spot_img
Home Blog Page 1525

ଆଜିଠାରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ କୁଲଡିହା ଅଭୟାରଣ୍ୟ

ବାଲେଶ୍ବର: ଆଜିଠାରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଲଡିହା ଅଭୟାରଣ୍ୟ। ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସରିଛି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ଗେଟରେ ପର୍ଯ୍ୟଟମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ମିଷ୍ଟାନ୍ନ ଖୁଆଇବେ ବନ କର୍ମଚାରୀ। ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ନନ୍ଦନକାନନରୁ ଆସିଥିବା ହରିଣଙ୍କୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ। ୨୭୨.୭୫ ବର୍ଗ କିମି ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ ଭିତରେ ହାତୀ, ଭାଲୁ, ଗୟଳ, ବାଘ, ହରିଣ, ନୀଳଗାଈ,କୁଟାରି, ବାର୍‌ହା ପ୍ରଭୃତି ବନ୍ୟଜନ୍ତୁଙ୍କ ସହ ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶାଗତ ପକ୍ଷୀ ବାସ କରୁଛନ୍ତି।

ଏମାନଙ୍କୁ ନିକଟରୁ ଦେଖିବା ତଥା ଜଙ୍ଗଲ ଭିତରେ ପରିଭ୍ରମଣ କରି ପ୍ରାକୃତିକ ସୌନ୍ଦର୍ଯର ଉପଭୋଗ କରି ଫଟୋ ଉତ୍ତୋଳନ କରିବା ଉଦେଶ୍ୟରେ ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏଥି ପାଇଁ ବାଲେଶ୍ବର ଡିଏଫଓ ଙ୍କ ନିର୍ଦ୍ଦେଶ କ୍ରମେ ଅଭୟାରଣ୍ୟର ଗୋହିରାଭୋଳ ଏବଂ ରିସିଆ ନେଚର ପାର୍କ ଅଞ୍ଚଳକୁ ଚାକଚକ୍ୟ କରାଯାଇଛି । ସୁସ୍ଵାଦୁ ଖାଦ୍ୟ ସହିତ ରାତ୍ରୀ ରହଣୀ ପାଇଁ ମଧ୍ୟ ଟେଣ୍ଟର ବ୍ୟବସ୍ଥା କରାଯାଇଛି।

୧ ନମ୍ବର ହାଟରେ ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳିରେ ରାଜଧାନୀରେ ବଡ ଅଘଟଣ । ଗତକାଲି ରାତିରେ ମାର୍କେଟ ବିଲ୍ଡିଂରୁ ୧ନମ୍ବର ମାର୍କେଟକୁ ସଂଯୋଗ କରୁଥିବା ଅଣ୍ଡରଗ୍ରାଉଣ୍ଡରେ ଲାଗିଲା ନିଆଁ । ନିଆଁରେ ଏକାଧିକ କପଡା ଦୋକାନ ଜଳିଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି । ପ୍ରାୟ ୬ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ।

ଗତକାଲି ରାତି ପ୍ରାୟ ୧୧ ଟାରୁ ୧୨ ଟା ଭିତରେ ଏହି ଅଗ୍ନିକାଣ୍ଡ ଘଟିଥିବା  ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସମସ୍ତେ ଦୀପାବଳିକୁ ଆନନ୍ଦ ଉଲ୍ଲାସରେ ମନାଉଥିବା ବେଳେ ରାଜଧାନୀରେ ଏଭଳି ଅଘଟଣ ଘଟିଛି । ଏହା ଏକ ଜନଗହଳିପୂଣ୍ଣ ଅଞ୍ଚଳ ହେଇଥିବା ବେଳେ ନିଆଁରେ କେହି ଆଘାତପ୍ରାପ୍ତ ହୋଇଥିବା ସୂଚନା ମିଳିନି । ତେବ ଅଗ୍ନିକାଣ୍ଡରେ ପ୍ରାୟ ୨୬ଟି ଲୁଗା ଦୋକାନରେ ନିଆଁ ଲାଗିଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଲୁଗା ପୋଡି ପାଉଁଶ ହୋଇଯାଇଛି । ନିଆଁ ସର୍ଟସର୍କିଟ ବା ବାଣଫୁଟାରୁ ଲାଗିଛି ତାହା ଜଣାପଡିନାହିଁ  । ତେବେ ସେଠାରେ ନିଆଁ କେମିତି ଲାଗିଥିଲା ଏନେଇ ତଦନ୍ତ ଚାଲିଛି ।

ମାସେ ଘୁଞ୍ଚିଲା ସମୟ ସୀମା, ଡିସେମ୍ବର ୧ରୁ ମୋବାଇଲକୁ ଆସିବ ନାହିଁ ଅଯଥା ମେସେଜ

ନନ୍ଦିଘୋଷ ବ୍ୟୁରୋ: ଟେଲିକମ ଉପଭୋକ୍ତାଙ୍କ ସୁରକ୍ଷାକୁ ଗୁରୁତ୍ବ। ଓଟିପି ନେଇ ଟେଲିକମ ଅପରେଟରଙ୍କୁ ଭାରତର ଟେଲିକମ ନିୟାମକ କର୍ତ୍ତୃପକ୍ଷ ବା ଟ୍ରାଇ ପକ୍ଷରୁ ଦିଆଯାଇଥିବା ସମୟସୀମା ଘୁଞ୍ଚିଲା। ନଭେମ୍ବର ୧ରୁ ସେହି ତାରିଖକୁ ଡିସେମ୍ବର ୧କୁ ଘୁଞ୍ଚାଇଛି ଟ୍ରାଇ। ସେବାରେ ବ୍ଯାଘାତ ସୃଷ୍ଟି ହେବା ଦୃଷ୍ଟିରୁ ଟେଲିକମ କମ୍ପାନୀମାନଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ଟ୍ରାଇ ନେଇଛି। ଫଳରେ ଡିସେମ୍ବର ୧ରୁ ମୋବାଇଲକୁ ଅଯଥା ମେସେଜ ଆସିବ ନାହିଁ। ଅର୍ଥାତ ଯେଉଁ ସଂସ୍ଥା ପଞ୍ଜିକୃତ ହୋଇ ନଥିବେ ସେହି ସଂସ୍ଥାର ମେସେଜ ମୋବାଇଲକୁ ଆସିବ ନାହିଁ।

ବ୍ଯାବସାୟିକ ମେସେଜ, ଓଟିପିର ଆଦିର ଉତ୍ସ ସମ୍ପର୍କରେ ଜାଣିବା ସମ୍ପର୍କରେ ବ୍ଯବସ୍ଥା କରିବା ଲାଗି ଟେଲିକମ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ଟ୍ରାଇ। ସ୍ପାମ ଓ ବିଭ୍ରାନ୍ତିମୂଳକ ମେସେଜ ଉପରେ କଟକଣା ଲାଗି ଏହି ପଦକ୍ଷେପ ନେଇଥିଲା ଟ୍ରାଇ। ତେବେ ଏହି ଡେଡଲାଇନକୁ ଡିସେମ୍ବର ୧କୁ ଘୁଞ୍ଚାଯାଇଛି। ମେସେଜ ସର୍ଭିସ ଠିକଠାକ୍ କରିବା ଲାଗି ଅଧିକ ସମୟ ଦିଆଯାଇଛି। ନଭେମ୍ବର ୧ରୁ ଏହି ପଦକ୍ଷେପ ନିଆଗଲେ ସେବା ଗୁରୁତର ବାଧାପ୍ରାପ୍ତ ହେବ ବୋଲି ଦର୍ଶାଇଥିଲେ ଟେଲିକମ କମ୍ପାନୀ।

ଏହି ନିୟମ କାର୍ଯ୍ୟକାରୀ ହେଲେ ୧୪୦ରୁ ଆରମ୍ଭ ହେଉଥିବା ନମ୍ବରଗୁଡିକ ଡିଷ୍ଟର୍ବଡ ଲେଜର ଟେକ୍ନୋଲୋଜି ବା ଡିଏଲଟି ପ୍ଲାଟଫର୍ମକୁ ପରିବର୍ତ୍ତିତ ହେବ। ଫଳରେ ନିରାପତ୍ତା ଅଧିକ ହେବ। ଡିସେମ୍ବର ୧ ପରଠାରୁ ଅଣପଞ୍ଜିକୃତ ସେଣ୍ଡରମାନଙ୍କଠାରୁ ଆସୁଥିବା ଅନିୟନ୍ତ୍ରିତ ମେସେଜ ବ୍ଲକ ହେବ। ଏନେଇ ଦୈନିକ ଅପଡେଟ ଦାଖଲ କରିବେ ଟେଲିକମ ଅପରେଟର। ପ୍ରତିଦିନ ୧.୫ରୁ ୧.୭ ବିଲିୟନ କମର୍ସିଆଲ ମେସେଜ ଲୋକଙ୍କ ନିକଟକୁ ଯାଉଛି।

ଆଜିଠାରୁ ଦେଶର ଅର୍ଥନୈତିକ କ୍ଷେତ୍ରରେ ଆସିବ ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଜିଠାରୁ ଦେଶର ଅର୍ଥନୈତିକ କ୍ଷେତ୍ରରେ ଆସିବ ଅନେକ ପରିବର୍ତ୍ତନ। ଭାରତୀୟ ରିଜର୍ଭ ବ୍ଯାଙ୍କ, ରେଳବାଇ ସମେତ ଅନ୍ଯାନ୍ଯ ବିଭାଗ ପକ୍ଷରୁ ଏହି ପରିବର୍ତ୍ତନ କରାଯାଇଛି। ଆରବିଆଇ ପକ୍ଷରୁ ଏକ ସଂଶୋଧିତ ଡୋମେଷ୍ଟିକ ମନି ଟ୍ରାନ୍ସଫର ବା ଡିଏମଟି ବ୍ଯବସ୍ଥା କାର୍ଯ୍ୟକାରୀ କରାଯିବ। ଉପଭୋକ୍ତାଙ୍କ ସୁରକ୍ଷା ଲାଗି ଏହା ଉଦ୍ଦିଷ୍ଟ। ଷ୍ଟେଟବ୍ୟାଙ୍କର ଅନସିକ୍ଯୁରଡ କ୍ରେଡିଟ କାର୍ଡ ଲାଗି ମାସିକ ଆର୍ଥିକ ଦେୟ ୩.୭୫ପ୍ରତିଶତକୁ ବୃଦ୍ଧି କରାଯାଇଛି।

ଏହା ସହ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ୟୁଟିଲିଟି ପେମେଣ୍ଟ କ୍ଷେତ୍ରରେ ଅତିରିକ୍ତ ୧ ପ୍ରତିଶତ ଧାର୍ଯ୍ୟ ହେବ ଭାରତୀୟ ରେଳବାଇ ବି କାର୍ଯ୍ୟକାରୀ କରିଛି ନୂଆ ନିୟମ। ଅଗ୍ରୀମ ଟିକେଟ ବୁକିଂ ସମୟ ସୀମା ୧୨୦ ଦିନରୁ ୬୦ ଦିନକୁ ହ୍ରାସ କରାଯାଇଛି। ଶେଷ ମୁହୂର୍ତ୍ତରେ ଆସୁଥିବା ଯାତ୍ରୀଙ୍କ ସ୍ବାର୍ଥ ଲାଗି ଏହା କାର୍ଯ୍ୟକାରୀ କରାଯାଇଛି। ଆଜି ବି ପରିବର୍ତ୍ତିତ ହୋଇପାରେ ଏଲପିଜି ସିଲିଣ୍ଡର ଦର। ବଜାର ସ୍ଥିତିକୁ ଦୃଷ୍ଟିରେ ରଖି ବଦଳି ପାରେ ପ୍ରାଇସ।

ଆଜିଠୁ ଭାରତ-ନ୍ଯୁଜିଲାଣ୍ଡ ମଧ୍ଯରେ ତୃତୀୟ ଟେଷ୍ଟମ୍ଯାଚ, କର ବା ମର ସ୍ଥିତିରେ ରୋହିତ ଆଣ୍ଡ କୋ….

ନନ୍ଦିଘୋଷ ବ୍ୟୁରୋ: ଲକ୍ଷ୍ୟ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳିବା । ହାତରେ ଆଉ ମାତ୍ର ୬ଟି ମ୍ୟାଚ । ଏଥିରୁ କମସେ କମ ୪ଟି ଜିତିବା ସହ ଗୋଟିଏ ଡ୍ର ରଖିବାକୁ ବାଧ୍ୟ । ଏପରି କର ବା ମର ସ୍ଥିତିରେ ଆଜି ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସହ ଖେଳିବାକୁ ଯାଉଛି ତୃତୀୟ ତଥା ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚ । କାରଣ ଏହି ସିରିଜର ପ୍ରଥମ ଦୁଇଟି ଟେଷ୍ଟକୁ ଜିତି ନେଇଛି ନ୍ୟୁଜିଲାଣ୍ଡ । ଅର୍ଥାତ ୩ ଟିକିଆ ମ୍ୟାଚକୁ ୨-୦ରେ ଜିତି ସିରିଜ କବଜା କରିନେଇଛି । ତେଣୁ ଟେଷ୍ଟ ଚାମ୍ପିଅନସିପ ଖେଳିବାକୁ ହେଲେ ଏହି ମ୍ୟାଚ ଜିତିବା ବେଶ ଗୁରୁତ୍ବପୂର୍ଣ୍ଣ ।

ଏହାସହ ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆ ସହ ୫ ଟିକିଆ ଟେଷ୍ଟ ସିରିଜବି ଖେଳିବ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ ଜିତି ଦୃଢ ମନୋବଳ ସହ କଙ୍ଗାରୁ ସହ ଲଢିବାକୁ ଭାରତ ନିଶ୍ଚୟ ଉଦ୍ୟମ କରିବ । ନହେଲେ ଟେଷ୍ଟ ଚାମ୍ପିଅନସିପ ଖେଳିବା ଆଶା ଧୂଳିସାତ ହୋଇଯିବ । ତେଣୁ ଏହାକୁ କଳେବଳେ କୌଶଳେ ଜିତିବାକୁ ହିଁ ହେବ । ଖରାପ ଫର୍ମ ଦେଇ ଗତି କରୁଥିବାରୁ କିୱି ବିରୋଧରେ ପଡିଆକୁ ଓହ୍ଲାଇ ନପାରନ୍ତି ବିରାଟ କୋହଲି । ବିରାଟ ଯେବେଠୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଛନ୍ତି, ସେବେଠୁ କେବେ ବି ଟିମ୍ ଇଣ୍ଡିଆରୁ ବାଦ ପଡି ନାହାନ୍ତି । ମାତ୍ର ଏବେ ପ୍ରଥମଥର ପାଇଁ ବାଦ ପଡିବାର ଆଶଙ୍କା ଦେଖା ଦେଇଛି । ଯଦି ରନ ମେସିନ ବିରାଟ କୋହଲି ଚୂଡାନ୍ତ ଏକାଦଶରୁ ବାଦ ପଡନ୍ତି, ତେବେ ତାଙ୍କ ସ୍ଥାନରେ ଷ୍ଟାଇଲିସ ବ୍ୟାଟର କେ.ଏଲ. ରାହୁଲଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।

ସେହିଭଳି ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ପ୍ରଥମ ୨ଟି ଟେଷ୍ଟରେ ଆଖିଦୃଶିଆ ପ୍ରଦର୍ଶନ ଦେଇ ପାରି ନାହାନ୍ତି । ତାଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଚୂଡାନ୍ତ ଏକାଦଶରେ ଖେଳାଯିବା ନେଇ ଆଶା କରାଯାଉଛି । ଏହାବାଦ ଭାରତୀୟ ଦଳରେ ଆହୁରି ୨ ଟି ବଡ ପରିବର୍ତ୍ତନ ହୋଇପାରେ । ଷ୍ଟାର ବୋଲର ଯଶପ୍ରୀତ ବୁମରା ଓ ଦୁର୍ଦ୍ଦଶ ବ୍ଯାଟର ଋଷଭ ପନ୍ତ ବି ମୁମ୍ୱାଇ ଟେଷ୍ଟ ଖେଳି ନପାରନ୍ତି । ବୁମରାଙ୍କ ସ୍ଥାନରେ ପୁଣିଥରେ ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ସେପଟେ ୱିକେଟକ୍ଷକ ଋଷଭ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ମୁମ୍ୱାଇ ଟେଷ୍ଟରେ ଖେଳାଯାଇପାରେ ବୋଲି ଆକଳନ କରାଯାଉଛି । ପ୍ରଥମ ଟେଷ୍ଟ ମ୍ୟାଚ ବେଙ୍ଗାଳୁରୁରେ ଖେଳାଯାଇଥିବାବେଳେ ଦ୍ବିତୀୟ ଟେଷ୍ଟ ମ୍ୟାଚ ପୁଣେରେ ଖେଳାଯାଇଥିଲା । ଅନ୍ୟପଟେ ଦୀର୍ଘ ୬୯ ବର୍ଷ ପରେ ଭାରତ ବିରୋଧରେ ଟେଷ୍ଟ ଜିତି ମନସ୍ତାତ୍ତ୍ବିକ ଦୃଷ୍ଟିକୋଣରୁ ବେଶ ଉପରେ ରହିଛି ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ । ସେମାନେ ମଧ୍ୟ ଶେଷ ଟେଷ୍ଟ ମ୍ୟାଚ ଜିତି ସିରିଜ କ୍ଲିନସୁଇପ କରିବାକୁ ନିଶ୍ଚୟ ପ୍ରୟାସ କରିବେ ।

ସ୍ପେନରେ ଭୟଙ୍କର ବନ୍ୟା; ମୃତ୍ୟୁସଂଖ୍ୟା ୧୫୦କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ସ୍ପେନରେ ତାଣ୍ଡବ ରଚୁଛି ବନ୍ୟା । ଏହି ପ୍ରଳୟକାରୀ ବନ୍ୟାରେ ଚାଲିଗଲାଣି ୧୫୦ରୁ ଉର୍ଦ୍ଧ୍ବ ନିରୀହଙ୍କ ଜୀବନ । ବନ୍ୟା ବିଭୀଷିକାରେ ଏକାଧିକ ନିଖୋଜ ଥିବାବେଳେ ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ବନ୍ୟାରେ ଆହୁରି ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ତେବେ ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ପେନରେ ଏକ ଜରୁରୀକାଳୀନ କମିଟି ଗଠନ କରାଯାଇଛି । ଉଦ୍ଧାର ପାଇଁ କର୍ମକର୍ତ୍ତାଙ୍କ ସମେତ ୧୧୦୦ସେନାଙ୍କୁ ନିୟୋଜିତ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଏହି ବନ୍ୟା ସ୍ପେନର ସବୁଠାରୁ ଭୟଙ୍କର ବନ୍ୟାର ଆଖ୍ୟା ଦିଆଯାଇଛି । ଦକ୍ଷିଣ-ପୂର୍ବ ସ୍ପେନର ଭାଲେନସିଆ ସହରରେ ପରିସ୍ଥିତି ଗୁରୁତର।  ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟାରେ ଭାଲେନସିଆରେ କେବଳ ୧୫୫ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ବାଦଲଫଟା ବର୍ଷା ଯୋଗୁ ଏଭଳି ଭୟଙ୍କର ସ୍ଥିତି ସ୍ପେନରେ ଉପୁଜିଛି । ବନ୍ୟାରେ ହଜାର ହଜାର ଲୋକ ବାସହରା ହୋଇଯାଇଛନ୍ତି । ସ୍ପେନର ମାଲାଗା ସହ ନିକଟବର୍ତ୍ତୀ ଅଞ୍ଚଳରେ ଗତ ୨୯ ତାରିଖଠୁ ପ୍ରବଳ ବର୍ଷା ଅନୁଭୂତ ହେଉଥିବାରୁ ସେଠାରେ ହଠାତ୍ ବନ୍ୟା ମାଡିଆସିଥିଲା। ବନ୍ୟା ଏତେ ଭୟଙ୍କର ଥିଲା ଯେ କେହି କିଛି ଭାବିବା ପୂର୍ବରୁ ସଙ୍ଗେ ସଙ୍ଗେ ପାଣି ମାଡି ରାସ୍ତାଘାଟ, ଘରେ ଜଳାର୍ଣ୍ଣବ ସ୍ଥିତି ଉପୁଜି ଥିଲା । ହଠାତ୍ ପାଣି ମାଡି ଆସିବାରୁ ଅନେକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛନ୍ତି।

ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାନେଜ୍ କହିଛନ୍ତି ଯେ ବନ୍ୟା ଯୋଗୁଁ ଅନେକ ସହର ପ୍ରଭାବିତ ହୋଇଛି । ପୀଡିତ ତଥା ନିଖୋଜ ଲୋକଙ୍କୁ ଖୋଜିବା ଆମର ପ୍ରାଥମିକତା ତେଣୁ ଆମେ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ବୋଲି ପ୍ରଧାନମନ୍ତ୍ରୀ ପେଡ୍ରୋ ସଞ୍ଚେଜ ଗୁରୁବାର ଭାଲେନ୍ସିଆରେ ଆଞ୍ଚଳିକ କର୍ତ୍ତୃପକ୍ଷ ଏବଂ ଜରୁରୀକାଳୀନ ସେବା ସହ ଆଲୋଚନା କରିବା ପରେ କହିଛନ୍ତି। ଲୋକଙ୍କୁ ଘର ଓ କାରରୁ ଉଦ୍ଧାର କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ।

ଆଜିଠାରୁ ଆସନ୍ତା ୭ ତାରିଖ ଯାଏଁ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା

ଭୁବନେଶ୍ବର: ଆଜିଠାରୁ ଆସନ୍ତା ୭ ତାରିଖ ଯାଏଁ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା । ବିଭିନ୍ନ ବ୍ଲକ ଓ ସାଂଗଠନିକ ଜିଲ୍ଲାରେ ଆରମ୍ଭ ହେବ ଅଭିଯାନ । ପୂର୍ବରୁ ଅକ୍ଟୋବର ୨୧ରୁ ୩୦ ଯାଏ ଦ୍ବିତୀୟ ପର୍ଯ୍ୟାୟ ପଦଯାତ୍ରା ସ୍ଥିରୀକୃତ ହୋଇଥିଲା। ହେଲେ ବାତ୍ଯା ଦାନା ନେଇ ସଙ୍କେତ ମିଳିଥିବାରୁ ତାରିଖ ପରିବର୍ତ୍ତନ କରିଥିଲା ଦଳ। ଯେଉଁ ସବୁ ସ୍ଥାନରେ ବାତ୍ୟାର ପ୍ରଭାବ ନଥିଲା, ସେଠାରେ ପୂର୍ବ ସୂଚୀ ଅନୁସାରେ ପଦଯାତ୍ରା ଜାରି ରହିଛି । ଗାନ୍ଧୀ ଜୟନ୍ତୀ ଅବସରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ ଦଳୀୟ ସଭାପତି ନବୀନ ପଟ୍ଟନାୟକ ।

ଜନସେବା ଓ ସମର୍ପଣ ମନୋଭାବକୁ ଗୁରୁତ୍ବ ଦେବା ସହ ବିଜେପି ସରକାରର ମିଛ ପ୍ରତିଶୃତି ବିରୋଧରେ ବର୍ଷିଥିଲେ ନବୀନ । ସେ ନିଜ ସମୟର ଓଡ଼ିଶା ବିକାଶର ରିପୋର୍ଟ ଜନସାଧାରଣଙ୍କ ଆଗରେ ରଖିଥିଲେ । ସେହିପରି ବିଜେପିର ମିଛ କଥାର ପୋଲ୍ ଖୋଲି ଏହି ବାର୍ତ୍ତାକୁ ପଦଯାତ୍ରା ମାଧ୍ୟମରେ ଘରେ ଘରେ ପହଞ୍ଚାଇବାକୁ ନବୀନ ନିଜ ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପଦଯାତ୍ର ଉଦଘାଟନ ଦିନ ହିଁ ଏକାମ୍ର ଭୁବନେଶ୍ବରରେ ଦେଖିବାକୁ ମିଳିଥିଲା ନବୀନ କ୍ରେଜ। କ୍ଷମତାରେ ନଥିଲେ ବି ଜନସେବା ଜାରି ରଖିବାକୁ ଉଦବୋଧନ ଦେଇ ସମସ୍ତଙ୍କ ହୃଦୟ ଜିତିଥିଲେ ନବୀନ । ପଦଯାତ୍ରା ଜରିଆରେ ବି ଚାଲିଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ତ୍ୟାଗ ଓ ସେବାର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ବିଜୁ ଜନତା ଦଳ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା । ଏହା ଦୁଇ ମାସ ଧରି ଚାଲିବ । ଏଥର ଏକ କୋଟିରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ଯ ରଖିଛି ବିଜେଡି।

ଦୀପାବଳିରେ ଅଘଟଣ : ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ଯୁ, ୬ ଜଣ ଆହତ

ଅମରାବତୀ : ଦୀପାବଳିରେ ଅଘଟଣ। ଆନ୍ଧ୍ରପ୍ରଦେଶ ଏଲୁରୁ ଜିଲ୍ଲାରେ ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଓନିଅନ ବମ୍ କୁହାଯାଉଥିବା ବାଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହା ଫୁଟିବା ପରେ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଏକ ବାଇକରେ ୨ ଜଣ ବ୍ଯକ୍ତି ବୋମା ଧରି ଯାଉଥିବାବେଳେ ଗାଡିଟି ଏକ ପାଥହୋଲରେ ଆଘାତପ୍ରାପ୍ତ ହୋଇଥିଲା। ଫଳରେ ସେମାନେ ନେଇ ଯାଉଥିବା ବୋମା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଘଟଣାର ଭିଜୁଆଲ ସିସିଟିଭିରେ କଏଦ ହୋଇଥିଲା।

ପୁରୀ ଡବଲ ମର୍ଡର ଘଟଣା : ୫ଜଣ ଅଭିଯୁକ୍ତ ଗିରଫ

ପୁରୀ : ପୁରୀ ସଦର ସମଙ୍ଗରାରେ ଡବଲ ମର୍ଡର ଘଟଣାରେ ଜଣେ ନାବାଳକ ସମେତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ  । ଗିରଫ ଅଭିଯୁକ୍ତମାନେ ହେଲେ ଜଟାଧାରୀ ପ୍ରଧାନ, ବଳିଆ ପ୍ରଧାନ, ଜଗା ପ୍ରଧାନ, ରତନି ପ୍ରଧାନଙ୍କ ସହ ଜଣେ ନାବାଳକ ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ଇଟାକୁ ମଧ୍ୟ ଜବତ କରାଯାଇଛି। ଗତ ୬ମାସ ଧରି ଜମିବାଡ଼ି ବିବାଦ ଲାଗିରହିଥିଲା। ଗତକାଲି ରାତିରେ ବାପା ପ୍ରକାଶ ସ୍ଵାଇଁ ଓ ପୁଅ ରବି ସ୍ଵାଇଁ ଘରକୁ ଫେରୁଥିବା ବେଳେ ଏହି ୫ଜଣ ଆତର୍କିତ ଆକ୍ରମଣ କରି ହତ୍ୟା କରିଥିଲେ । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀର ଅତିରିକ୍ତ ଏସପି ।

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଗୁଜରାଟ :  ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ କଚ୍ଛରେ ବିଏସଏଫର ଯବାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯବାନଙ୍କ ପାଇଁ ଏ ଦେଶ ଆଜି ସୁରକ୍ଷିତ ଅଛି ବୋଲି ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ। ୨୦୧୪ରେ ବିଜେପି ସରକାର ଆସିବା ପରଠାରୁ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଇ ଯବାନଙ୍କ ସହ ଦୀପାବଳି ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଯବାନଙ୍କୁ ଜଣ ଜଣ କରି ମିଠା ଖୁଆଇ ଦୀପାବଳିର ବଧେଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ରକ୍ଷା କରିବାକୁ ଯବାନଙ୍କ ଶକ୍ତି ଉପରେ ଆମେ ବିଶ୍ଵାସ କରୁଛୁ ବୋଲି କହିଛନ୍ତି ପିଏମ୍। ସୀମାବର୍ତ୍ତୀ ଅଂଚଳରେ ପାରମ୍ପରିକ ଭିତ୍ତିଭୂମି ସୁଦୃଢ କରିବା ମୁଖ୍ୟ ଦାୟିତ୍ଵ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ପଡୋଶୀ ରାଷ୍ଟ୍ରଙ୍କୁ ଚେତାବନୀ ଉଦ୍ଦେଶ୍ୟରେ ଦେଶର ଗୋଟିଏ ଇଂଚ ଜାଗାକୁ ନେଇ ସାଲିସ କରାଯିବନି ବୋଲି କହିଛନ୍ତି ମୋଦି। ଏଥିଲାଗି ଦେଶର ନୀତି ସୁରକ୍ଷାକର୍ମୀଙ୍କ ସଂକଳ୍ପ ସହିତ ଯୋଡ଼ି ହୋଇ ରହିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

୨୦୧୪ରି ସିଆଚିନରେ ଦୀପାବଳି ପାଳିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ ୨୦୧୫ରେ ପଂଜାବ ସୀମା, ୨୦୧୬ରେ ହିମାଚଳପ୍ରଦେଶ ସୁମଡୋ, ୨୦୧୭ରେ ଜମ୍ମୁ କାଶ୍ମୀରର ଗୁରେଜ ସେକ୍ଟର, ୨୦୧୮ରେ ଉତ୍ତରାଖଣ୍ଡ, ୨୦୧୯ରେ ଜମ୍ମୁ କାଶ୍ମୀରର ରଜୌରୀ, ୨୦୨୦ରେ ରାଜସ୍ଥାନରେ ଲୋଙ୍ଗେୱାଲା, ୨୦୨୧ରେ କାଶ୍ମୀରର ନୌସେରା, ୨୦୨୨ରେ କାରଗିଲ ଓ ୨୦୨୩ରେ ହିମାଚଳପ୍ରଦେଶର ଲେପଚାରେ ଦୀପାବଳି ପାଳନ କରିଥିଲେ ମୋଦି।