spot_img
Home Blog Page 1416

ଗତ ତିନି ଦିନ ଧରି ଚାଲିଥିବା ପ୍ରବାସୀ ଭାରତୀୟ ସମ୍ମେଳନ ଉଦଯାପିତ

ଭୁବନେଶ୍ବର : ଉଦଯାପିତ ହେଲା ପ୍ରବାସୀ ଭାରତୀୟ ସମ୍ମେଳନ। ପ୍ରବାସୀମାନେ ଓଡିଶା ବିକାଶରେ ହୁଅନ୍ତୁ ଭାଗିଦାରୀ। ଅପିଲ କଲେ ରାଷ୍ଟ୍ରପତି ଦୈପଦୀ ମୁର୍ମୁ । ଉଦଯାପନୀ ସମ୍ମେଳନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ପ୍ରବାସୀ ଓଡିଆ ଲୋକଙ୍କୁ ଧନ୍ଯବାଦ ଜଣାଇବା ସହ ୨୩ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରିଛନ୍ତି। ଏଥିସହିତ ପ୍ରବାସୀଙ୍କ ସଫଳ କାହାଣୀ ବିଶ୍ୱବାସୀଙ୍କୁ ଅଭିଭୂତ କରିଛି ଏବଂ ଆଗାମୀ ଦିନରେ ପ୍ରତ୍ଯେକ ଓଡିଆଙ୍କ ପାଇଁ ଆଦର୍ଶ ହେବ ବୋଲି ସେ କହିଛନ୍ତି। ସେହିଭଳି ମୁଖ୍ଯମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ସମ୍ମିଳନୀ ହୃଦୟର ମିଳନ, ନୂଆ ନୂଆ ଚିନ୍ତାଧାରା ଓ ଭାବର ଆଦାନପ୍ରଦାନ ପାଇଁ ସ୍ମରଣୀୟ ରହିବ। ଏହି ସମ୍ମିଳନୀ ଜରିଆରେ ଓଡିଶା ସାରା ବିଶ୍ୱ ପାଖରେ ପହଂଚି ପାରିଛି। ଓଡ଼ିଆ ଭାଷା ବିଭାଗ ତରଫରୁ ପ୍ରବାସୀ ଭାରତୀୟଙ୍କ ପାଇଁ ଜଣେ ନୋଡାଲ ଅଫିସର ରଖିବାକୁ ଏହି ଅବସରରେ ମୁଖ୍ଯମନ୍ତ୍ରୀ ଘୋଷଣା କରିଛନ୍ତି ।

ପ୍ରବାସୀ ଭାରତୀୟ ସମ୍ମେଳନରେ ଝଲସିଛି ରାଜ୍ଯର ସଂସ୍କୃତି ଓ ପରମ୍ପରାର  । ରାଜ୍ଯର କଳା ଓ ସଂସ୍କୃତି ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଲୁକା କଳା ସବୁ ଏକାଠି ଗୋଟିଏ ବାସ୍କେଟରେ ପ୍ରଦର୍ଶିତ ହେବା ପ୍ରଶଂସନୀୟ। ତା ସହିତ ଅନ୍ୟ ରାଜ୍ୟର କଳା ଓ ସଂସ୍କୃତି କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଥାନିତ ହୋଇଛି। ଏହା ଭାରତ ଓ ଓଡ଼ିଶାର ମହାନ୍ ପରମ୍ପରାକୁ ଦର୍ଶାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ପ୍ରବାସୀ ଭାରତୀୟ ସମ୍ମେଳନରେ ଅନୁଷ୍ଠିତ ପ୍ରଦର୍ଶନୀ ଆସନ୍ତା ଦୁଇ ଦିନ ପର୍ଯ୍ଯନ୍ତ ଅର୍ଥାତ ୧୨ ତାରିଖ ସନ୍ଧ୍ୟା ଯାଏଁ ଖୋଲା ରହିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା । ସାଂସ୍କୃତିକ କାର୍ଯ୍ୟକ୍ରମ ବି ଜାରି ରହିବ । ସାଧାରଣ ଲୋକ ନିଶୁଳ୍କରେ ପ୍ରବେଶ କରିପାରିବେ ବୋଲି ସେ କହିଛନ୍ତି। ପ୍ରବାସୀ ଭାରତୀୟ ସମ୍ମାନ ପାଇଁ ରାଜ୍ଯ ସରକାରଙ୍କୁ ଧନ୍ଯବାଦ ଜଣାଇଛନ୍ତି ପ୍ରବାସୀ । ପ୍ରବାସୀ ଭାରତୀୟ ସମ୍ମେଳନକୁ ସଫଳ କରିବାକୁ ରାଜ୍ଯ ସରକାର ସମାନ୍ତରାଳ ଭାବେ ଏକାଧିକ ସାଂସ୍କୃତିକ କାର୍ଯ୍ଯକ୍ରମର ମଧ୍ଯ ଆୟୋଜନ କରିଛନ୍ତି ।

‘ଆଳୁ ଦର ନିୟନ୍ତ୍ରଣ କରିବା ବଦଳରେ ହାତ ଟେକିଦେଇଛନ୍ତି ରାଜ୍ୟ ସରକାର’

ଭୁବନେଶ୍ବର : କମୁନି ଆଳୁ ଟେନସନ୍ । ପୁଣି ଉପରମୁହାଁ ଦର । ୪୦ ଟଙ୍କାରେ ମିଳୁଛି କେଜିଏ । ପର୍ଯ୍ୟାପ୍ତ ପରିମାଣରେ ଆଳୁ ମାର୍କେଟକୁ ଆସୁନଥିବାରୁ ଦର କମିବାର ନାଁ ନେଉନାହିଁ । ଆଳୁ ଦର ନିୟନ୍ତ୍ରଣ କରିବା ବଦଳରେ ହାତ ଟେକିଦେଇଛନ୍ତି ରାଜ୍ୟ ସରକାର । ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ଆଳୁ ପାଇଁ ଆମେ କାହା ପାଖରେ ହାତ ପତାଇବୁ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ସ୍ଵାବଲମ୍ଵୀ କରାଇବା ଆଳରେ ନିଜର ଦାୟିତ୍ଵକୁ ଜାଣିଜାଣି ଏଡ଼ାଇ ଯାଉଛନ୍ତି ଯୋଗାଣ ମନ୍ତ୍ରୀ । ବଜାରରେ ଆଳୁ ଦରରେ ନିଆଁ ଲାଗିଥିବା ବେଳେ କେବେ ପରିସ୍ଥିତି ସ୍ବାଭାବିକ ହେବ ସେ ଉତ୍ତର ଯୋଗାଣ ମନ୍ତ୍ରୀଙ୍କ ପାଖରେ ନାହିଁ । ପଶ୍ଚିମବଙ୍ଗ ସରକାର ଆଳୁ ଦେଉନଥିବାରୁ ରାଜ୍ୟରେ ଆଳୁ ସଂଙ୍କଟ ରହିଛି କି ବୋଲି ପ୍ରଶ୍ନ ହେବାରୁ ମନ୍ତ୍ରୀ କହୁଛନ୍ତି ପଶ୍ଚିମ ବଙ୍ଗ ସରକାର ନିଜ ପଲିସିରେ କାମ କରୁଛନ୍ତି, ଓଡ଼ିଶା ତା ପଲିସିରେ କାମ କରୁଛି। ଯୋଗାଣ ମନ୍ତ୍ରୀ ଆଳୁ ଦର ନେଇ ଗାଲୁଆ ଗପ କହୁଛନ୍ତି ବୋଲି ବିଜେଡ଼ି କହିଛି । ବିଜେଡ଼ି ବିଧାୟକ ସାରଦା ଜେନା କହିଛନ୍ତି ଯେ ୪ ମାସ ହେବ ଆଳୁ ଦର ନିୟନ୍ତ୍ରଣ ବାହାରେ ଥିବାବେଳେ ଯୋଗାଣ ମନ୍ତ୍ରୀ ବେଫିକର ବୟାନ ଦେବାରେ ଲାଗିଛନ୍ତି । ଯାହା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ସେପଟେ କଂଗ୍ରେସ କହିଛି ବିଜେପି ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ।

ଆଳୁ ଦର କେବେ ନିୟନ୍ତ୍ରଣକୁ ଆସିବ ସେ ଉତ୍ତର ରାଜ୍ୟ ସରକାରଙ୍କ ପାଖରେ ନାହିଁ । ଅନ୍ୟପଟେ ଦର ଉଚ୍ଚା ଥିବାରୁ ଗରିବଙ୍କ ହାଣ୍ଡିଶାଳରୁ ଉଭେଇ ଯାଇଛି ଆଳୁ । ସାଧାରଣ ଲୋକଙ୍କ ଖାଦ୍ୟ ଥାଳିରେ ଆଳୁ ଆବଶ୍ୟକତା ଥିବାରୁ କେଜି ବଦଳରେ ୫୦୦ ଗ୍ରାମ ନେଇ ଘରକୁ ଫେରୁଛନ୍ତି ।  ବିଜେପିକୁ ଭୋଟ ଦେଇ ମହଙ୍ଗା ମାଡ଼ର ଶିକାର ହୋଇଥିବା କହିଛନ୍ତି ସାଧାରଣ ଲୋକ । ଆଳୁରେ ଓଡ଼ିଶା କେବେ ଆତ୍ମନିର୍ଭର ହେବ ଓ ଦର କମିବ ତାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ନିକଟରେ ଦରଦାମ ନିୟନ୍ତ୍ରଣ କରିବା ପାଇଁ ବିଜେଡ଼ି ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଉପରେ ଚାପ ପକାଇଛି ।c

‘ଖରାପ ଧାନ ନୁହେଁ, FAQ ମାନର ଧାନ କିଣିବେ ସରକାର’

ଭୁବନେଶ୍ବର : ଧାନ କିଣାରେ ସରକାରଙ୍କ ନୂଆ କେଁ । FAQ ଆଳରେ ଚାଷୀଙ୍କ ବିରୋଧରେ ଷଡ଼ଯନ୍ତ୍ର । ଯୋଗାଣ ମନ୍ତ୍ରୀ କହିଲେ ନେବୁନି ଖରାପ ଧାନ । ବର୍ଷିଲା ବିଜେଡି,  ଚାଷୀଙ୍କ ପାଇଁ ଶାଣିତ କଲା ସ୍ବର ।.. ..ଭଲ କ୍ୱାଲିଟିର ଧାନ ଆଣିଲେ ଭଲ କ୍ୱାଲିଟିର ପଇସା ନେବେ । ଖରାପ ଧାନକୁ ମଣ୍ଡିକୁ ଆଣନାହିଁ । ସରକାର ସେ ଧାନ କିଣିବେ ନାହିଁ। ମଣ୍ଡିରେ ଧାନ ଉଠୁନାହିଁ, ଚାଷୀ ହନ୍ତସନ୍ତ ହେଉଥିବା ବେଳେ ଚାଷୀଙ୍କୁ ଏପରି ଚରମବାଣୀ ଶୁଣାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି କେବଳ  FAQ ମାନର ଧାନ କିଣିବେ ସରକାର । ତେଣୁ FAQ ମାନର ଧାନ ଛଡ଼ା ଖରାପ ଧାନ ମଣ୍ଡିକୁ ନଆଣିବାକୁ ଚାଷୀଙ୍କୁ ଖୋଲାଖୋଲି କହିଛନ୍ତି ମନ୍ତ୍ରୀ । ଏହାସହ ଧାନ କିଣାରେ ମଣ୍ଡିରେ ହେଉଥିବା ଗଣ୍ଡଗୋଳ କଥାକୁ ମଧ୍ୟ ସ୍ବୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟ ସରକାର ଏଯାଏ ୨୩ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି । ଆଗକୁ ଧାନ ସଂଗ୍ରହ ଭଲ ଭାବେ ଚାଲିବ ବୋଲି ସେ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନକୁ ସରକାର କିଣିବେନି ବୋଲି କହିଛନ୍ତି । ପୂର୍ବରୁ ସରକାର କହିଥିଲେ ଯେ ସବୁ ଧାନ ଚାଷୀଙ୍କ ଠାରୁ କିଣିବେ, ଏପରିକି ଅଦିନିଆ ବର୍ଷାରେ ଧାନ ରଙ୍ଗ ପରିବର୍ତ୍ତନ ହୋଇଥିଲେ ଧାନ ସରକାର କିଣିବେ ବୋଲି କହିଥିଲେ । ଏବେ ପୁଣିଥରେ ଧାନ କିଣିବେନି ବୋଲି କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ସେପଟେ ଧାନ କିଣା ନେଇ ରାଜ୍ୟ ସରକାର ବାରମ୍ବାର ମତ ବଦଳାଇବାକୁ ନେଇ ବର୍ଷିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଭିଯୋଗ କରିଛନ୍ତି ଯେ FAQ ମାନ ଆଳ ଦେଖାଇ ଚାଷୀଙ୍କ ବିରୋଧରେ ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି। ଧାନ ନକିଣିବା ପାଇଁ FAQ ମାନକୁ ଢାଲ କରାଯାଇଛି । ରାଜ୍ୟ ସରକାରଙ୍କ ଏପରି ଆଭିମୁଖ୍ୟ ଯୋଗୁଁ ଚାଷୀ ଅଭାବୀ ଧାନ ବିକ୍ରି କରୁଛନ୍ତି । ମିଲରେ ଧାନ କିଣାଯାଉନାହିଁ । ସବୁଠି ଚାଷୀ ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ଏଯାଏ ମାତ୍ର ୩୦ ପ୍ରତିଶତ ଧାନ କିଣିଛନ୍ତି । ତାହା ପ୍ରମାଣିତ କରିଛି ଧାନ କିଣାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ନିଜ ଘୋଷଣା ଅନୁସାରେ ସରକାର ଧାନ ନକିଣି ଚାଷୀଙ୍କୁ ଧୋକା ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ତୁରନ୍ତ ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ କରି ସର୍ବଦଳୀୟ ବୈଠକ ଡକାନ୍ତୁ ବୋଲି ବିଜେଡି ଦାବି କରିଛି । ଯୋଗାଣ ମନ୍ତ୍ରୀ ପୂର୍ବରୁ ବାହାସ୍ଫୋଟ ମାରୁଥିଲେ, ଏବେ ରାଜ୍ୟର ୬ ଲକ୍ଷ ଚାଷୀଙ୍କୁ କାହିକି ହତାଶ କରିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । କଂଗ୍ରେସ ମଧ୍ୟ ଧାନ କିଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । E-KYC ପରି FAQ ଆଳ ଦେଖାଇ ଚାଷୀଙ୍କୁ ହତାଶ କରୁଛନ୍ତି ରାଜ୍ୟ ସରକାର । ମିଲର ଧାନ କିଣୁନଥିବାରୁ ରାଜ୍ୟ ସାରା ଚାଷୀ ହଇରାଣ ହେଉଛନ୍ତି । ଠିକ ଏତିକିବେଳେ ଯୋଗାଣ ମନ୍ତ୍ରୀଙ୍କ ଧାନ କିଣା ବୟାନ ଧାନମଣ୍ଡି ସମସ୍ୟାରେ ନିଆଁ ଲଗାଇଛି ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବର୍ଜ୍ଯବସ୍ତୁରେ ନିର୍ମାଣ ୧୧ରୁ ଅଧିକ ସୁନ୍ଦର କଳାକୃତି

ପୁରୀ : ମନ ମୋହୁଛି କଳାକୃତି । ସୁନ୍ଦର ଓ ଆକର୍ଷଣୀୟ କଳା । ବର୍ଜ୍ଯରେ ଅତି ସୁନ୍ଦର ଭାବେ ସଜାଇଛନ୍ତି କଳାକାର । ପୁରୀ ବେଳାଭୂମିର ସୌନ୍ଦର୍ଯ୍ଯକୁ ଦ୍ବିଗୁଣିତ କରିଛି ଏହି କଳାକୃତି । ପର୍ଯ୍ୟଟନ ଶିଳ୍ପ ଅବିବୃଦ୍ଧି ଲକ୍ଷ୍ଯରେ ଏହାକୁ ନିର୍ମାଣ କରିଛନ୍ତି କଳାକାର । ଭିବିନ୍ନ ପ୍ରକାରର ବର୍ଜ୍ୟ ଵସ୍ତୁ ବ୍ୟବହାର କରାଯାଇ ୧୧ ପ୍ରକାରର କଳାକୃତି ନିର୍ମାଣ ହୋଇଛି l ଏସପୁ ପୁରୀର ନୀଳାଦ୍ରି ବିଚର ସ୍ୱତ୍ରନ୍ତ୍ର ପରିଚୟ ସୃଷ୍ଟି କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଅବ୍ୟବହୃତ ଟାୟାରରୁ ସମୁଦ୍ର କଙ୍କଡା, ଖାଲି ବୋତଲରେ ଜେଲି ଫିସ୍ ସହ ଅନ୍ଯାନ୍ଯ ବର୍ଜ୍ଯ ସାମଗ୍ରୀରେ ନିର୍ମାଣ ହୋଇଛି ଆକର୍ଷଣୀୟ କଳାକୃତି । ଯାହୁକ ବେଶ୍ ପ୍ରଶଂସା କରିଛନ୍ତି ପର୍ଯ୍ଯଟକ ।

ସମୁଦ୍ର ଗର୍ଭରେ ଥିବା ପ୍ରବାଳ ବୃକ୍ଷ ଓ ମାଛର କଳାକୃତି ସାଙ୍ଗକୁ କୁଟା ଓ ବାଉଁଶ ରେ ନିର୍ମିତ ସୁନ୍ଦର କଳା ଦେଖିବାକୁ ସଂଧ୍ଯାହେଲେ ଜମୁଛି ଭିଡ଼ । ଏହାସହ ବିଚରେ ଆୟୋଜିତ ହୋଇଛି ହସ୍ତଶିଳ୍ପ ହାଟ । ବେଳାଭୂମିରେ କଳାକୃତିକୁ ଦେଖିବା ସହ ହାଟରୁ ବିଭିନ୍ନ କଳାକୃତି କିଣି ନେଉଛନ୍ତି ପର୍ଯ୍ଯଟକ । ଏପରି ହାଟ ପ୍ରତିବର୍ଷ କରାଗଲେ ହସ୍ତ କାରିଗର ମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଶିଳ୍ପୀ ।ଭାସ୍କର୍ଯ୍ୟ କଳା ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ଓ ସଚେତନତା ସୃଷ୍ଟି କରିବା ସହ ଆମ ପାରିପାର୍ଶ୍ଵିକ ପରିବେଷକୁ ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ଇକୋ ଟୁରିଜିମ ଅଧିକାରୀ ।

ରୋଗୀଙ୍କ ଭରସା ହରାଉଛି କଟକ ଏସସିବି ମେଡିକାଲ, ଦୁଇଟି ସିଟି ସ୍କାନ ମେସିନ ପୂରଣ କରିପାରୁନାହିଁ ଲୋକଙ୍କ ଆବଶ୍ୟକତା !

କଟକ : ନିରାଶ କରୁଛି ଏସସିବି । ଅସନ୍ତୁଷ୍ଟ ରୋଗୀ ଓ ସମ୍ପର୍କୀୟ । ରୋଗୀ ପରାମର୍ଶ ଠାରୁ ଔଷଧ ସବୁ ମିଳୁଛି ମାଗଣା । ହେଲେ ଘରୋଇ ସଂସ୍ଥାର ମନମାନି ଯୋଗୁଁ ହଇରାଣ ହେଉଛନ୍ତି ରୋଗୀ । ଏପରି ଅବ୍ଯବସ୍ଥା ଦେଖିବାକୁ ମିଳିଛି ସିଟିସ୍କାନ ସେଣ୍ଟରରେ । ଯାହାର ଚିଠା ନିଆଯାଉଛି ତାର କେଉଁ ସମୟରେ ପରୀକ୍ଷା ହେବ ତାହା ଜଣାଉ ନାହାନ୍ତି ଅଧିକାରୀ । ଫଳରେ ଦିନ ଦିନ ଅପେକ୍ଷା କରି ଫେରୁଛନ୍ତି ରୋଗୀ ଓ ସମ୍ପର୍କୀୟ । ବ୍ଯବସ୍ଥାକୁ ସରଳୀକରଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ସମସ୍ୟାକୁ ସ୍ୱୀକାର କରିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ । ପ୍ରତିଦିନ ଏସସିବିର ଓପିଡି ଓ ଆଇପିଡିରେ ପ୍ରାୟ ୨ ଶହରୁ ଅଢେଇଶହ ସିଟି ସ୍କାନ ପାଇଁ ଡାକ୍ତରୀ ପରାମର୍ଶ ଆସୁଛି । ଗୋଟିଏ ମେସିନ ଥିବା ବେଳେ ଅନ୍ୟଟି ଘରୋଇ ସଂସ୍ଥା ସହାଭାଗିତାରେ ଚାଲିଛି । ତେବେ ଉପଲବ୍ଧ ବ୍ୟବସ୍ଥାରୁ ଆବଶ୍ୟକତା ଅଧିକ ଥିବାରୁ ସମସ୍ୟା ଉପୁଜୁଛି । ସରକାରଙ୍କୁ ଏନେଇ ଅବଗତ କରାଯାଇଛି । ଖୁବଶୀଘ୍ର ଆଉ ଗୋଟିଏ ମେସିନ ଏସସିବି ଆସିବ ବୋଲି ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ମେଡିକାଲ ମାନଙ୍କରେ ବ୍ୟବସ୍ଥା କରୁଛନ୍ତି । ହେଲେ ଘରୋଇ ସଂସ୍ଥାର ଅବହେଳାରୁ ଅନେକ ସମୟରେ ଅସୁବିଧାରେ ପଡୁଛନ୍ତି ରୋଗୀ ।

କୋମାରେ ବ୍ରହ୍ମପୁର ମହାନଗର ନିଗମ ଅଫିସ, କର୍ମଚାରୀ ଆସୁ ନଥିବାରୁ କାର୍ଯ୍ଯାଳୟକୁ ଦୌଡିଦୌଡି ଲୋକେ ନୟାନ୍ତ

ବ୍ରହ୍ମପୁର : ଚାକିରିରେ ରହି ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଛନ୍ତି କର୍ମଚାରୀ । ହେଲେ ବିଜେଡି ସରକାର ଯିବା ପରେ ସତେ ଯେମିତି ଅଫିସ ଏକପ୍ରକାର କୋମାରେ । ଇଏ ହେଉଛି ବ୍ରହ୍ମପୁର ମହାନଗର ନିଗମ । ଯେଉଁଠି ସରକାରୀ ବାବୁମାନେ ଅଛନ୍ତି ହେଲେ କାର୍ଯ୍ୟାଳୟରେ ଅଧିକାଂଶ ସମୟ ତାଙ୍କର ଦେଖା ମିଳେନି । ଯୋଜନା ହେଉଛି, ହେଲେ ସବୁ କାର୍ଯ୍ୟ କେବଳ କାଗଜ କଲମରେ ସୀମିତ ରହୁଥିବା ଅଭିଯୋଗ ହୋଇଛି । ବେଲଗାମ, ବେଫିକର ଚାଲିଛି ଅଫିସ୍ । କାମରେ ଆସି ନିରାଶ ଫେରୁଛନ୍ତି ଲୋକେ । ଏନେଇ ଅନେକ ସମୟରେ କର୍ପୋରେଟର ମାନେ ଅଭିଯୋଗ କରି ଆସିଛନ୍ତି । ସବୁଠାରୁ ବଡ କଥା ହେଲା ମହାନଗର ନିଗମର ଖୋଦ କମିଶନର ବାରମ୍ବାର ଛୁଟିରେ ରହିବା ନିଜରକୁ ଆସିଛି । ତେଣୁ ଯେଉଁଠି ମୁରବୀଙ୍କ ଦେଖା ମିଳୁନି ସେଠି ତଳତଳିଆ ଅଫିସର ମାନଙ୍କ କଥା କଣ କହିବା । ରାଜ୍ଯରେ ବିଜେପି ସରକାର ଆସିବା ପରେ ମନମାନି ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି । ଅଚଳାବସ୍ଥା ଓ ସହରର ବିକାଶ କାର୍ଯ୍ୟର ମନ୍ଥରତାକୁ ନେଇ କର୍ପୋରେଟର ମାନେ ବୈଠକରେ ହୋହଲ୍ଲା କରିଥିଲେ ମଧ୍ଯ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି ।

ବାଲେଶ୍ବରରେ କାର୍ଯ୍ୟକ୍ଷମ ହେଉନି ଡପଲାର ରାଡ଼ାର

ବାଲେଶ୍ବର : ବିଲ ମଝିରେ ଛିଡ଼ା ହୋଇଛି କୋଠା । କୋଠା ଚାରିପଟରେ ବଢିଗଲାଣି ଘାସର ଜଙ୍ଗଲ । ଆଉ ପାଚେରୀ ନିର୍ମାଣ ଅଧାରୁ ଅଟକି ଯାଇଛି । ଇଏ ହେଉଛି ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ନିକଟରେ ପ୍ରତିଷ୍ଠା ହେବାକୁ ଥିବା ଡ଼ପଲାର ରାଡ଼ାର କେନ୍ଦ୍ରର ସ୍ଥିତି । ଗତ ୪ ବର୍ଷ ହେଲା ଚାଲିଛି ପାଣିପାଗ ବିଭାଗ ପାଇଁ ଘର ନିର୍ମାଣ । ହେଲେ ସରିବାର ନାଁ ନେଉନି । ଏହି କୋଠାରେ ସି-ବେଣ୍ଡ ଡ଼ପଲାର ରାଡ଼ାର ସଂଯୋଗ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ରାଡ଼ାର କାର୍ଯ୍ୟକ୍ଷମ ହେଲେ ପ୍ରାକୃତିକ ବିପର୍ଯ୍ଯୟର ତଥ୍ୟ ପାଣିପାଗ ବିଭାଗକୁ ମିଳିପାରିବ । ବିଶେଷକରି କେଉଁ ସ୍ଥାନରେ ଓ କେତେ ଥର ବିଜୁଳି ମାରିବ ସେନେଇ ୩ ଘଣ୍ଟା ପୂର୍ବରୁ ସୂଚନା ମିଳିବ । ଏହି ସୂଚନାକୁ ମୋବାଇଲ ମାଧ୍ୟମରେ ପାଣିପାଗ ବିଭାଗ ତରଫରୁ ଲୋକଙ୍କ ନିକଟରେ ପହଞ୍ଚାଯାଇ ସତର୍କ କରିଦିଆଯିବ । ହେଲେ ନା ସରୁଛି ନିର୍ମାଣ, ନା ଲୋକଙ୍କୁ ମିଳିପାରୁଛି ସୁବିଧା ।

 ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲାରେ ଗତ ୨୦୨୦ ରେ ବଜ୍ରପାତ ଯୋଗୁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୨୦୨୧ ରେ ୧୫, ୨୦୨୨ରେ ୧୮, ୨୦୨୩ରେ ୩୦ ଓ ୨୦୨୪ ରେ ୨୬ ଜଣଙ୍କର ପ୍ରାଣହାନୀ ଘଟିଛି । ଓଡ଼ିଶାରେ ୨୦୨୦ ରୁ ୨୦୨୪ ମଧ୍ୟରେ ବଜ୍ରପାତ ଯୋଗୁ ମୋଟ ଏକ ହଜାର ୬୨୫ ଜଣଙ୍କର ମୃତ୍ୟୁ ହୋଇଛି । ଓଡ଼ିଶାରେ ପାରାଦ୍ବୀପ ପରେ ବାଲେଶ୍ବରରେ ଡ଼ପଲାର ରାଡ଼ାର କେନ୍ଦ୍ର ପ୍ରତିଷ୍ଠା ହେଲେ ଏହା କେନ୍ଦ୍ରର ୨୫୦ କିଲୋମିଟର ପରିଧୀ ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନର ପାଣିପାଗ ଓ ପ୍ରକୃତିକ ବିପର୍ଯ୍ୟୟ ସମ୍ପର୍କରେ ସୂଚନା ସଂଗ୍ରହ କରିହେବ । ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ । ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଉଦାସୀନତା ଯୋଗୁ ଏହି ସୁବିଧାରୁ ବଞ୍ଚିତ ଲୋକେ । ସେପଟେ ଅଧିକାରୀ କହିଛନ୍ତି ବର୍ଷେ, ଦୁଇବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇଯିବ । ସରକାରୀ ଉଦାସିନତା କାରଣରୁ ବର୍ଷେ ନୁହେଁ ୪ ବର୍ଷ ହେଲା ଝୁଲନ୍ତା ଅବସ୍ଥାରେ ରହିଯାଇଛି ପ୍ରକଳ୍ପ ।

ଦୁର୍ଗନ୍ଧରେ ସରିଲା ପ୍ରବାସୀ ଭାରତୀୟ ସମ୍ମିଳନୀ, ମୃତ ସହଦେବଙ୍କୁ ନ୍ୟାୟ ଦାବିରେ ଦୁଇଦିନ ଭୁବନେଶ୍ବରରୁ ଉଠିଲାନି ଅଳିଆ

ଭୁବନେଶ୍ବର : ପ୍ରବାସୀ ଦିବସ, ପରିମଳ ଓ ପଚାଗନ୍ଧ । ବୁଲିଲାନି ଝାଡୁ, ଉଠିଲାନି ଅଳିଆ । ଦୁର୍ଗନ୍ଧରେ ଶେଷ ହେଲା ସମ୍ମିଳନୀ । ଫେଲ ମାରିଲା ରାଜ୍ଯ ସରକାରଙ୍କ ପିବିଡି ସ୍ବଚ୍ଛ ନାରା । ନାକ ହାତ ଦେଇ ଘରେ ରହିଲେ ଭୁବନେଶ୍ୱର ବାସିନ୍ଦା । ପିବିଡି ଲାଗି ରାଜରାସ୍ତା ଚକାଚକ ହେଲେ ଗଳିକନ୍ଦରେ କୁଢ଼ କୁଢ଼ ଅଳିଆ । ଭୁବନେଶ୍ୱର ସଫେଇ ମଜଦୂର ସଙ୍ଘର ସମ୍ପାଦକ ସହଦେଵ ନାୟକଙ୍କ ହତ୍ୟା ପରେ ଝାଡୁଛାଡ ଆନ୍ଦୋଳନ । ସଫେଇ କର୍ମୀଙ୍କ ସୁଖ ଦୁଃଖର ସାଥୀ ଥିଲେ ସହଦେଵ । ସଫେଇ ଏଜେନ୍ସି ହେଉ କି ଦରମାକୁ ନେଇ କେହି ନାଲିଆଖି ଦେଖାଇଲେ ସହଯୋଗରେ ଛିଡା ହେଉଥିଲେ । ତାଙ୍କୁ ହତ୍ଯା ପରେ ନ୍ୟାୟ ଦାବିରେ ବିଏମସି କାର୍ଯ୍ୟାଳୟ ଘେରାଉ କରିଥିଲେ ଶତାଧିକ ସଫେଇ କର୍ମୀ । ଆଉ ଯେଉଁ ୱାର୍ଡରେ ବି ସଫେଇ ହେଉଥିଲା ହାତଯୋଡି ଅଟକାଇ ଥିଲେ । ପୋଲିସର ପାରିବା ପଣିଆ ଓ ସରକାର ଆଭିମୁଖ୍ୟକୁ ନେଇ ବର୍ଷିଥିଲେ ସଫେଇ କର୍ମୀ । ରାଜଧାନୀରେ ରାତି ପାହିଲେ ଝାଡୁ ଧରିବାକୁ ଡର ଲାଗୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

୪ ଦଫା ଦାବି ନେଇ ମେୟରଙ୍କ ସହ ଭୁବନେଶ୍ୱର ସଫେଇ ମଜଦୂର ସଂଘ ୧୦ ଜଣିଆ ପ୍ରତିନିଧି ଓ ସହଦେଵଙ୍କ ପରିବାର ସହ ଆଲୋଚନା ହୋଇଥିଲା । ସିବିଆଇ ତଦନ୍ତ, ପରିବାରଙ୍କୁ ସୁରକ୍ଷା ଓ ସହଦେବଙ୍କ ପତ୍ନୀଙ୍କୁ ସ୍ଥାୟୀ ଚାକିରୀ, ୩୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବି କରିଥିଲେ କର୍ମଚାରୀ । ମେୟର ଓ ଭୁବନେଶ୍ୱର ମୁନୁସିପାଲିଟ ମଜଦୂର ସଙ୍ଘର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ଯାହୃତ ହୋଇଛି । ଶନିବାର ଠାରୁ ସଫେଇ କାର୍ଯ୍ଯରେ ଯୋଗ ଦେବେ ସମସ୍ତ କର୍ମଚାରୀ । ମୃତ ସହଦେବଙ୍କ ପତ୍ନୀଙ୍କୁ ଠିକା ଏଜେନ୍ସିରେ ସୁପରଭାଇଜର ଭାବେ ମିଳିବ ଚାକିରୀ । ୩୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ନେଇ ରାଜ୍ୟ ସରକାରଙ୍କୁ ଲିଖିତ ଆକାରରେ ଜଣାଇବ ବିଏମସି ।ତେବେ ଦେଖିବାର କଥା ମୃତ ସହଦେବ ଓ ତାଙ୍କ ପରିବାରକୁ କେବେ ନ୍ଯାୟ ଦେଉଛନ୍ତି ରାଜ୍ଯ ସରକାର ।

ସହଦେବ ନାୟକଙ୍କୁ ହତ୍ୟା ଘଟଣା, ପୋଲିସ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମୃତ ସହଦେବଙ୍କ ପତ୍ନୀ

ଭୁବନେଶ୍ବର : ସହଦେବ ନାୟକ ହତ୍ୟା ଘଟଣାରେ ସାଂଘାତିକ ଆରୋପ। ପୋଲିସକୁ କାଠଗଡାକୁ ଟାଣିଲେ ସହଦେବଙ୍କ ପତ୍ନୀ। ହତ୍ୟା ଷଡ଼ଯନ୍ତ୍ରରେ ରହିଛି ବ୍ରାଉନସୁଗାର ମାଫିଆ ଓ ପୋଲିସର ହାତ। ପୂର୍ବରୁ ସହଦେବଙ୍କୁ ଫସାଇବାକୁ ଚାହିଁଥିଲା ପୋଲିସ। ବିଳମ୍ବିତ ରାତିରେ ଭଡା ଘରେ ଧସେଇ ପଶିଥିଲେ ସ୍ପେଶାଲ ସ୍କ୍ବାଡର ୮ ଜଣିଆ ଟିମ୍ । ଶିଡି ତଳେ ନିଜେ ବ୍ରାଉନସୁଗାର ରଖି ସହଦେବଙ୍କୁ ବାନ୍ଧିବାକୁ ପୋଲିସ ରଚିଥିଲା ଷଡ଼ଯନ୍ତ୍ର। ହେଲେ ସିସିଟିଭି ପାଇଁ ଫସର ଫାଟିଥିଲା ଚକ୍ରାନ୍ତ। ଡିସିପିଙ୍କ ନିକଟରେ ଅଭିଯୋଗ ପରେ ବି ପଦକ୍ଷେପ ଶୂନ୍। ଜଘନ୍ୟ ହତ୍ୟାର ଦୁଇ ଦିନ ପରେ ପୋଲିସ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସହଦେବଙ୍କ ପତ୍ନୀ। ବସ୍ତିରୁ ନିଶା ମୁକ୍ତ କରିବା ପାଇଁ ଅଭିଯାନ ଚଳାଇଥିଲେ ସହଦେବ। ପୋଲିସକୁ ଦେଉଥିଲେ ଟିକିନିଖି ସୂଚନା। ଯାହାକୁ ନେଇ ଖପ୍ପା ଥିଲେ ନିଶା ମାଫିଆ। ତେଣୁ ପୋଲିସ, ଚାନ୍ଦା ପାଇବା ଆଶାରେ ସହଦେବଙ୍କୁ ଫସାଇବା ପାଇଁ ରଚିଥିଲା ଷଡ଼ଯନ୍ତ୍ର। ଭଲକରି ଦେଖନ୍ତୁ ଏହି ସିସିଟିଭି ଭିଜୁଆଲକୁ । କିଭଳି ରକ୍ଷକ ହୋଇ ଭକ୍ଷକ ଭଳିଆ ସହଦେବଙ୍କୁ ଫସାଇବାକୁ ପୋଲିସ ନିଜେ ବ୍ରାଉନସୁଗାର ରଖି ନିଜେ ସିଜ୍ କରୁଛି। ଯାହାକୁ ଦେଖିବା ପରେ ପୋଲିସକୁ ପ୍ରଶ୍ନ କରିଥିଲେ ସହଦେବଙ୍କ ଝିଅ।

ପ୍ରଶ୍ନ ଉଠୁଛି, ଯଦି ସହଦେବ ବ୍ରାଉନସୁଗାର କାରବାର ବନ୍ଦ ପାଇଁ ଉଦ୍ୟମ କରୁଥିଲେ ତେବେ ପୋଲିସ ତାଙ୍କୁ କାହିଁକି ଫସାଇବା ପାଇଁ ଚେଷ୍ଟା କରୁଥିଲା ? କେଦାରପଲ୍ଲୀ ବସ୍ତିରେ ବ୍ରାଉନସୁଗାର କାରବାର କରୁଥିବା ମାଷ୍ଟରମାଇଣ୍ଡକୁ ବାନ୍ଧିବାକୁ କାହିଁକି ସାହସ ଜୁଟାଉନଥିଲା ପୋଲିସ ? ନା ନିଶା କାରବାର ଖବର ଦେଉଥିବା ସହଦେବଙ୍କୁ ଚୁପ କରିବାକୁ ଚାହୁଁଥିଲା ପୋଲିସ ? ପୋଲିସ ଓ ବ୍ରାଉନସୁଗାର ମାଫିଆଙ୍କ ଚୋରା ପୀରତିରେ ସହଦେବ ସାଜୁଥିଲେ କି ବାଧକ ? ଚାନ୍ଦା ନ ମିଳିବାରୁ ଏପରି ଚକ୍ରାନ୍ତ କରିଥିଲା କି ପୋଲିସ ? ନା ସହଦେବଙ୍କୁ ଫସାଇ ଜେଲରେ ରଖିବାକୁ ଚାହୁଁଥିଲା ପୋଲିସ ? ଯଦି ସହଦେବଙ୍କ ଘରେ ରେଡ୍ କରିବାକୁ ପୋଲିସ ଯାଇଥିଲା, ତେବେ ମହିଳା ପୋଲିସ କାହିଁକି ଯାଇନଥିଲେ ? ସହଦେବଙ୍କ ଘରେ ରେଡ୍ କରିବାକୁ ଯାଇଥିବା ପୋଲିସ ଅଧିକାରୀ କିଏ ? ଯଦି ଘରୁ ବ୍ରାଉନସୁଗାର ମିଳିଥିଲା, ତେବେ ପୋଲିସ ତାଙ୍କୁ ଗିରଫ କଲାନାହିଁ କାହିଁକି ? ତେଣୁ ସହଦେବଙ୍କ ହତ୍ୟା ଘଟଣାରେ ପୋଲିସ ସହ ମାଷ୍ଟରମାଇଣ୍ଡ ରମା ନାୟକ, ନିଲୁ ନାୟକ, ସୁଶେଇ ନାୟକ ସଂପୃକ୍ତ ବୋଲି କହିଛନ୍ତି ପତ୍ନୀ। ବୀଭତ୍ସ ହତ୍ୟାର ୧୨ ଘଣ୍ଟା ମଧ୍ୟରେ ଗିରଫ ହେଲେ ହତ୍ୟାକାରୀ। ମାମଲାକୁ ଗୁରୁତ୍ବପୂର୍ଣ୍ଣ କହି ବାହାବା ନେବାକୁ ଶତ ଚେଷ୍ଟା କଲା କମିଶନରେଟ ପୋଲିସ। ହେଲେ ସେଦିନ ପୋଲିସ କାହିଁକି ଶୁଣିନଥିଲା ସହଦେବଙ୍କ ଅଭିଯୋଗ। ଘଟଣାରେ ପୋଲିସର ସଂପୃକ୍ତି ଥିବା ସନ୍ଦେହରେ ତଦନ୍ତ କଲେନାହିଁ କି ସିପି ଡିସିପି। ଯାହାକୁ ନେଇ ଏବେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠିଛି ଅନେକ ପ୍ରଶ୍ନ।

ଚଣ୍ଡିଖୋଲରେ ନିକଟରେ ଟ୍ରକ ମାଲିକ ସଂଘର ଧାରଣା, ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ ସ୍ପେଶାଲ ଲୋଡିଂ ବ୍ୟବସ୍ଥାକୁ ବନ୍ଦ ଦାବି

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି ଖଣି ଅଞ୍ଚଳରୁ ଟ୍ରକ ଯୋଗେ କ୍ରୋମାଇଟ ପରିବହନକୁ ନେଇ ଦେଖାଦେଇଛି ବିବାଦ। ମୁହାଁମୁହିଁ ହୋଇଛନ୍ତି ଟ୍ରକ୍ ମାଲିକ ସଂଘ । ସୃଷ୍ଟି ହୋଇଛି ଅଶାନ୍ତିର ବାତାବରଣ । ରୋଜଗାର ହରାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଟ୍ରକ ମାଲିକ। ଚାଲିଛି ଜୋରଦାର ଆନ୍ଦୋଳନ। ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମକୁ ଅବମାନନା କରିବା ସହ ଟ୍ରକ ଲୋଡିଂରେ ଅନିୟମିତତା ଅଭିଯୋଗରେ ବିଭିନ୍ନ ଟ୍ରକ ମାଲିକ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । କ୍ରୋମାଇଟ ବୋଝେଇ କରି ଆସୁଥିବା ଟ୍ରକ ଗୁଡିକୁ ଯାଜପୁର ରୋଡ ଓ ଚଣ୍ଡିଖୋଲ ନିକଟରେ ରଖି ୪ଟି ଟ୍ରକ ମାଲିକ ସଂଘ ଧାରଣାରେ ବସିଛନ୍ତି । କାଳିଆପାଣି ଖଣି ଅଞ୍ଚଳରେ ସୁବ୍ୟବସ୍ଥିତ ଢଙ୍ଗରେ କ୍ରୋମାଇଟ ପରିବହନ ପାଇଁ ବହୁ ପୂର୍ବରୁ ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମ ଲାଗୁ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ପରେ ବିଭିନ୍ନ ଟ୍ରକ୍ ମାଲିକ ସଂଘର ମିଳିତ ନିଷ୍ପତି କ୍ରମେ ପାର୍କିଂ ବ୍ୟବସ୍ଥା କରାଯାଇ ଏହି ନିୟମରେ ଟ୍ରକ ଲୋଡିଂ କରାଯାଉଥିଲା। ହେଲେ ଗତ ୨୦୨୪ ଅକ୍ଟୋବର ମାସରୁ ଏହାକୁ ଖୋଲାଖୋଲି ଉଲଂଘନ କରାଯାଉଛି। ସ୍ଥାନୀୟ ଅଞ୍ଚଳର କିଛି ମୁଷ୍ଟିମେୟ ଟ୍ରକ୍ ମାଲିକ ଓ ସୁକିନ୍ଦା ମିନେରାଲ ଟ୍ରକ୍ ମାଲିକ ସଂଘର ସଦସ୍ୟମାନେ ଜୋର ଜବରଦସ୍ତ ସେମାନଙ୍କ ଟ୍ରକ୍ ଲୋଡିଂ କରାଉଥିବା ବେଳେ ଜିଲ୍ଲାର ଅନ୍ୟ ଅଞ୍ଚଳରୁ ଆସୁଥିବା ଟ୍ରକ୍ ଗୁଡ଼ିକୁ ଲୋଡିଂ ଦିଆଯାଉନାହିଁ। ଫଳରେ ଟ୍ରକ୍ ମାଲିକମାନେ କ୍ଷତି ସହିବା ସହ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବାଧ୍ୟହୋଇ ଗତକାଲି ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୪ଟି ଟ୍ରକ୍ ମାଲିକ ସଂଘ ।

ଖଣି ଉପନିର୍ଦ୍ଦେଶକ ଓ ପ୍ରଶାସନର ଗୋଚରରେ ଏସବୁ ହେଉଥିବା ଟ୍ରକ ମାଲିକ ମାନେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଏସବୁ ସମସ୍ୟାର ସମାଧାନ କରା ନଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଟ୍ରକ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସେପଟେ ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି । ସେମାନେ ଖଣି ଓ କାରଖାନା ଦ୍ୱାରା ପ୍ରଭାବିତ ହେଉଥିବାରୁ ସେମାନଙ୍କ ଗାଡିକୁ ଅଗ୍ରାଧିକାର ଭିତ୍ତିରେ ଲୋଡିଂ ଦିଆଯିବା ଦରକାର ବୋଲି ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା କହିଛନ୍ତି । ଅନ୍ୟପଟେ ଏନେଇ ଜିଲ୍ଲା ପ୍ରଶାସନ ବା ଖଣି ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସମସ୍ଯା ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି ।