ଭୁବନେଶ୍ବର : ଅବକାରୀ ବିଭାଗର ୟୁ-ଟର୍ଣ୍ଣ। ଏଣିକି ରାତିରେ ପୁଣି ବେଧଡ଼କ ଚାଲିବ ଡ୍ୟାନ୍ସବାର। ଷ୍ଟେଜରେ ନାଚିବେ ଯୁବତୀ। କିନ୍ତୁ ଆଉ ପୂର୍ବଭଳି ମହିଳା ଡ୍ୟାନ୍ସରଙ୍କୁ ଛୁଇଁ ହେବ ନାହିଁ କିମ୍ବା ତାଙ୍କ ଉପରକୁ ଫିଲ୍ମ ଷ୍ଟାଇଲରେ ଟଙ୍କା ଉଡ଼ାଇ ହେବନାହିଁ । ମହିଳା ଡ୍ୟାନ୍ସରଙ୍କ ପୋଷାକ ପରିଧାନରେ ବି ଶାଳୀନତା ରହିବ । ଅବକାରୀ ବିଭାଗ ଏଭଳି କିଛି ନୂଆ ନିୟମ କରିଛି। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଓଡ଼ିଶା ଅବକାରୀ ସଂଶୋଧନ ରୁଲସ ବିଜ୍ଞପ୍ତି ଜାରି ହୋଇଛି । ସଂଶୋଧିତ ନିୟମାବଳୀ ଆଧାରରେ ଏଣିକି ବାରରେ ମହିଳାମାନେ ନୃତ୍ୟଗୀତ ପରିବେଷଣ କରିପାରିବେ । ଏଥାପିଁ କିଛି ନିୟମ ଜାରି କରିଛି ଅବକାରୀ ବିଭାଗ। ଡ୍ୟାନ୍ସ ବାର୍ ପରିସରରେ ସିସିଟିଭି କ୍ୟାମେରା ଲାଗିବ, ଯାହାକି ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜକୁ ଭଲଭାବେ ରେକର୍ଡିଂ କରିପାରୁଥିବ। ଏବଂ ଏହି କ୍ୟାମେରା ୨୪ଘଣ୍ଟା ଅନ୍ ରହିବ। ଏହି ସିସିଟିଭି କ୍ୟାମେରାର ହାର୍ଡ ଡିସ୍କରେ ଅତିକମରେ ୩ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବା ଜରୁରୀ । ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୋଲିସ୍ ଥାନା ଅଫିସର ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବେ । ଯଦି କୌଣସି କାରଣରୁ ସିସିଟିଭି ଖରାପ ହୁଏ, ତେବେ ସମ୍ପୃକ୍ତ ବାର ମାଲିକ ସଙ୍ଗେସଙ୍ଗେ ନିଜ ଅଞ୍ଚଳର ଅବକାରୀ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଅବଗତ କରାଇବେ । ଯେପର୍ଯ୍ୟନ୍ତ ସିସିଟିଭି ଠିକ୍ ନହୋଇଛି ସେପର୍ଯ୍ୟନ୍ତ ନୃତ୍ୟଗୀତ କାର୍ଯ୍ୟକ୍ରମ ବନ୍ଦ ରହିବ ।
ମୋହନଙ୍କ ମନ୍ତ୍ରିମଣ୍ଡଳକୁ ନେଇ କୁହୁଳୁଛି ଅସନ୍ତୋଷର ନିଆଁ !, ଖାଲି ପଡ଼ିଛି ୬ ମନ୍ତ୍ରୀ ପଦ, ବଢୁଛି ଆଶାୟୀଙ୍କ ସଂଖ୍ୟା
ଭୁବନେଶ୍ବର : ବିଜେପିକୁ ଅଡୁଆ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ଖାଲି ପଡ଼ିଛି ୬ ମନ୍ତ୍ରୀ ପଦ, ବଢୁଛି ଆଶାୟୀଙ୍କ ସଂଖ୍ୟା। ମନ୍ତ୍ରୀ ପଦ ପାଇଁ ମୁହଁ ଖୋଲିଲେଣି ବିଧାୟକ। ରାଜ୍ୟରେ ସରକାର ଗଢ଼ିଲା ବିଜେପି। ହେଲେ ମୋହନଙ୍କ କ୍ୟାବିନେଟରେ ସ୍ଥାନ ପାଇନଥିଲେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କିଛିଦିନର ନିରବତା ପରେ ଏବେ ମୁହିଁ ଖୋଲିଛନ୍ତି ଜୟ ନାରାୟଣ ମିଶ୍ର। ତାଙ୍କ କହିବା କଥା, ମୁଖ୍ୟମନ୍ତ୍ରୀ ଚାହିଲେ ମୁଁ ମନ୍ତ୍ରୀ ହେବି, ନ ଚାହିଁଲେ ହେବି ନାହିଁ। ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ ଆଉ କିଏ ନପାଇବ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର। ଏବେ ଫୁଟବଲ ଟ୍ରେନିଂ ଦେବାକୁ ମାନସିକ ଭାବେ ପ୍ରସ୍ତୁତ ବୋଲି କହି ଭିନ୍ନ ଇସାରା ଦେଇଛନ୍ତି ଜୟ ନାରାୟଣ ମିଶ୍ର। ଅନ୍ୟପଟେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ୩ ଥରର ବିଧାୟିକା ସୀମାରାଣୀ ନାୟକ ବି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମତ ରଖିଛନ୍ତି ।
ବ୍ୟବସ୍ଥା ଅନୁସାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇ ୨୧ ଜଣ ମନ୍ତ୍ରୀ ରହିପାରିବେ । ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ଅଧାଗଢା ମନ୍ତ୍ରିମଣ୍ଡଳକୁ ନେଇ ମୁଖ୍ୟମନ୍ତ୍ରୀ ଚାପରେ ଅଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି। ନୂଆ ବର୍ଷ କିମ୍ବା ଏହା ପୂର୍ବରୁ ମୋହନ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ବୋଲି ସମୀକ୍ଷକ ଆକଳନ କରିଛନ୍ତି । ତେବେ କାହାକୁ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ସାମିଲ କରିବେ ତାହାକୁ ନେଇ ଦ୍ବନ୍ଦରେ ଅଛନ୍ତି । ଦଳର ବହୁ ବରିଷ୍ଠ ବିଧାୟକ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଆଶାୟୀ ଥିବା ବେଳେ, ମୋହନଙ୍କ ଉପରେ ଅନ୍ୟଦଳରୁ ଆସିଥିବା ନେତାଙ୍କ ଚାପ ବି ରହିଛି ବୋଲି କହିଛନ୍ତି ସମୀକ୍ଷକ।
ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ । ସେହିପରି ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ଭାସ୍କର ମଢ଼େଇ, ସନାତନ ବିଜୁଳି ଓ ପଦ୍ମଲୋଚନ ପଣ୍ଡାଙ୍କ ପରି ନେତା ମନ୍ତ୍ରିମଣ୍ଡଳ ବାହାରେ ଅଛନ୍ତି। ଦଳର ଆଗଧାଡ଼ିର ଯୁବ ବିଧାୟକ ଟଙ୍କଧର ତ୍ରିପାଠୀ, ବାବୁ ସିଂ, ଇରାଶିଷ ଆଚାର୍ଯ୍ୟଙ୍କ କଥା ବି ଚର୍ଚ୍ଚାରେ ରହିଛି । ତେବେ ମୋହନ କେବେ ଗଢିବେ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ତାକୁ ହିଁ ଅପେକ୍ଷା ।
ଧନତେରାସ ଦିନ କାହିଁକି ଜଳାଯାଏ ‘ଯମ ଦୀପ’ ? ଜାଣନ୍ତୁ କାରଣ,ମହତ୍ତ୍ବ ଏବଂ ଏହାର ବିଧି ସଂପର୍କରେ…
ଧନତେରାସ ୨୦୨୪: ପବିତ୍ର ଧନତେରାସ ଦିନ ସୁନା ରୂପା ନୂଆ ବାସନ କିଣିବା ଶୁଭ ହୋଇଥାଏ ଏହା ସହ ବିଶ୍ବାସ ରହିଛି ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ । ଦୀପାବଳୀର ପୂର୍ବ ଦିନଟିକୁ ଧନତେରାସ ଭାବରେ ପାଳନ କରାଯାଏ। ଯେଉଁ ଦିନ ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀ ଏବଂ କୁବେରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପୂଜା କରାଯିବାର ବିଧାନ ରହିଛି । କିନ୍ତୁ ଏହା ଛଡା ଆପଣମାନେ ଜାଣିଛନ୍ତି କି, ଧନତେରାସ ରାତିରେ ଏକ ବିଶେଷ ଧରଣର ପୂଜା ରହିଛି ଯାହା ଦ୍ବାରା ଦୁର୍ଘଟଣା ତଥା ଅକାଳ ମୃତ୍ୟୁ ଭଳି ବିପଦ ମଧ୍ୟ ଟଳି ଯିବ ।
କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳନ କରାଯାଏ । ଏହି ଦିନ ସନ୍ଧ୍ୟାରେ ଧନର ଦେବତା ମା ଲକ୍ଷ୍ମୀ ଏବଂ କୁବେରଙ୍କ ପୂଜା କରିବା ପରେ ଏକ ସ୍ବତନ୍ତ୍ର ପୂଜା ରହିଛି । ଜାଣନ୍ତୁ କଣ ରହିଛି ଏହି ଖାସ ପୂଜା..
ଧନ ଦେବତାଙ୍କ ପୂଜା ସାରିବା ପରେ ମୃତ୍ୟୁର ଦେବତା ଯମଙ୍କ ଉଦ୍ଦେଶ୍ୟରେ ଦୀପ ଜଳାଯାଇଥାଏ । ସେହି ଦିନ ଯମରାଜାଙ୍କୁ ମଧ୍ୟ ପୂଜା କରାଯିବାର ପରମ୍ପରା ରହିଛି । ବିଶ୍ବାସ ରହିଛି , ଧନତେରାସ ଦିନ ଯମରାଜଙ୍କ ନାମରେ ଦୀପ ଜଳାଇବା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ ଅକାଳ ମୃତ୍ୟୁର ସମ୍ଭାବନା ରହିନଥାଏ ।
ଜାଣନ୍ତୁ ଯମ ଦୀପ ଜାଳିବାର ଶୁଭ ମୁହୁର୍ତ୍ତ ଏବଂ ନିୟମ
ନିୟମ ରହିଛି ଏହି ଦିନ ସନ୍ଧ୍ୟାବେଳେ ଦକ୍ଷିଣ ଦିଗରେ ଯମରାଜାଙ୍କ ନାଁରେ ଏକ ଚାରିମୁଖୀ ଦୀପ ଜଳାଯାଏ । ସେହି ଚାରିମୁଖୀ ଦୀପକୁ ଯମ ଦୀପ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରର ଦକ୍ଷୀଣ ଦିଗର ସ୍ବାମୀ ଯମ ହୋଇଥାନ୍ତି । ତେଣୁ ଏହାକୁ କେବଳ ଦକ୍ଷିଣ ଦିଗରେ ହିଁ ଜଳାଯାଇଥାଏ । ଏହାଛଡା ନିୟମ ରହିଛି ଘର ଭିତରେ ଯମ ଦୀପ ଜାଳିବା ଉଚିତ ନୁହେଁ । ଘରେ ଯମଦୀପ ଜାଳିବା ଅତ୍ୟନ୍ତ ଅଶୁଭ ସାବ୍ୟସ୍ତ ହୋଇପାରେ । ଏହି ଦୀପକୁ କେବଳ ଦକ୍ଷିଣ ଦିଗରେ ହିଁ ନେଇ ରଖିବାକୁ ପଡିବ । ଯମ ଦୀପ ଜାଳିବା ପରେ ପରିବାରର କୌଣସି ସଦସ୍ୟ ଘରର ବାହାରକୁ ଯିବାକୁ ଦିଆ ଯିବା ଉଚିତ ନୁହେଁ । ଧ୍ୟାନ ରଖିବେ ଘରର ସମସ୍ତ ସଦସ୍ୟ ଘରକୁ ଅାସିଯିବା ପରେ ହିଁ ଯମ ଦୀପ ପ୍ରଜ୍ବଳନ କରାଯିବା ଉଚିତ । ଏହା ସହିତ ସୂର୍ଯ୍ୟୋଅସ୍ତ ପରେ ହିଁ ସନ୍ଧ୍ୟାରେ ଯମ ଦୀପ ଜାଳିବେ । ଏହାକୁ ସୋରିଷ ତେଲରେ ଜାଳିବା ପରେ ଆପଣ ଏହାକୁ ଘର ବାହାରେ ରଖିପାରିବେ l ବିଶ୍ୱାସ କରାଯାଏ ଯେ ଏହା ମଧ୍ୟ ଅକାଳ ମୃତ୍ୟୁକୁ ରୋକିଥାଏ l
କାହିଁକି ଜାଳିବେ ଯମ ଦୀପ ?
ଯମ ଦୀପ ଜାଳିବାର କାରଣ ପଛରେ ଅନେକ ପୌରାଣିକ କାରଣ ମାନ ରହିଛି । ଶାସ୍ତ୍ର ଅନୁଯାୟୀ, ଯମରାଜା ସ୍ବୟଂ କହିଛନ୍ତି ଯେ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ସନ୍ଧ୍ୟାରେ ଯିଏ ତାଙ୍କ ନାମରେ ଦୀପ ଜାଳେ, ସେ ଅକାଳ ମୃତ୍ୟୁରୁ ମୁକ୍ତି ପାଇବ । ପ୍ରତିବର୍ଷ ଏହି ଦିନ ଯମର ଦୀପ ଜାଳିବାର ପରମ୍ପରା ରହିଛି l କିନ୍ତୁ କିଛି ଲୋକ ଦୀପାବଳି ରାତିରେ ମଧ୍ୟ ଯମ ଦୀପ ଜାଳନ୍ତି l
BSKY ରେ କ’ଣ ମିଳୁଥିଲା ଓ ଆୟୁଷ୍ମାନ ଯୋଜନାରେ କ‘ଣ ମିଳିବ ସୁବିଧା ?
ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କଣ ମିଳୁଥିଲା ଓ ଆୟୁଷ୍ମାନ ଯୋଜନାରେ କଣ ମିଳିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ହିତାଧିକାରୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବହନ କରୁଥିଲେ। କିନ୍ତୁ ଆୟୁଷ୍ମାନ ଯୋଜନାରେ ପ୍ରଥମେ ରୋଗୀ ନିଜ ହାତରୁ ଖର୍ଚ୍ଚ ବହନ କରିବେ ଓ ପରେ ବୀମା କମ୍ପାନୀରୁ ଟଙ୍କା ଫେରସ୍ତ ପାଇବେ। ତେବେ କେତେଦିନ ମଧ୍ୟରେ ଟଙ୍କା ଫେରସ୍ତ ପାଇବେ ସେଥିରେ ସ୍ପଷ୍ଟତା ନାହିଁ। ଆୟୁଷ୍ମାନ ଯୋଜନାରେ ହିତାଧିକାରୀଙ୍କ ପରିବାର ପାଇଁ ଅତି ବେଶିରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବା ବେଳେ, ବିଏସକେୱାଇ କାର୍ଡରେ ପୁରୁଷ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଓ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଛି। ବିଏସକେୱାଇରେ ସମସ୍ତ ପ୍ରକାର ମେଡିକାଲ ଟେଷ୍ଟ ଓ ଫଲୋ ଅପ କନସଲଟେସନର ବ୍ୟବସ୍ଥା ରହିଥିବା ବେଳେ ଏହି ସୁବିଧା ଆୟୁଷ୍ମାନ ଯୋଜନାରେ ନାହିଁ I ଆୟୁଷ୍ମାନ ଯୋଜନା ଇନ୍ସୁରାନ୍ସ ଆଧାରରେ କାର୍ଯ୍ୟକ୍ଷମ ହେଉ ଥିବାରୁ ଅନେକ ସମୟରେ ଘରୋଇ ହସ୍ପିଟାଲ ଦେୟ ପାଇବା ବିଳମ୍ୱ ହୋଇଥାଏ। ଯେଉଁଥିପାଇଁ ହିତାଧିକାରୀଙ୍କୁ ଭର୍ତ୍ତି କରିବା ପାଇଁ ମନା କରି ଦେଇଥାନ୍ତି ହସ୍ପିଟାଲ। କିନ୍ତୁ ବିଏସକେୱାଇରେ ସରକାର ନିଜସ୍ବ ପାଣ୍ଠିରୁ ଦେୟ ପ୍ରଦାନ କରୁଥିବାରୁ, ଘରୋଇ ହସ୍ପିଟାଲ ରୋଗୀଙ୍କୁ ଆଡମିଟ କରିବା ପାଇଁ ଦ୍ବିଧା ପ୍ରକାଶ କରନ୍ତି ନାହିଁ। ରାଜ୍ୟର ପ୍ରାୟ ୯୬ ଲକ୍ଷ ୫୦ ହଜାର ଲୋକ ବିଏସକେୱାଇ ମାଧ୍ୟମରେ ମାଗଣା ଚିକିତ୍ସା ସୁବିଧା ପାଇ ପାରୁଛନ୍ତି ଓ ଏଥିରେ କୌଣସି ବୟସ ସୀମା ନାହିଁ। ହେଲେ ଆୟୁଷ୍ମାନ ଯୋଜନାରେ ରାଜ୍ୟର କେତେ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯିବ, ସେନେଇ ସନ୍ଦେହ ରହିଛି। ଆୟୁଷ୍ମାନ ଯୋଜନାରେ ୭୦ ବର୍ଷରୁ ଅଧିକ ଲୋକଙ୍କୁ ସୁବିଧା ମିଳିବ ନା ନାହିଁ ସେ ନେଇ କିଛି ସ୍ପଷ୍ଟତା ନାହିଁ। କେଉଁ ଆଧାରରେ ଏହା ନିର୍ଦ୍ଧାରଣ ହେବ, ତାହା ସ୍ପଷ୍ଟ କରାଯାଇନାହିଁ । ହେଲେ ବିଏସକେୱାଇରେ କୌଣସି ବୟସ ସୀମା ନାହିଁ। ବିଏସକେୱାଇ ଲାଗୁ ହେବା ପରେ ରାଜ୍ୟର ମୁଣ୍ଡ ପିଛା ନିଜସ୍ବ ଚିକିତ୍ସା ଖର୍ଚ୍ଚରେ ଉଲ୍ଲେଖନୀୟ ହ୍ରାସ ଘଟିଛି । କିନ୍ତୁ ଆୟୁଷ୍ମାନ ଯୋଜନା ଲାଗୁ ହୋଇଥିବା ରାଜ୍ୟ ବଢ଼ିଛି ଲୋକଙ୍କ ଚିକିତ୍ସା ଖର୍ଚ୍ଚ। ଏହି ତଥ୍ୟରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ନବୀନ ସରକାରଙ୍କ ଦ୍ବାରା ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁ ସ୍ବାସ୍ଥ୍ୟ କ୍ଷେତ୍ରରେ, ଓଡିଶା ଅନେକ ବିଜେପି ଶାସିତ ରାଜ୍ୟ ମାନଙ୍କ ଠାରୁ ଭଲ ସ୍ଥିତିରେ ରହିଛି। ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ସଦୃଶ ରହିଥିବା ବିଏସକେୱାଇର ରୂପରେଖ ପରିବର୍ତ୍ତନ କରି ତାର ଉପାଦେୟତାକୁ କଦର୍ଥ କରାନଯାଉ। ସ୍ବାସ୍ଥ୍ୟ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଅନୁଯାୟୀ ରାଜ୍ୟ ସରକାର ପ୍ରାୟ ୬୭ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରିବେ ଓ ପ୍ରାୟ ୩୩ ଲକ୍ଷ ଲୋକଙ୍କୁ ବିଏସକେୱାଇର ପରିବର୍ତ୍ତିତ ନାମ ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନାରେ ସାମିଲ କରାଯିବ। ଏଠାରେ ଆମେ କହି ରଖୁଛୁ ଯେ, ରାଜ୍ୟର ପ୍ରାୟ ୧ କୋଟି ପରିବାର ବିଏସକେୱାଇ ମାଧ୍ୟମରେ ଚିକିତ୍ସା ସୁବିଧା ପାଉଥିଲେ। ତେବେ କେଉଁ ଆଧାରରେ ପରିବାର ବର୍ଗଙ୍କୁ ଆୟୁଷ୍ମାନ ଓ ବିଏସକେୱାଇ ଯୋଜନାରେ ସାମିଲ କରାଯିବ, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର।
ନବୀନ ମେକାନିଜମରେ ଜିରୋ କାଜୁଆଲଟି ହାସଲ କଲେ ମୋହନ ସରକାର
ଭୁବନେଶ୍ବର / ଜଗତସିଂହପୁର : ଭୁବନେଶ୍ବର, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଆଜି ଯେଉଁ ବିକାଶ ଏ ସବୁ ସ୍ଥାନରେ ଦେଖୁଛନ୍ତି ୨୫ ବର୍ଷ ତଳେ ଏହା ସନ୍ଦେହ ଥିଲା। କାରଣ ୧୯୯୯ ଅକ୍ଟୋବର ୨୯ ଓ ୩୦ ତାରିଖରେ ଯେଉଁ ମହାବାତ୍ୟା ହୋଇଥିଲା, ତାହା ଓଡ଼ିଶାର ଅନେକ ଅଞ୍ଚଳକୁ ଛାରଖାର କରି ଦେଇଥିଲା। ଯେଉଁ ଆଡ଼େ ଦେଖିବ ମଣିଷ ଓ ପଶୁଙ୍କ ଶବ। ନିଶ୍ଚିହ୍ନ ହୋଇଯାଇଥିଲା ଅନେକ ଘର। ସର୍ବାଧିକ କ୍ଷତି ସହିଥିଲା ଜଗତସିଂହପୁର । ୧୦ ହଜାରରୁ ଅଧିକ ଜୀବନ ଯାଇଥିଲା।ସେ ସମୟରେ ନା ଥିଲା ବାତ୍ୟାର ପ୍ରାକ୍ ସୂଚନା ନା ବାତ୍ୟା ପରବର୍ତ୍ତୀ ମୁକାବିଲା ରଣନୀତି। ରାଜ୍ୟରେ କଂଗ୍ରେସ ଶାସନର ଏହା ଥିଲା ସବୁଠାରୁ ବଡ଼ ବିଫଳତା। କେନ୍ଦ୍ରରେ ଥିବା ଏନଡିଏ ସରକାରରେ ମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ।ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଓଡ଼ିଶା ପାଇଁ ରିଲିଫ ବ୍ୟବସ୍ଥା କରିଥିଲେ ।
ମହାବାତ୍ୟା ପ୍ରଭାବରୁ ପୁଣି ଥରେ ଭୋକର ଭୁଗୋଳ ଆଡ଼କୁ ଗତି କରୁଥିଲା ଓଡ଼ିଶା। ହେଲେ ଓଡ଼ିଶାକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଭାବେ ଆସିଥିଲେ ନବୀନ ପଟ୍ଟନାୟକ। ଧ୍ଵସ୍ତବିଧ୍ଵସ୍ତ ଓଡ଼ିଶାର ବିକାଶ ନକ୍ସା ପ୍ରସ୍ତୁତ କରିଥିଲେ। ନବୀନଙ୍କ ୨୪ ବର୍ଷ ଶାସନରେ ଫାଇଲିନ୍, ହୁଡହୁଡ୍, ଅମ୍ପନ, ୟସ ଓ ଫନି ଭଳି ବିରାଟ ବାତ୍ୟାର ସାମ୍ନା କରିଛି ଓଡ଼ିଶା।ହେଲେ ନବୀନ ଲକ୍ଷ୍ୟ ଥିଲା ଜିରୋ କାଜୁଆଲଟି। ପ୍ରତି ଜୀବନ ମୂଲ୍ୟବାନର ମିଶନ ନେଇ କାମ କରିଚାଲିଥିଲେ ନବୀନ। ୧୯୯୯ରେ ଥିବା ୨୩ ବହୁମୁଖୀ ଆଶ୍ରୟସ୍ଥଳୀର ସଂଖ୍ଯା ଆଜି ୯୦୦ରେ ଆସି ପହଞ୍ଚିଛି। ଏଥିରୁ ୪୫୦ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ। ୨୦୦୧ରେ ଓଡ୍ରାଫ୍ ଗଠନ କରିଥିଲେ।ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଯାଇ ଓଡ୍ରାଫ୍ ୟୁନିଟ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରି ଫେରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ପ୍ରାକ ସୂଚନା ଲାଗି ୨୦୧୬ରୁ କାର୍ଯ୍ୟକାରୀ ହେଉଛି ଅର୍ଲି ଓ୍ବାର୍ଣ୍ଣି ସିଷ୍ଟମ।କିଛି ଦିନ ତଳେ ହୋଇଥିବା ଦାନା ବାତ୍ୟାରେ ନବୀନଙ୍କ ଏହି ମେକାନିଜିମ ମୁକାବିଲା ପାଇଁ ବର୍ତ୍ତମାନର ସରକାରଙ୍କ ପାଇଁ ବରଦାନ ସଦୃଶ ଥିଲା ।
ବାତ୍ୟା ଓ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଜାତିସଂଘ ବି ନବୀନଙ୍କ ଭୂୟସୀ ପ୍ରଶଂସା କରିଛି।ଗଣମାଧ୍ୟମ ନବୀନ ମେକାନିଜିମ୍ ଦେଖି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କୌଶଳ ଓଡ଼ିଶାଠାରୁ ଶିଖିବା କଥା ବୋଲି ମତ ରଖିଛନ୍ତି। ୨୪ ବର୍ଷର ସ୍ଥାୟୀ ସରକାର ଦେଇ ଓଡ଼ିଶାକୁ ଦେବାରେ ସଫଳ ହୋଇଥିଲେ ନବୀନ ପଟ୍ଟନାୟକ, ତାହା ପ୍ରାକୃତିକ ବିପର୍ଯ୍ୟୟକୁ ପଛକୁ ଠେଲି ବିକାଶର ସୋପାନରେ ଓଡ଼ିଶାକୁ ପହଞ୍ଚାଇବାରେ ସକ୍ଷମ ହୋଇଛି।
ଗଣମାଧ୍ଯମରେ ଉଠୁଥିବା ଗୁଜୁବକୁ ନେଇ ବିଜେପି ଉପରେ ବର୍ଷିଲେ ପ୍ରମିଳା
ଭୁବନେଶ୍ବର : ବିଜେଡିର ଖସିନି ରାଙ୍କ । ବିଜେଡି ଏବେ ବି ଏକ ନମ୍ବର ଦଳ । ପ୍ରମିଳାଙ୍କ ଟାର୍ଗେଟରେ ବିଜେପି । ବିଜେପିକୁ ନିଜ ସ୍ଥିତି ସମ୍ଭାଳିବାକୁ ପରାମର୍ଶ । ବିଜେଡିରେ କେହି କରୁନାହାଁନ୍ତି ବିଷୋଦଗାର ।.. ..ବିଜେଡି ବିରୋଧରେ ଗଣମାଧ୍ଯମରେ ନିଇତି ଉଠୁଥିବା ଗୁଜବକୁ ନେଇ ଏପରି କଡ଼ା ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ତଥା ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ଯେଉଁଠି ଥିଲା ସେଇଠି ଅଛି । ପୋଜିସନରେ କିଛି ବି ଅଦଳବଦଳ ହୋଇନି । ରାଜ୍ୟରେ ୧ ନମ୍ବର ଦଳର ମାନ୍ଯତା ବଜାୟ ରଖିଛି । ୨୦୨୪ ନିର୍ବାଚନରେ ବିଜେପି ଠାରୁ ୩୭ ହଜାରରୁ ଅଧିକ ଭୋଟ ପାଇ ଦଳ ଏକ ନମ୍ବର ସ୍ଥାନରେ ରହିଛି । ୨୦୨୪ ନିର୍ବାଚନରେ ବିଜେଡି ୧କୋଟି ୧ ଲକ୍ଷ ୨ହଜାର ୪୪୫ ଭୋଟ ପାଇଥିଲା । ଭୋଟ ପ୍ରତିଶତ ହାର ଥିଲା ୪୦.୨୨ । ସେହିପରି ଶାସକ ବିଜେପି ୪୦.୭ ପ୍ରତିଶତ ଭୋଟ ପାଇଥିବା ବେଳେ ଦଳକୁ ୧କୋଟି ୬୪ ହଜାର ୮୨୭ଟି ଭୋଟ ମିଳିଥିଲା। ତେଣୁ ଆଜି ଯଦି ନିର୍ବାଚନ ହେବ ବିଜେଡି ୧୪୦ ସିଟରେ ବିଜୟୀ ହେବ ବୋଲି ପ୍ରମିଳା କହିଛନ୍ତି । ବିଜେଡି ଦଳରେ କେହି ବିଷୋଦଗାର କରୁନାହାନ୍ତି । ବିଜେଡିକୁ ନେଇ ବାରମ୍ବାର ଗଣମାଧ୍ୟମରେ ବୟାନବାଜି କରୁଥିବା ବିଜେପି ନେତାଙ୍କୁ ଏପରି ଢଙ୍ଗରେ ଶାଣିତ ସମାଲୋଚନା କରିଛନ୍ତି । ବିଜେପି ଅବସ୍ଥା କଣ ହେଉଛି ଦେଖନ୍ତୁ । ନିଜ ଅବସ୍ଥା ସମ୍ଭାଳନ୍ତୁ ବୋଲି ସତର୍କ କରାଇଦେଇଛନ୍ତି ପ୍ରମିଳା । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କିନ୍ତୁ ପ୍ରମିଳାଙ୍କୁ କଡ଼ା ଜବାବ ଦେଇଛନ୍ତି ।
ବିଜେଡି ବିଜେପି ଓ କଂଗ୍ରେସ । ୨୦୨୪ ନିର୍ବାଚନ ପରେ ରାଜ୍ଯର ତିନି ପ୍ରମୁଖ ଦଳକୁ ଘାରିଛି ସାଂଗଠନିକ ଚିନ୍ତା । ପ୍ରତ୍ୟେକ ଦିନ ନେତାଙ୍କ ମଧ୍ୟରେ ସଂଗଠନକୁ ନେଇ ତୁ ତୁ ମେଁ ମେଁ ବୟାନବାଜି ମଧ୍ୟ ଜାରି ରହିଛି । ଏହାରି ଭିତରେ କଂଗ୍ରେସ ଆସନ୍ତା ୫ ତାରିଖରୁ ମୁଖିଆ ଚୟନ ପ୍ରକ୍ରିୟା ଚୁଡ଼ାନ୍ତ କରିବ ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି । ରାଜ୍ଯରେ ବିଜେପି ଶାସନକୁ ଚାରି ମାସ ପୂରି ସାରିଛି । ଏହି ଚାରି ମାସ ଭିତରେ ବିଜେପି ସରକାରର ଅନେକ ଭୁଲକୁ ଧରି ବିଜେପିକୁ ଅଡୁଆରେ ପକାଇଛି ବିଜେଡି । ତେଣୁ ଆଗକୁ କାହାର ସ୍ଥିତି କଣ ହେବ ତାହାକୁ ନେଇ ଏବେଠାରୁ ନେତାମାନେ କଲେଣି ଭବିଷ୍ୟବାଣୀ । ଯାହାକୁ ନେଇ ସରଗରମ ହୋଇଛି ରାଜ୍ଯ ରାଜନୀତି ।
ରାଜ୍ୟ ମହିଳା କମିଶନ ଭାଙ୍ଗିବା ପ୍ରସଙ୍ଗକୁ ନେଇ ହରଡ଼ଘଣାରେ ନୂଆ ସରକାର
ଭୁବନେଶ୍ବର : ବିଜେପିର କଥା ଓ କାମରେ ରହୁନି ତାଳମେଳ । ଏବେ ପୁଣି ହରଡ଼ଘଣାରେ ବାରମ୍ବାର ନିନ୍ଦାର ଶିକାର ହେଉଥିବା ନୂଆ ସରକାର । ରାଜ୍ୟ ମହିଳା କମିଶନକୁ ମନଇଚ୍ଛା ଭାଙ୍ଗିବା ପ୍ରସଙ୍ଗକୁ ନେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ବିଜେପି ସରକାର । ପ୍ରଥମେ ମହିଳା କମିଶନ ଭାଙ୍ଗିବା କହିବାର ପାଞ୍ଚ ଦିନ ପରେ ଅଧ୍ୟକ୍ଷାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଆଉ ଏକ ଓଲଟା କାମ କରିଛନ୍ତି ରାଜ୍ୟର ସରକାର। ସବୁଠୁ ଆଶ୍ଚର୍ଯ୍ଯର କଥା ହେଉଛି, ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ଯାଳୟ ପକ୍ଷରୁ ଗତ ବୁଧବାର ମହିଳା କମିଶନ ଓ ସବୁ ସଦସ୍ଯଙ୍କୁ ବହିସ୍କାର କରାଯାଇଥିବା ଘୋଷଣା ହୋଇଥିଲେ ଏଯାଏଁ କମିଶନଙ୍କୁ ଏନେଇ କୌଣସି ନିର୍ଦ୍ଦେଶନାମା ପହଁଚିନାହିଁ। ମଙ୍ଗଳବାର କମିଶନ ଓ ତାଙ୍କ ସଦସ୍ଯମାନେ ପୂର୍ବପରି କାର୍ଯ୍ଯାଳୟକୁ ଯାଇଛନ୍ତି ଓ କୋର୍ଟ କାର୍ଯ୍ଯ ବି କରିଛନ୍ତି। ଏ ନେଇ ସରକାରଙ୍କ ବିରୋଧରେ ନିନ୍ଦା ଓ ଅପବାଦର ସ୍ୱର ତୀଵ୍ର ହୋଇଛି। ବୁଧବାର କମିଶନ ଭାଙ୍ଗିବାର ୫ ଦିନ ପରେ ଅର୍ଥାତ ଅକ୍ଟୋବର ୨୯ ତାରିଖରେ ଅଧ୍ୟକ୍ଷାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏ କି ସରକାର ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମହିଳା କମିଶନ ସଦସ୍ଯା ଓ ନାରୀ ନେତ୍ରୀ। ସରକାର ବଦଳିଲେ କଣ କମିଶନ ସବୁ ବଦଳାଯାଏ କି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟର ବରିଷ୍ଠ ମହିଳା ନେତ୍ରୀମାନେ। ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ହୋଇଛି କିନ୍ତୁ ମହିଳା କମିଶନ ପରିବର୍ତ୍ତନ ହୋଇନାହିଁ ବୋଲି ସିଆଇଟିୟୁ ନେତ୍ରୀ ପୁଷ୍ପା ଦାସ କହିଛନ୍ତି।
ମହିଳା କମିଶନ ଏକ ସାମ୍ବିଧାନିକ ପଦବୀ । ମନଇଚ୍ଛା ଏହାକୁ କେହି ଭାଙ୍ଗି ପାରିବେନି ବୋଲି ସିପିଏମ ପକ୍ଷରୁ କୁହାଯାଇଛି। ପୂର୍ବରୁ ରାଜ୍ୟରେ କଂଗ୍ରେସ ସମୟରେ ଲୋପମୁଦ୍ରା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା ଥିଲେ। ପରବର୍ତ୍ତୀ ସମୟରେ ଜନତା ଦଳ ସରକାର ଆସିଲେ ବି ତାଙ୍କୁ ପରିବର୍ତ୍ତନ କରାଯାଇ ନ ଥିଲା। ତାଙ୍କ କାର୍ଯ୍ୟକାଳ ସରିବା ପରେ ହିଁ ଅନ୍ୟ ଜଣେ ଅଧ୍ୟକ୍ଷା ହୋଇଥିଲେ। ଏବେର ସରକାର ଅଗଣତାନ୍ତ୍ରୀକ କାର୍ଯ୍ୟ କରୁଛନ୍ତି । ଏହା ଏକଛତ୍ରବାଦର ଏକ ବଡ଼ ନମୁନା ବୋଲି କୁହାଯାଇଛି। ସେପଟେ ଯଦି କମିଶନ ସଦସ୍ୟଙ୍କୁ ବାହାର କରିସାରିଲେଣି ତେବେ ଶୋ କଜ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମହିଳା କମିଶନ ସଦସ୍ୟା ସ୍ନିଗ୍ଧା ପାଣିଗ୍ରାହୀ। ସରକାରଙ୍କ କମିଶନ ଭାଙ୍ଗିବା ନିଷ୍ପତ୍ତି ଓ ପରେ କାରଣ ଦର୍ଶାଅ ଭିତରେ ମହିଳା କମିଶନ କିନ୍ତୁ ତାଙ୍କ କାର୍ଯ୍ୟ ଜାରି ରଖିଛି । କମିଶନଙ୍କ କାର୍ଯ୍ୟାଳୟରେ ଗହଳିଚହଳି ଦେଖିବାକୁ ମିଳିଛି। ଏଥିସହିତ ଅଭିଯୋଗକାରୀଙ୍କ ଅଭିଯୋଗ ମଧ୍ୟ ଶୁଣାଣି ହେଉଛି।
ସିଏମ ପୋର୍ଟାଲରୁ ଗାଏବ ମନ୍ତ୍ରିମଣ୍ଡଳ ଓ ସଚିବଙ୍କ ସମ୍ପତ୍ତି ତାଲିକା, ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ?
ଭୁବନେଶ୍ବର : ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି ? ଦୁର୍ନୀତି ନିବାରଣ ନାରା କଣ ଖାଲି ଧର୍ମକୁ ଆଖିଠାର ! ବିଜେପି କ୍ଷମତାକୁ ଆସିବା ପରେ ରଙ୍ଗ ବଦଳିଲା । ବଦଳିଲା ଅନେକ ଯୋଜନାର ନାଁ । ହେଲେ ବଦଳି ଗଲା କି ସ୍ବଚ୍ଛ ପ୍ରଶାସନ ଆଭିମୁଖ୍ୟ ? ଆଉ ଦେଖିବାକୁ ମିଳୁନି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଓ୍ବେବ୍ ପୋର୍ଟାଲରେ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ସମ୍ପତ୍ତି ତାଲିକା ସ୍ତମ୍ଭ । ଏକଥା ଜଣାପଡ଼ିବା ପରେ ଏବେ ମୋହନ ସରକାରଙ୍କୁ ଏପରି ପୁଳା ପୁଳା ପ୍ରଶ୍ନରେ ପୋତି ଦେଲେଣି ବିରୋଧୀ । ଦୁର୍ନୀତି ନିବାରଣ ସପ୍ତାହ ଉଦଘାଟନ କରି ଖୋଦ ମୁଖ୍ୟମନ୍ତ୍ରୀ କହିଲେ ଦୁର୍ନୀତି ହେଉଛି କର୍କଟ ରୋଗ ସଦୃଶ । ଗତ ନିର୍ବାଚନରେ ରାଜ୍ୟକୁ ସ୍ବଚ୍ଛ ପ୍ରଶାସନର ଦ୍ବାହି ଦେଇ ଶାସନକୁ ଆସିଛି ବିଜେପି । କ୍ଷମତାକୁ ଆସିବାର ମାତ୍ର ୫ ମାସ ପୂରିନି ଲୋକଙ୍କ ପାଇଁ ଉପଲବ୍ଧ ହେଉଥିବା ତଥ୍ୟକୁ ହଟାଇଲେ କାହିଁକି ? ଏ ନେଇ ସରକାରଙ୍କୁ ଟାର୍ଗେଟ୍ କରି କଡ଼ା ଭାଷାରେ ତାତ୍ସଲ୍ୟ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । କହିଛନ୍ତି ଏ ନେଇ ସରକାର ସ୍ପଷ୍ଟ କରନ୍ତୁ । ସେପଟେ ସମବାୟ ମନ୍ତ୍ରୀଙ୍କ କହିଛନ୍ତି, ସ୍ବଚ୍ଛ ପ୍ରଶାସନ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଏବେ ପୋର୍ଟାଲରେ ଦେଖିବାକୁ ମିଳୁନି । ଆଗକୁ ହୋଇପାରେ ।
ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ସମ୍ପତ୍ତି ତାଲିକା ଦେବାର ବିଧି ବ୍ୟବସ୍ଥା ଆଗରୁ ଚାଲୁଥିଲା । ୨୦୨୦ ମସିହାରେ ନବୀନ ସରକାର ଏହାକୁ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନେଲେ । କ୍ୟାବିନେଟ୍ ନିଷ୍ପତ୍ତି ମୁତାବକ ପଞ୍ଚାୟତ ପ୍ରତିନିଧିଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ସମସ୍ତ ଅଧିକାରୀଙ୍କ ସମ୍ପତ୍ତି ତାଲିକ ବର୍ଷଓ୍ବାରୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ପୋର୍ଟାଲରେ ଉପଲବ୍ଧ ହୋଇଆସୁଥିଲା । ଏହାସହିତ ଏହି ବିବରଣୀ ମଧ୍ୟ ଲୋକାୟୁକ୍ତଙ୍କୁ ପ୍ରଦାନ କରାଯାଉଥିଲା । ଏ ସରକାରକୁ ବର୍ଷେ ପୂରିନି । ଯଦି ସରକାର ଚାହୁଁଛନ୍ତି ଯେ, ବର୍ଷକ ପରେ ସମ୍ପତ୍ତି ତାଲିକା ଉପଲବ୍ଧ କରାଯିବ । ତାହେଲେ ପୂର୍ବରୁ ଥିବା ସ୍ତମ୍ଭଟି ଖାଲି ରଖା ଯାଇପାରିଥାନ୍ତା । ତାହା ନ କରି ସମ୍ପୂର୍ଣ୍ଣଭାବେ ଏହାକୁ ହଟାଇ ଦେଇଛନ୍ତି । ଏହା ସୂଚାଉଛି , ଏ ସରକାର ଆଉ ଜନପ୍ରତିନିଧିଙ୍କ ସମ୍ପତ୍ତି ବିବରଣୀ ବ୍ୟବସ୍ଥାଟିକୁ ନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସରକାରୀସ୍ତରରେ କିଛି କ୍ୟାବିନେଟ୍ ନିଷ୍ପତ୍ତି ହୋଇନି କି ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ସାଧାରଣରେ ଦିଆଯାଇନି । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା । ବିଜେଡି ସରକାର ସମୟରେ ଥିଲା । ଏବେ ବି ସମାନ ସ୍ଲୋଗାନ ଦେଉଛନ୍ତି ଡବଲ ଇଞ୍ଜିନ ସରକାର । ପ୍ରଶ୍ନ ଉଠୁଛି ଯେଉଁ ନାରାକୁ ବିଶ୍ବାସ କରି ଲୋକେ ବିଜେପିକୁ କ୍ଷମତାକୁ ଆଣିଲେ ଏବେ ସମ୍ପତ୍ତି ତାଲିକା ବ୍ୟବସ୍ଥା ହଟାଇ ସେଇ ଲୋକଙ୍କ ବିଶ୍ବାସକୁ କୁଠାରଘାତ କରୁଛନ୍ତି କି ରାଜ୍ୟ ସରକାର ?
ଆଜି ଧନତେରସ : ରାଜଧାନୀରେ ସବୁ ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼
ଭୁବନେଶ୍ବର : ଧନତେରସରେ ଘରକୁ ଆସିବ ମାଆ ଲକ୍ଷ୍ମୀ । ସୌଭାଗ୍ଯର ଦେବୀଙ୍କୁ ସୁନା ଦେଇ କରାଯିବ ଆରାଧନା । ଏଥିପାଇଁ ରାଜଧାନୀର ସବୁ ସୁନା ଦୋକାନରେ ଦେଖିବାକୁ ମିଳିଛି ଭିଡ଼ । ଲୋକଙ୍କ ଆଗ୍ରହକୁ ଦେଖି ଦୋକାନୀ ଦେଉଛନ୍ତି ଲୋଭନୀୟ ଅଫର । ୫୦ ହଜାର ଟଙ୍କାର ସୁନା ଅଳଙ୍କାର କିଣିଲେ ଗୋଲ୍ଡ କଏନ୍ ଫ୍ରି । ଗଢାମଜୁରୀ ଉପରେ ରିହାତି ସହ କ୍ୟାସବ୍ୟାକ୍ । ଉଚ୍ଚା ଦର ସତ୍ତ୍ବେ ଭରି ଭରି ସୁନା ବୋହିନେଇଛନ୍ତି ଲୋକେ । କିଏ ହାର କିଣିଛି କିଏ କାନଫୁଲ । ପୁଣି କିଏ ସୁନା ଚେନ୍ । ରାଜଧାନୀର ଅରୁନ୍ଧତୀ ଜୁଏଲାରୀରେ ଭିଡ ଦେଖିବାକୁ ମିଳିଛି । ୨୫ ବର୍ଷରେ ପାଦ ଦେଇଥିବାରୁ ନଭେମ୍ବର ୩ ତାରିଖ ଜିରୋ ମେକିଙ୍ଗ ଚାର୍ଜ ରହିଛି । ସୁନାଗହଣା ମେକିଙ୍ଗ ଚାର୍ଜ ଉପରେ ୨୫ ଓ ୫୦ ପ୍ରତିଶତ ଫ୍ଳାଟ ରହାତି, ଡାଇମଣ୍ଡ ଜୁଏଲାରୀ ଉପରେ ୨୫ ପ୍ରତିଶତ ଫ୍ଲାଟ ରିହାତି ଏବଂ ରୁପା ଉପରେ ୨୫ ପ୍ରତିଶତ ଫ୍ଳାଟ ଡିସକାଉଣ୍ଟ ରହିଛି । ବିଭିନ୍ନ ଷ୍ଟୋରରେ ୨୫ ହଜାରରୁ ଅଧିକ ଡିଜାଇନ୍ ସୁନା ଗହଣା ଆଣିଛି ଅରୁନ୍ଧତୀ ଜୁଏଲାର୍ସ । ସୁନା ୧୦ ଗ୍ରାମ ପିଛା ୭୩ ହଜାର ୭୫୦ ଟଙ୍କା ଥିବାବେଳେ ଆଗକୁ ବାହାଘର ଥିବାରୁ ଭଲ ବେପାର ହେବବୋଲି ଆଶା ।
ରୂପାଲି ଛକରେ ଥିବା ମାଲାବର ଗୋଲଡ ଓ ଡାଇମଣ୍ଡର ଷ୍ଟୋରରେ ବି ବମ୍ଫର ଅଫର । ଗଢାମଜୁରୀ ରିହାତି ସହ ଆକର୍ଷଣୀୟ ଗିଫ୍ଟ ହାମ୍ପର । ୫୦ ହଜାର ଟଙ୍କାର ସୁନା, ହୀରା କିଣିଲେ ଗୋଲ୍ଡ କଏନ ଫ୍ରି । ଏହାସହ ହୀରାରେ ରହିଛି ସ୍ବତନ୍ତ୍ର ଅଫର । କ୍ରେଡିଟ କାର୍ଡରେ ସୁନା କିଣିଲେ ଇନଷ୍ଟାଣ୍ଟ କ୍ଯାସବ୍ଯାକ । ମାଲାବର ଗୋଲଡ ଓ ଡାଇମଣ୍ଡର ଷ୍ଟୋରରେ ୨୨ କ୍ଯାରେଟ ୧୦ଗ୍ରାମ ୭୩ ହଜାର ୭୫୦ ଟଙ୍କା, ୨୪ କ୍ଯାରେଟ ୮୦ ହଜାର ୩୭୦, ରୁପା ୧୦ ଗ୍ରାମ ୧୦୮୦ ଟଙ୍କା ରହିଛି । ଧନତେରସରେ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ କିଣିଥାନ୍ତି ।
କେଉଁ ଦିନ ପାଳନ କରିବେ ଦୀପାବଳି ? ଏନେଇ ଜ୍ୟୋତିଷ କ‘ଣ କହୁଛନ୍ତି ଜାଣନ୍ତୁ
ପୁରୀ : ଦୀପାବଳି ଓ ପୟାଶ୍ରାଦ୍ଧକୁ ନେଇ ଦ୍ବନ୍ଦ୍ବ । କ୍ଯାଲେଣ୍ଡରରେ ରହିଛି ଭିନ୍ନ ଭିନ୍ନ ମତ । ଲୋକଙ୍କ ଭ୍ରମ ଦୂର କଲେ ପୁରୀ ଜ୍ଯୋତିର୍ବିଦ । ଚଳିତବର୍ଷ ବିଭିନ୍ନ କ୍ୟାଲେଣ୍ଡର ରେ ୩୧ ତାରିଖ ଦିନ କାଳୀପୂଜା ତଥା ୧ ତାରିଖ ଦିନ ଦୀପାବଳି ପାଳନ କରିବାକୁ କୁହାଯାଇଛି । ୩୧ ତାରିଖ ରାତି ୧ ତାରିଖ ଦିନ ଅମାବାସ୍ଯା ତିଥି ରହୁଥିବାରୁ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ପାଞ୍ଜି ଗଣନାଙ୍କ ଅନୁସାରେ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତିକରି ଅମାବାସ୍ୟା ଗଣନା ହୋଇଥାଏ l ଶ୍ରୀମନ୍ଦିର ସଂସ୍କୃତି ଅନୁଯାୟୀ ସୂର୍ଯ୍ଯୋଦୟ ପରେ ତିଥି ରହିଲେ ସେଦିନ ଏହାକୁ ପାଳନ କରାଯାଇଥାଏ । ତେଣୁ କାଳୀପୂଜା ମଧ୍ଯରାତ୍ରୀରୁ କରାଯାଉଥିବାରୁ ୩୧ ତାରିଖ ରାତିରେ ଦେବୀ ପୂଜା କରିବା ସହ ୧ ତାରି ଶ୍ରୀମନ୍ଦିରେ ଦୀପାବଳି ପାଳନ କରାଯିବ । ସେହିଦିନ ଶ୍ରୀମନ୍ଦିର ନିକଟରେ ଶ୍ରଦ୍ଧାଳୁ ମାନେ ପ୍ରୟା ଶ୍ରାଦ୍ଧ ପାଳନ କରି ସହ ବଡୁ ବଡୁଆ ଡାକିବେ l
ପୂର୍ବରୁ କୁମାର ପୂର୍ଣ୍ଣିମାକୁ ନେଇ ମଧ୍ଯ ଦ୍ୱନ୍ଦ୍ୱ ଉପୁଜୁଥିଲା l ଶାସ୍ତ୍ର ମତ ଅନୁସାରେ ଚଳିତ ବର୍ଷ ୨ଟି ତିଥି ରହୁଥିବା ହେତୁ ଦ୍ୱନ୍ଦ୍ୱ ଉପୁଜୁଛି । ତେବେ ଏହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ପରାମର୍ଶ ଦେଇନ୍ତି ପୁରୀର ଜ୍ଯୋତିର୍ବିଦ । ୩୧ତାରିଖ ଦିନ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦେବୀ ପିଠ ମାନଙ୍କରେ କାଳୀପୂଜା କରିବାକୁ କୁହାଯାଇଛି । ୧ ତାରିଖ ଦିନ ଦୀପାବଳି ଅମାବାସ୍ୟା, ଶ୍ରାଦ୍ଧ ଓ ଘର ମାନଙ୍କରେ ଦୀପ ଦାନ କରିବା ପାଇଁ ପରାମର୍ଶ ଦିଆଯାଇଛି l ଦୈନନ୍ଦିନ ଚଳଣି ନେଇ ହିନ୍ଦୁ ଧାର୍ମିକ ବ୍ୟବସ୍ଥାରେ ପଞ୍ଜିକା ର ପ୍ରଚଳନ ରହିଥିବା ବେଳେ ପାଞ୍ଜିକାର ସଠିକ ତଥ୍ୟ ରହିବା ଲୋକଙ୍କ ପାଇଁ କଲ୍ୟାଣକାରୀ ବୋଲି କହିଛନ୍ତି ଜ୍ଯୋତିର୍ବିଦ ।

