spot_img
Home Blog Page 1507

ରାୟଗଡ଼ାର ୩ଟି ନିର୍ବାଚନୀ ମଣ୍ଡଳୀର ସମୀକ୍ଷା କରି ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ବର :  ରାୟଗଡ଼ାରେ ବିଜେଡି ତୃଣମୂଳସ୍ତରରୁ ଆହୁରି ଅଧିକ ସୁଦୃଢ ହେବ  । ଏନେଇ ଶଙ୍ଖ ଭବନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାୟଗଡ଼ା ଜିଲ୍ଲାର ସମୀକ୍ଷା କରିଛନ୍ତି । ଆଜି ରାୟଗଡ଼ାର ୩ଟି ନିର୍ବାଚନୀ ମଣ୍ଡଳୀର ସମୀକ୍ଷା କରିବା ସହ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ଏହି ସମୀକ୍ଷା ବୈଠକରେ ରାୟଗଡ଼ା ଜିଲ୍ଲାର ବରିଷ୍ଠ ନେତାମାନେ ସାମିଲ ହୋଇ ନବୀନଙ୍କୁ ଜିଲ୍ଲାର ସାଂଗଠନିକ ସ୍ଥିତି ବିଷୟରେ ଅବଗତ କରିଥିଲେ । ରାଜ୍ୟରେ ବିଜେପି ସରକାର ଯେମିତି ଲୋକଙ୍କୁ ପ୍ରତାରଣା ଦେଇଛି ସେ ପ୍ରସଙ୍ଗ ନେଇ ଜନଜାଗରଣ ସୃଷ୍ଟି କରିବାକୁ ନେତା ସଂକଳ୍ପ ନେଇଛନ୍ତି । ସମୀକ୍ଷା ପରେ ବିଜେଡି ନେତା ଏନ ଭାସ୍କର ରାଓ, ମନୋହର ରନ୍ଧାରୀ, ଝିନ୍ନ ହିକକା ପ୍ରମୁଖ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କ ସ୍ୱାର୍ଥହାନି ହେଲେ ତାହାକୁ ବିରୋଧ କରାଯିବ ବୋଲି କହିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନଭେମ୍ବରରେ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଦଳୀୟ ନେତା କହିଛନ୍ତି  ।

ବିଶ୍ବରେ କାୟା ମେଲାଇବାରେ ଲାଗିଛି କୋଭିଡର ନୂଆ ଭାରିଆଣ୍ଟ

ନନ୍ଦିଘୋଷ ବ୍ୟୁରୋ : ଏବେ ବି ବିଶ୍ବରେ କାୟା ମେଲାଇବାରେ ଲାଗିଛି କୋଭିଡର ନୂଆ ଭାରିଆଣ୍ଟ। ଏହି ନୂଆ ଭାରିଆଣ୍ଟର ନାମ XEC ରହିଛି। ଏହା ଓମିକ୍ରନର ଏକ ସବଭାରିଆଣ୍ଟ। ମାତ୍ର ୩ ମାସ ମଧ୍ଯରେ ଏହି ଭାରିଆଣ୍ଟ ୨୭ଟି ଦେଶରେ କାୟା ମେଲାଇଛି। କୋଭିଡ-୧୯ ତୁଳନାରେ ଏହି ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ହେବ ବୋଲି କୁହାଯାଇଛି। ସେପଟେ ଚୀନର ଉହ୍ବାନ ସହରରୁ ଭୟଙ୍କର କୋଭିଡ ଭୂତାଣୁର ଉତ୍ପତ୍ତି ହୋଇଥିବା ନେଇ ଆସିଲା ପୁଣି ଆଉ ଏକ ରିପୋର୍ଟ । ୨୦୧୯ରେ ସାରା ବିଶ୍ବର ଆତଙ୍କ ଖେଳାଇଥିବା ଭୂତାଣୁର ଉତ୍ପତ୍ତି ଉହ୍ବାନରେ ହୋଇନାହିଁ ବୋଲି ଚୀନ କହିଆସୁଥିବାବେଳେ ଏହି ରିପୋର୍ଟ ସତକୁ ପଦାକୁ ଆଣିଛି । ପ୍ରାୟ ୫ ବର୍ଷ ପରେ ଆସିଥିବା ଏହି ରିପୋର୍ଟକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ୨୦୧୯ ଶେଷ ଭାଗରେ ପ୍ରଥମେ ଗୋଟିଏ କୋଭିଡ ସଂକ୍ରମଣ ମାମଲା ପଦାକୁ ଆସିଥିଲା । ପରେ ଏହା ସାରା ବିଶ୍ବକୁ ଗ୍ରାସ କରିଥିଲା । ଭୂତାଣୁ ସମ୍ପର୍କିତ ଗବେଷଣା କରୁଥିବା ଉହ୍ବାନର ଲାବରେଟୋରୀରୁ ଏହି ଉତ୍ପନ୍ନ ହୋଇଥିଲା । ଉହ୍ବାନର ହୁଆନନ ସି-ଫୁଡ ମାର୍କେଟରୁ ସଂଗୃହୀତ ୮୦୦ ନମୁନାର ଗବେଷଣା ରିପୋର୍ଟ ସେଲ୍ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଏହି ମାର୍କେଟରୁ ଗତ ଜାନୁଆରୀ ୨୦୨୦ରେ ନମୁନା ସଂଗ୍ରହ ହୋଇଥିଲା । ତେବେ ସେତେବେଳେ ସେହି ମାର୍କେଟରେ ରାକନ କୁକୁର ଓ ସିଭେଟ ପ୍ରଜାତିର କେତେକ ପ୍ରାଣୀ ଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ଏହି କ୍ଷୁଦ୍ର ସ୍ତନ୍ଯପାୟୀ ପ୍ରାଣୀମାନେ ମଣିଷଙ୍କ ପରି ବିଭିନ୍ନ ଭୂତାଣୁର ସଂକ୍ରମଣ ହୋଇପାରିଥାନ୍ତି । ମଣିଷ ଓ ବାଦୁଡିଙ୍କ ମଧ୍ଯରେ ଏକ ଇଣ୍ଟରମିଡିଏଟ ହୋଷ୍ଟ ସାଜିଥିବା ଏହି ଭୂତାଣୁଙ୍କଠାରୁ ସାର୍ସ କୋଭିଡ-୨ ଉତ୍ପନ୍ନ ହୋଇଥାଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ନିଜ ନିଜ ଗ୍ରାହକଙ୍କ କେଓ୍ବାଇସି ପାଇଁ ଭିଡିଓ କଲ୍ କରି ଅଥେଣ୍ଟିକେସନ୍ କରିବେ

ଭୁବନେଶ୍ବର : ଅନଲାଇନ ହେଉ କି ଅଫଲାଇନ । ସବୁଠି ଠକେଇର ରାଜୁତି । ବିଶେଷକରି ସାଇବର ଠକେଇର ଶିକାର ହେଉଛନ୍ତି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା । ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବି ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ । ଏଣିକି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ନିଜ ନିଜ ଗ୍ରାହକଙ୍କ କେଓ୍ବାଇସି ପାଇଁ ଭିଡିଓ କଲ୍ କରି ଅଥେଣ୍ଟିକେସନ୍ କରିବେ । ଏହି ଭିଡିଓ କଲ୍ କୌଣସି କର୍ମଚାରୀ କି ମଣିଷ କରିବନି । ଏଥିରେ ଏଆଇର ସହାୟତା ନିଆଯିବ । ଏଆଇ ଭିଡିଓ କଲ୍ କରି ପ୍ରକୃତ ଗ୍ରାହକଙ୍କୁ ଚିହ୍ନଟ କରିବ । ଫଳରେ ସଠିକ୍ ଲୋକର ଆକାଉଣ୍ଟରୁ ଅର୍ଥ ଜମା-ଉଠାଣ, ନେଣଦେଣ ହୋଇପାରିବ । ଋଣ ପାଇବାକୁ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା କିମ୍ବା ସେମାନଙ୍କ ଯୋଗ୍ୟତା ଅନୁଧ୍ୟାନ ପାଇଁ ଫିନ୍ଟେକ୍ କମ୍ପାନୀ ଏହି ନୂଆ ବ୍ୟବସ୍ଥା ଆପଣାଇବାକୁ ବାଧ୍ୟ ହେବେ । ଏହା ଦ୍ବାରା ଠକେଇ ରୋକାଯାଇପାରିବ ।…

କାରବାର ପାଇଁ ରୁଲ୍ ଆଧାରିତ କେଓ୍ବାଇସି ବ୍ୟବସ୍ଥା ଏବେ ଅଛି । ବ୍ୟାଙ୍କ ଓ ଅଣବ୍ୟାଙ୍କିଂ ଆର୍ଥିକ ସଂସ୍ଥା ନିଜ ଗ୍ରାହକଙ୍କୁ ଜାଣିବାକୁ ହେଲେ ଆର୍ବିଆଇ ଦ୍ବାର୍ ନିର୍ଦ୍ଧାରିତ କେଓ୍ବାଇସି ବ୍ୟବସ୍ଥାରେ ପରିଚାଳନା କରୁଛନ୍ତି । ଏଣିକି ଏହି ବ୍ୟବସ୍ଥା ବଦଳରେ ଆସିବ ପ୍ରିନ୍ସିପାଲ୍ ଆଧାରିତ ବ୍ୟବସ୍ଥା । ଯେଉଁଥିରେ ବ୍ୟାଙ୍କର ନିଜର ବ୍ୟାଙ୍କିଂ କାରବାର କିପରି ସ୍ବଚ୍ଛତାର ସହ କରିବେ ସେଥିପାଇଁ ଅତିରିକ୍ତ ସୁରକ୍ଷିତ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ବାଧୀନତା ଦେବ ଆରବିଆଇ । ଏବେ ଏପରି ସ୍ବାଧୀନ ବ୍ୟବସ୍ଥା ଆରବିଆଇ ଦେଇନାହିଁ । ଗ୍ରାହକଟି ଆକାଉଣ୍ଟ ଖୋଲିବାକୁ ବ୍ୟାଙ୍କକୁ ଗଲେ ତାର ସ୍ବର, ଚେହେରା, ଆଇବଲ୍, ଫିଙ୍ଗରପ୍ରିଣ୍ଟ୍ ସବୁ ଭିଡିଓଗ୍ରାଫି କରାଯାଇ ବ୍ୟାଙ୍କ ସର୍ଭରରେ ଗଚ୍ଛିତ ରହିବ । ଯାହାକୁ ଆଧାର କରି ଏଆଇ ଭିଡିଓ କଲ୍ କରିବା ପାଇଁ ବ୍ୟବସ୍ଥା କରାଯିବ ।

ଦେଶରେ ବ୍ୟାଙ୍କିଂ କାରବାର ପାଇଁ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ଅଛନ୍ତି । ଏହାସହିତ ଅଣବ୍ୟାଙ୍କିଂ ସଂସ୍ଥା ବି ଋଣ ପ୍ରଦାନ କରୁଛନ୍ତି । ରେଗୁଲେଟର୍ ଭାବେ ଆରବିଆଇ ସବୁ ସଂସ୍ଥାଙ୍କ ସୁରକ୍ଷିତ ଓ ସ୍ବଚ୍ଛ ଦୈନିକ କାରବାର ଉପରେ ନଜର ରଖିବା ସମ୍ଭବ ନୁହେଁ । ଆର୍ବିଆଇ ଏପରି ନୂଆ ବ୍ୟବସ୍ଥା ଆପଣାଇବା ଅର୍ଥ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ନିଜ ରିସ୍କ ନିଜେ ମୁଣ୍ଡାଅ ।

ଓମଫେଡ୍ ସହ ଏନଡିଡିବିର ଚୁକ୍ତି କରି ସରକାର ଆପଣାଉଛନ୍ତି ଚାଷୀ ମାରଣ ନୀତି

ଭୁବନେଶ୍ବର :  ଓମଫେଡ୍ କ୍ଷୀର ପ୍ୟାକେଟର ଦର ବଢ଼ିଲା। ହେଲେ ଚାଷୀଙ୍କୁ ମିଳିଲାନି ଅଧିକ ପ୍ରାପ୍ୟ। ପୁଣି ଓମଫେଡ୍ ସହ ଏନଡିଡିବିର ଚୁକ୍ତି କରି ସରକାର ଆପଣାଉଛନ୍ତି ଚାଷୀ ମାରଣ ନୀତି। ସରକାରଙ୍କ ଏଭଳି ନୀତିକୁ ତୀବ୍ର ବିରୋଧ କରିଛନ୍ତି ଦୁଗ୍ଧ ଚାଷୀ। ଓଡ଼ିଶାର ସ୍ବାଭିମାନକୁ ଶାଗ ମାଛ ଦରରେ ଜାତୀୟ ସଂସ୍ଥାକୁ ଟେକିଦେଲେ। ଦୁଗ୍ଧଚାଷୀଙ୍କ ଭବିଷ୍ୟତକୁ ଦଳି ମକଚି ଦେବାକୁ ବସିଛି ବିଜେପି ସରକାର । ଓଡ଼ିଶାର ଦୁଗ୍ଧ ଚାଷୀ ଓ ଗ୍ରାହକଙ୍କ କ୍ଷୀର ଆବଶ୍ୟକତା ମେଣ୍ଟାଉଥିବା ଓମଫେଡକୁ ନେଇ ଏବେ ବିବାଦ ତୀବ୍ର ହେବାରେ ଲାଗିଛି। ଜାତୀୟ ଡାଏରୀ କଲ୍ୟାଣ ପରିଷଦ ବା ଏନଡିଡିବି ସହ ଓମଫେଡର ଏହି ଚୁକ୍ତି ଯୋଗୁ ରାଜ୍ୟର ଦୁଗ୍ଧ ଚାଷୀ ମାନେ ବ୍ୟାପକ କ୍ଷତି ସହିବେ । କ୍ଷୀର ଲିଟର ପିଛା ବଜାର ଦର ୫୨ରୁ ୬୨ ଟଙ୍କା ହେଲାଣି। ହେଲେ ଚାଷୀଙ୍କ ପ୍ରାପ୍ୟ ସେହି ୩୫ ଟଙ୍କାରେ ସୀମିତ ରହିଛି। ଚାଷୀଙ୍କ ଏମ୍ଏସପି ବୃଦ୍ଧି ନ କଲେ ଏବଂ ଚୁକ୍ତିନାମା ପ୍ରତ୍ୟାହାର ନକଲେ ଆଗକୁ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଦୁଗ୍ଧ ଚାଷୀ।

ଓମଫେଡର ମାନ ପରୀକ୍ଷା, ପ୍ୟାକେଜିଙ୍ଗ କାମ କରିବ ଏନଡିଡିବି। ଓମଫେଡର ଲାଭାଂଶରୁ ଭାଗ ନେବ ଏହି ଜାତୀୟ ସଂସ୍ଥା। ହେଲେ ଯେଉଁ ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରି ଓମଫେଡ ଏତେ ବଡ଼ ବ୍ରାଣ୍ଡ ହୋଇଛି, ସେମାନଙ୍କ ପ୍ରାପ୍ୟ କିନ୍ତୁ ବଢ଼ିବ ନାହିଁ। ଓମଫେଡ୍ ଓ ରାଜ୍ୟ ସରକାରଙ୍କ ଏଭଳି ନୀତିକୁ ପ୍ରବଳ ବିରୋଧ କରିଛି ଦୁଗ୍ଧ ଚାଷୀ ମହାସଂଘ। ରାଜ୍ୟର ପ୍ରାୟ ୩ ହଜାର ୮୦୦ ଦୁଗ୍ଧ ସମବାୟ ସମିତିରୁ କ୍ଷୀର ସଂଗ୍ରହ କରୁଛି ଓମଫେଡ। ଯେଉଁଥିରେ  ପ୍ରାୟ ୭ଲକ୍ଷ ଚାଷୀ ପଞ୍ଜୀକୃତ ଅଛନ୍ତି। ହେଲେ ଏବେ ଏନଡିଡିବି ସହିତ ଚୁକ୍ତି ପରେ ଲାଭାଂଶ ଚାଷୀଙ୍କ ପକେଟକୁ ଯିବା ବଦଳରେ ରାଜ୍ୟ ବହାର ସଂସ୍ଥା ନେଇଯିବାର ଆଶଙ୍କା ଉପୁଜିଛି। ଏଭଳି ମୁନମୁଖୀ ନିଷ୍ପତ୍ତିକୁ ମହାସଂଘ ବିରୋଧ କରିବା ସହ ପଶୁସମ୍ପଦର ବିକାଶ ପାଇଁ ସ୍ବାସ୍ଥ୍ୟବୀମା ଏବଂ ଦୁଗ୍ଧଚାଷୀଙ୍କୁ ବିନା ସୁଧରେ ଋଣ ଦେବାକୁ ଦାବି କରିଛି ସଂଘ।

ପୂର୍ବରୁ କର୍ଣ୍ଣାଟକରେ ବିଜେପି ସରକାର ନନ୍ଦିନୀ ବ୍ରାଣ୍ଡକୁ ଏନଡିଡିବି ହାତରେ ଟେକି ଦେଉଥିଲେ। କିନ୍ତୁ ଚାଷୀଙ୍କ ଆନ୍ଦୋଳନ ପରେ ଏହି ନିଷ୍ପତ୍ତିରୁ ଓହରିଥିଲା ବିଜେପି। ସେହିପରି ମହାରାଷ୍ଟ୍ରର ମହାଆନନ୍ଦ ଡାଏରୀ କ୍ଷୀର ବ୍ରାଣ୍ଡକୁ ଏନଡିଡିବି ହାତକୁ ଟେକି ଦିଆଯାଇଥିବା ବେଳେ, ଏବେ ଓମଫେଡର ପାଳି ପଡିଛି।

ମୋହନ ସରକାରଙ୍କ ଶହେ ଦିନର ବିଫଳତାର ଲମ୍ବା ତାଲିକା ବଖାଣିଛନ୍ତି ନବୀନ

ଭୁବନେଶ୍ବର : ରାଜ୍ୟରେ ବଦଳିଛି ସରକାର। ପ୍ରତି ବଦଳରେ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇଛି ଆଇନଶୃଙ୍ଖଳା ପରିସ୍ଥିତି। ବଢ଼ି ଚାଲିଛି ଅପରାଧ। କିନ୍ତୁ ଦୋଷୀଙ୍କ ବିରୋଧରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ। ଯାହାର ବଡ଼ ଉଦାହରଣ ହେଉଛି ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମାରିବା। ରାଜ୍ୟରେ ବିଗିଡିଛି ଆଇନ ଶୃଙ୍ଖଳା। ଦୁର୍ନୀତି ଖବର ବି ସାମ୍ନାକୁ ଆସୁଛି । ନୂଆ ସରକାରଙ୍କ  କାର୍ଯ୍ୟ ସନ୍ତୋଷଜନକ ନୁହେଁ। କାମ କମ, କେବଳ ପ୍ରଚାରରେ ମାତିଛି ବିଜେପି ସରକାର। ମୋହନ ସରକାରଙ୍କ ଶହେ ଦିନର ବିଫଳତାର ଲମ୍ବା ତାଲିକା ନେଇ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସରକାର ନିଜର ସଫଳତାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ, ବାସ୍ତବତାର ଅସଲ ଚିତ୍ରକୁ ଟିକିନିଖ କରି ଉପସ୍ଥାପନ କରିଛନ୍ତି ନବୀନ।

ଅନ୍ୟପଟେ ଶହେ ଦିନରେ ବିଜେପି ସରକାର ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୃତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରିଛି କଂଗ୍ରେସ। ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କୁ ସାମିଲ କରିବା ସହ ୨ ବର୍ଷରେ ୫୦ ହଜାର ଟଙ୍କାର ଭାଉଚର, ୩୦୦ ୟୁନିଟ୍ ମାଗଣା ବିଜୁଳି, ୩୫ ଶହ ଭତ୍ତା ପ୍ରତିଶ୍ରୃତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ସେହିପରି ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ କରିବା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି ବିଜେଡି। ଯାହାର ଉତ୍ତର ରଖିଛନ୍ତି ବିଜେପି।

ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ମୋହନ ସରକାର। ନିର୍ବାଚନୀ ଇସ୍ତାହାରରେ କରିଥିଲେ ବଡ଼ ବଡ଼ ଘୋଷଣା। ଜନତାଙ୍କୁ ଦେଇଥିଲେ ଅନେକ ପ୍ରତିଶ୍ରୁତି। କିନ୍ତୁ ପ୍ରତିଶ୍ରୁତି ପୂରଣ କରିବେ କଣ, ଆକ୍ତାମାକ୍ତା ହୋଇପଡିଲାଣି ଆଇନ ଶୃଙ୍ଖଳା।  ଯାହାକୁ ନେଇ ଏବେ ବିରୋଧୀ ଆକ୍ସନ ମୁଡକୁ ଆସିବା ସହ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

ଭରତପୁର ଥାନା କଳଙ୍କକୁ ନେଇ ବର୍ଷିଲେ ନବୀନ, ଘଟଣାକୁ ନିନ୍ଦା ସହ ନ୍ୟାୟିକ ତଦନ୍ତ କଲେ ଦାବି

ଭୁବନେଶ୍ବର : ଭରତପୁରଥାନାରେ ସେନା ଅଧିକାରୀ ଓ ବାନ୍ଧବୀକୁ ପୋଲିସର ନିର୍ଯାତନାକୁ ଦବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦୃଢ଼ ନିନ୍ଦା। ଥାନା ଭିତରେ ଜଣେ ସେନା ଅଧିକାରୀଙ୍କୁ ପୋଲିସର ନିର୍ଦ୍ଦୟ ବ୍ଯବହାର ସାରା ଦେଶକୁ ଦୋହଲାଇଦେଇଛି। ତୁରନ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ଲାଗି ଦାବି କରିଛନ୍ତି ନବୀନ  ।  ସେ କହିଛନ୍ତି- ତାଙ୍କ ସରକାର ସମୟରେ ମୋ ସରକାର ବ୍ୟବସ୍ଥା ଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଥାନା ଓ ଡାକ୍ତରଖାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ନାଗରିକମାନଙ୍କ ଠାରୁ କର୍ମଚାରୀଙ୍କ ବ୍ୟବହାର ଓ ବୃତ୍ତିଗତ ଦକ୍ଷତା ସମ୍ପର୍କରେ ଫିଡବ୍ଯାକ ସଂଗ୍ରହ କରୁଥିଲେ। ହେଲେ ବିଜେପି ସରକାର ଆସିବା ପରେ ପରେ ତୁରନ୍ତ ମୋ ସରକାର ପରି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ। ଏହାର ପରିଣାମ ଏବେ ସର୍ବତ୍ର ଦୃଶ୍ୟମାନ ବୋଲି ନବୀନ କହିଛନ୍ତି।

ପୁରୀ ରାଜଭବନରେ ଦାୟିତ୍ବ ସମ୍ପାଦନ କରୁଥିବା ଜଣେ ସରକାରୀ ଅଧିକାରୀଙ୍କ ଉପରେ ରାଜ୍ଯପାଳଙ୍କ ପୁଅଙ୍କ ଆକ୍ରମଣ ଘଟଣାରେ ବି ବର୍ଷିଛନ୍ତି ନବୀନ। କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ମନା କରିଦେବା ଦ୍ୱାରା ଅପରାଧୀମାନେ ଉତ୍ସାହିତ ହୋଇଛନ୍ତି। ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଣି ଥରେ ସରକାରଙ୍କୁ ଅନୁରୋଧ କରିଛନ୍ତି ନବୀନ।

ଭରତପୁର ଥାନାର ଏହି ଘଟଣା ସାରା ଦେଶରେ ସୃଷ୍ଟି କରିଛି ଚହଳ। ପଦାରେ ପଡିଛି ଓଡିଶାରେ ଆଇନଶୃଙ୍ଖଳା ବ୍ଯବସ୍ଥାର ଅସଲ ଚିତ୍ର। ମୋହନ ସରକାରଙ୍କ ନୀରବତାକୁ ନେଇ ଉଠିଛି ପ୍ରଶ୍ନ ।

ନିଶାସକ୍ତ ଯୁବକର ଉନ୍ମତ କାଣ୍ଡ, ବାନ୍ଧବୀଙ୍କ ଘରେ ପଶି ଦୁଇ ଝିଅକୁ ମାରିଲେ ମାଡ଼

କଟକ : ପ୍ରେମ ସମ୍ପର୍କରେ ବିବାଦକୁ ନେଇ ତୁମୁଳକାଣ୍ଡ । ନିଶାସକ୍ତ ଯୁବକର ଆକ୍ରମଣରେ ଗୁରୁତର ବୃଦ୍ଧ । ବାନ୍ଧବୀ ଓ ପରିବାର ଲୋକଙ୍କୁ ଆକ୍ରମଣରୁ ବଞ୍ଚାଉ ଥିବାବେଳେ ଚୁଲି ରେ ବସିଥିବା ଡାଲମା କଡେଇକୁ ଠେଲି ଦେଲେ ଯୁବକ । କଟକ ନେତାଜୀ ନଗର ବସ୍ତିରେ ଘଟିଛି ଏପରି ଘଟଣା । ପରିବାର ଲୋକ ବୃଦ୍ଧଙ୍କୁ ପ୍ରାଥମିକ ଚିକିତ୍ସା କରିବା ସହ ଥାନା ରେ ଲିଖିତ ଏତଲା ଦେବାପରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୀଡିତାଙ୍କ ପରିବାର ଏବେ ଭୟ ଓ ଆଶଙ୍କାରେ ଅଛନ୍ତି ।

ନିଶାସକ୍ତ ଯୁବକର ଉନ୍ମତ କାଣ୍ଡ । ବାନ୍ଧବୀଙ୍କ ଘରେ ପଶି ଦୁଇ ଝିଅକୁ ମାରିଲେ ମାଡ଼ । ଅଟକାଇବାରୁ ବାପାଙ୍କୁ ଆକ୍ରମଣ । କଟକ ନେତାଜୀ ନଗର ଅଞ୍ଚଳରେ ନିଶାସକ୍ତ ମଦ ପିଇ ଏପରି ତୁମୁଳ କାଣ୍ଡ ଘଟାଇଛନ୍ତି ମହିଳାଙ୍କ ପୁରୁଷ ବନ୍ଧୁ ପୂର୍ଣ୍ଣଚନ୍ଦ୍ର କର । ନିଶାସକ୍ତ ଅବସ୍ଥାରେ ଘରେ ପଶିବା ପରେ ମହିଳାଙ୍କ ଦୁଇଝିଅକୁ ମାରଧର ଓ ଟଣା ଓଟରା କରିଥିଲେ । ଏହା ଦେଖି ମହିଳାଙ୍କ ବୃଦ୍ଧ ବାପା ବାଧାଦେବାରୁ ତାଙ୍କୁ ଆକ୍ରମଣ କରିଥିଲେ । ବୃଦ୍ଧ ଜଣକ ଚୂଲିରେ ବସିଥିବା ଡାଲମା କଡ଼େଇର ପଡ଼ିଯିବାରୁ ତାଙ୍କ ଶରୀରର ୩୦ ପ୍ରତିଶତ ପୋଡ଼ିଯାଇଛି । ପରିବାର ଲୋକ ତାଙ୍କ ଚିକିତ୍ସା କରିବା ସହ ମଧୁପାଟଣା ଥାନାରେ ଏତଲା ଦେଇଛନ୍ତି ।

ଘଟଣା ପଛରେ ଆହତ ବ୍ୟକ୍ତିଙ୍କ ସ୍ୱାମୀ ପରିତ୍ଯକ୍ତା ଝିଅ ଓ ପତ୍ନୀ ପରିତ୍ଯକ୍ତ ପୁରୁଷ ବନ୍ଧୁଙ୍କ ପ୍ରେମ ସମ୍ପର୍କ କଥା ସାମ୍ନାକୁ ଆସିଛି । ଉଭୟ ଏକ ମସଲା କମ୍ପାନୀରେ କାମ କରନ୍ତି । ମହିଳାଙ୍କ ଦୁଇଟି ଝିଅ ଥିବା ବେଳେ ପୁରୁଷ ବନ୍ଧୁ ପୁର୍ଣଚନ୍ଦ୍ର କରଙ୍କ ଗୋଟିଏ ପୁଅ ଅଛି । ତେବେ ପରସ୍ପରକୁ ପସନ୍ଦ କରିବା ସହିତ ପରିବାର ଲୋକଙ୍କ ବରଣ ସତ୍ୱେ ଏକାଠି ରହୁଥିଲେ । ତେବେ ପୂର୍ଣ୍ଣଚନ୍ଦ୍ରଙ୍କ ସନ୍ଦେହୀ ପ୍ରକୃତି ପାଇଁ ମହିଳା ତାଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ପୂର୍ଣ୍ଣଚନ୍ତ୍ର ଏପରି କାଣ୍ଡ ଘଟାଇଥିବା କହିଛନ୍ତି ମହିଳା । ପୋଲିସ ଅଭିଯୁକ୍ତ ପୁର୍ଣଚନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଏହି ଘଟଣା ପରେ ମହିଳାଙ୍କ ପରିବାର ଲୋକ ଭୟ ଓ ଆଶଂକା ଭିତରେ ଅଛନ୍ତି ।

ଆସନ୍ତାକାଲିଠାରୁ ୩ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ

ପୁରୀ : ଆସନ୍ତାକାଲି ଠାରୁ ୩ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ କରିବ ASIର ସ୍ୱତନ୍ତ୍ର ବୈଷୟିକ ଟିମ । ଉନ୍ନତ ଜ୍ଞାନ କୌଶଳ ଓ ଯନ୍ତ୍ରପାତି ବ୍ୟବହାର କରାଯାଇ ରାଡ଼ାର ସର୍ଭେ କରାଯିବାକୁ ଥିବା ବେଳେ ଦିନ ଗୋଟାଏରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ହୋଇଛି । ଆଗାମୀ ୨୪ ତାରିଖ ଠାରୁ ଶ୍ରୀମନ୍ଦିରରେ ଷୋଳ ପୂଜା ଆରମ୍ଭ ହେଉଥିବା ହେତୁ ସର୍ଭେ କାର୍ଯ୍ୟ ଶୀଘ୍ର ଶେଷକରି ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ASIକୁ କୁହାଯାଇଛି ।

ଶ୍ରୀମନ୍ଦିରର ରତ୍ନଭଣ୍ଡାରର ହେବ ରାଡ଼ାର ସର୍ଭେ । ପୁଣି ଯାଞ୍ଚ କରିବ ଏଏସଆଇର ସ୍ବତନ୍ତ୍ର ବୈଷୟିକ ଟିମ୍ । ଦିନ ଗୋଟାଏରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଗତ ୧୮ ତାରିଖରେ ASIର ସ୍ୱତନ୍ତ୍ର ବୈଷୟିକ ଟିମ ଦ୍ୱାରା ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ ହୋଇଥିଲା । ଲେଜର ସ୍କାନିଂ କରାଯାଇଥିବାବେଳେ ରାଡ଼ାର  ସର୍ଭେ ନେଇ ବୈଷୟିକ ଟିମ ମତ ରଖିଥିଲା । ASIର ଅତିରିକ୍ତ ଡିଜି ଜାହ୍ନଭି ଶର୍ମାଙ୍କ ନେତୃତ୍ୱରେ  କରାଯାଇଥିବା ଯାଞ୍ଚ ଅସମ୍ପୂର୍ଣ୍ଣ ରହିଥିଲା । ଶ୍ରୀମନ୍ଦିରରେ ଷୋଳ ପୂଜାକୁ ନଜରରେ ରଖି ଯାଞ୍ଚ କାର୍ଯ୍ୟ ଆଗାମୀ ୨୪ ତାରିଖ ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା । ଏହାକୁ ଗୁରୁତ୍ବ ଦେଇ ଆଗାମୀ ୩ ଦିନ ଧରି ଯାଞ୍ଚ କରିବାକୁ ଧାର୍ଯ୍ୟ କରାଯାଇଛି । ସମ୍ପୂର୍ଣ୍ଣ ରାଡ଼ାର ସର୍ଭେ ପରେ ଭଣ୍ଡାର ଗୃହର ସଂରକ୍ଷଣ, ମରାମତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବ ଟିମ୍ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିର୍ଘଣ୍ଟ କରାଯାଇଛି । ଦିନ ଗୋଟାଏ ପରଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ ।

ଭଣ୍ଡାର ଘରେ ଗୁପ୍ତ ସୁଡ଼ଙ୍ଗ ପ୍ରସଙ୍ଗରେ ଯାଞ୍ଚ ପରେ ସ୍ପଷ୍ଟ ହୋଇ ପାରିବ । ଅନ୍ୟପକ୍ଷରେ ରିପୋର୍ଟ ମିଳିବ ପରେ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁସାରେ ଶୀଘ୍ର ମରାମତି ସହ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ଭଣ୍ଡାର ଘର ମରାମତି ପରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ରହିବ ବୋଲି ସେବାୟତ ଆଶା ରଖିଛନ୍ତି। ଶ୍ରୀମନ୍ଦିର ବିଧି ବ୍ୟବସ୍ଥା ଓ ନୀତିକାନ୍ତିରେ ଯେପରି ସମସ୍ୟା ନହୁଏ ସେ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ସେବାୟତ ।

ବିପଦ ସଂକେତ ତଳକୁ ଖସିଲା ସୁବର୍ଣ୍ଣରେଖା, ପାଣି କମିଥିବାରୁ ଗାଁକୁ ଫେରିଲେ ଲୋକେ

ବାଲେଶ୍ବର : ସୁଧୁରୁଛି ବାଲେଶ୍ବର ବନ୍ଯାସ୍ଥିତି । ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ବିପଦ ସଙ୍କେତ ତଳକୁ ଖସିଛି । ଭୋଗରାଇ, ବାଲିଆପାଳ ବ୍ଲକରେ ବନ୍ୟା ସ୍ଥିତିରେ ଆସିଛି ସୁଧାର । ପାଣି କମିବା ପରେ ପ୍ରଭାବିତଙ୍କ ଦୁଃଖ ବଢି ଯାଇଛି । ଆଶ୍ରୟ ସ୍ଥଳୀରୁ ଘରକୁ ଫେରିଥିଲେ ସୁଦ୍ଧା ଘର ଭାଙ୍ଗି ଯାଇଥିବାରୁ ଆଶ୍ରୟସ୍ଥଳକୁ ସଜାଡିବାରେ ଲାଗିଛନ୍ତି ଗ୍ରାମବାସୀ ।

ଯେଉଁଠି ଗାଈ ଗୁହାଳ ଥିଲା ସେଠି ଚାଲିଛି ରୋଷେଇ ଘର । ବନ୍ଯା ଉଜାଡ଼ି ଦେଇଛି ଝାଟିମାଟିର ନୂଆଁଣିଆ ଘର । ବନ୍ଯା ଦେଇଛି ବାଲେଶ୍ବରବାସୀଙ୍କୁ ଦୁଃଖ । ପାଣି କମିବା ସହ ବଢିଛି ଦୁର୍ଦ୍ଦଶା । ଇଏ ହେଉଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଆରୁହାବୃତ୍ତି-1 ଗାଁର ଦୃଶ୍ୟ । ମକର ବେହେରା ସ୍ତ୍ରୀ ମିନତିଙ୍କ ସହିତ ମିଶି ଭଙ୍ଗା କାନ୍ଥରେ କାଦୁଅ ବୋଳୁଛନ୍ତି । ପିଣ୍ଢାରେ ଗୋଟି ଫୁଟ ଉଚ୍ଚର କାଦୁଅ । ତେଣୁ ଗାଈଁ ଗୁହାଳରେ ଚଳୁଛନ୍ତି ପରିବାର । ବନ୍ୟାରୁ ବଞ୍ଚି ଯାଇଥିବା ସାମଗ୍ରୀକୁ ଘର ଭିତରୁ ବାହାରକରି ଶୁଖାଉଛନ୍ତି । ସୋମବାର ରାତିରେ ହଠାତ୍ ସୁବର୍ଣ୍ଣରେଖାର ବନ୍ୟାଜଳ ଗାଁ ଭିତରକୁ ମାଡ଼ି ଆସିଲା । ଛୁଆ ପିଲାଙ୍କୁ ଧରି ନିକଟରେ ଥିବା ସ୍କୁଲ ଘରେ ଚଳୁଥିଲେ ପରିବାର । ପାଣି ଛାଡ଼ିବା ପରେ ଘରକୁ ଫେରିଛନ୍ତି । ହେଲେ ଘର ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଇଛନ୍ତି। ଘର ସଜାଡ଼ିବାକୁ ଏକମାସ ଲାଗିବ ବୋଲି କହିଛନ୍ତି ମକର ।

ସୁବର୍ଣ୍ଣରେଖା ନଦୀ କୂଳରେ ଥିଲା କାର୍ତ୍ତିକ ବେହେରାଙ୍କ ଘର । ନଦୀ ଆଁରେ ଘର ମିଶିଯିବା ପରେ ପିଲା ଛୁଆଙ୍କୁ ଧରି ଗାଁ ନିକଟରେ ରହୁଥିଲେ । ହେଲେ ଏଠିବି ଦୁଃଖ ଦେଲା ସୁବର୍ଣ୍ଣରେଖା । ଛୁଆ ପିଲାଙ୍କୁ ଧରି ଛାତ ଉପରେ ରହୁଛନ୍ତି କାର୍ତ୍ତିକଙ୍କ ପରିବାର । ତଳେ ରୋଷେଇ, ଆଉ ଛାତରେ ଖିଆପିଆ । ଆଜି ମଧ୍ୟ ଭୋଗରାଇ ଓ ବାଲିଆପାଳ ବ୍ଲକ୍ର ୪୦ରୁ ଅଧିକ ଗାଁରେ ଅଛି ପାଣି । କମର୍ଦ୍ଦାରୁ ବାଲିଆପାଳ ରାସ୍ତାର ଉଲୁଡ଼ାରେ ରାସ୍ତା ଉପରେ ୨ ଫୁଟର ପାଣି ଚାଲିଛି । ବନ୍ଯାପାଇଁ ୧୯ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା  । ଜିଲ୍ଲାରେ ମୋଟ ୩୦ହଜାର ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି । ସ୍ଥାନାନ୍ତର କରାଯାଇଥିବା କେତେକ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ପ୍ରଶାସନ କହିଛି ଖୁବ୍ ଶିଘ୍ର ପରିସ୍ଥିତି ସ୍ବାଭାବିକ ହୋଇଯିବ।

କରଡି କିଣିବାକୁ ହାଟରେ ଲୋକଙ୍କ ଭିଡ

ରାୟଗଡା : ଜଙ୍ଗଲ ଜାତ ଦ୍ରବ୍ୟ କରଡି। ବର୍ଷା ଦିନେ ବହୁଳ ପରିମାଣରେ କରଡି ବିକ୍ରି ହୋଇଥାଏ। ବିଶେଷ କରି ରାୟଗଡା ଜିଲ୍ଲା ନିୟମଗିରି , କଲ୍ୟାଣସିଂହପୁର, ଚାଟିକଣା, ମୁନିଗୁଡା, ବିଷମ କଟକ ଆଦି ସ୍ଥାନରେ ହାଟରେ ବହୁଳ ପରିମାଣରେ କରଡି ବିକ୍ରି ହେଉଛି। କରଡି କିଣିବାକୁ ହାଟରେ ଲୋକଙ୍କ ଭିଡ ଜମୁଛି।

ଦେଶୀ ବାଉଁଶ ଗଛର ଗଜା ଯାହାକୁ କରଡ଼ି କୁହାଯାଏ। ବର୍ଷାଋତୁ ଆସିଲେ ଜଙ୍ଗଲ ମୂଲକର ଆଦିବାସୀଙ୍କର ଏହା ମୁଖ୍ୟ ଜୀବିକା। ବିଶେଷ କରି ରାୟଗଡ ଜିଲ୍ଲା ନିୟମଗିରି , କଲ୍ୟାଣସିଂହପୁର, ଚାଟିକଣା, ମୁନିଗୁଡା, ବିଷମ କଟକ ଆଦି ସ୍ଥାନରେ ହାଟରେ ବହୁଳ ପରିମାଣରେ କରଡି ବିକ୍ରି ହୋଇଥାଏ। କରଡି ଋତୁକାଳୀନ ପରିବା ହୋଇଥିବାରୁ ଏହାର ଲୋକପ୍ରିୟତା ରହିଛି। କରଡି କିଣିବାକୁ ହାଟରେ ଲୋକଙ୍କ ଭିଡ ଜମେ। ଅନ୍ଯପକ୍ଷେ କରଡିରୁ ଭଲ ରୋଜଗାରର ଆଶା ରଖନ୍ତି ଆଦିବାସୀ ।

କରଡିରେ ତରକାରୀ , ଭଜା, ଆମ୍ବିଳ, ଚିପ୍ସ, ଚଟଣି, ଆଚାର, ସନ୍ତୁଳା, ରାଇ, ଭଜା ଆଦି ପ୍ରସ୍ତୁତ ହୋଇଥାଏ। କେବଳ ଏହା ଏକ ସୁସ୍ଵାଦ ଖାଦ୍ୟ ତାହା ନୁହେଁ ଏଥିରେ ଭରପୁର ରୋଗ ପ୍ରତିଷେଧକ ଶକ୍ତି ଥାଏ। କରଡି ଖାଇବା ଦ୍ୱାରା ଡାଇବେଟିସ, ବ୍ଲଡ଼ପ୍ରେସର ନିୟନ୍ତ୍ରଣ ରୁହେ ବୋଲି କୁହାଯାଏ।  ଯେହେତୁ କରଡି ବର୍ଷ ସାରା ମିଳେ ନାହିଁ କେବଳ ବର୍ଷା ଋତୁରେ ମିଳୁଥିବାରୁ  କରିଡିର ଚାହିଦା ବଢିଯାଏ।  ଥାଇରଏଡ଼ ରୋଗୀଙ୍କ ବ୍ୟତୀତ ଅନ୍ୟମାନେ ବହୁମାତ୍ରାରେ କରଡି ଖାଇବା ଉଚିତ ବୋଲି କହିଛନ୍ତି ଡ଼ଃ ହିମାଂଶୁ ଦାଶ୍।