ବ୍ରହ୍ମପୁର : ବ୍ରହ୍ମପୁର ବିଜିପୁର ଛକରେ ଦୁର୍ଘଟଣା । ମହିଳାଙ୍କ ଉପରେ ଚଢିଗଲା କାର । ଛକରେ ବସି ନଡ଼ିଆ ବିକ୍ରି କରୁଥିବା ସମୟରେ ଏକ କାର ମହିଳାଙ୍କ ଉପରେ କାର ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ନଡ଼ିଆ ବିକ୍ରି କରୁଥିବା ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ରଣ୍ଢା ଅଞ୍ଚଳର ହୋଇଥିବା ସୂଚନା ରହିଛି । ଦୁର୍ଘଟଣା ଘଟାଇବା ପରେ କାର ଡ଼୍ରାଇଭର ଗୋଷାଣୀ ନୂଆଗାଁ ଥାନାରେ ଆତ୍ମସମର୍ପଣ କରିଛି । ଗୋଷାଣୀ ନୂଆଗାଁ ଥାନା ପୋଲିସର ଘଟଣାର ତଦନ୍ତ କରୁଛି ।
ରାଉରକେଲା ଗଣ ଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତ କୋର୍ଟରେ ହାଜର
ରାଉରକେଲା: ରାଉରକେଲା ଗଣ ଦୁଷ୍କର୍ମ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କଲା ରଘୁନାଥପାଲି ପୋଲିସ । ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ଗଣ ଦୁଷ୍କର୍ମ ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସଫଳ ହୋଇଥିବା ବେଳେ ଜଣେ ଏବେ ବି ଫେରାର ଅଛି ।
ଗତ ୨୨ ତାରିଖ ରାତି ପ୍ରାୟ ୧୧ଟା ବେଳେ ଦୁଇ ପୁରୁଷ ବନ୍ଧୁଙ୍କ ସହ ସିଭିଲ ଟାଉନସିପରେ ଥିବା ହୋଟେଲ ହୃଦଙ୍ଗକୁ ଯାଇଥିଲେ ନାବାଳିକା । ସେଠାରେ ନାବାଳିକାଙ୍କୁ ଜୋରଜବରଦସ୍ତି ମଦ୍ୟ ପାନ କରାଇ ସେଠାରୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।
ରଘୁନାଥପାଲି ଥାନାରେ ଅଭିଯୋଗ ହେବାପରେ ହୋଟେଲ ହୃଦଙ୍ଗକୁ ପୋଲିସ ସହ ଅବକାରୀ ବିଭାଗ ମିଳିତ ଭାବରେ ଚଢାଉ କରି ସିଲ କରିଥିଲେ । ଗିରଫ ୬ ଜଣ ହେଲେ ଏମଡି ସୋହେଲ କୁରେସି ଓରଫ ବାଦସାହା, ଏମଡି ଜାରାଏତ, ବିନୋଦ କୁମାର ରାମ, ଦୀପକ ସୋନକର, ମହମ୍ମଦ ଦାନିସ, ଆଫତାବ ଖାଁ । ସମସ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି ପୋଲିସ ।
ତଥ୍ୟ ନଦେବାରୁ ହ୍ବାଟ୍ସଆପ ବିରୋଧରେ ଏତଲା ଦେଲା ଗୁରୁଗ୍ରାମ ପୋଲିସ
ଗୁରୁଗ୍ରାମ: ହ୍ବାଟ୍ସଆପ୍ ବିରୋଧରେ ଗୁରୁଗ୍ରାମ ପୋଲିସର ଏତଲା ଦାୟର । ମାମଲାର ସୂଚନା ନ ଦେବାରୁ ହ୍ବାଟ୍ସଆପ୍ ବିରୋଧରେ ଏହି ପଦକ୍ଷେପ ନେଇଛି ପୋଲିସ । ସରକାରୀ କର୍ମଚାରୀଙ୍କ ଆଦେଶ ନ ମାନିବା, ଅଭିଯୁକ୍ତକୁ ସୁରକ୍ଷା ଦେବା, ପ୍ରମାଣ ନଷ୍ଟ କରିବା ଭଳି ଦଫା ଲାଗିଛି ହ୍ଵାଟ୍ସଆପ୍ ନିର୍ଦ୍ଦେଶକ ଓ ଏହାର ନୋଡାଲ ଅଫିସରଙ୍କ ବିରୋଧରେ ।
ମେ’ ୧୭ ତାରିଖରେ ଗୁରୁଗ୍ରାମର ସାଇବର ଥାନାରେ ଏକ ଠକେଇ ଓ ଅପରାଧ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତର ୪ଟି ହ୍ବାଟ୍ସଆପ୍ ଆକାଉଣ୍ଟ ରହିଛି । ସେସବୁର ତଥ୍ୟ ମାଗିଥିଲା ପୋଲିସ । ହେଲେ ତଥ୍ୟ ଦେବା ବଦଳରେ ହ୍ବାଟ୍ସଆପ୍ ସ୍ପଷ୍ଟୀକରଣ ମାଗିଥିଲା ।
କାହିଁକି ସୂଚନା ଦରକାର, ତାହା ଦର୍ଶାଇ ଦ୍ଵିତୀୟ ଥର ନୋଟିସ୍ କରିଥିଲା ଗୁରୁଗ୍ରାମ ପୋଲିସ । ଏହା ସତ୍ତ୍ଵେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ଓ ପ୍ରାଇଭେସି ପଲିସି ଦର୍ଶାଇ ତଥ୍ୟ ଦେଇ ନଥିଲା ହ୍ବାଟ୍ପଆପ୍ । ଏହା ପରେ ଗୁରୁଗ୍ରାମ ପୋଲିସ ହ୍ବାଟ୍ସଆପ୍ ବିରୋଧରେ ଏତଲା ରୁଜୁ କରିଛି ।
ସଉଦା ପାଇଁ ଯାଇଥିବା ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଅଟକ
ଖୋର୍ଦ୍ଧା: ରାଉରକେଲାରେ ଗୋଟିଏ ପରେ ଗୋଟିଏ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଖୋର୍ଦ୍ଧାରୁ ଆସିଛି ସମାନ ଅଭିଯୋଗ । ସଉଦା ପାଇଁ ଯାଇଥିବା ଜଣେ ନାବାଳିକାଙ୍କୁ ଅଭିଯୁକ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଜଟଣୀ ଅଞ୍ଚଳରେ । ଅଭିଯୁକ୍ତକୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।
ଅଭିଯୋଗ ଅନୁସାରେ, ଗତକାଲି ରାତିରେ ପୀଡ଼ିତା ଦୋକାନକୁ ସଉଦା ପାଇଁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିକଟସ୍ଥ ଏକ ପଥର ଖଣି ପାଖରୁ ଗୁରୁତର ଅବସ୍ଥା ପାଇଥିଲେ ।
ଝିଅକୁ କୁଦିଆରି ଅଞ୍ଚଳର ଶଙ୍କର ବେହେରା ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଶଙ୍କରଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ଭୁବନେଶ୍ୱର ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଟଣୀ ପୋଲିସ କହିଛି ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତକୁ କଠୋର ଦଣ୍ଡ ନେଇ ବିଭିନ୍ନ ସଂଗଠନ ସହ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଦିଲ୍ଲୀ କନଷ୍ଟେବଲଙ୍କ ଉପରେ କାର ଚଢ଼ାଇ ୧୦ ମିଟର ଘୋଷାଡ଼ି ନେଲା ମଦ ବେପାରୀଙ୍କ ଡ୍ରାଇଭର
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କନଷ୍ଟେବଲଙ୍କୁ ହତ୍ଯା । କାରକୁ ଅଟକାଇବାକୁ କହିବାରୁ ମଡ଼ାଇ ଦେଇ ଚାଲିଗଲା ମଦ ବେପାରୀର କାର ଡ୍ରାଇଭର । ଦିଲ୍ଲୀ ନାଗଲୋଇ ଅଞ୍ଚଳରେ ଘଟିଛି ଘଟଣା ।
ଗତକାଲି ରାତି ପ୍ରାୟ ୩ଟା ସମୟରେ କାରକୁ ଅଟକାଇବାକୁ କହିଥିଲେ ଡ୍ଯୁଟିରେ ଥିବା କନଷ୍ଟେବଲ ସନ୍ଦୀପ । ତେବେ କାର ଅଟକି ନଥିଲା । ଏହାପରେ ବାଇକରେ ପିଛା କରି ଗାଡିକୁ ସାଇଡ କରିବାକୁ ସିଗନାଲ ଦେଇଥିଲେ ସନ୍ଦୀପ । ହେଲେ ଡ୍ରାଇଭର କାର ନ ଅଟକାଇ ବାଇକକୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ବାଇକ ସହ ସନ୍ଦୀପଙ୍କୁ ପ୍ରାୟ ୧୦ ମିଟର ଘୋଷାଡ଼ି ନେଇ ଆଉ ଏକ କାରକୁ ଧକ୍କା ଦେଇଥିଲା ମଦ ବେପାପୀଙ୍କ ଡ୍ରାଇଭର । ଏଥିରେ କନଷ୍ଟେବଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।
ଘଟଣାସ୍ଥଳରୁ ଉଦ୍ଧାର କରି କନଷ୍ଟେବଲ ସନ୍ଦୀପଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଲଙ୍କ ମୃତ୍ଯୁ ଘଟିଛି । ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ତନାଘନା ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ପ୍ରକୃତରେ ଏହା ଦୁର୍ଘଟଣା ନା ଜାଣିଶୁଣି ଡ୍ରାଇଭର ଜଣକ ମଡ଼ାଇ ଘୋଷାଡ଼ି ନେଇ ହତ୍ଯା କରିଛି ଖୋଳତାଡ଼ କରୁଛି ପୋଲିସ ।
ଇରାନର ପ୍ରତିଟି ଇଞ୍ଚ, ଆମ କ୍ଷେପଣାସ୍ତ୍ର ଟାର୍ଗେଟରେ: ଇସ୍ରାଏଲ
ନୂଆଦିଲ୍ଲୀ: ଲେବାନନ ଭିତରେ ପଶି ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାକୁ ହତ୍ଯା କରିବା ପରେ ଏବେ ଇସ୍ରାଏଲ ଟାର୍ଗେଟରେ ଇରାନ । ଖୋଲାଖୋଲି ଇରାନକୁ ଧମକ ଦେଇଛି ଇସ୍ରାଏଲ । କହିଛି, ଇରାନର ଏମିତି କୌଣସି ଜାଗା ନାହିଁ, ଯେଉଁଠି ପହଞ୍ଚି ପାରିବନି ଇସ୍ରାଏଲର କ୍ଷେପଣାସ୍ତ୍ର, ବୋମା । ତେଣୁ ଇରାନ ସତର୍କ ଓ ନିଜ ସୀମା ଭିତରେ ରହିବା ଉଚିତ । ଏମିତି କଡ଼ା ଚେତାବନୀ ଶୁଣାଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ।
ଏପରିକି ମଧ୍ୟପ୍ରାଚ୍ୟର ଏମିତି କୌଣସି ଅଞ୍ଚଳ ନାହିଁ, ଯେଉଁଠି ଆମର ହାତ ପହଞ୍ଚି ପାରିବନି ବୋଲି ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି ନେତାନ୍ୟାହୁ । ନସରଲ୍ଲାର ହତ୍ୟା ଇସ୍ରାଏଲ ଇତିହାସରେ ଏକ ମାଇଲ ଖୁଣ୍ଟ ବୋଲି ସେ କହିଛନ୍ତି । ଶତ୍ରୁଙ୍କ ଉପରେ ଆକ୍ରମଣ ଜାରି ରହିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।
ହିଜବୁଲ୍ଲାର ନୂଆ ମୁଖିଆ ହେଲା ହସିମ ସଫିଦ୍ଦିନ
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ନୂଆ ମୁଖିଆ ହେଲା ହସିମ୍ ସଫିଦ୍ଦିନ । ନସରଲ୍ଲାକୁ ଇସ୍ରାଏଲ ହତ୍ୟା କରିବା ପରେ ସଫିଦ୍ଦିନକୁ ହିଜବୁଲ୍ଲାର ନୂଆ ମୁଖିଆ ଭାବେ ଘୋଷଣା କରାଯାଇଛି । ସଫିଦ୍ଦିନ ହେଉଛି ନସରଲ୍ଲାର ସଂପର୍କୀୟ । ଗତକାଲି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନସରଲ୍ଲାର ମୃତ୍ୟୁ ହୋଇଥିଲା ।
ଲେବାନନର ରାଜଧାନୀ ବେରୁତରେ ଲୁଚି ଥିଲା ନସରଲ୍ଲା । ଯେଉଁ ବିଲଡିଂରେ ସେ ରହୁଥିଲା, ସେଠାରେ ଘନ ଘନ ଆକ୍ରମଣ କରି ୮୦ରୁ ଅଧିକ ବୋମା ମାଡ଼ କରିଥିଲା ଇସ୍ରାଏଲ । ଏଥିରେ ହିଜବୁଲ୍ଲାର ମୁଖିଆ ସହିତ ତାର ଅନେକ ସହଯୋଗୀଙ୍କ ମୃତ୍ୟୁ ହୋଇଛି । ପରେ ସଫିଦ୍ଦିନକୁ ଏହି ଆତଙ୍କବାଦୀ ସଂଗଠନର ନୂଆ ମୁଖିଆ ଭାବେ ଘୋଷଣା କରାଯାଇଛି ।
୨୦୧୭ରେ ସଫିଦ୍ଦିନକୁ ଆତଙ୍କବାଦୀ ଘୋଷଣା କରିଥିଲା ଆମେରିକା । ଗତକାଲିର ବୋମା ମାଡ଼ରେ ସଫିଦ୍ଦିନର ମଧ୍ୟ ମୃତ୍ଯୁ ହୋଇଥିବା ପ୍ରଥମେ କୁହାଯାଇଥିଲା । କିନ୍ତୁ ପରେ ଜଣାପଡ଼ିଥିଲା ସେ ଜୀବୀତ ଅଛି । ହିଜବୁଲ୍ଲାର ରାଜନୈତିକ ବ୍ୟାପାର ବୁଝାବୁଝି କରେ ସଫିଦ୍ଦିନ । ତା’ସହିତ ସଂଗଠନର ଜିହାଦ କାଉନସିଲର ମଧ୍ୟ ସେ ସଭ୍ୟ ଅଛି । ଇରାନ ସହିତ ତାର ରହିଛି ଘନିଷ୍ଠ ସଂପର୍କ । କିଛି ଦିନ ତଳେ ଇସ୍ରାଏଲର ଆକ୍ରମଣରେ ନିହତ ହୋଇଥିବା ଜୈନାବ ସୋଲେମାନଙ୍କ ଜ୍ଵାଇଁ ହେଉଛି ସଫିଦ୍ଦିନ । ସେ ମଧ୍ୟ ବହୁ ଦିନରୁ ହିଜବୁଲ୍ଲାରେ ଯୋଗ ଦେଇଥିଲା । ନବେ ଦଶକରୁ ହିଁ ନସରଲ୍ଲାର ଉତ୍ତରାଧିକାରୀ ଭାବେ ସେ ପରିଚିତ ଥିଲା ବୋଲି କୁହାଯାଏ । ହିଜବୁଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ, ଅର୍ଥ ବ୍ୟାପାରର ମୁଖ୍ୟ ହେଉଛି ସଫିଦ୍ଦିନ । ନସରଲ୍ଲା କେବଳ ମିଲିଟାରି ଦାୟିତ୍ଵ ସମ୍ଭାଳୁଥିଲା ।
ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ନାବାଳକ ପୁଅକୁ ଟାଣି ଟାଣି ମେଡିକାଲ ନେଲେ ବାପା
ଅନୁଗୁଳ: ଟ୍ରଲିରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ । ଅନୁଗୁଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ଯସେବାର ଏଭଳି ବିପର୍ଯ୍ୟସ୍ତ ଚିତ୍ର । ଆମ୍ବୁଲାନ୍ସ ନଆସିବାରୁ ଟ୍ରଲିରେ ୧୨ ବର୍ଷୀୟ ପୁଅକୁ ଟାଣିଟାଣି ଡାକ୍ତରଖାନା ନେଲେ ପରିବାର ଲୋକ ।
ଅଭିଯୋଗ ଅନୁସାରେ ବନାରସ ଅଞ୍ଚଳର ଜଗଦୀଶ କୁମାର ପରିବାର ସହ ଅନୁଗୁଳ ହେମସୁରପଡା ଅଞ୍ଚଳରେ ରହୁଥିଲେ । ଗତକାଲି ସନ୍ଧ୍ଯାରେ ତାଙ୍କ ପୁଅ ବୀର କୁମାର ଅସୁସ୍ଥ ହୋଇପଡ଼ିଥିଲା । ଫୋନ କରିବାର ଦୀର୍ଘ ସମୟ ଯାଏଁ ଆମ୍ବୁଲାନ୍ସ ଆସି ନଥିଲା । ଫଳରେ ବାଧ୍ଯ ହୋଇ ଟ୍ରଲିରେ ପୁଅକୁ ଟାଣଟାଣି ଡାକ୍ତରଖାନା ନେଇଥିଲେ ବାପା । ଏଭଳି ଘଟଣାକୁ ନେଇ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ସବୁଠି ନିନ୍ଦା କରାଯାଇଛି ।


