ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା। ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ କଟକଣାକୁ ବୃଦ୍ଧି କରାଯାଇଛି। ଆଜି ରାତି ୧୨ଟା ଯାଏ ବଢ଼ିଛି କଟକଣା । ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଥିଲେ ଆରଡିସି ଓ ଜିଲ୍ଲାପାଳ। ଶାନ୍ତି ଫେରାଇ ଆଣିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଅନ୍ୟପଟେ ଗାଁରେ ଥିରେ ଧିରେ ଶାନ୍ତି ଫେରୁଛି। ଗତକାଲି ଦୁଇ ଗୋଷ୍ଠୀର ନେତାଙ୍କ ସହ ଆଲୋଚନା କରିଥିଲେ ଉପ- ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଦୁଇ ପକ୍ଷର ବିଭିନ୍ନ ଅଭିଯୋଗ ଓ ଦାବି ଶୁଣି ଅଭିଯୋଗ ଓ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କେଭି ସଂଦେଓ ଆଶ୍ଵାସନା ଦେଇଛନ୍ତି। ଘଟଣାର ଅନୁଧ୍ୟାନ ପାଇଁ ବିଜେଡିର ୭ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାଲକାନଗିରି ଯିବେ। ଏମାନଙ୍କ ମଧ୍ୟରେ ମାନସ ମାଡକାମି, ମନୋହର ରନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝୀ, ରବି ନନ୍ଦ, ଈଶ୍ବର ପାଣିଗ୍ରାହୀ ଓ ଲକ୍ଷ୍ମୀପ୍ରିୟା ନାୟକ ଘଟଣାସ୍ଥଳକୁ ଯାଇ ତଥ୍ୟ ଅନୁସନ୍ଧାନ କରିବେ। ଅପ୍ରୀତିକର ପରିସ୍ଥିତି ଲାଗି ରହିଥିବାରୁ ମାଲ୍ୟବନ୍ତ ମହୋତ୍ସବକୁ ସ୍ଥଗିତ ରଖାଯାଇଛି। ୧୪ରୁ ୧୮ ତାରିଖ ଯାଏ ହେବାର ଥିଲା ମାଲ୍ୟବନ୍ତ ମହୋତ୍ସବ। ଜାନୁଆରୀ ମାସରେ ହୋଇପାରେ ମାଲ୍ୟବନ୍ତ ମହୋତ୍ସବ।
ଆଜି ବସିବ ଛତିଶା ନିଯୋଗ ବୈଠକ: ଅଧ୍ୟକ୍ଷତା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଆଜି ବସିବ ଛତିଶା ନିଯୋଗ ବୈଠକ । ସଂଧ୍ୟା ୫ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଅଧ୍ୟକ୍ଷତାରେ କରିବେ । ଆସନ୍ତା ୧୬ ତାରିଖ ଠାରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟକୁ ବୈଠକରେ ଅନୁମୋଦନ କରାଯିବ। ଜାନୁଆରୀ ୩ ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଓ ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ନେଇ ବୈଠକରେ ଆଲୋଚନା ହେବ। ସେହିପରି ଇଂରାଜୀ ନୂଆବର୍ଷରେ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରାଯିବ । ସେହିପରି ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ସହଜ ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହେବ । ସଭାପତିଙ୍କ ଅନୁମୋଦନ କ୍ରମେ ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ବୈଠକରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ, ଛତିଶା ନିଯୋଗର ସେବାୟତ ପ୍ରତିନିଧି ଉପସ୍ଥିତ ରହିବେ। ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ।
ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ
ଡଲାର ତୁଳନାରେ ଭାରତୀୟ ଟଙ୍କା ତଳିତଳାନ୍ତ। ଆଜି ଲକ୍ଷ୍ମୀଙ୍କ ବାରରେ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ। ଗୋଟିଏ ଡଲାରର ମୂଲ୍ୟ ହୋଇଛି ୯୦ ଟଙ୍କା ୫୨ ପଇସା। ଗୋଟିଏ ପଟେ ଆମେରିକା ସହ ଭାରତ ଟାରିଫ ଚୁକ୍ତିନାମା ନେଇ ଆମେରିକାର କୂଟନୈତିକ ଅଧିକାରୀମାନେ ଦିଲ୍ଲୀରେ ଆଲୋଚନା ଲାଗି ପହଞ୍ଚିଥିବା ବେଳେ ଟଙ୍କା ମୂଲ୍ୟ ହ୍ରାସ ଭାରତୀୟ ଆମଦାନୀ ବଜାରକୁ ପ୍ରଭାବିତ କରିଛି। ତୈଳ ଓ ସୁନା ଆମଦାନୀ ଉପରେ ଭାରତ ସରକାରଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଦିନକୁ ଦିନ ହ୍ରାସ ହେଉଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଉପରେ ଚାପ ବଢିବାକୁ ଲାଗିଛି। କେବଳ ୨୦୨୫ରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୫ ପ୍ରତିଶତ ହ୍ରାସ ପାଇଲାଣି। କେବଳ ଟଙ୍କା ନୁହେଁ ତୁର୍କୀର ଲିରା ଓ ଆର୍ଜେଣ୍ଟିନାର ପେସୋର ବି ଘାଟା ଘଟିଛି। ଏହି ଦୁଇ ରାଷ୍ଟ୍ରରେ ମୁଦ୍ରାର ମୂଲ୍ଯ ୭ ପ୍ରତିଶତ ହ୍ରାସ ପାଇଛି। ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଆମେରିକୀୟ ଟାରିଫ ଏହି ଘାଟାର ପ୍ରମୁଖ କାରଣ ହୋଇଥିବା କୁହାଯାଉଛି।
ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ଭାରତର ସକରାତ୍ମକ କଥାବାର୍ତ୍ତାର ଅଭାବର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ପଡିଥିବା ସୂଚନା ମିଳିଛି। ୨୦୧୧ରେ ଡଲାର ଅନୁପାତରେ ଭାରତୀୟ ମୁଦ୍ରାର ମୂଲ୍ୟ ୫୦ ପ୍ରତିଶତ ବଢିଛି। ଡଲାର ଓ ଭାରତୀୟ ମୁଦ୍ରା ମଧ୍ୟରେ ସମନ୍ବୟ ରକ୍ଷା କରିବା ଲାଗି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଓ ଆରବିଆଇ ଅଧିକାରୀମାନେ ଆଲୋଚନା କରୁଥିବା ସୂଚନା ମିଳିଛି। ଉଭୟ ଆଭ୍ୟନ୍ତରୀଣ ଓ ଅନ୍ତର୍ଜାତୀୟ ବଜାରରେ ଆରବିଆଇର ହସ୍ତକ୍ଷେପ ପରେ ହିଁ ମୁଦ୍ରା ମୂଲ୍ଯ ସ୍ଥିତିରେ ସୁଧାର ଆସିବା କୁହାଯାଉଛି। ମୁଦ୍ରା ମୂଲ୍ୟରେ ସ୍ଥିରତା ଆଣିବା ଲାଗି ସିଙ୍ଗାପୁର, ଦୁବାଇ ଓ ଲଣ୍ଡନରେ କାର୍ଯ୍ୟରତ ବିଭିନ୍ନ ପ୍ରମୁଖ ବ୍ୟାଙ୍କ ସହ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟ ଜରିଆରେ ଆରବିଆଇ ହସ୍ତକ୍ଷେପ କରୁଥିବା ଜଣାଯାଇଛି। ସେପଟେ ଦିଲ୍ଲୀ ବାଣିଜ୍ୟଭବନସ୍ଥିତ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟରେ ପହଞ୍ଚିଛନ୍ତି ଆମେରିକାର ବାଣିଜ୍ୟ ପ୍ରତିନିଧି। ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଲାଗି ଆମେରିକାର ବାଣିଜ୍ୟ ସଂକ୍ରାନ୍ତ ଡେପୁଟୀ ଆମ୍ବାସାଡର ରିକ ସୁଇଜର ଭାରତ ଆସିଛନ୍ତି।

