spot_img
Home Blog Page 152

ସମ୍ବଲପୁରବାସୀଙ୍କ ପାଇଁ କାଳ ସାଜିଛି ଫ୍ଲାଏଓଭର ନିର୍ମାଣ

ସମ୍ବଲପୁରବାସୀଙ୍କ ପାଇଁ କାଳ ସାଜିଛି ଫ୍ଲାଏଓଭର ନିର୍ମାଣ । ପାଦେ ପାଦେ କେ ବିପଦ । ସଡ଼କ ଦୁର୍ଘଟଣା କମାଇବା ପାଇଁ ଏନଏଚଆଇର ପଦକ୍ଷେପ ପାଲଟିଛି ବୁମେରାଂ । କମିବ କଣ ବଢୁଛି ଦୁର୍ଘଟଣା । ସମ୍ବଲପୁର ସହରର ବିଶେଷ କରି ରେମେଡ୍ ଛକରୁ ଅଇଁଠାପାଲି ପର୍ଯ୍ୟନ୍ତ ନିର୍ମାଣ ଚାଲିଛି ଫ୍ଲାଇଓଭର । ଫଳରେ ପ୍ରଦିନ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଏନେଇ ଚିନ୍ତା ପ୍ରକଟ କରିଛନ୍ତି ସମ୍ବଲପୁର ସହରବାସୀ । କାରଣ ଯେତେବେଳେ ରାସ୍ତା ନିର୍ମାଣ କରାଯାଏ ସେହି ସମୟରେ ଏକ ବ୍ୟବସ୍ଥିତ ସର୍ଭିସ ରୋଡର ଆବଶ୍ୟକତା ଥାଏ । କିନ୍ତୁ ଏଠାରେ ତାହା ଦେଖିବାକୁ ମିଳୁନାହିଁ । କାହିଁକି ଜାତୀୟ ରାଜପଥ ପ୍ରାଧିକରଣ ଏଭଳି ଖାମ ଖିଆଲି କାମ କରୁଛି ତାକୁ ନେଇ ପ୍ରଶ୍ନ ଉଠିଛି l

ଏହି ରାସ୍ତାରେ ବିଶେଷ କରି ଚାରି ଜିଲ୍ଲାର ଯାତ୍ରୀ ଯିବା ଆସିବା କରିଥାନ୍ତି । ଗୋଟିଏ ପଟେ ଝାରସୁଗୁଡ଼ା ରୋଡ ଆସି ମିଶୁଥିବା ବେଳେ ଅନ୍ୟପଟେ ବରଗଡ ରୋଡ ଆସି ମିଶିଛି । ସେହିପରି ସୁବର୍ଣ୍ଣପୁର ଓ ଦେବଗଡ଼ ଜିଲ୍ଲାର ମଧ୍ୟ ଏହା ହେଉଛି ମୁଖ୍ୟ ରାସ୍ତା । ତେଣୁ ସବୁବେଳେ ଏହି ରାସ୍ତା ଭିଡ ରହୁଥିବାରୁ ଖୁବ୍ ଶୀଘ୍ର ଏକ ବ୍ୟବସ୍ଥିତ ସର୍ଭିସ ରୋଡ ନିର୍ମାଣ କରିବାକୁ ଦାବି କରିଛନ୍ତି ଲୋକେ । ଏଭଳି ଅବ୍ୟବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠିଛି ।

ଗଛରେ ବସିଛନ୍ତି ହଜାର ହଜାର ପକ୍ଷୀ: କିଚିରିମିଚିରି ଶବ୍ଦରେ ଫାଟି ପଡୁଛି ଗାଁ ଦାଣ୍ଡ

ଗଛରେ ବସିଛନ୍ତି ହଜାର ହଜାର ପକ୍ଷୀ । କିଚିରିମିଚିରି ଶବ୍ଦରେ ଫାଟି ପଡୁଛି ଗାଁ ଦାଣ୍ଡ । କଳାହାଣ୍ଡି ଜିଲ୍ଲା ଭବାନୀପାଟାଣା ବ୍ଲକ କାମଠଣା ପଞ୍ଚାୟତ ବୋରଭଟା ଗାଁରେ ବିଦେଶୀ ପକ୍ଷୀଙ୍କ ସମ୍ଭାର । ଗାଁର ଶେଷ ମୁଣ୍ଡରେ ଥିବା ଗ୍ରାମଦେବୀ ମାଆ ମାଉଲିଙ୍କ ପୀଠରେ ଥିବା ଗଛରେ ବସା ବାନ୍ଧିଛନ୍ତି ହଜାର ହଜାର ପକ୍ଷୀ । ଦୂରଦୂରାନ୍ତରୁ ପକ୍ଷୀମାନେ ଏଠାକୁ ବର୍ଷା ଋତୁ ଆରମ୍ଭରୁ ଛୁଟିଆସିଥିବା ବେଳେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ ।

ବୋରଭଟା ଗାଁକୁ ପ୍ରତିବର୍ଷ ଶ୍ରାବଣ ମାସରୁ ବିଦେଶୀ ପକ୍ଷୀ ଆସିଥାନ୍ତି । ଗାଁ ଶେଷ ମୁଣ୍ଡରେ ଥିବା ପୁରୁଣା ଗଛରେ ବସା ବାନ୍ଧି ଅଣ୍ଡା ଦିଅନ୍ତି । ଆଖପାଖ ଜମି ଓ ପାଖରୀରୁ ଖାଦ୍ୟ ସଂଗ୍ରହ କରି ଖାଇଥାନ୍ତି । ପକ୍ଷୀଙ୍କୁ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା କରିଥାନ୍ତି ଗ୍ରାମବାସୀ । ଫେବୃୟାରୀ ମାସ ପରେ ପକ୍ଷୀ ମାନେ ଦ୍ଵିତୀୟ ଘର ଛାଡି ନିଜ ଅଞ୍ଚଳକୁ ଫେରି ଯାଆନ୍ତି । ବନବିଭାଗ ପକ୍ଷରୁ ବିଦେଶୀ ପକ୍ଷୀଙ୍କ ପାଇଁ ରହିବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

ପଞ୍ଚାୟତରେ ମହାଦୁର୍ନୀତି: ଭୂତ ବିଲ୍‌ କରି କରାଯାଇଛି ଟଙ୍କା ହଡ଼ପ, RTI ତଥ୍ୟରୁ ଖୁଲାସା

ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତରେ ମହାଦୁର୍ନୀତି । ଭୂତ ବିଲ କରି କରାଯାଇଛି ଟଙ୍କା ହଡ଼ପ । RTI ତଥ୍ୟରୁ ଖୁଲାସା । ଯୁରାବନ୍ଧ ପରି ଉପାନ୍ତ ଅଞ୍ଚଳରେ ଦୁର୍ନୀତିର ଗନ୍ଧ ପାଇ କିଛି ଯୁବକ RTIକୁ ତଥ୍ୟ ମାଗିଥିଲେ । ତଥ୍ୟ ମୁତାବକ ଯୁରାବନ୍ଧ ପଞ୍ଚାୟତର କେଉମାଲ ଗାଁରେ ଖଲିଆମୁଡା ନାଁରେ କୌଣସି ବନ୍ଦ ନଥିଲେ ମଧ୍ୟ ସେହି ନାଁରେ ଲକ୍ଷଲକ୍ଷ ଟଙ୍କା ଉଠାଣ ହୋଇଛି । ସେଭଳି ଚର୍ଚ୍ଚ ଘରକୁ କମ୍ୟୁନିଟି ସେଣ୍ଟର ଓ ଅନେକ ଉନ୍ନୟନ କାମ ଦର୍ଶାଇ ଲକ୍ଷାଧିକ ଟଙ୍କା ହଡପ ହୋଇଛି । ସେ ସମସ୍ତ ଟଙ୍କା ସରପଞ୍ଚଙ୍କ ବାପାଙ୍କ ଆକାଉଣ୍ଟକୁ ଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ବାପାଙ୍କ ଭେଣ୍ଡର ଆଇଡି ନଥିବା ବେଳେ କେମିତି ତାଙ୍କୁ ଏତେ ଟଙ୍କା ଦିଆଯାଇଛି ତାକୁ ନେଇ ଉଠିଛି ପ୍ରଶ୍ନ ।

ଯୁରାବନ୍ଧ ପଞ୍ଚାୟତରେ ଦୁର୍ନୀତି ହୋଇଥିବା ଖବର ପାଇ ବିଡିଓ ତଦନ୍ତ କରି ବଲାଙ୍ଗୀର ପିଡିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଯେଉଁଥିରେ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପଞ୍ଚାୟତ ତରଫରୁ ହୋଇଥିବା ସମସ୍ତ ଉନ୍ନୟନମୂଳକ କାମରେ ସରପଞ୍ଚଙ୍କ ବାପାଙ୍କ ପାଖରେ ଥିବା ଦୁଇଟି ଟ୍ରାକ୍ଟର ବ୍ୟବହାର ହୋଇଛି । ୨ଟି ଟ୍ରାକ୍ଟରର ନମ୍ବର OD 03Q 1510 ଓ OD 02G 5840 । ହେଲେ RTO ରେଜିଷ୍ଟ୍ରେସନ ଅନୁସାରେ ସେହି ଦୁଇଟି ଗାଡି ମୋଟର ସାଇକଲ ଓ ପ୍ଲେଜରର ବୋଲି ଜଣାପଡିଛି । ତେବେ କିପରି ମୋଟର ସାଇକେଲ ଉନ୍ନୟନମୂଳକ କାମରେ ସାମିଲ ହେଲା ? ଏସମସ୍ତ ତଥ୍ୟ ପଞ୍ଚାୟତରେ ହୋଇଥିବା ଦୁର୍ନୀତିକୁ ପର୍ଦ୍ଦାଫାସ କରିଛି । ସ୍ଥାନୀୟ ଲୋକେ ଘଟଣାର ଭିଜିଲାନ୍ସ ସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ BDO ଏହାକୁ ପ୍ରିଣ୍ଟିଂ ଏରର କହୁଛନ୍ତି । ଦୁର୍ନୀତିକାରୀ ଅଧିକାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ହିଁ ଅପେକ୍ଷା ।

ଦୁଃଖ ଆଣିଛି ଋଷିକୂଲ୍ୟା ବନ୍ୟା: ଉଜାଡିଦେଲା ସୁନାର ଫସଲ, ଚିନ୍ତାରେ ଚଷା ପୁଅ

ଦୁଃଖ ଆଣିଛି ଋଷିକୂଲ୍ୟା ବନ୍ୟା । ଉଜାଡିଦେଲା ସୁନାର ଫସଲ । ଚିନ୍ତାରେ ଚଷା ପୁଅ । ଗତ ଲଗାଣ ବର୍ଷାରେ ଋଷିକୂଲ୍ୟା ନଦୀରେ ବନ୍ୟା ଆସିବାରୁ ଗଞ୍ଜାମର ନଦୀ ତଟବର୍ତ୍ତୀ ଗାଁ ଗୁଡିକରେ ବ୍ୟାପକ ଫସଲ ନଷ୍ଟ ହୋଇଛି । କେଉଁଠି ଜମିରେ ବାଲି ଚରିଯାଇଛି ତ ଆଉ କେଉଁଠି ଭୂଇଁରେ ଲୋଟିଛି ଧାନ ଗଛ । ଅନେକ ଜମିରେ ଏବେବି ପାଣି ଜମି ରହିଥିବା ବେଳେ ଉଜୁଡା ଚାଷକୁ ମାଟିରୁ ସାଉଁଟୁଛନ୍ତି ଚାଷୀ । ଧରାକୋଟ ବ୍ଳକ କୁଶପଡା ଗାଁରେ ବନ୍ୟା ପାଣି ମାଡିଯିବାରୁ ଶହ ଶହ ହେକ୍ଟର ଜମିରେ ଧାନ ଫସଲ ସହ ପନିପରିବା ଚାଷ ନଷ୍ଟ ହୋଇଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀ କିପରି ଋଣ ସୁଝିବେ ? କିପରି ପରିବାର ଚଳାଇବା ? ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଋଷିକୂଲ୍ୟା ନଦୀ ଓ ବଡ଼ ନଦୀ କୂଳରେ ଥିବା ବହୁ ଗାଁ ଲୋକଙ୍କ ଫସଲ ନଷ୍ଟ ହୋଇଛି । ବିଶେଷ କରି ସିଙ୍ଗିପୁର, ବ୍ରାହ୍ମଣ ଦେଇ, ନୂଆଗଡ଼, ଯାହାଡା ଆଦି ଗାଁରେ ବହୁ ଫସଲ ନଷ୍ଟ ହୋଇଛି । ଗ୍ରାଉଣ୍ଡକୁ ଜିଲ୍ଲାପାଳ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ତହସିଲଦାର, କୃଷି ବିଭାଗ ଅଧିକାରୀ, ଉଦ୍ୟାନ ବିଭାଗ ଓ ଅନ୍ୟ କର୍ମଚାରୀଙ୍କୁ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଥାପି କ୍ଷତିଗ୍ରସ୍ତ ଚାଷୀ ଏବେବି ଆଶଙ୍କା ଭିତରେ ଅଛନ୍ତି । ଉଜୁଡିଯାଇଥିବା ଫସଲର ଉପଯୁକ୍ତ ଭରଣା ମିଳିବ ତ ? ନା ପ୍ରଶାସନର ପ୍ରତିଶୃତି ପାଣିର ଗାର ପାଲଟିବ ? କ୍ଷୟକ୍ଷତିର ସମ୍ମୁଖୀନ ହେଇଥିବା ଚାଷୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୀଘ୍ର ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡିଛି ।

ବିହାର ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ଦ୍ବିତୀୟ ଲିଷ୍ଟ, ମୈଥିଲୀ ଠାକୁରଙ୍କୁ ମିଳିଲା ଟିକେଟ

ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ଦ୍ବିତୀୟ ଲିଷ୍ଟ ଜାରି କରିଛି । ସବୁଠାରୁ ବଡ଼ କଥା ହେଉଛି ଏଥିରେ ଭୋଜପୁରୀ ଗାୟିକା ମୈଥିଲୀ ଠାକୁରଙ୍କୁ ଟିକେଟ ମିଳିଛି । ମୈଥିଲୀ ଅଲୀନଗର ଆସନରୁ ନିର୍ବାଚନ ଲଢ଼ିବେ । ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ଗତକାଲି ଏନଡିଏ ମେଣ୍ଟ ପକ୍ଷରୁ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ପ୍ରଥମ ପର୍ଯ୍ୟାୟରେ ବିଜେପି ୭୧ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ପ୍ରଥମ ସୂଚୀରେ ଦଳ ଅଧିକାଂଶ ବିଧାୟକ ଓ ମନ୍ତ୍ରୀଙ୍କ ଉପରେ ଭରସା କରିଥିଲା । କୁହ୍ମରାରରୁ ଅରୁଣ ସିହ୍ନା ଓ ପାଟନା ସାହିବରୁ ନନ୍ଦକିଶୋର ଯାଦବଙ୍କ ଟିକେଟ କଟିଥିଲା । ପ୍ରଥମ ପର୍ଯ୍ୟାୟରେ ବିଜେପି ୯ ବିଧାୟକଙ୍କୁ ଟିକେଟ୍ ଦେଇନଥିଲା । ପ୍ରଥମ ତାଲିକାରେ ଦଳ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର, ମଙ୍ଗଳ ପାଣ୍ଡେଙ୍କୁ ସିବାନ, ସଞ୍ଜୀବ ଚୌରସିଆଙ୍କୁ ଦୀଘା ଓ ରଜନିଶ କୁମାରଙ୍କୁ ତୋଘଡାରୁ ପ୍ରାର୍ଥୀ କରିବାକୁ ଘୋଷଣା କରିଥିଲା । ଉକ୍ତ ୭୧ ଜଣ ପ୍ରାର୍ଥୀଙ୍କ ତାଲିକାରେ ୯ ଜଣ ମହିଳା ଓ ୫ ଜଣ ଅନୁସୂଚିତ ଜାତି ଓ ଜଣେ ଅନୁସୂଚିତ ଜନଜାତି ନେତାଙ୍କ ନାଁ ଘୋଷଣା କରାଯାଇଥିଲା ।

bjp 2nd list fo bihar election

ଏସିଆ କପରେ ପାକିସ୍ତାନୀ କ୍ରିକେଟରଙ୍କ ହାତ ନମିଳାଇବା ପ୍ରସଙ୍ଗ : ଏମିତି ଭିଡିଓ କରି ଭାରତୀୟ ଖେଳାଳୀଙ୍କ ମଜାକ ଉଡ଼ାଇଲେ ଅଷ୍ଟ୍ରେଲୀୟ ଖେଳାଳି..

ନନ୍ଦିଘୋଷ ବ୍ୟୁରୋ : ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ସରିବା ପରେ ଏବେ ଅଷ୍ଟ୍ରେଲିଆରେ ଘରୋଇ ଦଳକୁ ଭେଟିବ ଭାରତ । ଟିମ ଇଣ୍ଡିଆ ଅଷ୍ଟ୍ରେଲିଆରେ ପହଞ୍ଚିବା ପୂର୍ବରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଷ୍ଟ୍ରେଲିଆ କ୍ରିକେଟ ଦଳର କିଛି ପୁରୁଷ ଖେଳାଳି ଏବଂ ମହିଳା ଖେଳାଳି ଭାରତୀୟ କ୍ରିକେଟ ଦଳର ଏକପ୍ରକାର ମଜାକ୍ ଉଡ଼ାଉଛନ୍ତି । ଏସିଆ କପରେ ପାକିସ୍ତାନ ଖେଳାଳିଙ୍କ ସହ ଭାରତୀୟ ଖେଳାଳି ହାତ ନମିଳାଇବା ପ୍ରସଙ୍ଗକୁ ଏପରି ଏକ ଭିଡିଓ କରାଯାଇଛି । ଅଷ୍ଟ୍ରେଲିଆର ସ୍ପୋର୍ଟ୍ସ ଷ୍ଟ୍ରିମିଂ ପ୍ଲଟଫର୍ମ କାୟୋ ପକ୍ଷରୁ ଏକ ପ୍ରୋମୋ ଭିଡିଓ ପୋଷ୍ଟ କରାଯାଇଛି । ଯେଉଁଥିରେ ହାତ ନମିଳାଇବା ପ୍ରସଙ୍ଗକୁ ନେଇ ଉପହାସ କଲା ଭଳି ଜଣାପଡ଼ୁଛି । ସେମାନଙ୍କ କଥା ସହ ଇଙ୍ଗିତ ମଧ୍ୟ ସେଭଳି ରହିଛି । ତେବେ ଏହି ଭିଡିଓଟି ଏବେ ହଟାଯାଇଛି । ମାତ୍ର ସେହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅଷ୍ଟ୍ରେଲିୟ ଖେଳାଳିଙ୍କୁ ମଧ୍ୟ ଟ୍ରୋଲ କରୁଛନ୍ତି କିଛି କ୍ରିକେଟପ୍ରେମୀ । ଯଦିଓ କୁହାଯାଇଛି କି, ଏହି ଭିଡିଓଟି କେବଳ ମନୋରଞ୍ଜନ ପାଇଁ କରାଯାଇଥିଲା ମାତ୍ର ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିବା ବେଳେ କୁହାଯାଇଥିଲା କି, ଏହା ଭାରତୀୟ ଖେଳାଳିଙ୍କ ମଜାକ୍ ଉଡ଼ାଇଛି । ଶେଷରେ ଏହାକୁ ମଧ୍ୟ ହଟାଯାଇଛି ।

ମୁହଁ ଖୋଲିଲେ SI ଚାକିରି ଆଶାୟୀ: ୨୫ ଲକ୍ଷ ଦେଇପାରିଲେନି ବୋଲି ଆଜି ଚାକିରି ପାଇବାରୁ ବଞ୍ଚିତ

ନନ୍ଦିଘୋଷ ଟିଭି ଆଗରେ ମୁହଁ ଖୋଲିଲେ SI ଚାକିରି ଆଶାୟୀ । ୨୫ ଲକ୍ଷ ଦେଇପାରିଲେନି ବୋଲି ଆଜି ଚାକିରି ପାଇବାରୁ ବଞ୍ଚିତ । OPRB ପକ୍ଷରୁ ହୋଇଥିବା ଘୋଟାଲା ସମ୍ପର୍କରେ ଗୋଟି ଗୋଟି କରି କହିଛନ୍ତି ଚାକିରି ଆଶାୟୀ । ସେପଟେ କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଛି ସାଙ୍ଘାତିକ ସୁରାକ। ୩ ଶହ ଏସଆଇ ପଦବୀ ବିକ୍ରି ହୋଇଯାଇଛି । ବସରେ ଯାଇଥିବା ୧୧୪ ଜଣ ଗିରଫ ହେବା ପରେ ଆଉ ୧୮୬ ଜଣ ଟ୍ରେନରେ ଯାଇଥିବା ଆଶାୟୀ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ । ସେମାନଙ୍କୁ ତାଲିକା ଧରି ଖୋଜୁଛି କ୍ରାଇମବ୍ରାଞ୍ଚ । ଏପରିକି ସେମାନଙ୍କ ଅରିଜିନାଲ ସାର୍ଟିଫିକେଟ ମଧ୍ୟ ଏବେ ଦଲାଲ ପାଖେ ରହିଯାଇଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା । ସେପଟେ ପୋଲିସ ଏସଆଇ ପରୀକ୍ଷା ସ୍କାମ କେସରେ କ୍ରାଇମବ୍ରାଞ୍ଚକୁ ମିଳିଛି ଗୁରୁତ୍ଵପୂର୍ଣ୍ଣ ତଥ୍ଯ । ସିଲିକନ୍, ପଞ୍ଚସଫ୍ଟ କାମ ପାଇବା ନେଇ ସମ୍ପୂର୍ଣ୍ଣ ଭାବେ OPRBକୁ ଜଣାଥିଲା । OPRB ଗୋଚରରେ ସବୁ କିଛି ପରିଚାଳିତ ହେଉଥିଲା । ଏପରିକି ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ତିଆରି କରିସାରିଥିଲା ପଞ୍ଚସଫ୍ଟ । ଆଡମିଟ କାର୍ଡ ପ୍ରସ୍ତୁତ ସହ ଟଙ୍କା ଦେଇଥିବା ଆଶାୟୀଙ୍କ ତାଲିକା ନେଇ ନିଜ ସେଟିଂରେ ଥିବା ପରୀକ୍ଷା ସେଣ୍ଟରରେ କରାଯାଇଥିଲା ବ୍ୟବସ୍ଥା । ସ୍ପେଶାଲ ଟିମ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଟେର ପାଇନାହିଁ ।

ବ୍ରହ୍ମପୁର ଆଇନଜୀବୀ ହତ୍ୟା ମାମଲା: ପୀତବାସଙ୍କ ଗୁପ୍ତ ଡାଏରୀର ସନ୍ଧାନ କଲା ପୋଲିସ

ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ଏବେ ପୀତବାସଙ୍କ ଗୁପ୍ତ ଡାଏରୀର ସନ୍ଧାନ କରିଛି ପୋଲିସ। ପୀତବାସଙ୍କ ଗୁପ୍ତ ଡାଏରୀର ସନ୍ଧାନ ମିଳିଛି। ଡାଏରୀରୁ ବହୁ ତଥ୍ୟ ସହ ଅନେକ ଗୁମର ଫିଟିବ ବୋଲି ଆଲୋଚନା ହେଉଛି। ମିଳିଥିବା ଡାଏରୀରେ କ୍ରସର ବ୍ୟବସାୟୀ, ମଦବେପାରୀ, ବିଲଡରଙ୍କ ସମେତ ସ‌ହରର ବହୁ ବ୍ୟବସାୟୀ ଓ ନେତାଙ୍କ ନାମ ଉଲ୍ଲେଖ ଥିବା କୁହାଯାଉଛି । ପୀତବାସ କାହାଠାରୁ ସୁଧରେ ଟଙ୍କା ଆଣିଛନ୍ତି ଅଥବା କାହାକୁ ଟଙ୍କା ଦେଇଛନ୍ତି, ସେଥିରେ ଉଲ୍ଲେଖ ଥିବା କୁହାଯାଉଛି  । ବଡ଼କଥା ହେଲା, ପୀତବାସ ହଜାର କିମ୍ବା ଲକ୍ଷରେ ନୁହେଁ, ବରଂ କୋଟି କୋଟି ଟଙ୍କାର ସୁଧ କାରବାର କରୁଥିବା ନେଇ ଆଲୋଚନା ହେଉଥିବା ବେଳେ ସେସବୁ ତଥ୍ୟ ଡାଏରୀରେ ଅଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର  । ପୀତବାସଙ୍କ ଜଣେ ଘନିଷ୍ଠ ବନ୍ଧୁ ତାଙ୍କଠାରୁ ପ୍ରାୟ ୮୦ ଲକ୍ଷରୁ ଅଧିକ ଟଙ୍କା ନେଇ କୌଣସି କାରଣରୁ ଦୀର୍ଘ ଦିନ ଧରି କୁଆଡ଼େ ଫେରାଇ ନଥିଲେ। ଋଣ ଅର୍ଥ ପରିଶୋଧ ପାଇଁ ସମ୍ପୃକ୍ତ ବନ୍ଧୁଜଣଙ୍କ ସହରରେ ଥିବା ନିଜର ଏକ ଘରକୁ ପୀତବାସଙ୍କୁ ବିକ୍ରି କରିଦେଇଥିବା କୁହାଯାଉଛି। ଘର ବିକ୍ରି ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଜଣଙ୍କ ଆହୁରି ୩୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ପୀତବାସଙ୍କୁ ଫେରାଇବାକୁ ଅଛି ବୋଲି ଶୁଣିବାକୁ ମିଳିଛି।

ସେହିପରି, ପୀତବାସ ଅନେକ ବ୍ୟବସାୟୀଙ୍କଠାରୁ ଟଙ୍କା ଉଠାଇଥିବା କୁହାଯାଉଛି । ବଜାରରେ ପଡ଼ିଥିବା କୋଟିକୋଟି ଟଙ୍କା କିଭଳି ଆଦାୟ ହେବ, ତାହା ଏବେ ବଡ଼ ପ୍ରଶ୍ନବାଚୀ କାରଣ ସେଥିରେ ପୀତବାସଙ୍କର ନିଜର ଓ ଅନ୍ୟମାନଙ୍କର ମଧ୍ୟ ଟଙ୍କା ଥିବା ଚର୍ଚ୍ଚା ହେଉଛି। ୧୦ ଦିନ ପରେ ବି ହତ୍ୟାର ହୋଇପାରିନି ଖୁଲାସା। ଦୁଇ ସୁପାରୀ କିଲର ପୂର୍ବରୁ ବି କିଛି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। ସୁରାକ୍ ଯୋଗାଡ଼ କରିବା ଆଶାରେ ବ୍ରହ୍ମପୁର ପୋଲିସ ଏବେ ଜେଲ୍‌ମୁହାଁ ହୋଇଛି। ବ୍ରହ୍ମପୁର ସମେତ କେନ୍ଦ୍ରାପଡ଼ା ଓ ରାଜ୍ୟର ବିଭିନ୍ନ ଜେଲ୍‌ରେ ଅପରାଧୀଙ୍କ କୁଣ୍ଡଳୀ ଯାଞ୍ଚ କରୁଛି । ସଂପୃକ୍ତ ଆତତାୟୀଙ୍କୁ ଚିହ୍ନଟ କରି ସେମାନଙ୍କ ଠିକଣା ଜାଣିବାକୁ ପୋଲିସ ବିଭିନ୍ନ ଜେଲରେ ଡେରା ପକାଇଥିବା ସୂଚନା ମିଳିଛି ।

ଦୀପାବଳୀରେ ଝଟକା ଦେଲା SBI: ଶସ୍ତା ହେବ ନାହିଁ ବ୍ୟାଙ୍କ ଲୋନ

ଦୀପାବଳୀରେ ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ (ଏସବିଆଇ) ଝଟକା ଦେଇଛି । ଏସବିଆଇ ନିଜର ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ । MCLR ବା ମାର୍ଜିନଲ କଷ୍ଟ ଅଫ୍ ଫଣ୍ଡ ବେସଡ ଲେଣ୍ଡିଂ ରେଟ ଓ ରେପୋ ଲିଙ୍କଡ ଲେଣ୍ଡିଂ ରେଟ (RLLR) ପରି ବାହାର ବେଞ୍ଚମାର୍କ ଦର ପୂର୍ବ ପରି ଅପରିବର୍ତ୍ତିତ ରହିଛି । ଗତ ଅକ୍ଟୋବର ୧ରେ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ର ନୀତି ସମିତି (ଏମପିସି) ବୈଠକରେ ରେପୋ ରେଟକୁ ୫.୫ ପ୍ରତିଶତରେ ସ୍ଥିର ରଖାଯାଇଥିଲା ।

ଏସବିଆଇର ନୂଆ ଏମସିଏଲଆର ଦର ଅଲଗା ଅଲଗା ଅବଧି ପାଇଁ ୭.୯ ପ୍ରତିଶତରୁ ୮.୮୫ ପ୍ରତିଶତ ମଧ୍ୟରେ ରହିଛି । ଓଭରନାଇଟ ଓ ୧ ମାସର ଦର ୭.୯ ପ୍ରତିଶତ, ୩ ମାସ ପାଇଁ ୮.୩ ପ୍ରତିଶତ, ୬ ମାସ ପାଇଁ ୮.୬୫ ପ୍ରତିଶତ, ୧ ବର୍ଷ ପାଇଁ ୮.୭୫ ପ୍ରତିଶତ, ୨ ବର୍ଷ ପାଇଁ ୮.୮ ପ୍ରତିଶତ, ୩ ବର୍ଷ ପାଇଁ ୮.୮୫ ପ୍ରତିଶତ ରହିଛି । ସେହିପରି ଗତ ଅଗଷ୍ଟ ପହିଲାରୁ ଲାଗୁ ହୋଇଥିବା ହୋମ ଲୋନ ଅନୁସାରେ, ସାମାନ୍ୟ ହୋମ ଲୋନ ଦର ୭.୫୦ରୁ ୮.୭୦ ପ୍ରତିଶତ ରହିଛି । ମ୍ୟାକ୍ସଗେନ ଓଭରଡ୍ରାଫ୍ଟ ଦର ୭.୭୫ରୁ ୮.୯୫ ପ୍ରତିଶତ, ଟପ-ଅପ ହୋମ ଲୋନ ୮.୦୦ରୁ ୧୦.୭୫ ପ୍ରତିଶତ, ଟପ-ଅପ (ଓଡି) ଲୋନ ୮.୨୫ରୁ ୯.୪୫ ପ୍ରତିଶତ ରହିଛି । ହୋମ ଲୋନ ଓ ଟପ-ଅପ ଲୋନ ଉପରେ ଏସବିଆଇର ପ୍ରୋସେସିଂ ଫିସ ଲୋନ ରାଶିର ୦.୩୫ ପ୍ରତିଶତ, ଯାହାକି ସର୍ବନିମ୍ନ ୩ ହଜାର ଟଙ୍କା ଓ ସର୍ବାଧିକ ୧୨ ହଜାର ଟଙ୍କା (ଅତିରିକ୍ତ ଜିଏସଟି) ।

ଦିଲ୍ଲୀବାସୀଙ୍କୁ ସର୍ତ୍ତରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ

ଦିଲ୍ଲୀବାସୀଙ୍କୁ ସର୍ତ୍ତରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୧୮ରୁ ୨୧ ମଧ୍ୟରେ କିଛି ସର୍ତ୍ତରେ ଦିଲ୍ଲୀବାସୀ ସବୁଜ ବାଣ ଫୁଟାଇ ଦୀପାବଳି ପାଳନ କରିପାରିବେ ବୋଲି ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତେଣୁ ଏଥର ଦିଲ୍ଲୀବାସୀ ସବୁଜ ଦୀପାବଳି ପାଳନ କରିବେ । ନିର୍ଦ୍ଦେଶ ଶୁଣାଇ ପ୍ରଧାନ ବିଚାରପତି କହିଛନ୍ତି, ଦୀପାବଳି ପାଳନ ପରିବେଶକୁ ଯେପରି କ୍ଷତି ନପହଞ୍ଚାଇବ ସେ ନେଇ ସଚେତନ ହେବାକୁ ପଡିବ । ବାଣ ଫୁଟାରେ ସଂଯମତା ରହିବା ଉଚିତ । ସବୁଜ ବାଣ ଅପେକ୍ଷା ଅନ୍ଯ ବାଣ ପରିବେଶକୁ ଅଧିକ ପ୍ରଦୂଷଣ କରିଥାଏ । ତେଣୁ କୋର୍ଟ ସର୍ତ୍ତାବଳୀ ସହ କିଛି ସ୍ଥାନରେ ସବୁଜ ବାଣ ବିକ୍ରି ସହ ଫୁଟାଇବାକୁ ଅନୁମତି ଦେଉଛନ୍ତି । ନିର୍ଦ୍ଧାରିତ ସ୍ଥାନରେ ହିଁ କେବଳ ସବୁଜ ବାଣ ବିକ୍ରି କରାଯାଇପାରିବ । ରାତି ୮ରୁ ୧୦ ଯାଏଁ ବାଣ ଫୁଟାଇ ପାରିବେ । ନିୟମ ଉଲ୍ଲଙ୍ଘନ କଲେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ପାଟ୍ରୋଲିଂ ଟିମ ସବୁଜ ବାଣ ନିର୍ମାତାଙ୍କ ଉପରେ ନିୟମିତ ଯାଞ୍ଚ କରିବେ । ସବୁଜ ବାଣ ପାଇଁ QR କୋଡ୍ ୱେବସାଇଟରେ ଅପଲୋଡ୍ କରାଯିବ। ପୂର୍ବରୁ, ୧୦ ଅକ୍ଟୋବରରେ ଏକ ଶୁଣାଣି ପରେ, ସିଜେଆଇ ସବୁଜ ବାଣ ଫୁଟାଇବା ଉପରେ ତାଙ୍କର ନିର୍ଦ୍ଦେଶ ସଂରକ୍ଷିତ ରଖିଥିଲେ। ଦିଲ୍ଲୀ ସରକାର ମଧ୍ୟ ଏଥର କ୍ଲିନ ଦିଲ୍ଲୀ ଗ୍ରୀନ ଦିଲ୍ଲୀର ନାରା ଦେଇଛନ୍ତି ।