spot_img
Home Blog Page 1489

ଗାଁରେ ସଚେତନତା ରାଲି ବାହାର କରିବା ସହ ମଦ ବନ୍ଦ ପାଇଁ ପୋଲିସକୁ ମହିଳା ଦେଲେ ଦାବିପତ୍ର

ସୋନପୁର: ବେଆଇନ ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ଅଭିନବ ପ୍ରତିବାଦ । ଶତାଧିକ ମହିଳା ଗାଁରେ ମଦ ବନ୍ଦ ପାଇଁ ସଚେତନତା ରାଲି କରିବା ସହ ଥାନା ଅଧିକାରୀଙ୍କୁ ଦେଲେ ଦାବିପତ୍ର । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଗାଁର ଏସଏଚଜି ଓ ଶତାଧିକ ମହିଳା ରାମପୁରରେ ସମ୍ପୂର୍ଣ୍ଣ ମଦ ବନ୍ଦ ଦାବି ନେଇ ସଚେତନ ରାଲି କରି ଗାଁ ପରିକ୍ରମା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି l ସମ୍ପୂର୍ଣ୍ଣ ମଦ ବନ୍ଦ ଦାବି ନେଇ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଏହାସହ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଓ ରାମପୁର ଅତିରିକ୍ତ ତହସିଲଦାରଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

ମହିଳାମାନେ ଅଭିଯୋଗ କରିଛନ୍ତି, ଗାଁର କିଛି ବ୍ୟକ୍ତି ଦେଶୀ ଚୋରା ମଦ ରଖି ବିକ୍ରି କରୁଛନ୍ତି l ଫଳରେ ଗାଁ ଲୋକେ ମଦ ପିଇ ଘରେ ଓ ଗାଁରେ ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି l

ମଝି ସମୁଦ୍ରରୁ ଉଦ୍ଧାର ହେଲା ଫସିଥିବା ଦୁଇ ବୋଟ୍, ୧୪ ମତ୍ସ୍ୟଜୀବୀ ସୁରକ୍ଷିତ

ପାରାଦୀପ: ପାରାଦୀପ ନେହେରୁ ବଙ୍ଗଳା ମୁହାଣରେ ଫସିଥିବା ଦୁଇ ମାଛଧରା ବୋଟ ଉଦ୍ଧାର । ବୋଟରେ ଥିଲେ ୧୪ ମତ୍ସ୍ୟଜୀବୀ । ଧର୍ମଶାଖା-୨ ଓ ଧର୍ମଶାଖା-୩ ନାମକ ଦୁଇଟି ବୋଟ ମାଛ ଧରି ଫେରୁଥିବା ବେଳେ ଖରାପ ହୋଇଥିଲା ଧର୍ମଶାଖା-୨ । ଖରାପ ବୋଟକୁ ଧର୍ମଶାଖା-୩ ଟାଣି ଆଣୁଥିବା ବେଳେ ରଶି ଛିଡି ଫ୍ୟାନରେ ଲାଗିବାରୁ ଦୁଇଟି ଯାକ ବୋଟ ଅଟକି ରହିଥିଲା ।

କବେୟା ଦରମା ଓ ସ୍ଥାୟୀ ନିଯୁକ୍ତି ଦାବିରେ MBK, CRP ଓ ବ୍ୟାଙ୍କ୍ ମିତ୍ରଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଗଜପତି: ସରକାରଙ୍କ ବିରୋଧରେ ଗଜପତି ଜିଲ୍ଲାରେ MBK, CRP ଓ ବ୍ୟାଙ୍କ୍ ମିତ୍ରଙ୍କ ରଣହୁଙ୍କାର । ଶହ ଶହ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବକେୟା ଦରମା ଓ ସ୍ଥାୟୀ ନିଯୁକ୍ତି କଲେ ଦାବି ।

ସୂଚନାଯୋଗ୍ୟ, ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦେଇ ଆସୁଥିଲେ ପୂର୍ବ ସରକାର । ପଞ୍ଚାୟତ ସ୍ଥରରେ ଏସଏଚଜିର ସମସ୍ତ ନଥିପତ୍ରଠାରୁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ MBK, CRP ଓ ବ୍ୟାଙ୍କ୍ ମିତ୍ରଙ୍କୁ ନିଯୁକ୍ତି ସହ ଗମନାଗମନ ପାଇଁ ସ୍କୁଟି ପ୍ରଦାନ ମଧ୍ୟ କରିଥିଲେ । ସରକାର ବଦଳିବା ପରେ ଏମାନଙ୍କ ସମସ୍ୟା ବଢ଼ିଯାଇଛି । ଏକାଧିକ ମାସ ଧରି ଏମାନେ ପାଇନାହାନ୍ତି ପାରିଶ୍ରମିକ । ଦରମା ପାଇବାରୁ ବଞ୍ଚିତ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା । କରିଛନ୍ତି ଜିଲ୍ଲାପାଳଙ୍କ ଅଫିସ ଘେରାଉ ।

ଗଜପତି ଜିଲ୍ଲାରେ ଶହ ଶହ ମହିଳା ସମସ୍ତ ବ୍ଲକ ଘେରାଉ କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ MBK, CRP ଏବଂ ବ୍ୟାଙ୍କ ମିତ୍ର । ପୂର୍ବ ସରକାରଙ୍କ ଘୋଷିତ ଦରମା ସାଙ୍ଗକୁ ବକେୟା ଦରମା ଓ ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ୬ ଦଫା ଦାବି ନେଇ ଜିଲ୍ଲାର ବିଭିନ୍ନ ବ୍ଲକର ଶହ ଶହ ମହିଳା ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।ଏହାସହ ଦାବି ପୂରଣ ନ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଚାକିରି ଲାଗି ଟଙ୍କା ମାମଲା: ସେନ୍ଥିଲ ବାଲାଜୀଙ୍କୁ ସୁପ୍ରିମକୋର୍ଟରୁ ଜାମିନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଚାକିରି ଲାଗି ଟଙ୍କା ଦୁର୍ନୀତି ମାମଲା । ପୂର୍ବତନ ତାମିଲନାଡୁ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ । ଜଷ୍ଟିସ ଏଏସ ଓକା ଓ ଜଷ୍ଟିସ ଏଜି ମସିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ସେନ୍ଥିଲଙ୍କୁ ଜାମିନ ଦେଇଛନ୍ତି । ଚାକିରି ଲାଗି ଟଙ୍କା ଦୁର୍ନୀତିରେ ଗତବର୍ଷ ଜୁନ ମାସରେ ବାଲାଜୀ ସେନ୍ଥିଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେନ୍ଥିଲଙ୍କୁ ଏକାଧିକ ସର୍ତ୍ତରେ କୋର୍ଟ ଜାମିନ ଦେଇଥିବା ସୂଚନା ମିଳିଛି ।

ଗତ ଫେବୃଆରୀ ୨୮ରେ ସେନ୍ଥିଲଙ୍କ ଜାମିନକୁ ମାଡ୍ରାସ ହାଇକୋର୍ଟ ରଦ୍ଦ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ଅଗଷ୍ଟ ୧୨ରେ ଜାମିନ ନେଇ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ମାମଲାରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଇଡି ପକ୍ଷରୁ ପ୍ରତିନିଧିତ୍ବ କରୁଥିବାବେଳେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଓ ସିଦ୍ଧାର୍ଥ ଲୁଥ୍ରା ସେନ୍ଥିଲଙ୍କ ପକ୍ଷରୁ ଲଢୁଥିଲେ ।

ଜାମିନ ଅଗ୍ରାହ୍ୟ କରିବା ବେଳେ ହାଇକୋର୍ଟ କହିଥିଲେ, ଯଦି ଏହି ମାମଲାରେ ସେନ୍ଥିଲଙ୍କୁ ଜାମିନ ମିଳେ ତେବେ ବିଚାର ବିଭାଗ ପକ୍ଷରୁ ଏକ ଭୁଲ ବାର୍ତ୍ତା ଦିଆଗଲା ବୋଲି ସୂଚନା ମିଳିଥାନ୍ତା । ପୂର୍ବତନ ଏଆଇଏଡିଏମକେ ସରକାରରେ ସେନ୍ଥିଲ ପରିବହନ ମନ୍ତ୍ରୀ ଥିବାବେଳେ ବସ୍ କଣ୍ଡକ୍ଟର, ଡ୍ରାଇଭର ଓ ଜୁନିୟର ଇଞ୍ଜିନିୟର ନିଯୁକ୍ତିରେ ବ୍ଯାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଗତବର୍ଷ ଅଗଷ୍ଟ ୧୨ରେ ଇଡି ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ।

ସାଂସଦ ସଞ୍ଜୟ ରାଓ୍ବତଙ୍କୁ ୧୫ ଦିନ ଜେଲ୍ ଦଣ୍ଡାଦେଶ

ମୁମ୍ବାଇ: ଶିବସେନା ଉଦ୍ଧବ ଗୋଷ୍ଠୀର ବରିଷ୍ଠ ନେତା ତଥା ରାଜ୍ଯସଭା ସାଂସଦ ସଞ୍ଜୟ ରାୱତଙ୍କୁ ଜେଲ ଦଣ୍ଡାଦେଶ । ଏକ ମାନହାନୀ ମନ୍ତବ୍ଯ ମାମଲାରେ ସଞ୍ଜୟଙ୍କୁ ୧୫ ଦିନ ଲାଗି ଜେଲ ଦଣ୍ଡାଦେଶ ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ । ଏହାସହ ୨୫ ହଜାର ଟଙ୍କାର ଜରିମାନା କରିଛନ୍ତି କୋର୍ଟ ।

ବିଜେପି ସାଂସଦ କୀର୍ତ୍ତି ସୋମେୟାଙ୍କ ପତ୍ନୀ ମେଧା ସୋମୈୟାଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି । ଆଇପିସିର ଧାରା ୫୦୦ ଅନୁସାରେ ସଞ୍ଜୟ ଦୋଷୀ ସାବ୍ଯସ୍ତ ହୋଇଥିଲେ । ମେଧା ମୁମ୍ବାଇର ଏକ କଲେଜରେ ପ୍ରଫେସର ଅଛନ୍ତି । ନିଜ ଅଭିଯୋଗରେ ମେଧା ଦର୍ଶାଇଥିଲେ ସାଂସଦ ସଞ୍ଜୟ, ସ୍ବାମୀ କୀର୍ତ୍ତି ସୋମେୟା ଏବଂ ତାଙ୍କ ବିରୋଧରେ ଅରୁଚିକର ମନ୍ତବ୍ଯ ଦେଇଥିଲେ । ୧୦୦ କୋଟି ଟଙ୍କାର ଟଏଲେଟ ନିର୍ମାଣ ସ୍କାମରେ ମେଧା ଓ ତାଙ୍କ ଦ୍ବାରା ପରିଚାଳିତ ଏନଜିଓ ଯୁବ ପ୍ରତିଷ୍ଠାନ ସମ୍ପୃକ୍ତ ରହିଛି ବୋଲି ସଞ୍ଜୟ ଅଭିଯୋଗ କରିଥିଲେ ।

ପାଶ୍ଚାତ ରାଷ୍ଟ୍ରଙ୍କୁ ପୁଟିନଙ୍କ ଧମକ: ରୁଷିଆ ଉପରେ ଆକ୍ରମଣ ହେଲେ ପରମାଣୁ ବୋମା ଫିଙ୍ଗିବି

ମସ୍କୋ:  ପାଶ୍ଚାତ୍ଯ ରାଷ୍ଟ୍ରଙ୍କୁ ପୁଣି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଖୋଲା ଚେତାବନୀ । ଯଦି ରୁଷିଆ ଉପରେ ଆକ୍ରମଣ ଲାଗି କୌଣସି ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରେ ଓ ୟୁକ୍ରେନ ପକ୍ଷରୁ ଆକ୍ରମଣ କରାଯାଏ ତେବେ ଏହାର ଜବାବ ଆଣବିକ ଅସ୍ତ୍ରରେ ଦିଆଯିବ ବୋଲି ଧମକ ଦେଇଛନ୍ତି ପୁଟିନ ।

ରୁଷିଆ ଉପରକୁ ପାଶ୍ଚାତ୍ଯ ରାଷ୍ଟ୍ର ନିର୍ମିତ କନଭେନସନାଲ ମିସାଇଲ ପ୍ରୟୋଗ କରିବାକୁ ଯଦି ଆମେରିକା ଓ ବ୍ରିଟେନ ଅନୁମତି ଦିଅନ୍ତି ତେବେ ରୁଷିଆ ନିଜର ଆଣବିକ ନୀତିରେ ପରିବର୍ତ୍ତନ କରିବ ବୋଲି ପୁଟିନ କହିଛନ୍ତି ।

କନଭେନସନାଲ ଅସ୍ତ୍ର ହେଉଛି ଆଣବିକ ଶକ୍ତିଠାରୁ ଭିନ୍ନ ଓ କେମିକାଲ ଏନର୍ଜି ଭିତ୍ତିକ ବିସ୍ଫୋରକରେ ଏହା ନିର୍ମିତ । ଏହା ଜରିଆରେ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର, ସିଲଡ, ସମୁଦ୍ର ଓ ସ୍ଥଳରେ ବ୍ଯବହୃତ ଲ୍ଯାଣ୍ଡମାଇନ, ବୋମା, ରକେଟ, ମିସାଇଲ, କ୍ଲଷ୍ଟର ବୋମା ଆଦି ନିର୍ମିତ ହୋଇଥାଏ ଯାହା ଅତ୍ୟନ୍ତ ବିପଜ୍ଜନକ ।

ରୁଷିଆ ନିରାପତ୍ତା ପରିଷଦ ବୈଠକରେ ଏନେଇ ସୂଚନା ଦେଇଛନ୍ତି ପୁଟିନ । ସେ କହିଛନ୍ତି, ଏକ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ସହାୟତାରେ ଆଣବିକ ଶକ୍ତି ସମ୍ପନ୍ନ ହୋଇ ନଥିବା କୌଣସି ରାଷ୍ଟ୍ର ଯଦି ରୁଷିଆ ଉପରେ ଆକ୍ରମଣ କରେ ତେବେ ଏହାକୁ ରୁଷିଆ ଉପରେ ମିଳିତ ଆକ୍ରମଣ ବୋଲି ରୁଷିଆ ବିଚାର କରିବ । ରୁଷିଆ ଉପରେ ୟୁକ୍ରେନ ପକ୍ଷରୁ ବଡ଼ ଧରଣର ମିସାଇଲ, ଡ୍ରୋନ ଓ ବିମାନ ଆକ୍ରମଣ ହେଉଥିବାରୁ ଉଗ୍ରରୂପ ଧାରଣ କରିଛନ୍ତି ପୁଟିନ । ଏପରିକି ନିଜର ସହଯୋଗୀ ରାଷ୍ଟ୍ର ବେଲାରୁଷ ଉପରେ ବି ଯଦି ଆକ୍ରମଣ ହେବ ତେବେ ରୁଷିଆ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ସାଇବର ଥାନାର ଦ୍ବାରସ୍ଥ ହେଲେ କଣ୍ଠଶିଳ୍ପୀ ପମି ମିଶ୍ର ଓ ପ୍ରଯୋଜକ ପୁର୍ଣ୍ଣଚନ୍ଦ୍ର ବେହେରା

ଭୁବନେଶ୍ୱର: ସାଇବର ଥାନାରେ କଣ୍ଠଶିଳ୍ପୀ ପମି ମିଶ୍ର ଓ ପ୍ରଯୋଜକ ପୁର୍ଣ୍ଣଚନ୍ଦ୍ର ବେହେରା । ୧୪ ବର୍ଷ ତଳର ପୁରୁଣା ଗୀତ ଚୋରି ଅଭିଯୋଗରେ ଉଭୟ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସେମାନଙ୍କ ଗୀତକୁ ନିଜର ଦର୍ଶାଇ ଅନ୍ୟ ପ୍ରଯୋଜକ ଓ କଣ୍ଠଶିଳ୍ପୀ ବାଃ ବାଃ ନେଉଛନ୍ତି ବୋଲି ଉଭୟ ଅଭିଯୋଗ କରିଛନ୍ତି । ଏନେଇ ସାଇସାଗର କ୍ରିଏସନ ଓ ପବିତ୍ର ଏଣ୍ଟରଟେଣ୍ଟମେଣ୍ଟ ନାଁରେ ସେମାନେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରୁ ଗୀତକୁ ଡାଉନଲୋଡ୍ କରି ନିଜ ୟୁଟ୍ୟୁବ୍ ଚ୍ଯାନେଲରେ ଅପଲୋଡ କରିଛନ୍ତି । ପ୍ରତିଭା ଦାସ ଓ ପ୍ରସନ୍ନ କୁମାର ଉପାଧ୍ୟାୟ ଓ ତାଙ୍କ ଚ୍ୟାନେଲ ନାମରେ ପୂର୍ବରୁ ମଧ୍ଯ ମାନହାନି ମୋକଦ୍ଦମା କରିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପମି ମିଶ୍ର ।

ବେଙ୍ଗଲୁରୁ ହତ୍ଯାର ଅଭିଯୁକ୍ତ ମୁକ୍ତିରଜଂନର ଭାଇ ଶକ୍ତିରଂଜନ କହିଛନ୍ତି, ଲୋମଟାଙ୍କୁରା କଥା

ନନ୍ଦିଘୋଷ ବ୍ୟୁରୋ : ବେଙ୍ଗଳୁରୁ ହତ୍ୟାର ଅଭିଯୁକ୍ତର ଆତ୍ମହତ୍ଯା ଘଟଣା । ଅଭିଯୁକ୍ତ ମୁକ୍ତିରଜଂନର ଭାଇ ଶକ୍ତିରଂଜନ କହିଛନ୍ତି, ଲୋମଟାଙ୍କୁରା କଥା। ସେ କହିଛନ୍ତି, ବେଙ୍ଗଳୁରୁରେ ମହିଳାଙ୍କୁ ହତ୍ଯା କରିବା ପରେ ମୁକ୍ତିରଂଜନ ବ୍ରହ୍ମପୁରକୁ ଆସିଥିଲା। କାରଣ ଶକ୍ତିରଂଜନ ବ୍ରହ୍ମପୁରର ଏକ ମେସରେ ରହୁଥିଲେ। ହତ୍ୟା ନେଇ ଭାଇକୁ ସବୁ କଥା କହିଥିଲା ମୁକ୍ତିରଂଜନ। ଏହା ପରେ ଦୁଇ ଭାଇ ଭଦ୍ରକ ଘରକୁ ଆସିଥିଲେ। ହେଲେ ପୋଲିସ ଭ୍ୟାନ ଦେଖି ସେମାନେ ସୋରକୁ ପଳାଇ ଆସି ଘରକୁ ଆସିଥିଲେ। ହେଲେ ରାତିରେ ଭାଇ ଆତ୍ମହତ୍ୟା କରିଥିବା କହିଛନ୍ତି ଶକ୍ତିରଂଜନ।

ଏପଟେ ବେଙ୍ଗଳୁରୁ ପୋଲିସ ଶକ୍ତିରଂଜନଙ୍କୁ ମେସରୁ ଉଠାଇ ଆଣି ପଚରା ଉଚରା କରିଥିବା ଏପରିକି ମାଡ଼ ମାରିଥିବା ଶକ୍ତି ରଂଜନ କହିଛନ୍ତି।

ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ଶଙ୍ଖ ଭବନରେ ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ଦଳୀୟ ସମୀକ୍ଷା ସମୀକ୍ଷା କରିବା ସହ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ନିର୍ବାଚିତ ପ୍ରତିନିଧି ଓ ଦଳୀୟ ପଦାଧିକାରୀଙ୍କ ସହିତ ସଂଗଠନ ଓ ଦଳର ସ୍ଥିତି ନେଇ ଆଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳକୁ ଆହୁରି ସକ୍ରିୟ ରଖି ଆହୁରି ମଜଭୁତ କରାଯାଇପାରିବ, ଦୁଇ ଜିଲ୍ଲାର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ପଟ୍ଟନାୟକ। ବିରୋଧୀ ଦଳରେ ଥିଲେ ବି ଲୋକଙ୍କ ସେବା କରିବାକୁ ଓ ଲୋକଙ୍କ ସହିତ ଯୋଡ଼ି ହୋଇ ରହିବାକୁ ପରାମର୍ଶ ଦେଇଥିଲେ ନବୀନ । ଏହା ହେଉଛି ବୈଠକର ମୁଖ୍ୟ ।

ବିଜେଡିର ୨୪ ବର୍ଷର ଶାସନରେ ନବୀନ ସରକାର ଯେଉଁ ଲୋକାଭିମୁଖୀ କାମ କରିଥିଲେ, ସେ ସଂପର୍କରେ ଲୋକଙ୍କ ଅବଗତ କରାଇବା ଉପରେ ବି ଆଲୋଚନା ହୋଇଛି।

‘ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ ବର୍ଗ ଲାଗି ଲଢେଇ କରିଛନ୍ତି; ସଂରକ୍ଷଣ ପ୍ରତି କେନ୍ଦ୍ର ସରକାରଙ୍କ ନିଘା ନାହିଁ’

ଭୁବନେଶ୍ୱର: ଓବିସିଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି। ଏକ ପ୍ରେସମିଟରେ ଦଳ କହିଛି, ନବୀନ ପଟ୍ଟନାୟକ ସର୍ବଦା OBC ଙ୍କ ପାଇଁ ଲଢେଇ କରିଛନ୍ତି। ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଛନ୍ତି। ହେଲେ କେନ୍ଦ୍ରର ନିଘା ନାହିଁ। ଓବିସିଙ୍କୁ ସଂରକ୍ଷଣ ମିଳୁନି। ସେମାନେ ଡାକ୍ତରୀ କି ଇଞ୍ଜିନିଅରିଂ ପଢିପାରୁ ନାହାନ୍ତି। ଚାକିରୀରେ ୧୧.୨୫% ସଂରକ୍ଷଣ ଅଛି, କିନ୍ତୁ ୨୭% ସଂରକ୍ଷଣ ମିଳିବା କଥା। କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର OBC ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର କରି ଦେଉଛନ୍ତି। ଶିକ୍ଷା ସଂରକ୍ଷଣ ଓ ଚାକିରୀ ସଂରକ୍ଷଣ ୨୭ ପ୍ରତିଶତ କରିବାକୁ ଦାବି କରିଛି ବିଜେଡି।

ଦଳ କହିଛି, ମୁଖ୍ୟମନ୍ତ୍ରୀ ନିଜକୁ ଜଗନ୍ନାଥ କହିବା ପରିବର୍ତ୍ତେ, ମାନବ ଭିତ୍ତିକ ସେବା ପାଇଁ ସଂରକ୍ଷଣ କରନ୍ତୁ। ନବୀନ ପଟ୍ଟନାୟକ ଏ ଦିଗରେ ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କ ଦ୍ୱାରା ସର୍ଭେ କରିଥିଲେ। ବିଜେପି ସରକାର ଏହାକୁ ପ୍ରକାଶ କରନ୍ତୁ ବୋଲି ଦାବି କରିଛି ବିଜେଡି। OBC ଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନେକ କାର୍ଯ୍ୟକ୍ରମ ହୋଇଛି। ସାରା ଦେଶରେ ନବୀନ ପଟ୍ଟନାୟକ ଉଦାହରଣ ସୃଷ୍ଟି କରିଛନ୍ତି। କିନ୍ତୁ ଅନ୍ୟ ମୁଣ୍ଡରେ ଦୋଷ ଦେଇ ଯଦି ଖସିବାକୁ ଭାବୁଛି ବିଜେପି ସରକାର। ସରକାରକୁ ଆସିବା ପରେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଅଭିଯୋଗ କରିଛି ବିଜେଡି।