spot_img
Home Blog Page 1417

ରାଜଧାନୀରେ “ରନ୍‌ ଫର ୟୁନିଟି” କାର୍ଯ୍ୟକ୍ରମ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ “ରନ୍‌ ଫର ୟୁନିଟି” କାର୍ଯ୍ୟକ୍ରମ । ଭାରତର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଜୀବନ ସମର୍ପି ଦେଇଥିବା ତଥା ଭାରତର ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଏବଂ ସମ୍ମାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏକତା ଦୌଡରେ ଫିଟନେସର ମନ୍ତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଏକତା ଦୌଡ଼ କାର୍ଯ୍ୟକ୍ରମରେ ଦୌଡ଼ିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଓ ସଚିବ । କଳିଙ୍ଗ ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇଥିବା ଏହି ଦୌଡ଼ ଗଭର୍ଣ୍ଣର ହାଉସ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ଫେରିଥିଲା କଳିଙ୍ଗ ଷ୍ଟାଡିୟମ୍ । ଦୌଡରେ ୨ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ପ୍ରଥମେ କଳିଙ୍ଗ ଷ୍ଟାଡିୟମରେ ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ରରେ ଫୁଲ ଦେଇ ପ୍ରଦୀପ ପ୍ରଜ୍ବଳନ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଖଣ୍ଡ ଭାରତ ଗଠନ ପାଇଁ ଶପଥ ନେଇଥିଲେ ଅଂଶଗ୍ରହଣକାରୀ।

ମହାରାଷ୍ଟ୍ର ରାଜନୀତିରେ ହଟଚମଟ; ପଦାରେ ପଡିଲା ମହାରାଷ୍ଟ୍ର ମହାୟୁତିରେ କଳି

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ପଦାରେ ପଡିଲା ବିଜେପି, ଶିବସେନା ଓ ଏନସିପି ମଧ୍ଯରେ ଫାଟ। ବିଜେପିରୁ ଟିକେଟ ପାଇବାର କିଛି ଘଣ୍ଟା ପରେ ଶିବସେନାରେ ସାମିଲ ହୋଇ ଟିକେଟ ପାଇଛନ୍ତି ଜଣେ ପ୍ରାର୍ଥୀ। ଏବେ ଶିବସେନା ପ୍ରାର୍ଥୀ ସାଇନା ଏନସିଙ୍କୁ ନେଇ ଚାଲିଛି ଚର୍ଚ୍ଚା। ମୁମ୍ବାଇ ଅନ୍ତର୍ଗତ ମୁମ୍ବାଇଦେବୀ ବିଧାନସଭା ଆସନରୁ ସାଇନାଙ୍କୁ ବିଜେପି ପକ୍ଷରୁ ଟିକେଟ ଦିଆଯାଇଥିଲା। ସେ ଜଣେ ଫ୍ଯାସନ ଡିଜାଇନର। ସେ ଓରଲି ଆସନ ଲାଗି ଆଶାୟୀ ଥିଲେ। ମାତ୍ର ତାଙ୍କୁ ଟିକେଟ ନଦେଇ ରାଜ୍ଯସଭା ସାଂସଦ ମିଲିନ୍ଦ ଦେଓରାଙ୍କୁ ଟିକେଟ ଦେଇଥିଲା ବିଜେପି।

ମୁମ୍ବାଇଦେବୀ ଆସନ ଲାଗି ସାଇନାଙ୍କୁ ବିଜେପି ଟିକେଟ ଦେଇଥିଲା। ମାତ୍ର ବିଜେପି ଟିକେଟ ପାଇବା ପରେ ସେ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାରେ ସାମିଲ ହୋଇ ଟିକେଟ ହାତେଇଥିଲେ। ସେହିପରି କନ୍ନାଦ ଆସନରେ ବି ସଞ୍ଜନା ଯାଦବ ପ୍ରଥମେ ବିଜେପି ଟିକେଟ ପାଇଥିଲେ ବି ଶିବସେନାରେ ସାମିଲ ହୋଇ ଟିକେଟ ପାଇଥିଲେ।

କେରଳ ନୀଳେଶ୍ବରମରେ ବାଣ ବିସ୍ଫୋରଣ, ୧୫୦ରୁ ଅଧିକ ଭକ୍ତ ଆହତ

ନନ୍ଦିଘୋଷ ବ୍ୟୁରୋ:  କେରଳ ନୀଳେଶ୍ବରମରେ ବଡ ଅଘଟଣ। ବୀରାକାଭୁ ମନ୍ଦିରରେ ଉତ୍ସବ ପାଳନ ବେଳେ ବାଣ ବିସ୍ଫୋରଣ। ଏଥିରେ ୧୫୦ରୁ ଅଧିକ ଭକ୍ତ ଆହତ ହୋଇଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି ।  ଆହତ ବ୍ଯକ୍ତିମାନଙ୍କୁ କାସରଗଡ, କାନ୍ନୁର ଓ ମାଙ୍ଗାଳୁରୁର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଉତ୍ସବ ପାଳନ ବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

କେରଳ ବୀରାକାଭୁ ମନ୍ଦିରର ମହୋତ୍ସବରେ ଆତସବାଜି ଭଣ୍ଡାରରେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା । ଏହି କାରଣରୁ ସେଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଏତେ ଭୟାନକ ଥିଲା ଯେ, ଏଥିରେ ୧୫୦ ଲୋକ ଆହତ ହୋଇଥିଲେ । ଦୁର୍ଘଟଣାର ତୁରନ୍ତ ଆହତମାନଙ୍କୁ କାସାରାଗୋଡ, କନ୍ନୁର ଏବଂ ମଙ୍ଗଲୁରୁ ଡାକ୍ତରଖାନା ନିଆଯାଇଥିଲା। ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେକ୍ଟର ଏବଂ ଜିଲ୍ଲା ପୋଲିସ ମୁଖ୍ୟଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଭାବିତ ଲୋକଙ୍କୁ ପାଇଁ ତୁରନ୍ତ ଚିକିତ୍ସା ଯୋଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୀରାକାଭୁ ମନ୍ଦିର ନିକଟରେ ଥିବା ଏକ ଦୋକାନରୁ ଅଗ୍ନିକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। ସେଠାରେ ହଠାତ୍ ନିଆଁ ଲାଗିଗଲା, ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା ​​|

ସୂଚନାନୁସାରେ ଅଞ୍ଜୁତବାଲାମ ବୀରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ପର୍ବ ପାଳନ କରାଯାଉଥିଲା। ପର୍ବ ପାଇଁ ଆତସବାଜି ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା  । ଏହାକୁ ଏକ ଭଣ୍ଡାରରେ ସୁରକ୍ଷିତ ମଧ୍ୟ ରଖାଯାଇଥିଲା  । ଏହି ସମୟରେ, ହଠାତ୍ ରାତି ୧୨.୩୦ ରେ ଷ୍ଟୋରେଜରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା  । ସେଠାରେ ସବୁ ଆତସବାଜି ଗୋଟିଏ ପରେ ଗୋଟିଏ ଫୁଟିବା ଆରମ୍ଭ କରିଥିଲେ । ହେଲେ ଷ୍ଟୋରେଜରେ ଏଭଳି ଘଟଣା କାହିଁକି ଗଟିଲା ତାହା ଅସ୍ପଷ୍ଟ ​​ ସେହି ସମୟରେ ସେଠାରେ ବହୁ ସଂଖ୍ୟାରେ ଲୋକ ମଧ୍ୟ ଉପସ୍ଥିତ ଥିଲେ। ଭିଡ଼ ଭିତରେ ଥିବା ଲୋକମାନେ ଏହି ନିଆଁର ଭିଡିଓ କରୁଥିବା ବେଳେ ନିଆଁ ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି । ନିଆଁ ଏତେ ଭୟଙ୍କର ଥିଲା ଯେ କିଛିକ୍ଷଣ ମଧ୍ୟରେ ୧୫୦ରୁ ଅଧିକ ଲୋକ ଆହତ ହୋଇଯାଇଥିଲେ । ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ୮ଜଣଙ୍କର ଅବସ୍ଥା ଗୁରୁତର ରହିଛି ।ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ବେଳେ ଆହତମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜଗା ଦର୍ଶନ ସାରି ଫେରୁଥିବା ବେଳେ ହବିଷ୍ୟାଳି ମୃତ

ଟାଙ୍ଗୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଟ୍ରକକୁ ପଛପଟୁ ଧକ୍କା ଦେଲା ଅଟୋ। ଦୁର୍ଘଟଣାରେ ଜଣେ ହବିଷ୍ୟାଳି ମୃତ। ଅଟୋ ଚାଳକ ସମେତ ୫ ଗୁରୁତର। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଘଟିଛି ଦୁର୍ଘଟଣା। ଜଗା ଦର୍ଶନ ସାରି ପୁରୀରୁ ଅଟୋରେ ଫେରୁଥିଲେ ହବିଷ୍ୟାଳି।

ମୃତ ହବିଷ୍ୟାଳି ୫୫ବର୍ଷୀୟ ସ୍ନେହ ମଞ୍ଜରୀ ମିଶ୍ର। ଘର ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।

ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋମବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଶିଳ୍ପା ଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲିଙ୍ଗରାଜ ମନ୍ଦିରକୁ ମୋବାଇଲ ବାରଣ କରାଯାଇଥିବା ବେଳେ ବଲିଉଡ ଷ୍ଟାର କିଭଳି ବେଢ଼ା ଭିତରକୁ ମୋବାଇଲ ନେଲେ ଆଉ ଫଟୋ ଉଠାଇଲେ ସେନେଇ ବିବାଦ ଉଠିଛି ।

ଲିଙ୍ଗରାଜ ମନ୍ଦିର ଭିତରକୁ ଯିବା ବେଳେ ତାଙ୍କର ଯାଞ୍ଚ ହୋଇନଥିଲା କି। ନା ସେଲିବ୍ରିଟିଙ୍କ ପାଇଁ ଅଲଗା ନିୟମ । କୁହାଯାଉଛି ଶିଳ୍ପାଙ୍କ ସହ ଫଟୋରେ ଥିବା ବ୍ୟକ୍ତି ଜଣକ ଜଣେ ସେବାୟତ । ଲିଙ୍ଗରାଜ ମନ୍ଦିରରେ ବାରମ୍ବାର ଏଭଳି ଆଇନର ଉଲ୍ଲଙ୍ଘନ ହେଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି।

ଆଜିଠୁ ଆୟୁଷ୍ମାନ ଭାରତ ପାର୍ଟ-୨; ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ଆୟୁଷ୍ମାନ ଯୋଜନା ଦ୍ବିତୀୟ ପର୍ଯ୍ୟାୟ। ସାରା ଦେଶରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଦ୍ଵିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବେ। ଏହି ଯୋଜନାକୁ ଓଡ଼ିଶା ଗ୍ରହଣ କରିବ ବୋଲି ଜଣାପଡିଛି। ଏ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ଯ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆୟୁଷ୍ମାନ ଭାରତ ଯୋଜନାର ମୋଡାଲିଟି ପ୍ରସ୍ତୁତ କରାଗଲେ ଓଡ଼ିଶାରେ ଏହା ଲାଗୁ ହେବ। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ବିଜେଡି ସରକାରଙ୍କ ବିଏସକେୱାଇର ନାମ ପରିବର୍ତ୍ତନ କରି ଗୋପବନ୍ଧୁ ଆରୋଗ୍ୟ ଯୋଜନା ନାଁରେ ନାମିତ କରିଥିଲେ। ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାକୁ ଗୋଟିଏ କାର୍ଡ କରିବାକୁ ବିଜେପି ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଏଯାଏ ଏହା ଘୋଷଣାରେ ରହିଯାଇଛି।

ଯାହାକୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ । ଗରିବ ଲୋକଙ୍କ ସ୍ବାସ୍ଥ୍ଯ ଓ ଜୀବନ ସହ ନ ଖେଳିବାକୁ ଚେତାଇ ଦେଇଛି ବିଜେଡି । ବିଜୁ ସ୍ୱାସ୍ଥ୍ୟ କାର୍ଡ ସୁବିଧା ଲୋକେ ଯେମିତି ପାଉଥିଲେ ସେମିତି ପାଆନ୍ତୁ ବୋଲି ବିଜେଡି ଦାବି କରିଛି । ଆୟୁଷ୍ମାନ ଯୋଜନା ଲାଗୁ ନହେବା ପର୍ଯ୍ୟନ୍ତ ପୂର୍ବ ସରକାରଙ୍କ ଯୋଜନା ଜାରି ରହୁ ବୋଲି କହିଛି ବିରୋଧୀ କଂଗ୍ରେସ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳୁଥିବା ବେଳେ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ମିଳୁଥିଲା । ଏଥିପାଇଁ ବର୍ଷକୁ ୬ହଜାର କୋଟି ଟଙ୍କା ଚିକିତ୍ସା ଖର୍ଚ୍ଚ ମୁଣ୍ଡାଉଥିଲେ ରାଜ୍ୟ ସରକାର । ୨୦୧୮ ମସିହାରୁ ନବୀନ ସରକାର ଏହି ବୈପ୍ଲବିକ ସ୍ବାସ୍ଥ୍ୟ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏହାକୁ ନେଇ ଅନେକ ସମୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ଓ ଆୟୁଷ୍ମାନ ଯୋଜନାର ସୁବିଧା କଥା ବି ବିତର୍କର ବିଷୟ ପାଳଟିଥିଲା । ଖୁବ ଶୀଘ୍ର ମୋଡାଲିଟି ପ୍ରସ୍ତୁତ କରି ତୁରନ୍ତ ବିଜେପି ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ବୋଲି ବିଜେଡି ଦାବି କରିଛି।

 

ପୁଣି ମଧ୍ଯପ୍ରାଚ୍ଯ ଅଶାନ୍ତ, ପାଲଟା ଆକ୍ରମଣ କରିପାରେ ଇରାନ

ନନ୍ଦିଘୋଷ ବ୍ୟୁରୋ: ଇରାନ ଉପରେ ଏୟାର ଷ୍ଟ୍ରାଇକ ପରେ ବିଚଳିତ ଇସ୍ରାଏଲ। କେତେବେଳେ ବି ପୁଣି ପାଲଟା ଆକ୍ରମଣ କରିପାରେ ଇରାନ। ଏଥର ଯୋଜନାବଦ୍ଧ ଭାବେ ଋଣନୀତି ସହ ଇରାନ ଆକ୍ରମଣ କରିପାରେ। ଏହି ଭୟ ଏବେ ଇସ୍ରାଏଲକୁ ଘାରିଛି। ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ଯାହୁଙ୍କ ବାସଭବନ ନିକଟରେ ଏକ ପଡ଼ିଆରେ ପଡିଥିଲା ରକେଟ। ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲା ନେତନ୍ଯାହୁଙ୍କ ବାସଭବନ। ଇରାନ ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ କରିବା ସମ୍ଭାବନା ରହିଛି।

ଇରାନ ଉପରେ ଇସ୍ରାଏଲ ହମଲାରେ ଅନେକ ପ୍ରତିରକ୍ଷା ପ୍ରତିଷ୍ଠାନ ନଷ୍ଟ ହୋଇଯାଇଛି। ଇରାନର ରାଡାର ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ପୁରା ଛାରଖାର ହୋଇଯାଇଛି। ଇରାନର ଯାହା କ୍ଷୟକ୍ଷତି ହୋଇଛି ତାଙ୍କୁ ଇସ୍ରାଏଲର ସାମନା କରିବା କଷ୍ଟକର ହୋଇପଡିବ। ଏହା ପରେ ମଧ୍ୟ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବା ସମ୍ଭାବନା ରହିଛି। ଆକ୍ରମଣରେ ଆମେରିକା ସାଥ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ଯାହୁ।

ମହାବାତ୍ୟାକୁ ପୂରିଲା ୨୫ ବର୍ଷ…ଏବେବି ସେ କାଳରାତି କଥା ମନେପଡିଲେ ଥରିଉଠେ ଛାତି ..

ନନ୍ଦିଘୋଷ ବ୍ୟୁରୋ: ମହାବାତ୍ଯାକୁ ପୂରିଲା ୨୫ ବର୍ଷ। ୧୯୯୯ ଅକ୍ଟୋବର ୨୯ ମହାତାଣ୍ଡବର ଲୋମହର୍ଷକ ସ୍ମୃତି ଏବେ ବି ଥରାଇଦେଉଛି ଛାତି। ସାରା ରାଜ୍ଯର ମେରୁଦଣ୍ଡ ଭାଙ୍ଗିଦେଇଥିବା ଏହି ସୁପରସାଇକ୍ଲୋନରେ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିଲା ଉପକୂଳ ଓଡ଼ିଶା। ପ୍ରଳୟ ସ୍ରୋତରେ ଲୀନ ହୋଇଯାଇଥିଲେ ୧୦ ହଜାରରୁ ଅଧିକ ଲୋକ। ସରକାରୀ ରିପୋର୍ଟରେ ୧୦ ହଜାର କୁହାଯାଉଥିଲେ ବି ଏହି ମୃତ୍ଯୁସଂଖ୍ଯା ଯଥେଷ୍ଟ ଅଧିକ ବୋଲି କୁହାଯାଏ। ଘଣ୍ଟାପ୍ରତି ୨୬୦ରୁ ଅଧିକ କିଲୋମିଟର ବେଗରେ ପବନ ବହିବା ସହ ଭୂପତିତ ହୋଇଥିଲା ଲକ୍ଷ ଲକ୍ଷ ଗଛ। ଏହି ଆକସ୍ମିକ ପ୍ରଳୟ ଲାଗି ପ୍ରସ୍ତୁତ ନଥିଲେ ଓଡ଼ିଶାବାସୀ। ଓଡ଼ିଶା ଇତିହାସରେ ଏହି ଲୋମହର୍ଷକ ବାତ୍ଯା ଆଜି ବି ଆଣେ ଛନକା।

ସେଦିନ ଥିଲା ୧୯୯୯ ମସିହା, ଅକ୍ଟୋବର ୨୫ ତାରିଖ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ। ଧୀରେ ଧୀରେ ତାହା ସମୁଦ୍ରରେ ଅଧିକ ଘନୀଭୂତ ହେବାରେ ଲାଗିଲା। ୨୮ ତାରିଖ ରାତିରୁ ପ୍ରଭାବ ପକାଇବା ଆରମ୍ଭ କରିଥିଲା । ବୋହିବାକୁ ଲାଗିଥିଲା ସୁଲୁସୁଲିଆ ପବନ। ଆଉ ପରଦିନ ଅର୍ଥାତ୍‌ ୨୯ ତାରିଖ ଦିନ ଉପକୂଳ ଓଡ଼ିଶାରେ ପ୍ରଳୟ ରଚିଥିଲା ଏହି ସାମୁଦ୍ରିକ ଝଡ । ଓଡିଶା ଉପକୂଳର ଜଗତସିଂହପୁରରେ ଲ୍ୟାଣ୍ଡଫଲ୍‌ କରିଥିଲା । ୨୯ ସକାଳ ୧୦.୩୦ ରେ ଜଗତସିଂହପୁରର ଏରସମା-ବାଲିକୁଦାରେ ହିଟ୍‌ କରିଥିଲା ବାତ୍ୟା।

ବାତ୍ୟା ସାଙ୍ଗକୁ ୩୫୦କିମିରେ ବୋହିଥିଲା ପବନ ଯାହା ବିପର୍ଯୟର ମୂଳ କାରଣ ପାଲଟିଥିଲା । ବାତ୍ୟାରେ ୨କିମି ପର୍ଯ୍ୟନ୍ତ ମାଡିଆସିଥିଲା ସମୁଦ୍ର ଜୁଆର । ଜୁଆର ପାଣିରେ ଭାସିଯାଇଥିଲା ହଜାର ହଜାର ନିରୀହଙ୍କ ଘର । ୩୬ଘଣ୍ଟାର ବାତ୍ୟାର ତାଣ୍ଡବରେ ଧ୍ବଂସ ହେଇଯାଇଥିଲା ଉପକୂଳ ଓଡିଶା । ଛାରଖାର ହୋଇଯାଇଥିଲା ଗାଁ ଗଣ୍ଡା ଓ ଘରଦ୍ୱାର।ବାତ୍ୟା ଉପକୂଳ ଓଡିଶା ସମେତ ରାଜ୍ୟର ମୋଟ ୧୨୮ଟି ବ୍ଲକରେ ବ୍ୟାପକ କ୍ଷତି ଘଟାଇଥିଲା । ପାଖାପାଖି ୨ କୋଟି ଲୋକ ପ୍ରଭାବିତ ହୋଇଥିଲେ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ ଜିଲ୍ଲାରେ ଦେଢ ଲକ୍ଷରୁ ଅଧିକ ବାସହରା ହୋଇ ପଡ଼ିଥିଲେ। ଆଉ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଆକଳନ ଅନୁଯାୟୀ ୪ଲକ୍ଷରୁ ଉର୍ଦ୍ଧ୍ବ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିଲା ।୯ଲକ୍ଷରୁ ଉର୍ଦ୍ଧ୍ବ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଥିଲା । ଚାଷୀକୂଳଙ୍କ ମେରୁଦଣ୍ଡ ଦୋହଲିଯାଇଥିଲା ।

ଚାରିଆଡ଼େ ଦେଖିବାକୁ ମିଳିଥିଲା ବାତ୍ୟାର ପଦଚିହ୍ନ। କିଏ ସ୍ୱାମୀକୁ, କିଏ ସ୍ତ୍ରୀ ତ ଆଉ କିଏ ବାପା ଓ ମାଆକୁ ହରାଇଥିଲା। କଇଁ କଇଁ କାନ୍ଦୁଥିଲା ବାତ୍ୟା ପ୍ରଭାବିତ, ଆଖି ଆଗରେ ପ୍ରିୟଜନଙ୍କ ପ୍ରାଣ ନେଇଯାଇଥିଲା ମହାବାତ୍ୟା। ମାଆ ଆଗରେ ଚାଲିଗଲା ପୁଅ, ବାପା ଆଗରେ ଚାଲିଗଲା ଝିଅ। ସ୍ଥିତି ଏମିତି ହୋଇଥିଲା ଯେ, ଗଛ ଉପରେ ତ ପାଣି ଭିତରେ ଯୁଆଡ଼େ ଦେଖିବେ କେବଳ ଶବ ହିଁ ଶବ। ଆଉ ଆଜି ମହାବାତ୍ୟାକୁ ପୂରିଛି ୨୫ବର୍ଷ।

ମହାବାତ୍ଯା ପରଠାରୁ ସଜାଗ ହୋଇଥିଲା ଓଡ଼ିଶା। ଗତ ୨୫ ବର୍ଷ ମଧ୍ଯରେ ରାଜ୍ଯରେ ଦେଖାଯାଇଛି ଅନେକ ବିପର୍ଯ୍ୟୟ। ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତଲି, ୨୦୧୯ରେ ଫନି ଓ ବୁଲବୁଲ୍, ୨୦୨୦ରେ ଅମ୍ଫନ, ୨୦୨୧ରେ ୟାସ, ଗୁଲାବ ଓ ଜବାଦ ଏବଂ ଚଳିତ ବର୍ଷ ଦାନା ରାଜ୍ଯ ଲାଗି ଆଣିଛି ଅନେକ ଚ୍ୟାଲେଞ୍ଜ। ଆଜି ବାତ୍ୟା ମୁକାବିଲା କ୍ଷେତ୍ରରେ ଓଡିଶା ସାରା ଦେଶରେ ଏବେ ରୋଲମଡେଲ ରାଜ୍ୟ ହୋଇପାରିଛି । ଆଜି  ଓଡିଶା ଜିରୋ-କାଜୁଆଲିଟି ମୋଡରେ ବିପର୍ଯ୍ୟୟର ମୁକାବିଲା କରିପାରୁଛି । ପ୍ରତିବର୍ଷ ଓଡିଶାକୁ ବାତ୍ୟା ଆସୁଥିଲେ ମଧ୍ୟ ମଜବୁତ କବାଟ ହେଇ ଓଡିଶା ତାର ସାମ୍ନା କରୁଛି । ଓଡିଶା ସରକାରଙ୍କର ଉନ୍ନତ କୌଶଳ ଓ ଚିନ୍ତାଧାର ପାଇଁ ଆଜି ଓଡିଶା ଏହାର ମୁକାବିଲା କରିପାରୁଛି । ଏହା ସତ୍ତ୍ବେ ମଧ୍ୟ ଆଜିବି ବାତ୍ୟା ଆସିବାର ସୂଚନା ମିଳିଲେ ଶୀତେଇ ଉଠେ ଦେହ ଏବଂ ପାଟିରୁ ବାହାରିଆସେ ହେ ପ୍ରଭୁ ଏମିତି ବାତ୍ୟା କେବେ ନଆସୁ  ।

ଆଜି ଧନତେରାସ, ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ !

ଭୁବନେଶ୍ବର: ଆଜି ଧନତେରାସ। ସୁନା କିଣିବାକୁ ଅଳଙ୍କାର ଦୋକାନରେ ଲାଗିବ ଗହଳି। ଧନତେରାସରେ ଦିନ ଘରକୁ ସୁନା ଅଳଙ୍କାର ନେଲେ ମା’ ଲକ୍ଷ୍ମୀ ବିରାଜମାନ ହେବା ବିଶ୍ବାସ ରହିଛି। ସେଥିପାଇଁ ଅଳଙ୍କାର ଦୋକାନ ମାନଙ୍କରେ ଆଜି ପ୍ରବଳ ଭିଡ଼ ଲାଗିବ। ଗ୍ରାହକଙ୍କୁ ଆକୃଷ୍ଠ କରିବାକୁ ସୁନା ବ୍ୟବସାୟୀମାନେ ନୂଆ ଡ଼ିଜାଇନ୍ ସହିତ ଆକର୍ଷଣୀୟ ଅଫର ମଧ୍ୟ ରଖିଛନ୍ତି। କିଛି ଅଳଙ୍କାର ଦୋକାନୀ ଗଢା ମଜୁରୀ ଉପରେ ରିହାତି ପ୍ରଦାନ କରୁଥିବାବେଳେ ହୀରା ଅଳଙ୍କାର କ୍ରୟ ଉପରେ ସ୍ଵତନ୍ତ୍ର ଅଫର ରହିଛି। ସେହିପରି ପ୍ଲାଟିନମ୍ ଅଳଙ୍କାରର ମେକିଂ ଚାର୍ଜରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ରହିଛି।

ବିଶେଷକରି ଆଣ୍ଟିକ୍ ଡ଼ିଜାଇନ୍ ପାଲଟିଛି ଗ୍ରାହକଙ୍କ ପ୍ରଥମ ପସନ୍ଦ। ଏବର୍ଷ ସୁନା ଦର ଗତବର୍ଷ ତୁଳନାରେ ଅଧିକ ରହିଛି। ଦର ବଢିଥିଲେ ମଧ୍ୟ ଦୋକାନରେ ଲାଗୁଛି ପ୍ରବଳ ଭିଡ଼। ସେପଟେ ଆଗକୁ ବିବାହ ଋତୁ ଥିବାରୁ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ଗହଣା ବ୍ୟବସାୟୀ। ଏ ବର୍ଷ ଧନତେରସ ପାଇଁ ହିଁ ରାଜ୍ୟର ସୁନା ଗହଣା ପ୍ରତିଷ୍ଠାନଗୁଡ଼ିକ ପାଖାପାଖି ୧୦ କ୍ୱିଣ୍ଟାଲ୍ରୁ ଅଧିକ ପରିମାଣର ନୂଆ ସୁନା ଗହଣା ଆଣିଛନ୍ତି। ଆଜି ଧନତେରସରେ ହିଁ ଅଢ଼େଇରୁ ୩ କ୍ୱିଣ୍ଟାଲ୍ ସୁନା ଗହଣା ବିକ୍ରି ହେବାର ଲକ୍ଷ୍ୟ ରଖିଛନ୍ତି ବ୍ୟବସାୟୀ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରର ଶେଷ ସପ୍ତାହ, କମଳା ହାରିସଙ୍କ ଜୋରଦାର ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରର ଏହା ଶେଷ ସପ୍ତାହ। ଆସନ୍ତା ନଭେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ରେସରେ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କ ସହ ପୂର୍ବତନ ରାଷ୍ଟ୍ରପତି ତଥା କମଳାଙ୍କ ପ୍ରତିନ୍ଦ୍ବନ୍ଦ୍ଵୀ ଡୋନାଲ୍ଡ ଟ୍ରମ୍ପଙ୍କର ହେବ କଡା ଟକ୍କର। ହାତରେ ଆଉ ମାତ୍ର କିଛି ଦିନ ରହିଥିବାରୁ ଉଭୟ ପ୍ରାର୍ଥୀ ଜୋରସାର ପ୍ରଚାର ଚଳାଇଛନ୍ତି। ଡେମୋକ୍ରେଟିକ ପ୍ରାର୍ଥୀ କମଳା ହାରିସଙ୍କ ପାଇଁ ପ୍ରଚାର କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ ୱବାମା। ସେପଟେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଅନେକ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଭୋଟ ମାଗିଥିଲେ।

କମଳା ହାରିସ ପେନସିଲଭାନିଆରେ ଏକ ରାଲି କରିଥିଲେ।ଆମେରିକାର ପେନସିଲଭାନିଆ ସ୍ଵିଙ୍ଗ୍ ଷ୍ଟେଟ୍ ଭାବେ ପରିଚିତ। ଏଠାକାର ଭୋଟ କେତେବେଳେ ବି ବଦଳିଯିବା ସମ୍ଭାବନା ରହିଛି। ସେଥିଲାଗି ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଏଠାରେ ଜୋରଦାର ପ୍ରଚାର କରିଛନ୍ତି। ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ। ସେପଟେ କମଳା ହାରିସଙ୍କ ସମର୍ଥନରେ ଭାରତୀୟ ବଂଶଦ୍ଭବ ଭୋଟ କମିଥିବା ଜଣାପଡିଛି। ଭାରତୀୟଙ୍କ ଭୋଟ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନରେ ଅଧିକ ରହିଛି।