spot_img
Home Blog Page 1528

ଲିଭଇନରେ ରହୁଥିଲେ, ମୃତଦେହ ଛାଡ଼ି ପଳାଇଲା ବୟଫ୍ରେଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଏକ ଆପାର୍ଟମେଣ୍ଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଲିଭ-ଇନରେ ରହୁଥିଲେ ଯୁବକ ଯୁବତୀ । ଯୁବତୀଙ୍କ ମୃତ୍ୟୁ ପରେ ଛାଡ଼ି ପଳାଇଲା ବୟଫ୍ରେଣ୍ଡ। ଭୁବନେଶ୍ଵର ଖଣ୍ଡଗିରି ଅଂଚଳରେ ଘଟିଛି ଏ ଅଭାବନୀୟ ଘଟଣା। ଘର ଭିତରେ ଯୁବତୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତଦେହ ଦେଖି ପୁରୁଷ ବନ୍ଧୁ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଯୁବତୀଙ୍କ ପରିବାର ଲୋକେ ଝିଅକୁ ହତ୍ଯା କରିଥିବା ଅଭିଯୋଗ କରିଛନ୍ତି। ହତ୍ୟା ମାମଲା ରୁଜୁ କରିଛି ଖଣ୍ଡଗିରି ପୋଲିସ। ବିଏନଏସର ଦଫା ୧୦୩ରେ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି ପୁଲିସI। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଆରମ୍ଭ କରିଛି ।

ଯୁବତୀ ଜଣକ ଏମସିଏ ପଢା ସାରି ଭୁବନେଶ୍ୱରରେ ଲିଭ ଇନ ରିଲେସନସିପରେ ରହୁଥିଲେ। ଉଭୟ ପୁଅ ଏବଂ ଝିଅଙ୍କ ଘର କୋରାପୁଟ ଜୟପୁରରେ ବୋଲି ଜଣାପଡିଛି। ସେମାନେ ଏକାଠି ଏକ ଆପାର୍ଟମେଣ୍ଟରେ ରହି ଆସୁଥିଲେ।

କପଡା ଗୋଦାମରେ GST ରେଡ୍; ଦୀର୍ଘଦିନ ହେବ GST ଫାଙ୍କୁଥିଲେ ଦୋକାନୀ

ସମ୍ବଲପୁର: ସମ୍ବଲପୁର କାମଲିବଜ଼ାରରେ ଥିବା ଏକ କପଡା ହୋଲସେଲ ଗୋଦାମରେ ଜିଏସଟି ରେଡ୍ । ଦୀର୍ଘଦିନ ହେବ ଏହି କପଡା ହୋଲସେଲ ଦୋକାନି ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା । ଆଜି ଦିନ ପ୍ରାୟ ୧୨ଟା ସମୟରେ କମଳିବଜ଼ାରରେ ଥିବା ମିତ୍ତଳ ଏଜେନସିରେ ହଟାତ ଏକ ୧୫ ଜଣିଆ ଟିମ ଚଢ଼ାଉ କରିଥିଲେ । ଏକାକାଳୀନ ଏହି ଏଜେନ୍ସିର ୫ ଟି ସ୍ଥାନରେ ୧୫ ଟିମ ଚଢ଼ାଉ କରିଥିଲେ ।

ସୂଚନା ମୁତାବକ, କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିବାର ଅଭିଯୋଗ ଆସିବା ପରେ ସିଟି ଜିଏସଟି ବିଭାଗର ବହୁ ଅଧିକାରୀ ଏହି ରେଡରେ ସାମିଲ ଥିଲେ । କେଉଁଠୁ ଜିନିଷ ଆସୁଛି କେଉଁ ଅଂଚଳକୁ ସପଲାଏ ହେଉଛି ସମସ୍ତ କାଗଜ ପତ୍ର ଯାଞ୍ଚ କଲାପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି ଅଧିକାରୀ କହିଛନ୍ତି ।

ମାଲକାନଗିରିରେ ଆଦିବାସୀଙ୍କ ରଣହୁଙ୍କାର; ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରାଉ

ମାଲକାନଗିରି: ମାଲକାନଗିରିରେ ଆଦିବାସୀଙ୍କ ରଣହୁଙ୍କାର। ପେସା ଆଇନ କାର୍ଯ୍ଯକାରୀ ଦାବିରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରିଲେ ଆଦିବାସୀ। ଜଙ୍ଗଲ, ଜମି ଅଧିକାର ଦାବିରେ ହଜାର ହଜାର ଆଦିବାସୀ ମହାସଙ୍ଗମ ସମାବେଶ କରିଛନ୍ତି । ଜଙ୍ଗଲ ଜମି ପଟ୍ଟା, ଗ୍ରାମସଭାକୁ ସମ୍ପୂର୍ଣ୍ଣ ଅଧିକାର ଓ ପେସା ଆଇନ ଲାଗୁ କରିବା ଭଳି ବିଭିନ୍ନ ଦାବି ନେଇ ଗଣଆନ୍ଦୋଳନ କରୁଛନ୍ତି ଆଦିବାସୀ । ପ୍ରାୟ ୨୦ ହଜାର ଆଦିବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଜିଲ୍ଲାର ସମସ୍ତ ଆଦିବାସୀ ସମାଜ, ମହାଗ୍ରାମ ସଭା, କାଲିମେଳା, ପଡିଆ ମିଶି ଏକ ସ୍ମାରକ ପତ୍ର ପ୍ରଦାନ ପାଇଁ ଅପିଲ କରିଛନ୍ତି। ଏନେଇ ଆଜି ମାଲକାନଗିରି ସହର ଜନ ସମୁଦ୍ର ପାଲଟିଛି ।

ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ, ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ପାଇଁ ଅନୁସୂଚିତ ଜନଜାତି ମାନଙ୍କର ସୁରକ୍ଷା ଦାବିପତ୍ରରେ ଉଲ୍ଲେଖ ରହିଛି । ମାଲକାନଗିରି ଜିଲ୍ଲାରେ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ଵ ହେବ ୨୩୪ ଗୋଟି ଗ୍ରାମସଭା ପକ୍ଷରୁ  ଗୋଷ୍ଠି ଜଙ୍ଗଲ ସମ୍ବଳ ଅଧିକାର ପାଇଁ ଦାବି କରଯାଇଛି। ଜିଲ୍ଲା ସ୍ତରୀୟ କମିଟି ନିକଟରେ ବାରମ୍ବାର ଅଭିଯୋଗ ଓ ଅନୁରୋଧ କରିବା ସତ୍ତ୍ବେ ମଧ୍ୟ ପଟ୍ଟା ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି। ଗତ ବର୍ଷ ମେ ମାସ ୧୮ ତାରିଖରେ ମଧ୍ୟ ଦାବି କରାଯାଇଥିଲା। କିନ୍ତୁ ପଟ୍ଟା ପ୍ରଦାନ କରିବା ପାଇଁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଇ ମାଲକାନଗିରି ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ମାନଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଆଦିବାସୀ ମହାସଂଘ ଅଭିଯୋଗ କରିଛି। ଖୁବଶୀଘ୍ର ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଓ ବ୍ୟକ୍ତିଗତ ଅଧିକାର ପଟ୍ଟା ବଣ୍ଟନ ପ୍ରକ୍ରିୟାକୁ ତରାନ୍ବିତ କରିବାକୁ ସ୍ପଷ୍ଟ କରିବାକୁ ଦାବି କରାଯାଇଛି ।

ଓଡିଶା ସରକାର ଦ୍ବାରା ଯେଉଁ ଡ୍ରାଫ୍ଟ ନିୟମ କରାଯାଇଛି ତାହା ପେସା ଆଇନ ୧୯୯୬ର ମୂଳ ଭାବନାକୁ କ୍ଷୁଣ୍ଣ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ଆଦିବାସୀ ମହାସଂଘ। ଏଣୁ ଡ୍ରାଫ୍‌ଟ ନିୟମକୁ ବିରୋଧ କରି ପେଶା ଆଇନର ମୂଳ ଭାବନାକୁ ଗୁରୁତ୍ବ ଦିଆଯାଇ ଉଢ଼ିବାଦୀ ଗ୍ରାମସଭାର ଦାବି ପୂରଣ କରାଯାଉ ବୋଲି ଦାବି ହୋଇଛି । ସେହିଭଳି ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ଯଥା ବାଲିମେଳା ଜଳଭଣ୍ଡାର ଓ ସତୀଗୁଡା ଜଳଭଣ୍ଡାର ନିର୍ମାଣ ଦ୍ବାରା ମାଲକାନଗିରିରେ ହଜାର ହଜାର ଆଦିବାସୀ ପରିବାର ବିସ୍ଥାପିତ ହୋଇଛନ୍ତି। ଦୁର୍ଭାଗ୍ୟବସତଃ ବିକଳ୍ପ ଜମି ଏବଂ ଜୀବିକା ନିର୍ବାହ ପାଇଁ ସେମାନଙ୍କ ଯଥାର୍ଥ ଦାବି ନିଶ୍ଚିତ କରିବାକୁ ପର୍ଯ୍ୟାପ୍ତ ପୁନର୍ବାସ ଏବଂ ପୁନଃ ଥଇଥାନ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ବିସ୍ଥାପିତ ଆଦିବାସୀଙ୍କୁ ଜମି ଅଧିକାର ଓ ପଟ୍ଟା ପ୍ରଦାନ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି ହୋଇଛି ।

 

ଜିମ୍ ବାହାରେ ଗୁଳି କରି ଜିମ ମାଲିକଙ୍କୁ ହତ୍ଯା

ଦିଲ୍ଲୀ : ଦିଲ୍ଲୀ ଗ୍ରେଟର କୈଳାସ ଅଞ୍ଚଳରେ ଜିମ ମାଲିକଙ୍କୁ ହତ୍ଯା। ଜିମ୍‌ ବାହାରେ ଗୁଳିମାଡ଼ କରି ହତ୍ଯା କରିଛି ଦୁର୍ବୃତ୍ତ। ଜିମ ମାଲିକ ନାଦିର ଶାହାଙ୍କୁ ଗୁଳି କରି ହତ୍ଯା କରିଛି ଦୁର୍ବୃତ୍ତ। ନାଦିରଙ୍କ ଉପରକୁ ୧୧ ରାଉଣ୍ଡ୍‌ ଗୁଳିମାଡ଼ କରିଥିଲା ଦୁର୍ବୃତ୍ତ। ତାଙ୍କ ଦେହରେ ୮ ରାଉଣ୍ଡ୍‌ ଗୁଳି ବାଜିଥିଲା।ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଥଇ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟା ପୂର୍ବରୁ ପ୍ରାୟ ଘଣ୍ଟାକ ଧରି ତଦାରଖ କରିଥିଲା ଦୁର୍ବୃତ୍ତ। ଜିମ୍‌ ପାଖରେ ଜଗି ରହି ସୁଯୋଗକୁ ଅପେକ୍ଷା କରିଥିଲା। ହତ୍ଯାକାଣ୍ଡ ପଛରେ ଲରେନ୍ସ ବିଷ୍ଣୋଇ ଗ୍ଯାଙ୍ଗର ହାତ ଥିବା ଚର୍ଚ୍ଚା ହେଉଛି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଗୋଲ୍ଡି ବ୍ରାର୍‌ଙ୍କ ଘନିଷ୍ଠ ଗ୍ୟାଙ୍ଗଷ୍ଟର ରୋହିତ ଗୋଡାରାଙ୍କ ନାମ  ନେଇ ଚର୍ଚ୍ଚା ହେଉଛି। ହତ୍ଯାକାଣ୍ଡ ସମୟର ସିସିଟିଭି ଭିଡିଓ ପୋଲିସର ହସ୍ତଗତ ହୋଇଛି। ଏହି ଭିଡିଓରେ ଦୁର୍ବୃତ୍ତ ଆସି ଗୋଟି ଗୋଟି କରି ଗୁଳିମାଡ଼ କରୁଥିବା ଦେଖିବାକୁ ମିଳିଛି ।

ବିଜେପି ବିରୁଦ୍ଧରେ ଓଡିଶାରେ ଆପର ବିରୋଧ ପ୍ରଦର୍ଶନ

ଭୁବନେଶ୍ବର : ବିଜେପି ବିରୁଦ୍ଧରେ ଓଡିଶାରେ ଆମ ଆଦମୀ ପାର୍ଟିର ବିରୋଧ ପ୍ରଦର୍ଶନ। ନିର୍ବାଚନ ପୂର୍ବରୁ ଓଡ଼ିଶାବାସୀଙ୍କୁ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା। ସରକାର ଗଠନ କରିବାର ୧୦୦ଦିନ ପୂରଣ ହେବାକୁ ଯାଉଥିଲାବେଳେ ଏକାଧିକ ପ୍ରତିଶ୍ରୁତି ପାଣିର ଗାର ପାଲଟିଥିବା ଆପ୍ ଅଭିଯୋଗ କରିଛି । ନିର୍ବାଚନ ବୈତରଣୀ ପାର ହେବା ପାଇଁ ପ୍ରଚାର ଓ ଭାଷଣ ମାଧ୍ୟମରେ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଗ୍ୟାରେଣ୍ଟି ଦେଇ ବିଜେପି ସରକାରକୁ ଆସିଲେ। ପ୍ରତ୍ୟେକ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯିବା କଥା କହି ଛଳନା କରିଥିବା ଆପ ଅଭିଯୋଗ କରିଛି। ଅନୁରୂପ ଭାବେ ବାର୍ଦ୍ଧକ୍ୟ ଭତ୍ତା, ସୁଭଦ୍ରା ଯୋଜନା, ବିଜୁଳି ସବୁ ଏବେ ଭେଳିକି। ରୋଜଗାର, କୃଷି, ପର୍ଯ୍ୟଟନ, ଶିକ୍ଷା,ସ୍ବାସ୍ଥ୍ୟ ଏବଂ ମହିଳା ଶିଶୁଙ୍କ ପାଇଁ ମାଳ ମାଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୧୦୦ଦିନ ଭିତରେ ଗୋଟେ ବି କାର୍ଯ୍ୟକାରୀ କରିନାହାନ୍ତି ବୋଲି କହିଛି ଆପ। ମିଛ ପ୍ରତିଶ୍ରୁତି ସବୁକୁ ଆଧାର କରି ବିଜେପି ଓଡ଼ିଶା ବାସୀଙ୍କୁ ଯେଉଁଭଳି ଭାବେ ଧୋକା ଓ ଛଳନାର ଉପହାର ଦେଇଛି ଏହା ବିରୁଦ୍ଧରେ ଆମ୍ ଆଦ୍‌ମୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇଛି ।

ଅବକାରୀ ନୀତିରେ ପରିବର୍ତ୍ତନ ଆଣି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର : ବିରୋଧ ପରେ ବଦଳିଲା ସରକାରଙ୍କ ଅବକାରୀ ନୀତି । ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍।  ଅବକାରୀ ନୀତିରେ ପରିବର୍ତ୍ତନ ଆଣି  ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି  ଅବକାରୀ କମିଶନର ନରସିଂହ ଭୋଳ । ନୂଆ ଅବକାରୀ ନୀତିରେ ବେଳାଭୂମିରେ ମଦ କ୍ଯାବିନ ଖୋଲିବା ପ୍ରସ୍ତାବ ରହିଥିଲା । ଯାହାକୁ ନେଇ ଚାରିଆଡ଼େ ବିରୋଧ ପ୍ରଦର୍ଶନ ହୋଇଥିଲା । ପୁରୀ ଶଙ୍କରାଚାର୍ଯ୍ଯ ମଧ୍ଯ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ଶେଷରେ ବାଧ୍ଯ ହୋଇ ସାମାଜିକ,  ଧାର୍ମିକ ଓ ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି ରାଜ୍ଯ ସରକାର । ସେହିପରି ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନର ୫ କିଲୋମିଟର ପରିଧିରେ ମଦ ଦୋକାନ ନଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଗଣେଶ ଭସାଣ ବେଳେ ଭାସିଗଲେ ୪ ଛାତ୍ର !

ବାରିପଦା  : ଗଣେଶ ଭସାଣ ବେଳେ ବଡ଼ ଅଘଟଣ । ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର । ୨ ଜଣ ଉଦ୍ଧାର ହୋଇଥିବାବେଳେ ଏବେବି ଆଉ ଦୁଇଜଣ ନିଖୋଜ ଅଛନ୍ତି । ବାରିପଦା ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଘଟିଛି ଅଭାବନୀୟ ଘଟଣା । ସକାଳେ ୬ଜଣ ଛାତ୍ର ଭସାଣ ପାଇଁ ଯାଇଥିଲେ । ସେମାନଙ୍କ ମଧ୍ଯରୁ ୪ ଜଣ ପାଣି ଭିତରେ ପଶିଥିଲେ । ମୂର୍ତ୍ତି ଭସାଇବାବେଳେ ୪ ଜଣ ଛାତ୍ର ଭାସିଯାଇଥିଲେ । ୨ ଜଣ ଛାତ୍ର ଉଦ୍ଧାର ହୋଇଥିବାବେଳେ ଅନ୍ଯ ଦୁଇଜଣ ଏବେବି ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି । ନିଖୋଜ ଛାତ୍ରଙ୍କ ବୟସ ୧୨ରୁ ୧୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଆତ୍ମସମର୍ପଣ କଲେ ୪ କୁଖ୍ୟାତ ମାଓବାଦୀ

ଉମରକୋଟ : ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪ କୁଖ୍ୟାତ ମାଓବାଦୀ । ସେମାନେ ହେଲେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡର କୁଏମାରୀ ଏରିଆ କମିଟି ଅଂଚଳର ମହିଳା କମାଣ୍ଡର ସୀତାୟ କୋରାମ, ଲୁକୁ ପୁନମ, ଗଙ୍ଗା ଦିଡଦେ ଓ ସରୀତା ସୋରି । ଏମାନେ ଉତ୍ତର ବସ୍ତର ଡିଭିଜନ ଅଧୀନରେ କୁଏମାରି ଏରିଆ କମିଟିରେ ସକ୍ରିୟ ଥିଲେ । ଏହାସହ ବହୁ ମାଓବାଦୀ କାର୍ଯ୍ୟକଳାପରେ ସେମାନେ ସମ୍ପୃକ୍ତ ଥିଲେ । ଯେଉଁଥିପାଇଁ ସୀତାୟ ଏବଂ ଲୁକୁଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରଷ୍କାର ଘୋଷଣା କରାଯାଇଥିଲା । ଏହା ସହ ଅନ୍ୟ ଦୁଇ ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରଷ୍କାର ରାଶି ଘୋଷଣା କରାଯାଇଥିଲା । ସେମାନେ କାଙ୍କେର ଆରକ୍ଷୀ ଅଧୀକ୍ଷକ ଆଇ କେ ଏଲେସେଲାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି ।

କଡ଼େଇ ଜବତ କରି ୭ ଦିନ ଭିତରେ କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ପୁରୀ : ଶ୍ରୀମନ୍ଦିରରେ ଲୁହାକଡ଼େଇରେ ମହାପ୍ରସାଦ ରନ୍ଧାଯିବା ଅଭିଯୋଗ ପ୍ରସଙ୍ଗ । କଡ଼ା କାର୍ଯ୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ । ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମୀନ ତୁରନ୍ତ ରୋଷ ପରିଦର୍ଶନ କରି ଏହାକୁ ନିବାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କଡ଼େଇ ଜବତ କରି ୭ ଦିନ ଭିତରେ କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି l ସେହିପରି ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଏବଂ ଦେଉଳକରଣ ପ୍ରତିଦିନ ରୋଷଶାଳା ତନଖି କରି ଲୁହା କଡ଼େଇ ଜବତ କରିବାକୁ ମଧ୍ୟ ଜଣାଇଦିଆଯାଇଛି l କଡ଼େଇ ଜବତ କାର୍ଯ୍ୟ ସମ୍ପାଦନ କରି କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର କମାଣ୍ଡର, ବରିଷ୍ଠ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ l ଏହି କାର୍ଯ୍ୟର ନିରୀକ୍ଷଣ କରି ରିପୋର୍ଟ ଦାଖଲ ପାଇଁ ସୁରକ୍ଷା ପ୍ରଶାସକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ରୋଷ ମଧ୍ୟରେ ମାଟି କୁଡୁଆରେ ରନ୍ଧନ ପରମ୍ପରା ଥିବା ବେଳେ କିଛି ସୁପକାର ଲୁହା କଡ଼େଇ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ଯ ପ୍ରଶାସକ ।

୧୮ ତାରିଖରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ଏଏସଆଇ

ପୁରୀ : ଆସନ୍ତା ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ଏଏସଆଇ । ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି କାର୍ଯ୍ଯ କରାଯିବ । ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି  । ୧୮ ତାରିଖ ଦିନ ଗୋଟାଏରୁ ଯାଞ୍ଚ କାର୍ଯ୍ଯ ସରିବା ପର୍ଯ୍ଯନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଚାହିଁଲେ ସିଂହଦ୍ଵାର ଦେଇ ଆନନ୍ଦ ବଜାରରୁ ଯାଇହେବ । ଉତ୍ତର ଦ୍ୱାର ପଟେ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରିପାରିବେ । ପୂର୍ବରୁ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତରିତ ହୋଇସାରିଛି । ଏହାଛଡ଼ା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ମଧ୍ଯ ସ୍ଥାନାନ୍ତରିତ କରାଯାଇଛି ।  ଏହାପରେ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ । ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା  । ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା  । ବୈଷୟିକ ଯାଞ୍ଚ ପରେ ଏଏସଆଇ ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଶୀଘ୍ର ସାରିବାକୁ ମୁଖ୍ଯ ପ୍ରଶାସକ ଅନୁରୋଧ କରିଛନ୍ତି।