spot_img
Home Blog Page 1513

ଚନ୍ଦ୍ରାୟନ-୪କୁ କ୍ୟାବିନେଟ ମଞ୍ଜୁରୀ, ୨୦୪୦ରେ ଚନ୍ଦ୍ରରେ ପାଦ ଦେବ ଭାରତ

ନୂଆଦିଲ୍ଲୀ: ୨୦୪୦ ସୁଦ୍ଧା ଚନ୍ଦ୍ରରେ ପାଦ ଦେବ ଭାରତ । ଭାରତୀୟ ମହାକାଶଚାରୀ ଓହ୍ଲାଇବେ ଚନ୍ଦ୍ରରେ । ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଚନ୍ଦ୍ରୟାନ-୩ର ସଫଳତା ପରେ ଚନ୍ଦ୍ରାୟନ-୪କୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ।

ଏହି ପ୍ରକଳ୍ପରେ ରହିଛି ମୁନ୍ ମିଶନ । ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରିବେ ଭାରତୀୟ । ଚନ୍ଦ୍ରାୟନ-୪ର ସମୟକୁ ୩୬ ମାସ ବୃଦ୍ଧି କରାଯାଇଥିବା ବେଳେ ବଜେଟ ରହିଛି ୨୧୦୪ କୋଟି ଟଙ୍କା । ସେହିପରି ଶୁକ୍ର ଅର୍ବିଟର ମିଶନ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟନ୍ ମଞ୍ଜୁରୀ ମିଳିଛି । ଶୁକ୍ର ଗ୍ରହ ସଂପର୍କରେ ଗବେଷଣା ପାଇଁ କାମ କରିବ ଶୁକ୍ର ଅର୍ବିଟର ମିଶନ । ସେହିପରି ମହାକାଶରେ ଏକ ସ୍ପେସ୍ ଷ୍ଟେସନ ନିର୍ମାଣ କରାଯିବ । ଗଗନଯାନ ପ୍ରକଳ୍ପକୁ ସଂପ୍ରସାରଣ କରି ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ କରାଯିବ । ଶୁକ୍ର ଅର୍ବିଟର ମିଶନ ପାଇଁ ୮୨୪ କୋଟି ଓ ଅନ୍ତରୀକ୍ଷ ଷ୍ଟେସନ ପାଇଁ ୧୧ ହଜାର ୧୭୦ କୋଟି ଟଙ୍କାର ବଜେଟ କରାଯାଇଛି ।

ଆଉ କାହାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ ?

ସେହିପରି ସାର୍ ସବସିଡି ପାଇଁ ୨୫ ହଜାର ୪୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ଯୋଜନାକୁ ଜାରି ରଖିବାକୁ ମଧ୍ୟ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ମଞ୍ଜୁର ହୋଇଛି ୩୫ ହଜାର କୋଟି ଟଙ୍କା ।  ଆଦିବାସୀଙ୍କ ବିକାଶ ପାଇଁ ଏକ ଯୋଜନା ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନକୁ ମଧ୍ୟ ମିଳିଛି ମଞ୍ଜୁରୀ । ଏଥିରେ ଖର୍ଚ୍ଚ ହେବ ପ୍ରାୟ ୮୦ ହଜାର କୋଟି ଟଙ୍କା । ଏହି ଅଭିଯାନ ମାଧ୍ୟମରେ ୬୩ ହଜାର ଗାଁର ୫ କୋଟି ଆଦିବାସୀ ଉପକୃତ ହେବ । ବାୟୋଟେକ୍ନୋଲଜି ବିଭାଗର ଦୁଇଟି ପ୍ରକଳ୍ପକୁ ମଧ୍ୟ ଜାରି ରଖିବାକୁ ଅନୁମୋଦନ ମିଳିଛି । ସେହିପରି ନ୍ୟାସନାଲ ସେଣ୍ଟର ଫର ଏକ୍ସଲେନ୍ସ ଫର୍ ଆନିମେସନ, ଭିଜୁଆଲ୍ ଗେମିଂ, କମିକ୍ସ ଓ ଏକ୍ସଟେଣ୍ଡେଡ ରିୟଲିଟି ପ୍ରତିଷ୍ଠା  କରିବାକୁ ମଞ୍ଜୁରୀ ମିଳିଛି ।

ଓ୍ବାନ ନେସନ ଓ୍ବାନ ଇଲେକ୍ସନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, କେମିତି ହେବ ଆଇନରେ ପରିଣତ

ନୂଆଦିଲ୍ଲୀ: ୱାନ ନେସନ ୱାନ ଇଲେକ୍ସନ ପ୍ରସ୍ତାବକୁ କେନ୍ଦ୍ର କ୍ଯାବିନେଟରେ ମଞ୍ଜୁରୀ ମିଳିଛି । ଗୋଟିଏ ଦିନରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ । ନିର୍ବାଚନ ସରିବାର ୧୦୦ ଦିନ ମଧ୍ୟରେ ହେବ ପୌର ନିର୍ବାଚନ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ଯାନେଲ ରିପୋର୍ଟ ଉପରେ ମୋହର ମାରିଛି ମୋଦି  କ୍ଯାବିନେଟ । ଦେଶର ରହିବ ଗୋଟିଏ ଭୋଟର ତାଲିକା । ୨୦୨୯ ଲୋକସଭା ନିର୍ବାଚନ ପରେ ଏହାକୁ ଲାଗୁ କରିବାକୁ ପ୍ରସ୍ତାବ ଦେଇଛି ପ୍ଯାନେଲ । କ୍ଯାବିନେଟର ଏହି ପ୍ରସ୍ତାବକୁ ନେଇ ଦେଶରେ ଆଲୋଚନା ହେବ । ସମସ୍ତଙ୍କ ମତାମତ ଗ୍ରହଣ କରିବା ପରେ ଏହାକୁ ଲାଗୁ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ସଂସଦର ଆସନ୍ତା ଶୀତକାଳୀନ ଅଧିବେଶନରେ ଆଗତ ହୋଇପାରେ ଏହି ବିଲ୍ ।

ଗତ ମାର୍ଚ୍ଚରେ ଏହି ରିପୋର୍ଟ ପ୍ରଦାନ କରିଥିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିରେ ରହିଛି, ଦେଶରେ ଗୋଟିଏ ସାଧାରଣ ଭୋଟର ତାଲିକା ରହିବ । ଦୁଇଟି ପର୍ଯ୍ୟାୟରେ ଭୋଟ ପାଇଁ ପ୍ରସ୍ତାବ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ । ଦ୍ଵିତୀୟ ପର୍ଯ୍ୟାୟରେ ହେବ ପୌର ନିର୍ବାଚନ । ପ୍ରଥମ ନିର୍ବାଚନ ସରିବାର ୧୦୦ ଦିନ ମଧ୍ୟରେ ହେବ ପୌର ନିର୍ବାଚନ । ୨୦୨୯ ଲୋକସଭା ନିର୍ବାଚନ ପରେ ଲାଗୁ କରିବାକୁ ପ୍ରସ୍ତାବ ରହିଛି । ରାଷ୍ଟ୍ରପତି ଗୋଟିଏ ତାରିଖ ସ୍ପଷ୍ଟ କରିବେ । ସେହିଦିନ ଅନୁଷ୍ଠିତ ହେବ କେନ୍ଦ୍ର ଓ ରାଜ୍ୟର ବିଧାନସଭା ନିର୍ବାଚନ । ଏଥିଲାଗି ୫ରୁ ୬ ସମ୍ବିଧାନ ସଂଶୋଧନ ଆବଶ୍ୟକ ପଡ଼ିବ । କ୍ଯାବିନେଟର ଏହି ପ୍ରସ୍ତାବକୁ ନେଇ ସାରା ଦେଶରେ ଆଲୋଚନା ହେବ । ଏହା ପରେ ଯାଇ ଲାଗୁ ହେବ ଏକ ଦେଶ ଏକ ନିର୍ବାଚନ ଆଇନ । ଏହାଦ୍ଵାରା ସାରା ଦେଶରେ ଗୋଟିଏ ସମୟରେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ । ଏହି ବ୍ୟବସ୍ଥା ଦ୍ଵାରା ସମୟ ବଞ୍ଚିବା ସହ କୋଟି କୋଟି ଟଙ୍କାର ଖର୍ଚ୍ଚକୁ ମଧ୍ୟ ରୋକାଯାଇପାରିବ ।

କିଏ କରୁଛନ୍ତି ସମର୍ଥନ, କିଏ କରୁଛନ୍ତି ବିରୋଧ

ୱାନ ନେସନ ୱାନ ଇଲେକ୍ସନ ପ୍ରସ୍ତାବକୁ ସମର୍ଥନ କରିଥିଲେ ୩୨ ରାଜନୈତିକ ଦଳ । କେନ୍ଦ୍ରର ଏନଡିଏ ମେଣ୍ଟରେ ବିଜେପିକୁ ବାଦ ଦେଲେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି, ନୀତୀଶ କୁମାରଙ୍କ ଜେଡିୟୁ, ଚିରାଗ ପାସୱାନଙ୍କ ଏଲଜେପି ଭଳି ସହଯୋଗୀ ଦଳ ରହିଛନ୍ତି । ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବକୁ ନେଇ ପୂର୍ବତନ ରାଷ୍ଟ୍ରପତି କୋବିନ୍ଦ ଦେଶର ୬୨ଟି ରାଜନୈତିକ ଦଳଗୁଡିକର ସହ ଆଲୋଚନା କରିଥିଲେ । ୧୫ଟି ରାଜନୈତିକ ଦଳ ଏହାର ବିରୋଧ କରିଥିଲେ । କଂଗ୍ରେସ, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, ସିପିଏମ ଓ ବିଏସପି ଭଳି ୧୫ଟି ରାଜନୈତିକ ଦଳ ଏହାର ଘୋର ବିରୋଧ କରିଥିଲେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଟିଡିପି, ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍ ଭଳି ୧୫ଟି ଦଳ କୌଣସି ଜବାବ ରଖି ନଥିଲେ ।

କେମିତି ଆଇନରେ ହେବ ପରିଣତ ?

ବିଲକୁ ଆଇନରେ ପରିଣତ କରିବାକୁ ହେଲେ ସଂସଦରେ ଗୃହୀତ କରିବାକୁ ପଡିବ । ସଂସଦରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନରେ ଏହି ବିଲ ପାର୍ଲାମେଣ୍ଟରେ ଗୃହୀତ ହେବ । ଲୋକସଭାରେ ଏହି ବିଲ୍ ପାସ କରିବାକୁ ୩୬୨  ଓ ରାଜ୍ୟସଭାରେ ୧୬୩ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ସଂସଦର ଦୁଇ ସଦନରେ ଏହି ବିଲ୍ ପାସ ହେବା ପରେ ଅତି କମରେ ୧୫ ରାଜ୍ୟର ଅନୁମୋଦନ ଲାଭ କରିବାକୁ ପଡ଼ିବ । ମୋଟ ୨୯ ରାଜ୍ୟ ମଧ୍ୟରୁ ୧୫ ରାଜ୍ୟର ବିଧାନସଭାରେ ଏହି ବିଲ୍ ଗୃହୀତ ହେବା ଆବଶ୍ୟକ । ଏହାପରେ ବିଲରେ ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ବିଲ୍ ଆଇନରେ ପରିଣତ ହେବ । ଆସନ୍ତା ଶୀତକାଳୀନ ଅଧିବେଶନରେ ଏହି ବିଲକୁ ପାର୍ଲାମେଣ୍ଟରେ ଆଗତ କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର ।

ଓଡ଼ିଶାରେ ଶିକ୍ଷାର ରାଜନୀତିକରଣ କରିଛି ବିଜେପି, ଶିକ୍ଷକଙ୍କୁ ଦଳୀୟ ସଦସ୍ୟ କରିବାକୁ ବିରୋଧ

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷାର ରାଜନୀତିକରଣ ଆରମ୍ଭ କରିଛି ବିଜେପି । ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ୫୦ ହଜାର ଶିକ୍ଷକଙ୍କୁ ସାମିଲ କରିବାକୁ ଯୋଜନା କରିଛି ଦଳ । ଶିକ୍ଷକଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ କରିବା ନିଷ୍ପତ୍ତିକୁ ଦୃଢ ବିରୋଧ କରିଛନ୍ତି ବିଜେଡି ଓ କଂଗ୍ରେସ । ବିଜେପିକୁ ନିର୍ବାଚନ ଜିତିବା ନିଶା ଲାଗିଥିବାରୁ ନୀତି ନୈତିକତା ଭୁଲିଯାଇ ଦଳ ଏପରି ରାଜନୀତିକୁ ଆପଣାଇବାକୁ ଯାଉଛି ବୋଲି ଉଭୟ ଦଳ ସମାଲୋଚନା କରି କହିଛନ୍ତି ।

ଗୁରୁଙ୍କୁ ଦଳୀୟ କର୍ମୀ ସଜାଇବ ବିଜେପି । ବିଜେପିକୁ ନିର୍ବାଚନୀ ନିଶା ଏମିତି ଘାରିଛି ଯେ ଶିକ୍ଷାଭଳି ପବିତ୍ର ବ୍ୟବସ୍ଥାକୁ କଳୁଷିତ କରିବାକୁ ଆରମ୍ଭ କରିଛି ଷଡ଼ଯନ୍ତ୍ର । ପ୍ରାଥମିକତା ସଦସ୍ୟତା ନାଁରେ ଗୁରୁ ପରି ପବିତ୍ର ଶବ୍ଦକୁ ରାଜନୀତିର ପଶାପାଲି ମଧ୍ୟକୁ ଟାଣିଛି ଦଳ । ଯାହାକୁ ନେଇ ଉଠିଛି ପ୍ରତିବାଦର ସ୍ବର । ବିଜେପିର ନିଷ୍ପତ୍ତି ଘୋର ପରିତାପର ବିଷୟ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଶିକ୍ଷକଙ୍କ ଦାୟିତ୍ଵ ପିଲାଙ୍କୁ ପାଠ ପଢାଇବା । ନୀତି ଓ ନୈତିକତାର ପ୍ରଶ୍ନ ଯେଉଁଠି ଅଛି, ସେଠି ଯଦି ଆମେ ସେମାନଙ୍କୁ ରାଜନୈତିକ ଦଳର ସଦସ୍ୟ ଭାବେ ଗ୍ରହଣ କରିବା ତା’ହେଲେ ନୀତି ଓ ନୈତିକତାରେ ବ୍ୟାଘାତ ହେବ । ବିଜେପି ନିର୍ବାଚନ ଜିତିବା ନିଶାରେ ଅଛି । ଯେହେତୁ ଶିକ୍ଷକମାନେ ନିର୍ବାଚନ ପରିଚାଳନା କରନ୍ତି ସେଥିପାଇଁ ନିର୍ବାଚନକୁ ଏକତରଫା କରିବାକୁ ଆଜିଠୁ ବିଧିବଦ୍ଧ ଯୋଜନା କରିଛି ଦଳ । ଏହା ଫଳରେ ଶିକ୍ଷାରେ ଅବନତି ଘଟିବ ଓ ନିର୍ବାଚନରେ ନିରପେକ୍ଷତା ରହିବନି ବୋଲି ଅରୁଣ ଆଶଙ୍କା ପ୍ରକାଶ କରିଛନ୍ତି । ଦେଶରେ ନିରପେକ୍ଷତାକୁ ହଟାଇବାକୁ ଏହା ବିଜେପିର ବଡ଼ ଚାଲ ବୋଲି ବିଜେଡି ଅଭିଯୋଗ କରିଛି । ଓଡ଼ିଶାର ଜନ ସମାଜ ଓ ଶିକ୍ଷକ ସମାଜ ଏହାକୁ କେବେ ଗ୍ରହଣ କରିବେନି ବୋଲି ଦଳ କହିଛି ।

ସେପଟେ କଂଗ୍ରେସ ମଧ୍ୟ ରାଜ୍ୟର ୫୦ ହଜାର ଶିକ୍ଷକଙ୍କୁ ଦଳୀୟ ସଦସ୍ୟତା ପ୍ରଦାନ ପାଇଁ ବିଜେପିର ଯୋଜନାକୁ ନାପସନ୍ଦ କରିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଏହା କେବେ ଗ୍ରହଣୀୟ ନୁହେଁ । ଶିକ୍ଷକମାନେ ସ୍ଵତନ୍ତ୍ର । ତାଙ୍କୁ ରାଜନୀତିରେ ସାମିଲ କରାଯାଇ ନପାରେ । ଶିକ୍ଷକଙ୍କୁ ବିଜେପି ସଦସ୍ୟ କରିବା ନେଇ ବିରୋଧୀ ଘେରିବା ପରେ ଜବାବ ରଖିଛି ବିଜେପି । ବିଜେପିର ଯୁକ୍ତି ହେଉଛି ବିରୋଧୀ ନିଷ୍ପତ୍ତିକୁ ଠିକ୍ ସେ ବୁଝି ନାହାଁନ୍ତି । ଅଣଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷକମାନଙ୍କୁ ସଦସ୍ୟ କରାଯିବ । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ।

କେବଳ ରାଜନୈତିକ ଦଳ ନୁହେଁ, ଖୋଦ ଶିକ୍ଷକ ସଂଘ ମଧ୍ୟ ବିଜେପିର ଏପରି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛି । ଶିକ୍ଷକଙ୍କୁ ବିଜେପି ନିଜ ଦଳର ପ୍ରାଥମିକ ସଦସ୍ୟ କରିବା ନିଷ୍ପତ୍ତି ନିନ୍ଦନୀୟ ବୋଲି କହିଛି ପ୍ରାଥମିକ ଶିକ୍ଷକ ସଂଘ । ଶିକ୍ଷକମାନେ ରାଜନୀତିରୁ ଦୂରଇ ରହିବା ଉଚିତ ବୋଲି ସଂଘ ପରାମର୍ଶ ଦେଇଛି ।

ଗତ ୧୬ ତାରିଖରେ ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ, ଗଣଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଜେପି ଶିକ୍ଷକ ପ୍ରକୋଷ୍ଠ ବୈଠକରେ ଶିକ୍ଷକଙ୍କୁ ପ୍ରାଥମିକ ସଦସ୍ୟ କରିବା ନେଇ ନିଷ୍ପତ୍ତି ହୋଇଥିଲା । ଏନେଇ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଯାହାକୁ ନେଇ ବିଜେପିକୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ ।

ବିଜେପି ସରକାରର ଶହେ ଦିନର ବାହାସ୍ପୋଟର ମୁଖା ଖୋଲିଲା ବିଜେପି, ମନେ ପକାଇ ଦେଲା ପ୍ରତିଶ୍ରୁତି

ଭୁବନେଶ୍ବର: ପ୍ରତିଶ୍ରୁତିର ପାହାଡ ଉପରେ ଛିଡ଼ା ହୋଇ ଶହେ ଦିନରେ ପହଞ୍ଚିଛି ବିଜେପି ସରକାର । ଶହେ ଦିନର ବାହାସ୍ପୋଟ ମାରୁଥିବା ବିଜେପିକୁ ନିର୍ବାଚନୀ ଇସ୍ତାହାରେ ଦେଇଥିବା ପ୍ରତିଶ୍ରୁତି ମନେ ପକାଇ ଘେରିଛନ୍ତି ବିଜେଡି ଓ କଂଗ୍ରେସ । କୁଆଡ଼େ ଗଲା ସବୁ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦେବା ପ୍ରତିଶ୍ରୁତି ? ୩୫ ଶହ ଭତ୍ତା, ୩୦୦ ୟୁନିଟ ମାଗଣା ବିଜୁଳି ପରି ଉଦାହରଣ ଦେଇ ମୋହନ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡ଼ି । କଂଗ୍ରେସ କହିଛି ଜୁମଲା ଦେଖାଇ ବିଜେପି ଓଡ଼ିଶାବାସୀଙ୍କୁ ଠକି ଦେଇଛି । ଅନ୍ୟପଟେ ବିଜେପି କିନ୍ତୁ ବିରୋଧୀଙ୍କ ଅଭିଯୋଗ ଉତ୍ତର ଛାଡ଼ି ଶହେ ଦିନର ସଫଳତାକୁ ବଖାଣିଛି । ଯାହାକୁ ନେଇ ତେଜିଛି ରାଜନୀତି ।

ପ୍ରତାରଣାର ଶହେ ଦିନରେ ବିଜେପି ସରକାର । ୨୦୨୪ ନିର୍ବାଚନୀ ଇସ୍ତାହାରେ ଦଳ ଦେଇଥିବା ପ୍ରତିଶ୍ରୃତି ଏବେ ପାଣିର ଗାର ସାଜିଛି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସରକାର ଗଠନର ଶହେ ଦିନ ପୂରଣ ହେବାକୁ ଯାଉଥିବା ବେଳେ ବିଜେପିର ମିଛ ପ୍ରତିଶ୍ରୁତିକୁ ସାମ୍ନାକୁ ଆଣିଛି ମୁଖ୍ୟ ବିରୋଧୀ ଦଳ ବିଜେଡ଼ି । ପ୍ରଶ୍ନ କରିଛି କୁଆଡ଼େ ଗଲା, ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କାର ଭାଉଚର ଦେବା ? ୩୫ ଶହ ଭତ୍ତା ପ୍ରତିଶ୍ରୃତି କେବେ ପୂରଣ କରିବ ? ଶହେ ଦିନ ଭିତରେ କାହିଁକି ଲୋକଙ୍କୁ ମିଳିଲାନି ୩୦୦ ୟୁନିଟ ମାଗଣା ବିଜୁଳୀ ? ବିଜେପିର ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରତିଶ୍ରୁତି ମନେନାହିଁ କି ?  ଶହେ ଦିନର ମୋହନ ସରକାରଙ୍କ ଏପରି ଲମ୍ବା ମିଛ ପ୍ରତିଶ୍ରୁତିକୁ ସାମ୍ନାକୁ ଆଣିଛି ବିଜେଡି ।

କେବଳ ସେତିକି ନୁହେଁ, ଶହେ ଦିନ ଭିତରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହେବା ସହ ବାଲେଶ୍ବରଠାରୁ ଖୋର୍ଦ୍ଧା ଯାଏଁ ସାମ୍ପଦାୟିକ ହିଂସା ଦେଖାଦେଇଛି । ଏହାସହ ମହିଳା, ଶିଶୁ ଓ ଆଦିବାସୀମାନେ ଅସୁରକ୍ଷତି ମନେ କରୁଥିବା ବେଳେ ସେନା ଅଧିକାରୀଙ୍କୁ ପୋଲିସର ବ୍ୟବହାର ଓ ନିର୍ଯାନତା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କିପରି ବିଗିଡ଼ିଛି ତାହା ପ୍ରମାଣିତ କରିଛି ।

ମୋହନ ସରକାର ନିଶାମୁକ୍ତ ଓଡ଼ିଶା ନାରା ଦେଇ ସରକାରକୁ ଆସିଛି । ହେଲେ ସରକାର ଗଠନର ମାସ କେଇଟାରେ ରାଜ୍ୟବାସୀ ଦେଖିଲେ ଚିକିଟିରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ହେବା । ଯାହା ମୋହନ ସରକାରଙ୍କ ନିଶା ନିବାରଣ ଆନ୍ତରିକତାକୁ ପଦାରେ ପକାଇଛି । ଆନ୍ଦ୍ର ଓ ବିହାରକୁ ସ୍ବତନ୍ତ୍ର ସହାୟତା ଦେଇଥିବା କେନ୍ଦ୍ର ସରକାର ଶହେ ଦିନରେ ଓଡ଼ିଶା କିପରି ପୋଲାଭରମ ଯୋଗୁଁ ବୁଡ଼ିବ ସେ ବ୍ୟବସ୍ଥା କରିଥିବା ବିଜେଡ଼ି ବଖାଣିଛି ।

ବିଜେପିର ଶହେ ଦିନର ସରକାରକୁ ନେଇ ବର୍ଷିଛି କଂଗ୍ରେସ । ଶହେ ଦିନରେ ଓଡ଼ିଶା କ’ଣ ପାଇଛି ବୋଲି ପ୍ରଶ୍ନ କରିଛି ଦଳ ।  ୨ କୋଟି ୨୫ ଲକ୍ଷରୁ ଅଧିକ ମହିଳା ଥିବା ବେଳେ ସୁଭଦ୍ରା ଯୋଜନାରେ ୫୦ ପ୍ରତିଶତ ମହିଳା ପାଇବେନି l ଦରଦାମ ଏବେ ଆକାଶ ଛୁଆଁ l ମାସକୁ ୮୩୩ ଟଙ୍କାରେ ମହିଳା କିପରି ସଶକ୍ତି ହେବେ ବୋଲି ଦଳ ପ୍ରଶ୍ନ କରିଛି । ଓଡିଶାରେ ୩୪ ଲକ୍ଷ ପକ୍କାଘର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୬ ଲକ୍ଷ ପକ୍କାଘର ଦିଆଯାଇଛି l ଯେତେବେଳେ କି ପ୍ରଧାନମନ୍ତ୍ରୀ କହିଥିଲେ ୨୦୨୨ରେ ସମସ୍ତଙ୍କୁ ପକ୍କା ଘର ଦେବେ l ବିଜେପି ସରକାର ଯୋଗୁଁ ଦେଶ ଓ ରାଜ୍ୟରେ ବେକାରୀ ଶୀର୍ଷରେ ପହଞ୍ଚିଛି ଓ ରେକର୍ଡ଼ କରିଛି l

ସେହିପରି ବିଜେପିର ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରତିଶ୍ରୁତି କୁଆଡେ ଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । ବିଜେପି ପ୍ରତିଶ୍ରୁତି ଭୁଲିଯାଇଥିବାରୁ ମନେ ପକାଇ ଦେଲୁ କହି କଟାକ୍ଷ କରିଛି କଂଗ୍ରେସ ।

୧୦୦ ଦିନ ଭିତରେ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଲା, ହେଲେ ରାଜ୍ୟର ମୋହନ ସରକାର ଏହାକୁ ଚପାଇ ଦେଲେ । ୧୦୦ ଦିନ ଭିତରେ ଧମାରାକୁ ଆଦାନୀକୁ ଦେଇଦେଲେ । ଏହା ହେଉଛି ବିଜେପି ଶହେ ଦିନର ସଫଳତା ବୋଲି କଂଗ୍ରେସ ଅଭିଯେଗା କରିଛି । ସେପଟେ ବିଜେପି ସଭାପତି ମନମୋହନ ସାମଲ ପ୍ରେସମିଟ କରିଛି ଶହେ ଦିନରେ ବିଜେପିର ସଫଳତାକୁ ବଖାଣିଛନ୍ତି । ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଟି ପ୍ରତିଶ୍ରୁତି ପାଳନ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକର ଗୋଟି ଗୋଟି ହିସାବ ଦେଇଛି ଦଳ ।

ରାତି ପାଇଲେ ମୋହନ ସରକାର ଶହେ ଦିନ ପୂରଣ କରିବ । ନିର୍ବାଚନୀ ଇସ୍ତାହାର ଗୋଟେ ପଟେ ସରକାରଙ୍କ କାର୍ଯ୍ୟକ୍ରମ ଆଉ ଗୋଟେ ପଟେ ଥିବାରୁ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିବା ସହ ପ୍ରତିଶ୍ରୃତି ପାଳନ କରିବାକୁ ଦାବି କରିଛନ୍ତି । ଯାହାକୁ ନେଇ ତେଜିଛି ରାଜନୀତି ।

ଶିଶୁପୁତ୍ରକୁ ଧରି ନଦୀକୁ ଡେଇଁଲେ ମାଆ

ପିପିଲି: କୋଳରେ ଶିଶୁପୁତ୍ର । ଚାଲି ଚାଲି ଆସିଲେ, କେହି କିଛି ବୁଝିବା ଆଗରୁ ନଦୀକୁ ଡେଇଁ ପଡିଲେ ମହିଳା । ପ୍ରାୟ ଏକ ଘଣ୍ଟା ପାରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏମିତି ଘଟଣା ଘଟିଛି ପିପିଲି ଅଞ୍ଚଳରେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମହିଳା ଜଣଙ୍କ କୋଳରେ ଶିଶୁପୁତ୍ରକୁ ଧରି ଭାର୍ଗବୀ ନଦୀର ହରିପୁର ବ୍ରିଜ ନିକଟକୁ ଆସିଥିଲେ । ଏହାପରେ ହଠାତ, ପିଲାକୁ ଧରି ନଦୀକୁ ଡେଇଁ ପଡିଥିଲେ । ଏକ ଘଣ୍ଟା ପରେ ପିପିଲି ସୁନାପଦା ନିକଟରେ ମହିଳା ଓ ଶିଶୁର ମୃତଦେହ ଉଦ୍ଧାର କରିଥିଲେ ଗ୍ରାମବାସୀ ।

ମୃତ୍ୟୁବରଣ କରିଥିବା ମହିଳା ଓ ତାଙ୍କ ପିଲାର ପରିଚୟ ମିଳିପାରି ନାହିଁ । ମହିଳା ଜଣଙ୍କ ନିଜର ଜନ୍ମକଲା ପିଲାକୁ ଧରି କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନି ।

ଖବର ପାଇଁ ପିପିଲି ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି ।

ଉବୁଟୁବୁ ବାଲେଶ୍ବର: ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି, ଗାଁରେ ଚାଲୁଛି ଡଙ୍ଗା

ବାଲେଶ୍ବର: ଦୁଇ ଦିନ ହେଲା ବିପଦ ସଙ୍କେତ ଉପରେ ଚାଲିଛି ସୁବର୍ଣ୍ଣରେଖାର ବନ୍ୟା ପାଣି । ବାଲେଶ୍ବରର ସ୍ଥିତି ସଙ୍ଗୀନ । ଲଗାଣ ବର୍ଷା ପରେ କେଉଁଠି ଗାଁ ଦାଣ୍ଡରେ ଡଙ୍ଗା ଚାଲୁଛି ତ, ଆଉ କେଉଁଠି ଡଙ୍ଗାରେ ପରିବାରକୁ ନେଇ ଆଶ୍ରୟ ସ୍ଥଳକୁ ବାହାରି ଯାଉଛନ୍ତି ଲୋକେ । ବାଲିଆପାଳ ଓ ଭୋଗରାଇ ବ୍ଲକର ଶହ ଶହ ପରିବାର ହୋଇଛନ୍ତି ପ୍ରଭାବିତ ।

ଆଖିରେ ନ ଦେଖିଲେ ହେବନି ବିଶ୍ବାସ । ଚୁଲିରେ ପସିଛି ପାଣି । ଘର ଭିତରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ଗାଁ ଦାଣ୍ଡରେ ବେକେ ପାଣି । ଘୋ ଘୋ ହୋଇ ଗାଁ ଭିତରକୁ ମାଡି ଚାଲିଛି ସୁବର୍ଣ୍ଣରେଖାର ବନ୍ୟା ଜଳ । ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ରସଲପୁର ଗାଁରେ । ଚୁଲିରେ ପାଣି ପସି ଯାଇଥିବାରୁ ଟିଣ ଚୁଲା ତିଆରି କରି ଭାତ ରାନ୍ଧୁଛନ୍ତି ଲୋକେ । ଆଉ ଘର ଭିତରୁ ପାଣି ବାହାର କରୁଛନ୍ତି ଅନ୍ୟମାନେ । ବାଲିଆପାଳ ଓ ଭୋଗରାଇ ବ୍ଲକର ଶହ ଶହ ପରିବାର ସୁବର୍ଣ୍ଣରେଖା ବନ୍ୟାରେ ପ୍ରଭାବିତ ହୋଇ ଦୁଃଖ ଭୋଗୁଛନ୍ତି । ଚାଷ କିଆରିର ଚିହ୍ନ ମିଳୁନାହିଁ । ଧାନ, ପନିପରିବା ସବୁ ୩ ଦିନ ହେଲା ବନ୍ଯାଜଳରେ ବୁଡି ରହିଛି ।

ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ଆଜି ବି ବନ୍ୟାପାଣି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଜଳକା ଓ ବୁଢାବଳଙ୍ଗ ନଦୀର ପାଣି ଖସୁ ଥିବାରୁ ବସ୍ତା ବ୍ଲକର ଲୋକେ ଆଶ୍ବସ୍ତ ହୋଇଛନ୍ତି । ହେଲେ ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁଁ ବାଲିଆପାଳ ଓ ଭୋଗରାଇ ବ୍ଲକର ୨୫ଟି ପଞ୍ଚାୟତର ୭୦ରୁ ଅଧିକ ଗାଁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ବନ୍ୟା ପିଡିତଙ୍କୁ ଭେଟି ଆଲୋଚନା କରିଛନ୍ତି । ଲୋକଙ୍କୁ ସୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି । ହେଲେ ସ୍ଥିତି ଯେମିତିକୁ ସେମିତି ରହିଛି ।

ରତ୍ନଭଣ୍ଡାର ଯାଞ୍ଚକୁ ନେଇ ଶଙ୍କାରାଚାର୍ଯ୍ୟଙ୍କ କ୍ଷୋଭ, କହିଲେ- ମୋ ମତାମତ ନିଆଯାଉନି

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ l ଏ ବିଷୟରେ ତାଙ୍କଠାରୁ କୌଣସି ମତାମତ ନିଆଯାଉନାହିଁ ବୋଲି କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

ସେ କହିଛନ୍ତି, ମୋତେ ଅଣଦେଖା କରାଯାଉଛି ।ସାଧୁସନ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ । ସାଧାରଣ ଭକ୍ତଙ୍କ ପରି ସାଧୁସନ୍ଥମାନେ ମଧ୍ୟ ଭିଡ଼ରେ ଯାଇ ଦର୍ଶନ କରୁଛନ୍ତି ।

ଆଜି ଜଗତଗୁରୁ ଚତୁଃମାସିଆ ବ୍ରତ ସମ୍ପନ୍ନ କରି ପତିତପାବନ ଦର୍ଶନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି । ପରମ୍ପରା ଅନୁସାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ବ୍ରତ ସମୟରେ ଗୋବର୍ଦ୍ଧନ ମଠରୁ ବାହାରକୁ ବାହାରନ୍ତି ନାହିଁ । ମାତ୍ର ବ୍ରତ ସାରିବା ପରେ ଗୋବାର୍ଦ୍ଧନ ମଠରୁ ବାହାରି ବାଲିସାହି ରାସ୍ତା ଦେଇ ସେ ସିଂହଦ୍ୱାର ନିକଟରେ ପହଞ୍ଚି ପତିତପାବନଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ପତିତପାବନ ଦର୍ଶନ କରିବା ପରେ ସେ ପଞ୍ଚଗୋଟି ଗୋଶାଳା, ମା ବାଟମଙ୍ଗଳା ଦର୍ଶନ କରି ମହୋଦଧି ଆଳତି କରିବେ l ସନାତନ ଧର୍ମର ଆଦିଗୁରୁଙ୍କୁ ବହୁ ଭକ୍ତ ଶ୍ରଦ୍ଧାଳୁ ଦର୍ଶନ କରି ସୌଭାଗ୍ୟ ଲାଭ କରିଛନ୍ତି ।

ଶହେ ଦିନର କାମକୁ ନେଇ ବିଜେପି ସରକାରକୁ ବିଜେଡିର ଟାର୍ଗେଟ

ଭୁବନେଶ୍ବର: ଆଗକୁ ଯିବା ବଦଳରେ ପଛକୁ ଚାଲିଛି ବିଜେପିର ୧୦୦ ଦିନିଆ ସରକାର । ତୃତୀୟ ପାଳିରେ କେନ୍ଦ୍ର ବିଜେପି ସରକାର ପଛକୁ ଚାଲିଛନ୍ତି ବୋଲି କହି କଟାକ୍ଷ କରିଛି ବିଜେଡି । ବିଜେପିର ୧୦୦ ଦିନର ଶାସନକୁ ସମାଲୋଚନା କରି ବିଜେଡି କହିଛି, କେନ୍ଦ୍ର ସରକାର ବିଭିନ୍ନ ପ୍ରସଙ୍ଗରେ ପଛଘୁଞ୍ଚା ଦେଇଛନ୍ତି ।

ପିଏମୱାଇ ଆବାସ ସମ୍ପର୍କରେ କଡ଼ା ସମାଲୋଚନା କରି ବିଜେଡି କହିଛି, ୩ କୋଟି ପିଏମ୍ ଆବାସ ଦେବା ପାଇଁ ବିଜେପି ସରକାର ଘୋଷଣା କରିଛନ୍ତି । ହେଲେ ଏଥିପାଇଁ ବଜେଟରେ ପ୍ରାବଧାନ ରଖିନାହାଁନ୍ତି । ୨୦୨୨ ସୁଦ୍ଧା ଦେଶରେ ସବୁ କଚ୍ଚା ଘରକୁ ପକ୍କା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ୨୦୨୪ରେ ଆଉ କଚ୍ଚା ଘର କୁଆଡୁ ଆସିଲା ବୋଲି ଦଳ ପ୍ରଶ୍ନ କରିଛି ।

ସେହିପରି ଓଡିଶାକୁ ୨୦ ଲକ୍ଷ ଘର ଦେବାକୁ ତତ୍କାଳୀନ ସରକାର ଦାବି କରିଥିଲେ । ହେଲେ ବିଜେପି ସରକାର ମାତ୍ର ୮ରୁ ୯ ଲକ୍ଷ ଘର ଦେଇ ପରେ ୩ ଲକ୍ଷ ଘର ଫେରାଇ ନେଲେ ବୋଲି ବିଜେଡି ଅଭିଯୋଗ କରିଛି ।

ବିଶ୍ବରେ ଅଶୋଧିତ ତୈଳଦର ହ୍ରାସ ହେଉଥିବାବେଳେ ଭାରତରେ ପେଟ୍ରୋଲ ଡିଜେଲ ଦର ହ୍ରାସ ପାଉନି । ଦରଦାମ ବୃଦ୍ଧି ଓ ନିଯୁକ୍ତି କ୍ଷେତ୍ରରେ ବି ବିଜେପିର ଭୂଆଁ ବୁଲାଇବା ନୀତିକୁ ବିଜେଡି ପଦାରେ ପକାଇଛି । ବିଶ୍ବଗୁରୁ ବୋଲାଉଥିଲେ ମଧ୍ଯ ଭାରତର ପଡ଼ୋଶୀ ରାଷ୍ଟ୍ରଙ୍କ ସହ ସମ୍ପର୍କ ଭଲ ନାହିଁ । ଏପଟେ ରାଜ୍ଯରେ ବିଜେପି ସରକାର ଘରେ ନପଶୁଣୁ ଚାଳ ବାଜିଲାଣି ବୋଲି ଦଳ କହିଛି ।

ମୋହନ ସରକାର କେବଳ ରଙ୍ଗ ଓ ନାମ ବଦଳାଇବାରେ ୧୦୦ ଦିନ ସାରି ଦେଇଥିବା ବିଜେଡି କହିଛି । ଓମଫେଡ୍ ରଙ୍ଗ ବଦଳେଇ ଓଜନ କମେଇ ଦର ବଢେଇ ଦେଲେ । ୫ ହଜାର ଟଙ୍କା ଦେଇ ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି କେମିତି ସୃଷ୍ଟି କରିବେ ଜବାବ ଦେବାକୁ ବିଜେଡି ଦାବି କରିଛି । ଦରଦାମ ବୃଦ୍ଧି, ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ, ରାଜ୍ଯପାଳଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିବା, ଟିକିଟି ମଦମୃତ୍ଯ, ଭରତପୁର ଥାନାରେ ମେଜରଙ୍କୁ ମାଡ଼ ପ୍ରସଙ୍ଗରେ ବି ପ୍ରବଳ ବର୍ଷିଛି ବିଜେଡି । ବିଜେଡି କହିଛି ଥାନାଗୁଡିକ ଏବେ ବିଜେପିର ସେକେଣ୍ଡ ପାର୍ଟି ଅଫିସ ହୋଇଯାଇଛି । ରାଜ୍ଯରେ ସାଂପ୍ରଦାୟିକ ହିଂସା, ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି । ଅନ୍ଯ ରାଜ୍ଯକୁ କେନ୍ଦ୍ର ସହାୟତା ଦେଉଥିବାବେଳେ ଓଡ଼ିଶାକୁ କ’ଣ ସ୍ବତନ୍ତ୍ର ଅନୁଦାନ ଦେଇଛନ୍ତି ବୋଲି ଜବାବ ରଖିବାକୁ ବିଜେଡି ଆହ୍ବାନ ଦେଇଛି ।

ଅନ୍ଯପଟେ ମହାନଦୀ, ପୋଲାଭରମ, କୋଟିଆକୁ ନେଇ ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ଦଳ ପ୍ରଶ୍ନ କରିବା ସହ ଶିକ୍ଷକମାନଙ୍କୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ଗ୍ରହଣ କରିବା ଘୋଷଣାକୁ ନେଇ ପ୍ରବଳ ବର୍ଷିଛି ।

ଅସୁରକ୍ଷିତ ଭୁବନେଶ୍ବର: ଭରତପୁର ପରେ ଖଣ୍ଡଗିରିରେ ଯୁବତୀଙ୍କ ଦୁର୍ବ୍ୟବହାର

ଭୁବନେଶ୍ବର: ଦିନକୁ ଦିନ ଅସୁରକ୍ଷିତ ହୋଇ ଯାଉଛି ଭୁବନେଶ୍ବର । ଆଇନଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିବାକୁ ବସିଛି । କେଉଁଠି ଲୁଟ ତ କେଉଁଠି ରକ୍ତାକ୍ତ ଆକ୍ରମଣର ଶିକାର ହେଉଛନ୍ତି ଲୋକେ । ଭାଇଗିରି ଦେଖାଇବା, ଖଣ୍ଡା, ଭୁଜାଲି ବୁଲିବା ରାଜଧାନୀରେ ଯେମିତି ସାଧାରଣ ଘଟଣା ପାଲଟି ଯାଇଛି । ଏପରିକି ଥାନା ଭିତରେ ବି ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ନିଜେ ପୋଲିସ ଥାନାକୁ ଆସୁଥିବା ଲୋକଙ୍କୁ ନିର୍ଯାତନା ଦେବାକୁ ପଛାଉନାହିଁ ।

ଭରତପୁର ଆଦର୍ଶ ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯିବା ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ରାଜ୍ୟ ପୋଲିସକୁ ଥୁ ଥୁ କରୁଛନ୍ତି ଲୋକେ । ବିରୋଧୀ ଦଳ ଓ ବିଭିନ୍ନ ସଙ୍ଗଠନର ଟାର୍ଗେଟରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ । ଏହାରି ଭିତରେ ଭରତପୁର ପରେ ଖଣ୍ଡଗିରିରେ ମଧ୍ୟ ଅପରାଧୀଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି ।

ଜଣେ ଯୁବତୀଙ୍କୁ ଉଦୟଗିରି ପାହାଡ଼ ଉପରେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଦୁର୍ବ୍ୟବହାର ପରେ ସୋସିଆଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ କରିଛନ୍ତି । ବୀଭତ୍ସକାଣ୍ଡ ନେଇ କମିଶନର ଓ ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପୀଡିତା । ଉଦୟଗିରି ଭଳି ଏକ ପର୍ଯ୍ୟଟନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ଦୁର୍ବୃତ୍ତମାନେ କେମିତି ଏତେ ବଡ଼ କାଣ୍ଡ ଭିଆଇଲେ ଓ ପୋଲିସ କ’ଣ କରୁଥିଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଯଦି ଉଦୟଗିରି ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଝିଅବୋହୁ ସୁରକ୍ଷିତ ନୁହଁନ୍ତି ତେବେ କେଉଁଠି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ପର୍ଯ୍ୟଟନ ସ୍ଥଳରେ ସୁରକ୍ଷା ବଢାଇବାକୁ ଦାବି କରାଯାଇଛି ।

ଟ୍ରେନରେ ବିଷ ପିଇ ମାଆଝିଅଙ୍କ ଆତ୍ମହତ୍ୟା ଉଦ୍ୟମ

ପିପିଲି: ଟ୍ରେନରେ ମାଆଝିଅଙ୍କ ଆତ୍ମହତ୍ଯା ଉଦ୍ଯମ । ମୟୂରଭଞ୍ଜରୁ ପୁରୀ ଯାଉଥିବା ଟ୍ରେନରେ ବିଷ ପିଇଲେ ମାଆ ଓ ଝିଅ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଡେଲାଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଘର ମୟୂରଭଞ୍ଜ ଯଶିପୁର ବ୍ଲକ ମୌଜି ଗାଁରେ ହୋଇଥିବା ସୂଚନା ମିଳିଛି ।

ଖବର ଅନୁସାରେ, ରାଜୁ ମଣ୍ଡଳଙ୍କ ପରିବାର ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ କୌଣସି ଘଟଣାକୁ ନେଇ ପ୍ରଥମେ ଝିଅ ଓ ପରେ ମାଆ ବିଷ ପିଇ ଦେଇଥିଲେ । ଏନେଇ ଯାତ୍ରୀମାନେ ଜାଣିବା ପରେ ସେମାନଙ୍କୁ କଣାସ ରୋଡ୍ ଷ୍ଟେସନରେ ଓହ୍ଲାଇ ଦେଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଡେଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।