପାରିବ ବୋଲି ରାଜ୍ୟସଭାରେ କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କର ଏହା ଦୀର୍ଘଦିନର ନାଯ୍ୟ ଦାବି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଓଡ଼ିଶାକୁ ହକ ଦେବାକୁ ଦାବି କରିଛନ୍ତି ସସ୍ମିତ ପାତ୍ର।

ଆଳୁ ଦୋଷ ପରେ ରାଜ୍ୟ ସରକାରଙ୍କୁ ଘାରିଛି ପିଆଜ ଦୋଷ

ନନ୍ଦିଘୋଷ ବ୍ୟୁରୋ: ଆଳୁ ଦୋଷ ପରେ ରାଜ୍ୟ ସରକାରଙ୍କୁ ଘାରିଛି ପିଆଜ ଦୋଷ। ଦୁଇ ମନ୍ତ୍ରୀ ପିଆଜ ଉତ୍ପାଦନ ଓ ଦର ନେଇ ଗୋଟେ ଦିନରେ ବିଧାନସଭାରେ ଦେଉଛନ୍ତି ଭିନ୍ନ ଭିନ୍ନ ଉତ୍ତର। କୃଷି ବିଭାଗ ଦାୟିତ୍ୱରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହୁଛନ୍ତି, ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ହେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହୁଛନ୍ତି, ପିଆଜ ପାଇଁ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଉପରେ ଓଡ଼ିଶା ନିର୍ଭରଶୀଳ। ପ୍ରଶ୍ନ ଉଠୁଛି, ଦୁଇ ମନ୍ତ୍ରୀଙ୍କ ବିବାଦୀୟ ଉତ୍ତର ଭିତରେ ପିଆଜ ଦର ଶତକ ମାରିବାକୁ ଯାଉଛି। ଦର ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳ।

କୁଆଡ଼େ ଯାଉଛି ଓଡ଼ିଶା ପିଆଜ। ରାଜ୍ୟରେ ଆବଶ୍ୟକତାଠୁ ଅଧିକ ହେଉଛି ପିଆଜ ଉତ୍ପାଦନ। ବିଧାନସଭାରେ ତଥ୍ୟ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଉତ୍ତରରେ କହିଛନ୍ତି, ୨୦୨୩-୨୪ ରେ ପିଆଜର ଆବଶ୍ୟକତା ୩ ଲକ୍ଷ ୭୫ ହଜାର ମେଟ୍ରିକ ଟନ ଥିଲା। ଆଉ ଉତ୍ପାଦନ ହୋଇଥିଲା ୪ ଲକ୍ଷ ୨୦ ହଜାର ମେଟ୍ରିକ ଟନ। ଏତେ ଉତ୍ପାଦନ ସତ୍ୱେ ରାଜ୍ୟରେ କାହିଁକି ବଢୁଛି ପିଆଜ ଦର। ବଜାରରେ ପିଆଜ କେଜି ଛୁଇଁଲାଣି ୭୦ ଟଙ୍କା। ଆଗକୁ ମଧ୍ୟ ଆହୁରି ବଢ଼ିବାର ରହିଛି ସମ୍ଭାବନା। ଅନ୍ୟ ଏକ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଉତ୍ତର ରଖି କହିଛନ୍ତି ଯେ, ମହାରାଷ୍ଟ୍ର, କର୍ଣ୍ଣାଟକରେ ପୁରୁଣା ପିଆଜ ଗଚ୍ଛିତ କମ ଅଛି। ତା ସାଙ୍ଗକୁ ନୂଆ ପିଆଜ ଅମଳ ବିଳମ୍ବ ହେବାରୁ ରାଜ୍ୟରେ ବଢ଼ିଛି ପିଆଜ ଦର।

ପ୍ରଶ୍ନ ଉଠୁଛି ଯଦି ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି, ତାହେଲେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପରେ କାହିଁକି ନିର୍ଭର କରୁଛି ଓଡ଼ିଶା ? ଗଣତନ୍ତ୍ରର ମନ୍ଦିର ବିଧାନସଭାରେ କିଏ କହୁଛନ୍ତି ସତ ? ଉପମୁଖ୍ୟମନ୍ତ୍ରୀ ନା ଯୋଗାଣ ମନ୍ତ୍ରୀ ? ନା ମୋହନ ସରକାରରେ ବିଭାଗ ଗୁଡିକ ମଧ୍ୟରେ ରହୁନି ସମନ୍ୱୟ। ଯେଉଁଥି ପାଇଁ କେହି ଜଣେ ମନ୍ତ୍ରୀଙ୍କୁ ମିଛ କହିବାକୁ ପଡୁଛି। ବଜାରରେ ସ୍ଥିତି ସାଂଘାତିକ ହେଉଥିବା ବେଳେ, ଦରଦାମ ନିୟନ୍ତ୍ରଣକୁ ଆଣି ତୁରନ୍ତ ସୁଲଭ ଦରରେ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ଦାବି କରିଛି ବିଜେଡି। ସେହିପରି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ସମାଲୋଚନା କରିଛି।

ସମନ୍ୱୟର ଅଭାବ ହିଁ ଏହି ୬ ମାସରେ ରାଜ୍ୟ ସରକାରଙ୍କ ବିଫଳତାର ବଡ଼ କାରଣ। ଏଥିରେ ଦରଦାମ ବୃଦ୍ଧି ରାଜ୍ୟ ସରକାରଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛି। ଏମିତି ସ୍ଥିତିରେ ମନ୍ତ୍ରୀଙ୍କ ତ୍ରୁଟି କିପରି ଲୁଚାଯିବ, ସେଥିପାଇଁ ବିଜେପିର ଟେନସନ ବଢ଼ି ଯାଇଛି। କଣ କହିବେ କିଛି ଜାଣି ପାରୁନଥିବା ବେଳେ, ପିଆଜ ଦର ୪୦ ଟଙ୍କା ଥିବା କହି ବାହାସ୍ଫୋଟ ମାରୁଛନ୍ତି ବିଜେପି ବିଧାୟକ। ପିଆଜ ଦର ଠାରି ଆରମ୍ଭ କରି ମାଣ୍ଡିପଙ୍କା ପ୍ରସଙ୍ଗକୁ ନେଇ ଧରାପଡ଼ିଲାଣି ରାଜ୍ୟ ସରକାରଙ୍କ ଅନେକ ମିଛ। ଉପମୁଖ୍ୟମନ୍ତ୍ରୀ ପିଆଜକୁ ନେଇ ଗୋଟେ କଥା କହୁଥିବା ବେଳେ, ଯୋଗାଣ ମନ୍ତ୍ରୀ ଆଉ ଗୋଟେ କଥା କହୁଛନ୍ତି। ଯାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ଖାଉଟି।

ଉଦଘାଟନର ୩ ମାସ ପରେ ବି କଟକ ସୁଭାଷ ବୋଷ ବ୍ଯାଖ୍ଯାନ କେନ୍ଦ୍ରରେ ଝୁଲୁଛି ତାଲା

ନନ୍ଦିଘୋଷ ବ୍ୟୁରୋ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀକୁ ନେଇ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହେଲା ବ୍ୟାଖ୍ୟାନ କେନ୍ଦ୍ର । କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ ମହାଆଡ଼ମ୍ବରରେ ଏହାକୁ ଉଦଘାଟନ କଲେ । କିନ୍ତୁ ବିଡମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ଏହା ଖୋଲି ପାରିଲା ନାହିଁ । ଯାହାକୁ ନେଇ ନେଇ ଅସନ୍ତୋଷ ବଢୁଥିବାବେଳେ ପ୍ରକଳ୍ପକୁ ପରିଚାଳନା କରିବା ଦକ୍ଷତା ସରକାରଙ୍କ ନିକଟରେ ନାହିଁ ବୋଲି ଅଭିଯୋଗ କରିଛନ୍ତି କଟକବାସୀ । ସେପଟେ ଅସମ୍ପୂର୍ଣ ଅବସ୍ଥାରେ ଏହାର ଉଦଘାଟନ ହୋଇ ଥିବା ସିଡିଏ ଭିସି ସ୍ୱୀକାର କରିବା ସହିତ ଚଳିତ ମାସରେ ଏହା ଖୋଲିବ ବୋଲି କହିଛନ୍ତି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀକୁ ନେଇ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହେଲା ବ୍ୟାଖ୍ୟାନ କେନ୍ଦ୍ର । କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ ମହାଆଡ଼ମ୍ବରରେ ଏହାକୁ ଉଦଘାଟନ କଲେ । କିନ୍ତୁ ବିଡମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ଏହା ଖୋଲି ପାରିଲା ନାହିଁ । ଯାହାକୁ ନେଇ ନେଇ ଅସନ୍ତୋଷ ବଢୁଥିବାବେଳେ ପ୍ରକଳ୍ପକୁ ପରିଚାଳନା କରିବା ଦକ୍ଷତା ସରକାରଙ୍କ ନିକଟରେ ନାହିଁ ବୋଲି ଅଭିଯୋଗ କରିଛନ୍ତି କଟକବାସୀ । ସେପଟେ ଅସମ୍ପୂର୍ଣ ଅବସ୍ଥାରେ ଏହାର ଉଦଘାଟନ ହୋଇ ଥିବା ସିଡିଏ ଭିସି ସ୍ୱୀକାର କରିବା ସହିତ ଚଳିତ ମାସରେ ଏହା ଖୋଲିବ ବୋଲି କହିଛନ୍ତି।

ବାହା ବା ନେବାକୁ ପ୍ରତିଯୋଗିତା । ପରିଚାଳନା ବେଳେ ପଛଘୁଞ୍ଚା । ସରକାର ବଦଳିବା ପରେ ବଦଳିଛି ଆଭିମୁଖ୍ୟ । ଫିତା କାଟି ଅଧାଗଢା ରହିଯାଉଛି ପ୍ରକଳ୍ବ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକରେ । ପୂର୍ବ ସରକାର ଅମଳରେ ସିଡିଏ ପକ୍ଷରୁ ୪୫ କୋଟି ବ୍ୟୟରେ ନିର୍ମାଣ ହୋଇଥିଲା ବହୁ ପ୍ରତିକ୍ଷୀତ ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର । ଲକ୍ଷ୍ଯ ଥିଲା ସହରରେ ପର୍ଯ୍ୟଟନର ବିକାଶ କରିବା ସହ ନେତାଜୀଙ୍କ ଜୀବନୀ ସମସ୍ତଙ୍କ ନିକଟରେ ପହଞ୍ଚାଇବା । ହେଲେ ସରକାର ବଦଳିବା ପରେ ଅସମ୍ପୂର୍ଣ ପ୍ରକଳ୍ପକୁ ଉଦଘାଟନ କରି ଛାଡ଼ି ଦିଆଯାଇଛି । ସ୍ୱାୟତ୍ତ ଶାସନ ଦିବସରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କେନ୍ଦ୍ରମନ୍ତ୍ରୀ, ସାଂସଦ, ମନ୍ତ୍ରୀ, ବିଧାୟକ ଏହାକୁ ଉଦଘାଟନ କଲେ । କିନ୍ତୁ ଉଦଘାଟନକୁ ୩ ମାସ ବିତିଥିଲେ ସୁଦ୍ଧା ସେଣ୍ଟରରେ ଝୁଲୁଛି ତାଲା । ଯାହକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ କର୍ପୋରେଟର ଓ ସ୍ଥାନୀୟ ଲୋକେ ।

ସେଣ୍ଟରର ୩ଟି ଫାଟକରେ ଝୁଲୁଛି ତାଲା । ଭିତରେ ଟ୍ରାକ୍ଟର ଘରୋଇ ଗାଡି ରଖାଯାଉଛି । ସେପଟେ ଏହି କେନ୍ଦ୍ରର କାମ ଅସମ୍ପୂର୍ଣ ଥାଇ ଉଦଘାଟନ କରାଯାଇଥିବା ସିଡିଏ କତୃପକ୍ଷ ସ୍ୱୀକାର କରିଛନ୍ତି । ଏହାର ସୁ ପରିଚାଳନା ପାଇଁ ଏକ ମାର୍ଗ ଦର୍ଶିକା ପ୍ରସ୍ତୁତ ହୋଇଛି । ଖୁବଶୀଘ୍ର ଏହା ବିଭାଗୀୟ ମନ୍ତ୍ରୀଙ୍କ ଅଧକ୍ଷତାରେ ହେବାକୁ ଥିବା ବୈଠକରେ ଉପସ୍ଥାପନ କରାଯିବା ସହ ଚଳିତ ମାସ ଶେଷ ବା ଜାନୁଆରୀ ଆରମ୍ଭ ରୁ ଲୋକଙ୍କ ପାଇଁ ଖୋଲାଯିବ ବୋଲି କହିଛନ୍ତି ଭିସି।

ଭାରତୀୟ ନୌସେନାର ପରାକ୍ରମ ଦେଖିଲା ସାରା ବିଶ୍ବ

ନନ୍ଦିଘୋଷ ବ୍ୟୁରୋ: ପୁରୀରୁ ନୌବୀରଙ୍କ ପରାକ୍ରମ ଦେଖିଲା ବିଶ୍ବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ନୌସେନା ଦିବସରେ ପୁରୀ ବ୍ଲୁଫ୍ଲାଗ ବିଚରେ ହୋଇଥିଲା ସ୍ବତନ୍ତ୍ର ଆୟୋଜନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ତମାମ ବିଧାୟକ ଓ ମନ୍ତ୍ରୀ ମଧ୍ୟ ନୌସେନାର ପରକ୍ରମକୁ ଉପଭୋଗ କରିଥିଲେ । ନୌସେନା ଦିବସରେ ଶ୍ରୀକ୍ଷେତ୍ରରେ ନିଜ ପରାକ୍ରମ ଦେଖାଇଥିଲା ମାର୍କୋସ କମାଣ୍ଡୋ । ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକପ୍ଟର, ୫ଟି ଯୁଦ୍ଧ ବିମାନ, ୫ଟି ଜେଟ୍ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଲେଜର ସୋ ଓ ଡ୍ରୋନ ସୋ ଅନ୍ୟତମ ଆକର୍ଷଣ ପାଲଟିଥିଲା । ଏହି ଅବସରରେ ଚେତକ ଓ ସି-କିଙ୍ଗ ହେଲିକପ୍ଟର ଦେଖାଇଥିଲେ ରଣ କୌଶଳ । ଯୁଦ୍ଧ ଜାହାଜରେ ହେଲିକପ୍ଟର ଅବତରଣର ଦୃଶ୍ୟ ସହ ହେଲିକପ୍ଟରରେ ସନ୍ଧାନ ଓ ଉଦ୍ଧାର ଦୃଶ୍ୟ ମଧ୍ୟ ନିଆରା ରହିଥିଲା । ପୁରୀ ସମୁଦ୍ର ବାଲିରେ ଗର୍ଜନ କରି ଗଡ଼ିଥିଲା ବିଏମପି ଟ୍ୟାଙ୍କ । ଏହିସବୁ ଟ୍ୟାଙ୍କର ବେଗ ଥିଲା ଘଣ୍ଟାପ୍ରତି ୬୫ କିଲୋମିଟର । ଥରକେ ୪୫୦ କିଲୋମିଟର ଯିବାର କ୍ଷମତା ସମ୍ପନ୍ନ ଏହି ଟ୍ୟାଙ୍କର ପ୍ରଦର୍ଶନ ଦର୍ଶକକୁ ବେଶ ଆକର୍ଷିତ କରିଥିଲା । ୪ କିଲୋମିଟର ମଧ୍ୟରେ ଶତ୍ରୁକୁ ନିପାତ କରିବାରେ ସକ୍ଷମ ଏହିସବୁ ଟ୍ୟାଙ୍କ । ମାର୍କୋସ କମାଣ୍ଡୋଙ୍କ କଳା କୌଶଳ ସାଙ୍ଗକୁ ଆକାଶରେ ଯୁଦ୍ଧ ବିମାନରୁ ନିଆଁ ବର୍ଷାର ଦୃଶ୍ୟ ଥିଲା ନିଆରା । ମିଗ୍-୨୯କେ ବିମାନ ଓ ଯୁଦ୍ଧ ଜାହାଜରୁ ଆଣ୍ଟି ସବମରିନ ରକେଟ୍ ଫାୟାରିଂ ବି ବେଶ ଆକର୍ଷଣୀୟ ଥିଲା । ସମୁଦ୍ରରେ ବୋମାବର୍ଷାର ଦୃଶ୍ୟ ବି ଦେଖିଥିଲେ ଦର୍ଶକ ।