ପୁରୀ : ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁ ରାଉତ ସାହିରେ ବାଣ ବିସ୍ଫୋରଣ । ଏଥିରେ ୩ଜଣ ଗୁରୁତର ହୋଇଛନ୍ତି । ବାଟ ଗାଁ ରାଉତ ସାହିରେ ଜଣେ ବ୍ୟକ୍ତିଙ୍କ ଘରେ ବାଣ ତିଆରି ହେଉଥିବା ସମୟରେ ବିସ୍ପୋରଣ ଘଟିଥିଲା। ଏହି ବିସ୍ପୋରଣରେ ବାଟ ଗାଁ ରାଉତ ସାହିର ସଞ୍ଜୟ ଜେନା, ଗୁଲା ରାଉତ ଓ ଲିପା ରାଉତ ଗୁରୁତର ହୋଇପଡିଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସଞ୍ଜୟ ଜେନା, ଗୁଲା ରାଉତର ୮୦ ପ୍ରତିଶତ ଭାଗ ପୋଡିଯାଇଥିବା ବେଳେ ଲିପା ରାଉତର ୫୦ ପ୍ରତିଶତ ଭାଗ ପୋଡିଥିବା ଜଣାପଡିଛିl ଲିପା ରାଉତଙ୍କ ଘରେ ବାଣ ତିଆରି ହେଉଥିବା ନେଇ ସଞ୍ଜୟ ଜେନା ଖବର ପାଇ ବାଣ କିଣିବା ପାଇଁ ଯାଇଥିଲେ । ସେଠାରେ ଲିପା ରାଉତ ଓ ଗୁଲା ରାଉତ ସଞ୍ଜୟ ପାଇଁ ବାଣ ତିଆରି କରିବା ସମୟରେ ଏହି ବିସ୍ପୋରଣ ଘଟିଥିଲା। ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ଓ ସିଟିଡିଏସପି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ରିଜ ଉପରେ ମୋବାଇଲ୍ ଓ ଜୋତା ରଖି ନଦୀକୁ ଡେଇଁଲେ ମହିଳା
କୋରାପୁଟ : ବ୍ରିଜ ଉପରେ ମୋବାଇଲ୍ ଓ ଜୋତା ରଖି କୋଲାବ ନଦୀକୁ ଡେଇଁ ପଡିଲେ ମହିଳା। ଘଟଣା ଘଟିଛି କୋରାପୁଟ ସୁନାବେଡ଼ା ଜାତୀୟ ରାଜପଥ ୨୬ ନିକଟ ଧୁରୁଗୁଡ଼ା ବ୍ରିଜ ନିକଟରେ । କାହିଁ କେଉଁ ପରିସ୍ଥିତିରେ ମହିଳା ଜଣଙ୍କ ନଦୀକୁ ଡେଇଁଲେ, ତାହାର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ କୋରାପୁଟ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ଭିତରେ ମହିଳାଙ୍କୁ ଖୋଜାଖୋଜି ଜାରି ରଖିଛି । ଘଟଣାସ୍ଥଳରେ କୋରାପୁଟ ଟାଉନ ଥାନା ପୋଲିସ ମଧ ଉପସ୍ଥିତ ରହିଛି ।
ଲୋକଙ୍କୁ ବାଧୁଛି ଆଳୁର ଦର , ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲା ସିଟିଜେନସ ଫୋରମ୍
ଭୁବନେଶ୍ୱର : ଲୋକଙ୍କୁ ବାଧୁଛି ଆଳୁର ଦର ବୃଦ୍ଧି । ଆଳୁ ଦର ବୃଦ୍ଧି ଯୋଗୁଁ ଗରିବ ଲୋକଙ୍କୁ ବାଧୁଛି ବୋଲି କହିଛି ସିଟିଜେନସ ଫୋରମ୍ । ଘୋଷଣା ଅନୁଯାୟୀ ଚାଷୀଙ୍କୁ ପଞ୍ଜାବ ଓ ୟୁପିର ଆଳୁ ବିହନ ଯୋଗାଇ ପାରିଲେନାହିଁ ରାଜ୍ୟ ସରକାର । ଦରଦାମ ନିୟନ୍ତ୍ରଣକୁ ନଆଣିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛି ସିଟିଜେନସ ଫୋରମ୍ ।
ଓଡ଼ିଶାର ଭାଗ୍ୟ କେନ୍ଦ୍ର ନିର୍ଦ୍ଧାରଣ କରୁଥିବାରୁ ଏଭଳି ସମସ୍ୟା ହେଉଥିବା ଅଭିଯୋଗ ଆଣିଛି ଫୋରମ୍। କେନ୍ଦ୍ର ଉପରେ ନିର୍ଭର କରି ରହିଲେ ଏଭଳି ଉପୁଜିବ ଏବଂ ଓଡ଼ିଆଲୋକେ ସମସ୍ୟା ଭୋଗିବେ ବୋଲି ଫୋରମର ବରିଷ୍ଠ ସଦସ୍ୟ ମଧୁସୂଦନ ମିଶ୍ର କହିଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ୮୦ ପ୍ରତିଶତ ସାଧାରଣ ଲୋକଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି। ତେଣୁ କେନ୍ଦ୍ର ଉପରେ ଅତ୍ୟଧିକ ନିର୍ଭରଶୀଳ ନହୋଇ ରାଜ୍ୟ ସରକାର ନିଜେ ନିଷ୍ପତ୍ତି ନେବାକୁ ଦାବି ରଖିଛି ସିଟିଜେନସ ଫୋରମ୍।
ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା, ୫ ଗିରଫ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ୧୦ ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଘଟଣା । ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।
ଗତକାଲି ଭୁବନେଶ୍ୱରରେ ଚଢ଼ାଉ କରିଥିଲା ପୋଲିସ । ୩ ଜଣଙ୍କୁ ପୋଲିସ କାବୁ କରିଥିବା ବେଳେ ୨ ଜଣ ଖସିଯାଇଥିଲେ। ଫେରାର ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ କରିଥିଲେ । ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା ନୟାପଲ୍ଲୀ ପୋଲିସ ।
ନନ୍ଦିଘୋଷ ଟିଭିର ପ୍ରଭାବ: ବିଦ୍ୟୁତ ସଂଯୋଗ ହେଲା, ଜମିକୁ ପାଣି ବି ମାଡ଼ିଲା
ରାୟଗଡ଼ା: ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଜଳଯୋଗାଣ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ବି ହେଲା ଓ ଜମିକୁ ପାଣି ବି ମାଡ଼ିଲା । ଖବର ପ୍ରସାରଣ ପରେ ସାଉଥକୋ ତୁରନ୍ତ ବିଦ୍ୟୁତ ସଂଯୋଗ କରି ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଛି ।
ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ଏମକେରାଇ ଅଞ୍ଚଳରେ ଦୁଇଟି ପ୍ରକଳ୍ପ ଥାଇ ମଧ୍ୟ ଜମିରେ ପାଣି ମାଡ଼ିପାରୁ ନଥିଲା । ଚଳିତବର୍ଷର ସ୍ବଳ୍ପ ବୃଷ୍ଟି ଜମିରେ ଧାନ ଚାଷ ପ୍ରଭାବିତ ହେଉଥିବା ବେଳେ ଉଠା ଜଳସେଚନ ଉପରେ ନିର୍ଭର କରିଛନ୍ତି ଚାଷୀ । ବର୍ଷା ଅଭାବରୁ କ୍ଷେତରେ ଧାନ ଜମି ଫାଟି ଆଁ କରିବା ସହିତ ଧାନ ଗଛଗୁଡ଼ିକ ପାଳ ହେବାକୁ ବସିଥିଲା ।
ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରି ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ପ୍ରଭାବ ପଡ଼ିଛି । ସାଉଥକୋ ବିଦ୍ୟୁତ୍ ଚାର୍ଜ କରିବା ସହ ଉଠା ଜଳସେଚନ ବିଭାଗ ପାଣି ପ୍ରକଳ୍ପ ଚାଲୁ କରିଛନ୍ତି । ଯାହାଦ୍ବାରା ୧୬ଟି ଚାଷୀ ପରିବାରର ୫୦ ଏକର ଧାନ ଜମିରେ ପାଣି ଯୋଗାଇବା ସମ୍ଭବ ହୋଇପାରିଛି । ଅନ୍ୟ ଗୋଟିଏ କ୍ଷୁଦ୍ର ଜଳସେଚନ ବିଭାଗର ଚେକଡ୍ୟାମର ସାନ ନାଳ ଭାଙ୍ଗି ଯାଇଥିବାରୁ ଜମିକୁ ପାଣି ମାଡ଼ିବାରେ ସମସ୍ୟା ହେଉଛି । ସାନ ନାଳକୁ ମରାମତି କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।

