spot_img
Home Blog Page 1407

କଏଦୀଙ୍କ ପାଇଁ ବମ୍ପର ଅଫର, ନିଆଁ ଲିଭାଇଲେ କମିବ ଦଣ୍ଡ

ନନ୍ଦିଘୋଷ ବ୍ୟୁରୋ: କଏଦୀଙ୍କ ପାଇଁ ବମ୍ପର ଅଫର । ନିଆଁ ଲିଭାଇଲେ କମିବ ସଜ୍ଜା । ତା ସହିତ ମିଳିବା ଅଲଗା ଦରମା । ଆଜ୍ଞା ହଁ ଆମେରିକାରେ ଲାଗିଥିବା ନିଆଁ ଦିନକୁ ଦିନ ବିକଟାଳ ରୂପ ନେଉଛି । ନିଆଁ ଭୟଙ୍କର ରୂପ ନେବାରେ ଲାଗିଛି । ଏହି ଅଗ୍ନିକାଣ୍ଡ ପାଇଁ ୨୪ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ବାଇଡେନ ପ୍ରଶାସନ ଏହି ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଛନ୍ତି । ନିଆଁ ନଲିଭିବାର ମୁଖ୍ୟ କାରଣ ହେଉଛି ଆମେରିକାରେ ଶୁଷ୍କ ବାୟୁ ପ୍ରବାହ । ତେବେ ଅଗ୍ନି ନିର୍ବାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ, କାଲିଫର୍ଣ୍ଣିଆ ଏବଂ ଲସ୍ ଆଞ୍ଜେଲସର ଜେଲ୍ ବିଭାଗ ଏକ ବମ୍ପର ଅଫର ଆଣିଛି। ଅଗ୍ନି ନିର୍ବାପନରେ ଅଗ୍ନିଶମ ବିଭାଗକୁ ସାହାଯ୍ୟ କରୁଥିବା କଏଦୀଙ୍କ ଦଣ୍ଡ ହ୍ରାସ କରିବାର ଯୋଜନା ପ୍ରସ୍ତୁତ ହୋଇଛି। ପ୍ରତିଦିନ ନିଆଁ ଲିଭାଇବାରେ ସାହାଯ୍ୟ କରିବା ବଦଳରେ ଦଣ୍ଡ ଦୁଇ ଦିନ ହ୍ରାସ କରିବାକୁ ଏକ ଚୁକ୍ତି ହୋଇଛି । ଏହା ବ୍ୟତୀତ ଦରମା ପୃଥକ ଭାବରେ ଦିଆଯିବ।

ସିଏନଏନ ରିପୋର୍ଟ ଅନୁଯାୟୀ ଲସ୍ ଆଞ୍ଜେଲସରେ ଜେଲ କଏଦୀମାନଙ୍କୁ ଅଗ୍ନିଶମ ବିଭାଗ ସହିତ ଏକ କଣ୍ଟେନମେଣ୍ଟ ଲାଇନ୍ ଖୋଳିବା ପାଇଁ କାମ କରୁଥିବାର ଦେଖିବାକୁ ମିଳିଛି । କାଲିଫର୍ଣ୍ଣିଆର ସୁଧାର ଏବଂ ପୁନର୍ବାସ ବିଭାଗ କହିଛି ଯେ ବର୍ତ୍ତମାନ ମୋଟ ୯୩୧ ଜଣ କଏଦୀ ଜଙ୍ଗଲରେ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ଭୟଙ୍କର ନିଆଁର ପ୍ରଭାବକୁ କମାଇବା ପାଇଁ ସେମାନେ ଅଗ୍ନି ସଂଯୋଗ ଲାଇନଗୁଡ଼ିକୁ କାଟି ଦେଉଛନ୍ତି ।

କଏଦୀମାନଙ୍କ ପାଇଁ କ’ଣ ଯୋଜନା ରହିଛି ?

କଏଦୀଙ୍କ କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି କାଲିଫର୍ଣ୍ଣିଆ ଏବଂ ଲସ୍ ଆଞ୍ଜେଲସ୍‌ରେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ସେମାନଙ୍କୁ ପ୍ରତିଦିନ $୫.୮୦ ରୁ $୧୦.୨୪ ଦିଆଯାଉଛି। ଜରୁରୀକାଳୀନ ପରିସ୍ଥିତିରେ ନିଯୁକ୍ତି ପାଇଲେ କଏଦୀମାନେ ଘଣ୍ଟା ପ୍ରତି ଅତିରିକ୍ତ $୧ ରୋଜଗାର କରିପାରିବେ। ଅଧିକାଂଶ କଏଦୀଙ୍କୁ ନିଆଁ ଲିଭାଇବାରେ ସାହାଯ୍ୟ କରିବା ପାଇଁ ୨ ବଦଳରେ ୧ କ୍ରେଡିଟ୍ ଦିଆଯାଉଛି। ଏହାର ଅର୍ଥ ହେଉଛି ଯଦି ଜଣେ କଏଦୀ ଜରୁରୀକାଳୀନ ସେବାରେ ନିଆଁ ଲିଭାଇବା ପାଇଁ ପ୍ରତିଦିନ କାମ କରନ୍ତି, ସେ ତାଙ୍କ ଦଣ୍ଡରୁ ଅଧିକ ଦୁଇ ଦିନ ଛାଡ଼ ପାଇପାରିବେ। ଏହା ବ୍ୟତୀତ, ସହାୟକ କର୍ମଚାରୀଙ୍କୁ ୧ ବଦଳରେ ୧ କ୍ରେଡିଟ ମିଳିବ । ଯେଉଁଠାରେ ଗୋଟିଏ ଦିନ କାମ କରିବା ପାଇଁ କେବଳ ଗୋଟିଏ ଦିନ ଦଣ୍ଡ ଛାଡ କରାଯିବ।

‘ଆମେ ନିଆଁ ଲିଭାଇବା ପାଇଁ ପ୍ରତିବଦ୍ଧ’

“କାଲିଫର୍ଣ୍ଣିଆ ପାଇଁ ବନ୍ୟ ନିଆଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହେଇଯାଇଛି ,” । ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ।” ଆମର ବନ୍ଦୀ ଅଗ୍ନିଶମ କର୍ମଚାରୀ ଏବଂ କର୍ମଚାରୀମାନଙ୍କ କାମ ଏହି ପ୍ରଚେଷ୍ଟାର ଏକ ଅଂଶ। ଜରୁରୀକାଳୀନ ପରିସ୍ଥିତିରେ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ସେମାନଙ୍କର ସେବା ନିଆଯାଉଛି ।

ଆଜି ଶେଷ ହେବ ଧନୁଯାତ୍ରା, ସରିବ ୧୧ ଦିନର କଂସ ମହାରାଜାଙ୍କ ଆଧିପତ୍ୟ

ବରଗଡ: ଆଜି ଶେଷ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଜି ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, କୁବଳୟା ହସ୍ତିବଧ, ଚାଣୁର ଓ ମୁଷ୍ଟିକ ଆଦି ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ , କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ, ମଥୁରା କାରାଗାରରୁ ଦେବକୀ-ବସୁଦେବଙ୍କୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ । ଏବଂ କଂସ ବଦ୍ଧରେ ସମଗ୍ର ମଥୁରା ଓ ଗୋପପୁରରେ ଆନନ୍ଦର ଲହରୀ ସହ ସମାପନ ହେବ ଧନୁଯାତ୍ରା । ଧନୁଯାତ୍ରାର ଦଶମ ଦିନରେ ଅକୃରଙ୍କ ସହିତ ମଥୁରାରେ ପହଞ୍ଚିଥିଲେ ବନବିହାରୀ ।

ପ୍ରଭୁଙ୍କୁ ଭବ୍ୟସ୍ୱାଗତ କରାଯିବା ସହ ଆନନ୍ଦ ଉହ୍ଲାସର ସହିତ ଖୁସିରେ ନାଚି ଉଠିଛନ୍ତି ମଥୁରାବାସୀ । ଆଦିମାତା ମନ୍ଦିର ସ୍ଥିତ ମଧୁବନ ତୋଟାରୁ ବାଙ୍କବିହାରୀ ମଥୁରା ଭ୍ରମଣ କରିଥିଲେ । ପ୍ରଭୁଙ୍କ ପଛରେ ମଥୁରାର ଆବାଳ ବୃଦ୍ଧ ବନିତା ବାହାରି ନଗର ଭ୍ରମଣ କରିଥିଲେ । ବାଟରେ ନୈବେଦ୍ୟ, ଫୁଲ, ଦୀପ, ଚନ୍ଦନରେ ପୂଜା କରି ମଥୁରାବାସୀ ଶ୍ରୀକୃଷ୍ଣବଳରାମଙ୍କୁ ସ୍ୱାଗତ କରିଥିଲେ । ତା ସହ କଂସର ଆତଙ୍କରୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ ।

ଖଜୁରଟିକ୍ରାରେ ଥିବା ରାଜକୀୟ ବଗିଚାରେ ପ୍ରଭୁଙ୍କ ସହ ସୁଦାମା ମାଳିଙ୍କ ଭେଟ ହୋଇଥିଲା । ଶ୍ୟାମାକାଳୀ ମନ୍ଦିରରେ ପ୍ରଭୁ ହାତରେ ସ୍ୱର୍ଶରେ ସୁନ୍ଦରୀ ନାରୀରେ ପରିଣତ ହୋଇଥିଲେ କୁବୁଜା । ଧନୁଯାତ୍ରାର ଦଶମଦିନରେ ମହାରାଜା କଂସ ନଗର ଭ୍ରମଣ କରିବା ସହ ରଂଗ ମହଲରେ ନାଚ ଗୀତର ମଜା ଉଠାଇଥିଲେ । ମହାରାଜା କଂସ ରାତ୍ରୀ ନିଦ୍ରାରେ ଥିବା ବେଳେ ସ୍ୱପ୍ନରେ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି ।

ପୁଣି ଚୀନର ନୂଆ ଚାଲ୍, LACରେ କରୁଛି ମିଲିଟାରୀ ଡ୍ରିଲ

ନନ୍ଦିଘୋଷ ବ୍ୟୁରୋ: ବଢୁଛି ଚୀନର ପ୍ରାଦୁର୍ଭାବ । ଭାରତ ଉପରେ ପକାଉଛି ଲୋଲୁପ ଦୃଷ୍ଟି । ଗୋଟେପଟେ ଦେଶ ସେନା ଦିବସ ପାଳନ ପ୍ରସ୍ତୁତିରେ ଲାଗିପଡିଛି, ସେପଟେ ଚୀନ ନିଜର ପୁରୁଣା ରଙ୍ଗ ଦେଖେଇବା ଆରମ୍ଭ କଲାଣି । ଚୀନ LACରେ ଯୁଦ୍ଧ ଡ୍ରିଲ ଆରମ୍ଭ କଲାଣି । ଚୀନର ସେନା ପିପୁଲ୍ସ ଲିବରେସନ୍ ପାର୍ଟିର ସିନଜିଆଙ୍ଗ ମିଲିଟାରୀ କମାଣ୍ଡର ରେଜିମେଣ୍ଟ ନେତୃତ୍ବରେ ଯୁଦ୍ଧାଭ୍ୟାସ କରୁଥିବା ଜଣାପଡିଛି । ଚୀନ ଏହି କମ୍ବାଟ ଡ୍ରିଲରେ ଯୁଦ୍ଧ ବାହାନ ସମେତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରର ବ୍ୟବହାର କରୁଥିବା ସୂଚନା ମିଳିଛି । ଭାରତ ଏବଂ ଚୀନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଚୁକ୍ତି ହୋଇଥିଲେ ବି ଚୀନର ଏଭଳି କାର୍ଯ୍ୟକଳାପ ଭାରତକୁ ଚିନ୍ତାରେ ପକାଇଦେଇଛି ।

ଭାରତ ଏବଂ ଚୀନ ମଧ୍ୟରେ LACରୁ ନିଜର ସେନାକୁ ପ୍ରତ୍ୟାହୃତ କରିନେବା ଏବଂ ପାଟ୍ରୋଲିଂ ଆରମ୍ଭ କରିବା ନେଇ ୨୧ଅକ୍ଟୋବର ୨୦୨୪ରେ ଏକ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ ୨୦୨୦ରେ ଗଲୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ହୋଇଥିବା ବିବାଦର ଅନ୍ତ କରିବା ଉଦ୍ଦେଶ୍ୟରେ ହୋଇଥିଲା । ଏହି ଚୁକ୍ତି ପରେ ଦୁଇ ଦେଶ ଦେପସାଙ୍ଗ ଏବଂ ଡେମଚୋକ ଭଳି ସମ୍ବେଦନଶୀଳ ଅଞ୍ଚଳରୁ ନିଜ ସେନାକୁ ପ୍ରତ୍ୟାହୃତ କରିବାକୁ ନିଷ୍ପତ୍ତି ନେଇତିଲେ । ଭାରତର NSA ଅଜିତ ଡୋଭାଲ ଏବଂ ଚୀନର ବୈଦେଶିକ ମନ୍ତ୍ରୀ ଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଚୁକ୍ତି ହୋଇଥିଲା ।

ଏହି ଚୁକ୍ତି ପରେ ବି ଦୁଇ ଦେଶ ମଧ୍ୟରେ ଅନିଶ୍ଚିତତା ଲାଗିରହିଛି । ଦୁଇ ଦେଶ କଠିନ ପରିସ୍ଥିତି ମଧ୍ୟରେ ବି ବହୁ ସଂଖ୍ୟାରେ ନିଜ ନିଜ ସେନାକୁ ମୁତୟନ କରିଛନ୍ତି । ଚୀନର ଏହି ଯୁଦ୍ଧ ଡ୍ରିଲ ଟ୍ରେନିଂର ଅଂଶ ନୁହେଁ । ଚୀନ ନିଜର କୁଟନୈତିକ ନୀତି ଯୋଗୁ ଏଭଳି କରୁଛି । ସେ ବିବାଦୀୟ ଅଞ୍ଚଳରେ ବଡ ସଂଖ୍ୟାର ସେନା ମୁତୟନ କରୁଛି । ଉଦାହରଣସ୍ବରୂପ ଏକ୍ସୋସ୍କେଲଟନର ବ୍ୟବହାରରେ ଚୀନ ସୈନିକ ମାନଙ୍କୁ ଉଚ୍ଚ ସ୍ଥାନମାନଙ୍କରେ ଫଶଇଦା ମିଳୁଛି । ଏବଂ ସେମାନେ ସହଜରେ ସେଠାରେ ଯୁଦ୍ଧାଭ୍ୟାସ କରିପାରୁଛନ୍ତି । ଏଭଳି ପରିସ୍ଥିତିରେ ଭାରତକୁ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ଅଟେ । ଚୀନକୁ ଟକ୍କର ଦେବା ପାଇଁ ଭାରତ ମଦ୍ୟ ସବୁ ପ୍ରକାରର ଚେଷ୍ଟା କରୁଛି । ଡେମଚକ ଏବଂ ଦେପସାଙ୍ଗରେ ଚୀନର ଏଭଳି ପ୍ରୟାସ ଉଭୟ ଦେଶ ପାଇଁ ବିପଦଜନ୍ନକ ଅଟେ ।

ଆମେରିକାରେ ଥମୁନି ଜଙ୍ଗଲ ନିଆଁ: ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ଗତ ୬ଦିନ ଧରି ଜଳୁଛି ଆମେରିକା । ନିଆଁର ଆଁରେ ପୋଡି ପାଉଁଶ ହେଇଗଲାଣି ଆମେରିକାର ସୌନ୍ଦର୍ଯ୍ୟ । ଆମେରିକା ଇତିହାସରେ ଏହା ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ବୋଲି ଚର୍ଚ୍ଚା ହେଉଛି । ଯାହା ଆମେରିକାର ପ୍ରାୟ ୪୦କିଲୋମିଟର କ୍ଷେତ୍ରକୁ ନିଜ ଛାରଖାର କରିସାରିଲାଣି । ବଡ ବଡ ତାରକାଙ୍କ ବଙ୍ଗଳା ମଧ୍ୟ ପୋଡି ପାଉଁଶ ହେଇଗଲାଣି । ଶୁଷ୍କ ପବନ ଲସ ଏଞ୍ଜେଲସର ନିଆଁକୁ ଆହୁରି ଅଣାୟତ୍ତ କରିସାରିଲାଣି । ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୪କୁ ପହଞ୍ଚିଲାଣି । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ପ୍ରବଳ ପବନ ଯୋଗୁଁ ନିଆଁ ଅଧିକ ଭୟଙ୍କର ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଅଧିକାରୀ କହିଛନ୍ତି ଯେ ଭୟଙ୍କର ନିଆଁରେ  ଅତିକମରେ 16 ଜଣ ନିଖୋଜ ଅଛନ୍ତି ଏବଂ ଏହି ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି।

ଆମେରିକାର ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ଜଙ୍ଗଲରେ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା 24 କୁ ବୃଦ୍ଧି ପାଇଥିବାବେଳେ ଅଗ୍ନିଶମ କର୍ମଚାରୀମାନେ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ବୁଧବାର ପର୍ଯ୍ୟନ୍ତ ଭୟଙ୍କର ପାଣିପାଗ ପରିସ୍ଥିତି ପାଇଁ ଜାତୀୟ ପାଣିପାଗ ସେବା ଚେତାବନୀ ଦେଇଛି। ତାଙ୍କ କହିବାନୁସାରେ, ଏହି ଅଞ୍ଚଳରେ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ବହିବ ଏବଂ ପାର୍ବତ୍ୟରେ ଏହି ବେଗ ଘଣ୍ଟା ପ୍ରତି ୧୧୩ କିଲୋମିଟର ହେବ। ମଙ୍ଗଳବାର ଅଧିକ ବିପଦଜନକ ହେବ ବୋଲି ପାଣିପାଗ ବିଜ୍ଞାନୀ ରିଚ୍ ଥମ୍ପସନ୍ କହିଛନ୍ତି । ଲସ୍ ଆଞ୍ଜେଲସ୍ ସହରର ମେଡିକାଲ ପରୀକ୍ଷକଙ୍କ କାର୍ଯ୍ୟାଳୟ ଶନିବାର ସନ୍ଧ୍ୟାରେ ଏକ ବିବୃତ୍ତିରେ କହିଛି ଯେ ମୋଟ ୨୪ଜଣଙ୍କର ମୃତ୍ୟୁ ଘଟିଛି, ମୃତକଙ୍କ ମଧ୍ୟରୁ ୫ ଜଣ ପାଲିସଡେସ୍ ଅଗ୍ନିଶମ ଜୋନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ଇଟନ୍ ଫାୟାର ଜୋନରୁ ଚିହ୍ନଟ ହୋଇଛନ୍ତି।

ନିଆଁକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏକ ହେଲ୍ପ ଲାଇନ ଡେସ୍କ କରିଛନ୍ତି ଯେଉଁଠାରେ ଲୋକମାନେ ନିଖୋଜ ରିପୋର୍ଟ ଦାଖଲ କରିପାରିବେ  । ଏହି ସମୟରେ ପ୍ରବଳ ପବନର ସମ୍ଭାବନାକୁ ଦୃଷ୍ଟିରେ ରଖି ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜୋରଦାର କରିଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଚେଷ୍ଟା କରୁଛନ୍ତି କି ନିଆଁ ଯେମିତି ବିଶ୍ବ ପ୍ରସିଦ୍ଧ ଜେ, ପଲଁ ଗ୍ରେଟୀ ସଂଗ୍ରହାଳୟ ଏବଂ କାଲିଫର୍ଣ୍ଣିଆ ୟୁନିଭରସିଟିରେ ନଲାଗୁ  । ମାଣ୍ଡେଭିଲ୍ କ୍ୟାନନରେ ନିଆଁ ଲିଭାଇବା ପାଇଁ ଜୋରଦାର ପ୍ରୟାସ କରାଯାଉଛି । ପ୍ରଶାନ୍ତ ତଟ ନିକଟରେ ଅବସ୍ଥିତ ମାଣ୍ଡେଭିଲ୍ କାନିୟନରେ ପ୍ରସିଦ୍ଧ ଅଭିନେତା ଅର୍ନାଲ୍ଡୋ ଶ୍ବାର୍ଜନେଗରଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଘର ଅଛି  । ଅଧିକାରୀମାନଙ୍କ ଉଦ୍ୟମ ଜାରୀ ରହିଛି ଯେମିତି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ନିକଟକୁ ନିଆଁ ଅଗ୍ରସର ନହେଉ । ପାଲିସଡେସ୍ ଅଞ୍ଚଳରେ ବିଶେଷ ଧ୍ୟାନ ଦିଆଯିବ।

ବର୍ତ୍ତମାନ ଅଗ୍ନି ପ୍ରଭାବିତ ଅଞ୍ଚଳରେ ହାଲୁକା ପବନ ପ୍ରବାହିତ ହେଉଛି, କିନ୍ତୁ ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଶକ୍ତିଶାଳୀ ସାଣ୍ଟା ଆନା ପବନ ଶୀଘ୍ର ଫେରିପାରେ । କୁହାଯାଉଛି ଯେ ଏହି ପବନ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ଯାହା ଲସ୍ ଆଞ୍ଜେଲସ୍ ଏବଂ ସମଗ୍ର ଅଞ୍ଚଳକୁ ନଷ୍ଟ କରିସାରିଲାଣି । ଆଠ ମାସରୁ ଅଧିକ ସମୟ ହେଲାଣି ଲସ୍ ଆଞ୍ଜେଲସ୍ କୌଣସି ବର୍ଷା ହୋଇନାହିଁ  । ଅଗ୍ନିକାଣ୍ଡ ଯୋଗୁଁ ଇଣ୍ଟରଷ୍ଟେଟ୍ ହାଇୱେ ୪୦୫ ପାଇଁ ମଧ୍ୟ ବିପଦ ରହିଛି, କାରଣ ଏହା ମୁଖ୍ୟ ଟ୍ରାଫିକ୍ ମାର୍ଗ ଅଟେ  । ତେବେ ଅଗ୍ନିକାଣ୍ଡର ମୁଖ୍ୟ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ଲସ୍ ଆଞ୍ଜେଲସ୍ କାଉଣ୍ଟି ଶେରିଫ୍ ରବର୍ଟ ଲୁନା କହିଛନ୍ତି ଯେ ବିନାଶକୁ ରୋକିବା ପାଇଁ କାର୍ଯ୍ୟ ଜାରି ରହିଛି ଏବଂ ମୃତଦେହ ଖୋଜୁଥିବା କୁକୁରମାନଙ୍କ ସାହାଯ୍ୟରେ ଦଳ ସର୍ଚ୍ଚ ଜାରି ରଖିଛନ୍ତି । ଲୁନା କହିଛନ୍ତି ଯେ ପାସାଡୋନାରେ ଏକ ସହାୟତା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଉଛି । ଏହି ଅଗ୍ନିକାଣ୍ଡ ପ୍ରାୟ ୧୪୫ବର୍ଗ କିଲୋମିଟର ଅଞ୍ଚଳକୁ ଧ୍ବଂସ ସ୍ତୁପରେ ପରିଣତ କରିସାରିଲାଣି ।  ଅଗ୍ନିକାଣ୍ଡରେ ପ୍ରଭାବିତ ଅଞ୍ଚଳକୁ ଖାଲି କରିବା ପାଇଁ ହଜାର ହଜାର ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସହରର ଉତ୍ତରରେ ଥିବା ୪୦କିଲୋମିଟର ଅଞ୍ଚଳରେ ୧୨ହଜାରରୁ ଅଧିକ କୋଠା ନଷ୍ଟ ହୋଇଯାଇଛି, ଯେଉଁଥିରେ ଘର, ଆପାର୍ଟମେଣ୍ଟ, ବାଣିଜ୍ୟିକ କୋଠା ଇତ୍ୟାଦି ରହିଛି ।

ପ୍ରାରମ୍ଭିକ ଆକଳନ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୩୫ ବିଲିୟନ ଡ଼ଲାରରୁ ୧୫୦ ବିଲିୟନ ଡ଼ଲାର ପର୍ଯ୍ୟନ୍ତ କ୍ଷତି ହୋଇସାରିଲାଣି । ଅଲଟାଡେନାର ବାସିନ୍ଦା ଜୋସ୍ ଲୁଇସ୍ ଗୋଡିନ୍ଜ୍ କହିଛନ୍ତି ଯେ ତାଙ୍କ ପରିବାରର ତିନୋଟି ଘର ନଷ୍ଟ ହୋଇଯାଇଛି । ସବୁକିଛି ଶେଷ ହୋଇଛି । ମୋର ପୁରା ପରିବାର ସେହି ତିନୋଟି ଘରେ ରହୁଥିଲେ ଏବଂ ବର୍ତ୍ତମାନ ଆମର କିଛି ନାହିଁ । ପୋଡିଯାଇଥିବା ଘରର ମାଲିକ ଅଧିକାରୀମାନଙ୍କୁ ସାହାଯ୍ୟର ନିବେଦନ କରିଛନ୍ତି । କିଛି ବାସିନ୍ଦା ପାଉଁଶ ଗଦାରୁ ସେମାନଙ୍କର ମୂଲ୍ୟବାନ ଜିନିଷ ଖୋଜୁଛନ୍ତି । ତେବେ ପାଉଁଶ ଗଦାରେ ସୀସା, ଆର୍ସେନିକ୍, ଆଜବେଷ୍ଟସ ଏବଂ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ଥିବାରୁ ସେମାନଙ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି । ତେବେ ଥୋମାସ୍ କହିଛନ୍ତି ଯେ କ୍ଷତିଗ୍ରସ୍ତ ସମ୍ପତ୍ତିର ମୂଲ୍ୟାଙ୍କନ ପରେ ବାସିନ୍ଦାଙ୍କୁ ଉଚିତ କ୍ଷତିପୂରଣ ଦିଆଯିବ ।

ପୁଣି ଭାରତ-ବାଂଲାଦେଶ ମଧ୍ଯରେ ତିକ୍ତ ହେଲା ସମ୍ପର୍କ, ସୀମା ସୁରକ୍ଷା ବଳର କାର୍ଯ୍ୟାବଳୀ ପ୍ରସଙ୍ଗରେ ସମନ

ନନ୍ଦିଘୋଷ ବ୍ୟୁରୋ: ଭାରତ ବିରୋଧରେ ପୁଣି ବିଷ ଉଗାଳିଲା ବାଂଲାଦେଶ । ପୁଣି ଆଣିଲା ବଡ ଅଭିଯୋଗ । ଦ୍ବିପାକ୍ଷିକ ରାଜିନାମା ଉଲ୍ଲଂଘନ କରି ଭାରତ-ବାଂଲାଦେଶ ସୀମାର ୫ଟି ସ୍ଥାନରେ ତାରବାଡ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଏନେଇ ପୁଣି ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । ଏନେଇ ସୀମା ସୁରକ୍ଷା ବଳର କାର୍ଯ୍ୟାବଳୀ ପ୍ରସଙ୍ଗରେ ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ କରିଛନ୍ତି ବାଂଲାଦେଶର ବୈଦେଶିକ ମନ୍ତ୍ରାଳୟ । ଭାରତ-ବାଂଲାଦେଶ ସୀମାନ୍ତର ୫ଟି ସ୍ଥାନରେ ଦ୍ବିପାକ୍ଷିକ ରାଜିନାମା ଉଲ୍ଲଂଘନ କରି ଭାରତ ତାରବାଡ ନିର୍ମାଣ କରୁଥିବା କାରଣ ଦର୍ଶାଇ ଢାକା ଅଭିଯୋଗ କରିବା ପରେ ଏହି ସମନ ଜାରି ହୋଇଛି ।

ବାଂଲାଦେଶର ବୈଦେଶିକ ସଚିବ ଜସିମ ଉଦ୍ଦିନଙ୍କୁ ଭେଟିବା ପରେ ପ୍ରଣୟ କହିଛନ୍ତି  ସୀମାକୁ ଅପରାଧମୁକ୍ତ କରିବା ପ୍ରସଙ୍ଗରେ ସେ ବାଂଲାଦେଶର ସଚିବଙ୍କୁ ସାକ୍ଷାତ କରିଛନ୍ତି । ସ୍ମଗଲିଂ, ଅପରାଧଙ୍କ ଆଡ୍ଡା ଭାଙ୍ଗିବା ଲାଗି ଏହି ଆଲୋଚନା କରାଯାଇଛି । ପ୍ରଣୟ କହିଛନ୍ତି- ସୀମାରେ ତାରବାଡ ପ୍ରସଙ୍ଗରେ ସୀମା ସୁରକ୍ଷା ବଳ ଓ ବାଂଲାଦେଶର ସୀମା ରକ୍ଷକ ବାହିନୀ ସହ ଆଲୋଚନା ହୋଇଛି ।

ପୂର୍ବରୁ ଗୃହ ବିଭାଗ ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଜାହାଙ୍ଗୀର ଆଲମ ଚୌଧୁରୀ କହିଥିଲେ ଯେ ସୀମା ସୁରକ୍ଷା ବାହିନୀ ବାଂଲାଦେଶ ଏବଂ ସ୍ଥାନୀୟ ଲୋକଙ୍କ କଡ଼ା ବିରୋଧ ଯୋଗୁଁ ଭାରତ ସୀମାରେ କଣ୍ଟା ତାର ବାଡ଼ ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଛି । ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ପୂର୍ବ ସରକାରଙ୍କ କାର୍ଯ୍ୟକାଳରେ ସ୍ୱାକ୍ଷରିତ କିଛି ଚୁକ୍ତିନାମା ଯୋଗୁଁ, “ବାଂଲାଦେଶ-ଭାରତ ସୀମାରେ ଅନେକ ସମସ୍ୟା ଉପୁଜିଛି”।

ଚୌଧୁରୀ କହିଛନ୍ତି ଯେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ସୀମା କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଚାରୋଟି  ବୁଝାମଣାପତ୍ର (ଏମଓୟୁ) ଅଛି। ସେ କହିଛନ୍ତି, “ଏଥିମଧ୍ୟରୁ, ୧୯୫୭ର ବୁଝାମଣା ପତ୍ରରେ ସ୍ପଷ୍ଟ କରାଯାଇଛି ଯେ ‘ଜିରୋ ଲାଇନ’ର ୧୫୦ ଗଜ ମଧ୍ୟରେ ପ୍ରତିରକ୍ଷା କ୍ଷମତା ଥିବା କୌଣସି ବିକାଶମୂଳକ କାର୍ଯ୍ୟ କରାଯାଇପାରିବ ନାହିଁ। ଦ୍ୱିତୀୟ ବୁଝାମଣାପତ୍ରରେ କୁହାଯାଇଛି ଯେ ପାରସ୍ପରିକ ସମ୍ମତି ବିନା ଏହି ସୀମା ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ କରାଯାଇପାରିବ ନାହିଁ। ଏପରିକି ଯେକୌଣସି କାର୍ଯ୍ୟ ପାଇଁ ଦୁଇ ଦେଶ ମଧ୍ୟରେ ପୂର୍ବ ସହମତି ଆବଶ୍ୟକ।”ପରାମର୍ଶଦାତା କହିଛନ୍ତି ଯେ ଭାରତ ବାଂଲାଦେଶ ସହିତ ଥିବା ୪୧୫୬ କିଲୋମିଟର ଦୀର୍ଘ ସୀମାରୁ  ୩୨୭୧ କିଲୋମିଟର ପର୍ଯ୍ୟନ୍ତ ବାଡ଼ ଲଗେଇ ସାରିଛି । ଏବଂ ପ୍ରାୟ ୮୮୫ କିଲୋମିଟର ସୀମାରେ ବାଡ଼ ନିର୍ମାଣ କରାଯାଇନାହିଁ ।

ଦିଲ୍ଲୀ ବିଧାନସଭା ନିର୍ବାଚନ, ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

ଦିଲ୍ଲୀ: ଆଜିଠୁ ଦିଲ୍ଲୀ ବିଧାନସଭା ପ୍ରଚାର ମଇଦାନକୁ ଓହ୍ଲାଇବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଉତ୍ତରପୂର୍ବ ଦିଲ୍ଲୀର ସିଲମପୁର ଅଞ୍ଚଳରେ କରିବେ ପ୍ରଚାର। ବଡ଼ଧରଣର ଜନସଭାରେ ଦେବେ ଉଦବୋଧନ। କଂଗ୍ରେସ ପକ୍ଷରୁ ଚାଲିଥିବା ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ଅଭିଯାନ ସ୍ବରୂପ ଦିଲ୍ଲାର ସିଲମପୁର ଅଞ୍ଚଳରେ ଜନସଭା କରାଯିବ। ଏଥିରେ ଦଳର ବହୁ ନେତା ଓ କର୍ମୀ ସାମିଲ ହେବେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏହା ହେବ ରାହୁଲଙ୍କ ପ୍ରଥମ ନିର୍ବାଚନ ସଭା।

ଗତକାଲି ଶିକ୍ଷିତ ଯୁବକଙ୍କ ଲାଗି କଂଗ୍ରେସ ଘୋଷଣା କରିଥିଲା ଯୁବା ଉଡ଼ାନ ଯୋଜନା। ଏହି ଯୋଜନାରେ କୌଣସି କମ୍ପାନୀ, କାରଖାନା ବା ସଂଗଠନରେ ପାରଦର୍ଶିତା ପ୍ରଦର୍ଶନ କଲେ ମିଳିବ ମାସିକ ୮ ହଜାର ୫୦୦ ଟଙ୍କା । ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପ୍ରାୟ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାରରେ ଆଗୁଆ ରହିଛି ଆମ ଆଦମୀ ପାର୍ଟି। ବିଭିନ୍ନ ସଭାରେ ଦଳର ବିଭିନ୍ନ କାର୍ଯ୍ଯକ୍ରମ ସମ୍ପର୍କରେ ସୂଚନା ଦେଉଛନ୍ତି ଆପ୍ ନେତା । ପୂର୍ବରୁ ଦିଲ୍ଲୀରେ ଦୁଇଟି କାର୍ଯ୍ୟକ୍ରମ କରି ଆପକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ।

ଗତ ନଭେମ୍ବରରେ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ହୋଇଥିଲା ଦିଲ୍ଲୀ ନ୍ୟାୟ ଯାତ୍ରା। ଭାରତ ଯୋଡ ଯାତ୍ରା ପରି ଏହି ଯାତ୍ରାକୁ ମିଳିଥିଲା ସମର୍ଥନ। ଡିସେମ୍ବର ୭ରେ ଏହି ଯାତ୍ରା ସରିଥିଲା। ଆସନ୍ତା ଫେବ୍ରୁଆରୀ ୫ରେ ହେବ ନିର୍ବାଚନ। ଫଳାଫଳ ଆସିବ ୮ରେ। ୨୦୧୫ ନିର୍ବାଚନରେ ଆପ ୬୭ ଆସନ ପାଇଥିବାବେଳେ ବିଜେପି ପାଇଥିଲା ୩ ଆସନ । ୨୦୨୦ ନିର୍ବାଚନରେ ଆପ ୬୨ ଆସନ ପାଇଥିବାବେଳେ ବିଜେପିକୁ ମିଳିଥିଲା ୮ ଆସନ। ଉଭୟ ନିର୍ବାଚନରେ କଂଗ୍ରେସ ଖାତା ଶୂନ ଥିଲା।

ଆଜି ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି, ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ରତ୍ନସିଂହାସନରେ ଶ୍ରୀଜିଉମାନେ ରାଜରାଜେଶ୍ୱର ବା ସୁନାବେଶରେ ବିଭୂଷିତ ହେବେ। ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ। ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ମହାଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ।

ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ। ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ ସହ ହରିଡ଼ାମାଳ, ବାହାଡା ମାଳି, ସେବତୀ ମାଳି, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ବିଭୂଷିତ ହେବେ।

ତେବେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଆଜି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଅର୍ଥାତ୍ ଆଜିର ଦିନରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି  ।

ଆଜିଠାରୁ ଆରମ୍ଭ ବିଶ୍ବପ୍ରସିଦ୍ଧ କୁମ୍ଭମେଳା, ୪୫କୋଟି ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବସ୍ଥା

ଉତ୍ତରପ୍ରଦେଶ: ଆଜିଠାରୁ ଆରମ୍ଭ ବିଶ୍ବପ୍ରସିଦ୍ଧ କୁମ୍ଭମେଳା। ଆସନ୍ତା ଫେବୃଆରୀ ୨୬ ଯାଏ ଉତ୍ସବ। କୁମ୍ଭମେଳା ଲାଗି ଏହି ସମୟ ମଧ୍ୟରେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ କୁମ୍ଭମେଳାକୁ ଆସିବା ଆଶା କରାଯାଉଛି। କୁମ୍ଭମେଳାକୁ ଦୁର୍ଘଟଣାବିହୀନ, ଶାନ୍ତିଶୃଙ୍ଖଳାରେ ଆୟୋଜନ କରିବା ଲାଗି ମୁତୟନ ହୋଇଛନ୍ତି ୩୦ ହଜାରରୁ ଅଧିକ ପୋଲିସ । ସମଗ୍ର କୁମ୍ଭମେଳା ଇଲାକାରେ ଲଗାଯାଇଛି ପ୍ରାୟ ୨ ହଜାର ୭୦୦ ଆର୍ଟିଫିସିଆନ ଇଣ୍ଟେଲିଜେନ କ୍ୟାମେରା । ଏହା ସହ ଅଣ୍ଡରୱାଟର ଡ୍ରୋନ ବ୍ୟବସ୍ଥା ବି ପ୍ରଥମ ଥର ଲାଗି କରାଯାଇଛି । ଗଙ୍ଗା, ଯମୁନା, ସରସ୍ବତୀଙ୍କ ସଂଗମ ସ୍ଥଳୀରେ ଆୟୋଜିତ ଉତ୍ସବରେ ସାମିଲ ହେଲେଣି ହଜାର ହଜାର ସାଧୁ, ସନ୍ଥ ଓ ଦେଶବିଦେଶର ଶ୍ରଦ୍ଧାଳୁ ।

ଭକ୍ତଙ୍କୁ ସୁରକ୍ଷା ଦେବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରୟାଗରାଜକୁ ପଡିଥିବା ସମସ୍ତ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ମହାକୁମ୍ଭ ନଗରକୁ ରଖାଯାଇଛି ସିକ୍ୟୁରିଟି ବଳୟରେ । ଅଧିକାଂଶ ରାସ୍ତାରେ ସର୍ଚ୍ଚ ଅପରେସନ କରାଯିବା ସହ ଗାଡି ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇଛି । ୧୦୨ଟି ଚେକ ପଏଣ୍ଟ ପ୍ରତିଷ୍ଠା କରାଯାଇଥିବାବେଳେ ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହା ସହ ଏନଡିଆରଏପ ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ବି ମୁତୟନ ହୋଇଛନ୍ତି । ୧୨୫ରୁ ଅଧିକ ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନସ ନିୟୋଜିତ ରହିଛି । କୁମ୍ଭମେଳା ଅବସରରେ ୧୩ ହଜାର ଟ୍ରେନର ବ୍ୟବସ୍ଥା କରାଯାଇଛି । ୧୪୪ ବର୍ଷ ପରେ ଏହି ମହାସଂଯୋଗ ଘଟିବାକୁ ଯାଉଛି । ଗୋଟିଏ ସ୍ଥାନରେ ଗୋଟିଏ ଘରେ ୪ଟି ଗ୍ରହ ଅର୍ଥାତ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଅବସ୍ଥାନ କରିବେ । ଏହି ସମୟରେ ସାହି ସ୍ନାନ କଲେ ବୈକୁଣ୍ଠ ପ୍ରାପ୍ତି ବିଶ୍ବାସ ରହିଛି । ଆସନ୍ତା ୧୪ରେ ସାହି ସ୍ନାନ ଲାଗି ପବିତ୍ର ଯୋଗ ରହିଛି ।

ବିଦା ହେବା ପରେ ବି ପିଛା ଛାଡୁନି ବିବାଦ: କାହା ସ୍ବାର୍ଥରେ ବୁଲୁଥିଲେ ଓଡ଼ିଶା? ଲାଟ୍ ସାହେବଙ୍କୁ କାଠଗଡାରେ ଠିଆ କଲା ବିଜେଡି

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ରାଜନୈତିକ ଉଦ୍ଦେଶ୍ୟର ଖୁଲାସା ହେବା ପରେ ବଢ଼ିଲା ବିବାଦ। କିପରି ସେ ବିଜେପିକୁ ଓଡ଼ିଶାରେ କ୍ଷମତାକୁ ଆଣିବା ପାଇଁ ରାଜନୈତିକ ଏଜେଣ୍ଟ ଭାବେ କାମ କଲେ, ତା ବିରୋଧରେ ବର୍ଷିଛି ବିଜେଡି । ରଘୁବରଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରି ବି ଗିରଫ ହୋଇନଥିବା ବିଜେଡି ଅଭିଯୋଗ କରିଛି । ସେହିପରି ପଦରେ ଥିବାବେଳେ ରଘୁବରଙ୍କ କାର୍ଯ୍ୟକଳାପ ଗଣତନ୍ତ୍ରକୁ ବିପଦରେ ପକାଇଥିବା ନେଇ ଅନ୍ୟ ରାଜନୈତିକ ଦଳ କହିଛନ୍ତି। ସେପଟେ ବିଜେପିର ଯୁକ୍ତି- ରଘୁବର ବିଜେପିରେ ଥିଲେ ଓ ବିଜେପିକୁ ଫେରିଲେ ।

ରାଜ୍ୟପାଳ ପଦରୁ ବିଦାୟ ପରେ ପୁଣି ବିବାଦରେ ରଘୁବର ଦାସ। ଓଡ଼ିଶାର ରାଜ୍ୟପାଳ ଥିବା ସମୟରେ ରଘୁବରଙ୍କ କାର୍ଯ୍ୟକଳାପ ବିଜେପିର ରାଜନୈତିକ ଏଜେଣ୍ଟ ଭାବେ ଥିଲା ବୋଲି ବାରମ୍ବାର ଉଠିଥିଲା ଅଭିଯୋଗ। ଝାଡ଼ଖଣ୍ଡରେ ପଦ୍ମ ଧରିବା ପରେ ବିବାଦ ହୋଇଛି ଅଧିକ ଘନୀଭୂତ। ରଘୁବରଙ୍କୁ ତଣ୍ଟିଆ ମାରିଲେ କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି । ୩୦ ଜିଲ୍ଲା ବୁଲି କଣ ଅଭିଯୋଗ ଶୁଣୁଥିଲେ ନା ବିଜେପି ପାଇଁ କାମ କରୁଥିଲେ ବୋଲି ଉଠୁଥିବା ପ୍ରଶ୍ନର ଉତ୍ତର ମିଳି ନଥିବା- କଟାକ୍ଷ କରିଛି ବିଜେଡି। ଯେଉଁ ଅଭିଯୋଗ ସବୁ ରଘୁବର ଶୁଣୁଥିଲେ, ତାହାର ତାଲିକା ମାଗିଛି ବିଜେଡି । ସେ ଓଡ଼ିଶା ରାଜ୍ୟପାଳ ଥିବା ସମୟରେ ତାଙ୍କ ପୁଅ ଓଡ଼ିଆ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଲେ । ହେଲେ କାର୍ଯ୍ୟାନୁଷ୍ଠାନ ହେଲାନି । ରଘୁବର ଲାଟ ସାହେବ ନୁହନ୍ତି ତ ଆଉ କଣ ବୋଲି ପ୍ରଶ୍ନ କରି ତାଙ୍କୁ ବିଜେଡି କାଠଗଡ଼ାରେ ଠିଆ କରିଛି । ବର୍ତ୍ତମାନ ରଘୁବରଙ୍କ ପୁଅଙ୍କୁ ତଦନ୍ତ ପରିସରକୁ ଆଣି ପୁଲିସ ପଚରା ଉଚରା କରୁ ବୋଲି ବିଜେଡି ଦାବି କରିଛି । ରଘୁବର କିପରି ନିରପେକ୍ଷ ବୋଲି ସିପିଆଇ ପ୍ରଶ୍ନ କରିଛି ।

କଂଗ୍ରେସ କଟାକ୍ଷ କରିଛି- ରଘୁବର ଦାସ ତ ବିଜେପିରେ ଥିଲେ, ବିଜେପିକୁ ଗଲେ। ବୋହୂଙ୍କୁ ବିଜେପିରୁ ଠିଆ କରାଇ ତାଙ୍କ ଲାଗି ପ୍ରଚାର କରି ସେ ଦଳ ପାଇଁ କାମ କରୁଥିବା ପ୍ରମାଣିତ କରିଥିଲେ। ରାଜ୍ୟପାଳ ଯେ କେନ୍ଦ୍ର ସରକାର ପାଇଁ ଏଜେଣ୍ଟ ଭାବେ କାମ କରୁଛନ୍ତି, ତାହା ରଘୁବର ପ୍ରମାଣିତ କରିଥିବା କଂଗ୍ରେସ କହିଛି। ସେପଟେ ବିଜେପି ବାଢ଼ିଛି ଅଜବ ଯୁକ୍ତି। ବ୍ୟକ୍ତି ଉପରେ ନିର୍ଭର କରେ ସେ ନିଜକୁ ଲାଟସାହେବ କି ସେବକ ଭାବୁଛି । ବିଜେପି ନେତା ବିଜେପିକୁ ଫେରିବାରେ ଅସୁବିଧା କଣ କହି ଅନେକ ସାମ୍ବିଧାନିକ ପ୍ରଶ୍ନ ଠିଆ କରିଛି ବିଜେପି । ସରକାରୀ ଦଳର ଏପରି ଉତ୍ତର ରାଜନୈତିକ ମହଲରେ ଗ୍ରହଣୀୟ ହୋଇନି । କେନ୍ଦ୍ରୀୟ ଯୋଜନା ସଂପର୍କରେ ପ୍ରଚାର କରିବା ପରି ବିଭିନ୍ନ କାର୍ଯ୍ୟକ୍ରମରେ ରଘୁବର ରାଜ୍ୟପାଳ ଥିବା ସମୟରେ ଲିପ୍ତ ଥିଲେ । ନିର୍ବାଚନ ପରେ ବିଜେପି ପାଇଁ କଣ୍ଟା ସାଜିଥିଲେ ରଘୁବର । ବହୁଚର୍ଚ୍ଚିତ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ରଘୁବର କେଁ ପୂରାଇଥିବା ସୂଚନା ମିଳିଛି । ଏଥିରେ କୁଳାଧିପତିଙ୍କ କ୍ଷମତା ସଂକୁଚିତ ହେଉଥିବାରୁ ଖୁସି ନଥିଲେ ରଘୁବର । ଯେଉଁଥି ପାଇଁ ବିଧାନସଭାରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ଉପସ୍ଥପାନ ହେବା ସତ୍ତ୍ବେ ଆଲୋଚନା ହୋଇ ପାରି ନଥିଲା ।

ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ ପାୟଲ: ପାରା ଆଥଲେଟରେ ଜିତିଲେ ଦୁଇଟି ସ୍ବର୍ଣ୍ଣ ପଦକ

ବଲାଙ୍ଗିର: ଜାତୀୟ ପାରା ଆଥଲେଟରେ ଚମକିଲେ ଓଡ଼ିଆ ଝିଅ। ବଲାଙ୍ଗୀର ଝିଅ ପାୟଲ ନାଗ ଦୁଇଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଜାତୀୟ ପାରା ଆଥଲେଟରେ ମେଡାଲ ହାସଲ କରି ବଲାଙ୍ଗୀର ସହ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି ପାୟଲ। ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ଜାତୀୟ ପାରା ତୀରନ୍ଦାଜୀ ଚାମ୍ପିଅନସିପ ମହିଳା ଇଭେଣ୍ଟରେ ଦୁଇଟି ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି ପାୟଲ ନାଗ । ଏକଦା ବାପା-ମାଆଙ୍କ ସହ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତ ଗୋଡ ହରାଇଥିଲେ । ସେତେବେଳେ ପାୟଲଙ୍କୁ ସହାୟ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପାୟଲଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ । ପାୟଲଙ୍କ କୃତ୍ରିମ ହାତ ଗୋଡ଼ ଲଗାଇବା ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ବଲାଙ୍ଗୀରର ତତ୍କାଳୀନ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତତ୍କାଳୀନ ଜିଲ୍ଲାପାଳ ପାୟଲଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ସହ ତୀରନ୍ଦାଜୀ ଖେଳିବାକୁ ପ୍ରବର୍ତ୍ତାଇଥିଲେ ।

ବଲାଙ୍ଗୀରର ଜିଲ୍ଲା ପ୍ରଶାସନ ସହଯୋଗରେ ପାୟଲ ପଥରଚେପା ବାଳନିକେତନରେ ରହି ତୀରନ୍ଦାଜୀ ପ୍ରଶିକ୍ଷଣ ନେଇଥିଲେ । ବାଲ୍ ନିକେତନରେ ରହିବା ସମୟରେ ପାୟଲର ଅଦ୍ଭୂତ ପ୍ରତିଭା ଦେଖି ତତ୍କାଳୀନ ଜିଲ୍ଲାପାଳ ଚଞ୍ଚଳ ରାଣା ପାୟଲକୁ ଜାତୀୟସ୍ତରରେ ଖେଳିବା ପାଇଁ ଜାମ୍ମୁ କାଶ୍ମୀର ପ୍ରଶିକ୍ଷଣ ପାଇଁ ପଠାଇଥିଲେ । 2023ରୁ ପାୟଲ ଜାମ୍ମୁ କାଶ୍ମୀରର କଟ୍ରା ଠାରେ ତୀରନ୍ଦାଜୀ ତାଲିମ୍ କେନ୍ଦ୍ରରେ ତାଲିମ୍ ଗ୍ରହଣ କରୁଛନ୍ତି । ପାୟଲଙ୍କ ଘର ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଯମୁନାବାହାଲ ଗ୍ରାମରେ । ବାପା ବିଜୟ ନାଗ ଓ ମା ଜନତା ନାଗ ୨୦୧୫ରେ ଦାଦନ ଖଟିବାକୁ ରାୟପୁରକୁ ଯାଇଥିଲେ । ସେତେବେଳେ ପାୟଲଙ୍କ 8 ବର୍ଷ ହୋଇଥିଲା । ବାପାମାଆ ଏକ କୋଠାରେ କାମ କରୁଥିବା ସମୟରେ ସେହି କୋଠା ଉପର ଦେଇ ଯାଇଥିବା ଏକ ହାଇଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ପାୟଲ। ହସ୍ପିଟାଲରେ ଚିକିତ୍ସା ହୋଇ ସୁସ୍ଥ ହୋଇଥିଲେ ମଧ୍ୟ ପାୟଲ ଦୁଇ ହାତ ଓ ଗୋଡ ହରାଇଛନ୍ତି। ଆଜି ସେଦିନର ଦାଦନ ଶିଶୁ ଜାତୀୟସ୍ତର ତୀରନ୍ଦାଜୀ ପ୍ରତିଯୋଗିତାରେ ଦୁଇଟି ସ୍ଵର୍ଣ୍ଣ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ପାୟଲ ଖାଲି ଖେଳରେ ପ୍ରତିଭା ରହିନାହିଁ ପାଟିରେ ତୁଳୀ ଧରି ଚିତ୍ର ମଧ୍ୟ ଆଙ୍କି ପାରୁଛନ୍ତି।