ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁପରେ ପ୍ରଶାସନର ଚେତା ପଶିଛି । ଗତ ୩ ମାସ ଧରି ରାସନ ମିଳୁ ନଥିବା ବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ହଠାତ ତରବରିଆ ଭାବେ ଗତକାଲି ସନ୍ଧ୍ୟାରେ ଚାଉଳ ବଣ୍ଟାଯାଇଛି । ତାହାପୁଣି ଗଦାପୁର ପଞ୍ଚାୟତରେ ନୁହେଁ । ୯ କିମି ଦୂର ବ୍ରାହ୍ମଣୀଗାଁ ପଞ୍ଚାୟତରେ ଚାଉଳ ଦିଆଯାଇଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ନିଜ ଦୋଷ ଲୁଚାଇବାକୁ ଗରିବଙ୍କ ଉପରକୁ ଦୋଷ ଠେଲୁଛନ୍ତି ରାଜ୍ୟ ସରକାର !
ଭୁବନେଶ୍ବର: ଆମ୍ବ ଟାକୁଆ ଜାଉ ଖାଇ ଲୋକେ ମରିବା ଘଟଣାରେ ନିଜ ଦୋଷ ଲୁଚାଇବାକୁ ଗରିବଙ୍କ ଉପରକୁ ଦୋଷ ଠେଲୁଛନ୍ତି କି ରାଜ୍ୟ ସରକାର ? ଚାଉଳ ନମିଳିବାରୁ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳା ମୃତ୍ୟୁ ଘଟଣାରେ ନିଜ ଅପାରଗତାକୁ ଘୋଡ଼ାଇବାରେ ବ୍ୟସ୍ତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ୩ ମାସ ହେଲା ଚାଉଳ ମିଳି ନଥିବା ନେଇ ସ୍ପଷ୍ଟ ପ୍ରମାଣ ରହିଛି । ଏନେଇ ହିତାଧିକାରୀଙ୍କ ରାସନ କାର୍ଡ ତଥ୍ୟରୁ ଜଣାପଡ଼ିଛି । ଇ-କେୱାଇସି ହୋଇ ନଥିବାରୁ ଚାଉଳ ମିଳି ନଥିବା ନିଜେ ବ୍ଲକ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି । ହେଲେ ସତକୁ ମାନିବାକୁ ନାରାଜ ଯୋଗାଣ ମନ୍ତ୍ରୀ । ନିଜ ବିଭାଗର ଅବ୍ୟବସ୍ଥାକୁ ସ୍ବୀକାର କରିବା ବଦଳରେ ଗରିବ ଆଦିବାସୀଙ୍କୁ ଦୋଷ ଠେଲିଛନ୍ତି ।
ମନ୍ତ୍ରୀ କହିଛନ୍ତି, ଲୋକଙ୍କ ପାଖରେ ଚାଉଳ ମହଜୁଦ ଥିବାରୁ ସେମାନେ ଚାଉଳ ନେଇନାହାନ୍ତି । ଚାଉଳର କୌଣସି ଅଭାବ ନଥିବାବେଳେ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଉଳ ଏବେ ବଣ୍ଟାଯାଉଛି । ଅଜବ ଯୁକ୍ତି ରଖି ମନ୍ତ୍ରୀ କହିଛନ୍ତି, ଆମ୍ବ ଟାକୁଆ ସେମାନଙ୍କର ପାରମ୍ପରିକ ଖାଦ୍ୟ । ବାସି ଖାଦ୍ୟ ଖାଇବା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଭାଇଗିରି ଦେଖାଇବାକୁ ରାଜଧାନୀରେ ଆତଙ୍କ ମଚାଇଲେ, ବୋମା ଫିଙ୍ଗିଲେ
ଭୁବନେଶ୍ବର: ଭୁବନେଶ୍ବରରେ ସହିଦନଗର ୱିନର୍ସ ଆସୋସିଏସନ ନିକଟରେ ବୋମାମାଡ଼ ଘଟଣା । କାହ୍ନା ଓରଫ ବିଶ୍ୱରଞ୍ଜନ ବିଶ୍ଵାଳ ସମେତ ଦୁଇ ଜଣକୁ ଅଟକ ରଖିଛି ପୋଲିସ । ଅନ୍ୟ ସହଯୋଗୀଙ୍କୁ ପୋଲିସ ଚିହ୍ନଟ କରିବା ସହିତ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି । ଗତକାଲି ରାତିରେ ଖଣ୍ଡା ଦେଖାଇ ଆତଙ୍କ ସୃଷ୍ଟି କରିବା ସହ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ । ଏଥିରେ ଗୋଟିଏ କାର ଓ ଗୋଟିଏ ବାଇକ ନଷ୍ଟ ହୋଇଛି ।
ଭାଇଗିରି ପାଇଁ ବିଳମ୍ବିତ ରାତିରେ ରାଜଧାନୀରେ ଆତଙ୍କ ସୃଷ୍ଟି କରାଯିବା ସହ ଘନଘନ ବୋମା ମାଡ ହୋଇଥିଲା । ଖଣ୍ଡା, ଲାଠି ମାଡରେ ଭାଙ୍ଗିଥିଲେ ଗାଡି । ଯାହାକୁ ପାଇଲେ ଗୋଡାଇ ଗୋଡାଇ ପିଟିଲେ ଦୁର୍ବୃତ୍ତ । ୧୫ ମିନିଟରୁ ଅଧିକ ସମୟ ରଚିଲେ ତାଣ୍ଡବ । ସହିଦନଗର ଭିଆଇପି ଅଞ୍ଚଳରେ ପୋଲିସକୁ ଏମିତି ଚ୍ୟାଲେଞ୍ଜ ଦେଇଥିଲେ ୨୫ରୁ ଊର୍ଦ୍ଧ୍ବ ଯୁବକ ।
ସିସିଟିଭରେ ଦୁର୍ବୃତ୍ତଙ୍କ ପୂରା କାଣ୍ଡ ରେକର୍ଡ ହୋଇଛି । ଏବେ ପୋଲିସର ପାଳି । ଫୁଲ ଆକ୍ସନରେ କମିଶନରେଟ ପୋଲିସ । ମୁଖ୍ୟ ଅଭିଯୁକ୍ତ କାହ୍ନା ସହ ଦୁଇ ଜଣ ଅଟକ । ପୂର୍ବ ଶତ୍ରୁତା ଏବଂ ଭାଇଗିରି ପାଇଁ ଶୁକ୍ରବାର ରାତିରେ ସହିଦନଗର ଓ୍ବିନର ଆସୋସିଏସନରେ ବୋମାମାଡ ସହ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଭୟରେ ଓ୍ବିନର ଆସୋସିଏସନରେ ଥିବା ପିଲାମାନେ ନିଜକୁ ବଞ୍ଚାଇବା ପାଇଁ ଯିଏ ଯୁଆଡେ ଦୌଡିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋଟିଏ କାର ଓ ଏକାଧିକ ବାଇକ ଭାଙ୍ଗି ଚୁରମାର ହୋଇଛି ।
ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସହିଦନଗର ଥାନା ପୋଲିସ । ଅନ୍ଯ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ପୋଲିସ ସାଇଣ୍ଟିଫିକ୍ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ବୋମା ଓ ଗାଡି ଭଙ୍ଗାକାଚରୁ ପ୍ରମାଣ ସଂଗ୍ରହ କରିଛି । ପୂର୍ବରୁ ଉଭୟ ଗୋଷ୍ଠୀ ମଧ୍ୟରେ ସାଧାରଣ କଥାକୁ ନେଇ ଶତ୍ରୁତା ସୃଷ୍ଟି ହୋଇଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ।
ପୂର୍ବରୁ ଭୁବେନଶ୍ବରରେ ଭାଇଗିରି ପାଇଁ ଏମିତି ଅନେକ ଥର ଆତଙ୍କ ରଚିଛନ୍ତି ଦୁର୍ବୃତ୍ତ । କିନ୍ତୁ ପୋଲିସର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏବେ ପୁଣି ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ ।
ପିସିସି ସଭାପତି ଘୋଷଣା ପୂର୍ବରୁ କଂଗ୍ରେସରେ ହଲଚଲ
ଭୁବନେଶ୍ବର: ପିସିସି ସଭାପତି ଘୋଷଣା ପୂର୍ବରୁ ରାଜ୍ୟ କଂଗ୍ରେସରେ ବଡ଼ ହଲଚଲ । ପ୍ରଭାରୀଙ୍କ ଗସ୍ତର ଦୁଇଦିନ ପୂର୍ବରୁ ମହମ୍ମଦ ମୋକିମଙ୍କ ସପକ୍ଷରେ ଆରମ୍ଭ ହେଲା ଲବି । ଭୁବନେଶ୍ବର ଜିଲ୍ଲା ସଭାପତିଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଏକାଠି ହୋଇଛନ୍ତି କଂଗ୍ରେସର ଛାମୁଆ କର୍ମୀ ଓ ନେତା । ବର୍ତ୍ତମାନର ସ୍ଥିତିରେ ମହମ୍ମଦ ମୋକିମ ହିଁ କଂଗ୍ରେସ ମୁଖିଆ ପାଇଁ ସବୁଠାରୁ ପସନ୍ଦର ପ୍ରାର୍ଥୀ ବୋଲି ମତ ଆସିଛି । ବନ୍ଧୁ ମିଳନରେ ଯୋଗ ଦେଇ ମହମ୍ମଦ ମୋକିମ କହିଛନ୍ତି, ଦଳ ଯାହା ଦାୟିତ୍ବ ଦେବ, ତାହା ତୁଲାଇବାକୁ ପ୍ରସ୍ତୁତ । ନିର୍ବାଚନ ପରେ ରାଜ୍ୟ କଂଗ୍ରେସର ମୁଖିଆକୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ଦୁଇ ପ୍ରଭାରୀ ମିନାକ୍ଷୀ ନଟରାଜନ ଓ ଚରଣ ଦାସ ମହନ୍ତ ୪ ତାରିଖରେ ଓଡ଼ିଶା ଆସୁଛନ୍ତି ।
ପିସିସି ସଭାପତି କିଏ ହେବ ? ଏନେଇ ସସପେନ୍ସ ଜାରି ଥିବାବେଳେ ଲବି ନୁହେଁ ଛବିକୁ ଫୋକସ କରିବାକୁ ଦଳୀୟ ନେତାଙ୍କ ଦାବି ପାଣିର ଗାର ପାଲଟିଥିବା ପ୍ରତ୍ଯୟମାନ ହେଉଛି । ସିଧାସଳଖ କହିବାକୁ ଗଲେ କଂଗ୍ରେସ ମଙ୍ଗ ଧରିବା ପାଇଁ ଲବି ଆରମ୍ଭ ହୋଇଯାଇଛି । ଦୁଇ ଦିନ ପରେ ଦୁଇ ପ୍ରଭାରୀ ମିନାକ୍ଷୀ ନଟରାଜନ ଓ ଚରଣ ଦାସ ମହନ୍ତ ଓଡିଶା ଆସୁଛନ୍ତି । ହେଲେ ତା’ ପୂର୍ବରୁ ଏଆଇସିସିର ଦୃଷ୍ଟି ଆକର୍ଷଣ ଲାଗି ଉଦ୍ଯମ କରିଛନ୍ତି ବରିଷ୍ଠ ନେତା ତଥା ଆଶାୟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏହାକୁ ନେଇ ରାଜ୍ୟ କଂଗ୍ରେସରେ ବଡ଼ ହଲଚଲ ଆରମ୍ଭ ହୋଇଯାଇଛି ।
ପିସିସି ସଭାପତି ଚୟନ ପୂର୍ବରୁ ମୋକିମ କ୍ୟାମ୍ପର ସମରସଜ୍ଜା । ମହମ୍ମଦ ମୋକିମ ହିଁ ଓଡ଼ିଶା କଂଗ୍ରେସ ମୁଖିଆ ପାଇଁ ଉପଯୁକ୍ତ ପ୍ରାର୍ଥୀ ବୋଲି କର୍ମୀଙ୍କ ମତ । ପିସିସି ସଭାପତି କିଏ ହେବ, ସେ ବାବଦରେ ଆଲୋଚନା ପାଇଁ ୪ ତାରିଖରେ ଓଡ଼ିଶା ଆସୁଛନ୍ତି ଦୁଇ ପ୍ରଭାରୀ ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ । ଏହା ପୂର୍ବରୁ ଭୁବନେଶ୍ବରରେ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇଛନ୍ତି । ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ବନ୍ଧୁମିଳନରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସର ସଭାପତି ଓ କର୍ମକର୍ତ୍ତାଙ୍କ ସହ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କଂଗ୍ରେସ ନେତାମାନେ ଏକାଠି ହୋଇଥିଲେ । ମହମ୍ମଦ ମୋକିମ ମଧ୍ୟ ଏଠାରେ ପହଞ୍ଚିଥିଲେ । ଭୁବନେଶ୍ବର ସଭାପତିଙ୍କ ସମେତ ଅନେକ ନେତା ମୋକିମଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ।
ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀ ରାଜ୍ୟ ସାରା ସବୁଠି ଅଛନ୍ତି । କଂଗ୍ରେସ କର୍ମୀଙ୍କ ମନୋବଳ ବି ଉଚ୍ଚା ରହିଛି । ହେଲେ କଂଗ୍ରେସକୁ ଆଗକୁ ନେବା ପାଇଁ ଜଣେ ଉପଯୁକ୍ତ ମୁଖିଆ ଦରକାର । ଯିଏ ରାଜ୍ଯ ଯାକ ବୁଲି ପାରୁଥିବେ, ଅର୍ଥ ଖର୍ଚ୍ଚ କରିପାରୁଥିବେ । କଂଗ୍ରେସ ଶିବିରକୁ ଚଳଚଞ୍ଚଳ କରିବାର ଦକ୍ଷତା ଥିବ । ନେତା ଓ କର୍ମୀମାନେ ଏସବୁ କାମ ପାଇଁ ମହମ୍ମଦ ମୋକିମ ହିଁ ଉପଯୁକ୍ତ ନେତା ବୋଲି ଖୋଲାଖୋଲି ବନ୍ଧୁମିଳନରେ କହିଛନ୍ତି । ମୋକିମ ମଧ୍ୟ ଦଳର ଦାୟିତ୍ବ ନେବାକୁ ପ୍ରସ୍ତୁତ ବୋଲି ପରୋକ୍ଷରେ କହିଛନ୍ତି । ଦୁଇ ପ୍ରଭାରୀ ୪ ତାରିଖରେ ଆସି ପରର୍ବତ୍ତୀ ସଭାପତି ଚୟନ ପାଇଁ ଆଲୋଚନା କରିବେ ।
୨୫ ବର୍ଷ ହେଲା କ୍ଷମତାଠାରୁ ଦୂରେଇ ରହିଛି କଂଗ୍ରେସ । ରାଜ୍ୟବାସୀଙ୍କ ଆସ୍ଥା ବିଶ୍ବାସ ସୃଷ୍ଟି କରିବାରେ ବିଫଳ ହୋଇଛି ଦଳ । ସାରା ଦେଶରେ କଂଗ୍ରେସର ଉତ୍ଥାନ ହେଉଥିବା ବେଳେ ଓଡ଼ିଶାରେ ଦଳର ପ୍ରଦର୍ଶନ ଶୋଚନୀୟ ହୋଇଥିବାରୁ ଜଣେ ଦକ୍ଷ ସଙ୍ଗଠକଙ୍କୁ ମୁଖିଆ କରିବା ପାଇଁ ଉଦ୍ୟମ ଚାଲିଛି ।
ଆମ୍ବ ଟାକୁଆ ଜାଉ ମୃତ୍ୟୁ ଘଟଣା ପାଇଁ ସରକାର ଦାୟୀ: ସିପିଆଇଏମ୍
ଭୁବନେଶ୍ବର: ଆଦିବାସୀଙ୍କ ପ୍ରତି ମୋହନ ସରକାର କରିଛନ୍ତି ବେଇମାନୀ । ଦାରିଙ୍ଗବାଡି ଆମ୍ବ ଟାକୁଆ ଜାଉ ମୃତ୍ୟୁ ଘଟଣା ପାଇଁ ରାଜ୍ଯ ସରକାର ସମ୍ପୂର୍ଣ୍ଣ ଦାୟୀ । ରାଜ୍ଯ ସରକାରଙ୍କୁ ଏମିତି କହି ଘେରିଛି ସିପିଆଇଏମ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଅପାରଗତା ଉପରେ ବର୍ଷିଛନ୍ତି ସିପିଆଇଏମ ନେତା ।
୩ ମାସ ଧରି ଖାଦ୍ୟ ସୁରକ୍ଷା ଆଇନ୍ ଅନୁସାରେ ସରକାର ଚାଉଳ ଦେଲେ ନାହିଁ । ସେଥିପାଇଁ ଭୋକ ବିକଳରେ ଲୋକେ ଆମ୍ବ ଟାକୁଆ ଖାଇଲେ । ଯାହାର କରୁଣ ପରିସ୍ଥିତି ଦେଖିବାକୁ ମିଳିଛି ବୋଲି କହି ସରକାରଙ୍କୁ ଘେରିଛି ଦଳ । ସରକାର କେବଳ ବାହାସ୍ଫୋଟ ମାରୁଛନ୍ତି । ଖାଦ୍ୟ ସୁରକ୍ଷା ଆଇନର ସରକାର ଉଲ୍ଲଂଘନ କରିଛନ୍ତି । ଏ ସରକାର କେବଳ ରଙ୍ଗ ବୋଳା ସରକାର ବୋଲି କଟାକ୍ଷ କରିବା ସହିତ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗିବା ଦରକାର ବୋଲି କହିଛି ସିପିଆଇଏମ । ତୁରନ୍ତ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ପରିବାର ଲୋକଙ୍କୁ ସରକାରୀ ଚାକିରି ଦେବାକୁ ଦଳ ଦାବି କରିଛି ।
ନଭେମ୍ବର ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ: ନଭେମ୍ବର ୨୫ ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନରେ ୨୬ଟି କାର୍ଯ୍ୟଦିବସ ରହିଛି ।
ଚଳିତ ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିବାରେ ଅଛି । ବିଶେଷ କରି ଓ୍ବାନ ନେସନ ଓ୍ବାନ ଇଲେକ୍ସନ ବିଲ୍ ସଂସଦରେ ଉପସ୍ଥାପନ କରିବେ କେନ୍ଦ୍ର ସରକାର । ଯାହାକୁ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା ଦେଖିବାକୁ ମିଳିପାରେ । ସେହିପରି ଓ୍ବାକଫ ସଂଶୋଧନ ବିଲ୍ ନେଇ ବି ସଂସଦରେ ଚାଲିପାରେ ବିତର୍କ ।
୨୫ ତାରିଖରେ ସଂସଦର ଅଧିବେଶନ ଆରମ୍ଭ ହେଉଥିବା ବେଳେ ୨୬ ତାରିଖରେ ପାଳନ ହେବ ସମ୍ବିଧାନ ଦିବସ ।

