spot_img
Home Blog Page 1474

ମୋହନ ସରକାରରେ ସାମାଜିକ ହିଂସାକୁ ନେଇ ନବୀନଙ୍କ ଉଦବେଗ

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଆସିବା ପରେ ଯେଉଁ ପରି ସାମାଜିକ ହିଂସା ଦେଖାଦେଇଛି, ତାକୁ ନେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ତିନି ମାସରେ ୪ ଥର ଏପରି ହିଂସା ହେବା  ଓଡି଼ଶାର ଛବିକୁ ମଳିନ କରିଛି ବୋଲି କହିଛନ୍ତି ନବୀନ । କଂଗ୍ରେସ ମଧ୍ୟ ଏଥିପାଇଁ ବିଜେପି ସରକାରକୁ ଦାୟୀ କରିଛି ।

ବିଜେପି ସରକାର ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ହିଂସା ଦେଖିବାକୁ ମିଳିଛି । ଭଦ୍ରକରେ ତ ଦୁଇ ଦୁଇ ଥର ହେଲାଣି ଏପରି ଘଟଣା । ମାତ୍ର ୩ ମାସରେ ୪ ଥର  ଏପରି ସାମାଜିକ ଅଶାନ୍ତି, ଶାନ୍ତିପ୍ରିୟ ଓଡ଼ିଶାର ଛବିକୁ ମଳିନ କରିଛି ।  ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ଶାନ୍ତି ସଦଭାବ ବଜାୟ ରଖିବାକୁ ସୋସିଆଲ ମିଡିଆରେ ସେ ଆହ୍ଵାନ ଦେଇଛନ୍ତି । ରାଜ୍ୟରେ ଦେଖା ଦେଇଥିବା ଏହି ପରିବେଶ ପାଇଁ ସିଧା ବିଜେପି ସରକାରଙ୍କୁ ଦାୟୀ କରିଛି ବିଜେଡି । ସାଂସଦ ମୁନାଁ ଖାଁ କହିଛନ୍ତି, ଓଡ଼ିଶାରେ ଯାହା କେବେ ଘଟୁ ନଥିଲା ଏବେ ଘଟୁଛି । ଓଡ଼ିଶା ହେଉଛି ଭାଇଚାରାର ରାଜ୍ୟ । ସମସ୍ତେ ଶାନ୍ତି ବଜାୟ ରଖିବା ଆବଶ୍ୟକ । ଏହା ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ବ ଦିଅନ୍ତୁ ।

ରାଜ୍ୟରେ ଅଶାନ୍ତିର ବାତାବରଣ ନେଇ ନବୀନ ପଟ୍ଟନାୟକ ଯେଉଁ ଉଦବେଗ ପ୍ରକାଶ କରିଛନ୍ତି, ସେଥିରେ ଏକମତ ହୋଇଛନ୍ତି ଅନ୍ୟ ଦଳର ନେତା । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଏଥିପାଇଁ ବିଜେପି ସରକାରକୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । ସେ କହିଛନ୍ତି, ଯଦି ୩ ମାସର ସରକାରରେ ୪ ଥର ଏପରି ଘଟଣା ହେଲାଣି, ତେବେ ବିଜେପି ସରକାର ୫ ବର୍ଷ ପୂରଣ କରିବା ବେଳକୁ ଅବସ୍ଥା କ’ଣ ହେବ । ଅଶାନ୍ତି ପାଇଁ ବିଜେପି ବାହାବା ନେବାକୁ ଚାହୁଁଛି ନା ତାକୁ ବନ୍ଦ କରିବାକୁ ଛାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏ ପ୍ରସଙ୍ଗରେ ସୁର ରାଉତରାୟ ବି ସରକାରକୁ ସମାଲୋଚନା କରିଛନ୍ତି ।

କାଲିଠୁ ବିଜେଡିର ପଦଯାତ୍ରା: ଘରେ ଘରେ ପହଞ୍ଚିବ ମୋହନ ସରକାରଙ୍କ ମିଛ ପ୍ରଚାରର ବାର୍ତ୍ତା

ଭୁବନେଶ୍ବର: ଆସନ୍ତାକାଲିଠୁ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା । ଗତବର୍ଷ ପରି ଚଳିତଥର ବି ଏକାମ୍ର ଭୁବନେଶ୍ବରରୁ ପଦଯାତ୍ରା ଆରମ୍ଭ କରିବ ବିଜେଡି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କରିବେ ଶୁଭାରମ୍ଭ । ପ୍ରଥମ ଥର ପାଇଁ ଦୁଇଟି ପର୍ଯ୍ୟାୟରେ ଏହି ପଦଯାତ୍ରା ହେବାକୁ ଯାଉଛି । ଏଥିରେ ନବୀନ ସରକାର ସମୟର ସଫଳତା ଓ ବର୍ତ୍ତମାନ ସରକାରଙ୍କ ମିଥ୍ୟା ପ୍ରଚାରର ବାର୍ତ୍ତା ଘରେ ଘରେ ପହଞ୍ଚାଇବେ ନବୀନ ବ୍ରିଗେଡ । ଏଥିପାଇଁ ଆଜି ପଦଯାତ୍ରାସ୍ଥଳୀରେ ପ୍ରସ୍ତୁତି ଓ ଆୟୋଜନର ସମୀକ୍ଷା କରିଛନ୍ତି ବିଜେଡିର ବରିଷ୍ଠ ନେତା ଓ କର୍ମୀ ।

ଏକାମ୍ର ନଗରୀରୁ ପଦଯାତ୍ରାର ଶୁଭାରମ୍ଭ କରିବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ୫୭ ନମ୍ବର ଓ୍ବାର୍ଡ ବିଜୁ ଆଦର୍ଶ କଲୋନୀରେ ନିଜେ ଚାଲି ଚାଲି ଲୋକଙ୍କ ସହ ଆଲୋଚନା କରିବେ । ଏହାପରେ ନେତାଜୀ ପଡ଼ିଆରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ଏଥିପାଇଁ ଚୂଡ଼ାନ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବରିଷ୍ଠ ବିଜେଡି ନେତା ।

କାଲି ଗାନ୍ଧୀ ଜୟନ୍ତୀରୁ ୬ ତାରିଖ ଯାଏଁ ପ୍ରଥମ ଓ ପୂଜା ପରେ ଅକ୍ଟୋବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ଯାୟରେ ମୋଟ ୧୫ ଦିନ ପଦଯାତ୍ରା ହେବ । ସବୁ ନିର୍ବାଚନ ମଣ୍ଡଳିର ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରା କରିବାକୁ ନେତୃବୃନ୍ଦ ଓ ଛାମୁଆ ସଂଗଠକଙ୍କୁ ଚିଠି ଲେଖି ଜଣାଇଛନ୍ତି ସୁପ୍ରିମୋ । ପ୍ରଥମ ଥର ପାଇଁ ବିରୋଧୀ ଦଳରେ ଥାଇ ପଦଯାତ୍ରା କରୁଛି ବିଜେଡି । ଏଣୁ ନବୀନ କ’ଣ ଅଭିଭାଷଣ ରଖୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଓଡ଼ିଶାର ସ୍ବାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେବ ବିଜେଡି । ରାଜ୍ଯରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ବିଜେପି ସରକାରର ମିଛ ପ୍ରତିଶ୍ରୁତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ଗତକାଲି ଭଦ୍ରକ ଜିଲ୍ଲା ସଂଗଠନ ସମୀକ୍ଷା ସମୟରେ ଜିଲ୍ଲାରେ ହୋଇଥିବା ସାଂପ୍ରଦାୟିକ ହିଂସାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ନବୀନ । କହିଥିଲେ, ବିଜେପି ସରକାର ଆସିବାର ୧୦୦ ଦିନ ଭିତରେ ରାଜ୍ୟର ବିଭିନ୍ନ ଅଂଚଳରେ ସାମ୍ପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି ।

ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ଡିସେମ୍ବର ୯ ପର୍ଯ୍ଯନ୍ତ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ ଜାରି ରହିବ । ଜିଲ୍ଲା ସଭାପତି ଓ ରାଜ୍ୟ କମିଟି ଏହାର ତଦାରଖ କରିବେ । ଗତ ଥର ଏକ କୋଟି ସଦସ୍ୟତା ଟାର୍ଗେଟ ହାସଲ  ହୋଇଥିବାବେଳେ ଏଥର ମହିଳା, ଯୁବକ ଓ ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ଯୋଡ଼ିବାକୁ ଦଳ ରୋଡମ୍ୟାପ ପସ୍ତୁତ କରୁଛି ।

ପାଓ୍ବାର କମ୍ପାନୀ ପରିସରରେ କଙ୍ଗାରୁ କୋର୍ଟ, ଦୁଇ ଶ୍ରମିକଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ଼ ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ ମୋଟଙ୍ଗା ଥାନା ଜଗନ୍ନାଥ ପାୱାର କମ୍ପାନୀ ପରିସର କଙ୍ଗାରୁ କୋର୍ଟ । ଦୁଇ ଶ୍ରମିକଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ । ମାମଲା ରୁଜୁ ହେବାର ତିନି ଦିନ ପରେ ବି ଦୁଇ ଅଭିଯୁକ୍ତଙ୍କ ମଧ୍ଯରୁ କାହାରିଙ୍କୁ ଗିରଫ କରୁନି ପୋଲିସ । ପୋଲିସର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଅଭିଯୋଗ ଅନୁସାରେ, ତିନି ଦିନ ତଳେ କମ୍ପାନୀ ପରିସରରେ ଦୁଇ ଜଣ ଶ୍ରମିକଙ୍କୁ ଉଲଗ୍ନ କରି ଅନ୍ୟ ଦୁଇ ଜଣ କର୍ମଚାରୀ ନିସ୍ତୁକ ମାଡ ମାରିଥିଲେ । ସେମାନେ ବର୍ବରତାର ସୀମା ପାର କରିଯାଇଥିଲେ । ଦୁଇ ଶ୍ରମିକଙ୍କ ପ୍ଯାଣ୍ଟ ସାର୍ଟ ଓହ୍ଲାଇ ଉଲଗ୍ନ କରି ଜଣେ ସୁରକ୍ଷା କର୍ମଚାରୀ ଓ ଜଣେ ଚାଳକ ସେମାନଙ୍କୁ ନିର୍ଧୁମ ମାଡ ମାରିଥିଲେ ।

ମାଡ ଖାଇ ଗୁରୁତର ଆହତ ହୋଇଥିବା ଉଭୟ ଶ୍ରମିକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଶ୍ରମିକଙ୍କ ସଂପର୍କୀୟ ଥାନାରେ ମାମଲା ରୁଜୁ କରିଥିଲେ । ତେବେ ଏବେ ଯାଏଁ କାହାକୁ ପୋଲିସ ଗିରଫ କରି ନଥିବାରୁ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଜିଲ୍ଲାପାଳଙ୍କୁ ହଷ୍ଟେଲ ଅବ୍ୟବସ୍ଥା ଜଣାଇବାକୁ ୩୦ କିମି ଚାଲିଚାଲି ଯାଉଛନ୍ତି ଛାତ୍ରୀ

କଳାହାଣ୍ଡି: ସ୍କୁଲ ହଷ୍ଟେଲରେ ଅବ୍ୟବସ୍ଥା ସମ୍ପର୍କରେ ଜଣାଇବାକୁ ୩୦ କିଲୋମିଟର ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ବାହାରିଛନ୍ତି ଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଥୁଆମୂଳ ରାମପୁର ବ୍ଲକ କିଆପଦର ସ୍କୁଲରେ ।

ସୂଚନା ଅନୁସାରେ କିଆପଦ ସ୍କୁଲର ଛାତ୍ରୀ ନିବାସରେ ଆବଶ୍ୟକ ସାମଗ୍ରୀ ନ ଯୋଗାଇବା ସହ ମଧ୍ଯାହ୍ନ ଭୋଜନରେ ଅନିୟମିତତା କାରଣରୁ ପ୍ରାୟ ୧୦୦ ଜଣ ପିଲା ୩୦ କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି । କିଆପଦର ସ୍କୁଲରୁ ବାହାରି ଦୀର୍ଘ ୩୦ କିଲୋମିଟର ପାଦରେ ଚାଲି ଚାଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରିବାକୁ ବାହାରିଛନ୍ତି । ଅଧାବାଟରେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଛାତ୍ରୀମାନଙ୍କୁ ଅନେକ ବୁଝାଶୁଝା କରିବା ପରେ ମଧ୍ଯ ଛାତ୍ରୀମାନେ ସେମାନଙ୍କ ଜିଦରେ ଅଟଳ ରହିଛି ।

ତିନିଦିନ ହେଲା ପିଲାଙ୍କୁ ମିଳୁନି ମଧ୍ୟାହ୍ନ ଭୋଜନ, ହେଲେ ସ୍କୁଲରେ ରୋଷେଇ କରି ଖାଉଛନ୍ତି ଶିକ୍ଷକ

ଦେବଗଡ଼: ପିଲା ସ୍କୁଲକୁ ଆଓିବେ ପାଠ ପଢ଼ିବେ ଆଉ ମଧ୍ୟହ୍ନ ଭୋଜନ ବି ଖାଇବେ । ତିନି ଦିନ ହେବ ଚାଉଳ ନଥିବାରୁ ସ୍କୁଲରେ ମଧ୍ୟହ୍ନ ଭୋଜନ ବନ୍ଦ ହୋଇଯାଇଛି । ହେଲେ ଶିକ୍ଷକ ସ୍କୁଲ ପରିସରରେ ରୋଷେଇ କରି ଖାଉଛନ୍ତି । ଏଭଳି ଅଭିଯୋଗ ଆସିଛି ତିଳେଇବଣି ବ୍ଲକ କଂସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରୁ ।

ସ୍କୁଲରେ ମୋଟ ୧୧୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଗତ ତିନି ଦିନ ତଳୁ ମଧ୍ଯାହ୍ନ ଭୋଜନ ଚାଉଳ ସରିଯାଇଛି । ଏନେଇ ପ୍ରଧାନଶିକ୍ଷକ ଜାଣିଥିଲେ ବି ସିଆରସିଙ୍କୁ ସୂଚନା ଦିଆଟାଇଛି କହି କାମ ସାରି ଦେଇଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ମଧ୍ଯାହ୍ନ ଭୋଜନ ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରିକି ପିଲାମାନେ ନିଜ ଘରୁ ପଖାଳ ଆଣି ସ୍କୁଲରେ ଖାଉଥିବା ଦେଖିବାକୁ ମିଳିଛି ।

ଗୋଟିଏ ପଟେ ପିଲା ମଧ୍ଯାହ୍ନ ଭୋଜନ ପାଉ ନଥିବାବେଳେ ଅନ୍ଯପଟେ ଶିକ୍ଷକମାନେ ସ୍କୁଲରେ ରୋଷେଇ କରି ଖାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ିଗଲେ ଦୁଇଜଣ

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ । ଜେଜେମାଙ୍କ ଶ୍ରାଦ୍ଧ ପାଇଁ ପୁରୀ ଆସିଥିବା ଦୁଇ ଜଣ ସମ୍ପର୍କୀୟ ଭାଇ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ମୃତକ ହେଲେ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମର ନଳୀନିକାନ୍ତ ତ୍ରିପାଠୀ ଏବଂ ଗଞ୍ଜାମ କୁକୁଡ଼ାଖଣ୍ଡିର ରାଜକିରଣ ଶତପଥୀ ।

ନରେନ୍ଦ୍ର ପୁଷ୍କରିଣୀର ଦଶତୁଟ ନିକଟରେ ଉଭୟ ଗାଧୋଉଥିବା ବେଳେ ପୋଖରୀରେ ବୁଡି ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ପୋଖରୀରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଜିଲ୍ଲା ପ୍ରଶାସନର ବେଖାତିର ମନୋଭାବ ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି । ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ହଜାର ହଜାର ଶ୍ରଦ୍ଧାଳୁ ପିଣ୍ଡଦାନ କରୁଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ସୁବ୍ୟବସ୍ଥା କରା ନଯିବା ସହ ପୁଷ୍କରିଣୀ ନିକଟରେ ଲାଇଫ ଗାର୍ଡ ଓ ଲାଇଫ ଜ୍ୟାକେଟ, ଟ୍ୟୁବର ବ୍ୟବସ୍ଥା କରାଯାଇନାହିଁ । ଯେଉଁଥି ପାଇଁ ୨ ଜଣଙ୍କର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ହୋଇଛି ।

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଖାଦ୍ୟ ନିରୀକ୍ଷକ

କେନ୍ଦ୍ରାପଡ଼ା: ବିସ୍କୁଟ ଫ୍ୟାକ୍ଟ୍ରି ମାଲିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦ୍ରାପଡା ଖାଦ୍ଯ ନିରୀକ୍ଷକ । ଅଭିଯୁକ୍ତ ଫୁଡ ଇନ୍ସପେକ୍ଟର ହେଲେ ବିଭାସ ମଜୁମଦାର। ଜଣେ ବିସ୍କୁଟ ଫ୍ୟାକ୍ଟ୍ରି ମାଲିକଙ୍କ ଠାରୁ ଲାଇସେନ୍ସ ପାଇଁ ଲାଞ୍ଚ ନେଉଥିବା ବେଳେ ରାସ୍ତା ଉପରେ ମାଡି ବସିଲା ଭିଜିଲାନ୍ସ ।

ଅଭିଯୁକ୍ତ ମଜୁମଦାରଙ୍କୁ ବ୍ୟବସାୟୀ ଲାଇସେନ୍ସ ପ୍ରକ୍ରିୟାକରଣ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଲାଇସେନ୍ସ ପ୍ରଦାନ ପାଇଁ ମଜୁମଦାର ଲାଞ୍ଚ ମାଗିଥିଲେ । ଅନ୍ୟ କୌଣସି ବିକଳ୍ପ ନପାଇ ଅଭିଯୋଗକାରୀ ମଜୁମଦାରଙ୍କୁ ଲାଞ୍ଚ ଟଙ୍କା ଦେବାକୁ ରାଜି ହୋଇଥିଲେ । ଏନେଇ ସେ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ । ପୂର୍ବ ଯୋଜନା ଅନୁସାରେ ଆଜି ବିସ୍କୁଟ କମ୍ପାନୀ ମାଲିକ ମଜୁମଦାରଙ୍କୁ ଟଙ୍କା ଦେବାକୁ ଯାଇଥିଲେ । ଫୁଡ ଇନ୍ସପେକ୍ଟର ଲାଞ୍ଚ ଟଙ୍କା ଧରିବା ପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ । ତାଙ୍କ ପାଖରୁ ରସାୟନ ବୋଳା ଟଙ୍କା ଜବତ କରାଯାଇଛି ।

ଶ୍ରୀମନ୍ଦିର ରୋଷରେ ଲୁହା କଡେଇ ବ୍ୟବହାର: ୩ ସୂପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟବହାର ଅଭିଯୋଗରେ ୩ ସୂପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ସେମାନେ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ କରିପାରିବେ ନାହିଁ । ତିନି ସୁପକାରଙ୍କ ମଧ୍ୟରୁ ଜଣେ ପାଳିଆ ସେବକ ହୋଇଥିବାରୁ ତାଙ୍କୁ ମହାପ୍ରଭୁଙ୍କ ସେବା ପୂଜାରୁ ମଧ୍ୟ ନିଲମ୍ବିତ କରାଯାଇଛି l

ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ର ୨୧ ଖ (କ) ଧାରା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ମହାପ୍ରଭୁଙ୍କ ସେବା ପୂଜାରେ କୌଣସି ପରମ୍ପରା ବହିର୍ଭୂତ କାର୍ଯ୍ୟ କି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୨ ତାରିଖରେ ଶ୍ରୀମନ୍ଦିର ରୋଷରେ ଅନ୍ନ ରନ୍ଧନରେ ଲୁହା କଡ଼େଇ ବ୍ୟବହାର କରାଯାଇଥିବାର ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରିପୋର୍ଟ ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର କମାଣ୍ଡର ଓ ଦେଉଳ କରଣଙ୍କୁ ଆଦେଶ ଦିଆଯାଇଛି ।

ବୁଲଡୋଜର ଶାସନକୁ ନେଇ ସୁପ୍ରିମକୋର୍ଟଙ୍କ କେନ୍ଦ୍ରକୁ ଭର୍ତ୍ସନା; କହିଲେ- ଅପରାଧୀଙ୍କ ଘର ଭାଙ୍ଗିବା ବେଆଇନ

ନୂଆଦିଲ୍ଲୀ: ଜନସାଧାରଣଙ୍କ ସୁରକ୍ଷା ପ୍ରଥମ । ଭାରତ ଏକ ଧର୍ମନିରପେକ୍ଷ ଦେଶ । ଜବରଦଖଲ ଉଚ୍ଛେଦ ବେଳେ କାହାରି ଧର୍ମକୁ ଦେଖାଯିବ ନାହିଁ । ତେବେ କିଏ ଯଦି ଅପରାଧ କଲା, ତାର ଘର ଦ୍ଵାର ଭାଙ୍ଗିବା ବେଆଇନ । ବୁଲଡୋଜର ଆକ୍ସନ ଉପରେ ଏମିତି କହିଛନ୍ତି ସୁପ୍ରିମକୋର୍ଟ ।

ଦିଲ୍ଲୀର କିଛି ଅଭିଯୁକ୍ତଙ୍କ ଘର ଭଙ୍ଗାଯିବାରୁ ନ୍ୟାୟ ପାଇଁ ସେମାନେ ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ ଭାବେ କହିଛନ୍ତି, ଜଣେ ଯେତେ ବଡ଼ ଅପରାଧ କରିଥାଉ ପଛେ, ତାର ଘରଦ୍ଵାର ଭଙ୍ଗାଯାଇପାରିବ ନାହିଁ । ଦିନକ ଆଗରୁ ନାମକୁ ମାତ୍ର ନୋଟିସ୍ ଦେଇ ଘର ଭାଙ୍ଗିବା ଠିକ୍ ନୁହେଁ ।

ଧାର୍ମିକ ପୀଠକୁ ନେଇ ମଧ୍ୟ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟ ଶୁଣାଇଛନ୍ତି । ଏଥିରେ କୋର୍ଟ କହିଛନ୍ତି, ଯଦି ଜବରଦଖଲ କରି କୌଣସି ଧାର୍ମିକ ପୀଠ କରାଯାଇଥାଏ । ଏହା ଯଦି ଜନସାଧାରଣଙ୍କ ପ୍ରତି ବିପଦ ସୃଷ୍ଟି କରେ ତେବେ କାହାର ଧର୍ମକୁ ନ ଦେଖି ତାକୁ ଉଚ୍ଛେଦ କରାଯିବ । କିନ୍ତୁ ଜବରଦଖଲ ଉଚ୍ଛେଦ ନାଁରେ କାହାର ଘର ଦ୍ଵାର ଭଙ୍ଗା ଯାଇପାରିବନି ।

ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ କୌଣସି ଅଭିଯୁକ୍ତର ଘର ନ ଭାଙ୍ଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାରା ଦେଶରେ ଏପରି କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତାଦେଶ ଜାରି କରାଯାଇଛି । ଆସାମ ସରକାର ଜଣେ ଅଭିଯୁକ୍ତଙ୍କ ଘର ଉଚ୍ଛେଦ କରିବାରୁ ଗତକାଲି ଅଦାଲତ ଅବମାନନା ନୋଟିସ ଜାରି କରାଯାଇଥିଲା ।

କାନପୁର ଟେଷ୍ଟ ଜିତି ୨-୦ରେ ଟେଷ୍ଟ ସିରିଜି କ୍ଲିନ ସୁଇପ୍ କଲା ଭାରତ

କାନପୁର: ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ । କାନପୁର ମ୍ୟାଚ୍ ଜିତି ଦୁଇ ଟିକିଆ ସିରିଜକୁ ଭାରତ ୨-୦ରେ କ୍ଲିନ୍ ସୁଇପ୍ କରି ନେଇଛି । କାନପୁର ଟେଷ୍ଟରେ ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଛି ଭାରତ । ୧୭.୨ ବଲରେ ଭାରତ ୯୫ ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ବର୍ଷା ବାଧାପ୍ରାପ୍ତ ଏହି ଟେଷ୍ଟକୁ ଭାରତ ବିଜୟ ଲକ୍ଷ୍ୟରେ ଖେଳିଥିଲା । ଭାରତ ଦ୍ବିତୀୟ ଇନିଂସରେ ଟେଷ୍ଟ ମ୍ୟାଚକୁ ଟି-ଟ୍ବଣ୍ଟି ପରି ଖେଳିଥିଲା । ବାଂଲାଦେଶ ଟିମ୍ ଦ୍ବିତୀୟ ଇନିଂସରେ ମାତ୍ର ୧୪୬ ରନ୍ କରି ଅଲଆଉଟ ହୋଇଯାଇଥିଲା । ବୁମରା, ଅଶ୍ଵୀନ ଓ ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ଫଳରେ ଭାରତ ଆଗରେ ୯୫ ରନର ବିଜୟ ଲକ୍ଷ ଥିଲା । ଯାହାକୁ ଭାରତ ୧୭ ଓଭର ଦୁଇଟି ବଲରେ ହାସଲ କରି ନେଇଥିଲା ।

କାନପୁର ଟେଷ୍ଟରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୩୩ ରନ୍ କରିଥିଲା । ତେବେ ବର୍ଷା ମ୍ୟାର ବହୁମୂଲ୍ୟ ସମୟକୁ ଧୋଇ ଦେଇଥିଲା । ଗତକାଲି ଭାରତ ତା’ର ପ୍ରଥମ ଇନିଂସ୍ ଖେଳି ୯ ୱିକେଟରେ ୨୮୫ ରନ୍ କରିବା ସହ ପାଳି ଘୋଷଣା କରିଥିଲା । ମ୍ୟାଚ ଜିତିବାକୁ ଆଗ୍ରେସିଭ ବ୍ୟାଟିଂ କରିଥିଲା ଭାରତ । ଟେଷ୍ଟ ମ୍ୟାଚ ହୋଇଥିବା ସତ୍ତ୍ଵେ ଦେଖିବାକୁ ମିଳିଥିଲା ଟି-ଟ୍ଵେଣ୍ଟି ପରି ବିସ୍ଫୋରକ ବ୍ୟାଟିଂ । ଧୂଆଁଧାର ବ୍ୟାଟିଂ କରି ଯଶସ୍ଵୀ ୭୨ ରନ୍ କରିଥିବା ବେଳେ ଶୁଭମନ ଗିଲ୍ ୩୯ ରନ୍, କୋହଲି ୪୭ ରନ୍ ଓ ରାହୁଲ ୬୮ ରନ୍ କରିଥିଲେ । ଚେନ୍ନାଇରେ ହୋଇଥିବା ପ୍ରଥମ ଟେଷ୍ଟ ମଧ୍ୟ ଜିତିଥିଲା ଭାରତ । କାନପୁର ଟେଷ୍ଟ ଜିତି ୨-୦ରେ କ୍ଲିନ ସୁଇପ୍ କରିଛି ଭାରତ ।