spot_img
Home Blog Page 1556

 ପିଲାଙ୍କ ଆଡମିସନ ଟଙ୍କାକୁ ଆତ୍ମସାତ କଲେ କଲେଜ ଟ୍ରଷ୍ଟି ମୁଖ୍ୟ

କେନ୍ଦ୍ରାପଡା: ପିଲାଙ୍କ ଆଡମିସନ ଟଙ୍କାକୁ ଆତ୍ମସାତ କଲେ କଲେଜ ଟ୍ରଷ୍ଟି ମୁଖ୍ୟ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଗୁହାଳସିଂ ସ୍ଥିତ ଶ୍ରୀ ବଳଦେବ ଜୀଉ ନର୍ସିଙ୍ଗ କଲେଜର ଟ୍ରଷ୍ଟି ବୋର୍ଡ ମୁଖ୍ୟ କଳାକାର ରାଉତଙ୍କ ବିରୋଧରେ । କଳାକାର ରାଉତ ନିଜକୁ କଲେଜର ଚେୟାରମ୍ୟାନ ପରିଚୟ ଦେଇ କିଛି ଛାତ୍ରଛାତ୍ରୀଙ୍କଠାରୁ ଏକ ଲକ୍ଷ ପନ୍ଦର ହଜାର ଟଙ୍କା ଲେଖାଏଁ ଟଙ୍କା ଆଣିଥିଲେ । ହେଲେ ଟଙ୍କାକୁ କଲେଜକୁ ନଦେଇ ନିଜେ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରଛାତ୍ରୀଙ୍କ ସନ୍ଦେହ ହେବାରୁ ସେମାନେ କଲେଜ ଅଧ୍ୟକ୍ଷାଙ୍କୁ ଜଣାଇଥିଲେ । କଳାକାର ରାଉତ କଲେଜର ରସିଦ ଖାତାରୁ କିଛି ରସିଦ ପୃଷ୍ଠା ଚୋରି କରି ବେଆଇନ ଭାବେ ପିଲାଙ୍କୁ ନକଲି ରସିଦ ଦେଇଥିଲେ । କଲେଜ ରସିଦ ଖାତାରୁ ରସିଦ ଚୋରି ହୋଇଥିବା ନେଇ କଲେଜ ଷ୍ଟାପ ଓ କର୍ମଚାରୀଙ୍କ ପକ୍ଷରୁ ମଧ୍ୟ ଅଧ୍ୟକ୍ଷାଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲା । ଏନେଇ କଲେଜ ଅଧ୍ୟକ୍ଷା କଳାକାର ରାଉତଙ୍କ ବିରୋଧରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

ଡେରାବିଶ ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି । ଏନେଇ ଅଭିଯୁକ୍ତ କଳାକାର ରାଉତଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ ଘୋଷଣା: ଡଲାରର ଅବମୂଲ୍ୟାୟନ କିମ୍ବା ଅନ୍ୟ ମୁଦ୍ରା ବ୍ୟବହାର କଲେ ମହଙ୍ଗା ହେବ ପରିଣତି

ଓ୍ବାସିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବଡ ଘୋଷଣାରେ ଛାନିଆ ଭାରତ । ଅନ୍ତର୍ଜାତୀୟ କାରବାର କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଯଦି ଆମେରିକୀୟ ଡଲାରର ଅବମୂଲ୍ୟାୟନ କରନ୍ତି କିମ୍ବା ଅନ୍ୟ କୌଣସି ମୁଦ୍ରା ବ୍ୟବହାର କରନ୍ତି ତେବେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ବୋଲି କହିଛନ୍ତି ଟ୍ରମ୍ପ । ବର୍ତ୍ତମାନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ସଦସ୍ୟ ଅଛନ୍ତି ବ୍ରାଜିଲ, ରୁଷିଆ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା ଓ ଅନ୍ୟାନ୍ୟ ରାଷ୍ଟ୍ର । ଗତ ଅକ୍ଟୋବରରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଅନ୍ତର୍ଜାତୀୟ କାରବାର କ୍ଷେତ୍ରରେ ଡଲାର ବଦଳରେ ଅନ୍ୟ କୌଣସି ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ଆଲୋଚନା ହୋଇଥିଲା। ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଟ୍ରମ୍ପ । ଏକ ବାର୍ତ୍ତାରେ ଟ୍ରମ୍ପ କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ର କୌଣସି ନୂଆ ମୁଦ୍ରାର ପ୍ରଚଳନ କରନ୍ତି କିମ୍ବା ଅନ୍ୟ କୌଣସି ଦେଶର ମୁଦ୍ରା ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଆମେରିକା ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ପଛାଇବ ନାହିଁ । ବର୍ତ୍ତମାନ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀରେ ବି ସଦସ୍ୟ ଭାବେ ସାମିଲ ହୋଇଛନ୍ତି ଇଜିପ୍ଟ, ଇରାନ ଓ ୟୁଏଇ । ତେବେ ବ୍ରିକ୍ସ ସମ୍ମିଳନୀ ଶେଷ ଭାଗରେ ବିକଳ୍ପ ମୁଦ୍ରା ଲାଗି କୌଣସି ଯୋଜନା ନଥିବା କହିଥିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

ସେପଟେ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇର ନିର୍ଦ୍ଦେଶକ ହୋଇଛନ୍ତି ଭାରତୀୟ-ଆମେରିକୀୟକାଶ୍ୟପ କାସ୍ ପଟେଲ । ଟ୍ରମ୍ପଙ୍କ ପାଖଲୋକ ଭାବେ ବେଶ୍ ଜଣାଶୁଣା କାସ୍ ପଟେଲ । ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ, ନ୍ୟାୟ, ଆମେରିକୀୟଙ୍କ ସୁରକ୍ଷା ଆଦି ପ୍ରସଙ୍ଗରେ ସେ ବେଶ୍ ଚର୍ଚ୍ଚିତ । ଖ୍ରୀଷ୍ଟୋଫରେଙ୍କ ସ୍ଥାନରେ କାସ୍ ପଟେଲ ଦାୟିତ୍ବ ନେବେ । ନ୍ୟୁୟର୍କର କ୍ଯୁଇନ୍ସରେ ଜନ୍ମିତ ପଟେଲଙ୍କ ପିତାମାତା ହେଉଛନ୍ତି ଗୁଜରାଟର । ସେମାନେ ପୂର୍ବ ଆଫ୍ରିକାରୁ ଆସି ଆମେରିକାରେ ବସବାସ କରୁଛନ୍ତି । ସେ ଫ୍ଲୋରିଡାରେ ସରକାର ଓକିଲ ଭାବେ କାର୍ଯ୍ୟରତ । ସେ ନ୍ୟାୟ ବିଭାଗରେ ପ୍ରସିକ୍ୟୁଟର ଭାବେ କାର୍ଯ୍ୟ କରିଥିଲେ । ଆମେରିକା ଓ ପୂର୍ବ ଆଫ୍ରିକା ସମତେ ବିଭିନ୍ନ ଦେଶରେ ଘଟିଥିବା ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ମାମଲାରେ ସେ ସରକାରଙ୍କ ପକ୍ଷ ନେଇ ଲଢିଥିଲେ । ଟ୍ରମ୍ପଙ୍କ ପ୍ରଥମ ପାଳିରେ ପଟେଲ ରୁଷିଆ ସମ୍ପର୍କିତ ତଦନ୍ତ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଟ୍ରମ୍ପଙ୍କ ଜାତୀୟ ନିରାପତ୍ତା ନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପଟେଲ ।

ସରକାରୀ ବାସଭବନରେ ବେକରେ ରଶି ଲଗାଇ କର୍ମଚାରୀଙ୍କ ଆତ୍ମହତ୍ୟା

ଫୁଲବାଣୀ: ସରକାରୀ ବାସଭବନରେ ବେକରେ ରଶି ଲଗାଇ କର୍ମଚାରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଫୁଲବାଣୀ କୃଷି ଉଦ୍ୟାନ ବିଭାଗ ସରକାରୀ ବାସଭବନରେ ଘଟିଛି ଏହି ଅଘଟଣ। ମୃତକ ଫୁଲବାଣୀ କୃଷି ଉଦ୍ୟାନ ବିଭାଗ କର୍ମଚାରୀ ବିଜୟ କୁମାର ନାୟକ । ଘଟଣାସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ ‌କରିଛି। ସେପଟେ ବିଜୟଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ବିଶ୍ବାସ କରିପାରୁନାହାନ୍ତି ପରିବାର ଲୋକେ । ମୃତକଙ୍କ ପୁଅ ଆଣିଛନ୍ତି ହତ୍ୟା ଅଭିଯୋଗ।

ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ମୃତକ ବିଜୟ କୁମାର ନାୟକ ନିଜ ଝିଅ ଓ ସ୍ତ୍ରୀଙ୍କ ସହ ଫୋନରେ କଥା ହେବା ସହ ପୁଅ ପାଖକୁ ଅନ୍ ଲାଇନରେ ଦୁଇ ହଜାର ଟଙ୍କା ପଠାଇଥିଲେ । ଏଥିସହିତ ସେ ରାତିରେ ବସରେ ଭୁବନେଶ୍ୱର ଯିବେ ଏବଂ ସେଠାରୁ ଭଦ୍ରକ ନିଜ ଗାଁ କୁ ଯିବେ ବୋଲି ସ୍ତ୍ରୀ ଙ୍କୁ କହିଥିଲେ । କିନ୍ତୁ ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ବିଜୟ ନିଜ ସରକାରୀ ବାସ ଭବନରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ସ୍ତ୍ରୀ ବାସନ୍ତୀ ନାୟକଙ୍କୁ ଜଣାଇଥିଲେ ଉଦ୍ୟାନ କୃଷି ନିର୍ଦ୍ଦେଶକ । ଆଜି ପରିବାର ଲୋକେ ଫୁଲବାଣୀ ପହଁଚିବା ପରେ ପୋଲିସ୍ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅନ୍ୟପଟେ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଅଧିକ ତଦନ୍ତ ଚଳାଇଛି ଟାଉନ୍ ପୋଲିସ୍ ।

ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଚୟନ

ନନ୍ଦିଘୋଷ ବ୍ୟୁରୋ: ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଚୟନ । ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହେବ କଂସ ଚୟନ ପ୍ରକ୍ରିୟା । ଏଥିରେ ୩ ଜଣ ବିଚାରକ ରହିଥିବା ବେଳେ ୪ ଜଣ କଳାକାର ଅଂଶ ଗ୍ରହଣ କରିବେ । କଂସ କଳାକାର ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ, ସୁଶୀଲ କୁମାର ମେହେର ଅଂଶ ଗ୍ରହଣ କରି ନିଜ ଅଭିନୟ ପ୍ରଦର୍ଶନ କରିବେ। ଜାନୁୟାରୀ ୩ ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ କିଏ ହେବ ଏନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରିରହିଛି।

ପ୍ରିୟଙ୍କାଙ୍କୁ ଏମିତି ସାହାର୍ଯ୍ୟର ହାତ ବଢ଼ାଇଥିଲେ ହ୍ରିତିକ୍

ନନ୍ଦିଘୋଷ ବ୍ୟୁରୋ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଫିଲ୍ମ ହେଉ କିମ୍ବା ବ୍ୟକ୍ତିଗତ ଜୀବନ । ସବୁବେଳେ ସେ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହିଥାନ୍ତି । ଆଜିକାଲି ମଧ୍ୟ ସେ ଗଣମାଧ୍ୟମରେ ହେଡଲାଇନ ପାଲଟିଛନ୍ତି । ଡିଡିଜି ଲିଟିଲଗାର୍ଲକୁ ନେଇ ବେଶ ଚର୍ଚ୍ଚା ପରିସର ଭିତରେ ରହିଥିବା ପ୍ରିୟଙ୍କା ଏଥିରେ ସ୍ପଷ୍ଟ କରିଛନ୍ତି କି, ସେ ତାଙ୍କ ବାପାଙ୍କୁ କେତେ ଭଲ ପାଆନ୍ତି । ଯଦିଓ ଏବେ ତାଙ୍କ ବାପା ଆଉ ଏଦୁନିଆରେ ନାହାନ୍ତି କିନ୍ତୁ ସେ ତାଙ୍କୁ ଭଲ ପାଉଥିବା ଜଣାଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ପ୍ରିୟଙ୍କାଙ୍କ ଖରାପ ସମୟରେ ତାଙ୍କ ସାଥିରେ ରହିଥିଲେ ଅଭିନେତା ହ୍ରିତିକ ରୋଶନ ତାଙ୍କ ତାଙ୍କ ବାପା ରାକେଶ ।

ନିକଟରେ ପ୍ରିୟଙ୍କାଙ୍କ ମା’ ମଧୁ କହିଛନ୍ତି କି, ତାଙ୍କ ସ୍ବାମୀଙ୍କ ଦେହ ଖରାପ ସମୟରେ କିପରି ଭାବେ ତାଙ୍କର ଚିକିତ୍ସା ଲାଗି ଆମେରିକା ନେବା ଲାଗି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେ ଏକ ୟୁଟ୍ୟୁବ ଚ୍ୟାନେଲରେ ଏଭଳି କହିଛନ୍ତି । ଏହାସହ ପ୍ରିୟଙ୍କ ଜନ୍ମଦିନ ପରେ ଘଟିଥିବା କିଛି ଘଟଣା ମଧ୍ୟ ଜଣାଇଛନ୍ତି । ତେବେ ଯେତେବେଳେ ପ୍ରିୟଙ୍କାଙ୍କ ବାପାଙ୍କ ଦେହ ସିରିୟସ ରହିଥିଲା ଆଉ ତାଙ୍କୁ ଆମେରିକା ନେବା ଲାଗି କୁହାଯାଇଥିବା ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମାତ୍ର ହ୍ରିତିକ ଜଣେ ଭଲ ବନ୍ଧୁଭାବେ ପ୍ରିୟଙ୍କାଙ୍କ ପରିବାର ସହ ଛିଡ଼ା ହୋଇଥିଲେ ।

ମଧୁ କହିଛନ୍ତି କି, କ୍ରିସ୍ ଫିଲ୍ମ ସୁଟିଂ ସମୟରେ ଏଭଳି ଘଟଣା ଘଟିଥିଲା । ସୁଟିଂ ସେଟରେ ପ୍ରିୟଙ୍କା ବେଶ ଚିନ୍ତାରେ ରହିଥିଲେ । ଏହାକୁ ଦେଖି ହ୍ରିତକ ଏବଂ ତାଙ୍କ ବାପା ନିର୍ଦ୍ଦେଶକ ରାକେଶ ତାଙ୍କୁ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଆଉ ବିମାନ ପାଇଁ ଯେଉଁ ଅସୁବିଧା ହୋଇଥିଲେ ସେ ସମ୍ପର୍କରେ ମଧ୍ୟ ଜଣାଇଥିଲେ । ଏହାପରେ ବାପା ପୁଅ ମିଶି ସମସ୍ତ ସମସ୍ୟାର ସମାଧାନ କରିବା ସହ ସହଯୋଗ କରି ଆମେରିକା ପ୍ରିୟଙ୍କାଙ୍କ ବାପାଙ୍କୁ ଚିକିତ୍ସା ଲାଗି ପଠାଇଥିଲେ ।

 

ମା’କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ମାତାଲ ପୁଅ

ନନ୍ଦିଘୋଷ ବ୍ୟୁରୋ: ମଦୁଆ ପୁଅ ଭୁଲିଗଲା ନିଜର ହିତାହିତ ଜ୍ଞାନ । ମଦ ନିଶାରେ ଉନ୍ମତ୍ତକାଣ୍ଡ । ନିଶାରେ ନିଜ ଜନ୍ମକଲା ମା’କୁ ମାରି ଦେଇଛି ପୁଅ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ତୁମୁଲିଆ ଗାଁରୁ ଆସିଛି ଏଭଳି ଖବର ।  ମାତାଲ ପୁଅ ବିଶ୍ବ ଲାକଡ଼ା ମାକୁ ହତ୍ୟା କରିଥିବା ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ସେପଟେ ପୁଅର ଏଭଳି ଜଘନ୍ୟକାଣ୍ଡକୁ ସାଧାରଣରେ ନିନ୍ଦା କରାଯାଇଛି ।

ମାଲାନସୁଗା ଅଞ୍ଚଳରୁ ୨ ବାଘ ଶିକାରୀ ଗିରଫ

ଜି.ଉଦୟଗିରି ଗମ୍ଭାରୀଗୁଡା ଓ ମାଲାନସୁଗା ଅଞ୍ଚଳରୁ ୨ ବାଘ ଶିକାରୀ ଗିରଫ। ରେଡ୍ ବେଳେ କଲରାପତରିଆ ବାଘ ଚମଡା ଜବତ ସହ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ ହୋଇଛି। ବାଘ ଚମଡାର ଲମ୍ବ ୨୩୯ ସେଣ୍ଟିମିଟର ହୋଇଥିବା ବେଳେ, ବାଘର ଆନୁମାନିକ ବୟସ ୫ ରୁ ୭ ବର୍ଷ ହେବ ବୋଲି କହିଛି ବନ ବିଭାଗ। ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ବୟାନ ଅନୁସାରେ ବାରାହା ଶିକାର ପାଇଁ ଫାସ ବିଛା ଯାଇଥିବା ବେଳେ ଏଥିରେ ବାଘ ପଡ଼ିଥିଲା। ପରେ ଦେଶୀ ବନ୍ଧୁକ ସହାୟତାରେ ବାଘକୁ ମାରିଥିଲେ ଅଭିଯୁକ୍ତ। ସବୁଠୁ ସାଂଘାତିକ କଥା ହେଉଛି ଯେ, ବାଘକୁ ମାରିବା ପରେ ତାର ମାଂସକୁ ବାଣ୍ଟିକୁଣ୍ଟି ଖାଇ ଦେଇଥିଲେ ଅଭିଯୁକ୍ତ। ଏନେଇ ସୂଚନା ଦେଇଛି ବନ ବିଭାଗ। ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ବନ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି।

ଡିଜିପି ସମ୍ମିଳନୀ : ଆଜି ଅନ୍ତିମ ଦିବସ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଶେଷ ଦିନ। ଶେଷ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ନକ୍ସଲ ମୁକାବିଲା ନେଇ ପ୍ରସ୍ତୁତ ହେଉଛି ରୋଡମ୍ୟାପ୍। ଆଜି ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ଡିଜିପି ଏବଂ ଆଇଜିମାନଙ୍କ ସହ ଆଲୋଚନା କରୁଛନ୍ତି। ସାଇବର ଥ୍ରେଟ ଠାରୁ ଆରମ୍ଭ କରି ମାଓ ଦମନ ରଣନୀତି ନେଇ ଆଲୋଚନା ହୋଇଛି। ଆଭ୍ୟନ୍ତରୀଣ ସୁରକ୍ଷା ସହ ଅନ୍ତର୍ଘାତୀ ଆକ୍ରମଣକୁ ପ୍ରତିହତ କରିବାକୁ ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା ଓ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନ ନେଇ ହୋଇଛି ମାନସମନ୍ଥନ। ସେହିପରି ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା, ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ମହିଳା ବିରୋଧୀ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନୂଆ ଅପରାଧ ଆଇନର କାର୍ଯ୍ୟକାରୀତାକୁ ବୈଠକରେ ଗୁରୁତ୍ଵ ଦିଆଯାଇଛି।

ସେହିପରି ବାମପନ୍ଥୀ, ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶାଦ୍ରବ୍ୟ କାରବାର, ସାଇବର ଅପରାଧ ଏବଂ ଆର୍ଥିକ ସୁରକ୍ଷା ସମେତ ସାମ୍ପ୍ରତିକ ଓ ଭବିଷ୍ୟତର ଜାତୀୟ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ଏହା ସହିତ, ୩ଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଏବଂ ପୋଲିସ ବ୍ୟବସ୍ଥା ସହ ଜଡ଼ିତ ସର୍ବୋତ୍ତମ ବ୍ୟବସ୍ଥାର ଅଗ୍ରଗତି ନେଇ ସମୀକ୍ଷା କରାଯାଉଛି। ୨୦୨୭ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସୁରକ୍ଷା ପ୍ରତିଷ୍ଠାନ ଗୁଡ଼ିକର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତୀୟ ସୁରକ୍ଷା ପ୍ରତି ରହିଥିବା ଚ୍ୟାଲେଞ୍ଜ ଗୁଡ଼ିକୁ କିପରି ମୁକାବିଲା କରାଯିବ। ସାଇବର ଅପରାଧ ଉପରେ କେମିତି ଲାଗିବ ଲଗାମ୍ ? ତଟ୍ଟ ସୁରକ୍ଷାରୁ ନେଇ ଆର୍ଥିକ ସୁରକ୍ଷା ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଡିଜିପି ସମ୍ମିଳନୀରେ ଆଲୋଚନା କରାଯାଉଛି।

ପୁଅ ବୋହୂ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ବାପା

ନନ୍ଦିଘୋଷ ବ୍ୟୁରୋ: କୁହାଯାଏ ରାଗ ହେଉଛି ବ୍ରହ୍ମ ଚଣ୍ଡାଳ । ଏହି ସମୟରେ ମଣିଷ ନିଜର ହିତାହିତ ଜ୍ଞାନ ମଧ୍ୟ ହରାଇ ବସିଥାଏ । ରାଗ ସମୟରେ ସମ୍ପର୍କ ମଧ୍ୟ ତୁଛ ହୋଇଯାଏ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ରାଗ ଏତେ ହୋଇଥିଲା କି ନିଜ ପୁଅ ବୋହୂ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ବାପା । ଏଭଳି  ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ବାର୍ଷିଙ୍ଗା ଗାଁରେ ଘଟିଛି ଅଭାବନୀୟ ଘଟଣା  । ସୂଚନା ଅନୁଯାୟୀ ଗତକାଲି ବାର୍ଷିଙ୍ଗା ଗାଁର ଦୀନବନ୍ଧୁ ରାଉତ ଓ ସସ୍ମିତା ରାଉତ ଉଭୟ ସ୍ୱାମୀ ସ୍ତ୍ରୀ ଘରେ ଖାଉଥିବା ସମୟରେ ହଠାତ ବାପା ଗୋଭର୍ଦ୍ଧବ ରାଉତ ବାହାରୁ ଆସି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ପୁଅ ବୋହୂ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ଅଭିଯୁକ୍ତ ବାପା ଗୋଭର୍ଦ୍ଧବ ରାଉତଙ୍କୁ ଅଟକ ରଖିଛି । କେଉଁ କାରଣ ପାଇଁ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଅଜଣା ଗାଡି ଧକ୍କାରେ ଜଣେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁର ଅଲଣାହାଟ ନିକଟସ୍ଥ ରାଇବରାଇପଲ୍ଲୀ ଛକ ଠାରେ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ଜଣେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ସକାଳୁ ସକାଳୁ ଗଉଡୁକଣି ପଡ଼ିଆର ଯୁବ ମାଛ ବ୍ୟବସାୟୀ ମାଛ ବିକ୍ରି କରିବାକୁ ବାହାରିଥିବା ବେଳେ ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଯୁବ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକମାନେ ବାଲିଭଉଁରୀ ନାଉଗାଁ ରାସ୍ତାକୁ ଅବରୋଧ କରିଛନ୍ତି । ଏନେଇ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।