spot_img
Home Blog Page 1458

ଗୁଣି ଗାରେଡି ସନ୍ଦେହ: ହାତରେ ଠେଙ୍ଗା ଧରି ରାତି ଅନିଦ୍ରା ହୋଇ ଗାଁ ଜଗୁଛନ୍ତି ଲୋକେ

ପାରାଦୀପ: ଗୁଣିଗାରେଡି ସନ୍ଦେହ । ସାରା ରାତି ଉଜାଗର ରହି ଗାଁ ଜଗୁଛନ୍ତି ଲୋକେ । ନବରାତ୍ର ପୂଜା ଚାଲୁଥିବାରୁ ଏହା ଗୁଣି ଗାରେଡି୍ ନା ଅନ୍ୟ କିଛି ତାକୁ ନେଇ ଆତଙ୍କିତ ଲୋକେ । ରାସ୍ତାରେ ପଡ଼ିଛି କଣ୍ଟା ମରା ହୋଇଥିବା ଲେମ୍ବୁ, ପଣା ଘଡି, ରକ୍ତ ଛିଟା, ସିନ୍ଦୁର, ଫୁଲ ଓ ଜଳୁ ଥିବା ଦୀପ । ରାତି ହେଲେ ଠେଙ୍ଗା ଧରି ଜଗୁଛନ୍ତି ଯୁବକ, ବୃଦ୍ଧ ଓ ସ୍ତ୍ରୀ ଲୋକ । ବିଜ୍ଞାନ ଯୁଗରେ ବି କୁଜଙ୍ଗ ବ୍ଲକ ବଡଙ୍ଗ-ପାରିଅଙ୍ଗ ଗ୍ରାମରେ ଘଟୁଥିବା ଏହି ଘଟଣା ଏବେ ଚର୍ଚ୍ଚାରେ ।

ରାତିରେ ବାହାରୁଛି କିଏ ? ଭୂତପ୍ରେତ ନା ତାନ୍ତ୍ରିକ ? ଅଣ୍ଟା ତଳକୁ ଧଳା ଲୁଗା, ଅଣ୍ଟା ଉପରକୁ ଦେଖାଯାଉନି କିଛି । ପାଖକୁ ଗଲେ ଉଭେଇ ଯାଉଛି, ଗୋଡାଇଲେ କୁଆଡେ ପଳାଉଛି ଜଣାପଡୁନି । ହଠାତ୍ ଲିଭି ଯାଉଛି ରାସ୍ତାର ଲାଇଟ, କିଛି ସମୟରେ ସେହି ରାସ୍ତା ଉପରେ କୋଠି ଅଙ୍କାଯାଇ ନାଲି ଫୁଲ, ପଣା ହାଣ୍ଡି, ରକ୍ତ ଛିଟା, କଣ୍ଟା ମରା ଯାଇଥିବା ଲେମ୍ବୁ ପଡିଥିବା ଦେଖୁଛନ୍ତି ଲୋକେ । ଏହି ଘଟଣାକୁ ନେଇ ଏବେ କୁଜଙ୍ଗ ବ୍ଲକର ବଡଙ୍ଗ-ପାରିଅଙ୍ଗ ଗାଁ ଲୋକଙ୍କ ମଧ୍ୟରେ କୋକୁଆ ଭୟ । ରାତି ୧୧ ଟାରୁ ରାତି ୩ଟା ଭିତରେ ଘଟୁଛି ଘଟଣା । ଯାହାକୁ ନେଇ ଭୟଭୀତ ଗ୍ରାମବାସୀ ରାତିରେ ଠେଙ୍ଗା ବାଡି ଧରି ପହରା ଦେଉଛନ୍ତି । ବାଡୁଅ ପୁଅ ଓ ଝିଅମାନଙ୍କୁ ବେଳ ବୁଡିବା ଆଗରୁ ଘରେ ପୂରାଇ ରଖୁଥିବା ବେଳେ ଗ୍ରାମର କିଛି ଯୁବତୀଙ୍କୁ ନିଜର ବନ୍ଧୁ ବାନ୍ଧବ ଘରକୁ ପଠାଇ ଦେଇଛନ୍ତି ପରିବାର ଲୋକେ ।

ବଡଙ୍ଗ-ପାରିଅଙ୍ଗ ଗାଁର ଶ୍ମଶାନ, ରାସ୍ତା ଉପରେ ଏଭଳି ଘଟଣା ଘଟୁଥିବା ଗ୍ରାମବାସୀ ପ୍ରକାଶ କରିଥିବା ବେଳେ ଏବେ ମାଆଙ୍କ ପାର୍ବଣ ପକ୍ଷ ଚାଲିଥିବାରୁ ଏହା କୌଣସି ତାନ୍ତ୍ରିକର ତନ୍ତ୍ର ପରୀକ୍ଷା ବୋଲି ଲୋକେ ବିଶ୍ଵାସ କରୁଛନ୍ତି । ପୂର୍ବରୁ ମଧ୍ଯ ଏଭଳି ଘଟଣା ପାଖ ଗାଁରେ ଘଟିଥିବାରୁ ଲୋକମାନେ ଅଧିକ ଆତଙ୍କିତ ହୋଇ ପଡିଛନ୍ତି । ଏପରିକି ଏବେ ଗାଁର କିଛି ଯୁବତୀଙ୍କୁ ଜ୍ବର ହେଉଥିଲେ ମଧ୍ଯ ଡାକ୍ତରଖାନାରେ ପରୀକ୍ଷାରୁ କିଛି ବାହାରୁ ନଥିବା ଓ ବେଳେ ବେଳେ ସେମାନେ ଅସ୍ବାଭାବିକ ଆଚରଣ sରୁଥିବା ଗ୍ରାମବାସୀ କହିଛନ୍ତି ।

ଆଜିର ବିଜ୍ଞାନ ଯୁଗରେ ଭୂତ, ପ୍ରେତ ଓ ଗୁଣି ଗାରେଡ଼ିକୁ କେହି ବିଶ୍ବାସ କରନ୍ତି ନାହିଁ । କିନ୍ତୁ କୁଜଙ୍ଗ ବ୍ଲକର ବଢଙ୍ଗ-ପାରିଅଙ୍ଗ ଗାଁର ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ହେଲେ ଏମିତି ଘଟଣାକୁ ନେଇ ଏପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି ।

ଅବିଭକ୍ତ କୋରାପୁଟ: ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ସ୍କୁଲରେ କାମ କରିବାକୁ କରାଯାଉଛି ବାରଣ

ନବରଙ୍ଗପୁର: ଜିଲ୍ଲା ଭିତ୍ତିକ ନିଯୁକ୍ତିକୁ ନେଇ ନବରଙ୍ଗପୁର ଜିଲ୍ଲାରେ ତେଜୁଛି ଅସନ୍ତୋଷ । ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାର୍ଥୀ ବ୍ୟତୀତ ଅନ୍ୟ ଜିଲ୍ଲାର ନିଯୁକ୍ତ ପ୍ରାର୍ଥୀଙ୍କୁ ସ୍କୁଲ ଭିତରେ କାର୍ଯ୍ୟରେ ଯୋଗଦେବାକୁ ବାରଣ କରୁଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ସ୍କୁଲ କମିଟି । ଅନ୍ୟପକ୍ଷରେ କନିଷ୍ଠ ଶିକ୍ଷକ ଏବଂ ତୃତୀୟ ଶ୍ରେଣୀ ପଦବୀ ପାଇଁ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି କରି ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଧାରଣା ଦେଇଛନ୍ତି । ଯେତେ ଦିନ ଯାଏଁ ଜିଲ୍ଲା ଭିତ୍ତିକ ଦାବି ପୂରଣ ନହୋଇଛି ସେତେ ଦିନ ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି ।

ଖୋଦ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଅବ୍ୟବସ୍ଥା ଦେଖାଦେଇଥିବା ଓ ଦାବିକୁ ଗୁରୁତ୍ୱ ନଦେଇ ଅଣଦେଖା କରାଯାଉଥିବାରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ । ପୂର୍ବରୁ ଜିଲ୍ଲା ଭିତ୍ତିକ ନିଯୁକ୍ତିକୁ ନେଇ ଏଗ୍ରିମେଣ୍ଟ କରିବାକୁ ଆସୁଥିବା ପ୍ରାର୍ଥୀଙ୍କୁ ତଡି ଦେଇଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ କରିବା ସହ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତୁରନ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

କୋଇଲା ଖଣିରେ ବିସ୍ଫୋରଣ, ୬ ଶ୍ରମିକ ମୃତ

କୋଲକାତା: ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ଖଏରାସୋଲ ଅଞ୍ଚଳରେ ଥିବା କୋଇଲା ଖଣିରେ ବିସ୍ଫୋରଣ । ଘଟଣାରେ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଚନ୍ତି । ଲୋକପୁର ଥାନା ଅନ୍ତର୍ଗତ ଭାଦୁଲିଆ ପଞ୍ଚାୟତ ଅଧୀନରେ ଗଙ୍ଗାରାମ୍ ଚକ୍ ମାଇନିଂ କୋଇଲା ଖଣିରେ ଘଟିଛି ବିସ୍ଫୋରଣ ।

ଶ୍ରମିକମାନେ କାମ କରୁଥିବା ବେଳେ କୋଇଲା ଖଣିରେ ବ୍ୟବହୃତ ବୋମା ବିସ୍ଫୋରଣ ଘଟିଥିଲା । ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ତେବେ କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା, ତାହାର ତଦନ୍ତ ଆରମ୍ଭ ହୋଇଛି ।

ମେଡିସିନରେ ଭିକ୍ଟର ଆମବ୍ରୋସ୍ ଏବଂ ଗ୍ୟାରି ରୁଭକୁନଙ୍କୁ ନୋବେଲ

ନୂଆଦିଲ୍ଲୀ: ମେଡିସିନ ପାଇଁ ଘୋଷଣା ହୋଇଛି ୨୦୨୪ ନୋବେଲ ପୁରସ୍କାର । ଆମେରିକାର ଦୁଇ ବୈଜ୍ଞାନିକ ଭିକ୍ଟର ଆମବ୍ରୋସ୍ ଏବଂ ଗ୍ୟାରି ରୁଭକୁନ୍ ମେଡିସିନ ପାଇଁ ପାଇବେ ନୋବେଲ ପୁରସ୍କାର । ମାଇକ୍ରୋ  RNA ଆବିଷ୍କାର ଓ ଜିନ୍ ନିୟନ୍ତ୍ରଣରେ ଏହାର ଭୂମିକା ନେଇ ଗବେଷଣା କରିଥିଲେ ଏମାନେ । ଏଥିପାଇଁ ଉଭୟଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରିବାକୁ ମନୋନୀତ କରାଯାଇଛି ।

mRNA ର ଆବିଷ୍କାର ପରେ ମଣିଷ ସମେତ ପ୍ରାଣୀ ଜଗତର ଏକ ନୂଆ ଦିଶା ମିଳିଛି । ମାନବ ଜିନୋମରେ ହଜାରେ ଅଧିକ ମାଇକ୍ରୋ ଆରଏନଏ ରହିଥାଏ । ଜିନୋମର ବିକାଶ ଓ କାମ ପାଇଁ ଏହି ମାଇକ୍ରୋ ଆରଏନଏର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ପ୍ରାଣୀମାନଙ୍କ କୋଷିକାକୁ ଜିନ୍ ନିୟନ୍ତ୍ରଣ କରିବାରେ mRNAର ଭୂମିକା ନେଇ ଦୁଇ ବୈଜ୍ଞାନିକ ଭିକ୍ଟର ଓ ଗ୍ୟାରି ଗବେଷଣା କରିଥିଲେ । ସେମାନଙ୍କର ଆବିଷ୍କାର ଚିକିତ୍ସା ବିଜ୍ଞାନରେ ନୂଆ ଧାରା ସୃଷ୍ଟି କରିବ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି ।

ସୁଇଡେନର ବିଶିଷ୍ଟ ବୈଜ୍ଞାନିକ ଆଲଫ୍ରେଡ୍ ନୋବେଲଙ୍କ ନାଁରେ ୧୯୦୧ ମସିହାରୁ ନୋବେଲ ପୁରସ୍କାର ଦିଆଯାଉଛି । ଡାଇନାମାଇଟ୍ ଆବିଷ୍କାର ପାଇଁ ପ୍ରସିଦ୍ଧ ନୋବେଲ । ସେ ହେଉଛନ୍ତି ନୋବେଲ ପୁରସ୍କାରର ପ୍ରତିଷ୍ଠାତା । ପ୍ରତିବର୍ଷ ଡିସେମ୍ଵର ୧୦ ତାରିଖରେ ନୋବେଲ ପୁରସ୍କାର ପ୍ରଦାନ କରାଯାଏ ।

ରାଜ୍ୟରେ ବିକ୍ରି ହେଉଛି ଚାକିରି ! ମୋହନ ସରକାର ବିରୋଧରେ ଆଶାୟୀଙ୍କ ଗର୍ଜନ, ଟଙ୍କା ଉଡ଼ାଇ କଲେ ପ୍ରତିବାଦ

ଭୁବନେଶ୍ବର: ସରକାରୀ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ରକୁ ନେଇ ପ୍ରଶ୍ନବାଚୀ । ବିଭିନ୍ନ ସ୍ଥାନରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ସାରା ରାଜ୍ଯରୁ ଆସୁଛି ମାଳମାଳ ଅଭିଯୋଗ । କେଉଁଠି ସାଇବର କାଫେରେ ପରୀକ୍ଷା କରାଯାଇ କମ୍ପ୍ଯୁଟର ହ୍ଯାକ୍ କରାଯାଉଛି ତ ଆଉ କେଉଁଠି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ପରୀକ୍ଷାରେ ଅନିୟମିତତା ବିରୋଧରେ ରାଜଧାନୀ ଭୁବନେଶ୍ବରରେ ଗର୍ଜିଛନ୍ତି ପରୀକ୍ଷାର୍ଥୀ ।

ହଜାର ହଜାର ଆଶାୟୀ ଏକତ୍ରିତ ହୋଇ ଲୋୟର ପିଏମଜିରେ କରିଛନ୍ତି ବିକ୍ଷୋଭ । ଟଙ୍କା ଉଡ଼ାଇ ଅଭିନବ ଉପାୟରେ ସରକାରଙ୍କ ବିରୋଧରେ କରିଛନ୍ତି ପ୍ରତିବାଦ । ଆଉ ରାଜ୍ୟରେ ଚାକିରି ବିକ୍ରି ହେଉଥିବା ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।

ଗୋଟିଏ ପରେ ଗୋଟିଏ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେବା ଏହାକୁ ପ୍ରମାଣିତ କରୁଛି । ପରୀକ୍ଷାରେ କୌଣସି ସ୍ବଚ୍ଛତା ରଖାଯାଇନାହିଁ। ଏଣୁ ଅଫଲାଇନରେ ପୁନଃ ପରୀକ୍ଷା ସହ ବିଭ୍ରାଟକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଦାବି କରି ଧାରଣାରତ ଆଶାର୍ୀ ପରୀକ୍ଷାର୍ଥୀ । ନାରାବାଜି କରି କହିଛନ୍ତି, ଯଦି ସରକାରଙ୍କ ପାଖରେ ଅଫଲାଇନ ପାଇଁ ପରୀକ୍ଷା କେନ୍ଦ୍ର କରି ପରୀକ୍ଷା କରାଇବାକୁ ସମ୍ବଳ ନାହିଁ ଆମେ ଟଙ୍କା ଦେଉଛୁ ପରୀକ୍ଷା କରାଅ କହି ହଙ୍ଗାମା କରିଛନ୍ତି ।

ଆନ୍ଦୋଳନକାରୀ ମୁଖ୍ଯମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି ।

କାହିଁକି ବନ୍ଦ ହେଲା ଲୋକପ୍ରିୟ ଟିଭି ଶୋ’ CID ?

ମୁମ୍ବାଇ: ‘ସିଆଇଡି’ ଟିଭିର ସବୁଠାରୁ ଲୋକପ୍ରିୟ ଶୋ’ । ଆଜି ବି ମଧ୍ୟ ଲୋକମାନେ ଏହି ଶୋ’କୁ ମନେପକାଇବା ସହ ପୁରୁଣା ଏପିସୋଡକୁ ରିପିଟ୍ ଦେଖିଥାନ୍ତି । ଏହି ଶୋ’ର ପ୍ରତ୍ୟେକଟି ଚରିତ୍ରକୁ ଲୋକମାନେ ବେଶ୍ ପସନ୍ଦ କରିଛନ୍ତି । ସୋନି ଟିଭିରେ ପ୍ରସାରିତ ହେଉଥିବା କ୍ରାଇମ ଶୋ’ ‘ସିଆଇଡି’ ସବୁବେଳେ ଟିଆରପିରେ ନମ୍ୱର ୱାନ୍ ରହୁଥିବା ବେଳେ କାହିଁକି ବନ୍ଦ ହୋଇଗଲା ଏହି ଲୋକପ୍ରିୟ ଟିଭି ଶୋ’ ? ଚାଲନ୍ତୁ ଜାଣିବା…

ଟିଭିରେ ସବୁଠାରୁ ଲୋକପ୍ରିୟ ଶୋ’ CID। ଏହି ଶୋ’ ୧୯୯୮ ମସିହାରେ ଆରମ୍ଭ ହୋଇଥିଲା । ୨୦ ବର୍ଷ ଧରି ଏହି ଶୋ’ ତା’ର ଟିଆରପିରେ ଏକ ନମ୍ୱର ଥିବା ୨୦୧୮ରେ ଶେଷ ହୋଇଥିଲା । ଶୋ’ର ଅନେକ ସଂଳାପ ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରେ ଛାପ ଛାଡିଛି । CID ର ପ୍ରଶଂସକମାନେ ଏହି ଶୋ’କୁ ପୁନଃବାର ଆରମ୍ଭ କରିବାକୁ ଦାବି କରୁଛନ୍ତି । ଏହି ଶୋ’ରେ ଏସିପି ପ୍ରଦ୍ୟୁମାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଶିବାଜୀ ସତ୍ୟମ୍ ସିଆଇଡି ଶୋ’ ବନ୍ଦ ହେବା ନେଇ ସୂଚନା ଦେଇଛନ୍ତି ।

ଶିବାଜୀ ସତ୍ୟମ୍ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଶୋ’ ନିର୍ମାତା ଏବଂ ସୋନି ଚ୍ୟାନେଲ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ୨୦ ବର୍ଷର ସଫଳତା ସ୍ୱତ୍ତ୍ୱେ ଏହାକୁ ବନ୍ଦ କରିବାକୁ ପଡିଲା । ଉଭୟଙ୍କ ମଧ୍ୟରେ ତର୍କ ବିତର୍କ ଲାଗି ରହିଥିଲା, ଯାହା ସିଆଇଡି ବନ୍ଦ ହେବାର ମୁଖ୍ୟ କାରଣ ।

ଶିବାଜୀ ଆହୁରୀ ମଧ୍ୟ କହିଛନ୍ତି ଯେ, ଶୋ’ ବନ୍ଦ କରିବା ପୂର୍ବରୁ ଶିବାଜୀ ଚ୍ୟାନଲକୁ ପଚାରିଥିଲେ ଯେ, କିହିଁକି ଶୋ’ ବନ୍ଦ କରୁଛନ୍ତି । ସେତେବେଳେ ଶୋ’ର ଟିଆରପିରେ ହ୍ରାସ ଘଟିଥିଲା । ଚ୍ୟାନେଲ୍ ଏହା କହିବା ସହ ଏହାର ଟେଲିକାଷ୍ଟ ସିଡ୍ୟୁଲକୁ ମଧ୍ୟ ବଦାଳାଇ ଦେଇଥିଲା । ଏହି ଶୋ’ ସର୍ବଦା ରାତି ୧୦ ଟାରେ ପ୍ରସାରିତ ହେଉଥିଲା । କିନ୍ତୁ ଏହାର ଟେଲିକାଷ୍ଟ ସମୟ ବଦଳାଇ ରାତି ସାଢେ ୧୦ଟା କିମ୍ବା ବେଳେ ବେଳେ ରାତି ୧୦ଟା ୪୫ରେ ପ୍ରସାରଣ ଆରମ୍ଭ କରିଥିଲେ । ଏହି କାରଣରୁ ଲୋକମାନେ ଦେଖିବା କମ୍ କରିଦେଲେ । ଏହାପରେ ଚ୍ୟାନେଲ ଏବଂ ମେର୍କସଙ୍କ ମଧ୍ୟରେ ବିବାଦ ବଢିଥିଲା । ଯାହାକୁ ନେଇ ସିଆଇଡି ଶୋ’ ବନ୍ଦ କରିବାକୁ ପଡିଥିଲା ।

ଶିବାଜୀ ସତ୍ୟମଙ୍କ ବ୍ୟତୀତ ଏହି ଶୋ’ରେ ଦୟାନନ୍ଦ ସେଠୀ, ଆଦିତ୍ୟ ଶ୍ରୀବାସ୍ତବ ଏବଂ ଦୀନେଶ ଫଡନିସଙ୍କ ପରି ଅଭିନେତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଆଉ ବିଜେପି ନୁହେଁ, ସମୟ ସରି ସରି ଆସୁଛି: ଅରୁଣ

ଭୁବନେଶ୍ବର: ଆଉ ବିଜେପି ନୁହେଁ, ବିଜେପିର ସମୟ ସରି ସରି ଆସୁଛି । ଯଦି ହରିୟାଣା ଓ ଜାମ୍ମୁ-କାଶ୍ମୀର ନିର୍ବାଚନରେ ବିଜେପି ପରାଜିତ ହୁଏ ଓ କଂଗ୍ରେସ କି ଅନ୍ଯ ଦଳ ଶାସନକୁ ଫେରନ୍ତି ଦେଶକୁ ଏହି ବାର୍ତ୍ତା ଯିବ । ଏମିତି କହି ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ତଥା ବରିଷ୍ଠ ନେତା ଅରୁଣ ସାହୁ ।

ସେ କହିଛନ୍ତି, ଏକଜିଟ ପୋଲରେ କଂଗ୍ରେସ ଆଗୁଆ ଅଛି । ବିଜେପିକୁ ମିଳିଛି ବହୁତ କମ ସିଟ୍ । ୨୦୨୪ ସାଧାରଣ ନିର୍ବାଚନର ଚାରିମାସ ପରେ ହରିଆଣା ଓ ଜାମ୍ମୁ-କାଶ୍ମୀରରେ ନିର୍ବାଚନ ହେଇଛି । ଯେଉଁ ସଂସ୍ଥାଗୁଡ଼ିକ ସର୍ଭେ କରିଛନ୍ତି ତାଙ୍କ ଆକଳନ କହୁଛି, ଜାମ୍ମୁ-କାଶ୍ମୀର ଓ ହରିୟାଣାରେ ବିଜେପିର ପରାଜିତ ହେବ । ସାଧାରଣ ନିର୍ବାଚନରେ ଆମକୁ ବହୁମତ ମିଳିଲା ବୋଲି ବିଜେପି ଯେଉଁ ଭଳି ଡିମଡିମ ପିଟିଲେ ତାହା ବୃଥା ହୋଇଯିବ । ନିର୍ବାଚନ ଫଳାଫଳ ତାଙ୍କ ବିପକ୍ଷରେ ଗଲେ ବିଜେପି ଭାବି ନେବା ଦରକାର ବିକ୍ଷିପ୍ତ ସମର୍ଥନ ଥିଲା । ତାଙ୍କ ଦଳର ନେତା ନୀତିନ ଗଡକରୀ ଆଗୁଆ କହିସାରିଛନ୍ତି ଯେ, ଚତୁର୍ଥ ପାଳି ଆଶା କରିବା ଠିକ୍ ନୁହେଁ କଥା ପ୍ରମାଣିତ ହୋଇଯିବ ।

ସେପଟେ ଓଡ଼ିଶା ପରିପ୍ରେକ୍ଷୀରେ କେବଳ ନବୀନ ପଟ୍ଟନାୟକ ହିଁ ଜନତାଙ୍କ ହୃଦୟରେ ରହିଥିବା କହିଛନ୍ତି ଅରୁଣ । ନବୀନ ହିଁ ଓଡ଼ିଶାର ବିକଳ୍ପ । ସରକାରୀ ଦଳ ନେତା ବି ନବୀନଙ୍କୁ ମୁଖ୍ୟମନ୍ତ୍ରୀ କହି ଦେଉଛନ୍ତି । ଆଜି ଯଦି ନିର୍ବାଚନ ହୁଏ ତେବେ ତାହା ବିଜୁ ଜନତା ଦଳ ସପକ୍ଷରେ ଯିବ ବୋଲି ଅରୁଣ କହିଛନ୍ତି ।

ସେପଟେ କଂଗ୍ରେସ ମଧ୍ୟ ବିଜେପିକୁ ଟାର୍ଗେଟ କରିଛି । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, ଦିଲ୍ଲୀରେ ଥିବା ସରକାର ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ଲୋକେ ବିଜେପିଠାରୁ ମୁହଁ ଫେରାଉଛନ୍ତି । ଲୋକେ ମନ ବଦଳେଇ ସାରିଛନ୍ତି । ରେଜଲ୍ଟ ଭଲ ହେଉ ଅବା ନ ହେଉ କଂଗ୍ରେସ ଫେରିବ ।

ବରାହ ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଖାଇଦେଲା ବଳଦ, ତା’ପରେ…

କେନ୍ଦୁଝର: ଜଙ୍ଗଲରେ ବିଛାଯାଇଥିଲା ବୋମା । ବରାହ ଶିକାର ଥିଲା ଶିକାରୀଙ୍କ ଯୋଜନା । ହେଲେ ଚରୁଥିବା ବେଳେ ବୋମାଟିକୁ ଖାଇ ଦେଲା ଏକ ବଳଦ । ବୋମାଟି ପାଟିରେ ନେବା ପରେ ବିସ୍ଫୋରଣ ହୋଇଥିଲା । ଫଳରେ ବଳଦଟି ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଖୁଣ୍ଟାପଡା କେନ୍ଦୁଆଦରି ମୁଣ୍ଡା ସାହିରେ ।

ଆଜି ସକାଳେ ଖୁଣ୍ଟାପଡା ଗାଁର ରମେଶ ମହାକୁଡ଼ ଗୋରୁ ପଲକୁ ନେଇ ଚରାଇବାକୁ ଯାଇଥିଲେ । ତେବେ ବରାହ ଶିକାର ପାଇଁ ଧାନ କ୍ଷେତ ପାଖରେ ଶିକାରୀ ଏକ ବୋମା ରଖିଥିଲେ । ଯାହାକୁ ଏକ ବଳଦ ଖାଇ ଦେବାରୁ ବୋମାଟି ତା’ ମୁହଁରେ ଫାଟି ଯାଇଥିଲା । ବୋମା ଫାଟିଯିବା ଯୋଗୁଁ ବଳଦର ମୁହଁ କ୍ଷତବିକ୍ଷତ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ବଳଦଟି ପଡିଥିବାରୁ ଚିକିତ୍ସା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ମାଲିକ ରମେଶ ।

କ୍ରିକେଟ ବ୍ୟାଟରେ ନାବାଳକଙ୍କୁ ଆକ୍ରମଣ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ବର: ସଂଘବଦ୍ଧ ଭାବେ ଜଣେ ନାବାଳକଙ୍କୁ କ୍ରିକେଟ ବ୍ୟାଟିରେ ପିଟି ପିଟି ମାରିଦେଲେ । ଘଟଣା ରାଜଧାନୀ ଭୁବନେଶ୍ବରର । ୩ ମାସ ତଳେ ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ପ୍ରକାଶ ୧୭ ବର୍ଷିୟ କୁମାର ସାହୁଙ୍କୁ କ୍ରିକେଟ ବ୍ୟାଟରେ ପିଟି ପିଟି ଏକାଧିକ ଯୁବକ ଗୁରୁତର କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି କୁମାରଙ୍କ ମୃତ୍ୟୁ ଘଟିଛି ।

ଘଟଣାରେ ଖଣ୍ଡଗିରି ଥାନା ପୋଲିସ ହତ୍ୟା ଉଦ୍ୟମ ଦଫାରେ ଏକ ମାମଲା ରୁଜୁ କରିବା ସହ ଗତ ଜୁଲାଇ ୧୦ ତାରିଖରେ ୨ ଜଣଙ୍କୁ ଗିରଫ କରିଥିଲା । ହେଲେ ଏହାରି ଭିତରେ ଅନ୍ୟ ଅଭିଯୁକ୍ତମାନେ ହାଇକୋର୍ଟରୁ ଆଗୁଆ ଜାମିନ ହୋଇ ସାରିଛନ୍ତି ।  ପୋଲିସ ଜାଣିଶୁଣି ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ ନକରି ଆଗୁଆ ଜାମିନରେ ଯିବା ପାଇଁ ସୁଯୋଗ ଦେଇଥିବା ମୃତ ନାବାଳକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ମୃତ୍ୟୁ ପୂର୍ବରୁ ମୃତକର ଶେଷ ଜମାନବନ୍ଦୀ ମଧ୍ୟ ପୋଲିସ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି ।

ନ୍ୟାୟ ପ୍ରଦାନ ଦାବିରେ ଥାନା ଆଗରେ ପରିବାର ଲୋକଙ୍କ ସମେତ ସ୍ଥାନୀୟ ବାସିନ୍ଦା ଧାରଣା ଦେଇଛନ୍ତି । ପୋଲିସ ପରିବାର ଲୋକଙ୍କୁ ବୁଝାଶୁଝା କରିଛି । ମାମଲା ଏବେ ହତ୍ୟା ମାମଲା ଭାବେ ରୁଜୁ ହେବ ବୋଲି ପୋଲିସ କହିଛି । ଯେଉଁମାନେ ଦୋଷୀ ସେମାନଙ୍କୁ ଗିରଫ କରିବା ପାଇଁ କୋର୍ଟଙ୍କ ଅନୁମତି ନିଆଯିବ ବୋଲି ପୋଲିସ କହିଛି ।

ପ୍ରତ୍ୟାହୃତ ହେଲା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଘରୋଇ ବସ୍ ଧର୍ମଘଟ

ଭୁବନେଶ୍ବର: ପ୍ରତ୍ଯାହୃତ ହେଲା ଆଜି ସନ୍ଧ୍ଯାରୁ ହେବାକୁ ଥିବା ବସ ଧର୍ମଘଟ । ଆନ୍ଦୋଳନ ଡାକରାରୁ ଓହରିଲା ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ ମାଲିକ ସଂଘ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂଘ ଆନ୍ଦୋଳନ ଡାକରା ପ୍ରତ୍ଯାହୃତ କରିଛି ।

ସଂଘ ପକ୍ଷରୁ କୁହାଯାଇଛି, ମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଛି । ଟାୟାର ଟୁ ଅର୍ଥାତ ବ୍ଲକରୁ ଜିଲ୍ଲା ମୁଖ୍ଯାଳୟକୁ ଗଡୁଥିବା ବସର ପରିମିଟ ରଦ୍ଦ କରିବା ସହ ଆଗକୁ ନୂଆ ପରିମିଟ ନଦେବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏଣୁ ଆନ୍ଦୋଳନ ପ୍ରତ୍ଯାହାର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ଯମନ୍ତ୍ରୀ ବସ ସେବା ଯୋଜନାରେ ବ୍ଲକ ସ୍ତରରେ ଚଳାଚଳକୁ ବିରୋଧ କରି ସନ୍ଧ୍ଯାରୁ ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ ଡାକରା ଦେଇଥିଲା ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଘରୋଇ ବସ୍ ମାଲିକ ସଂଘ । ୧୩ ଜିଲ୍ଲାର ପ୍ରାୟ ୨୪ଟି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ କରିବେ ବୋଲି ଘୋଷଣା କରିଥିଲେ । ଟାୟାର ଟୁ ବସ ଚଳାଚଳ ଦ୍ବାରା ସେମାନଙ୍କର କ୍ଷତି ହେଉଥିବାରୁ ଏହି ବସ ଚଳାଚଳ ବନ୍ଦ କରିବାକୁ ଦାବି କରିଥିଲେ ।