ନନ୍ଦିଘୋଷ ବ୍ୟୁରୋ: ଘରୋଇ ମାଟିରେ ହାରିଲା ପାକିସ୍ତାନ । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ ମୂଳ ପୋଛ କରି ନେଇଛି ବାଂଲାଦେଶ । ନୂଆ ଇତିହାସ ରଚିବା ସହ ପାକିସ୍ତାନକୁ ହରାଇ ଏବେ ବାଂଲାଦେଶ ନୂଆା କିର୍ତ୍ତୀମାନ ସ୍ଥାପନ କରିଛି । ପାକିସ୍ତାନର ପରାଜୟ ପରେ ଏବେ ସମାଲୋଚନାର ଶିକାର ହେଉଛନ୍ତି ଖେଳାଳି । ଦେଶର ଅଭିଜ୍ଞ ଖେଳାଳିମାନେ ଏବେ କଡ଼ା ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । ତେବେ କହି ରଖୁଛୁ କି, କେବେ ମଧ୍ୟ ପାକିସ୍ତାନଠାରୁ ଟେଷ୍ଟ ମ୍ୟାଚ ଜିତିନଥିଲା ବାଂଲାଦେଶ । ଏଣୁ ପାକିସ୍ତାନରେ ଖେଳାଯାଉଥିବା ସିରିଜରେ ସହଜରେ ଖେଳ ଆରମ୍ଭ କରିଥିଲା ପାକିସ୍ତାନ । ମାତ୍ର ବାଂଲାଦେଶ ଖେଳାଳିଙ୍କ ଲଢ଼ୁଆ ପ୍ରଦର୍ଶନ ଏବେ ଦଳ ବିଜୟର ମୁଖ୍ୟ କାରଣ ହୋଇଛି । ଦ୍ବିତୀୟ ମ୍ୟାଚଟି ବାଂଲାଦେଶ ୬ ଓ୍ବିକେଟରେ ଜିତି ନେଇଛି । ବାଲାଂଦେଶୀ ବ୍ୟାଟ୍ସମ୍ୟାନ ଲିଟନ ଦାସ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।
`ରାଜ୍ଯ ବିଜେପିରେ ଅଛନ୍ତି କୁଚକ୍ରୀ ଓ ଷଡ଼ଯନ୍ତ୍ରକାରୀ’: ସୁନୀତ ମୁଣ୍ଡ୍
ନନ୍ଦିଘୋଷ ବ୍ୟୁରୋ: ବିଜେପିରୁ ନିଲମ୍ବିତ ଭୁବନେଶ୍ବର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ବିସ୍ଫୋରକ ବୟାନ । ରାଜ୍ଯ ବିଜେପିରେ ଅଛନ୍ତି କୁଚକ୍ରୀ ଓ ଷଡ଼ଯନ୍ତ୍ରକାରୀ । କେନ୍ଦ୍ରୀୟ ବିଜେପି ଢାଞ୍ଚାରେ କାମ କରୁନି ରାଜ୍ଯ ବିଜେପି । ଦଳରେ ପକ୍ଷପାତିତା ଓ ପ୍ରୀୟାପ୍ରୀତିପୋଷଣ ଚାଲିଥିବା କହି ବିଜେପିର ଗୁମର ଖୋଲିଦେଇଛନ୍ତି ସୁନୀତି । ନିଲମ୍ବନ ନେଇ ବିଜେପି ନେତୃବୃନ୍ଦଙ୍କ ଉପରେ ପ୍ରବଳ ବର୍ଷିବା ସହ ସେ କହିଛନ୍ତି, ନିଲମ୍ବନର ସତ ଜାଣିବାକୁ ରାଜ୍ଯ ପ୍ରଭାରୀଙ୍କ ପାଖକୁ ଚିଠି ଲେଖିଥିଲି । ବନ୍ତ ଥାନାରେ ହୋଇଥିବା ମାମଲା ଯୋଗୁ କାର୍ଯ୍ଯାନୁଷ୍ଠାନ ହୋଇଥିବା ସଂଗଠନ ସମ୍ପାଦକ ଜଣାଇଛନ୍ତି । ହେଲେ ଥାନାରେ ହୋଇଥିବା ମାମଲା ସମ୍ପୂର୍ଣ୍ଣ ମିଛ । ଅସତ୍ଯ ମାମଲାରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ବିଜେପି ସାଂସଦ ଓ ବିଧାୟକଙ୍କ ନାଁରେ ଅନେକ ଏତଲା ରହିଛି । ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ଯାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ସୁନୀତି । ଥାନାରେ ମାମଲା ରୁଜୁ ହେଲେ କଣ ଦଳୀୟ ଶୃଙ୍ଖଳା ଭଙ୍ଗ ହୁଏ କି ବୋଲି ସୁନୀତି ପ୍ରଶ୍ନ କରିବା ସହ କିଛି କୁଚକ୍ରୀ ତାଙ୍କୁ ଦଳରୁ ବିଦା କରିଥିବା ଅଭିଯୋଗ କରିଛନ୍ତି । ନିଲମ୍ବନ ନିଷ୍ପତ୍ତି ବିରୋଧରେ ଦିଲ୍ଲୀରେ କଥା ଉଠାଇବି ବୋଲି କହିଛନ୍ତି ସୁନୀତି ।
ପଶ୍ଚିମବଙ୍ଗ ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହେଲା ଅପରାଜିତା ମହିଳା ଓ ଶିଶୁ ବିଲ୍
ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହେଲା ଅପରାଜିତା ମହିଳା ଓ ଶିଶୁ ବିଲ୍ (ପଶ୍ଚିମବଙ୍ଗ ଅପରାଧ ଆଇନ ଓ ସଂଶୋଧନ)- ୨୦୨୪। ବିଲରେ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଅପରାଧ ଲାଗି ମୃତ୍ଯୁଦଣ୍ଡ ବ୍ଯବସ୍ଥା ରହିଛି। ମହିଳା ଓ ଶିଶୁଙ୍କୁ ଅଧିକ ସୁରକ୍ଷା ଦେବା ତଥା ଦୁଷ୍କର୍ମ ଓ ଯୌନ ସମ୍ପର୍କିତ ଅପରାଧ ରୋକିବା ଉଦ୍ଦେଶ୍ଯରେ ଅଣାଯାଇଛି ବିଲ୍। ଆଜି ରାଜ୍ଯ ସରକାର ଏହି ବିଲ୍ ଆଣିବା ପରେ ବିଭିନ୍ନ ଦଳ ପକ୍ଷରୁ କରାଯାଇଥିଲା ଆଲୋଚନା। ପରେ ବିଲ୍ ଗୃହୀତ ହୋଇଥିଲା। ଏହି ବିଲକୁ ରାଜ୍ଯପାଳଙ୍କ ନିକଟକୁ ପଠାଯିବ। ବିଲ୍ ଗୃହୀତ ହେବା ଦ୍ବାରା ପଶ୍ଚିମବଙ୍ଗ ହୋଇଛି ପ୍ରଥମ ରାଜ୍ଯ ଯିଏ କି ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଯୌନ ନିର୍ଯାତନା ସମ୍ପର୍କିତ କେନ୍ଦ୍ରୀୟ ଆଇନରେ ପରିବର୍ତ୍ତନ ଆଣିଛି। ଏହି ବିଲକୁ ଐତିହାସିକ ଓ ମଡେଲ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ। କୋଲକାତା ଆରଜି କର ମେଡିକାଲ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ଏହି ଧରଣର ବିଲ୍ ଆଣିବାକୁ ଘୋଷଣା କରିଥିଲେ ମମତା। ଏହି ବିଲ୍ ଯୋଗୁ କେନ୍ଦ୍ରୀୟ ଆଇନରେ ରହିଥିବା କେତେକ ଗଳିଆବାଟକୁ ବନ୍ଦ କରିଦିଆଯାଇପାରିବ। ମାନବିକତା ଓ ସାମାଜିକ ସଂସ୍କାର ବିରୋଧରେ ଦୁଷ୍କର୍ମ ଏକ ଅଭିଶାପ ବୋଲି କହିଛନ୍ତି ମମତା। ଏହି ବିଲକୁ ସମର୍ଥନ କରିଥିଲା ବିଜେପି। ବିଲ୍ ଆଗତ କରିବା ଲାଗି ଗତ ସୋମବାରଠାରୁ ବସିଥିଲା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ। ମମତା କହିଛନ୍ତି ଉତ୍ତରପ୍ରଦେଶ ଓ ଗୁଜରାଟରେ ମହିଳାଙ୍କ ବିରୋଧରେ ଅପରାଧ ହାର ଅଧିକ ରହିଛି। ହେଲେ ପଶ୍ଚିମବଙ୍ଗରେ ମହିଳାମାନେ ଏଣିକି ନ୍ଯାୟ ପାଇପାରିବେ।
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ କଲାନି ମଙ୍ଗୋଲିଆ
ନନ୍ଦିଘୋଷ ବ୍ୟୁରୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ କଲାନି ମଙ୍ଗୋଲିଆ । ବରଂ ଗାର୍ଡ ଅଫ ଅନର ଦେଇ କରିଛି ଭରପୂର ସ୍ବାଗତ । ୟୁକ୍ରେନ ଆକ୍ରମଣକୁ ନେଇ ଗତବର୍ଷ ଆନ୍ତର୍ଜାତିକ ଅପରାଧୀ କୋର୍ଟ ବା ଆଇସିସି ପକ୍ଷରୁ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ସତ୍ତ୍ବେ ଆଇସିସି ସଦସ୍ଯ ରାଷ୍ଟ୍ର ମଙ୍ଗୋଲିଆ ଗସ୍ତ କରିଛନ୍ତି ପୁଟିନ । ମଙ୍ଗୋଲିଆ ରାଜଧାନୀ ଉଲାନାବାତାରରେ ପୁଟିନଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର । ଆଇସିସିର ଗିରଫ ପରଓ୍ବାନାକୁ ଫୁ କରି ପୁଟିନ ଏହି ଗସ୍ତ କରିଛନ୍ତି । ସେପଟେ ପୁଟିନଙ୍କୁ ଅଟକ ରଖିବା ଲାଗି ଆହ୍ବାନ ଦେଇଛନ୍ତି ପାଶ୍ଚାତ୍ଯ ରାଷ୍ଟ୍ର, ୟୁକ୍ରେନ ଓ ଅନ୍ଯାନ୍ଯ ମାନବାଧିକାର ସଂଗଠନ । ୟୁକ୍ରେନରୁ ଶିଶୁମାନଙ୍କୁ ବେଆଇନ ଚାଲାଣ କରିବା ଅଭିଯୋଗରେ ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା ଆଇସିସି । ସେପଟେ ଯଦି ମଙ୍ଗୋଲିଆ ପୁଟିନଙ୍କୁ ଗିରଫ ନ କରେ ତେବେ ସେପରି କିଛି ଘଟିବାର ସମ୍ଭାବନା ନାହିଁ ବୋଲି କୁହାଯାଇଛି । ଉଭୟ ରୁଷିଆ ଓ ଚୀନ ସହ ମଙ୍ଗୋଲିଆର ଉତ୍ତମ ସମ୍ପର୍କ ରହିଛି । ଏହା ସହ ସୋଭିଏତ କାଳରୁ ବି ରୁଷିଆର ବନ୍ଧୁ ରାଷ୍ଟ୍ର ଭାବେ ମଙ୍ଗୋଲିଆ ଜଣାଶୁଣା । ୧୯୯୧ରେ ସୋଭିଏତ ରୁଷିଆର ପତନ ପରଠାରୁ ଉଭୟ କ୍ରେମଲିନ ଓ ବେଜିଂ ମଧ୍ଯରେ ସୁସମ୍ପର୍କ ରଖିଆସିଛି ମଙ୍ଗୋଲିଆ । ଏପରିକି ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷିଆକୁ ସମାଲୋଚନା କରି ନଥିଲା ମଙ୍ଗୋଲିଆ । ଏହା ସହ ଜାତିସଂଘରେ ରୁଷିଆ ବିରୋଧୀ ଭୋଟରେ ବି ମଙ୍ଗୋଲିଆ ବିରତ ରହିଥିଲା । ଗତ ୨୦୨୩ ମାର୍ଚ୍ଚରେ ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା ଆଇସିସି । ଅଭିଯୋଗ ଅନୁସାରେ ୟୁକ୍ରେନରୁ ହଜାର ହଜାର ଶିଶୁଙ୍କୁ ରୁଷିଆ ନିଜ ଦେଶକୁ ନେଇଯାଉଛି । ସେପଟେ କ୍ରେମଲିନ କହୁଛି ୟୁକ୍ରେନର ଯେଉଁ ଅଞ୍ଚଳକୁ ରୁଷିଆ କବଜା କରୁଛି ସେହି ଅଞ୍ଚଳର ଶିଶୁଙ୍କ ସୁରକ୍ଷା ଲାଗି ସେମାନଙ୍କୁ ରୁଷିଆ ନିଆଯାଉଛି । ବଡ଼କଥା ହେଉଛି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁଙ୍କ ବିରୋଧରେ ଆଇସିସି ଯେଉଁ ଗିରଫ ପରଓ୍ବାନା ଜାରି କରିଥିଲା ତାହାକୁ ସମର୍ଥନ କରିଥିବା ୯୩ଟି ରାଷ୍ଟ୍ର ମଧ୍ଯରେ ଥିଲା ମଙ୍ଗୋଲିଆ ।
ହାଇକୋର୍ଟ ବେଞ୍ଚ : ଦିନକ ଭିତରେ ୟୁ ଟର୍ଣ୍ଣ ମାରିଲେ ରାଜ୍ୟ ସରକାର
ଭୁବନେଶ୍ବର: ଦିନକ ଭିତରେ ୟୁ ଟର୍ଣ୍ଣ ମାରିଲେ ରାଜ୍ୟ ସରକାର। ହାଇକୋର୍ଟ ପ୍ରସଙ୍ଗରେ ସରକାର ୟୁ ଟର୍ଣ୍ଣ ମାରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଗୃହରେ ଅବଗତ କରିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟର କୌଣସି ସ୍ଥାନରେ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ। ବିଜେଡି ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଥିଲେ ମୋହନ ମାଝୀ।
ହେଲେ ଆଜି ପୁଣି ମୋହନ ମାଝୀ ଗୃହକୁ ଅବଗତ କରିଛନ୍ତି, ହାଇକୋର୍ଟ ବେଞ୍ଚ ପ୍ରସ୍ତାବ ବିଚାରାଧୀନ ଅଛି। ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଗତକାଲି ମୋହନ ମାଝୀ ଯେଉଁ ମନ୍ତବ୍ୟ ଦେଇଥିଲେ, ତାକୁ ଜୋରଦାର ବିରୋଧ ହୋଇଥିଲା। ଏପରିକି ପଶ୍ଚିମ ଓଡ଼ିଶାରେ ଅସନ୍ତୋଷର ନିଆଁ ତେଜିଥିଲା। କାରଣ ବିରୋଧୀ ଦଳ ଆସନରେ ବିଜେପି ଥିବା ବେଳେ ହାଇକୋର୍ଟ ବେଞ୍ଚ ସପକ୍ଷରେ ଥିଲା । କିନ୍ତୁ ସରକାରକୁ ଆସିବା ପରେ ଆଭିମୁଖ୍ୟରେ କାହିଁକି ପରିବର୍ତ୍ତନ ବୋଲି ପ୍ରଶ୍ନ ଉଠିଥିଲା। ଏପରିକି ବିଜେଡି ମଧ୍ଯ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଥିଲା।
ସେପଟେ ନିଜେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ପ୍ରଶ୍ନ କରିଥିଲେ, ବେଞ୍ଚ କାହିଁକି ହେବନି। ଏହାକୁ ନେଇ ଦଳ ଓ ବିଜେପି ସରକାର ଅଡୁଆରେ ପଡ଼ିଥଲେ। ଏହା ପରେ ଆଜି ନିଜ ମତ ପରିବର୍ତ୍ତନ କରିଛନ୍ତି କି ମୁଖ୍ୟମନ୍ତ୍ରୀ । କଳିକେଶ ସିଂହଦେଓ କହିଛନ୍ତି, ଆମେ କେତେ ଦିନ ଆଉ ଏହାକୁ ବିଚାରାଧୀନ ରଖିବା। ମୁଖ୍ୟମନ୍ତ୍ରୀ ଗୃହକୁ ପ୍ରତିଶୃତି ଦିଅନ୍ତୁ, ପଶ୍ଚିମ ଓଡି଼ଶାରେ ସ୍ଥାୟୀ ବେଞ୍ଚ ହେବ। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାଜନ ଏକ୍କା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କଥାରେ ସ୍ପଷ୍ଟତା ନାହିଁ। ସୁପ୍ରିମକୋର୍ଟ ଯାହା କୁହନ୍ତୁ, ଓଡ଼ିଶା ଲୋକଙ୍କ ଆବଶ୍ୟକତା ଦେଖିବା କଥା। ଲୋକଙ୍କୁ ଦ୍ୱନ୍ଦ୍ୱରେ ନ ପକାଇ ନେତୃତ୍ୱ ନିଅନ୍ତୁ ମୁଖ୍ୟମନ୍ତ୍ରୀ।
ବଢୁଛି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ, ହସିନାଙ୍କ ବିରୋଧରେ ୮୯ ମାମଲା
ନନ୍ଦିଘୋଷ ବ୍ୟୁରୋ: ବଢୁଛି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ । ଦାୟର ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମାମଲା । ତାଙ୍କ ବିରୋଧରେ ବର୍ତ୍ତମାନ ଆଉ ୫ଟି ନୂଆ ହତ୍ଯା ମାମଲା ରୁଜୁ ହୋଇଛି । ଫଳରେ ହସିନାଙ୍କ ବିରୋଧରେ ଦାୟର ହୋଇଥିବା ମାମଲା ସଂଖ୍ଯା ପହଞ୍ଚିଛି ୮୯ରେ । ଢାକ୍କାର ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଏହି ମାମଲା ରୁଜୁ ହୋଇଛି ।
ସାରା ଦେଶରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଗତ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ ହସିନା । କୋଟା ବିରୋଧୀ ଆନ୍ଦୋଳନ ବେଳେ ୫ ଜଣଙ୍କୁ ହତ୍ଯା ଘଟଣାରେ ହସିନା, ପୂର୍ବତନ କ୍ଯାବିନେଟ ମନ୍ତ୍ରୀ, ଦଳର ସାଧାରଣ ସମ୍ପାଦକ ଓ ଅନ୍ଯ ୩୩୯ ଜଣଙ୍କ ବିରୋଧରେ ୫ଟି ହତ୍ଯା ମାମଲା ରୁଜୁ ହୋଇଛି । ଏହି ହିଂସାକାଣ୍ଡରେ ପ୍ରାଣ ହରାଇଥିଲେ ୬୦୦ରୁ ଅଧିକ ଲୋକ ।
ହସିନାଙ୍କ ଇସ୍ତଫା ପରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଗଠିତ ହୋଇଛି ଅନ୍ତରୀଣ ସରକାର । ସେପଟେ ଆତଙ୍କବାଦୀ ସଂଗଠନ ହେଫାଜତ-ଇ-ଇସଲାମର ନେତା ମାମୁନୁଲ ହକଙ୍କ ସହ ୟୁନୁସଙ୍କ ସାକ୍ଷାତକୁ ନେଇ ବଢିଛି ବିବାଦ । ଏହି ଭେଟଘାଟ ବେଳେ ନିର୍ବାଚନ ସଂସ୍କାର ଓ ନିର୍ବାଚନ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ବଡକଥା ହେଉଛି ହେଫାଜତ-ଇ-ଇସଲାମ ସଂଗଠନ ଭାରତ ବିରୋଧରେ ସର୍ବଦା ମନ୍ତବ୍ଯ ଦେଇଆସୁଛି । ହସିନାଙ୍କ ରାଜତ୍ବ ସମୟରେ ହିଂସାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ ମାମୁନୁଲ । ମାତ୍ର ହସିନା ସରକାରର ପତନ ପରେ ତାଙ୍କୁ ମୁକ୍ତି ଦିଆଯାଇଛି । ସେହିପରି ଦେଶର ସର୍ବବୃହତ ଇସଲାମିକ ପାର୍ଟି ତଥା ଭାରତ ବିରୋଧୀ ସଂଗଠନ ଜମାଏତ-ଇ-ଇସଲାମି ସଂଗଠନ ଉପରେ ଜାରି ହୋଇଥିବା ନିଷେଧାଦଶକୁ ହଟାଇ ନେଇଛନ୍ତି ସରକାର ।
ରିଲିଜ ପରେ ବିବାଦରେ ‘IC 814’ : ନେଟଫ୍ଲିକ୍ସ କଣ୍ଟେଣ୍ଟ ମୁଖ୍ୟଙ୍କୁ ସମନ ଜାରି
ନନ୍ଦିଘୋଷ ବ୍ୟୁରୋ: ବିବାଦରେ ନେଟଫ୍ଲିକସର ନୂଆ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ । ଏହା ଅଗଷ୍ଟ 29ରେ ନେଟଫ୍ଲିକ୍ସରେ ରିଲିଜ ହୋଇଛି । ୱେବ୍ ସିରିଜ୍କୁ ନେଇ ନିର୍ଦ୍ଦେଶକ ଅନୁଭବ ସିହ୍ନାକୁ ଯେତିକି ତାଳି ପଡୁଛି ସେତିକି ଗାଳି ମଧ୍ୟ ପଡୁଛି । ଏହି ସିରିଜରେ 1999 ରେ ଏକ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଅପହରଣର ଦୁଃଖଦ ଘଟଣା ଦର୍ଶାଯାଇଛି । କିଛି ଲୋକ ନିର୍ଦ୍ଦେଶକଙ୍କ ଅଭିନୟକୁ ପ୍ରଶଂସା କରିଥିବାବେଳେ କିଛି ଲୋକ ସିରିଜକୁ ନେଇ ନିର୍ମାତାଙ୍କ ଉପରେ ବର୍ଷିଛନ୍ତି ଏବଂ ଘଟଣା ବଦଳାଇବାକୁ ଚେଷ୍ଟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ନେଟଫ୍ଲିକ୍ସ ମୁଖ୍ୟ ମୋନିକା ସେରଗିଲ୍ଙ୍କୁ ନୋଟିସ୍ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।
ସୂଚନା ଅନୁଯାୟୀ ମନ୍ତ୍ରାଳୟ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ ରେ ଆତଙ୍କବାଦୀଙ୍କ ନାଁ କୁ ନେଇ ବିବାଦ ଆରମ୍ଭ ହେଇଛି । ପ୍ରକୃତ ନାଁ ଓ୍ବେବସିରିଜରେ ବ୍ୟବହାର ନହୋଇ ହିନ୍ଦୁ ଭଗବାନଙ୍କ ନାମ ଅନୁଯାୟୀ ଭୋଲା ଓ ଶଙ୍କର ରଖାଯାଇଛି । ଯାହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆପତ୍ତି ଉଠାଇବା ସହ ସ୍ପଷ୍ଟୀକରଣ ରଖିବାକୁ ନେଟଫ୍ଲିକସ ମୁଖ୍ୟଙ୍କୁ ନୋଟିସରେ କୁହାଯାଇଛି । ଓ୍ବେବସିରିଜରେ ଆତଙ୍କବାଦୀଙ୍କ ପ୍ରକୃତ ନାଁକୁ ଲୁଚାଯିବା ପାଇଁ ଚେଷ୍ଟା କରାଯାଇଛି ଯାହାକୁ ଲୋକମାନେ ବିରୋଧ କରିଛନ୍ତି ।
ପ୍ରକୃତରେ ଏହି ଆତଙ୍କବାଦୀଙ୍କ ନାମ ଇବ୍ରାହିମ ଅଥାର, ସହିଦ ଅଖତର ସଇଦ, ସନ୍ନି, ଅହମ୍ମଦ କାଜୀ, ଜାହୋର ମିଷ୍ଟ୍ରି ଏବଂ ଶାକିର ବୋଲି କୁହାଯାଉଛି । କିନ୍ତୁ ଏହି କ୍ରମରେ ଏହି ଆତଙ୍କବାଦୀଙ୍କ ନାମ ଭୋଲା, ଶଙ୍କର, ଡାକ୍ତର, ବରଗଡ ଏବଂ ମୁଖ୍ୟ ଭାବରେ ରଖାଯାଇଛି । ଏହି ଧାରାବାହିକରେ ଆତଙ୍କବାଦୀଙ୍କ ପାଇଁ କୋଡନାମ ବ୍ୟବହାର କରାଯାଇଛି, ଯେଉଁଥି ପାଇଁ ନେଟିଜେନ୍ସମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ବହୁଚର୍ଚ୍ଚିତ ୧୯୯୯ କାନ୍ଦାହାର ହାଇଜାକ୍ ଘଟଣାକୁ ନେଇ ୱେବ୍ ସିରିଜର କାହାଣୀ ତିଆରି ହୋଇଛି। ସେତେବେଳେ ଏହି ଅପହରଣରେ ‘ହରକତ୍ ଉଲ୍ଲ ମୁଜାହିଦ୍ଦିନ୍’ ର ୫ ଜଣ ଆତଙ୍କବାଦୀ ସାମିଲ ଥିଲେ। ସେମାନେ ହେଲେ ଇବ୍ରାହିମ୍ ଆଥର୍, ସାହିଦ୍ ଅଖତର, ସନ୍ନି ଅହମ୍ମଦ କାଜି, ଜହୁର୍ ଇବ୍ରାହିମ୍ ଏବଂ ସାକିର୍। କିନ୍ତୁ ଏହି ୱେବ୍ ସିରିଜ୍ ରେ ଏହାର ନାଁ ପରିବର୍ତ୍ତନ କରାଯାଇଛି ତାପୁଣି ଦୁଇ ଆତଙ୍କୀଙ୍କ ନାଁ ହିନ୍ଦୁ ଭଗବାନଙ୍କ ନାଁ ଶଙ୍କର ଓ ଭୋଲା ରଖାଯାଇଛି। ଯାହାକୁ ଦେଖି ଲୋକେ ସୋସିଆଲ୍ ମିଡିଆରେ ପ୍ରବଳ ସମାଲୋଚନା କରିଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ୬ ଜାନୁଆରୀ ୨୦୦୦ରେ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ ଅପହରଣକାରୀଙ୍କ ପ୍ରକୃତ ନାମ ହେଲା:
ଇବ୍ରାହିମ ଅତହର, ବହାବଲପୁର
ଶାହିଦ ଅଖତର ସଇଦ, ଗୁଲଶନ ଇକବାଲ,କରାଚୀ
ସନୀ ଅହମ୍ମଦ କାଜୀ, କରାଚୀ
ମିସ୍ତ୍ରୀ ଜହୁର ଇବ୍ରାହିମ, କରାଚୀ
ଶାକିର, ସୁକ୍କୁର ସିଟି
ହରିୟାଣା ନିର୍ବାଚନରେ କଂଗ୍ରେସ ଓ ଆପ୍ ମଧ୍ଯରେ ମେଣ୍ଟକୁ ନେଇ ସସପେନ୍ସ !
ନନ୍ଦିଘୋଷ ବ୍ୟୁରୋ: ହରିୟାଣା ନିର୍ବାଚନରେ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ଯରେ ମେଣ୍ଟକୁ ନେଇ ବଢୁଛି ସସପେନ୍ସ । ଆପ୍ ସହ ମେଣ୍ଟ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାହୁଁଥିବା ସୂଚନା ମିଳିଛି । ଏନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ହରିୟାଣା କଂଗ୍ରେସର ନେତାମାନଙ୍କ ମତାମତ ଲୋଡିଛନ୍ତି ରାହୁଲ ।
ସଭାରେ ଯୋଗ ଦେଇଥିବା ସମସ୍ତଙ୍କୁ ରାହୁଲ ଗାନ୍ଧୀ ଆପ ବା ମେଣ୍ଟ ସହିତ ମିଶି ହରିୟାଣାରେ ନିର୍ବାଚନ ଲଢିପାରିବେ ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଭୁପେନ୍ଦ୍ର ସିଂ ହୁଡା କହିଛନ୍ତି ଯେ ଆମ ଆଦମୀ ପାର୍ଟି ବହୁତ ସିଟ ମାଗୁଛି। ତିନିରୁ ଚାରିଟି ଆସନ ଦିଆଯାଇପାରେ, କିନ୍ତୁ ସେମାନଙ୍କର ଇଚ୍ଛା ବଡ଼, ତେଣୁ ମେଣ୍ଟ ଗଠନ କରିବା କଷ୍ଟକର। ରାହୁଲ ଗାନ୍ଧୀ ତଥାପି କହିଛନ୍ତି ଯେ ଇଣ୍ଡିଆ ମେଣ୍ଟ ଭୋଟ ଯେପରି ବିଭାଜିତ ନହୁଏ ସେଥିପାଇଁ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍। ତୁମେମାନେ ଯାହା ସମ୍ଭବ ତାହା ଦେଖ।
ଗତ ଲୋକସଭା ନିର୍ବାଚନରେ ହରିୟାଣା, ଗୁଜରାଟ, ଗୋଆ, ଦିଲ୍ଲୀ ଓ ଚଣ୍ଡୀଗଡ଼ରେ ଏକାଠି ଲଢିଥିଲେ ଦୁଇ ଦଳ । କିଛି ଦିନ ତଳେ ଆପ୍ ସହ ମେଣ୍ଟ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ ବରିଷ୍ଠ କଂଗ୍ରେସ ନେତ୍ରୀ କୁମାରୀ ଶୈଳଜା । ରାଜ୍ଯରେ କଂଗ୍ରେସର ସ୍ଥିତି ଭଲ ଅଛି ଏବଂ ଦଳ ଏକାକୀ ନିର୍ବାଚନ ଲଢୁ ବୋଲି କହିଥିଲେ ଶୈଳଜା ।
ପୂର୍ବରୁ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜରିଓ୍ବାଲ କହିଥିଲେ ହରିୟାଣାର ସମସ୍ତ ୯୦ ଆସନରେ ଆପ୍ ଲଢିବ । ସେପଟେ ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଘରି ସମ୍ପଲା କିଲୋଇ ଆସନରୁ ଏବଂ ପିସିସି ସଭାପତି ଉଦୟଭାନ ହୋଦାଲ ଆସନରୁ ଲଢିବେ ବୋଲି ସୂଚନା ମିଳିଛି । ୯୦ ଆସନ ବିଶିଷ୍ଟ ହରିୟାଣାରେ ଆସନ୍ତା ଅକ୍ଟୋବର ୫ରେ ନିର୍ବାଚନ ହେବ ଏବଂ ୮ରେ ଗଣତି ହେବ ।
KBCକୁ ଆସିବା ପାଇଁ ୯୭ ଦିନ ଯାଏ କରିଥିଲେ ତପସ୍ୟା
ନନ୍ଦିଘୋଷ ବ୍ୟୁରୋ: ଶିକ୍ଷା ଏବଂ ମନୋରଞ୍ଜନର ରିୟାଲିଟି ଶୋ ଭିତରୁ କୌନ ବନେଗା କରୋଡପତି (କେବିସି) ଅନ୍ୟତମ । ଏହାକୁ ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ହୋଷ୍ଟ କରନ୍ତି । ବର୍ତ୍ତମାନ କୌନ୍ ବନେଗା କରୋଡପତି ସିଜିନ୍ ୧୬ ଚର୍ଚ୍ଚାରେ ରହିଛି । ପ୍ରତିଥର ପରି ଏଥର ବି ଅନେକ ପ୍ରତିଯୋଗୀଙ୍କ ଭାଗ୍ୟ ଖୋଲିବାକୁ ଯାଉଛି । କିନ୍ତୁ ଏହାରି ଭିତରେ ଜଣେ ପ୍ରତିଯୋଗୀଙ୍କ କାହାଣୀ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।କେବିସିର ଲାଟେଷ୍ଟ ଏପିସୋଡରେ ଦେଖିବାକୁ ମିଳିଥିଲା କିଛି ଅଦ୍ଭୁତ ।
ବିଗ ବି ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ ସିଟରେ ବସିଥିଲେ ଶ୍ରୀମ ଶର୍ମା । ନିଜ ମାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ବହୁ କଠିନ ପରିଶ୍ରମ କରି ଶେଷରେ ଏହି ସୋରେ ପହଞ୍ଚିଛନ୍ତି । ବିଗବିଙ୍କ ସାମ୍ନାରେ ବସିବା ପରେ ଭାବୁକ ହେଇପଡିଥିଲେ ଶ୍ରୀମ । ଏକ କାହାଣୀ ଶୁଣାଇ ସେ କହିଲେକି ଶ୍ରୀମଙ୍କ ମାଆ ତାଙ୍କୁ କେବିସି ହଟ୍ ସିଟରେ ବସିବା ଦେଖିବାକୁ ଚାହୁଁଥିଲେ ଏବଂ ତାହା ଏବେ ସତ ହୋଇଛି ।ଏବେ ସେ ବହୁତ ଖୁସୀ । ତା ସହିତ ନିଜ ବିଷୟରେ ମଧ୍ୟ ଏକ କଥା କହିଥିଲେ ଯାହାକୁ ଶୁଣି ବିଗ ବି ତାଜୁବ ହେଇଯାଇଥିଲେ ।
ଶ୍ରୀମ ପେଶାରେ ଜଣେ ଜ୍ୟୋତିଷ ହେଲେ ସେ କେବେବି ବିଶ୍ବାସ କରିନଥିଲେ କି ସେ କେବିସି ହଟସିଟରେ ବସିବେ । ସେ କେବିସି ୧୬କୁ ଆସିବା ଏବଂ ହଟ୍ ସିଟ୍ରେ ବସିବା ପାଇଁ ୯୭ ଦିନ ଯାଏ ବ୍ରତର ସଂକଳ୍ପ ନେଇଥିଲେ । ବ୍ରତ ସମୟରେ ଦୁଇବେଳେ ଖାଦ୍ୟକୁ ମଧ୍ୟ ସେ ତ୍ୟାଗ କରିଦେଇଥିଲେ । ତାଙ୍କ ମତରେ କିଛି ବଡ଼ ପାଇବା ପାଇଁ ହେଲେ କିଛି ବଡ଼ ତ୍ୟାଗ କରିବାକୁ ପଡ଼ିଥାଏ । ଏହା ଶୁଣିବା ପରେ ବିଗ ବି ତାଙ୍କ ବ୍ରତ ଭାଙ୍ଗିବା ପାଇଁ ଶ୍ରୀମଙ୍କୁ ତାଙ୍କ ମନପସନ୍ଦର ମିଠେଇ ରସମଲାଇ ଖୁଆଇ ତାଙ୍କ ବ୍ରତ ଭାଙ୍ଗିଥିଲେ ।
ଶ୍ରୀମ କହିଛନ୍ତି ଯେ ଭବିଷ୍ୟତରେ ସେ ଜଣେ କ୍ରିକେଟର ବି ହୋଇପାରିଥାନ୍ତେ, କ୍ରିକେଟରେ କ୍ୟାରିୟର କରିବାକୁ ଚାହୁଁଥିଲେ । କିନ୍ତୁ ଆଘାତ ଯୋଗୁଁ ଏବେ ସେ ଆଉ ଏହି ଖେଳ ଖେଳିପାରନ୍ତି ନାହିଁ । ଏଥିପାଇଁ ଜ୍ୟୋତିଷ କ୍ଷେତ୍ରରେ ଆଗକୁ ବଢିଲେ । ଶ୍ରୀମ କହିଛନ୍ତି, ‘ଶୋ’କୁ ଆସିବା ପାଇଁ ସେ କଠିନ ତପସ୍ୟା କରିଛନ୍ତି । ଯେତେବେଳେ ମୋତେ ଏଠାକୁ ଆସିବା ପାଇଁ କଲ୍ ଆସିଥିଲା, ସେବେଠାକୁ ୯୭ ଦିନ ଯାଏ ବ୍ରତ କରିବାକୁ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ହଟ୍ ସିଟରେ ବସିବା ଯାଏ, ମୁଁ କେବଳ ଫଳ ହିଁ ଖାଇଛି ।’ ଶ୍ରୀମଙ୍କ ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ପରେ ତାଳି ମାରିଥିଲେ । ଶ୍ରୀମଙ୍କ ଚୟନ ପରେ ତାଙ୍କ ମାଆ ଖୁସିରେ କାନ୍ଦି ପକାଇଥିଲେ ।
ସନ୍ଦିପ ଘୋଷ ଗିରଫକୁ ନେଇ ବଢୁଛି ପ୍ରଶ୍ନ !
କୋଲକତା: ଆରଜି କର ହସପିଟାଲର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ । ଏକ ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ସିବିଆଇ ଗିରଫ କରିଛି । ଏକ ଟେଣ୍ଡର ଫିକ୍ସିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ବିବାଦକୁ ଆସିଥିଲେ ସନ୍ଦୀପ । ସନ୍ଦୀପ ମାମଲାକୁ ଚପାଇବାକୁ ଉଦ୍ୟମ କରିବା ସହ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ସନ୍ଦୀପ ଘୋଷଙ୍କ ଗିରଫ ହେବାର ଏକ ଘଣ୍ଟା ମଧ୍ୟରେ ସିବିଆଇ ଅଧିକାରୀମାନେ ତାଙ୍କ ସୁରକ୍ଷାକର୍ମୀ ଏବଂ ଦୁଇ ଭେଣ୍ଡରଙ୍କୁ ଗିରଫ କରିଥିଲେ। ଯେଉଁମାନେ ଡାକ୍ତରଖାନାକୁ ଚୋରା ସାମଗ୍ରୀ ଯୋଗାଇଥିଲେ ।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରେ ସନ୍ଦୀପ ଘୋଷଙ୍କ ସୁରକ୍ଷା କର୍ମୀ ଅଲି ଖାନ ଏବଂ ଦୁଇ ଡାକ୍ତରଖାନା ବିକ୍ରେତା ବିପ୍ଳବ ସିଙ୍ଗା ଏବଂ ସୁମନ ସାମିଲ ଅଛନ୍ତି। ଅଗଷ୍ଟ ୨୩ରେ କୋଲକତା ହାଇକୋର୍ଟ ସିବିଆଇକୁ ଡାକ୍ତରଖାନାରେ ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା।
ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳ ମଧ୍ୟରେ ଅନୁଷ୍ଠାନରେ ଆର୍ଥିକ ଦୁର୍ନୀତି ଅଭିଯୋଗର ଏକ (ଇଡି) ଅନୁସନ୍ଧାନ କରିବାକୁ ଅନୁଷ୍ଠାନର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଡାକ୍ତର ଅଖତର ଅଲି ଆବେଦନ କରିଥିଲେ। ଅଗଷ୍ଟ ୯ରେ ଆରଜି କର ହସ୍ପିଟାଲରେ ୩୧ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ସନ୍ଦୀପ ଘୋଷଙ୍କୁ ସିବିଆଇର ସଲ୍ଟ ଲେକ କାର୍ଯ୍ୟାଳୟରେ ୧୫ଦିନ ଧରି ପଚରାଉଚରା କରାଯାଇଥିଲା। ପରେ ତାଙ୍କୁ କୋଲକାତାର ସିବିଆଇର ନିଜାମ ପ୍ୟାଲେସ କାର୍ଯ୍ୟାଳୟକୁ ନିଆଯାଇଥିଲା ଯେଉଁଠାରେ ଏଜେନ୍ସିର ଦୁର୍ନୀତି ନିବାରଣ ୱିଙ୍ଗ ଅବସ୍ଥିତ ଏବଂ ସେଠାରେ ତାଙ୍କୁ ଗିରଫ କରାଯାଇଥିଲା।
ଆରଜି କର ହତ୍ୟା ମାମଲା ୨୪ଦିନରେ ସନ୍ଦିପ ଘୋଷଙ୍କୁ ଗିରଫ କରାଯାଇଛି। ଏହାପୂର୍ବରୁ କୋଲକାତା ପୋଲିସର ନାଗରିକ ସ୍ବେଚ୍ଛାସେବୀ ସଞ୍ଜୟ ରୟଙ୍କୁ କୋଲକାତା ପୋଲିସ ଗିରଫ କରି ମେଡିକାଲ ଛାତ୍ରୀଙ୍କ ବଳାତ୍କାର ଓ ହତ୍ୟା ମାମଲାରେ କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତାନ୍ତର କରିଥିଲା।
ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ କେଉଁ କେଉଁ ଆରୋପ ଥିଲା :
*ଆରଜି କର ହସ୍ପିଟାଲରେ ହୋଇଥିବା ଦୁର୍ନୀତି ଏବଂ ମହିଳା ଡାକ୍ତରଙ୍କ ମୃତ୍ୟୁ ସହିତ କିଛି ସମ୍ପର୍କ ଥିଲା କି ?
*୧ବର୍ଷ ପୂର୍ବେ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ହେଇଥିଲେ ମଧ୍ୟ କୌଣସି ପ୍ରମାଣ ମିଳିନଥିଲା କାହିଁକି ?
*ସନ୍ଦୀପ ମେଡିକାଲ ଜୈବ ବର୍ଜ୍ୟବସ୍ତୁ ଦୁର୍ନୀତି, ସରକାରୀ ପାଣ୍ଠିରୁ ଅର୍ଥ ହଡପ, ମୃତ ଶରୀର ବିକ୍ରି ଅଭିଯୋଗରେ ଜଡିତ
*କଲେଜରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରେଇବା ପାଇଁ ୫-୮ ଲକ୍ଷ ଟଙ୍କା ନେଉଥିଲେ ଲାଞ୍ଚ

