ରାଞ୍ଚି : ଆଜି ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାରର ଶେଷ ଦିନ। ଆସନ୍ତା ୧୩ରେ ହେବ ଭୋଟ। ୮୧ ଆସନ ମଧ୍ଯରୁ ପ୍ରଥମ ପର୍ଯ୍ୟାୟରେ ୪୩ ଆସନରେ ହେବ ଭୋଟ। ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ଯରେ ଅଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ଷଢେଇକଳାରୁ ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନ। ଘଟଶିଳାରୁ ଲଢୁଛନ୍ତି ଚମ୍ପାଇଙ୍କ ପୁଅ ବାବୁଲାଲ ସୋରେନ। ପୋଟକାରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା। ଜାମସେଦପୁର ପୂର୍ବ ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ରାଜ୍ଯପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର। ସେହିପରି ଜଗନ୍ନାଥପୁର ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା। ରାଞ୍ଚିରୁ ଲଢୁଛନ୍ତି ଜେଏମଏମ ହେଭିୱେଟ ମହୁଆ ମାଜି। ଏହି ନିର୍ବାଚନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ମୈୟା ସମ୍ମାନ ଯୋଜନା, ଖାଦ୍ଯ ନିରାପତ୍ତା ଗ୍ଯାରେଣ୍ଟି, ଶିକ୍ଷାର ଗ୍ଯାରେଣ୍ଟି, ନିଯୁକ୍ତି ଓ ସ୍ବାସ୍ଥ୍ଯ ନିରାପତ୍ତା ଗ୍ଯାରେଣ୍ଟି, କୃଷକ କଲ୍ଯାଣ ଗ୍ଯାରେଣ୍ଟି, ସରନା ଧରମ ସଂହିତା କାର୍ଯ୍ୟକାରୀ ଗ୍ଯାରେଣ୍ଟି ଆଦି ଦିଆଯାଇଛି। ସେହିପରି ଏନଡିଏ ପକ୍ଷରୁ ଦିଆଯାଇଛି ମାଳମାଳ ପ୍ରତିଶ୍ରୁତି। ପ୍ରତି ମହିଳାଙ୍କ ନିକଟକୁ ଯିବ ୨ ହଜାର ୧୦୦ ଟଙ୍କା, ୫ଶହ ଟଙ୍କାରେ ପ୍ରତି ପରିବାରକୁ ଏଲପିଜି ସିଲିଣ୍ଟର ଆଦି ପ୍ରତିଶ୍ରୁତି ଦିଆଯାଇଛି।
‘ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁଙ୍କର ମସ୍ତିଷ୍କ ଠିକରେ ବିକାଶ ହେଉନି’
ନନ୍ଦିଘୋଷ ବ୍ୟୁରୋ : ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁଙ୍କର ମସ୍ତିଷ୍କ ଯେମିତି ବିକାଶ ହେବା କଥା ହେଉନି। ବଡ଼ ହେଲେ ଉଚ୍ଚଶିକ୍ଷାରେ ହେଉଛନ୍ତି ଅସଫଳ । ରୋଜଗାର କରିବାରେ ବି ସକ୍ଷମ ହେଉନାହାନ୍ତି । ପ୍ରି-ଟର୍ମ ଶିଶୁଙ୍କ ଉପରେ ଗବେଷଣା କରି ଏପରି ନୂଆ ତଥ୍ୟ ଆବିଷ୍କାର କରିଛନ୍ତି କାନାଡ଼ା ଶିଶୁ ହସ୍ପିଟାଲ ବୈଜ୍ଞାନିକ । ୧୯୯୦ରୁ ୧୯୯୬ ଭିତରେ ଜନ୍ମ ନେଇଥିବା ୨୪ ଲକ୍ଷ ଶିଶୁଙ୍କର ବ୍ୟବହାର ଅନୁଶୀଳନ କରାଯାଇଥିଲା। ସେମାନେ ୨୦ରୁ ୩୦ ବର୍ଷ ବୟସରେ ପହଞ୍ଚିବା ପରେ ଉଚ୍ଚଶିକ୍ଷାରେ ଫେଲ୍ ମାରୁଛନ୍ତି । ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ଏଭଳି ଶିଶୁ ବଡ଼ ହେଲେ ସେମାନଙ୍କ ଭିତରୁ ମାତ୍ର ୧୬ ପ୍ରତିଶତ ସ୍ନାତକ ଡିଗ୍ରୀ ହାସଲ କରିବାରେ ସମର୍ଥ ହେଉଛନ୍ତି। ଭଲ ଚାକିରି ପାଉନାହାନ୍ତି କି ଅନ୍ୟ ରୋଜଗାର ପନ୍ଥା ବି ଆପଣାଇ ପାରୁନାହାନ୍ତି । ଏପରିକି ଜୀବନରେ ଆସୁଥିବା ବାଧା ବିଘ୍ନକୁ ମଧ୍ୟ ସାମ୍ନା କରିପାରୁନାହାନ୍ତି । ଶିଶୁ ରୋଗ ବିଶେଷଜ୍ଞଙ୍କ ମତରେ ଗର୍ଭାବସ୍ଥାର ୩୭ ସପ୍ତାହ ପୂର୍ବରୁ ଜନ୍ମନେଉଥିବା ଶିଶୁଙ୍କ ପ୍ରି-ମେଚିୟୋର୍ ଶିଶୁ କୁହାଯାଏ । ବିଶେଷକରି ଯେଉଁ ମା’ଙ୍କର ଗର୍ଭାବସ୍ଥାରେ ରକ୍ତଚାପ ଓ ମଧୁମେହ ରୋଗ ଥିବ, ସେସବୁ ମା’ଙ୍କର ଛୁଆ ସମୟ ପୂର୍ବରୁ ଜନ୍ମ ନେବା ସମ୍ଭାବନା ଅଧିକ । ଏବର ଜୀବନଶୈଳୀ ଓ ଅସନ୍ତୁଳିତ ଆହାର ଯୋଗୁ ଏପରି ଗର୍ଭବତୀଙ୍କ ସଂଖ୍ୟା ବଢିଚାଲିଛି। ଯଦି ନିୟମିତ ଡାକ୍ତରଙ୍କ ପରାମର୍ଶ ନ ନିଆଯାଏ, ତାହେଲେ ପ୍ରି-ଟର୍ମ ଶିଶୁ ଜନ୍ମ ହୋଇଥାନ୍ତି।
ଗର୍ଭଧାରଣର ୨୪ରୁ ୨୭ ସପ୍ତାହରେ ଜନ୍ମ ହେଉଥିବା ଶିଶୁଙ୍କ ଅବସ୍ଥା ସାଂଘାତିକ ହୋଇଥାଏ। ଏପରି ଶିଶୁଙ୍କ ବଞ୍ଚିବା ଆଶା କମ୍। ଯଦି ବା ବଞ୍ଚନ୍ତି, ତାହେଲେ ସେମାନେ ବଡ଼ ହେବା ମାତ୍ରେ ମାନସିକ ସ୍ଥିତି ଭଲ ରହେନି। ଏଭଳି ଶିଶୁଙ୍କୁ ଚିକିତ୍ସା କରିବା ଜଟି। ଜନ୍ମ ହେବାର ୫ ବର୍ଷ ପରେ ମାନସିକ ରୋଗ ବିଶେଷଜ୍ଞଙ୍କ ଚିକିତ୍ସାରେ ରଖିବା ଦରକାର। ନିୟମିତ ଔଷଧ ଖାଇଲେ ସେମାନଙ୍କ ମସ୍ତିଷ୍କର ସନ୍ତୁଳନ ଆସିବାରେ କିଛିଟା ସହାୟକ ହୋଇପାରିବ ।
ସମୟ ପୂର୍ବରୁ ଜନ୍ମ ନେଉଥିବା ଶିଶୁଙ୍କର ମଧ୍ୟ ସମ୍ମାନର ସହ ବଞ୍ଚିବାର ପୂର୍ଣ୍ଣ ଅଧିକାର ରହିଛି । ସେମାନଙ୍କୁ ସୁସ୍ଥ ନାଗରିକ କରି ଗଢ଼ି ତୋଳିବା ପାଇଁ ସରକାରଙ୍କ ନୀତି ନିର୍ଦ୍ଧାରକ ଏବେଠୁ ଗୁରୁତର ସହ ବିଚାର କରିବା ଦରକାର।
‘ଦୁଷ୍କର୍ମ ଅଭିଯୁକ୍ତ ବିଜେପି ନେତା ହୋଇଥିବାରୁ ହେଉନି କାର୍ଯ୍ୟାନୁଷ୍ଠାନ’
ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୁକ୍ତ ବିଜେପି ନେତା ହୋଇଥିବାରୁ ହେଉନି କାର୍ଯ୍ୟାନୁଷ୍ଠାନ। ଏପରି ସଂଗୀନ ଅଭିଯୋଗ ଆଣିଛି ବିଜେଡି। ଗତ ୭ ତାରିଖରେ ବାଲେଶ୍ଵଲ ଜିଲ୍ଲା ନୀଳଗିରି ଧୋବଶିଳାରେ ବାଲେଶ୍ୱର ସାଂସଦଙ୍କ ପଞ୍ଚାୟତର ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଥିଲା। ମହିଳା ଜଣକ ଅଭିଯୋଗ କରିବା ପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମର ଅଭିଯୁକ୍ତ ଜଣକ ହେଉଛି ବିଜେପି କର୍ମୀ। ତେଣୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଘଟଣାର ଅନୁଧ୍ୟାନ କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ରାଜ୍ୟ ସରକାର ଉପରେ ବର୍ଷିଛି ବିଜେଡି।
ଆଉ ମାତ୍ର ଚାରିଦିନ, ଐତିହାସିକ ବାଲିଯାତ୍ରାକୁ ନେଇ ଉଠିବ ପଡିବ କଟକ
କଟକ: କିଛି ଦିନ ପରେ ଐତିହାସିକ ବାଲିଯାତ୍ରା। ରଙ୍ଗୀନ ହୋଇ ଉଠିବ କଟକ ନଦୀକୂଳ। ଐତିହାସିକ ବାଲିଯାତ୍ରାର ମଜା ଉଠାଇବେ କଟକିଆଙ୍କ ସହ ସାରା ଓଡ଼ିଶାବାସୀ। ଏବେଠୁ ଯାତ୍ରା ପାଇଁ ଚାରିଆଡେ ଚାଲିଛି ଜୋରସୋରରେ ପ୍ରସ୍ତୁତି। ମଝିରେ ଚାରିଦିନ ଥିବାରୁ ପ୍ରଶାସନ ପକ୍ଷରୁ ବାଲିଯାତ୍ରାର ପ୍ରଚାର-ପ୍ରସାର ପାଇଁ ସହରର ବିଭିନ୍ନ ପ୍ରବେଶ ପଥରେ ବଡ ବଡ ତୋରଣ ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହୋଡିଂ ଲଗା ସରିଛି । ସେପଟେ ଉପର ଓ ତଳ ବାଲିଯାତ୍ରା ପଡିଆରେ ନୌକାଗେଟ ସଫା କାମ, କଟକ ଇନ କଟକର ସୌନ୍ଦର୍ଯ୍ୟକରଣ, ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚ ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏଥି ସହିତ ବ୍ଯବସାୟୀ ଭାଇମାନେ ସେମାନଙ୍କ ଷ୍ଟଲ ନିର୍ମାଣ କାମରେ ଲାଗିଛନ୍ତି। କେବଳ ସେତିକି ନୁହେଁ ବଡ ବଡ ଦୋଳି ସାଙ୍ଗକୁ ନୂଆ ନୂଆ ଦୋଳି ଆଇଟମ ନେଇ ଆସିଥିବା ବ୍ଯବସାୟୀମାନେ ଦୋଳି ଲଗାଉଛନ୍ତି । ପ୍ରଶାସନ ପକ୍ଷରୁ ଓରମାସର ୩୫୦ ଷ୍ଟଲ ପାଇଁ ସୁନ୍ଦର ଓ ସ୍ବତନ୍ତ୍ର କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି।
ଏଥର ବାଲିଯାତ୍ରାକୁ ଅନନ୍ତ ଦୁନିଆ ଭଳି ନୂଆ ଆଇଟମ, ସୁନାମୀ ଦୋଳି ଓ ଅନେକ ନୂଆ ଜିନିଷ ଆସିଛି । ଏଥି ସହିତ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ଆଠ ଦିନରେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବଲିଉଡରୁ ସୋନୁ ନିଗମ ଓ ଅନ୍ଯ କଳାକାର ମାନେ ଏଥିରେ ସାମିଲ ହୋଇ ଦର୍ଶକଙ୍କ ମନ ମୋହିବେ। ଅନ୍ୟପଟେ ବାଲିଯାତ୍ରା ର୍ପୂବରୁ ନଦୀକୂଳ ପଡିଆକୁ ଛାତ୍ରଛାତ୍ରୀ ମାନେ ସଫା କରିଛନ୍ତି ।
ଆଉ ଦିନେ ଦୁଇଦିନ ମଧ୍ଯରେ ସବୁ ପ୍ରସ୍ତୁତି ଶେଷ ହୋଇ ଯିବା ପରେ ୧୫ ରୁ ଜମିବ ଐତିହାସିକ କଟକ ବାଲିଯାତ୍ରା।
ସରଗରମ ହେଉଛି ଝାଡଖଣ୍ଡ ରାଜନୀତି, ଏଥର ମଇଦାରେ ମୁହାଁମୁହିଁ ହେବେ ଗୋଟିଏ ପରିବାରର ଦୁଇ ବୋହୂ
ନନ୍ଦିଘୋଷ ବ୍ୟୁରୋ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ମଧ୍ୟ ସେତିକି ସରଗରମ ହେଉଛି। ମୋଟ ୮୧ଟି ସିଟ୍ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ସେଥିମଧ୍ୟରୁ ଧନବାଦ୍ ଜିଲ୍ଲାର ଝାରିଆ ବିଧାନସଭା ଆସନ ଏକ ପ୍ରମୁଖ ଯୁଦ୍ଧ କ୍ଷେତ୍ର ଭାବରେ ଉଭା ହୋଇଛି। ଏହି ଅଞ୍ଚଳରେ ସୂର୍ଯ୍ୟ ଦେବ ସିଂ ବା ‘ସିଂ ମାନସ’ ଦୀର୍ଘ ଦିନ ଧରି ପ୍ରାଧାନ୍ୟ ବିସ୍ତାର କରିଆସୁଛନ୍ତି। ସୂର୍ଯ୍ୟ ଦେବ ସିଂ, ତାଙ୍କ ଭାଇ ବଚ୍ଚା ସିଂ, ସୂର୍ଯ୍ୟଦେବ ସିଂଙ୍କ ପତ୍ନୀ କୁନ୍ତୀ ଦେବୀ ଏବଂ ପୁଅ ସଞ୍ଜୀବ ସିଂ ସମସ୍ତେ ଝାରିଆରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ତେବେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପୂର୍ଣ୍ଣିମା ସିଂ ସଞ୍ଜୀବ ସିଂଙ୍କ ପତ୍ନୀ ଏବଂ ବିଜେପି ପ୍ରାର୍ଥୀ ରାଗିଣୀ ସିଂଙ୍କୁ ପରାସ୍ତ କରିଥିଲେ।
ଏଥର ମଧ୍ୟ ମଇଦାରେ ମୁହାଁମୁହିଁ ହେଉଛନ୍ତି ଏହି ପରିବାରର ଦୁଇ ବୋହୂ। ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଗିଣୀ ସିଂ। ଏବଂ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ଣ୍ଣିମା ସିଂ। ରାଗିଣୀ ସିଂ ହେଉଛନ୍ତି ପୂର୍ବତନ ଝରିଆ ବିଧାୟକ ସୂର୍ଯ୍ୟ ଦେବ ସିଂଙ୍କ ପୁଅ ତଥା ପୂର୍ବତନ ବିଧାୟକ ସଞ୍ଜୀବ ସିଂଙ୍କ ପତ୍ନୀ। ପୂର୍ଣ୍ଣିମା ସିଂ ହେଉଛନ୍ତି ସୂର୍ଯ୍ୟଦେବ ସିଂଙ୍କ ସାନଭାଇ ରାଜନ ସିଂଙ୍କ ବୋହୂ। ଏହି ବିଧାନସଭା ନିର୍ବାଚନରେ ଜରିଆରେ ସିଂ ମାନସଙ୍କ ବୋହୂ ପରସ୍ପର ବିରୋଧରେ ଲଢେଇ କରିଛନ୍ତି । ଚାରି ଦଶନ୍ଧି ଧରି ସିଂ ମାନସ ପରିବାର ଝରିଆ ବିଧାନସଭା ଆସନ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ୨୦୦୯ ପର୍ଯ୍ୟନ୍ତ ପରିବାର ଏକତ୍ର ନିର୍ବାଚନ ଲଢିଥିଲେ । ୨୦୧୪ ନିର୍ବାଚନରେ ସୂର୍ଯ୍ୟ ଦେବ ସିଂଙ୍କ ପୁଅ ସଞ୍ଜୀବ ସିଂ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ରାଜନ ସିଂଙ୍କ ପୁଅ ନୀରଜ ସିଂ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ସଞ୍ଜୀବ ସିଂ ଜିତିଥିଲେ । ତେବେ ୨୦୧୭ ରେ ନୀରଜ ସିଂଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ଝରିଆରୁ ବିଧାୟକ ଭାବରେ ନିଯୁକ୍ତ ହୋଇଥିବା ସଞ୍ଜୀବ ସିଂଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ଚଳିତ ନିର୍ବାଚନରେ ବିଜେପି ରାଗିଣୀ ସିଂଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଧାୟକ ପୂର୍ଣ୍ଣିମା ସିଂଙ୍କୁ କଂଗ୍ରେସ ଟିକେଟ ଦେଇଛି। ୧୯୭୭ ମସିହାରେ ଜରିଆରୁ ସୂର୍ଯ୍ୟ ଦେବ ସିଂ ଜିତିଥିଲେ। ସେ ଲଗାତାର ଚାରିଥର ଏଠାରୁ ବିଜୟୀ ହୋଇଥିଲେ। ତାଙ୍କ ଅନୁସରଣ କରି ତାଙ୍କ ଭାଇ ବଚ୍ଚା ସିଂ ୨୦୦୦ ରେ ଝରିଆରୁ ବିଧାୟକ ହୋଇଥିଲେ । ୨୦୦୫ ଏବଂ ୨୦୦୯ ମସିହାରେ ସୂର୍ଯ୍ୟ ଦେବ ସିଂଙ୍କ ପତ୍ନୀ କୁନ୍ତୀ ଦେବୀ ବିଜେପି ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ । ୨୦୧୪ ରେ ସୂର୍ଯ୍ୟ ଦେବ ସିଂଙ୍କ ପୁଅ ସଞ୍ଜୀବ ସିଂ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।
ସମୁଦ୍ରରେ ଗାଧୋଇବା ବେଳେ ଯୁବକ ନିଖୋଜ
ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ହୋଇଗଲେ ଯୁବକ। ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଲାଇଫ ଗାର୍ଡମାନେ ସମୁଦ୍ର ଭିତରେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ନିଖୋଜ ଯୁବକଙ୍କ ପତ୍ତା ମିଳିପାରି ନାହିଁ। ନିଖୋଜ ହୋଇଥିବା ଯୁବକ ଜଣକ ହେଉଛନ୍ତି ଭଦ୍ରକ ଅଞ୍ଚଳର ଆୟୁଷ ମହାପାତ୍ର। ରବିବାର ସକାଳେ ଆୟୁଷ ତାଙ୍କ ସାଙ୍ଗ ମାନଙ୍କ ସହ ପୁରୀ ବୁଲିବାକୁ ଆସିଥିବା ବେଳେ ସମୁଦ୍ରରେ ସ୍ନାନ କରୁଥିଲେ। ତେବେ ଏକ ବଡ଼ ଲହଡ଼ି ଆସିବା ଯୋଗୁ ଗଭୀର ସମୁଦ୍ର ଭିତରକୁ ଆୟୁଷ ଚାଲି ଯାଇଥିଲେ। ସେଠାରେ ତାଙ୍କ ସାଙ୍ଗମାନେ ଚିତ୍କାର କରିବା ସହ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦୀର୍ଘ ସମୟ ଧରି ସମୁଦ୍ର ଭିତରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଆୟୁଷଙ୍କର କୌଣସି ପତ୍ତା ମିଳି ପାରିନଥିଲା।
ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲ୍ଲାକୁ ଗିରଫ କରିଛି କାନାଡା ପୋଲିସ
ନନ୍ଦିଘୋଷ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀକୁ କାନାଡା ପୋଲିସ ଗିରଫ କରିଛି । ଭାରତର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ସାମିଲ ଥିଲା ଅର୍ଶ ଡାଲ୍ଲା। ସୂଚନା ଅନୁଯାୟୀ, କନାଡାରେ ୨୭ କିମ୍ୱା ୨୮ ନଭେମ୍ୱରରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ସ୍ଥାନୀୟ ପୋଲିସ ଗିରଫ କରିଛି । ଏଥିରେ ଅର୍ଶ ଡାଲ୍ଲା ସାମିଲ ଥିଲେ ।
ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ସୂଚନା ଅନୁୟାୟୀ, ଗ୍ୟାଙ୍ଗଷ୍ଟର ଅର୍ଶ ଡାଲ୍ଲା ଭାରତର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବାବେଳେ ସେ ଫେରାର ଥିଲା । ଫେରାର ପରେ କାନାଡାରେ ସେ ତାର ପତ୍ନୀ ସହ ରହୁଥିଲା । ନିକଟରେ ଗୁଳିକାଣ୍ଡ ଘଟଣାରେ ହାଲଟନ ରିଜନାଲ ପୋଲିସ ସର୍ଭିସ ଯାଞ୍ଚ କରୁଥିଲା। ଏହି ଘଟଣାରେ ପୋଲିସ ଅର୍ଶ ଡାଲ୍ଲାଙ୍କୁ ଗିରଫ କରି ପଚରାଉଚରା କରୁଛି ।
ଅପରପକ୍ଷରେ ରବିବାର ସକାଳେ ପଞ୍ଜାବ ଫରିଦକୋଟରେ ମଧ୍ୟ ତାଙ୍କର ଦୁଇ ଜଣ ସାଥିଙ୍କୁ ଗିରଫ କରାଯାଇଥିଲା। ଏହି ଦୁଇ ସୁଟର ମଧ୍ୟ ଗ୍ୟାଙ୍ଗଷ୍ଟର ଅର୍ଶ ଡାଲ୍ଲାଙ୍କ ନିର୍ଦ୍ଦେଶରେ ଗ୍ୱାଲିଅରରେ ଜସୱନ୍ତ ସିଂ ଗିଲଙ୍କୁ ହତ୍ୟା କରିଥିଲେ। ପଞ୍ଜାବ ପୋଲିସର ଡିଜିପି ଏହି ସୂଚନା ଦେଇଛନ୍ତି।

