spot_img
Home Blog Page 1456

ଫସଲ ଉଜାଡି ଦେଲା ବାତ୍ୟା ‘ଦାନା’, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ବାଲେଶ୍ବର : ଦାନା ଛଡାଇ ନେଲା ବାତ୍ଯା ‘ଦାନା’ । ସଂସାର ଉଜାଡ଼ିଦେଲା ଗଙ୍ଗାହାର ନଦୀର ବଢିପାଣି । ଧାନ ଗଲା, ପରିବା ଫସଲ ବି ଉଜାଡ଼ି ଦେଲା । ଏବେ ନା ଅଛି ରୋଜଗାର ନା ଅଣ୍ଟିରେ ସମ୍ବଳ । ତା ଉପରେ ମୁଣ୍ଡ ଉପରେ ଋଣର ବୋଝ । ବାଲେଶ୍ବର ରେମୁଣା ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ବାତ୍ଯା । ଇଏ ହେଉଛନ୍ତି ରେମୁଣା ବ୍ଲକ୍ ଗୁଡୁଦା ଗାଁର ପରିବା ଚାଷୀ ଗିରିଧାରୀ ଜେନା । ସମବାୟ ସମିତିରୁ ଋଣକରି ୧୦ ଡେସିମିଲ ଜମିରେ ପରିବା ଚାଷ କରିଥିଲେ । ହେଲେ ବନ୍ୟା ଯୋଗୁ ପାଳରେ ଶୋଇ ଯାଇଛି ପଞ୍ଚା । ଛନଛନିଆ ପରିବା ସବୁ ପାଣିରେ ପଡ଼ି ନାଲି ପଡ଼ି ଯାଇଛି । ପଡ଼ୋଶୀ ଚାଷୀଙ୍କ ସହଯୋଗରେ ମଞ୍ଚା ଉଠାଇବାକୁ ଉଦ୍ୟମ କରୁଛନ୍ତି । କାର୍ତ୍ତିକ ମାସରେ ପାଳରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପରିବା ବଜାରକୁ ଯାଇଥାଏ । ହେଲେ ଏବେ ପାଳ ସଜାଡୁ ସଜାଡୁ ସମୟ ଯାଉଛି । ଧାନ ଚାଷୀଙ୍କର ମଧ୍ଯ ସମାନ ଅବସ୍ଥା  । ୫ ଦିନ ଧରି ଧାନଗଛ ପାଣିରେ ବୁଡ଼ି ରହିଥିବାରୁ ପଚିବାକୁ ବସିଲାଣି । ଥୋଡ଼ ଧରିବା ଆଗରୁ ଉଜୁଡ଼ି ଯାଇଛି ସୁନାର ଫସଲ।

ରେମୁଣା ଅଞ୍ଚଳରୁ ବାଲେଶ୍ବର ସମେତ ପଡ଼ୋଶୀ ଜିଲ୍ଲା ମାନଙ୍କୁ ଚାଲାଣ ହୋଇଥାଏ ପରିବା । ଏହି ଚାଷ ପାଇଁ ଚାଷୀ ବ୍ୟାଙ୍କ୍, ସମବାୟ ସମିତି, ଘରୋଇ ଫାଇନାନ୍ସ ସଂସ୍ଥାରୁ ଋଣ ନେଇଥାନ୍ତି । ପରିବା, ଧାନ ଅମଳ ପରେ ବିକ୍ରିକରି ଋଣ ସୁଝିଥାନ୍ତି । ହେଲେ ଅମଳବେଳେ ଦାଉ ସାଧିଲା ବନ୍ୟା । ଏବେ କେମିତି ଋଣ ସୁଝିବେ ସେନେଇ ଚିନ୍ତାରେ ଚାଷୀ । ଋଣ ସୁଝିବେ କଣ, ପରିବାର ଚଳାଇବା ବି କଷ୍ଟକର ବୋଲି କହିଛନ୍ତି ଚାଷୀ । କଥାରେ ଅଛି ଚାଷୀ ହୁଡ଼ିଲେ ବରଷେ । ତେଣୁ ଚାଷୀଙ୍କ ଏବେ ଏକମାତ୍ର ଭରସା ସରକାରୀ ସହାୟତା ଉପରେ ।

ଚିକିତ୍ସା ଅବହେଳାରୁ ଘରୋଇ ହସ୍ପିଟାଲରେ ନବଜାତ ମୃତ୍ଯୁ ଘଟଣାରେ ସାମ୍ନାକୁ ଆସିଲା ସଂଘାତିକ ତଥ୍ଯ

କଟକ : ଘରୋଇ କମ୍ପ୍ଲେସରେ ଚାଲିଛି ବ୍ୟବସାୟ । ଚିକିତ୍ସା ନାଁରେ ଜୀବନ ସହ ଖେଳୁଛନ୍ତି ବ୍ଯବସାୟୀ । କଟକ ଶିଶୁ ମୃତ୍ଯୁ ଘଟଣା ପରେ ଆକ୍ସନ ମୋଡରେ ସ୍ବାସ୍ଥ୍ଯ ବିଭାଗ । ସିଡିଏ ସେକ୍ଟର ୭ ରେ ଥିବା ଏହି ୩ ମହଲା ବିଲଡିଂର ଦୁଇଟି ଫ୍ଲୋରରେ ଚାଲିଛି ହସ୍ପିଟାଲ । ତୃତୀୟ ଫ୍ଲୋରରେ ରହୁଛନ୍ତି ଡାକ୍ତର । ତେବେ ଆଶ୍ଚର୍ଯ୍ୟର କଥା ସବୁ ନିୟମକୁ ଫୁ କରି ଏଠାରେ ଦୀର୍ଘଦିନ ହେଲା ଚାଲିଛି କାରବାର । ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ଏହି ସାଙ୍ଘାତିକ ତଥ୍ୟ । ହସିପିଟାଲର ନା ଅଛି ଅଗ୍ନିନିରାପତ୍ତା ନା ଚିକିତ୍ସା ପରିଚାଳନା ପ୍ରମାଣପତ୍ର । ଯାହାକୁ ନେଇ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଲୋକେ ।

ସୋମବାର ଦିନ ଏହି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନବଜାତ ଶିଶୁପୁତ୍ରର ଜୀବନ ଚାଲିଯାଇଛି । ଆକ୍ସିଜେନ ଆବଶ୍ୟକ ଥିବାବେଳେ ପ୍ରାୟ ୪୫ ମିନିଟ ଧରି ମିଳି ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଫଳରେ ତାର ମୃତ୍ୟୁ ହୋଇଥିଲା । ପରିବାର ଲୋକ ନ୍ୟାୟ ଦାବିରେ ହସ୍ପିଟାଲ ସାମ୍ନାରେ ଧାରଣାରେ ବସିବା ସହିତ ସମ୍ପୃକ୍ତ ଡାକ୍ତରଙ୍କ ଗିରଫ ଦାବି କରିଛନ୍ତି । ସେପଟେ ଏନେଇ ଗଣମାଧ୍ୟମ ରୁ ଅବଗତ ହେବା ପରେ ଘଟଣାର ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ ।

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଲିଙ୍ଗରାଜ ଭିଡିଓ ଭାଇରାଲ ଘଟଣା, ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଶିଳ୍ପା ସେଟ୍ଟୀଙ୍କ ଇନଷ୍ଟାଗ୍ରାମରେ ଲିଙ୍ଗରାଜ ମନ୍ଦିର ଭିଡିଓ । ଆକ୍ସନ ମୋଡରେ ମନ୍ଦିର କାର୍ଯ୍ୟାଳୟ । ସେବାୟତଙ୍କୁ ଜାରି ହେଲା ସୋ କଜ୍ ନୋଟିସ୍ । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ । ଉତ୍ତର ମିଳିବା ପରେ କାର୍ଯ୍ୟାନୁଷ୍ଠାନ । ଆଣ୍ଡ୍ରଏଡ୍ ଫୋନ ନେଇ ଆସିପାରେ ନୂଆ କଟକଣା । ସେବାୟତଙ୍କ ପାଇଁ ନିଷିଦ୍ଧ ହୋଇପାରେ କ୍ୟାମେରା ଫୋନ୍ । ଟ୍ରଷ୍ଟବୋର୍ଡ ବୈଠକରେ ହେବ ଆଲୋଚନା । କଡାକଡି ହେବ ମୋବାଇଲ୍ ଚେକିଂ । ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଇନଷ୍ଟାରେ ଲିଙ୍ଗରାଜ ମନ୍ଦିର ଭିତର ଭିଡିଓ ଭାଇରାଲ ହେବା ପରେ ପଦକ୍ଷେପ ନେଇଛି ମନ୍ଦିର ପ୍ରଶାସନ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଡିଏମ୍ ରୁଦ୍ରନାରାୟଣ ମହାନ୍ତି ସେବାୟତ ତଥା ମନ୍ଦିର ନୀତି ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସୂଚନା ଭିଡିଓ ଉତ୍ତୋଳନ କରିବାକୁ ପ୍ରସୟ ଦେଇଥିଲେ ସେବାୟତ ।

ସେପଟେ ଏହି ଘଟଣାକୁ ଦୃଢ ନିନ୍ଦା କରିଛି ବ୍ରାହ୍ମଣ ନିଯୋଗ । ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ସଂପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମନ୍ଦିର ଭିତରକୁ ସମସ୍ତେ ମୋବାଇଲ ନେବା ନିଷିଦ୍ଧ ହୋଇଛି । ସେବାୟତ ହୋଇ କାହିଁକି ପ୍ରସୟ ଦେଲେ ତାର ଉତ୍ତର ଦିଅନ୍ତୁ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଗୃହମନ୍ତ୍ରୀ ଆସିଲେ ସରକାରଙ୍କ କ୍ୟାମେରା ଭିତରକୁ ଯାଏ । କିନ୍ତୁ ଅନେକ ଭିଭିଆଇପି ଆସିଲେ ସେବାୟତମାନେ ସିଂହଦ୍ଵାର ସମ୍ମୁଖରେ ଫଟୋ ଉଠାନ୍ତି । ଜାଗର ସମୟରେ ଭିଡିଓ ଉତ୍ତୋଳନ କରିବାକୁ ମିଡିଆକୁ ମଧ୍ୟ ଅନୁମତି ଦିଆଯାଏ । କିନ୍ତୁ କୌଣସି ଗଣମାଧ୍ୟମ ବ୍ୟକ୍ତି ସୁଯୋଗର ଅପବ୍ୟବହାର କରିନାହାନ୍ତି । ଘଟଣାରେ ଶିଳ୍ପାଙ୍କ ଦୋଷ ନାହିଁ, ସେବାୟତ ସବୁ ଜାଣି କାହିଁକି ଭିଡିଓ କଲେ ଉତ୍ତର ଦିଅନ୍ତୁ ବୋଲି ଦାବି କରାଯାଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ବଲିଉଡ ଷ୍ଟାର କିଭଳି ବେଢ଼ା ଭିତରକୁ ମୋବାଇଲ ନେଲେ କେମିତି ? ଲିଙ୍ଗରାଜ ମନ୍ଦିର ଭିତରକୁ ଯିବା ବେଳେ ତାଙ୍କର ଯାଞ୍ଚ ହୋଇଥିଲା କି ନାହିଁ ? ନା ସେଲିବ୍ରିଟିଙ୍କ ପାଇଁ ଅଲଗା ନିୟମ ? ଶିଳ୍ପାଙ୍କ ସହ ସେବାୟତ ରହି ଫଟୋ ଉଠାଇବାକୁ କିଏ ସୁଯୋଗ ଦେଲା ? ପ୍ରଶାସନ ଏପର୍ଯ୍ୟନ୍ତ ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରିବା ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛି ।

କୁଆଡେ ଗଲେ ରବୀନ୍ଦ୍ର, ପୋଲିସକୁ ଖବର ଦେବା ପରେ ମଧ୍ଯ ମିଳୁନି ଖୋଜଖବର

ସୁବର୍ଣ୍ଣପୁର : କୁଆଡେ ଚାଲିଯାଇଛି ପୁଅ।  ପରିବାର ଲୋକେ ଖୋଜି ଖୋଜି ନୟାନ୍ତ ହେଲେଣି କିନ୍ତୁ କୌଣସି ପତ୍ତା ମିଳୁନି। ସୁବର୍ଣ୍ଣପୁର କଳାପଥର ଗାଁର ରବୀନ୍ଦ୍ର ଭୋଇ ଘରୁ କୁଆଡେ ଚାଲିଯାଇଛନ୍ତି। ଘରେ ବାପା ମାଆ ପତ୍ନୀ ଏବଂ ପିଲା ତାଙ୍କୁ ଖୋଜି ଖୋଜି ନାକେଦମ ହେଲେଣି। ଗତ ୩ ତାରିଖରୁ ସେ ଗାୟବ ଥିବା ବେଳେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଏଯାଏଁ ପୁଅର କୌଣସି ଖୋଜ ଖବର ମିଳିପାରିନଥିବା ବେଳେ, ପୁଅର ବାଟକୁ ଚାହିଁ ସେମିତି ରହିଛି ପରିବାର।

ରବୀନ୍ଦ୍ର ଏବେ କେଉଁଠି, କେଉଁ ଅବସ୍ଥା ରେ ଅଛନ୍ତି, କାହିଁକି ଘର ଛାଡିଲେ ସେ ବିଷୟରେ କେହି ଜାଣିନାହାନ୍ତି।  ପରିବାର ଲୋକେ ନିଜ ସମ୍ପର୍କୀୟ ଓ ଅନ୍ୟାନ୍ୟ ଜାଗାରେ ଖୋଜା ଖୋଜି ପରେ ଜିଲ୍ଲା ପ୍ରଶାସନର ସହାୟତା ନେଇଛନ୍ତି। ପୋଲିସ ଖୋଜାଖୋଜି ଜାରି ରଖିଛି ବୋଲି କହିଛି। ରବୀନ୍ଦ୍ରଙ୍କ ଫେରିବା ବାଟକୁ ଚାତକ ପରି ଚାହିଁ ଥିବା ପରିବାର ଭଗବାନଙ୍କ ଠାରେ ରବୀନ୍ଦ୍ରଙ୍କ ଦୀର୍ଘାୟୁ କାମନା କରିବା ସହ ଏବେ ପୋଲିସ ଉପରେ ଆଶା ବାନ୍ଧିଛନ୍ତି।

ଦୁଇଟି ପ୍ରକଳ୍ପ ଥାଇ ଚାଷ ଜମିକୁ ମାଡୁନି ପାଣି

ଗୁଣୁପୁର : ରାୟଗଡା ଗୁଡାରି ବ୍ଲକ ଅନ୍ତର୍ଗତ ଏମ୍କେରାଇ ଅଞ୍ଚଳରେ ଚାଷୀଙ୍କ ପାଇଁ ରହିଛି ଦୁଇଟି ପ୍ରକଳ୍ପ। ଗୋଟିଏ ଉଠାଜଳସେଚନ ବିଭାଗ ପକ୍ଷରୁ ପ୍ରକଳ୍ପ ହୋଇଥିବା ବେଳେ ଆଉ ଗୋଟିଏ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଚେକଡ୍ୟାମ୍ ରହିଛି। ୧୦ ମାସ ପୁର୍ବେ ୧୫ ଲକ୍ଷ ୪୪ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ଉଠାଜଳସେଚନ ପ୍ରକଳ୍ପ କରାଯାଇଛି। ଏହି ପ୍ରକଳ୍ପରେ ୧୬ଟି ଚାଷୀକୁ ୫୦ ଏକର ଜମିରେ ପାଣି ଯୋଗାଇବା ପାଇଁ କ୍ଷମତା ରହିଥିବା ଫଳକରେ ଉଲ୍ଲେଖ ରହିଛି। ପ୍ରକଳ୍ପ ହେବା ଦିନରୁ ଗୋଟିଏ ଦିନ ବି ଚାଷୀ ପାଣି ଜମିରେ ପାଇନଥିବା ଅଭିଯୋଗ କରିଛନ୍ତି। ସେହିଭଳି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ହୋଇଥିବା ଏକ ଚେକଡ୍ଯାମ୍ ରହିଛି। ଏହି ଚେକଡ୍ଯାମ ଓ୍ବାଲ ଭାଙ୍ଗିଯିବା ସହ ପାଣି ଲିକେଜ୍ ହେବା ଯୋଗୁଁ ପାଣି ଷ୍ଟୋରେଜ ରହୁନି ।

ସାଉଥକୋ ବିଦ୍ୟୁତ୍ ସେବା ସଠିକ୍ ସମୟରେ ଦେଉନଥିବାରୁ ସମସ୍ଯା ହେଉଥିଲା, ଶୀଘ୍ର ଚାଷୀ ପାଣି ପାଇବେ ବୋଲି କହିଛନ୍ତି ଉଠା ଜଳସେଚନ ନିର୍ବାହୀ ଅଧିକାରୀ। ଅନ୍ୟପଟେ ସାଉଥକୋ ନିର୍ବାହୀଯନ୍ତ୍ରୀ କହିଛନ୍ତି ଉଠା ଜଳସେଚନ କାମ ସରିନାହିଁ। ବିଦ୍ୟୁତ୍ ବିଭାଗ ଅନୁସଂନ୍ଧାନ କରି ବିଦ୍ୟୁତ୍ ଯୋଗାଉଛି। ତୁରନ୍ତ ପ୍ରଶାସନ ପଦକ୍ଷେପ ନେବା ପାଇଁ ଚାଷୀ ଦାବି କରିଛନ୍ତି।

ଆସୁଛି ଆଲୋକର ପର୍ବ ଦୀପାବଳି, କମୁଛି ଦୀପର ଚାହିଦା

ନୟାଗଡ଼ : ଆସୁଛି ଆଲୋକର ପର୍ବ ଦୀପାବଳି। ଆଲୋକମୟ ହେବ ପରିବେଶ। ଦୀପାବଳିକୁ ଦୀପମୟ କରିବାକୁ ମାଟିରେ ଗଢ଼ା ହେଉଛି ଭଳିକି ଭଳି ଦୀପ। ଚଳଚଞ୍ଚଳ ନୟାଗଡ ଜିଲ୍ଲା ଖଣ୍ଡପଡ଼ା ସହରର କୁମ୍ଭାର ପରିବାର। ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୀପାବଳି ପାଇଁ ମାଟି ଦୀପ ତିଆରି କରୁଛନ୍ତି ପାଖାପାଖି ୩୦ରୁ ଉର୍ଦ୍ଧ୍ବ କୁମ୍ଭାର ପରିବାର। ଛୋଟ ବଡ ବିଭିନ୍ନ ଡିଜାଇନର ଦୀପ ତିଆରି ହୋଇଛି।

ପ୍ରତିବର୍ଷ ଦୀପାବଳିରେ ପ୍ରତ୍ୟେକ କୁମ୍ଭାର ପରିବାର ୮ ହଜାରରୁ ୧୦ ହଜାର ଦୀପ ବିକ୍ରି କରି ଭଲ ଦି ପଇସା ରୋଜଗାର କରିଥାନ୍ତି। କୁମ୍ଭାର ପରିବାର କେବଳ ଦୀପ ନୁହେଁ, ବରଂ ମାଟିରେ ଭଳିକି ଭଳି ଟେରାକୋଟା ଜିନିଷ ଓ ଦେବାଦେବୀଙ୍କ ମୂର୍ତ୍ତି ତିଆରି କରୁଛନ୍ତି । କିନ୍ତୁ ବାତ୍ୟା ଦାନା ଲାଗି ଏଥର ବେଶ ପ୍ରଭାବିତ ହୋଇଛି ବ୍ଯବସାୟ। ଦିନକୁ ଦିନ ମାଟିର ଅଭାବ ଓ ପୋଡ଼ିବା ପାଇଁ ଜାଳେଣି କାଠର ଅଭାବ ସମସ୍ୟା ସୃଷ୍ଟି କରୁଛି।  ଏଥିସହ ଭଲ ପାରିଶ୍ରମିକ ମିଳୁନଥିବା କହିଛନ୍ତି କାରିଗର।

ମହାବାତ୍ଯାକୁ ପୂରିଲା ୨୫ ବର୍ଷ : ଆତ୍ମୀୟଙ୍କୁ ଝୁରି ଝୁରି ଶୁଖିନି ଆଖିରୁ ଲୁହ

ଭୁବନେଶ୍ବର : ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ମହାବାତ୍ୟା ରଚିଥିଲା ତାଣ୍ଡବ। ମହାବାତ୍ଯାକୁ ଏହା ଭିତରେ ୨୫ବର୍ଷ ବିତି ଯାଇଥିଲେ ବି ତାର କ୍ଷତ ଚି଼ହ୍ନ ମନରୁ ଯାଇନି।  ଆଜି ବି ବାତ୍ଯାକୁ ଭୁଲି ପାରିନାହାନ୍ତି ପୁରୀ ଅସ୍ତରଙ୍ଗବାସୀ । ମହାବାତ୍ୟାର ତାଣ୍ଡବରେ ସ୍ୱାମୀଙ୍କୁ ହରାଇଥିବା ନୂଆଗଡ ଗାଁର କମଳା ବିଶ୍ବାଳ।  ଆଜି ବି ସେ କଥାକୁ ମନେ ପକାଇଲେ ତାଙ୍କ ଆଖିରେ ଲୁହ ଆସିଯାଏ। ସେହିପରି ମଧୁପୁର ଗାଁର କଲ୍ପନା ବେହେରା ନିଜ ପରିବାରର ସମସ୍ତ ସଦସ୍ୟକୁ ହରାଇଥିଲେ। ବାତ୍ଯାରେ  ସ୍ଵାମୀ, ପୁଅ ,ଝିଅ, ଶାଶୁ, ଶଶୁର ଓ ଦିଅର ଚାଲିଗଲେ । ଏବେ ବି କଲ୍ପନା  ନିସଙ୍ଗ ଜୀବନ ବିତାଉଛନ୍ତି ।

କେନ୍ଦ୍ରାପଡାରେ ୧୯୯୯ ମସିହାର ମହାବାତ୍ୟା ରଚିଥିଲା ତାଣ୍ଡବ । ଅଧିକ କ୍ଷତିଗ୍ରସ୍ଥ ହୋଇଥିଲା ରାଜନଗର ଏବଂ ମହାକାଳପଡା ବ୍ଲକ। ହଜାର ହଜାର ଲୋକେ ପ୍ରଭାବିତ ହୋଇଥିବା ବେଳେ ଲକ୍ଷାଧିକ କଚ୍ଚାଘର ଭୁସୁଡି ପଡିଥିଲା । ମହାବାତ୍ୟାର କରାଳ ଗ୍ରାସରୁ ଟିକେ ମୁକ୍ତି ମିଳିଥିଲା ହେନ୍ତାଳ ବଣ ପାଇଁ । ୧୯୯୯ ମହାବାତ୍ଯାରେ ମହାକାଳପଡା ଅଞ୍ଚଳରେ ଶହ ଶହ ଲୋକଙ୍କର ପ୍ରାଣହାନୀ ଘଟିଥିଲା । ଆଜି ସେ କରାଳ ବାତ୍ଯାକୁ ମନେ ପକାଇଲେ ଲୋକଙ୍କୁ ଭୟ ଲାଗୁଛି  ଆଜି ବି ବାତ୍ଯା ନାଁ ଶୁଣିଲେ ମାଟି ଚାଳ ଘରେ ରହୁଥିବା ପିଲାଙ୍କର ଚିନ୍ତା ବଢିଯାଏ । ମହାବାତ୍ଯାର ମହାଦୁଃଖକୁ ଆଜି ବି ଭୁଲିବା କଷ୍ଟ ।

ମେଡିସିନ୍ ଷ୍ଟୋରରୁ ୫ ଲକ୍ଷ ଲୁଟ୍ : ନନ୍ଦିଘୋଷ ଟିଭି ହାତରେ ଚୋରିର Exclusive ଭିଜୁଆଲ

ଭୁବନେଶ୍ବର : ମେଡିସିନ୍ ଷ୍ଟୋରରୁ ୫ ଲକ୍ଷ ଟଙ୍କା ଲୁଟ୍ । ନଗଦ ଟଙ୍କା ସହ ଲୁଟିନେଲେ ଦାମୀ ମେଡିସିନ୍ । ସିସିଟିଭିରେ କଏଦ ହେଲା ଚୋରିର ଲାଇଭ ଦୃଶ୍ୟ। ନନ୍ଦିଘୋଷ ଟିଭି ହାତରେ ଲାଗିଛି ଲାଇଭ୍ ଚୋରିର Exclusive ଭିଜୁଆଲ। ବିଳମ୍ବିତ ରାତିରେ କବାଟ ତାଡି ଭୁବନେଶ୍ବର କଳିଙ୍ଗ ବିହାର ଅଞ୍ଚଳର ଏକ ମେଡିସିନ୍ ଷ୍ଟୋରରେ କଳାକନା ବୁଲାଇଛନ୍ତି ୨ ଜଣିଆ ଲୁଟେରା ଗ୍ୟାଙ୍ଗ । ଆନନ୍ଦ ବନ ନିକଟରେ ଥିବା ଏହି ମେଡିସନ୍ ଷ୍ଟୋରରେ ଗତକାଲି ରାତିରେ ଦୁଇ ଜଣ ଲୁଟେରା କବାଟ ତାଡି ପ୍ରବେଶ କରିବା ପରେ ମୁହଁରେ ବ୍ୟାଗ ଘୋଡାଇ ପ୍ରଥମେ ଟଙ୍କା ବାକ୍ସକୁ ତାଡିଥିଲେ । ସେଥିରେ ଥିବା ବିଡା ବିଡା ଟଙ୍କା ପ୍ରଥମେ ପକେଟରେ ପୂରାଇଥିଲେ । ଆଉ ଜଣେ ଲୁଟେରା ଟୋପି ପିନ୍ଧିଥିବା ବେଳେ ମୁହଁରେ ଏକ ଗାମୁଛା ଢାଙ୍କିଥିଲା । ଟଙ୍କା ପକେଟରେ ପୂରାଇବା ପରେ ସିସିଟିଭି ହାର୍ଡଡିସ୍କ ତାଡିବାକୁ ଉଦ୍ୟମ କରିଥିଲେ । ବିଫଳ ହେବାରୁ ତାର ଛିଣ୍ଡାଇ ଦେଇଥିଲେ ଲୁଟେରା । ଏନେଇ ଭରତପୁର ଥାନାରେ ଦୋକାନୀ ଜଣକ ଏତଲା ଦେଇଛନ୍ତି। ବର୍ଷେ ପୂର୍ବରୁ ଦୋକାନୀଙ୍କ ମାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ ଲୁଟେରା । ଲୁଟେରାଙ୍କ ଏଭଳି ହାଲ୍ଲାବୋଲ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ରାଜ୍ୟରେ ମହିଳା ନିର୍ଯାତନା ବଢିବାରେ ଲାଗିଛି : ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ବର : ନାରୀ ନିର୍ଯାତନା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସ  । ରାଜ୍ୟରେ ମହିଳା ନିର୍ଯାତନା ବଢିବାରେ ଲାଗିଛି । ଯାହାକି ଖୁବ ଦୁଃଖର ବିଷୟ ବୋଲି କହିଛନ୍ତି ସୋଫିଆ  । ପୋଲିସ ମହିଳା ନିର୍ଯାତନା ମାମଲାକୁ ହାଲୁକା ଭାବେ ନେଉଛି l ବ୍ରହ୍ମପୁର ଓ କଟକ ଉଦାହରଣ ନେଇ ସରକାରଙ୍କ ଉପରେ ବର୍ଷିଲେ  । କଣ ପାଇଁ ମହିଳାଙ୍କୁ ସୁରକ୍ଷା ଦିଆଯାଉ ନାହିଁ । ଧାର୍ଯ୍ୟ ସମୟରେ ତଦନ୍ତ ରିପୋର୍ଟ ଦେବା କଥା ତାହା ଦେଉନାହାନ୍ତି  । ଝିଅମାନେ ନିଖୋଜ ହୋଇଯାଉଛନ୍ତି । ପୋଲିସ ସେମାନଙ୍କୁ ପାଉନାହିଁ । ତେଣୁ ଲୋକମାନେ କାହା ପାଖକୁ ଯିବେ ବୋଲି ବିଧାୟିକା ପ୍ରଶ୍ନ କରିଛନ୍ତି । ମହିଳାଙ୍କ ଉପରେ ସାଇବର କ୍ରାଇମ ମଧ୍ଯ ବଢିବାରେ ଲାଗିଛି । ଭରତପୁର ଥାନା କଥା ଉଠାଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ  । ଦିନକୁ ଦିନ ରାଜ୍ୟରେ ନାରୀ  ନିର୍ଯାତନା ବଢିବା ସହ ଥାନାରେ ମହିଳା ମାନଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉନଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଦଳମତ ନିର୍ବିଶେଷରେ ୱୁ ବିଧାୟିକା ମାନେ ଉଦବେଗ ପ୍ରକାଶ କରିଥିଲେ । ପୋଲିସ ମହିଳା ମାନଙ୍କୁ ନ୍ୟାୟ ଦେବାରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଜେଡି ବିଧାୟକ ସୁଜାତା ସାହୁ ଦାବି କରିଛନ୍ତି । ସେହିଭଳି ମହିଳାମାନେ କିଭଳି ଉପଯୁକ୍ତ ନ୍ୟାୟ ପାଇବେ ଓ ଥାନା ଗୁଡିକରେ ମହିଳା ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ସେନେଇ ବୈଠକରେ ଆଲୋଚନା କରାଯାଇଥିବା କହିଛନ୍ତି କିମଟିର ଅଧ୍ୟକ୍ଷ ସିମାରାଣୀ ନାୟକ ।

ଆୟୁଷ୍ମାନ ଯୋଜନାକୁ ନେଇ ବର୍ଷିଲା ବିଜେଡି : ଖାଲି ନାମ,ରଙ୍ଗ ବଦଳା ଯାଉଛି, ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ

ଭୁବନେଶ୍ବର : ଆୟୁଷ୍ମାନ ଭାରତ ଯୋଜନା ଦ୍ଵିତୀୟ ପର୍ଯ୍ୟାୟର ଆଜି ଶୁଭାରମ୍ଭ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଯୋଜନାରେ ରାଜ୍ୟ ସରକାରଙ୍କ କୌଣସି ସ୍ପଷ୍ଟ ସୂଚନା ନାହିଁ ବୋଲି କହିଛି ଦଳ। ବିଜୁ ସ୍ଵାସ୍ଥ୍ୟ କଲ୍ଯାଣ ଯୋଜନା ଲୋକଙ୍କ ଲାଗି ଅମୂଲ୍ଯ ଥିଲା। ବିଏସକେୱାଇର ନାମ ପରିବର୍ତ୍ତନ କଲେ ସରକାର। ଏହାକୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ଯୋଜନା କରିଛନ୍ତି। ନାଁ ବଦଳାଇବା ରାଜନୀତିରେ ମାତିଛନ୍ତି ରାଜ୍ଯ ସରକାର। ପୂର୍ବ ସରକାର ସମୟରେ ବିଏସକେୱାଇ ଯୋଜନାରେ ପ୍ରାୟ ୧ କୋଟି ଲୋକ ଲାଭ ପାଉଥିଲେ। ୩୬ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଇବେ ବୋଲି ପୂର୍ବରୁ କହିଛନ୍ତି ରାଜ୍ୟ ସରକାର। ତେବେ କେଉଁମାନେ ଏହି ଯୋଜନାରୁ ବାଦ ପଡ଼ିବେ ବୋଲି ପ୍ରଶ୍ନ କରିଛି ବିଜେଡି। ଗରିବ, ଖଟିଖିଆ, ଶ୍ରମିକ ଓ ମହିଳାଙ୍କୁ ସ୍ଵାସ୍ଥ୍ୟ ଗ୍ଯାରେଣ୍ଟି ଦେବାକୁ ବିଜୁ ସ୍ଵାସ୍ଥ୍ୟ କଲ୍ଯାଣ ଯୋଜନାର ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ।ଏ ପର୍ଯ୍ୟନ୍ତ ଏ ଯୋଜନାର ସୁବିଧା ମିଳିଆସୁଛି। ଏବେ ନାଁ ପରିବର୍ତନ କରି ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା କଲେ। ଯାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ। ଯଦି ୩୬ ଲକ୍ଷ ସାମିଲ ହେବେ ତେବେ ଯୋଜନାର ଲାଭ ପାଉଥିବା ବାକି ଲୋକ କୁଆଡେ ଯିବେ ବୋଲି ପ୍ରଶ୍ନ କରିଛି ବିଜେଡି। ଦଳୀୟ ଭିତ୍ତିରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା ଦେବେ ବୋଲି ଅଭିଯୋଗ କରିଛି ବିଜେଡି। ଏଥିରେ ବି ରାଜନୀତି ଏହା ଲୋକ ବୁଝି ସାରିଲେଣି। ଏ ସରକାର ନାଁ ଓ ରଙ୍ଗ ବଦଳାଇବା ସରକାର।ହେଲେ ସାଧାରଣ ଲୋକଙ୍କ ପାଇଁ ଯୋଜନା କିଛି ନାହିଁ। ବିଜେପିର ଆୟୁଷ୍ମାନ ଭାରତ ଯୋଜନା ନେଇ ଲୋକେ କାନ୍ଦୁଛନ୍ତି। କଣ ଏଥିରେ ସୁବିଧା ଅଛି ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ସରକାର। ରୋଗୀ ପଇସା ଦେବ ନା ଖର୍ଚ୍ଚ କରିବା ପରେ ପାଇବେ। ଏ ମସସ୍ତ ବିଷୟ କିଛି ସ୍ପଷ୍ଟ ନକରି ପ୍ରଚାର ପ୍ରସାରରେ ଲଗାଇବେ ବୋଲି କହିଛି ବିଜେଡି। ସରକାରୀ ଯୋଜନାକୁ ଦଳୀୟ ଯୋଜନା କରିବା ହିଁ ସେମାନଙ୍କ ଉଦେଶ୍ୟ। ସରକାର ଲୋକଙ୍କ ସମସ୍ୟା ବୁଝନ୍ତୁ।  ରାଜନୀତି ନକରନ୍ତୁ। ନବୀନ ପଟ୍ଟନାୟକ କଣ କରିଥିଲେ ଓ ଏବେ ସରକାର କଣ କରୁଛନ୍ତି। ଲୋକେ ଏବେଠାରୁ  ତୁଳନା କରିବା ଆରମ୍ଭ କଲେଣି। BSKY ପରି ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା ହେଲେ ଯାଇ ଲୋକ ସୁବିଧା ପାଇବେ ବୋଲି କହିଛି ବିଜେଡି।