spot_img
Home Blog Page 154

ସୁଦୃଢ ହେବ ଭାରତ-ଆରବ ସମ୍ପର୍କ, ଶନିବାର ବସିବ ଭାରତ-ଆରବ ବୈଦେଶିକ ମନ୍ତ୍ରୀ ବୈଠକ

ନନ୍ଦିଘୋଷ ବ୍ୟୁରୋ : ସୁଦୃଢ ହେବ ଭାରତ-ଆରବ ସମ୍ପର୍କ । ଶନିବାର ବସିବ ଦ୍ୱିତୀୟ ଭାରତ-ଆରବ ବୈଦେଶିକ ମନ୍ତ୍ରୀ ବୈଠକ । ଏଥିରେ ବାଣିଜ୍ୟ ଓ ଅର୍ଥନୀତିକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବା ନେଇ ସୂଚନା ରହିଛି । ଏହି ଶିଖର ସମ୍ମିଳନୀ ପାଇଁ ଅନେକ ଆରବ ଦେଶର ବୈଦେଶିକ ମନ୍ତ୍ରୀ ପହଞ୍ଚି ସାରିଛନ୍ତି । ସୁଦାନ ବୈଦେଶିକ ମନ୍ତ୍ରୀ ମୋହିଲଦିନ ସଲିମ ଅହମ୍ମଦ ଇବ୍ରାହିମ, ପାଲେଷ୍ଟାଇନର ବୈଦେଶିକ ମନ୍ତ୍ରୀ ଭାର୍ସେନ ଆଗାବେକିୟାନ ଏବଂ କୋମୋରୋସର ବୈଦେଶିକ ମନ୍ତ୍ରୀ ମହମ୍ମଦ ଚାନଫିଓ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭାରତରେ ପହଞ୍ଚିଛନ୍ତି। ଏହି ବୈଠକ ଭାରତ ଏବଂ ୟୁଏଇ ଦ୍ୱାରା ମିଳିତ ଭାବରେ ଅଧ୍ୟକ୍ଷତା କରାଯିବ । ଅନ୍ୟ ଆରବ ଲିଗ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଏବଂ ସଚିବ ଜେନେରାଲ ଅଂଶଗ୍ରହଣ କରିବେ। ଏହି ଗୁରୁତ୍ୱପୂର୍ଣ୍ଣ ଫୋରମର ଏହି ବୈଠକ ୧୦ ବର୍ଷ ପରେ ଅନୁଷ୍ଠିତ ହେଉଛି । ୨୦୧୬ରେ ବାହାରିନରେ ଅନୁଷ୍ଠିତ ହୋଇଥିଲା ଏହାର ପ୍ରଥମ ଶିଖର ସମ୍ମିଳନୀ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏକ ସୋସିଆଲ ମିଡିଆ ପୋଷ୍ଟରେ ନେତାମାନଙ୍କୁ ସ୍ୱାଗତ କରି କହିଛନ୍ତି ଯେ ସେମାନଙ୍କ ଗସ୍ତ ଭାରତ ଏବଂ ଆରବ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ।

ଶାହବାଜ-ମୁନିରଙ୍କୁ ପୁଣି ଟ୍ରମ୍ପଙ୍କ ଝଟକା

ପାକିସ୍ତାନକୁ ପୁଣି ଟ୍ରମ୍ପଙ୍କ ଝଟକା । ବିପଦ ସଙ୍କେତର ମାର୍ଗଦର୍ଶୀକା ତିନିରେ ପାକିସ୍ତାନକୁ ରଖିଛି ଆମେରିକା ପ୍ରଶାସନ । ଏନେଇ ପାକିସ୍ତାନ ଗସ୍ତ କରିବାକୁ ଚାହୁଁଥିବା ଆମେରିକା ନାଗରିକଙ୍କୁ ବାରଣ କରାଯାଇଛି । ଆମେରିକାରରେ ଅପରାଧ, ଆତଙ୍କବାଦ ଏବଂ ଅପହରଣର ବିପଦ ଅଧିକା ଯୋଗୁ ଯାତ୍ରୀମାନଙ୍କୁ ପାକିସ୍ତାନ ଯାତ୍ରା କରିବା ପୂର୍ବରୁ ଦୁଇଥର ଚିନ୍ତା କରିବାକୁ ପରାମର୍ଶ ଦିଆଯାଇଛି । ବିପଦ ସଙ୍କେତର ମାର୍ଗଦର୍ଶୀକା ତିନିର ଅର୍ଥ ହେଉଛି ବିନା ଚେତାବନୀରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ସାଧାରଣ ଟାର୍ଗେଟରେ ରହିଥାଏ ପରିବହନ କେନ୍ଦ୍ର, ହୋଟେଲ, ବଜାର, ସପିଂ ମଲ୍, ସାମରିକ ଏବଂ ସୁରକ୍ଷା ସ୍ଥଳ, ବିମାନବନ୍ଦର, ଟ୍ରେନ୍, ସ୍କୁଲ, ହସ୍ପିଟାଲ ଭଳି ଅନେକ ଗରୁତ୍ବପୂର୍ଣ୍ଣ ସ୍ଥାନ । ଆତଙ୍କବାଦ ଏବଂ ଅପହରଣ ଯୋଗୁଁ, ବେଲୁଚିସ୍ତାନ ପ୍ରଦେଶ ଏବଂ ଖାଇବର ପଖତୁନଖ୍ୱା ପ୍ରଦେଶକୁ ଯାତ୍ରା କରିବାରୁ ଶକ୍ତ ବାରଣ କରାଯାଇଛି । ଗୋଟିଏ ମାସରେ ଶାହବାଜ-ମୁନିରଙ୍କୁ ଟ୍ରମ୍ପ ଏଭଳି ଗାଇଡ଼ଲାଇନ୍ ଜାରି କରି ଦ୍ୱିତୀୟ ଝଟକା ଦେଇଛନ୍ତି ।

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷକୃତ୍ୟ ସମ୍ପନ୍ନ

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷକୃତ୍ୟ ସମ୍ପନ୍ନ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହୋଇଛି ଶେଷକୃତ୍ୟ । ହଜାର ହଜାର ସମର୍ଥକଙ୍କ ଅମର ରହେ ନାରା ଭିତରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଅଜିତ ପାଓ୍ବାର । ବୈଦିକ ମନ୍ତ୍ର ଉଚାରଣ ଭିତରେ ଦୁଇ ପୁଅ ପାର୍ଥ ଓ ଜୟ ମିଳିତ ଭାବେ ଅଜିତଙ୍କୁ ଦେଇଛନ୍ତି ମୁଖାଗ୍ନି । ଅନ୍ତିମ ସଂସ୍କାର ଶେଷ ହେବା ସହ ମହାରାଷ୍ଟ୍ର ରାଜନୀତିରେ ଗୋଟିଏ ଯୁଗର ଅବସାନ ଘଟିଛି ।

ଅଜିତ ଦାଦାଙ୍କ ଅନ୍ତିମ ସଂସ୍କାର ପାଇଁ ବିଦ୍ୟା ପ୍ରତିଷ୍ଠାନ ପଡ଼ିଆ ପାଲଟିଥିଲା ଜନସମୁଦ୍ର । ଲକ୍ଷାଧିକ ଲୋକ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ନିଜର ପ୍ରିୟ ନେତାଙ୍କୁ ଜଣାଇଛନ୍ତି ଅନ୍ତିମ ବିଦାୟ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ଅଜିତ ପାୱାରଙ୍କ ଶେଷକୃତ୍ୟ ଶେଷ କରାଯାଇଛି । ଅଜିତ ଦାଦାଙ୍କୁ ଶ୍ମଶାନ ଘାଟରେ ଅନ୍ତିମ ବିଦାୟ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନ, ଉଦ୍ଧବ ଠାକରେ, ରାଜ ଠାକରେ, ସୁପ୍ରିୟା ସୁଲେ, ଶରଦ ପାୱାରଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ବିଶେଷ । ବିଶିଷ୍ଟ ବ୍ୟକ୍ତି ଓ ଲକ୍ଷାଧିକ ସମର୍ଥକଙ୍କ ଉପସ୍ଥିତରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଅଜିତ ପାୱାର । ଅନ୍ତିମ ସଂସ୍କାର ପୂର୍ବରୁ ଆଜି ସକାଳରୁ ବିରାଟ ପଟୁଆରରେ ବାହାରିଥିଲା ଅଜିତ ପାଓ୍ବାରଙ୍କ ଅନ୍ତିମ ଯାତ୍ରା । ଅନ୍ତିମ ଯାତ୍ରାରେ ହଜାର ହଜାର ଏନସିପି ସମର୍ଥକ ଏକାଠି ହୋଇଥିଲେ ।

ଅଜିତ ପାୱାର ଅମର ରହେ ନାରାରୁ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା ବିରାଟ ଶୋଭାଯାତ୍ରା ବଦଳରେ ପାର୍ଥିବ ଶରୀରକୁ ସିଧା ଓ ତୁରନ୍ତ ଶ୍ମଶାନ ଘାଟକୁ ନେବାକୁ ନିଷ୍ପତ୍ତି ନେଇଥିଲେ ପ୍ରଶାସନିକ ଅଧିକାରୀ । ଶ୍ମଶାନ ଘାଟରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା, ଦୁଇ ପୁଅ ପାର୍ଥ ଓ ଜୟ, ଭଉଣୀ ସୁପ୍ରିୟା ସୁଲେ, ଉଦ୍ଧବ ଠାକରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଅଭିନେତା ରିତେଶ ଦେଶମୁଖ, ନବ ନିର୍ମାଣ ସେନାର ରାଜ ଠାକରେ ଓ ବିଭିନ୍ନ ଦଳର ପ୍ରମୁଖ ବ୍ୟକ୍ତିମାନେ ଶେଷ ଦର୍ଶନ କରିଥିଲେ । ଏହାପରେ ବୈଦିକ ରୀତିନୀତି ଅନୁସାରେ ପାୱାରଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସେପଟେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ବା AAIB ପକ୍ଷରୁ ପରେନସିକ ଯାଞ୍ଚ ଚାଲିଛି ।

ଗତକାଲି ରାମତିରେ ବିମାନ ଅବତରଣ ବେଳେ ଦୁର୍ଘଟଣାରେ ଅଜିତଙ୍କ ପାଓ୍ବାରଙ୍କ ପରଲୋକ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅବତରଣ ପରେ ଦୁଇ ଖଣ୍ଡ ହୋଇ ଜଳିଯାଇଥିଲା ଚାର୍ଟାର୍ଡ ଫ୍ଲାଇଟ । ଯାହାର ଭିଡିଓ ସାମ୍ନାକୁ ଆସିଥିଲା । ଗତକାଲି ସକାଳ ୮ଟା ୪୫ ମିନିଟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ମୋଟ ୫ ଜଣଙ୍କ ଦେହାନ୍ତ ହୋଇଥିଲା । ଅଜିତ ପାୱାରଙ୍କ ସମେତ ଜଣେ ପିଏସଓ, ଜଣେ ଆଟେଣ୍ଡାଣ୍ଟ, ଜଣେ ପାଇଲଟ ଓ ଜଣେ ବିମାନ କର୍ମଚାରୀ ମୃତ୍ୟୁ ହୋଇଥିଲା । ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ଥିଲା । ଅଜିତ ପାୱାର ଏକ କାର୍ଯ୍ୟକ୍ରମରେ ବାରାମତି ଯାତ୍ରା କରୁଥିଲେ । ତାଙ୍କ ପରଲୋକରେ ମହାରାଷ୍ଟ୍ରରେ ୩ ଦିନିଆ ରାଜ୍ୟସ୍ତରୀୟ ଶୋକ ପାଳନ କରାଯାଉଛି । ବାସଭବନରେ ପାର୍ଥିବ ଶରୀରକୁ ଦର୍ଶନ କରିଥିଲେ ବନ୍ଧୁ, ପରିଜନ ଓ ପ୍ରଶଂସକ ।

ଚାକିରି ପ୍ରଲୋଭନ ଦେଖାଇ ବିଜେପି ବିଧାୟକ ପ୍ରାର୍ଥୀ ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ବର୍ଷିଲା ବିଜେଡି

ଚାକିରି ପ୍ରଲୋଭନ ଦେଖାଇ ବିଜେପି ବିଧାୟକ ପ୍ରାର୍ଥୀ ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ବର୍ଷିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବଢିବାରେ ଲାଗିଛି ସରକାରୀ ଦଳ ବିଜେପି ନେତାଙ୍କ ଅମାନୁଷିକ କାମ । ବିଜେପି ସରକାର ସମୟରେ ମହିଳା ଯେ ଅସୁରକ୍ଷିତ, ତାହା ଏଥର ପ୍ରମାଣିତ କରିଛନ୍ତି ଖୋଦ ଗତ ନିର୍ବାଚନର ଦଶପଲ୍ଲା ବିଜେପି ପ୍ରାର୍ଥୀ ରାଘବ ମଲ୍ଲିକ । ଜଣେ ବିବାହିତ ଦଳିତ ମହିଳାଙ୍କୁ ପ୍ରଥମେ ଚାକିରି ପ୍ରଲୋଭନ ଦେଖାଇ ପ୍ରେମ ଜାଲରେ ଫସାଇବା ପରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏ ନେଇ ପୀଡ଼ିତ ମହିଳାଙ୍କ ସ୍ବାମୀ ରାଘବଙ୍କ ନାଁରେ ବାଣିଗୋଚ୍ଛା ଥାନାରେ ଫେରାଦ ହୋଇଛନ୍ତି । ହେଲେ ଏଯାଏଁ ସରକାରୀ ଦଳର ଏହି ନେତାଙ୍କୁ କାବୁ କରିବାରେ ପୋଲିସ ଅକ୍ଷମତା ଦେଖାଇଥିବାରୁ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ଗତ ନିର୍ବାଚନରେ ଦଶପଲ୍ଲାରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ରାଘବ ମଲ୍ଲିକଙ୍କ ନାଁରେ ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା । ଏ ନେଇ ଦଶପଲ୍ଲା ବାଣିଗୋଚ୍ଛା ଥାନାରେ ଏତଲା ଦେଇଛନ୍ତି ମହିଳାଙ୍କ ସ୍ବାମୀ । ଚଢେୟାପଲ୍ଲୀ ଅଞ୍ଚଳର ଜଣେ ଦଳିତ ମହିଳାଙ୍କୁ ରାଘବ ହୋମଗାର୍ଡରେ ଚାକିରିର ମିଛ ପ୍ରଲୋଭନ ଦେଖାଇ ପ୍ରେମ ଜାଲରେ ଫସାଇବା ଅଭିଯୋଗ ହୋଇଛି । ପ୍ରଥମେ ତାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ଘରେ ଛାଡ଼ି ଦେଇଥିଲେ ରାଘବ । ହେଲେ ପରେ ସଂପୃକ୍ତ ମହିଳା ଓ ତାଙ୍କ ଛୁଆଙ୍କୁ ଅପହରଣ କରି ନେଇ କେଉଁଠି ରଖିଛନ୍ତି ? ମହିଳାଙ୍କ ଆପତ୍ତି ଜନକ ଭିଡିଓ, ଫଟୋ ରଖି ପ୍ରଘଟ ନକରିବାକୁ ରାଘବ ବାରମ୍ବାର ଧମକଚମକ ଦେଉଥିଲେ । ଏଥିସହ ମହିଳାଙ୍କ ସ୍ବାମୀଙ୍କୁ ଜୀବନରୁ ମାରି ଦେବାକୁ ବି ଧମକ ଦେଉଥିଲେ । ନିଜ ସ୍ତ୍ରୀ ଓ ଛୁଆ ବଞ୍ଚିଛନ୍ତି ନା ନାହିଁ, ସେ ନେଇ ସ୍ବାମୀ ସନ୍ଦେହ କରୁଛନ୍ତି । ପୋଲିସ ପାଖରେ ଫେରାଦ ହୋଇଛନ୍ତି । ହେଲେ ଘଟଣାର ମାସକ ପରେ ବି ରାଘବଙ୍କ ବିରୋଧରେ ନା ନିଆଯାଇଛି କାର୍ଯ୍ୟାନୁଷ୍ଠାନ, ନା ମହିଳା ଓ ଛୁଆଙ୍କୁ ଖୋଜିବାର ଆନ୍ତରିକତା ଦେଖାଇଛି ପୋଲିସ । ସରକାରୀ ଦଳର ଚାପରେ ପୋଲିସ ଚେପା ହୋଇଯାଇଥିବାରୁ ଉଦବେଗ ପ୍ରକାଶ ପାଇଛି । ଖବର ପ୍ରଘଟ ହେବା ପରେ ବିଜେପି ନେତା ରାଘବ ମଲ୍ଲିକ ଫେରାର ଥିବା ସୂଚନା ମିଳିଛି ।

ଏହି ଲୋମହର୍ଷଣକରୀ ଘଟଣା ପରେ ପୁଣି ଥରେ ବିଜେପି ସରକାର ସମୟର ମହିଳା ବିରୋଧୀ ହିଂସାର ବଡ଼ ପ୍ରମାଣ ମିଳିଛି । ସରକାରୀ ଦଳ ନେତାଙ୍କୁ ଏତେ ଛାଡ଼ କାହିଁକି ? ଖଣ୍ଡପଡା ବିଧାୟକ ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ବି ହେଲାଣି । ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ କଲେ ବିଜେପି ପ୍ରାର୍ଥୀ । ହେଲେ ସରକାରୀ ଦଳ ଉପରେ ହାତ ଦେବାକୁ ପୋଲିସ ଭୟ କରୁଥିବାରୁ ବିଜେଡି ଆନ୍ଦୋଳନର ଚେତାବନୀ ଦେଇଛି । ଯେଉଁପରି ଭାବେ ବିଜେପି ନେତାଙ୍କ ଆମାନୁଷିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯାଉଛି, ଲୋକଙ୍କ ଆଇନ କାନୁନ ପ୍ରତି ଭୟ ରହିବ କି ବୋଲି ବିଜେଡି ପ୍ରଶ୍ନ କରିଛି ।

ଚାଷୀ ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ସରକାରଙ୍କୁ ଘେରିବ ବିଜୁ ଜନତା ଦଳ । ଆସନ୍ତା ଫେବୃଆରୀ ୨ରୁ ୧୭ ଯାଏଁ ସବୁ ଜିଲ୍ଲାରେ ଆନ୍ଦୋଳନ ହେବ । ସେହିପରି ଫେବୃଆରୀ ୨୪ରେ ଭୁବନେଶ୍ବରରେ ବିଶାଳ ଜନସମାବେଶ ଜରିଆରେ ଚାଷୀ ଓ ବିପର୍ଯ୍ୟସ୍ତ ଆଇନ ଶୃଂଖଳା ପରିସ୍ଥିତିକୁ ନେଇ ସରକାରଙ୍କ ବିରୋଧରେ ବିଜେଡି ଦେବ ରଣହୁଙ୍କାର । ତେବେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ନ ଭାଙ୍ଗିଲେ, ଶାନ୍ତିପ୍ରିୟ ଓଡ଼ିଶା ବିଶ୍ବ ଦରବାରରେ ଆହୁରି ନିନ୍ଦା ହିଁ ସହିବ ।

ପୂର୍ବରୁ ଆଗତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ୨୦୨୬-୨୭ରେ ଅଭିବୃଦ୍ଧି ହାର ୬.୮ ପ୍ରତିଶତରୁ ୭.୨ ପ୍ରତିଶତ ଲକ୍ଷ୍ୟ

ପୂର୍ବରୁ ଆଗତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ୨୦୨୬-୨୭ରେ ଅଭିବୃଦ୍ଧି ହାର ୬.୮ ପ୍ରତିଶତରୁ ୭.୨ ପ୍ରତିଶତ ଲକ୍ଷ୍ୟ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ବଜେଟ ପୂର୍ବରୁ ଆଗତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୬-୨୭ରେ ଅଭିବୃଦ୍ଧି ହାର ୬.୮ ପ୍ରତିଶତରୁ ୭.୨ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି । ସେହିପରି ୨୦୨୫-୨୬ରେ ଆର୍ଥିକ ଅଭିବୃଦ୍ଧି ୭.୪ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି । ଦେଶର ଅର୍ଥନୈତିକ ସଫଳତା, କ୍ଷେତ୍ରଭିତ୍ତିକ ବିକାଶ, ନୀତିଗତ ସଫଳତା, ଭବିଷ୍ୟତ ଆଭିମୁଖ୍ୟ ସମ୍ପର୍କରେ ଏହି ରିପୋର୍ଟରେ ସ୍ଥାନ ପାଇଛି ।

ଭାରତର ମୁଦ୍ରାସ୍ଫୀତିର ସଫଳ ମୁକାବିଲା କରାଯାଇପାରିଛି । ବିଭିନ୍ନ ନିୟାମକ ସଂସ୍କାର, ଘରୋଇ କ୍ଷେତ୍ରରେ ନିବେଶକୁ ଫୋକସ କରାଯାଇଛି । ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଉପସ୍ଥାପିତ ହୋଇଥାଏ ଅର୍ଥନୈତିକ ସର୍ଭେ ରିପୋର୍ଟ । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ବରେନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଏହି ରିପୋର୍ଟରେ ଦେଶ ପ୍ରତି ସମ୍ଭାବ୍ୟ ଅର୍ଥନୈତିକ ଚାଲେଞ୍ଜ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।

ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାସ୍ଫୀତି, ନିଯୁକ୍ତି, ରାଜସ୍ବ ସ୍ଥିତି ସମ୍ପର୍କରେ ଏଥିରେ ଦର୍ଶାଯାଇଥାଏ । ସେହିପରି କୃଷି, ଶିଳ୍ପ, ସେବା, ଭିତ୍ତିଭୂମି ଓ ବାହ୍ୟ ବାଣିଜ୍ୟ ସମ୍ପର୍କରେ ବିଶ୍ଳେଷଣ କରାଯାଇଛି । ୧୯୫୦-୫୧ରେ ପ୍ରଥମ ଥର ଲାଗି ଆଗତ ହୋଇଥିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ସଂସଦରେ ଦେଶର ଆର୍ଥିକ ସ୍ଥିତିକୁ ଉପସ୍ଥାପିତ କରିବା ଲାଗି ଏହି ରିପୋର୍ଟ ପେସ୍ ହୋଇଥାଏ । ପୂର୍ବରୁ ଗୋଟିଏ ଦିନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଓ ବଜେଟ ଆଗତ ହେଉଥିଲା । ମାତ୍ର ୧୯୬୪ରୁ ଏହାକୁ ଅଲଗା କରିଦିଆଯାଇଥିଲା ।

ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଠିକା ସଂସ୍ଥା, ବାଟମାରଣା ହେଉଛି କୋଟି କୋଟି ଟଙ୍କା

ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଠିକା ସଂସ୍ଥା, ବାଟମାରଣା ହେଉଛି କୋଟି କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ସରକାରରେ ସରକାରୀ ଆଦେଶକୁ ଅଣଦେଖା । ସରକାରୀ ବାବୁଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଠିକା ସଂସ୍ଥା । ବାଟମାରଣା ହେଉଛି କୋଟି କୋଟି ଟଙ୍କାର ଅନୁଦାନ । ପୁରୀ ଜିଲ୍ଲା ନିମାପଡା – ବଳଙ୍ଗା ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ରାସ୍ତା ନିର୍ମାଣରେ ପୂର୍ବ ସରକାରରେ କଳା ତାଲିକାଭୁକ୍ତ ହୋଇଥିବା ଠିକା ସଂସ୍ଥା କାମ କରିବାକୁ ନେଇ ଉଠିଲା ପ୍ରଶ୍ନ ।

ନିମାପଡା – ବଳଙ୍ଗା ରାସ୍ତାରେ ପୁରୁଣା ପିଚୁକୁ ଆଡେଇ କାମ କରୁଛନ୍ତି ଠିକାଦାର । ଅଭିଯୋଗ କଲେ ନାଲିଆଖି ଦେଖାଉଛି ଠିକାସଂସ୍ଥା । ତଦାରଖ କରିବାକୁ ଯାଇଥିବା ସରକାରୀ ଯନ୍ତ୍ରୀଙ୍କୁ ବି ଛାଡିଲାନି ଠିକା ସଂସ୍ଥା । ନିମାପଡା ଭାୟା ଗୋପାଳପୁର ଦେଇ ବାୟାବାର ବଳଙ୍ଗା ପର୍ଯ୍ୟନ୍ତ ୧୪ କିଲୋମିଟରରୁ ଅଧିକ ପକ୍କା ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୬ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ବ୍ୟୟ ବରାଦ ହୋଇଥିଲା । ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ ତତ୍ତ୍ବାବଧାନରେ କାମ ଆରମ୍ଭ ବି ହୋଇଛି । ହେଲେ କାମ ଆରମ୍ଭରୁ ସଂପୃକ୍ତ ଠିକା ସଂସ୍ଥା ଦୁର୍ନୀତି କରି ଚାଲିଛି । କଚେରୀଠାରୁ ନିମାପଡା ଛକ ଯାଏଁ ରାସ୍ତା ପାର୍ଶ୍ଵରେ ଅନେକ ଲୋକେ ବସବାସ କରୁଥିବାରୁ ବର୍ଷା ଦିନକୁ ନଜରରେ ରଖି ରାସ୍ତାକୁ ୧ ଫୁଟ ଯାଏଁ ଖୋଳାଯିବାର ଥିଲା । ସେଥିରେ ବାଲି, କଂକ୍ରିଟ ଓ WMM ଦିଆଯାଇ ରାସ୍ତା ନିର୍ମାଣ ହୋଇଥାନ୍ତା । ହେଲେ ଠିକା ସଂସ୍ଥା ଯନ୍ତ୍ରୀଙ୍କ ଆଦେଶକୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି ।

ସବୁଠୁ ବଡ କଥା ହେଲା ପୂର୍ବ ସରକାରରେ କଳା ତାଲିକା ଭୁକ୍ତ ହୋଇଥିବା ଠିକା ସଂସ୍ଥା ଚଞ୍ଚକତା କରି ନିର୍ମାଣ କାମକୁ ହାତେଇଛି । ଟିକେ ନଜର ପକାନ୍ତୁ ଏହି ନୋଟିସ ଉପରେ । ରାସ୍ତା ନିର୍ମାଣ କାର୍ଯ୍ୟାଦେଶ ବଳଭଦ୍ର ଏଜେନ୍ସିକୁ ମିଳିଛି । କିନ୍ତୁ ପ୍ରକୃତରେ କାମ କରୁଛି ARSS ସଂସ୍ଥା । ଏଠି ପ୍ରଶ୍ନ ଉଠୁଛି, କିଏ କଳା ତାଲିକାଭୁକ୍ତ ହୋଇଥିବା ଠିକା ସଂସ୍ଥା ହାତରେ ଟେକି ଦେଇଛି କୋଟି କୋଟି ଟଙ୍କାର ଟେଣ୍ଡର ? ନା ଜାଣି ଶୁଣି ସରକାରୀ ଯୋଜନାକୁ କରାଯାଉଛି ବାଟବଣା ? ଅନ୍ୟପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରା ନଗଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେଡି ଚେତାଇ ଦେଇଛି ।

୧୫ ବର୍ଷ ପୁଅର ଦୁଇଟି କିଡନୀ ଖରାପ, ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବାପାମାଆଙ୍କ ଆକୁଳ ନିବେଦନ

୧୫ ବର୍ଷ ପୁଅର ଦୁଇଟି କିଡନୀ ଖରାପ, ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବାପାମାଆଙ୍କ ଆକୁଳ ନିବେଦନ

ନନ୍ଦିଘୋଷ ବ୍ୟୁରୋ: ରୋଗ ଛଡାଇ ନେଲା ଶୈଶବ । ଖେଳକୁଦ ବୟସରେ ଶଯ୍ୟାଶାୟୀ ନାବାଳକ । ଅସ୍ତରଙ୍ଗ ରାମଚନ୍ଦ୍ରପୁର ଗାଁର ସତ୍ୟପ୍ରକାଶ ସ୍ଵାଇଁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ କରୁଛନ୍ତି ସଂଗ୍ରାମ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାର ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ରାମଚନ୍ଦ୍ରପୁର ଗାଁର ପଞ୍ଚାନନ ଓ ରଞ୍ଜୁଲତା ସ୍ଵାଇଁଙ୍କ ୧୫ ବର୍ଷୀୟ ପୁଅ ସତ୍ୟପ୍ରକାଶ ସ୍ଵାଇଁ । ଦୁଇଟି କିଡନୀ ହୋଇଯାଇଛି ଖରାପ । ସତ୍ୟଙ୍କର କିଛି ଦିନ ପୂର୍ବରୁ ଦେହ ଖରାପ ହେବାରୁ ବାପାମାଆ ତାଙ୍କୁ ମେଡିକାଲ ନେଇଥିଲେ । ଚିକିତ୍ସା ପରେ ଡାକ୍ତର ପୁଅଟିର ଦୁଇଟି ଯାକ କିଡନୀ ଖରାପ ଥିବା କହିଥିଲେ । ବାପା ପଞ୍ଚାନନ ଜଣେ ଦିନ ମଜୁରିଆ ହୋଇଥିବାରୁ ଲକ୍ଷାଧିକ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନି । ପୁଅର ଅବସ୍ଥା ଦେଖି ମାଆର ଆଖିରୁ ଲୁହ ଶୁଖୁନି ।

ସତ୍ୟଙ୍କର ବର୍ତ୍ତମାନ ଡାଏଲିସିସ ଚାଲିଛି । ପ୍ରତି ସପ୍ତାହରେ ଔଷଧ ଓ ଚିକିତ୍ସା ବାବଦକୁ ୭ରୁ ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ବାପା ପଞ୍ଚାନନଙ୍କ ପାଖରେ ଯାହା ପଇସା ଥିଲା ପୁଅର ଚିକିତ୍ସାରେ ସରିଗଲାଣି । ଏପରି ସ୍ଥିତିରେ ପୁଅର ୨ଟି ଯାକ କିଡନୀ ପ୍ରତ୍ୟାରୋପଣ ପାଇଁ ସରକାରଙ୍କ ନିକଟରେ ଆର୍ଥିକ ସହାୟତା ଲୋଡିଛନ୍ତି ପରିବାର ।

T-20 ବିଶ୍ବକପରେ ଟିମ୍ ଇଣ୍ଡିଆ ପାଇଁ ବଡ଼ ଚ୍ୟାଲେଞ୍ଜ କ’ଣ, ଚେତାଇ ଦେଲେ ରୋହିତ ଶର୍ମା

ଟି-୨୦ ବିଶ୍ବକପ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଭାରତ ଟି-୨୦ ବିଶ୍ବକପ ୨୦୨୬ରେ ଟାଇଟଲ ଜିତିବାର ପ୍ରବଳ ଦାବିଦାର ଭାବେ ଉଭା ହେବ । ବିଶ୍ବର ଏକ ନମ୍ବର ଟିମ ଗତ ୧ ବର୍ଷ ଧରି ଶାନଦାର ଫର୍ମରେ ରହିଛି । ତେଣୁ ଭାରତୀୟ ଦଳ ସହଜରେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି । ପୂର୍ବ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟିମ୍ ଇଣ୍ଡିଆକୁ ଚେତାଇ ଦେଇଛନ୍ତି କି, ଭାରତ ପାଇଁ ବିଶ୍ବକପର ରାସ୍ତା ସହଜ ହୋଇନପାରେ । ଦଳକୁ କିଛି ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ ।

ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତର ସବୁଠାରୁ ବଡ଼ ଚ୍ୟାଲେଞ୍ଜକୁ ନେଇ ରୋହିତ ନିଜର ମତାମତ ରଖିଛନ୍ତି । ଟିମ୍ ମ୍ୟାନେଜମେଣ୍ଟ ଆଗରେ ଏହା ଏକ ବଡ଼ ପ୍ରଶ୍ନ ହେବ ଯେ, କୁଳଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ପରି ଦୁଇ ସ୍ପେଶାଲିଷ୍ଟ ସ୍ପିନର୍ସଙ୍କୁ ଏକସଙ୍ଗେ ଖେଳାଯିବ ନା ସାରା ଟୁର୍ଣ୍ଣାମେଣ୍ଟରେ କେବଳ ଜଣଙ୍କ ଉପରେ ଭରସା କରାଯିବ । ଗତ ଏକ ବର୍ଷ ଧରି ଭାରତ ନିଜର ସ୍ପିନ ଆକ୍ରମଣ ଉପରେ ବହୁତ ଭରସା କରିଛି । ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଲଗାତର ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ମୁସ୍କିଲରେ ପକାଇଛନ୍ତି । ଟୁର୍ଣ୍ଣେମେଣ୍ଟରେ ଗରମ ଓ ଥଣ୍ଡା ପାଣିପାଗ ପରିବର୍ତ୍ତନ ସମୟରେ ସ୍ପିନର୍ସଙ୍କୁ ବହୁତ ପ୍ରଭାବିତ କରିପାରେ । ଦୁଇ ସ୍ପିନର୍ସଙ୍କୁ ଏକସଙ୍ଗେ ଖେଳାଇବା କୋଚ ଓ ଅଧିନାୟକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ଯଦି ଭାରତ ୩ ସ୍ପିନର୍ସଙ୍କୁ ଏକତ୍ର ଖେଳାଏ, ତେବେ ଟିମର ସନ୍ତୁଳନ ବିଗିଡ଼ିପାରେ । ଏପରି ସ୍ଥିତିରେ ଭାରତ ପାଖରେ କେବଳ ଜଣେ ସ୍ପେଶାଲିଷ୍ଟ ଦ୍ରୁତ ବୋଲର ରହିବେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବ ଦୁବେଙ୍କୁ ଅଲରାଉଣ୍ଡର ଭାବେ ଦ୍ରୁତ ବୋଲିଂର ଦାୟିତ୍ବ ସମ୍ଭାଳିବାକୁ ପଡ଼ିବ । ମୋଟାମୋଟି ଭାବେ କହିବାକୁ ଗଲେ ପ୍ଲେଇ-୧୧ ବାଛିବା ଏତେ ସହଜ ହେବ ନାହିଁ । କୌଣସି ଖେଳାଳିଙ୍କୁ ବାଦ୍ ଦେବାର ଅର୍ଥ ହେଉଛି ଦୁନିଆର ବଡ଼ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଡ୍ରପ୍ କରିବା ।

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଇଓ କାର୍ଯ୍ୟଳୟ ସମ୍ମୁଖରେ ଯୁବ ବିଜେଡିର ବିକ୍ଷୋଭ

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଇଓ କାର୍ଯ୍ୟଳୟ ସମ୍ମୁଖରେ ଯୁବ ବିଜେଡିର ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ଶିକ୍ଷକ ବଦଳି ପ୍ରତିବାଦରେ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ ବିଜେଡିର ବିକ୍ଷୋଭ ପ୍ରଦର୍ଶନ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର କିଛି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଆବଶକୀୟ ଶିକ୍ଷକ ନାହାନ୍ତି । ଏପରି ସମୟରେ ଚାନ୍ଦବାଲି ବ୍ଲକରୁ ୧୪ ଜଣ ଶିକ୍ଷକଙ୍କୁ ଅନ୍ୟ ବ୍ଲକକୁ ବଦଳି କରାଯାଇଛି । ଯାହାକୁ ବିରୋଧ କରି ଯୁବ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି ।

ଶିକ୍ଷକମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ବ୍ଳକ ଶିକ୍ଷାଧିକାରୀ ଅନ୍ୟ ବ୍ଲକକୁ ବଦଳି କରିଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି । ପୂର୍ବ ସରକାରଙ୍କ ସମୟରେ ଜଣେ ହେଲେ ଶିକ୍ଷକକୁ ବାହାର ବ୍ଲକକୁ ଛଡା ଯାଉ ନଥିବା ବେଳେ, ଏବେର ସରକାର ସମୟରେ ଶିକ୍ଷକ ବଦଳି ଜୋର ଧରିଥିବା ଅଭିଯୋଗ କରିଛି ଯୁବ ବିଜେଡ଼ି ।

ବିକ୍ଷୋଭ ସମୟରେ ଚାନ୍ଦବାଲି ବିଇଓଙ୍କୁ କୁଶପୁତ୍ତଳିକା ଦାହ କରାଯିବା ସହ ତୁରନ୍ତ ଶିକ୍ଷକ ବଦଳି ବାତିଲ କରିବାକୁ ଦାବି କରିଛି ଦଳ । ଅନ୍ୟପଟେ ଶିକ୍ଷକ ବଦଳିରେ ମୋର କୌଣସି ଭୂମିକା ନାହିଁ, ଯାହା କରିଛି ଜିଲ୍ଲା କମିଟି କରିଛି ବୋଲି ବ୍ଲକ ଶିକ୍ଷାଧିକାରୀ କହିଛନ୍ତି ।

ବିଶ୍ବରେ କେଉଁ ଦେଶ ନେଇଛି ସର୍ବାଧିକ ଋଣ, ଭାରତର ସ୍ଥିତି କ’ଣ ?

ବିଶ୍ବର ଅଧିକାଂଶ ରାଷ୍ଟ୍ର ଋଣଭାରରେ ବୁଡ଼ି ରହିଛନ୍ତି । ଏହା ଫଳରେ ଗ୍ଲୋବାଲ ଲୋନ ନିଜର ରେକର୍ଡ ସ୍ତରରେ ପହଞ୍ଚି ଯାଇଛି । ଏହି କାରଣରୁ ସରକାର, ଅର୍ଥଶାସ୍ତ୍ରୀ ଓ ଆର୍ଥିକ ଉତ୍ସମାନେ ଚିନ୍ତାରେ ବୁଡ଼ି ରହିଛନ୍ତି । ୨୦୨୬ ମସିହା ଜାନୁରୀର ଡାଟା ଓ ଇକୋନୋମିକ ସର୍ଭେ ୨୦୨୫-୨୬ ମୁତାବକ, କିଛି ବଡ଼ ଅର୍ଥବ୍ୟବସ୍ଥା ଭାରି ଋଣରେ ବୁଡ଼ି ରହିଛନ୍ତି । କିଛି ଯୁଦ୍ଧ କାରଣରୁ, କିଛି ଜନସଂଖ୍ୟା ବୃଦ୍ଧି କାରଣରୁ, କିଛି କଲ୍ୟାଣକାରୀ ଖର୍ଚ୍ଚ ବା ଦୀର୍ଘ ସମୟ ଧରି ରାଜକୋଷ କ୍ଷତି କାରଣରୁ ଏପରି ସ୍ଥିତିର ସାମ୍ନା କରୁଛନ୍ତି । ଏପରି ସ୍ଥିତିରେ ଏକ ସାଧାରଣ ପ୍ରଶ୍ନ ଉଠୁଛି, ଦୁନିଆର ସବୁଠାରୁ ଅଧିକ ଋଣ କେଉଁ ଦେଶ ନାମରେ ରହିଛି ଓ ଭାରତର ସ୍ଥିତି କିପରି ରହିଛି ?

ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ରାଷ୍ଟ୍ର । ଆମେରିକା ପାଖାପାଖି  ୩୮.୩ ଟ୍ରିଲିୟନ ଡଲାର ଲୋନ ନେଇଛି । ଏହା ବିଶ୍ବର ସାବର୍ଜନିକ ଋଣର ପାଖାପାଖି ଏକତୃତୀୟାଂଶ । ଏହି ଆଶ୍ଚର୍ଯ୍ୟଜନକ ସଂଖ୍ୟା ପରେ ବି ନିଜର ରିଜର୍ଭ କରେନ୍ସିର ସ୍ଥିତି, ଉଚ୍ଚ ସୈନ୍ୟ ଖର୍ଚ୍ଚ, କଲ୍ୟାଣକାରୀ ଯୋଜନା, ବାରମ୍ବାର ହେଉଥିବା ବଜେଟ କ୍ଷତି କାରଣରୁ ଆମେରିକା ଭାରି ମାତ୍ରାରେ ଉଧାର ନେବା ଜାରି ରଖିଛି । ଏହି ଲିଷ୍ଟରେ ଦ୍ବିତୀୟ ସ୍ଥାନରେ ରହିଛି ଚୀନ, ଯେ କି ୧୮.୭ ଟ୍ରିଲିୟନ ଡଲାର ଲୋନ ନେଇଛି । ଏହାର କାରଣ ହେଉଛି ନିର୍ମାଣ ଖର୍ଚ୍ଚ ଓ ଆର୍ଥିକ ପ୍ରୋତ୍ସାହନ ଉପାୟ । ଜାପାନ ୯.୮ ଟ୍ରିଲିୟନ ଡଲାର, ୟୁନାଇଟେଡ କିଙ୍ଗଡମ ୪.୧ ଟ୍ରିଲିୟନ ଡଲାର, ଫ୍ରାନ୍ସ ୩.୯ ଟ୍ରିଲିୟନ ଡଲାର, ଇଟାଲ ୩.୫ ଟ୍ରିଲିୟନ ଡଲାର ଲୋନ ନେଇଛି । ଭାରତ ଏହି ଲିଷ୍ଟରେ ୭ମ ସ୍ଥାନରେ ରହିଛି । ଭାରତ ମୋଟ ୩.୮ ଟ୍ରିଲିୟନ ଡଲାର ଲୋନ ନେଇଛି । ତେବେ କେବଳ ମୋଟ ଲୋନ ବାସ୍ତବିକ ବୋଝକୁ ଦର୍ଶାଇନଥାଏ । ଲୋନରୁ ଜିଡିପି ଅନୁପାତ ଉପରେ ମଧ୍ୟ ଭରସା କରାଯାଇଥାଏ । ଏହି ଅନୁସାରେ ସୁଡାନ ସବୁଠାରୁ ଚାପଗ୍ରସ୍ତ ଅର୍ଥବ୍ୟବସ୍ଥା । ଏହାର କରଜ ଜିଡିପିର ୨୨୧%ରୁ ୨୫୨% ମଧ୍ୟରେ ରହିଛି । ଭାରତର କରଜରୁ ଜିଡିପିର ଅନୁପାତ ପାଖାପାଖି ୮୧.୯% ।