spot_img
Home Blog Page 1506

‘ସ୍କ୍ରବ ଟାଇଫସର ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନିଅନ୍ତୁ’

ଭୁବନେଶ୍ୱର: ରାଜ୍ୟରେ ଏବେ ସ୍କ୍ରବ ଟାଇଫସ ଭୟ। ସ୍କ୍ରବ ଟାଇଫସ ରୋଗନେଇ ସମୀକ୍ଷା ବୈଠକ ହୋଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଓ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି। ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ରୋଗର ସାମ୍ପ୍ରତିକ ପରିସ୍ଥିତି ବିଶେଷକରି ସ୍କ୍ରବ ଟାଇଫସ ରୋଗର କାରଣ ଓ ଏହାର ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି ।
ସ୍କ୍ରବ ଟାଇଫସ ଏକ ପ୍ରକାର କୀଟ କାମୁଡ଼ିବା ଯୋଗୁଁ ହୋଇଥାଏ। ଜ୍ୱର, ମୁଣ୍ଡବିନ୍ଧା, ଶରୀରପୀଡ଼ା, ଦେହରେ ଲାଲ ଲାଲ ହୋଇ ଫଳିଯିବା ହେଉଛି ସ୍କ୍ରବ ଟାଇଫସର ଲକ୍ଷଣ। ଏହି ସବୁ ଲକ୍ଷଣ ଦେଖାଗଲେ କିମ୍ବା ଜ୍ୱର ବହୁତଦିନ ଧରି ଲାଗିରହିଲେ ଜିଲ୍ଲା ଜନସ୍ୱାସ୍ଥ୍ୟ ପରୀକ୍ଷାଗାରରେ ରକ୍ତ ପରୀକ୍ଷା କରି ରୋଗ ନିରୂପଣ କରାଯାଇପାରିବ। ଠିକ ସମୟରେ ଚିକିତ୍ସା କରାଗଲେ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇପାରିବ। ରାଜ୍ୟରେ ରୋଗ ନ ବଢିବା ପାଇଁ ଜନସଚେତନତାକୁ ବ୍ୟାପକ କରିବା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।

ଆଜିଠୁ ତିନି ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଯାଞ୍ଚ

ପୁରୀ: ଆଜିଠୁ ୩ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ କରିବ ASIର ସ୍ୱତନ୍ତ୍ର ବୈଷୟିକ ଟିମ। ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ରାଡ଼ାର ସର୍ଭେ । ଦିନ ଗୋଟାଏରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଗତ ୧୮ ତାରିଖରେ ASIର ସ୍ୱତନ୍ତ୍ର ବୈଷୟିକ ଟିମ ଦ୍ୱାରା ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ ହୋଇଥିଲା । ଲେଜର ସ୍କାନିଂ କରାଯାଇଥିବା ବେଳେ ରାଡ଼ାର ସର୍ଭେ ନେଇ ବୈଷୟିକ ଟିମ ମତ ରଖିଥିଲା। ASIର ଅତିରିକ୍ତ ଡିଜି ଜାହ୍ନଭି ଶର୍ମାଙ୍କ ନେତୃତ୍ୱରେ କରାଯାଇଥିବା ଯାଞ୍ଚ ଅସମ୍ପୂର୍ଣ୍ଣ ରହିଥିଲା । ଶ୍ରୀମନ୍ଦିରରେ ଷୋଳ ପୂଜାକୁ ନଜରରେ ରଖି ଯାଞ୍ଚ କାର୍ଯ୍ୟ ଆଗାମୀ ୨୪ ତାରିଖ ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା । ଏହାକୁ ଗୁରୁତ୍ବ ଦେଇ ଆଜିଠୁ ତିନି ଦିନ ପର୍ଯ୍ୟନ୍ତ ଯାଞ୍ଚ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ସମ୍ପୂର୍ଣ୍ଣ ରାଡ଼ାର ସର୍ଭେ ପରେ ଭଣ୍ଡାର ଗୃହର ସଂରକ୍ଷଣ, ମରାମତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବ ଟିମ୍ । ମହାପ୍ରସାଦ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ । ଭଣ୍ଡାର ଘରେ ଗୁପ୍ତ ସୁଡ଼ଙ୍ଗ ପ୍ରସଙ୍ଗରେ ଯାଞ୍ଚ ପରେ ସ୍ପଷ୍ଟ ହୋଇ ପାରିବ । ଅନ୍ୟପକ୍ଷରେ ରିପୋର୍ଟ ମିଳିବ ପରେ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁସାରେ ଶୀଘ୍ର ମରାମତି ସହ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ।

ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ: ହେଜବୁଲ୍ଲାର ଜଣେ ଟପ୍ କମାଣ୍ଡର ନିହତ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଥମିବାରେ ନାଁ ନେଉନି ଯୁଦ୍ଧ । ବରଂ ଆହୁରି ଘନେଇବାରେ ଲାଗିଛି ବିବାଦ। ଇସ୍ରାଏଲର ଆକ୍ରମଣରେ ହେଜବୁଲ୍ଲାର ଟପ୍ କମାଣ୍ଡର ନିହତ। ଲେବାନନ ରାଜଧାନୀରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣରେ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାର ଜଣେ ଟପ୍ କମାଣ୍ଡର ଇବ୍ରାହିମ ଅକିଲ୍ ନିହତ ହୋଇଛି। ଏହା ଉଭୟ ଇସ୍ରାଏଲ ଓ ଲେବାନନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ତେବେ ଲେବାନନ କହିଛି, ଏହି ଆକ୍ରମଣରେ ଆହୁରି ୮ ଜଣଙ୍କ ମୃତ୍ୟୁ ହେବା ସହିତ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ ତରଫରୁ କୁହାଯାଇଛି, ଏହା ଟ୍ରାର୍ଗେଟେଡ୍ ଷ୍ଟ୍ରାଇକ୍ ଥିଲା। ଗତ ବର୍ଷ ଅକ୍ଟୋବରରେ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରଠୁ ଲେବାନନ ଉପରେ ଏହା ହେଉଛି ଇସ୍ରାଏଲର ତୃତୀୟ ଆକ୍ରମଣ। ଯାହାକି ରାଜଧାନୀ ବିରୁଟର ଦକ୍ଷିଣାଞ୍ଚଳରେ ହୋଇଛି। ଇସ୍ରାଏଲ ଏବେ ଗାଜା ଅପେକ୍ଷା ଲେବାନନକୁ ଅଧିକ ଟାର୍ଗେଟ କରୁଛି। ଏହା ଆଗରୁ ମଧ୍ୟ ହେଜବୁଲ୍ଲାର ଜଣେ ଟପ୍ କମାଣ୍ଡରକୁ ହତ୍ୟା କରିଥିଲା। କିଛି ଦିନ ମଧ୍ୟରେ ପେଜର୍ ଓ ୱାକି ଟକି ବ୍ଳାଷ୍ଟ କରାଇ ଅନେକ ହେଜବୁଲ୍ଲା ଆତଙ୍କବାଦୀଙ୍କୁ ମାରିଛି ଇସ୍ରାଏଲ। ଏହାର ପ୍ରତିଶୋଧ ନିଆଯିବ ବୋଲି କହିଛି ହେଜବୁଲ୍ଲା। ଶୁକ୍ରବାର ହେଜବୁଲ୍ଲା ଇସ୍ରାଏଲ ଉପରେ ଅନେକ ରକେଟ ମାଡ଼ କରିଥିଲା।

ଆଜିଠୁ କାମରେ ଯୋଗେ ଦେବେ ପଶ୍ଚିମବଙ୍ଗ ଡାକ୍ତର

ଭୁବନେଶ୍ୱର: ଆଜିଠାରୁ କାର୍ଯ୍ୟରେ ଯୋଗ ଦେବେ ପଶ୍ଚିମବଙ୍ଗର ଜୁନିଅର ଡାକ୍ତର। ଶୁକ୍ରବାର ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଘୋଷଣା କରିଥିଲେ। ୪୨ ଦିନ ଧରି ଯେଉଁ କାର୍ଯ୍ୟବନ୍ଦ ଚାଲିଥିଲା, ତାହା ଶେଷ ହୋଇଛି। ଶୁକ୍ରବାର ସେମାନେ ସିବିଆଇ ଅଫିସକୁ ଏକ ଶୋଭାଯାତ୍ରାରେ ଯାଇଥିଲେ। ତୁରନ୍ତ ତଦନ୍ତ ଶେଷ କରି ଦୋଷୀକୁ ଦଣ୍ଡ ମିଳୁ ବୋଲି ଦାବି କରିଥିଲେ। ଏହା ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କଥା ଘୋଷଣା କରିଥିଲେ।

ତଥାପି ଜୁନିଅର ଡାକ୍ତର କହିଛନ୍ତି, ଓପିଡିରେ କାମ କରିବେ ନାହିଁ। କେବଳ ଜରୁରୀ ସେବାରେ ଯୋଗ ଦେବେ। ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ପୂରଣ ନକଲେ ପୁଣି ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଆର ଜି ମେଡିକାଲ କଲେଜର ଜଣେ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ବର୍ବର ହତ୍ୟା ପରଠୁ ନ୍ୟାୟ ଦାବିରେ ଜୁନିଅର ଡାକ୍ତର ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ସାରା ପଶ୍ଚିମବଙ୍ଗକୁ ବ୍ୟାପିଥିଲା। ସାଧାରଣ ଲୋକେ ବି ଯୋଗ ଦେଇଥିଲେ। ବେଶ ଅଡୁଆରେ ପଡ଼ିଥିଲେ ମମତା ବାନାର୍ଜୀ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, ସିବିଆଇ ତଦନ୍ତ, ମୁଖ୍ୟମନ୍ତ୍ରୀଙ୍କ ସହିତ ବାରମ୍ବାର ଆଲୋଚନା, ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ପରେ ବି ସେମାନେ ନରମିନଥିଲେ। ସବୁ ଦାବି ପୂରଣ, ପୀଡ଼ିତାଙ୍କୁ ନ୍ୟାୟ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳି ପରେ ମାନିଛି ଡାକ୍ତର ସଂଘ ଏବଂ ଆଜିଠାରୁ କାର୍ଯ୍ୟରେ ସେମାନେ ଯୋଗ ଦେବେ।

ଭରତପୁର ଥାନା ଘଟଣା: ଆଜି ରାଜଭବନ ଆଗରେ ବିଜେଡିର ପ୍ରତିବାଦ

ଭୁବନେଶ୍ୱର: ଭରତପୁର ଥାନାରେ କ୍ୟାପଟେନ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ପୋଲିସର ବର୍ବରତାକୁ ବିରୋଧ କରି ଆଜି ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେଡି । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବ ।

ବିଜେଡି ଦଳ ଅଭିଯୋଗ କରିଛି ଯେ, ରାଜ୍ଯରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା ସ୍ଥିତି। ସେଥିପାଇଁ ଜଣେ ସେନା ଅଧିକାରୀଙ୍କୁ ଥାନାରେ ମାଡ଼ ମରାଗଲା, ଜଣେ ସେନା ଅଧିକାରୀଙ୍କ ଝିଅଙ୍କୁ ଥାନାରେ ଅସଦାଚରଣ କରିଛନ୍ତି ନିଜେ ଆଇଆଇସି। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି। ରାଜ୍ୟପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଯଦି ସରକାର କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ତେବେ ଏହି କ୍ୟାପଟେନ୍ ଓ ବାନ୍ଧବୀ ଘଟଣା ଘଟିନଥାନ୍ତା ବୋଲି ଦଳ କହିଛି।

ସେପଟେ ଭରତପୁର ଥାନାରେ ନିର୍ଯାତନା ପ୍ରତିବାଦରେ ଭୁବନେଶ୍ବର ପୋଲିସ କମିଶନର ଅଫିସ ଆଗରେ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଧାରଣା। ନ୍ୟାୟ ମିଳିବା ପର୍ଯ୍ଯନ୍ତ ଧାରଣା ଦେବେ ବୋଲି କହିଛନ୍ତି ମନ୍ମଥ। ଏହି ଜଘନ୍ୟକାଣ୍ଡରେ ସଂପୃକ୍ତ ଥିବା ଆଇଆଇସି ଓ ୪ ଜଣ ପୋଲିସ କର୍ମୀଙ୍କୁ ଚାକିରିରୁ ବହିଷ୍କାର କରି ଜେଲ ପଠାଯାଉ ବୋଲି ଦାବି ହୋଇଛି। ସାମାଜିକ କର୍ମୀ ଇନ୍ଦୁଜା ଉପାଧ୍ୟାୟଙ୍କ ନେତୃତ୍ଵରେ କିଛି ସାମାଜିକ କର୍ମୀ ମଧ୍ୟ ଧାରଣା ଦେଇଛନ୍ତି।

ଅନ୍ୟପଟେ କ୍ୟାପଟେନ ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଓ ଯୌନ ଉତ୍ପୀଡନକୁ ନେଇ ରାଜ୍ୟଠୁ ଆରମ୍ଭ କରି ସାରା ଦେଶରେ ହଇଚଇ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ତୀବ୍ର ଦାବି ହୋଇଛି। ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ପୋଲିସ ଅଟକ ରଖିଥିବା ବେଳେ, ୫ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଘଟଣାରେ ସଂପୃକ୍ତ ଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଜୁଡିସିଆଲ ତଦନ୍ତ ଦାବି ହୋଇଛି। କ୍ରାଇମବ୍ରାଞ୍ଚ ମୂଳ ମାମଲା ନେଇ ଖୋଳତାଡ଼ ଆରମ୍ଭ କରି ଚନ୍ଦକା ଥାନାରେ ପହଞ୍ଚିବା ପରେ ୭ ଜଣଙ୍କୁ ଉଠାଇ ଆଣିଛି । ଯେଉଁ ଗାଡ଼ିରେ ବୁଲିବା ସହ ପଥରଗାଡ଼ିଆ ରାସ୍ତାରେ ହଲ୍ଲାବୋଲ ଡାକରା ଦେଇଥିଲେ ଅଭିଯୁକ୍ତ ସେହି ଗାଡିକୁ ମଧ୍ୟ ପୋଲିସ ଜବତ କରିଛି।

‘ଉଇ କେୟାର, ଉଇ ଡେୟାର’ ନାରା ଦେଉଥିବା କମିଶନରେଟ ପୋଲିସ ଏବେ ସାରା ଦେଶରେ ବଦନାମ ହୋଇଛି । ଏଠି ପ୍ରଶ୍ନ ଉଠୁଛି, ୭ ଜଣ ରୋଡ ରୋମିଓଙ୍କୁ ଅଟକ ରଖାଯାଇଥିବା ବେଳେ, ସଂପୃକ୍ତ ୫ ପୋଲିସ କର୍ମଚାରୀଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ। ଏହି ଘଟଣା ଏବେ ସୋସିଆଲ ସାଇଟ ଏକ୍ସରେ ଟ୍ରେଣ୍ଡ କରୁଥିବା ବେଳେ, ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଆକ୍ସନ ନେବାକୁ ଶାଣିତ ହୋଇଛି ସ୍ବର।

ଅତନୁ ସବ୍ୟସାଚୀ ନାୟକଙ୍କ ‘ମୋ ଜୀବନ ମୋ ସମୟ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଭୁବନେଶ୍ୱର ହୋଟେଲ  କ୍ରାଉନ୍ ରେ ଅତନୁ ସବ୍ୟସାଚୀ ନାୟକଙ୍କ ଲିଖିତ ପୁସ୍ତକ ମୋ ଜୀବନ ମୋ ସମୟ ପୁସ୍ତକ ଉନ୍ମୋଚିତ ହୋଇଛି। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି। ସମ୍ମାନୀତ ଅତିଥି ଭାବରେ ଦି ନିୟୁ ଇଣ୍ଡିଆ ଏକ୍ସପ୍ରେସର ସମ୍ପାଦନା ନିର୍ଦ୍ଦେଶକ ପ୍ରଭୁ ଚାଓ୍ବଲା ଓ ସମାରୋହ ସଭାପତି ଭାବେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଓ ବିଜୁଜନତା ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତରେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କରକମଳରେ “ମୋ ଜୀବନ ମୋ ସମୟ” ପୁସ୍ତକ ଉନ୍ମୋଚିତ କରିଛନ୍ତି। ଏହି ଅବସରରେ ଭାରତର ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ବଲା ନବୀନ ପଟ୍ଟନାୟକ ସରଳ ଜୀବନ ଯାପନ ଶୈଳୀ ଓ ତାଙ୍କ ନେତୃତ୍ଵରେ ଓଡ଼ିଶାର ବିକାଶକୁ ନେଇ ନିଜ ମତ ରଖିଥିଲେ । ଚାଓ୍ବଲା କହିଛନ୍ତି, ୨୫ ବର୍ଷ ଧରି ନବୀନ ପଟ୍ଟନାୟକ ସେମିତି ଧଳା କୁର୍ତ୍ତା ଓ ପାଇଜାମା ପିନ୍ଧି ସେଇ ଖଣ୍ଡେ ଚପଲ ଆଉ ଛୋଟ କାରରେ ଯାଆନ୍ତି ଆଉ ନବୀନ ପଟ୍ଟନାୟକ ଧଳା କୁର୍ତ୍ତା କେବେ କଳା ଛିଟା ପଡିନି । ସେ ବଦଳି ନାହାଁନ୍ତି ସେ ଯେମିତି ଥିଲେ ଆଜି ବି ସେମିତି ଅଛନ୍ତି କିନ୍ତୁ ଓଡ଼ିଶାର ଛବି ବଦଳିଛି । ୧୯୯୯ ମସିହାରେ ମହାବାତ୍ୟା ଓଡ଼ିଶାକୁ ଛାରଖାର କରିଥିଲା କିନ୍ତୁ  ଆଜି ଓଡ଼ିଶାରେ ଅନେକ ବାତ୍ୟା ଆସିଛି କିନ୍ତୁ ଲୋକଙ୍କ ଜୀବନ ଯାଉନି । ଭାରତର ଅନେକ ରାଜ୍ୟ ତୁଳନାରେ ଓଡ଼ିଶା ସବୁ କ୍ଷେତ୍ରରେ ବିକାଶ ହୋଇଛି । ଓଡ଼ିଶା ଯଦି ଭାରତରେ ଓ ବିଶ୍ୱରେ ତାର ସ୍ବତନ୍ତ୍ର ପରିଚୟ ପାଇଛି କେବଳ ନବୀନ ପଟ୍ଟନାୟକଙ୍କ ପାଇଁ ଏହା ସମ୍ଭବ ହୋଇଛି ବୋଲି ପ୍ରଭୁ ଚାଓ୍ବଲା କହିଛନ୍ତି। ଏହାସହ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ ତାଙ୍କ ସରକାର ଓଡ଼ିଶା ବିକାଶ ପାଇଁ ନିରବଚ୍ଛିନ୍ନ ଭାବେ ସେବା କରିବା ସହ ଓଡ଼ିଶା ସ୍ବାର୍ଥ ରକ୍ଷା ପାଇଁ ସର୍ବଦା ତତ୍ପର ଥିବା କହିଛନ୍ତି । ଖାଲି ସେତିକି ନୁହେଁ  ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଶୁ, ମହିଳା, କ୍ରୀଡା ସହ ଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ ଅନେକ ସଫଳ ଯୋଜନା କରି ସମସ୍ତଙ୍କ ଉନ୍ନତି ନିମନ୍ତେ ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି। ସାମ୍ବାଦିକତାରୁ ଅତନୁ ସବ୍ୟସାଚୀ ନାୟକ ରାଜନୀତିକୁ ଆସିଥିଲେ ଏବଂ ଏହି ପୁସ୍ତକଟି ଲେଖି ଥିବାରୁ ନବୀନ ପଟ୍ଟନାୟକ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ । ଦାଶ ବେନହୁର ନବୀନ ପଟ୍ଟନାୟକ  ସେକେଣ୍ଡ ପାରାଡାଇଜ୍ , ଡେଜଟ କିଙ୍ଗ, ଗ୍ରାଡ ଅଫ୍ ଲାଇଫ ତିନୋଟି ପୁସ୍ତକ ବିଦେଶରେ ପ୍ରକାଶ ପାଇଥିଲା ନବୀନ ପଟ୍ଟନାୟକ ଜଣେ ବିଚକ୍ଷଣ ଲେଖକ ବୋଲି ବେନହୁର କରିଛନ୍ତି। ଏହା ସହ ଏହି ପୁସ୍ତକରେ ଅତନୁ ସବ୍ୟସାଚୀ ନାୟକଙ୍କ ରାଜନୈତିକ ଯାତ୍ରାର ଆରମ୍ଭ ଠାରୁ ନବୀନ ପଟ୍ଟନାୟକ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କିପରି ଜନ ସେବା କରିଛନ୍ତି ତାହା ବର୍ଣ୍ଣିତ ଥିବା କହିଛନ୍ତି। ନବୀନ ପଟ୍ଟନାୟକଙ୍କ ସହ ଅନେକ ଅନୁଭୂତି ଏହି ପୁସ୍ତକରେ ସ୍ଥାନ ପାଇଛି।  ଏହା ସହ ଏହି ପୁସ୍ତକ ଓଡ଼ିଶାର ଯୁବପିଢୀଙ୍କ ପାଇଁ ସମର୍ପିତ ବୋଲି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

ବିଜେପି ସରକାରରେ ମହିଳା ବିରୋଧୀ ହିଂସା ବେକାବୁ ହୋଇଛି : ରାହୁଲ ଗାନ୍ଧୀ

ନନ୍ଦିଘୋଷ ବ୍ୟୁରୋ :  ଭରତପୁର ଥାନାରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ, ଜଣେ ବ୍ରିଗେଡିୟରଙ୍କ ଝିଅଙ୍କୁ ଅସଦାରଣ, ନିସ୍ତୁକ ମାଡ଼ ମାରିବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି, ଓଡ଼ିଶାର ଏହି ଘଟଣା ଆଇନ ଶୃଙ୍ଖଳା ପ୍ରତି ଗମ୍ଭୀର ପ୍ରଶ୍ନ କରୁଛି। ପୋଲିସ ପାଖକୁ ସାହାଯ୍ୟ ମାଗିବାକୁ ଯାଇଥିବା ଜଣେ ସେନା ଅଧିକାରୀଙ୍କୁ ଯେମିତି ମାଡ଼ ମରାଯାଇଛି, ତାଙ୍କ ବାନ୍ଧବୀଙ୍କୁ ଯେମିତି ନିର୍ଯାତନା ଦିଆଯାଇଛି,  ତାହା ବହୁତ ଲଜ୍ଜାଜନକ। ବିଜେପି ସରକାରରେ ମହିଳା ବିରୋଧୀ ହିଂସା ବେକାବୁ ହୋଇଛି। ସରକାରୀସ୍ତରରେ ଯେତେବେଳେ ଅନ୍ୟାୟକୁ ପ୍ରୋତ୍ସାହନ ଦିଆଯିବ, ଲୋକେ ନ୍ୟାୟ ପାଇଁ କାହା ପାଖକୁ ଯିବେ ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ଏହି ଘଟଣାର ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ଦାବି କରିଛନ୍ତି ରାହୁଲ ଗାନ୍ଧୀ।

କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା, ଆଇଟି ଆକ୍ଟର ଫ୍ୟାକ୍ଟ ଚେକିଂ ୟୁନିଟ ଗଠନ ପ୍ରାବଧାନ ଖାରଜ

ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ର ସରକାରଙ୍କୁ ଝଟକା। ଇନଫରମେସନ ଟେକ୍ନୋଲଜି ଆକ୍ଟରେ ଫ୍ୟାକ୍ଟ ଚେକିଂ ୟୁନିଟ ଗଠନ କରିବାକୁ ଯେଉଁ ବ୍ୟବସ୍ଥା ହୋଇଥିଲା, ତାକୁ ରଦ୍ଦ କରିଦେଇଛନ୍ତି ବମ୍ଵେ ହାଇକୋର୍ଟ। କୋର୍ଟ କହିଛନ୍ତି, ଏହା ସମ୍ବିଧାନର ଧାରା ୧୪ ଓ ୧୯କୁ ଉଲ୍ଲଂଘନ କରୁଛି।  ସ୍ଵାଧୀନ ମତବ୍ୟକ୍ତ କରିବାର ଅଧିକାରକୁ କ୍ଷୂର୍ଣ୍ଣ କରୁଛି ଏହି ଆଇନ। କେନ୍ଦ୍ର ସରକାରଙ୍କ ଆଇନରେ ଯେଉଁ ମିଛ, ନକଲି, ଭୁଲ ଧାରଣା ସୃଷ୍ଟି କରିବା ଭଳି ଶବ୍ଦ ବ୍ୟବହାର କରାଯାଇଛି, ତାର ନିର୍ଦ୍ଦିଷ୍ଟ ଅର୍ଥ ନାହିଁ। ଏହାର ପ୍ରକୃତ ସଂଜ୍ଞା ନାହିଁ। ତେଣୁ ଏହି ଆଇନ ଭୁଲ ବୋଲି କହିଛନ୍ତି ବମ୍ଵେ ହାଇକୋର୍ଟ। କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକିଂ ନିଷ୍ପତ୍ତି ବିରୋଧରେ ବମ୍ଵେ ହାଇକୋର୍ଟକୁ ଯାଇଥିଲେ ଷ୍ଟାଣ୍ଡ ଅପ୍ କମେଡିଆନ କୁନାଲ କାମରା। ଜାନୁଆରିରେ ୨ ଜଣିଆ ଖଣ୍ଡପୀଠଙ୍କ ରାୟରେ ଭିନ୍ନ ଭିନ୍ନ ମତ ଦେବାରୁ ୩ ଜଣିଆ ଡିଭିଜନ ବେଞ୍ଚକୁ ମାମଲା ପଠାଯାଇଥିଲା। ଗତ ମାର୍ଚ୍ଚରେ ମଧ୍ୟ ସୁପ୍ରିମକୋର୍ଟ ଏ ସଂପର୍କିତ ଏକ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ। ନୂଆ ଆଇନ ଲୋକଙ୍କ ସ୍ଵାଧୀନ ମତବ୍ୟକ୍ତ ଅଧିକାର ଉପରେ ରୋକ୍ ଲଗାଇବ ବୋଲି ଆଶଙ୍କା କରି କୁନାଲ କାମରା ଓ ଅନ୍ୟ କିଛି ବ୍ୟକ୍ତି ବମ୍ଵେ ହାଇକୋର୍ଟକୁ ଯାଇଥିଲେ।

ପୋଲିସ ବର୍ବରତାକୁ ବିରୋଧ କରି ଆସନ୍ତାକାଲି ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ବର : ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୋଲିସ ବର୍ବରତାକୁ ବିରୋଧ କରି ଆସନ୍ତାକାଲି ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେଡି । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦେବା ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବ ବିଜେଡି । ଶଙ୍ଖ ଭବନରେ ବିଜେଡି ନେତ୍ରୀ ସୁଲତା ଦେଓ, ମେୟର ସୁଲୋଚନା ଦାସ ଓ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି  । ଏହାସହ ରାଜ୍ଯରେ ଭୁଶୁଡି ପଡିଥିବା ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଛନ୍ତି ବିଜେଡି ମହିଳା ଟିମ । ରାଜ୍ଯ ସରକାରଙ୍କୁ ଘେରିଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ, ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଯଦି ସରକାର କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ  ତେବେ ଆଜି ଏହି ମେଜର ଓ ବାନ୍ଧବୀ ଘଟଣା ଘଟିନଥାନ୍ତା l ଶହେ ଦିନରେ ଓଡିଶାର ଛବି ସାରା ଭାରତ ବର୍ଷରେ ତଳକୁ ଗଲାଣି ବୋଲି ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ । ସେହିପରି ଲେଖାଶ୍ରୀ ସାମନ୍ତସିଂହାର କଟାକ୍ଷ କରି କହିଛନ୍ତି, ଥାନା ଭିତରେ ଯେପରି ଜଣେ ସଶକ୍ତ ମହିଳାଙ୍କୁ ଯେପରି ନିର୍ଯାତନା ଦିଆଗଲା ତାହା ନିନ୍ଦନୀୟ । ଯଦି ଜଣେ ସେନା ଅଧିକାରୀ ଓ ତାଙ୍କର ବାନ୍ଧବୀଙ୍କୁ ପୋଲିସ ନିର୍ଯ୍ୟାତନା ଦେଇ ପାରୁଛନ୍ତି ତେବେ ରାଜ୍ୟରେ ସାଧାରଣ ଲୋକଙ୍କ ପ୍ରତି କି ଅତ୍ୟାଚାର ହେଉଥିବ ତାହା ଏଥିରୁ ଜଣାପଡୁଛି l ପୂର୍ବ ସରକାର ‘ମୋ ସରକାର’ ଜରିଆରେ ସବୁ ଥାନାକୁ ନିୟନ୍ତ୍ରଣରେ ରଖିଥିଲେ l କିଏ ଥାନାକୁ ଆସୁଥିଲା ତାହା ଆଗରୁ ଜଣାପଡୁଥିଲା l ରାଜ୍ଯ ସରକାର ଆଜି ଏ ଘଟଣାକୁ ଲୁଚାଇବାକୁ ଚାହୁଁଛନ୍ତି l ମୋହନ ସରକାର ଏକ ଦୁର୍ବଳ ସରକାର l ଥାନା ଭିତରେ ସେନା ଅଧିକାରୀଙ୍କୁ ମାଡ଼ ମାରିବା କଣ ଓଡିଆ ଅସ୍ମିତା ବୋଲି ପଚାରିଛନ୍ତି ଲେଖାଶ୍ରୀ  l ଯେଉଁମାନେ ରାଷ୍ଟ୍ରକୁ ସୁରକ୍ଷା ଦେଉଛନ୍ତି, ବିଜେପି ରାଷ୍ଟ୍ରବାଦୀ ଦଳ ହୋଇ କିପରି ସେନା ଅଧିକାରୀଙ୍କୁ ଥାନାରେ ମାଡ଼ ମାରିଲେ ?  ଏ ସରକାର କେବକ ଦିନ ପାଳନ କରିବାରେ ଲାଗିଛି l ୩୦ଦିନ, ୧୦୦ ଦିନର ମୁକୁଟ ପିନ୍ଧି ବୁଲୁଛନ୍ତି ସରକାର l ଲୋକଙ୍କ କଥା ଭୁଲି ଯାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ଲେଖାଶ୍ରୀ । ରାଜଧାନୀରେ ମହିଳା ଅସୁରକ୍ଷିତ ବୋଲି କହି ବର୍ଷିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ନନ୍ଦିଘୋଷ ବ୍ୟୁରୋ : ଭରତପୁର ଥାନାରେ ଜଣେ ବ୍ରିଗେଡିୟରଙ୍କ ଝିଅକୁ, ଜଣେ ମେଜରଙ୍କ ବାନ୍ଧବୀଙ୍କୁ  ଅସଦାରଣ, ନିସ୍ତୁକ ମାଡ଼ ମାରିବା ଘଟଣା ସାରା ଦେଶକୁ ଲଜ୍ଜିତ କରିଛି ବୋଲି କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ସାରା ଦେଶରେ ପୁଲିସକୁ ରକ୍ଷକରୁ ଭକ୍ଷକ କରିବାର ନୀତି କରୁଛି। ବିଜେପି ସରକାରରେ ମହିଳା ବିରୋଧୀ ଅପରାଧର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବାରୁ ଏପରି ହେଉଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା ଗାନ୍ଧି। ଏପରି ପରିସ୍ଥିତିରେ ସୁରକ୍ଷା ପାଇଁ, ନ୍ୟାୟ ପାଇବାକୁ ମହିଳାମାନେ  କଣ କରିବେ, କାହା ପାଖକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ଗାନ୍ଧି।