spot_img
Home Blog Page 1421

୩ ଦିନ ହେଲାଣି ଅଚଳ ଭୁବନେଶ୍ବର ମୁଖ୍ୟ ଡାକଘର : କାମ କରୁନି ସର୍ଭର

ଭୁବନେଶ୍ବର : ଭୁବନେଶ୍ବର ମୁଖ୍ୟ ଡାକଘରେ ଲିଙ୍କ ଫେଲ । ଫେରିବାକୁ ବାଧ୍ୟ ହେଉଛନ୍ତି ଲୋକ ।  ଦିନେ କି ଦୁଇଦିନ ନୁହେଁ । ୩ ଦିନ ହେଲାଣି କାମ କରୁନି ସର୍ଭର । ହେଲେ ନିହଲ କର୍ତ୍ତୃପକ୍ଷ । ଫଳରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗ୍ରାହକ । ଜମାକାରୀ ଟଙ୍କା ଜମା କରିପାରୁନାହାନ୍ତି । ସେପଟେ ଟଙ୍କା ବି ଉଠାଇପାରୁନାହାନ୍ତି । ଦୂର ଦୂରାନ୍ତରୁ ଆସୁଥିବା ଜମାକାରୀ ହଇରାଣ ହରକତ ହୋଇ ଫେରୁଛନ୍ତି । ସେପଟେ ପୋଷ୍ଟାଲ୍ ଏଜେଣ୍ଟ୍ମାନେ ମଧ୍ୟ ହାତବାନ୍ଧି ବସିଛନ୍ତି । କିଏ ମାସିକିଆ ଜମା କରିପାରୁନି ତ ଆଉ କିଏ କଷ୍ଟାର୍ଜିତ ଜମା ଉପରେ ମାସିକିଆ ସୁଧ ପାଇପାରୁନି । ପେନ୍ସନ୍ଭୋଗୀ ବି ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଛନ୍ତି  ।

ମୁଖ୍ୟ ଡାକଘରେ ନାହିଁ ଲିଙ୍କ । ଗ୍ରାହକଙ୍କୁ ରାମ ଭରୋସେ ଛାଡ଼ି ଦେଇଛନ୍ତି ପୋଷ୍ଟାଲ କର୍ତ୍ତୃପକ୍ଷ ।  ଲିଙ୍କ ଫେଲ୍ ବୋଲି ବୋର୍ଡ଼ ମାରିଦେଇ ବସିଛନ୍ତି ପୋଷ୍ଟାଲ୍ ଅଧିକାରୀ ।  କର୍ତ୍ତୃପକ୍ଷଙ୍କ କହିବା କଥା ଏପରି ସମସ୍ୟା ଇଣ୍ଟରନେଟ୍ ଫେଲ୍ ଯୋଗୁ ହୋଇଛି । ଦେଶର ମୁଖ୍ୟ ଡାକଘରଗୁଡ଼ିକ ଏବେ ଏହି ସମସ୍ୟା ଭୋଗୁଛନ୍ତି । କାମ ଚାଲିଛି ହେଲେ କେତେବେଳେ ଲିଙ୍କ ଆସିବ କହିହେବନି ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଯଦି  ମୁଖ୍ୟ ଡାକଘରର ଏପରି ଅବସ୍ଥା ତାହେଲେ ଅନ୍ୟ ପୋଷ୍ଟ ଅଫିସ କଥା କଣ ହୋଇଥିବା ତାହା ବେଶ୍ ଜଣାପଡୁଛି ।

ଉତ୍କଳ ୟୁନିଭରସିଟିରେ ରାଜନୈତିକ ଚାପରେ ନାମଲେଖା ଅଭିଯୋଗ : ବାଦ୍ ପଡୁଛନ୍ତି ମେଧାବୀ

ଭୁବନେଶ୍ବର : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଛାତ୍ର କଂଗ୍ରେସର ଘନଘନ ଅଣ୍ଡାମାଡ଼। ଭାଙ୍ଗିଲେ ବ୍ୟାରିକେଡ୍ । ପୋଲିସ ସହ ମୁହାଁମୁହିଁ । କର୍ଡନ ଉପରେ ନାରାବାଜି । ଉତ୍କଳ ବିଶ୍ବବିଦ୍ୟାଳୟର ପିଜି ନାମଲେଖାରେ ଅନିୟମିତତା ଅଭିଯୋଗ କରି ଗର୍ଜନ କରିଛି ଛାତ୍ର କଂଗ୍ରେସ । କଂଗ୍ରେସ ଭବନରୁ ଛାତ୍ର କଂଗ୍ରେସର କର୍ମୀମାନେ ରାଲିରେ ଆସି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ  ପୋଲିସ ସହିତ ହୋଇଥିଲା ଧସ୍ତାଧସ୍ତି। କିଛି ସମୟ ପାଇଁ ଲୋୟର ପିଏମ୍ଜିରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଭିତରେ ଚାଲିଥିଲା ଛକାପଞ୍ଝା ।

ବାଲେଶ୍ବରର ଛାତ୍ର ବିଜୟ କୁମାର ସାହୁ ଉତ୍କଳ ୟୁନିଭରସିଟିରେ ପିଜି ଆଡମିସନ୍ ପାଇଁ ସାମସ୍ ଓ୍ବେବସାଇଟରେ ଆବେଦନ କରିଥିଲେ। ଓ୍ବେଟିଂ ଲିଷ୍ଟରେ ତାଙ୍କର ନାଁ ରହିଥିଲା। ଆଡମିସନ୍ ପାଇଁ ପିଜି କାଉନସିଲରୁ ତାଙ୍କୁ ଯାଇଥିଲା କଲ୍ । ସେ ସମସ୍ତ ଡକୁମେଣ୍ଟ ଦାଖଲ କରିଥିଲେ। କିନ୍ତୁ ପରେ ଡକୁମେଣ୍ଟ ଫେରେଇ ଦିଆଯାଇଥିଲା। ଓ୍ବେଟିଂ ଲିଷ୍ଟରେ ତାଙ୍କ ନାଁ ୯ ନମ୍ଵରରେ ରହିଥିବା ବେଳେ ବିଜୟଙ୍କୁ ଆଡମିଶନ ଦିଆନଯାଇ ୧୧ ନମ୍ବର ରେ ଥିବା ଜଣେ ପିଲାକୁ ଆଡମିସନ୍ ମିଳିଛି ।

ପ୍ରତିବାଦରେ ବିଜୟ ଗତ ମାସ ୫ ତାରିଖରେ ପିଜି କାଉନସିଲ୍ ଆଗରେ ଧାରଣା ଦେଇଥିଲେ। ସେ ଅଭିଯୋଗ କରିଛନ୍ତି, ବିଜୟଙ୍କ ବଦଳରେ ଯେଉଁ ପିଲାକୁ ଆଡମିସନ୍ ମିଳିଛି, ସେ ମନ୍ତ୍ରୀଙ୍କ ଖାସ୍ ହୋଇଥିବାରୁ ଚାପରେ ତାଙ୍କର ନାଁ ଲେଖା ଯାଇଛି। ଏ ସଂପର୍କରେ ଉଚ୍ଚଶିକ୍ଷା ସଚିବ ଏବଂ ରାଜ୍ୟପାଳଙ୍କୁ ମଧ୍ୟ ଫେରାଦ ହୋଇଥିଲା ଛାତ୍ର କଂଗ୍ରେସ। କିନ୍ତୁ କିଛି ସୁଫଳ ମିଳିନି। ଏ ନେଇ ମନ୍ତ୍ରୀଙ୍କୁ ଜବାବ ମାଗିଛି ଛାତ୍ର କଂଗ୍ରେସ। ପ୍ରଶ୍ନ ଉଠୁଛି ସାମସ୍ ଓ୍ବେବସାଇଟ୍ରେ ପଛରେ ଥିବା ଛାତ୍ରଙ୍କୁ କିଭଳି ମିଳିଲା ଆଡମିସନ୍ ? ସତରେ ରାଜନୈତିକ ଚାପରେ ଏପରି ହୋଇଛି କି। ମେଧାବୀ ଛାତ୍ରଙ୍କ କ୍ୟାରିୟରକୁ ନେଇ ଖେଳ କାହିଁକି ଖେଳୁଛନ୍ତି କର୍ତ୍ତୃପକ୍ଷ ? ଏ ନେଇ କିନ୍ତୁ ଉତ୍କଳ ୟୁନିଭରସିଟିର କୁଳପତି ମୁହଁ ନ ଖୋଲି ନାହାନ୍ତି।

ବାତ୍ୟା ‘ଦାନା’ ମାଡରେ ଉଡିଗଲା ଶୀତ

ଭୁବନେଶ୍ବର : ଶୀତକୁ ଉଡାଇ ନେଲା ବାତ୍ୟା ଦାନା । ସ୍ବାଭାବିକ ଦିନଠାରୁ ଏକମାସ ପଛକୁ ଠେଲିନେଲା ଶୀତ। ନଭେମ୍ବର ୧୫ ତାରିଖ ଭିତରେ ଶୀତ ପଡିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାରଣ ଏବେ ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ପବନ ବହୁଛି । ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ନଭେମ୍ବର ଶେଷ ଆଡକୁ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ବଢିଲେ ଶୀତ ବଢିବ । ବର୍ତ୍ତମାନ ପଶ୍ଚିମା ଝଡର ବି ପ୍ରଭାବ ନାହିଁ । ବାତ୍ୟା ପରେ ମାତ୍ର ଗୋଟିଏ ପଶ୍ଚିମାଝଡ ସୃଷ୍ଟି ହୋଇଛି । ଆଗକୁ ଧିରେ ଧିରେ ତାପମାତ୍ରା କମିବ । କିନ୍ତୁ ହଠାତ୍ ଶୀତ ହେବନାହିଁ । ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଏହାସହ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଛି । ଦିନର ତାପମାତ୍ରା  ସ୍ବାଭାବିକ କୁ ଫେରୁଛି । ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କନ୍ଧମାଳର ଦାରିଖବାଡିରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବର ଦିନର ତାପମାତ୍ରା ୩୨.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୨.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି କଟକରେ ଦିନର ତାପମାତ୍ରା ୩୦.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୨ଡିଗ୍ରୀ ରେକର୍ଡ ହୋଇଛି । ବର୍ତ୍ତମାନ ତାପମାତ୍ରା ସହ ଆର୍ଦ୍ରତା ୭୦ ରୁ ୯୯ ପ୍ରତିଶତ ରହୁଛି । ଫଳରେ ଶୀତ ପରିବର୍ତ୍ତେ ଗରମ ଏବଂ ଗୁଳୁଗଳି ଅନୁଭୁତ ହେଉଛି । ଆର୍ଦ୍ରତା କମିବା ସହ ଶୁଷ୍କତା ବଢିଲେ ଶୀତ ଆସିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଭିଜିଲାନ୍ସ ଜାଲରେ ଡାକ୍ତର ଓ ଫାର୍ମାସିଷ୍ଟ : ବକେୟା ଟଙ୍କା ରିଲିଜ କରିବାକୁ ମାଗୁଥିଲେ ଲାଞ୍ଚ

ଜୟପୁର : ଭିଜିଲାନ୍ସ ଜାଲରେ ଡାକ୍ତର ଓ ଫାର୍ମାସିଷ୍ଟ। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଓ ଫାର୍ମାସିଷ୍ଟ ଡଣେ ଠିକାଭିତ୍ତିକ ନର୍ମିଂ ଅଫିସରଙ୍କ ଠାରୁ ତାଙ୍କ ବକେୟା ଟଙ୍କା ରିଲିଜ କରିବାକୁ ୧୦ ପ୍ରତିଶତ ଲାଞ୍ଚ ମାଗୁଥିଲେ । ଏପିରିକି ଲାଞ୍ଚ ନଦେଲେ ନର୍ସିଂ ଅଫିସରଙ୍କୁ ଉପାନ୍ତ ଅଞ୍ଚଳକୁ ବଦଳି କରିଦେବାକୁ ଧମକ ଦେଉଥିଲେ । ଆଜି ଫାର୍ମାସିଷ୍ଟଙ୍କ ଜରିଆରେ ଲାଞ୍ଚ ନେବା ବେଳେ ବୈପାରିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ବିଶ୍ବଜିତ ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାଙ୍କୁଡଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅଭିଯୋଗକାରୀ ବୈପାରିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଠିକାଭିତ୍ତିକ ନର୍ସିଂ ଅଫିସର ଭାବରେ କାର୍ଯ୍ୟ କରୁଥିଲେ। ଗତ ଜୁଲାଇ ମାସରେ ସରକାର ତାଙ୍କ ଚାକିରି ନିୟମିତ କରିବା ସହ ତାଙ୍କ ବକେୟା ଦରମା ରିଲିଜ କରିସାରିଛନ୍ତି । ୨୦୨୨ ଅକ୍ଟୋବର ମାମରୁ ବକେୟା ବାବଦରେ ୪ ଲକ୍ଷ ୮୩ ହଜାର ୫୭୨ ଟଙ୍କା ସରକାର ରିଲିଜ କରିଛନ୍ତି । ଏହି ଟଙ୍କା କିନ୍ତୁ ପ୍ରଦାନ କରିବାକୁ ମେଡିକାଲ ଅଫିସର ଡାକ୍ତର ଭୂୟାଁ ୧୦ ପ୍ରତିଶତ ଅର୍ଥାତ ୪୦ ହଜାର ଟଙ୍କା ମାଗୁଥିଲେ । ବାରମ୍ବାର ଅନୁରୋଧ କରି ହତାସ ହେବା ପରେ ଅଭିଯୋଗକାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।

ନିର୍ମାଣ ହେବାକୁ ଯାଉଛି ୭୮୩ କିମି ବିଶିଷ୍ଟ ଏକ୍ସପ୍ରେସ ଓ୍ବେ

ଭୁବନେଶ୍ବର : ଓଡ଼ିଶା ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ଯୋଡି ହେବ ଆଉ ଏକ ମାଇଲ ଖୁଣ୍ଟ । ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ୭୮୩ କିମି ବିଶିଷ୍ଟ ଏକ୍ସପ୍ରେସ ଓ୍ବେ । ଏହି ନୂଆ ଏକ୍ସପ୍ରେସ ଓ୍ବେ ଖଡଗପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ନିର୍ମାଣ କରାଯିବ । ୪ ଲେନ ଓ ୬ ଲେନ ବିଶିଷ୍ଟ ଏହି ରାସ୍ତାର ଡିପିଆର ପ୍ରସ୍ତୁତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଟେଣ୍ଡର ଆହ୍ବାନ କରିଛନ୍ତି । ଖୁସିର କଥା ହେଲା ୧୮ଟି ସଂସ୍ଥା ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଆସନ୍ତା  ୨୦୨୬ ସୁଦ୍ଧା ଏହି ପ୍ରକଳ୍ପର ଡିପିଆର ପ୍ରସ୍ତୁତ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ୭୮୩ ବିଶିଷ୍ଟ ଏହି ସୁଦୀର୍ଘ ରାସ୍ତା ୨ଟି ପ୍ୟାକେଜରେ ବିଭକ୍ତ କରାଯାଇଛି । ପ୍ୟାକେଜ ୧ ରେ ଖଡ଼ଗପୁରରୁ ଟାଙ୍ଗୀ ପର୍ଯ୍ୟନ୍ତ ୩୯୦ କମି ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ପ୍ୟାକେଜ ୨ ରେ ଟାଙ୍ଗୀରୁ ବିଶାଖାପାଟଣା ପର୍ଯ୍ୟନ୍ତ ୩୯୩ କିମି ରାସ୍ତା ନିର୍ମାଣ ହେବ । ଡିପିଆର ପ୍ରସ୍ତୁତି ପରେ ବିଭିନ୍ନ ଅନୁମିତି ପାଇଁ ଆବେଦନ କରାଯିବା । ୨୦୨୮ ସୁଦ୍ଧା ପ୍ରକଳ୍ପ କାମ ଆରମ୍ଭ ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଏକ୍ସପ୍ରେସ ଓ୍ବେ ନିର୍ମାଣ ହେଲେ ଖଡଗପୁରରୁ ବିଶାଖାପାଟଣାକୁ ଯାତ୍ରାର ସମୟ ହ୍ରାସ ପାଇବ । ଏହା ସହ ଯାନବାହାନ ଜନିତ ଭିଡ ନିୟନ୍ତ୍ରଣ ହେବ ବୋଲି କୁହାଯାଉଛି । ଭାରତମାଳା ଯୋଜନାରେ ନିର୍ମାଣ କରାଯିବାକୁ ଥିବା ଏହି ଏକ୍ସପ୍ରେସ ୱେ ଓଡିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଯୋଡିବ ।

ପୋଷ୍ଟ ଅଫିସରେ ଏନ୍ଏସ୍ଏସ୍ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡ଼ିବ ଆୟକର

ଭୁବନେଶ୍ବର : ମୂଳ ନିଅ କି ସୁଧ ନିଅ । ଯେ କୌଣସି ହାଲରେ ଟିକସ ଦିଅ । ଟିକସ ନଦେଲେ ଟଙ୍କା ତୁମର ନୁହଁ । ଏ ହେଉଛି କେନ୍ଦ୍ର ସରକାରଙ୍କ ଜମାକାରୀ ମାରଣ ନୀତି । ଏଣିକି ବନ୍ଦ ହୋଇଥିବା ସ୍କିମର ଜମା ଟଙ୍କା ଉପରେ ଆୟକର ଦେବେ ଲୋକେ । ପୋଷ୍ଟ ଅଫିସରେ ନ୍ୟାସନାଲ ସେଭିଙ୍ଗ୍ସ ସ୍କିମ୍-ଏନ୍ଏସ୍ଏସ୍ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡ଼ିବ ଆୟକର । ଅକ୍ଟୋବର ପହିଲାରୁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ଏପରି ନୀତି । ମୂଳଜମା ଓ ସୁଧ ଉପରେ ଆୟକର ଦେବେ ଜମାକାରୀ । ମୂଳ ଉପରେ ପୂର୍ବରୁ କୌଣସି ଆୟକର ଦେବାକୁ ପଡ଼ୁନଥିଲା । ୧୯୮୭ରେ କେନ୍ଦ୍ର ସରକାର ଏନ୍ଏସ୍ଏସ୍ ସ୍କିମ୍ ଯୋଜନା ଆରମ୍ଭ କଲେ । ଯେଉଁଥିରେ ଜଣେ ବ୍ୟକ୍ତି ବର୍ଷକୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବ । ଜମା ଉପରେ ବାର୍ଷିକ ୭.୫ ପ୍ରତିଶତ ହାରରେ ସୁଧ ବି ମିଳୁଥିଲା । ନୂଆ ନିୟମ ଅନୁଯାୟୀ ଚଳିତବର୍ଷ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ସୁଧ ରାଶି ଜମାକାରୀଙ୍କ ଖାତାରେ ଜମା ହୋଇଯାଇଛି । ହେଲେ ଅକ୍ଟୋବର ପହିଲାରୁ ଆଉ ସେ ସ୍କିମରେ ସୁଧ ସୁବିଧାକୁ ହଟାଇ ଦେଇଛି କେନ୍ଦ୍ର ଅର୍ଥମନ୍ତ୍ରାଳୟ । ଏହାସହିତ ଏବେ ଏନ୍ଏସ୍ଏସ୍ ଜମାକାରୀ ଆକାଉଣ୍ଟ ବନ୍ଦ କରି ଟଙ୍କା ଉଠାଇଲେ ଉଭୟ ମୂଳ ଓ ସୁଧ ଉପରେ ୧୦ ପ୍ରତିଶତ ହାରରେ ଆୟକର ଗଣିବେ । କେନ୍ଦ୍ର ସରକାରଙ୍କ ଏପରି ନୀତି ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଲୋକଙ୍କ କଷ୍ଟାର୍ଜିତ ଜମା ଉପରେ ଟିକସ ବସାଇବା ଆଦୌ ଗ୍ରହଣୀୟ ନୁହେଁ । ଏହାଦ୍ବାରା ପେନସନଭୋଗୀ ବରିଷ୍ଠ ନାଗରିକଙ୍କ ଭିତରେ ଘୋର ଅସନ୍ତୋଷ ପ୍ରକାଶ ପାଇବ ।

୧୯୯୨ ମସିହାରେ କେନ୍ଦ୍ର ସରକାର ଏହି ପୋଷ୍ଟାଲ ଜମା ସ୍କିମଟିକୁ ବନ୍ଦ କରିଦେଲେ ସିନା ପୂର୍ବରୁ ଜମା କରିଥିବା ଜମାକାରୀଙ୍କ ଆକାଉଣ୍ଟ ସଚଳ ରହିବା ସହ ସୁଧ ବି ମିଳିଆସୁଥିଲା । ସେପଟେ ୨୪୦୦ ଟଙ୍କା ସୁଧ ଉପରେ କୌଣସି ଆୟକର ଦେବାକୁ ପଡ଼ୁନଥିଲା । ତାଠୁ ଅଧିକ ସୁଧ ଉପରେ ପୋଷ୍ଟ ଅଫିସ ଟିଡିଏସ୍ କାଟୁଥିଲେ । ପୋଷ୍ଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ଯେହେତୁ ଏହି ଜମା ଯୋଜନାଟିକୁ ଦୀର୍ଘବର୍ଷରୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । ସେହି ଆକାଉଣ୍ଟ ହୋଲଡରଙ୍କୁ ଆଉ କୌଣସି ସୁଧ ଅର୍ଥ ଦେବାକୁ ଚାହୁଁନାହାନ୍ତି । ଫଳରେ ଧୀରେ ଧୀରେ ଜମାକାରୀ ଏହି ଆକାଉଣ୍ଟ୍କୁ ବନ୍ଦ କରି ଟଙ୍କା ଉଠାଇବାକୁ ବାଧ୍ୟ ହେବେ । ଏନ୍ଏସ୍ଏସ୍ ଜମାକାରୀଙ୍କୁ ଏଥିପାଇଁ ମୁଖ୍ୟ ଡାକଘରକୁ ଆସି ଟଙ୍କା ଉଠାଇବାକୁ ପଡ଼ିବ । ଏପରି ଜମାକାରୀ ଆସିବାମାତ୍ରେ ସେମାନଙ୍କ ଆକାଉଣ୍ଟ୍ ବନ୍ଦ କରିବାକୁ ପୋଷ୍ଟ ଅଫିସ ପକ୍ଷରୁ ପରାମର୍ଶ ଦିଆଯାଉଛି ।

କେନ୍ଦ୍ର ସରକାରଙ୍କୁ ଘାରିଛି ଟିକସ ଚିନ୍ତା । ଚୁଡ଼ା, ମୁଢ଼ି ପ୍ୟାକେଟ୍ ଉପରେ ଜିଏସ୍ଟି ଛାଡ଼ିଲେନି । ଏବେ ଲୋକଙ୍କ ମୂଳ ଜମା ଉପରେ ଆୟକର ବସାଇ ସିଧା ସିଧା ପକେଟ୍ କାଟିବା ଯୋଜନା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରାଳୟର ଏପରି ନୀତି ଜନ କଲ୍ୟାଣକାରୀ ନା ଜନ ମାରଣ ନୀତି ତାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।

ବିଜେପି ସହିପାରୁନି ବିଜେଡିର ଲୋକପ୍ରିୟତା : ବିଜେଡି

ଭୁବନେଶ୍ବର : ପଦଯାତ୍ରାକୁ ମିଳୁଛି ଅଭୂତପୂର୍ବ ସଫଳତା  । ଟାର୍ଗେଟ ପୂରଣ କରିଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ  । ଲୋକେ ପୁଣି ଖୋଜିଲେଣି ନବୀନ ପଟ୍ଟନାୟକଙ୍କୁ ।  ବିଜେଡି କହିଲା ବିଜେପି ସହିପାରୁନି ବିଜେଡିର ଲୋକପ୍ରିୟତା । ଖାଦ୍ୟ ନପାଇ ଆଦିବାସୀଙ୍କ ଜୀବନ ଯାଉଛି । ରାଜ୍ୟରେ ବଢିଚାଲିଛି ଗଣଦୁର୍ଷମ। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା । ଧିମେଇଛି ବିକାଶ ଓ ଓଡ଼ିଶାର ହକ ପାଇଁ ଲଢେଇ। ୪ମାସରେ ମୋହନ ସରକାରଙ୍କ ବିଫଳତା ଜଳଜଳ କରି ଦିଶୁଛି ଓଡ଼ିଶାବାସୀଙ୍କ ଆଗରେ । ଅନ୍ୟପଟେ ବିଜେଡ଼ିର ପଦଯାତ୍ରାକୁ ଅଭୂତପୂର୍ବ ସଫଳତା ମିଳିବା ସହ ଦଳର ସଭ୍ୟ ସଂଗ୍ରହ ଟାର୍ଗେଟ ପୂରଣ ହେବାରେ ଲାଗିଛି। ଲୋକେ ଏହାକୁ ଦେଖି ୟୁଟର୍ଣ୍ଣ ମାରିଲେଣି। ପୁଣି ନିଜର ପ୍ରିୟନେତା ନବୀନ ପଟ୍ଟନାୟକଙ୍କୁ ଖୋଜିଲେନି ରାଜ୍ଯବାସୀ। ଏହାକୁ ସହିପାରୁନାହାନ୍ତି ସରକାରରେ ଥିବା ବ୍ୟକ୍ତି ଓ ବିଜେପି ନେତା । ନୂଆ ସରକାର ଶାସନ କଳକୁ ଠିକ  ଚଳାଇ ନପାରି ବ୍ୟାକଫୁଟକୁ ଚାଲିଯାଇଛି। ବିଜେଡ଼ି ବିରୋଧରେ ଗୁଜବ ଓ ରାଜ୍ୟନୈତିକ ବୟାନବାଜି ରଖି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଲାଗିଛି ବିଜେପି। ବିଜେଡ଼ି ଆଜି ବି ରାଜ୍ୟରେ ସବୁଠୁ ଲୋକପ୍ରିୟ ଦଳ ଯାହା ପ୍ରକାଶ ପାଉଛି ପଦଯାତ୍ରାରୁ।

ଦୁଇଟି ପର୍ଯ୍ୟାୟରେ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କରି ସଫଳତା ସାଉଁଟିଛି ବିଜେଡି ।  ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ତୃଣମୂଳସ୍ତରରୁ ଅଧିକ ଶକ୍ତିଶାଳୀ ହେଉଛି ଦଳ । ରାଜନୈତିକ ସମୀକ୍ଷକଙ୍କ ଆକଳନ- ପ୍ରଥମଥର ଲାଗି ଓଡ଼ିଶାରେ ସଶକ୍ତ ବିରୋଧୀ ଦଳ ଭାବେ ବିଜେଡ଼ି  ଭୂମିକା ତୁଲାଇଛି।  ବିରୋଧୀ ଦଳ ସରକାରଙ୍କ ଦୋଷ ଦୁର୍ବଳତାକୁ ଯେତେ ସାମ୍ନାକୁ ଆଣିବ ତାହା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବ। ବିଜେଡି ଭାଙ୍ଗିଯିବ ବୋଲି ଚାଲିଥିବା ବୟାନବାଜିର ପ୍ରଭାବ ଲୋକଙ୍କ ଉପରେ ପଡିବନି ବୋଲି କହିଛନ୍ତି ରାଜନୀତି ବିଶେଷଜ୍ଞ। ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ୨୫ ବର୍ଷ ଧରି ବିଜେଡି କ୍ଷମତାରେ ରହି ଓଡ଼ିଶାବାସୀଙ୍କ ସେବା କରିଛି । ଏବେ ବିରୋଧୀ ଦଳ ଭାବେ ବି ନିଜର ଭୂମିକା କରୁଛି ନିର୍ବାହ।

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା : ଚପାଇ ଦେବା ଷଡ଼ଯନ୍ତ୍ରର ପୋଲ୍ ଖୋଲିଲେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ଭିନ୍ନ ରୂପ ଦେଇ ଚପାଇ ଦେବାକୁ ଅପଚେଷ୍ଟା। ଗତକାଲି ଫରେନସିକ ରିପୋର୍ଟକୁ କେହି ଜଣେ ଭାଇରାଲ କରି ପାଣିରେ ହାଇଡ୍ରୋଜେନ ସଲଫାଇଡ୍ ଥିବା ଖବର ପ୍ରକାଶ କରାଯାଇଥିଲା। ପୋଷ୍ଟ ମର୍ଟମ ରିପୋର୍ଟ ନ ଆସୁଣୁ, ହାଇଡ୍ରୋଜେନ ସଲଫାଇଡ୍ ଯୋଗୁଁ ମୃତ୍ୟୁ ହୋଇଛି ବୋଲି କୁହାଗଲା। ହେଲେ ଆଜି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶଙ୍କ ବୟାନ ପୁରା ଘଟଣାର ସତ ସାମ୍ନାକୁ ଆଣିଛି। ସେ କହିଛନ୍ତି, ହାଇଡ୍ରୋଜେନ ସଲଫାଇଡରେ ଏହି ମୃତ୍ୟୁ ହୋଇ ପାରିବ ନାହିଁ। କାରଣ ହାଇଡ୍ରୋଜେନ ସଲଫାଇଡ୍ ମିଶା ପାଣିରୁ ଝାଡ଼ା ବାନ୍ତିର ଲକ୍ଷଣ ଦେଖାଯାଏ। କିନ୍ତୁ କନ୍ଧମାଳର ଦୁଇ ମୃତକଙ୍କ ପାଖରେ ଏହା ଦେଖାଯାଇନି।  ଯେଉଁ ରିପୋର୍ଟ ଭାଇରାଲ ହେଉଛି, ତାହା ଦ୍ଵନ୍ଦ୍ଵ ସୃଷ୍ଟି କରୁଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିବା ପରେ ଉଠିଛି ଅନେକ ପ୍ରଶ୍ନ।  ଫରେନସିକ୍ ରିପୋର୍ଟ ଭାଇରାଲ ହେଲା କେମିତି ? ଆମ୍ଵ ଟାକୁଆ ଖାଇ ମୃତ୍ୟୁକୁ ଘୋଡ଼ାଇବାକୁ ଜାଣି ଶୁଣି ଭାଇରାଲ କଲେ କି ସରକାର ?

ମାଣ୍ଡିପଙ୍କା ଗାଁରେ ଠିକ୍ ସମୟରେ ଚାଉଳ ବଣ୍ଟା ଯାଇ ନଥିଲା। ଆମ୍ବ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପରେ ତରବରିଆ ଭାବେ ଚାଉଳ ବଣ୍ଟା ଗଲା। ଲୋକଙ୍କୁ ଚାଉଳ ମିଳିଥିଲା ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ବାରମ୍ବାର ମିଛ କହୁଛନ୍ତି। ଏହାକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ। ଭୋକର ଭୂଗୋଳରୁ ଶସ୍ୟ ଶ୍ୟାମଳ ଓଡ଼ିଶା ଗଢିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୨ ଖାଦ୍ୟ ଇଣ୍ଡେକ୍ସରେ ଓଡ଼ିଶା ଦେଶରେ ଏକ ନମ୍ବର ହୋଇଥିଲା। ଜାତିସଂଘ ବି ଓଡ଼ିଶାର ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲା । ହେଲେ ମଣ୍ଡିପଙ୍କା ଆମ୍ଵ ଟାକୁଆ ମୃତ୍ୟୁ ଓଡ଼ିଶାର ସୁନାମରେ ଆଞ୍ଚ ଆଣିଛି। ଶସ୍ତା ମନ୍ତବ୍ୟରୁ ନିବୃତ ରହି ବାସ୍ତବବାଦୀ ହେବା ପାଇଁ ଯୋଗାଣ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛି ବିଜେଡି। କଂଗ୍ରେସ ବି ଏହି ଘଟଣାରେ ରାଜ୍ୟ ସରକାରଙ୍କ ପଳୟନପନ୍ଥୀ ନୀତିକୁ ନିନ୍ଦା କରିଛି।

ଯୋଗାଣ ମନ୍ତ୍ରୀ ଚାଉଳ ମିଳିଥିବାର ବାରମ୍ବାର ମିଛ କହୁଥିବାବେଳେ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଉଳ ମିଳିନି। ହୁଏତ ବିଭ୍ରାନ୍ତ କରିବାକୁ ମୃତ୍ୟୁ ଖବର ବି ଭାଇରାଲ କରାଯାଉଛି। ବଣ୍ଟନ ବ୍ୟବସ୍ଥାରେ ଜିଲ୍ଲାପାଳ ଓ ଆରଡିସି ସଂପୃକ୍ତ ଥିବାରୁ, ଆରଡିସସି ବଦଳରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେଡି। ରାଜ୍ୟ ସରକାର କିନ୍ତୁ ଆରଡିସି ତଦନ୍ତ ପାଇଁ ଓକିଲାତି କରୁଥିବା ବେଳେ ଚାଉଳ ବଣ୍ଟନରେ ଅବହେଳା ପ୍ରସଙ୍ଗକୁ ଏଡ଼ାଇ ଦେବାକୁ ଚେଷ୍ଟା କରୁଛନ୍ତି। ମାସର ସରକାରରେ ଦୁଇ ଦୁଇଟି ବଡ଼ ଘଟଣା। ଗଂଜାମରେ ବିଷାକ୍ତ ମଦ ପିଇ ଲୋକ ମଲେ। କନ୍ଧମାଳରେ ଆମ୍ବ ଟାକୁଆ ଜାଉ ଖାଇ ଜୀବନ ଗଲା ଲୋକ ପଛେ ମରନ୍ତୁ, ସରକାର କିନ୍ତୁ ସତ ମାନୁ ନାହାନ୍ତି।    ରାଜ୍ୟ ସରକାର ବ୍ୟାକଫୁଟରେ ଥିବାରୁ, କେବଳ ନିଜ ଇମେଜ ବିଲଡିଂରେ ମାତିଥିବାର ଚର୍ଚ୍ଚା ହେଉଛି।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ଯରେ ହେବ ଘମାଘୋଟ ଲଢେଇ

ଡରବନ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ଯରେ ଆଜି ହେବ ଘମାଘୋଟ ଲଢେଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ଖେଳାଯିବାକୁ ଥିବା ୪ ମ୍ଯାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଡରବନରେ ଆଜି ଖେଳାଯିବ । ଭାରତୀୟ ସମୟ ରାତି ୮ ଟାରେ ପରସ୍ପର ମୁହାମୁହିଁ ହେବେ ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ଦଳ । ମ୍ଯାଚ ପୂର୍ବରୁ ଟସ ପାଇଁ ଉଭୟ ଦଳର ଅଧିନାୟକ ଅଧାଘଣ୍ଟା ପୂର୍ବରୁ ପଡିଆରେ ଓହ୍ଲାଇବେ । ଉଭୟ ଦଳର ଅଧିନାୟକ ଟସ୍ ଜିତିବା ପାଇଁ ପ୍ରୟାସ କରିବେ । କାରଣ ଡରବନରେ ପାଣିପାଗ ଆଜି ଖରାପ ରହିବାର ଆଶଙ୍କା ରହିଛି । ଫଳରେ ଏହି ପ୍ରଥମ ଟି-୨୦ ମୁକାବିଲାରେ ଟସ ବେଶ୍ ଗୁରୁତ୍ତ୍ୱ ବହନ କରିପାରେ । ଯିଏ ଟସ ଜିତିବ ସେ ପ୍ରଥମେ ବ୍ଯାଟିଂ କରିବାର ନିଷ୍ପତ୍ତି ନେବା ଥୟ । କାରଣ ମ୍ଯାଚ ଯଦି ଡିଏଲଏସ  ଆଡକୁ ଯାଏ, ତେବେ ଚେଜ କରୁଥିବା ଦଳକୁ ସ୍କୋର ଉପରେ ନଜର ରହିପାରିବ । ତଦନୁଯାୟୀ ଦଳ ଖେଳିପାରିବ । ଟି-୨୦ ବିଶ୍ୱକପ ଫାଇନାଲ ପରେ ଏହା ଭାରତ-ଦକ୍ଷିଣ ଆଫ୍ରିକା ମଧ୍ଯରେ ପ୍ରଥମ ଲଢେଇ ହେବ । ଟିମ୍ ଇଣ୍ଡିଆ ସାଉଥ ଆଫ୍ରିକାକୁ ହରାଇ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ ଉପରେ ନିଜର କବଜା ଜାହିର କରିଥିଲା । ଆଫ୍ରିକୀୟ ମାଟିରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ପାଇଁ ଏହା କୌଣସି ବଡ ଆହ୍ୱାନଠୁ କମ୍ ହେବନି । ଡରବନ ହେଉଛି ସାଉଥ ଆଫ୍ରିକାର ସବୁଠୁ ଧିମା ପିଚ୍ । ଧିମା ହେବା ଫଳରେ ତାହାର ଉଦ୍ଦେଶ୍ଯ ଏହା ନୁହେଁ ଯେ, ଏହା ଉପମହାଦ୍ୱିପୀୟ ପିଚ ଭଳି ହେବ । ଡରବନ ପିଚରେ ବର୍ଷା ହେବାର ମଧ୍ଯ ଏକ ଦୁ୍ଃଖ ରହିଛି । ଯାହା ଉଭୟ ଦଳ ପାଇଁ କାଳ ସାଜି ପାରିବ । ଭାରତ- ଦକ୍ଷିଣ ଆଫ୍ରିକା ମଧ୍ଯରେ ଖେଳାଯିବାକୁ ଥିବା ଏହି ପ୍ରଥମ ଟି-୨୦ ମ୍ଯାଚରେ ଟସ ସବୁଠୁ ବେଶୀ ଗୁରୁତ୍ତ୍ୱ ରଖିବ । କାରଣ ଏଠାରେ ଆଜି ବର୍ଷା ହେବାର ସମ୍ଭାବନା ଅଧିକ । ପ୍ରଥମେ ବ୍ଯାଟିଂ କରୁଥିବା ଦଳ ପାଇଁ ଏଠାରେ ହାରାହାରି ସ୍କୋର ରହିଛି ମୋଟ ୧୩୬ ରନ । ଡରବନରେ ମୋଟ ୧୮ ଟି-୨୦ ମ୍ଯାଚ ଖେଳାଯାଇଛି । ଯେଉଁଥିରୁ ପ୍ରଥମେ ବ୍ଯାଟିଂ କରୁଥିବା ଦଳ ପ୍ରାୟ ୯ ଟି ( ୪୫ ପ୍ରତିଶତ ) ମ୍ଯାଚ ଜିତିଛି । ସେହିଭଳି ପ୍ରଥମେ ବୋଲିଂ କରୁଥିବା ଦଳ ଏଠାରେ ୮ ଟି ( ୪୦ ପ୍ରତିଶତ) ମ୍ଯାଚ ଜିତିଛି । ଟସ ହାରିଥିବା ଦଳ ଡରବନରେ ପ୍ରାୟ ୯ଟି ମ୍ଯାଚରେ ବିଜୟୀ ହୋଇଛି, ମାନେ ପ୍ରାୟ ୪୫ ପ୍ରତିଶତ ବିଜୟ ରହିଛି ।  ଡରବନ ପଡିଆରେ ଅଧିକତମ ସ୍କୋର ୨୨୬/୬ ଥିବାବେଳେ ନିମ୍ନତମ ସ୍କୋର ୭୩ ରହିଛି । ସେହିଭଳି ହାଇଏଷ୍ଟ ସ୍କୋର ଇନ ଚେଜ ରହିଛି ଏହି ପଡିଆରେ ୧୯୧/୫ ଓ ପ୍ରଥମେ ବ୍ଯାଟିଂ କରି ଏହି ପଡିଆରେ ହାରାହାରି ସ୍କୋର ୧୩୬ ଅଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ୨୭ ଟି ଟି-୨୦ ମ୍ଯାଚ ଖେଳାଯାଇଛି । ଯେଉଁଥିରେ ଭାରତ ୧୫ ଟି ମ୍ଯାଚ ଜିତି ନିଜର ଦବଦବା ଜାହିର କରିଛି । ସେପଟେ ସାଉଥ ଆଫ୍ରିକା ୧୧ ଟି ମ୍ଯାଚରେ ବିଜୟୀ ହୋଇଛି । ଗୋଟିଏ ମ୍ଯାଚରେ କୌଣସି ଫଳାଫଳ ଆସି ପାରି ନାହିଁ ।

ଆମ୍ବ ଟାକୁଆ ଖାଇ ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ କଥା : ନବୀନ ପଟ୍ଟନାୟକ

ଭୁବନେଶ୍ବର : ଆମ୍ବ ଟାକୁଆ ଖାଇ ଦୁଇଜଣ ଆଦିବାସୀ ମହିଳା ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ଖାଦ୍ୟ ସୁରକ୍ଷାରେ ଏକ ନମ୍ବର ରାଜ୍ୟରେ ଏଭଳି ଅଭାବନୀୟ ଘଟଣା ଘଟୁଛି ବୋଲି ସେ ସୋସିଆଲ ମିଡ଼ିଆ ଏକ୍ସରେ କହିଛନ୍ତି । ସେ କହିଛନ୍ତି ଯେ ଆମ୍ବ ଟାକୁଆ ଖାଇ କନ୍ଧମାଳର ଦୁଇ ଆଦିବାସୀ ମହିଳା ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ କଥା । ଏପରି ଘଟଣା ଦୁଇ ଦଶନ୍ଧି ତଳେ ଦେଖିବାକୁ ମିଳୁଥିଲା । ମାଣ୍ଡିପଙ୍କା ଗାଁର ନିରୀହ ଆଦିବାସୀ ଭାଇଭଉଣୀମାନଙ୍କର ଚାରି ମାସ ଧରି ରାସନ୍ ଚାଉଳ ବନ୍ଦ କାରଣରୁ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହୋଇଛନ୍ତି ।  ଯାହା ଅନ୍ୟନ୍ତ  ଦୁଃଖଦାୟକ ବୋଲି କହିଛନ୍ତି ବିରୋଧୀ ଦଳ ନେତା  । ବିଜେଡି ସରକାର ସମୟରେ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରି ଏନଏଫଏସଏ କାର୍ଯ୍ୟକାରୀ କରାଯାଇଥିଲା । ଫଳରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର୍ ରାଜ୍ୟ ହୋଇଥିଲା। ଏହାକୁ ଆହୁରି ବ୍ୟାପକ କରିବା ପାଇଁ ବିଜେଡି ସରକାର  ସ୍ୱତନ୍ତ୍ର ଭାବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିଥିଲା ।  ଏକ ନମ୍ବର୍ ରାଜ୍ୟ ଭାବେ କେନ୍ଦ୍ର ସରକାରଙ୍କଠାରୁ ସମ୍ମାନିତ ହେବାରୁ ଆସି ଆଜି ଏପରି ସ୍ଥିତିରେ ପହଞ୍ଚିବା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।