ବାଲେଶ୍ବର : ବାତ୍ଯା ବିପର୍ଯ୍ୟୟକୁ ପୁଣି ମିଛ କହି ଠକିଲେ ମୁଖ୍ୟମନ୍ତ୍ରୀ । ଏମିତି ଅଭିଯୋଗ ଆଣିଛନ୍ତି ଏଆଇସିସି ସଦସ୍ୟ ନବଜ୍ୟୋତି ପଟ୍ଟନାୟକ । ବାତ୍ଯା ପୂର୍ବରୁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ଡ଼ିଣ୍ଡିମ ପିଟୁଥିଲେ । ବାତ୍ଯା ପରେ ରିଲିଫ୍ ଯୋଗାଇବାରେ ସରକାର ବିଫଳ ହେଲେ । ଘରର ଛପର ଉଡ଼ି ଯାଇଛି । ଘର ଭିତରେ ପାଣି ପଶିଯାଇଛି । ଖାଇବାକୁ ଦାନା ନାହିଁ । ସେହି ସମୟରେ ବାତ୍ୟା ଆଶ୍ରୟ ସ୍ଥଳୀରେ ଦୁଇଦିନ ଭାତ ଡ଼ାଲମା ଦେଇଦେଲେ ଲୋକଙ୍କ ସମସ୍ୟାର ସମାଧାନ ହେବନାହିଁ । ଲୋକଙ୍କ ପାଖରେ ପଲିଥିନ୍ ଖଣ୍ଡେ ନାହିଁ । ଚୂଡ଼ା, ଚାଉଳ ନାହିଁ । ଏ ପର୍ଯ୍ୟନ୍ତ ବିଜୁଳୀ ସଂଯୋଗ ସ୍ବାଭାବିକ ହୋଇପାରିଲା ନାହିଁ । କେବଳ କଥାରେ ଚାଲିଛି ଓଡ଼ିଶା ସରକାର । କେନ୍ଦ୍ରରେ ମିଛ କହି ଭଣ୍ଡାଉ ଥିଲେ । ଏବେ ରାଜ୍ୟରେ ମିଛ କହିବା ଆରମ୍ଭ କରିଛନ୍ତି । ତୁରନ୍ତ ରିଲିଫ୍ ଯୋଗାଇ ଦିଆନଗଲେ କଂଗ୍ରେସ୍ ରାଜରାସ୍ତାକୁ ଉହ୍ଲେଇବ ବୋଲି ଚେତାବନୀ ଦେଇଛନ୍ତି ନବଜ୍ୟୋତି।
ଝାଡ଼ଖଣ୍ଡର ୨ ବରିଷ୍ଠ ଅଧିକାରୀଙ୍କ ଘରେ ଇଡ଼ିର ରେଡ୍
ରାଞ୍ଚି : ମଦ ଦୁର୍ନୀତି ମାଧ୍ୟମରେ ଅର୍ଥ ହେରଫେର ମାମଲାରେ ଇଡି ମଙ୍ଗଳବାର ସକାଳୁ ଝାଡ଼ଖଣ୍ଡର ବରିଷ୍ଠ ଆଇଏଏସ୍ ଅଧିକାରୀ ବିନୟ ଚୌବେ ଏବଂ ଏକ୍ସାଇଜ୍ ବିଭାଗର ଯୁଗ୍ମ ସଚିବ ଗଜେନ୍ଦ୍ର ସିଂ ଏବଂ ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ାଉ କରିଛି ଇଡି । ଇଡି ଟିମ୍ ଏହି ଦୁଇ ଅଧିକାରୀଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ନିକଟରେ ମଧ୍ୟ ପହଞ୍ଚିଛନ୍ତି । ମଦ ଦୁର୍ନୀତିର ଏହି ଚେର ଛତିଶଗଡ଼ ସହିତ ଝାଡ଼ଖଣ୍ଡକୁ ଲମ୍ଵିଛି । ଏହା ସହିତ ଛତିଶଗଡ଼ର ଦୁର୍ନୀତି ନିବାରଣ ବ୍ୟୁରୋ ଏବଂ ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଗତ ମାସରେ ୭ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ଦାୟର କରିଥିଲା । ଏଥିରେ ଝାଡ଼ଖଣ୍ଡର ଏକ୍ସାଇଜ୍ ବିଭାଗର ତତ୍କାଳୀନ ସଚିବ ବିନୟ ଚୌବେ ଏବଂ ଯୁଗ୍ମ ସଚିବ ଗଜେନ୍ଦ୍ର ସିଂଙ୍କ ସମେତ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏଫଆଇଆରରେ କୁହାଯାଇଛି ଯେ, ଏହି ଅଧିକାରୀମାନେ ମିଳିତ ଭାବେ ଝାଡ଼ଖଣ୍ଡର ମଦ ନୀତିର ଅପବ୍ୟବହାର କରି ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି । ACB ଏବଂ EOW ର ଏହି ଏଫଆଇଆର ଆଧାରରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଅଭିଯୁକ୍ତମାନଙ୍କ ମଧ୍ୟରେ ଛତିଶଗଡ଼ର ପୂର୍ବତନ ଆଇଏଏସ୍ ଅଧିକାରୀ ଅନିଲ ଟୁଟେଜା, ବ୍ୟବସାୟୀ ଅନୱର ଧବର, ଛତିଶଗଡ ରାଜ୍ୟ ମାର୍କେଟିଂ କର୍ପୋରେସନର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅରୁଣପତି ତ୍ରିପାଠୀ, ଆଇଏଏସ୍ ଅଧିକାରୀ ଏବଂ ଛତିଶଗଡର ପୂର୍ବତନ ଅବକାରୀ ବିଭାଗ କମିଶନର ନିରଞ୍ଜନ ଦାସ, ଅରବିନ୍ଦ ସିଂ ଏବଂ ନୋଏଡାର ବ୍ୟବସାୟୀ ବିଘୁ ଗୁପ୍ତା ସାମିଲ ଅଛନ୍ତି ।
ବାତ୍ଯାର ମୁକାବିଲା କ୍ଷେତ୍ରରେ ନବୀନ ମଡେଲ ସାଉଁଟିଛି ଜାତୀୟ ଓ ଅନ୍ତର୍ଜାତୀୟ ଖ୍ଯାତି
ଭୁବନେଶ୍ବର : ୨୯ ଅକ୍ଟୋବର, ୧୯୯୯ । ସବୁଦିନ ପରି ନଥିଲା କିନ୍ତୁ ସେଦିନର ସକାଳ। ସବୁଠି ଅଣଚାଷ ପବନର ତାଣ୍ଡବ। ସୁସୁ ଗର୍ଜନ। ଛାତିଥରାଇ ଦେବା ପରି ଦୃଶ୍ଯ। ଜଳ, ସ୍ଥଳ, ଗିରିବନ, ଗାଁ, ସହରରୁ ସମୁଦ୍ର…ସବୁଠି ଧ୍ବଂସର ଲୀଳା। ବେଳକୁ ବେଳ ବଢୁଥିଲା ପବନ। ହେଲେ ଥମିଲାନି ପ୍ରଳୟର ବେଗ। ଶହେରୁ ଦୁଇ ଶହ, ଦୁଇ ଶହରୁ ତିନିଶହ କିମି ବେଗରେ ବହିଲା ପବନ। ମହାବାତ୍ଯାର ଆଁରେ ଲୀନ ହେଉଥିଲା ଜନପଦ। ଗୋଟିଏ ମିନଟ କଟିଲେ ଲାଗୁଥିଲା କଟିଲା ଗୋଟିଏ ଯୁଗ। ସୁପରସାଇକ୍ଲୋନର ରକ୍ତମୁଖୀ ଜିହ୍ବାରେ ନିର୍ବାପିତ ହେବାରେ ଲାଗିଥିଲା ଧନଜୀବନ। ତାହାରି ଭିତରେ ସମୁଦ୍ରର ପ୍ରକାଣ୍ଡ ଜୁଆର ଖେଳାଇଥିଲା ଆତଙ୍କ। ସମଗ୍ର ଉପକୂଳ ଅଞ୍ଚଳରେ ଝଡ଼ର ତାଣ୍ଡବରେ କିଏ ହଜିଥିଲା କୁଆଡ଼େ ତାହାର ରହି ନଥିଲା ହିସାବ। ଭୂପତିତ ହେବାରେ ଲାଗିଥିଲା ବିଶାଳ ଦ୍ରୁମ। ଅକସ୍ମାତ ଉଚ୍ଚ ଜୁଆରରେ ବି ନିଶ୍ଚିହ୍ନ ହୋଇଯାଇଥିଲା ଅନେକ ଗାଁ। ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ। ଏବେବି ସେ କାଳରାତି କଥା ମନେପଡିଲେ ଥରିଉଠେ ଛାତି। ଉପକୂଳ ଓଡିଶା ସମେତ ରାଜ୍ୟର ମୋଟ ୧୨୮ଟି ବ୍ଲକରେ ବ୍ୟାପକ କ୍ଷତି ଘଟାଇଥିଲା ମହାବାତ୍ଯା । ୨କୋଟି ଲୋକ ହୋଇଥିଲେ ପ୍ରଭାବିତ। ୪ଲକ୍ଷରୁ ଉର୍ଦ୍ଧ୍ବ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିଲା । ୯ଲକ୍ଷରୁ ଉର୍ଦ୍ଧ୍ବ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଥିଲା ।
ଆକସ୍ମିକ ପ୍ରଳୟ ଲାଗି ପ୍ରସ୍ତୁତ ନଥିଲେ ଓଡ଼ିଶାବାସୀ। ଓଡ଼ିଶା ଇତିହାସରେ ଏହି ଲୋମହର୍ଷକ ବାତ୍ଯା ଆଜି ବି ଆଣେ ଛନକା। ମହାବାତ୍ଯା ପରଠାରୁ ସଜାଗ ହୋଇଥିଲା ଓଡ଼ିଶା। ଗତ ୨୫ ବର୍ଷ ମଧ୍ଯରେ ରାଜ୍ଯରେ ଦେଖାଯାଇଛି ଅନେକ ବିପର୍ଯ୍ୟୟ। ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତଲି, ୨୦୧୯ରେ ଫନି ଓ ବୁଲବୁଲ୍, ୨୦୨୦ରେ ଅମ୍ଫନ, ୨୦୨୧ରେ ୟାସ, ଗୁଲାବ ଓ ଜବାଦ ଏବଂ ଚଳିତ ବର୍ଷ ଦାନା ରାଜ୍ଯ ଲାଗି ଆଣିଛି ଅନେକ ଚାଲେଞ୍ଜ। ବାତ୍ୟା ମୁକାବିଲା କ୍ଷେତ୍ରରେ ଓଡିଶା ସାରା ଦେଶରେ ଏବେ ରୋଲମଡେଲ। ତତକାଳୀନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅସୀମ ଧୈର୍ଯ୍ୟ, ଜିରୋ କାଜୁଆଲିଟି ମିଶନ ସାରା ବିଶ୍ବକୁ ଦେଖାଇଛି ଆଲୋକବର୍ତ୍ତିକା। ବାତ୍ଯାର ମୁକାବିଲା କ୍ଷେତ୍ରରେ ଓଡିଶା ସାଉଁଟିଛି ଜାତୀୟ ଓ ଅନ୍ତର୍ଜାତୀୟ ଖ୍ଯାତି ।
ମହାନଦୀ ବ୍ରିଜ ଉପରେ ପଲସର : ଯୁବକଙ୍କ ମିଳୁନି ପତ୍ତା !
ବାଙ୍କୀ : ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ପଲସର ରଖି ଯୁବକ ନିଖୋଜ ଘଟଣା। ବର୍ତ୍ତମାନ ସୁଦ୍ଧା ମିଳୁନି ପତ୍ତା। ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ନିଖୋଜ ଯୁବକ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କାବେରା ଗାଁର ତାରିଣୀ ପ୍ରସାଦ ରାଉତ। ଅନୁଗୁଳୁର ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବେଳେ ଗତକାଲି ଦିନ୧୨ ଟାରେ ବ୍ୟାଙ୍କରୁ ଚାଲିଆସିଥିଲେ। ଏହାପରେ ତାଙ୍କ ସ୍ତ୍ରୀଙ୍କ ସହ କଥା ହେବା ପରେ ଫୋନ ସୁଇଜ ଅଫ କରିଦେଇଥିଲେ। ଦୀର୍ଘ ସମୟ ଧରି ମୁଣ୍ଡଳୀ ବ୍ୟାରେଜ ଉପରେ ଗାଡି ରହିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଗାଡ଼ି ଜବତ କରିଥିବା ବେଳେ ଯୁବକଙ୍କ ପତ୍ତା ମିଳିପାରିନାହିଁ । ମହାନଦୀକୁ ଡେଇଁ ଥିବା ସନ୍ଦେହରେ ମହାନଦୀ ଅଗ୍ନିଶମ କର୍ମଚାରୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ଥିବା ବେଳେ ଅନଲାଇନ ଟ୍ରେଡିଂ କରି ମାନସିକ ଚାପ ଥିଲେ ବୋଲି ପରିବାର ଲୋକେ କହିଛନ୍ତି ।
ବିହାର ପାଟନାରେ ମେଟ୍ରୋ ଟନେଲ ଦୁର୍ଘଟଣା , ଘଟଣାସ୍ଥଳରେ ୨ ଓଡ଼ିଆ ଶ୍ରମିକ ମୃତ
ପାଟନା : ବିହାର ପାଟନାରେ ମେଟ୍ରୋ ରେଲୱେ କାମ ଚାଲିଥିବାବେଳେ ଅଘଟଣ। ଶ୍ରମିକଙ୍କ ଉପରେ ଚଢିଗଲା ଲୋକୋ ପିକଅପ୍ । ଏଥିରେ ୨ ଶ୍ରମିକଙ୍କ ମୃତ୍ଯୁ ହୋଇଥିବାବେଳେ ୮ ଶ୍ରମିକ ଗୁରୁତର ହୋଇପଡିଛନ୍ତି । ମୃତକ ଦୁଇ ଶ୍ରମିକ ଓଡ଼ିଶାର ହୋଇଥିବା ସୂଚନା। ମୃତକ ଦୁଇ ଶ୍ରମିକ ହେଲେ ମନୋଜ ଏବଂ ଶ୍ୟାମବାବୁ। ୮ ଆହତ ଶ୍ରମିକଙ୍କ ମଧ୍ୟରେ ଜଣେ ଓଡ଼ିଆ ଶ୍ରମିକ ଅଛନ୍ତି। ସେମାନଙ୍କ ମଧ୍ୟରେ ବିଜୟ ନାମକ ଜଣେ ଓଡ଼ିଆ ଶ୍ରମିକ ଆହତ ଅଛନ୍ତି। ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ଯୁ ନେଇ ସ୍ପଷ୍ଟ କରିଛନ୍ତି ଓଡ଼ିଶା ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଶ୍ରମିକଙ୍କ ସ୍ଥିତି ବୁଝିବା ନେଇ ପାଟନା ଯିବେ ଜିଲ୍ଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ। ସେଠାରେ ପହଞ୍ଚି ଆହତ ଶ୍ରମିକଙ୍କ ପରିଚୟ ଓ ଚିକିତ୍ସା ନେଇ ଅଧିକ ତଥ୍ୟ ପ୍ରଦାନ କରିବେ। ମେଟ୍ରୋ ଟନେଲରେ ୨୫ ଜଣ ଶ୍ରମିକ କାମ କରୁଥିଲେ। ଗତକାଲି ରାତିରେ ଘଟିଥିଲା ଏ ଦୁର୍ଘଟଣା। ନିର୍ମାଣସ୍ଥଳରେ ସୁପରଭାଇଜର ନଥିବା ଜଣାପଡିଛି । ପାଟନା ଏନଆଇଟିର ପ୍ରସ୍ଥାନ ଗେଟ୍ ନିକଟ ଟନେଲରେ ଏହି କାମ ଚାଲିଥିଲା। ଘଟଣାରେ ମୃତ୍ଯୁସଂଖ୍ଯା ବୃଦ୍ଧି ପାଇବା ଆଶଂକା କରାଯାଉଛି। ଦୁର୍ଘଟଣା ପରେ ଶ୍ରମିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁରକ୍ଷା ପ୍ରତି କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି ।
ମନରେଗାରେ ଦୁର୍ନୀତି ଓ ପିସି କାରବାରର ଗୁମର ଖୋଲିଲେ ଗ୍ରାମ ସଂଯୋଜକ
ଉଦଳା : ଗ୍ରାମ ସଂଯୋଜକ ଖୋଲିଦେଲେ ମନରେଗାରେ ହେଉଥିବା ଦୁର୍ନୀତି ଓ ପିସି କାରବାରର ଗୁମର। ନିଜ ନାମରେ ଆସିଥିବା ୨ଟି ପ୍ରକଳ୍ପ କାମ ସାରିବା ପରେ ମଧ୍ୟ ବିଲ୍ ନ ପାଇବାରୁ କାରଣ ଖୋଜୁ ଖୋଜୁ ବାହାରିଲା ସାଂଘାତିକ ସତ। ୨୦୨୦ ମସିହାରେ କପ୍ତିପଦା ବ୍ଲକ ପଦ୍ମପୋଖରୀ ପଞ୍ଚାୟତର ଗ୍ରାମ ସଂଯୋଜକ ବିଶ୍ୱନାଥ ରାଉଳଙ୍କ ନାମରେ ୭ ଲକ୍ଷ ଲେଖାଏଁ ୨ଟି ଉନ୍ନୟନ କାମ ଆସିଥିଲା। କାମ ସରିବାକୁ ଦେଢ଼ ବର୍ଷରୁ ଅଧିକ ବିତିଯାଇଥିବା ମଧ୍ୟ ଉକ୍ତ କାମର ବକେୟା ଥିବା ବିଲ୍ ମିଳିନାହିଁ । ବାରମ୍ବାର ଯନ୍ତ୍ରୀ, ପିଇଓ ଏବଂ ବିଡିଓଙ୍କ ନିକଟକୁ ଯାଇଥିଲେ ମଧ୍ୟ ଉକ୍ତ ଦୁଇ କାମର ଫାଇଲ ହଜିଯାଇଥିବା କହି ତାଙ୍କୁ ଆଜି ପର୍ଯ୍ୟନ୍ତ ବିଲ୍ ଦିଆଯାଉ ନାହିଁ। ଯାହାକୁ ନେଇ ଗ୍ରାମ ସଂଯୋଜକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଉକ୍ତ କାମ ପାଇଁ ସେ ପିଇଓଙ୍କୁ ପିସି ଟଙ୍କା ଦେଇଥିବାର ପ୍ରମାଣ ମଧ୍ୟ ଦେଖାଇବା ସହିତ ପିଇଓଙ୍କ ସହିତ ହୋଇଥିବା କଥାବାର୍ତ୍ତାର ରେକର୍ଡ ମଧ୍ୟ ଶୁଣାଇଛନ୍ତି । ଯନ୍ତ୍ରୀ ଏବଂ ଅନ୍ୟମାନଙ୍କୁ ମଧ୍ୟ ନଗଦ ଟଙ୍କା ଦେଇଥିବାର ସେ ଅଭିଯୋଗ ଆଣିଛନ୍ତି । କେବଳ ସେତିକି ନୁହେଁ ପଦ୍ମପୋଖରୀ ପଞ୍ଚାୟତରେ ମନରେଗାରେ ବଡ଼ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଛନ୍ତି । ଉକ୍ତ ପଞ୍ଚାୟତରେ ଏହିପରି ବିଭିନ୍ନ କାମର ଫାଇଲ ହଜାଇ ଟଙ୍କା ହରିଲୁଟ୍ କରାଯାଉଥିବା କହି ମନରେଗା ଦୁର୍ନୀତିର ଗୁମର ଖୋଲିଦେଇଛନ୍ତି ଗ୍ରାମ ସଂଯୋଜକ । ତେବେ ଏ ନେଇ କପ୍ତିପଦା ବିଡ଼ିଓ ଓ ପିସି ନେଇଥିବା ପିଇଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଓଡ଼ିଶାରେ ଲୁଚିଛି ମାଫିଆ ଅତିକ୍ ଅହମ୍ମଦର ପତ୍ନୀ ସାଇସ୍ତା ପରବିନ୍ ?
ନନ୍ଦିଘୋଷ ବ୍ୟୁରୋ: ମିଳିଯାଇଛି ମାଫିଆ ଅତିକ୍ ଅହମ୍ମଦର ପତ୍ନୀ ସାଇସ୍ତା ପରବିନଙ୍କ ଠିକଣା । କିଛି ସମୟ ପୂର୍ବରୁ ସେ ଓଡିଶାରେ ଲୁଚିଥିବା ସୂଚନା ମିଳିଥିଲା ।ଏଥିରେ ତାଙ୍କୁ ଗୁଡୁ ମୁସଲିମ ଏବଂ ଅନ୍ୟ ସହଯୋଗୀ ମାନେ ସାହାଯ୍ୟ କରୁଥିଲେ । ମାଫିଆ ଅତିକର ସ୍ତ୍ରୀ ସାଇସ୍ତା ପରବିନ ଓଡିଶାରେ ଲୁଚିଥିବାର ସୂଚନା ପାଇବା ପରେ ଏସଟିଏଫ ତୁରନ୍ତ ଓଡିଶା ପୋଲିସକୁ ଏହି ବିଷୟ ନେଇ ସତର୍କ କରାଇଥିଲେ । ତଥାପି ହାତରୁ ଖସିଯାଇଥିଲା ସାଇସ୍ତା । ପୋଲିସ ସାଇସ୍ତାକୁ ଗିରଫ କରିପାରିନଥିଲା । କିନ୍ତୁ ସେ ରହୁଥିବା ସ୍ଥାନରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଖୋଜି ବାହାର କରିଥିଲା।
ମିଡିଆ ରିପୋର୍ଟ ଅନୁଯାୟୀ ଓଡିଶାକୁ ଛାଡି ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ସାଇସ୍ତା, ଜୈନବ, ଗୁଡୁ ମୁସଲିମ, ଶବିର ଏବଂ ଅରମାନଙ୍କର ସନ୍ଧାନ ଦ୍ରୁତ ଗତିରେ ଚାଲିଛି । ଏହା ସହିତ ୟୁପି ପୋଲିସ ସାଇସ୍ତାକୁ ନେଇ ଅନେକ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିପଡିଛନ୍ତି । ଯଦି ସାଇସ୍ତା ଦେଶ ବାହାରକୁ ଯାଇଛନ୍ତି ତାହେଲେ କେଉଁ ନାଁରେ ତାଙ୍କର ପାସପୋର୍ଟ ଥିଲା ଏମିତି ଅନେକ କିଛି ।
ଗତ ବର୍ଷ ଉମେଶ ପାଲ ହତ୍ୟା ମାମଲାରେ ଗୁଡୁ ମୁସଲିମ ଏବଂ ତାଙ୍କ ସହଯୋଗୀଙ୍କ ନେଟୱାର୍କ ଏସଟିଏଫ ଏବଂ ୟୁପି ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଉମେଶ ପାଲ ହତ୍ୟା ମାମଲାର ମୁଖ୍ୟ ସୁଟର ଗୁଡୁ ମୁସଲିମ, ଅରମାନ ଏବଂ ଶବୀରଙ୍କୁ ଧରାପକାଇଲେ ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ଗୁଡୁ ମୁସଲିମଙ୍କୁ ଗିରଫ କରିବା ପାଇଁ ୟୁପି ପୋଲିସ ଏବଂ ଏସଟିଏଫ ମୋଟ ୧୪ ଟି ରାଜ୍ୟ ଉପରେ ଚଢାଉ କରିଛନ୍ତି। ଗତ କିଛି ଦିନ ତଳେ ସାଇସ୍ତା ଏବଂ ଗୁଡୁ ମୁସଲିମ ଗିରଫ ହେବାର ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଲିଙ୍ଗରାଜ ମନ୍ଦିର ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ !
ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭିଡିଓ ଭାଇରାଲ ଘଟଣା । ବିବାଦ ପରେ ଆକ୍ସନ ମୋଡକୁ ଆସିଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ । ସଂପୃକ୍ତ ସେବାୟତ ତଥା ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେବ ବୋଲି କହିଛନ୍ତି ମନ୍ଦିର ପରିଚାଳନା ନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ ଜାରି ହେବ । ଉତ୍ତର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ସେବାୟତ ସୁପରଭାଇଜର ରାଜକିଶୋର ମହାପାତ୍ର ଶିଳ୍ପାଙ୍କ ସହ ଭିଡିଓରେ ରହିଛନ୍ତି । ଟ୍ରଷ୍ଟବୋର୍ଡ ବୈଠକରେ ଏନେଇ ଆଲୋଚନା ହେବ ବୋଲି କହିଛନ୍ତି ମନ୍ଦିର ପରିଚାଳନା ଅଧିକାରୀ ରୂଦ୍ରନାରାୟଣ ମହାନ୍ତି । ଅନ୍ଯପଟେ ଏଣିକି ସିଂହଦ୍ବାର ନିକଟରେ କଡା ଚେକିଂ କରାଯିବ । ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ ଚେକିଂ କଡ଼ାକଡି ହେବ । ସେବାୟତମାନେ ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି । ଗତକାଲି ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ।
ସୋମବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଶିଳ୍ପା ଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲିଙ୍ଗରାଜ ମନ୍ଦିରକୁ ମୋବାଇଲ ବାରଣ କରାଯାଇଥିବା ବେଳେ ବଲିଉଡ ଷ୍ଟାର କିଭଳି ବେଢ଼ା ଭିତରକୁ ମୋବାଇଲ ନେଲେ ଆଉ ଫଟୋ ଉଠାଇଲେ ସେନେଇ ବିବାଦ ଉଠିଛି । ଲିଙ୍ଗରାଜ ମନ୍ଦିର ଭିତରକୁ ଯିବା ବେଳେ ତାଙ୍କର ଯାଞ୍ଚ ହୋଇଥିଲା କି ନାହିଁ ? ନା ସେଲିବ୍ରିଟିଙ୍କ ପାଇଁ ଅଲଗା ନିୟମ ? ଶିଳ୍ପାଙ୍କ ସହ ସେବାୟତ ରହି ଫଟୋ ଉଠାଇବାକୁ କିଏ ପ୍ରଶ୍ରୟ ଦେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲିଙ୍ଗରାଜ ମନ୍ଦିରରେ ବାରମ୍ବାର ଏଭଳି ଆଇନର ଉଲ୍ଲଙ୍ଘନ ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହେଉଛି।
ଧନପ୍ରାପ୍ତି ପାଇଁ ମା’ ଲକ୍ଷ୍ମୀଙ୍କର ଏହି ୮ଟି ରୂପକୁ କରନ୍ତୁ ପୂଜା, ରହିବନି ଅର୍ଥର ଅଭାବ
ନନ୍ଦିଘୋଷ ବ୍ୟୁରୋ: ଦୀପାବଳି ଦିନ ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂରା ରୀତିନୀତି ସହିତ ପୂଜା କଲେ ମାତା ଦେବୀ ପ୍ରସନ୍ନ ହୁଅନ୍ତି ଏବଂ ସୁଖ ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତି । ଶାସ୍ତ୍ରରେ ଦେବୀ ଲକ୍ଷ୍ମୀଙ୍କୁ ଆଠ ପ୍ରକାରର ବର୍ଣ୍ଣନା କରାଯାଇଛି । ଦେବୀ ଲକ୍ଷ୍ମୀଙ୍କର ଏହି ଆଠଟି ରୂପକୁ ପୂଜା କଲେ ଆଠ ପ୍ରକାରର ଫଳ ପ୍ରାପ୍ତି ହୁଏ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଦେବୀ ଲକ୍ଷ୍ମୀଙ୍କ ଏହି ରୂପକୁ ପୂଜା କଲେ ଶୀଘ୍ର ଶୁଭଫଳ ମିଳିଥାଏ ।
ଆଦି ଲକ୍ଷ୍ମୀ :
ଦେବୀ ଲକ୍ଷ୍ମୀଙ୍କ ପ୍ରଥମ ରୂପ ହେଉଛି ଆଦି ଲକ୍ଷ୍ମୀ । ତାଙ୍କୁ ମହୁଲା ଲକ୍ଷ୍ମୀ, ମହାଲକ୍ଷ୍ମୀ ମଧ୍ୟ କୁହାଯାଏ । ଶ୍ରୀମଦ୍ ଭାଗବତ ପୁରାଣ ଅନୁଯାୟୀ ଆଦି ଲକ୍ଷ୍ମୀ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ। ଯେଉଁଥିରୁ ତ୍ରିନାଥ ଏବଂ ମହାକାଳୀ, ଲକ୍ଷ୍ମୀ ଏବଂ ମହା ସରସ୍ୱତୀ ଆର୍ବିଭାବ ହେଇଥିଲେ । ବିଶ୍ୱାସ କରାଯାଏ ଯେ ଦେବୀ ଲକ୍ଷ୍ମୀଙ୍କ ଏହି ରୂପକୁ ପୂଜା କରି ଜୀବନ ତାଙ୍କଠାରୁ ଉତ୍ପନ୍ନ ହୋଇଛି। ତାଙ୍କର ଭକ୍ତମାନେ ଭ୍ରମରୁ ମୁକ୍ତ ହୋଇ ପରିତ୍ରାଣ ପ୍ରାପ୍ତ କରନ୍ତି । ସେମାନଙ୍କୁ ସୁଖ ଏବଂ ଧନ ପ୍ରାପ୍ତ ହୁଏ ।
ଧନ ଲକ୍ଷ୍ମୀ :
ଦେବୀ ଲକ୍ଷ୍ମୀଙ୍କ ଦ୍ୱିତୀୟ ରୂପକୁ ଧନ ଲକ୍ଷ୍ମୀ କୁହାଯାଏ। ସେ ଗୋଟିଏ ହାତରେ ଟଙ୍କା ଭର୍ତ୍ତି ହାଣ୍ଡି ଏବଂ ଅନ୍ୟ ହାତରେ ଫୁଲ ଧରିଛନ୍ତି । ବିଶ୍ୱାସ କରାଯାଏ ଯେ ଦେବୀ ଲକ୍ଷ୍ମୀଙ୍କର ଏହି ରୂପକୁ ପୂଜା କରିବା ଦ୍ୱାରା ମନୁଷ୍ୟର ଜୀବନରୁ ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଋଣରୁ ମୁକ୍ତି ମିଳିଥାଏ । ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁଙ୍କୁ କୁବେର ଦେବଙ୍କ ଋଣରୁ ମୁକ୍ତ କରିବା ପାଇଁ ମାତା ଦେବୀ ଏହି ରୂପ ନେଇଥିଲେ ।
ଧାନ୍ୟ ଲକ୍ଷ୍ମୀ:
ଦେବୀ ଲକ୍ଷ୍ମୀଙ୍କ ତୃତୀୟ ରୂପ ହେଉଛି ଧାନ୍ୟଲକ୍ଷ୍ମୀ ଯାହାର ଅର୍ଥ ଖାଦ୍ୟ ସମ୍ପଦ। ସେ ମଧ୍ୟ ମାତା ଅନ୍ନପୂର୍ଣ୍ଣାଙ୍କର ରୂପ ବୋଲି ବିବେଚନା କରାଯାଏ । ଏହି ଦେବୀ ପ୍ରତ୍ୟେକ ଘରେ ବାସ କରନ୍ତି । ବିଶ୍ୱାସ କରାଯାଏ ଯେ ଯେଉଁ ଘରେ ଖାଦ୍ୟକୁ ସମ୍ମାନ ଦିଆଯାଏ ଖାଦ୍ୟର ଅପଚୟ ହୁଏ ନାହିଁ ଧାନ୍ୟ ଲକ୍ଷ୍ମୀ ତାଙ୍କ ଉପରେ ସନ୍ତୁଷ୍ଟ ଏବଂ ତାଙ୍କ ଘରେ ରୁହନ୍ତି ।
ଗଜଲକ୍ଷ୍ମୀ:
ଗଜଲକ୍ଷ୍ମୀ ହେଉଛନ୍ତି ଦେବୀ ଲକ୍ଷ୍ମୀଙ୍କ ଚତୁର୍ଥ ରୂପ। ଏହି ରୂପରେ, ମା ଗଜ ଅର୍ଥାତ୍ ହାତୀ ଉପରେ ଏକ ଫୁଲ ଉପରେ ବସିଛନ୍ତି । ମା ଗଜ ଲକ୍ଷ୍ମୀଙ୍କୁ କୃଷି ଏବଂ ଉର୍ବରତାର ଦେବୀ ଭାବରେ ପୂଜା କରାଯାଏ | ବିଶ୍ୱାସ କରାଯାଏ ଯେ ଦେବୀ ଲକ୍ଷ୍ମୀଙ୍କ ଏହି ରୂପକୁ ପୂଜା କରି ଜଣେ ବ୍ୟକ୍ତି ସନ୍ତାନ ପ୍ରାପ୍ତିର ସୁଖ ପାଇଥାଏ। ତାଙ୍କୁ ରାଜଲକ୍ଷ୍ମୀ ମଧ୍ୟ କୁହାଯାଏ କାରଣ ସେ ହେଉଛନ୍ତି ଦେବୀ ଯିଏ କି ରାଜ୍ୟ ଉପରେ ସମୃଦ୍ଧତା ପ୍ରଦାନ କରନ୍ତି ।
ସନ୍ତାନ ଲକ୍ଷ୍ମୀ:
ମାତା ଲକ୍ଷ୍ମୀଙ୍କ ପଞ୍ଚମ ରୂପ ହେଉଛି ସନ୍ତାନ ଲକ୍ଷ୍ମୀ । ସେ ସ୍କନ୍ଦାମାତାଙ୍କର ରୂପ ସହିତ ସମାନ । ତାଙ୍କର ଚାରି ହାତ ଅଛି ଏବଂ କୁମାର ସ୍କନ୍ଦା କୋଳରେ ଶିଶୁ ରୂପରେ ବସିଛନ୍ତି । ବିଶ୍ୱାସ କରାଯାଏ ଯେ ଦେବୀ ଲକ୍ଷ୍ମୀଙ୍କର ଏହି ରୂପକୁ ପୂଜା କଲେ ଭକ୍ତମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ।
ବୀର ଲକ୍ଷ୍ମୀ:
ଦେବୀ ଲକ୍ଷ୍ମୀଙ୍କ ଏହି ରୂପ ଭକ୍ତମାନଙ୍କୁ ସାହସ, ବଳ ଏବଂ ସାହସ ଦେଇଥାଏ । ତାଙ୍କର ଆଠଟି ବାହୁ ଅଛି ଯେଉଁଥିରେ ଦେବୀ ବିଭିନ୍ନ ଅସ୍ତ୍ର ଧରିଛନ୍ତି। ମାତା ବୀର ଲକ୍ଷ୍ମୀ ଭକ୍ତମାନଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରନ୍ତି। ଏହା ଯୁଦ୍ଧରେ ବିଜୟ ଆଣିଥାଏ ।
ବିଜୟ ଲକ୍ଷ୍ମୀ:
ଦେବୀ ଲକ୍ଷ୍ମୀଙ୍କ ଏହି ରୂପ ହେଉଛି ବିଜୟ ଲକ୍ଷ୍ମୀ, ସେ ଜୟ ଲକ୍ଷ୍ମୀ ଭାବରେ ମଧ୍ୟ ଜଣାଶୁଣା । ମାତା ଦେବୀଙ୍କର ଏହି ରୂପକୁ ପୂଜା କରି ଭକ୍ତମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଜୟ ହାସଲ କରନ୍ତି । ଜୟ ଲକ୍ଷ୍ମୀ ମା ଖ୍ୟାତି, ଗୌରବ ଏବଂ ସମ୍ମାନ ପ୍ରଦାନ କରନ୍ତି । ବିଜୟ ଲକ୍ଷ୍ମୀ ପ୍ରତ୍ୟେକ ସମସ୍ୟାରେ ବିଜୟ ପ୍ରଦାନ କରନ୍ତି ଏବଂ ନିର୍ଭୀକତା ପ୍ରଦାନ କରନ୍ତି ।
ବିଦ୍ୟା ଲକ୍ଷ୍ମୀ:
ବିଦ୍ୟା ଲକ୍ଷ୍ମୀ ହେଉଛନ୍ତି ଦେବୀ ଲକ୍ଷ୍ମୀଙ୍କ ଅଷ୍ଟମ ରୂପ। ଦେବୀ ଲକ୍ଷ୍ମୀଙ୍କ ଏହି ରୂପ ଜ୍ଞାନ, କଳା ଏବଂକୌଶଳ ପ୍ରଦାନ କରେ। ଏହି ରୂପକୁ ପୂଜା କରିବା ଦ୍ବାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିଥାଏ ଏବଂ ଭବିଷ୍ୟତ ଉଜ୍ଜ୍ବଳ ଯୋଇଥାଏ ବୋଲି ବିଶ୍ୱାସ କରାଯାଏ।
ବନ୍ଧା ହେଲା ସଲମାନ ଏବଂ ଜିଶାନ ସିଦ୍ଦିକିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି
ନନ୍ଦିଘୋଷ ବ୍ୟୁରୋ: ମହଙ୍ଗା ପଡିଲା ଭାଇଜାନ ଏବଂ ଜିଶାନ ସିଦ୍ଦିକଙ୍କୁ ହତ୍ୟା ଧମକ ଦେବା । ବଲିଉଡ ଅଭିନେତା ସଲମାନ ଖାନ ଏବଂ ଜିଶାନ ସିଦ୍ଦିକିଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତର ନାମ ହେଉଛି ଗୁରଫାନ ଖାନ୍ । ଯାହାର ବୟସ ୨୦ବର୍ଷ ବୋଲି କୁହାଯାଉଛି। ଗତ ଶୁକ୍ରବାର ଦିନ ଅଭିଯୁକ୍ତ ଜଣକ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟରେ ସଲମାନ ଖାନ ଏବଂ ଜିଶାନଙ୍କୁ ଫୋନ ମାଧ୍ୟମରେ ପଇସା ମାଗିବା ସହ ହତ୍ୟା ଧମକ ଦେଇଥିଲା । ଏହାପରେ ମୁମ୍ବାଇ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା।
ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଗୁରଫାନ୍ ଖାନଙ୍କୁ ରବିବାର ସକାଳେ ଗିରଫ କରାଯାଇଛି । କ୍ରାଇମ ବ୍ରାଞ୍ଚ ଟିମ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟକୁ ଫୋନ କରି ଟଙ୍କା ମାଗିଥିଲେ। ଏଥିସହିତ ସେ ଟଙ୍କା ନଦେଲେ ଜିଶାନ ଏବଂ ସଲମାନ ଖାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ନୋଏଡାର ସେକ୍ଟର ୩୯ରେ ଗୁରଫାନ ଖାନ ଲୁଚି ଥିବାର ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ।
ଅଭିଯୋଗନୁଯାୟୀ ପୋଲିସକୁ ପ୍ରାଥମିକ ଅନୁସନ୍ଧାନରେ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା । ଅଭିଯୁକ୍ତର କୌଣସି ଗ୍ୟାଙ୍ଗ ସହିତ ସମ୍ପର୍କ ସାମ୍ନାକୁ ଆସିନଥିଲା। ତେବେ ଏହା ପୂର୍ବରୁ ଲରେନ୍ସ ବିଷ୍ଣୋଇଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଇଥିବା ସନ୍ଦେହ କରାଯାଉଥିଲା । ତେବେ ଜିଶାନ ସିଦ୍ଦିକିଙ୍କ ବାପା ସିଦ୍ଦିକିଙ୍କୁ ୧୨ ଅକ୍ଟୋବରରେ ଗୁଳି କରି ହତ୍ୟା କରାଯାଇଥିଲା। ଅପରାଧୀମାନେ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଅପରାଧ କରିଥିଲେ।

