ନନ୍ଦିଘୋଷ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବିହାର ସିଏମ ନୀତୀଶ କୁମାର। ଆଜି ଶେଷଥର ଲାଗି କ୍ୟାବିନେଟ ବୈଠକରେ ଯୋଗଦେଇଛନ୍ତି ନୀତୀଶ। ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି । ଏହା ସହ ରାଜ୍ୟ ରାଜନୀତି ସହ ଆଜିଠୁ ନୀତୀଶଙ୍କ ପୂର୍ଣ୍ଣଚ୍ଛେଦ ପଡ଼ିବ। ୭୫ ବର୍ଷ ବୟସ୍କ ନୀତୀଶ କୁମାର ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ। କେବଳ ଗୋଟିଏ ଏଜେଣ୍ଡା ନେଇ କ୍ୟାବିନେଟ ବୈଠକ ହୋଇଥିବା ସୂଚନା ମିଳିଛି। ଆସନ୍ତାକାଲି ସମ୍ଭବତଃ ନୂଆ ସରକାର ଗଠନ ହୋଇପାରେ। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ନାମ ସର୍ବାଗ୍ରେ ରହିଛି। ସେଟେ ଜେଡିୟୁରୁ ୨ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ଚାଲିଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ।
ନୋଏଡ଼ାରେ ଶ୍ରମିକଙ୍କ ଲଙ୍କାକାଣ୍ଡ ଘଟଣା। ହିଂସା ପଛରେ ପାକିସ୍ତାନ ଲିଙ୍କ
ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶର ନୋଇଡ଼ାରେ ଏପ୍ରିଲ ୧୩, ୨୦୨୬ ସୋମବାରରେ କାରଖାନା ଶ୍ରମିକଙ୍କ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ହଠାତ୍ ହିଂସାତ୍ମକ ରୂପ ନେଇଥିଲା। ବେତନ ବୃଦ୍ଧି, ସାପ୍ତାହିକ ଛୁଟି, ବୋନସ୍ ଏବଂ ଅନ୍ୟାନ୍ୟ ଦାବି ନେଇ ଶ୍ରମିକମାନେ ପ୍ରତିବାଦ କରୁଥିଲେ । ପରେ ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ ହଠାତ୍ ହିଂସାତ୍ମକ ରୂପ ନେଇଥିଲା । ନୋଏଡ଼ାରେ ଶ୍ରମିକଙ୍କ ହିଂସା ଓ ଲଙ୍କାକାଣ୍ଡ ଘଟଣା ପଛରେ ପାକିସ୍ତାନ ଲିଙ୍କ ଥିବା ନେଇ ଚର୍ଚ୍ଚା। ସେପଟେ ହିଂସା ଘଟଣାରେ ୩୫୦ଜଣଙ୍କୁ ଗିରଫ କରିଛି ପୋଲିସ। ୧୦୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। କିଛି ଜାତୀୟତାବିରୋଧୀ ଶକ୍ତି ହିଂସା ଭିଆଇଛନ୍ତି ବୋଲି କହିଛନ୍ତି ୟୁପିର ଶ୍ରମମନ୍ତ୍ରୀ । ମଜୁରୀ ବୃଦ୍ଧି ଦାବିରେ ହୋଇଥିବା ଆନ୍ଦୋଳନ ନୋଏଡା, ଫେଜ-୨, ସେକ୍ଟର ୬୦, ୬୨, ୮୪ରେ ପରିଲକ୍ଷିତ ହୋଇଥିଲା। ଦିନକୁ ୮ ଘଣ୍ଟିଆ ସିଫ୍ଟ ଓ ମାସକୁ ଅତି କମରେ ୨୦ ହଜାର ଟଙ୍କା ଦରମା ଦାବିରେ ଲଙ୍କାକାଣ୍ଡ କରିଥିଲେ ଶ୍ରମିକ। ଶହ ଶହ ଶ୍ରମିକ ପ୍ରଥମେ ଆନ୍ଦୋଳନ କରିଥିଲେ, ଧାରଣା ଦେଇଥିଲେ। ପରେ ତାହା ହିଂସାତ୍ମକ ରୂପ ନେଇଥିଲା। ପୂରା ଅଞ୍ଚଳ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଖଣ୍ଡଯୁଦ୍ଧ ସହିତ ଟେକା ପଥର ଫିଙ୍ଗିଥିଲେ ଶ୍ରମିକ। ବ୍ୟାପକ ଭଙ୍ଗାରୁଜା କରିବା ସହିତ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ହରିୟାଣା ସରକାର କୁଶଳୀ, ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି କରିଥିଲେ। କିନ୍ତୁ ନୋଏଡ଼ାରେ କାହିଁକି ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି କରାଯିବନି ବୋଲି ପ୍ରଶ୍ନ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଶ୍ରମିକମାନେ।
ଜଳୁଛି ପଶ୍ଚିମ ଏସିଆ, ଯୁଦ୍ଧ ରୋକିବ ରୁଷିଆ ।
ନନ୍ଦିଘୋଷ ବ୍ୟୁରୋ :ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଗକୁ ଆହୁରି ବଢିପାରେ । ପାକିସ୍ତାନରେ ଆମେରିକା ଓ ଇରାନ ଭିତରେ ଶାନ୍ତି ଚୁକ୍ତି ପାଇଁ ପ୍ରୟାସ ବିଫଳ ପରେ ପଶ୍ଚିମ ଏସିଆ ସ୍ଥିତି ଆହୁରି ଗମ୍ଭୀର ହେଉଛି ।ଏପଟେ ପୁରା ବିଶ୍ୱରେ ଶକ୍ତି ସଙ୍କଟ ଲାଗିରହିଛି । ଇରାନ ଓ ଆମେରିକା ପୁଣି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳୁଛି । ହର୍ମୁଜ୍ ପ୍ରଣାଳୀରେ ଥିବା ଇରାନର ସମସ୍ତ ବନ୍ଦରକୁ ଆମେରିକା ଅବରୋଧ କରିବା ଗତକାଲି ଠାରୁ ଆରମ୍ଭ କରିଦେଇଛି । ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ଓ ସମାଧାନ ଲାଗି ଆଗେଇ ଆସିଛି ରୁଷିଆ। ଦିନକୁ ଦିନ ପଶ୍ଚିମ ଏସିଆ ସ୍ଥିତି ବିଗିଡୁଥିବାବେଳେ ଏହାର ସମାଧାନ ଲାଗି ରୁଷିଆ ଆଗ୍ରହ ପ୍ରକାଶ କରିଛି। ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ସହ ଆଲୋଚନା କରିଛନ୍ତି ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭରୋଭ। ହର୍ମୁଜ୍ ପ୍ରଣାଳୀର ସ୍ଵାଧୀନତା ରକ୍ଷା ଲାଗି ଆହ୍ବାନ ଦେଇଛନ୍ତି ଫ୍ରାନ୍ସ, ବ୍ରିଟେନ ଓ ୟୁରୋପୀୟ ୟୁନିଅନ। ସେପଟେ ଚୀନ ଲାଗି ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତଙ୍କ ସହ ଆଜି ଆଲୋଚନା କରିବେ ଟ୍ରମ୍ପ। ଅନ୍ୟପଟେ ଆରବ ସାଗରରେ ରାତ୍ରୀକାଳୀନ ଫ୍ଲାଇଟ ଅପରେସନ କରିଛି ୟୁଏସଏସ ତ୍ରିପୋଲି। ଏହାର ଭିଜୁଆଲ ସେୟାର କରିଛି ଆମେରିକା ସେଣ୍ଟ୍ରାଲ କମାଣ୍ଡ। ଲେବାନନ ଉପରେ ପୁଣି ହମଲା କରିଛି ଇସ୍ରାଏଲ। ହେଜବୁଲ୍ଲା ଆତଙ୍କୀଙ୍କ କବଳରୁ କିଛି ସହରକୁ ମୁକ୍ତ କରିବା ଲାଗି ଦକ୍ଷିଣାଞ୍ଚଳ ଲେବାନନର କିଛି ସହର ଉପରେ ଇସ୍ରାଏଲ ହମଲା କରିଛି । ଏଭଳି ସ୍ଥିତିରେ ଯଦି ଯୁଦ୍ଧକୁ ଶୀଘ୍ର ବନ୍ଦ କରାନଯାଏ ଓ ଶାନ୍ତି ସ୍ଥାପନ କରାନଯାଏ ଏହାର ପ୍ରଭାବ ପୁରା ବିଶ୍ୱ ଉପରେ ପଡିବ ।
ଇରାନରୁ ଆସିଲା ଜାହାଜ । ପାରାଦୀପ ବନ୍ଦରରେ ଲାଗିଛି ଏମ୍ ଟି ଜୟା
ନନ୍ଦିଘୋଷ ବ୍ୟୁରୋ :ମଧ୍ୟପ୍ରାଚ୍ୟରେ ଯୁଦ୍ଧର ସଙ୍କଟ ଭିତରେ ଭାରତ ଓ ଓଡିଶା ପାଇଁ ଆସିଛି ଖୁସି ଖବର । ପୁରା ବିଶ୍ୱରେ ଶକ୍ତି ସଙ୍କଟ ଲାଗି ରହିଛି । ଇରାନ ଓ ଆମେରିକା ପୁଣି ଯୁଦ୍ଧ କରିବା ସ୍ଥିତିରେ ପହଞ୍ଚି ସାରିଲେଣି ।ହର୍ମୁଜ୍ ପ୍ରଣାଳୀକୁ ନେଇ ସଂଗ୍ରାମ ଏବେ ବି ଜାରି ରହିଛି । କିନ୍ତୁ ଏ ସବୁ ଭିତରେ ପାରାଦୀପ ବନ୍ଦରରେ ଲାଗିଛି ବୃହତ ତୈଳବାହୀ ଜାହାଜ ଏମ୍ ଟି ଜୟା । ଇରାନ ଖାର୍ଗ ଦ୍ଵୀପ ରୁ ୨୭୭.୩୨୧ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ଆଣି ଆସିଥିବା ଏହି ଜାହାଜ ପାରାଦୀପ ବନ୍ଦରର ସିଙ୍ଗିଲ ବୋରିଂ ପଏଣ୍ଟରେ ଲାଗିଛି। ଏହି ଅଶୋଧିତ ତୈଳ ପାରାଦୀପ ରିଫାଇନାରୀକୁ ଆସିଥିବା ବେଳେ ଆଜି ଏହାର ଅନଲୋଡିଂ କାର୍ଯ୍ୟ ଆରମ୍ଭ ହୋଇଛି। ପାରାଦୀପ ବନ୍ଦରରେ ଏହି ଜାହାଜ ଲାଗିବା ପରେ ବନ୍ଦର ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି। ଏହା ଭାରତର ଶକ୍ତି ଆମଦାନୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବନ୍ଦର ପକ୍ଷରୁ କୁହାଯାଇଛି। ଜାହାଜ ଏମ୍ ଟି ଜୟା ଲାଗିବାପରେ ଆଶା କରାଯାଉଛି ଆଗକୁ ଆହୁରି ବୃହତ ଜାହାଜ ବନ୍ଦରକୁ ଆସିପାରେ । ଏହା ଦ୍ୱାରା ଆଗାମୀ ଦିନରେ ପାରାଦୀପ ବନ୍ଦରକୁ ବୃହତ ଅଶୋଧିତ ତୈଳ ଜାହାଜ ଆସିବାର ବାଟ ଖୋଲିଛି ।
ପୁଣି ଯାତ୍ରା ଜଗତରୁ ବିବାଦର ଖବର ,ଆଗ ଟଙ୍କା ନେଲା କିନ୍ତୁ ଆସିଲେନି
ନନ୍ଦିଘୋଷ ବ୍ୟୁରୋ : ଆଗ ପଇସା ନେଲେ କିନ୍ତୁ ଯାତ୍ରା କରିବାକୁ ଆସିଲେନି । ପୁଣି ଯାତ୍ରା ଜଗତରୁ ଆସିଲା ଆଉ ଏକ ବିବାଦର ଖବର । ଯାତ୍ରା ପାର୍ଟି ଟ୍ରକ ଆଗରେ ଧାରଣା ଦେଲେ କମିଟି ସଦସ୍ୟ । ଆଡଭାନ୍ସ ନେଲା କିନ୍ତୁ ଯାତ୍ରା କରିବାକୁ ଆସିଲାନି ଯାତ୍ରା ପାର୍ଟି । ଆଡଭାନ୍ସ ଟଙ୍କା ମଧ୍ୟ ଫେରସ୍ତ କଲା ନାହିଁ । ଠକେଇ ଅଭିଯୋଗରେ ଯାତ୍ରା ପାର୍ଟିର ଗାଡ଼ି ଅଟକ ରହିଛି । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧୀନ ଫତେପୁର ଗ୍ରାମରେ ଅଟକି ରହିଛି ଯାତ୍ରା ପାର୍ଟି ଅଶୋକ ସମ୍ରାଟ ଗାଡ଼ି । ଗାଡି ଆଗରେ ଧାରଣାରେ ବସିଛନ୍ତି ଚାନ୍ଦବାଲି ଥାନା ବାସନ୍ତିକ ଦୁର୍ଗାପୂଜା କମିଟିର ସଦସ୍ୟ ମାନେ । ଟଙ୍କା ଫେରସ୍ତ ନପାଇଲେ ଗାଡ଼ି ଛାଡ଼ିବେ ନାହିଁ ବୋଲି ଜିଦରେ ଅଟଳ ସଦସ୍ୟ । ଚାନ୍ଦବାଲି ଥାନା ତେନ୍ତୁଳିଡିହ ଗାଁର ବାସନ୍ତିକ ଦୁର୍ଗା ପୂଜା ଅବସରରେ ଚଳିତ ବର୍ଷ ମାର୍ଚ୍ଚ ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ଯାତ୍ରା ପରିବେଷଣ ହେବାର ଥିଲା । ଯାତ୍ରା ଅଶୋକ ସମ୍ରାଟର ମାଲିକ ୯ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିବା ଅଭିଯୋଗ ହୋଇଛି। କିନ୍ତୁ ଯାତ୍ରା ପରିବେଷଣ କରିବା ପାଇଁ ଆସିନଥିଲେ । କମିଟି ସଦସ୍ୟ ମାନେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । କମିଟି ସଦସ୍ୟ ଜାଣିବାକୁ ପାଇଥିଲେ କି ଧୂଷୁରୀ ଥାନା ଅଧୀନ ଫତେପୁରରେ ଯାତ୍ରା ଅଶୋକ ସମ୍ରାଟ ଯାତ୍ରା ପରିବେଷଣ କରୁଛି । ତୁରନ୍ତ ବାସନ୍ତୀକ ଦୁର୍ଗା କମିଟି ତେନ୍ତୁଳିଡିହର ସଦସ୍ୟ ମାନେ ଫତେପୁରରେ ପହଞ୍ଚିଥିଲେ । ଧୂଷୁରୀ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହିତ ଟ୍ରକ ଆଗରେ ଧାରଣା ଦେଇଛନ୍ତି । ଏ ସମ୍ପର୍କରେ ଯାତ୍ରା ପାର୍ଟି ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ବିସ୍ଥାପିତଙ୍କୁ ସରକାରଙ୍କ ଅଣଦେଖା । ୪ ଦଶନ୍ଧି ହେଲା ଝଞ୍ଜାବତୀ ବିସ୍ଥାପିତଙ୍କୁ ମିଳୁନି ଘରବାରି ପଟ୍ଟା
ନନ୍ଦିଘୋଷ ବ୍ୟୁରୋ : ହନ୍ତସନ୍ତ ହେଉଛନ୍ତି ରାମଚନ୍ଦ୍ରପୁର ଗାଁର ୬୯ଟି ପରିବାର । କେବେ ମିଳିବ ଝଞ୍ଜାବତୀ ବିସ୍ଥାପିତଙ୍କୁ ପଟ୍ଟା ? ଆଦିବାସୀଙ୍କୁ କେବେ ମିଳିବ ସରକାରୀ ସୁବିଧା ସୁଯୋଗ ? ପଟ୍ଟା ପାଇଁ ବାରମ୍ବାର ପ୍ରଶାସନ ନିକଟରେ ନେହୁରା ହେଲେ ମଧ୍ୟ ଫଳ ଶୂନ । ରାୟଗଡା ପୌରପରିଷଦ ୧ ନମ୍ବର ୱାର୍ଡର ରାମଚନ୍ଦ୍ରପୁର ଗାଁ । ଗାଁରେ ପ୍ରାୟ ଶହେ ପରିବାର ବସବାସ କରୁଥିବା ବେଳେ ଲୋକଙ୍କୁ ମିଳୁନି ଘରବାରି ପଟ୍ଟା । ଦୀର୍ଘ ୪ ଦଶନ୍ଧି ତଳେ ଝଞ୍ଜାବତୀ ନଦୀର ବନ୍ୟା ଜଳ ଗାଁରେ ପ୍ରବେଶ କରିଥିଲା । ନଦୀ ଜଳରେ ଲୋକେ ସର୍ବସ୍ଵ ହରାଇଥିଲେ । ପରେ ୬୯ ପରିବାରକୁ ପ୍ରଶାସନ ପକ୍ଷରୁ ସେଠାରୁ ଉଠାଇ ଏହି ସ୍ଥାନରେ ଥଇଥାନ କରାଯାଇଥିଲା । ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଆଦିବାସୀ ସଂପ୍ରଦାୟକୁ ଘରବାରି ପଟ୍ଟା ମିଳୁନି । ଫଳରେ ପିଲାମାନେ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେବା ସହ ଚାଷୀଙ୍କୁ ଋଣ ମିଳୁନାହିଁ । ନିଜସ୍ବ ପଟ୍ଟା ନଥିବା କାରଣରୁ ଲୋକଙ୍କୁ ଆବାସ ଯୋଜନାରେ ମଧ୍ୟ ସାମିଲ କରାଯାଉନଥିବା ଅଭିଯୋଗ ହୋଇଛି ।
୨୦୧୯ ମସିହାରେ ଘଟଣାର ତଦନ୍ତ ପାଇଁ ଉପଖଣ୍ଡ ସ୍ତରୀୟ କମିଟି ଗଠନ କରାଯାଇଥିଲା । କମିଟିର ସଦସ୍ୟ ମାନେ ଗାଁକୁ ଆସି ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ । ହେଲେ ରିପୋର୍ଟ ନାଲି ଫିତା ତଳେ ଚାପି ହୋଇ ରହିଯାଇଛି । ପ୍ରତ୍ୟେକ ବର୍ଷ ଲୋକେ ତହସିଲ ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡୁଥିଲେ ସୁଦ୍ଧା ଲୋକଙ୍କୁ ହକ୍ ମିଳୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ରାୟଗଡା ଉପଜିଲ୍ଲାପାଳ । ଘରବାରି ପଟ୍ଟା ନପାଇ ହନ୍ତସନ୍ତ ହେଉଛନ୍ତି ରାମଚନ୍ଦ୍ରପୁର ଗାଁର ୬୯ଟି ପରିବାର । ପ୍ରଶାସନ ତୁରନ୍ତ ଲୋକଙ୍କୁ ପଟ୍ଟା ପ୍ରଦାନ ନକଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ନନ୍ଦିଘୋଷ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା ପାଟଲା ଗାଁରେ ଦଣ୍ଡନାଚ ପ୍ରସ୍ତୁତି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪ ଜଣ ଦଣ୍ଡୁଆଙ୍କ ପ୍ରାଣହାନୀ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ରଜଧାନୀର ପ୍ରତିଷ୍ଠା ଦିବସରେ ପୁଣି ଉଠିଲା ମେଟ୍ରୋ ପ୍ରସଙ୍ଗ
ନନ୍ଦିଘୋଷ ବ୍ୟୁରୋ : ରାଜଧାନୀରେ ଦିନକୁ ଦିନ ଜନସଂଖ୍ୟା ବଢୁଛି । ଟ୍ରାଫିକ ସମସ୍ୟା ସମୟ ସମୟରେ ରାଜଧାନୀ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟୁଛି । ଏହା ସହ ସହରର ପରିସୀମା ବଢୁଛି । ବିକାଶ ଓ ସମୟର ଆହ୍ୱାନକୁ ଦେଖି ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗରେ ଅନେକ ଯୁକ୍ତି ସାମ୍ନାକୁ ଆସୁଛି । ଆଜି ହେଉଛି ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ଏବଂ ଗତ କିଛି ଦିନ ହେବ ରାଜ୍ୟ ରଜନୀତିର ମୁଖ୍ୟ ପ୍ରସଙ୍ଗ ହେଉଛି ମେଟ୍ରୋ ପ୍ରକଳ୍ପ । ରଜଧାନୀର ପ୍ରତିଷ୍ଠା ଦିବସରେ ପୁଣି ଉଠିଲା ମେଟ୍ରୋ ପ୍ରସଙ୍ଗ । ମେଟ୍ରୋ ପ୍ରକଳ୍ପ ନେଇ ପୁଣି ଦାବି ଦୋହରାଇଲେ ବିଧାୟକ ଅନନ୍ତ ନାରାୟଣ ଜେନା । ରାଜଧାନୀରେ ଦିନକୁ ଦିନ ବଢୁଛି ଟ୍ରାଫିକ ସମସ୍ୟା । ବିଭିନ୍ନ ଗନ୍ତବ୍ୟସ୍ଥଳକୁ ପହଞ୍ଚିବା ପାଇଁ ଘଣ୍ଟାଏ ଦୁଇ ଘଣ୍ଟା ଲାଗୁଛି । ତେଣୁ ସହରର ଆବଶ୍ୟକତା ଓ ବିକାଶ ପାଇଁ ମେଟ୍ରୋର ଆବଶ୍ୟକତା ରହିଛି । କେବଳ ରାଜଧାନୀ ନୁହେଁ ଓଡିଶା ପାଇଁ ଏହାର ଆବଶ୍ୟକତା ରହିଛି । ପୁରୀ ରେ କରିପାରିବେ, ଖୋର୍ଦ୍ଧାରେ ହୋଇପାରିବ । ଅନ୍ୟ ରାଜ୍ୟରେ ହେଇଛି । ତେଣୁ ଏହାକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା ।

